ଦିନ ପ୍ରାୟ ୧୧ଟା ବେଳକୁ କିଲ୍ଲାବନ୍ଦରର ପ୍ରବେଶ ପଥ ବାହାରେ ଗୋଟିଏ କୂଅ ପାଖରେ ପ୍ରାୟ ୨୦ ଜଣ କମ୍ ବୟସର ଝିଅ ଓ ମହିଳା ଜମା ହୋଇଥିଲେ । ଗ୍ରାମର ଜଣେ ବାସିନ୍ଦା ନିଲମ୍ବ ମନଭାସ କୁହନ୍ତି , “ଏହି କୂଅରେ ଗୋଟିଏ କୋଣରେ ସାମାନ୍ୟ ପାଣି ଅଛି (ଖରାଦିନେ) । ଗୋଟିଏ କଳସୀ ପୂର୍ଣ୍ଣ କରିବାକୁ ଆମକୁ ଅଧଘଣ୍ଟା ସମୟ ଲାଗୁଛି । “ ମୁମ୍ବାଇ ସହରର ଉତ୍ତରରେ ବସାଇ ଦୁର୍ଗ ସୀମାରେ ଏହି ଉପକୂଳବର୍ତ୍ତୀ କିଲ୍ଲା ବନ୍ଦର ମତ୍ସ୍ୟଜୀବୀ ଗ୍ରାମ ରହିଛି।

ଏହି କୂଅ ପାଖରେ ଥିବା ମହିଳା ଓ ଝିଅମାନଙ୍କ ପାଇଁ ପ୍ରତିଦିନ ପାଣି ସଂଗ୍ରହ କରିବାରେ ଘଣ୍ଟା ଘଣ୍ଟା  ସମୟ ବିତାଇବା ଏକ ଦୈନନ୍ଦିନ ବାସ୍ତବିକତା । ଏହି ଝିଅମାନଙ୍କ ମଧ୍ୟରୁ କେତେଜଣଙ୍କ ବୟସ ୪ରୁ ସାମାନ୍ୟ ଅଧିକ ହେବ । ସର୍ବସାଧାରଣ ଭୂମି ଉପରେ ଥିବା ଏହି କୂଅ ଗ୍ରାମ ନିକଟରେ ପିଇବା ପାଣିର ଏକମାତ୍ର ଉତ୍ସ । ମହିଳାମାନେ କୁହନ୍ତି , ଏଠାରେ ନଗରନିଗମ ଜଳଯୋଗାଣ ଖୁବ୍ ଅନିୟମିତ ଏବଂ ଅପର୍ଯ୍ୟାପ୍ତ । ଯେହେତୁ କିଲ୍ଲାବନ୍ଦରର ବହୁ ସଂଖ୍ୟକ ପରିବାର ଏହି କୂଅ ଉପରେ ନିର୍ଭର କରନ୍ତି , ଏହାର ପାଣି ମଧ୍ୟ ନିଅଣ୍ଟ , ବିଶେଷକରି ଖରାଦିନେ । କହିବାକୁ ଗଲେ ଝିଅ ଓ ମହିଳାମାନଙ୍କୁ କୂଅର ତଳ ଭାଗକୁ ଉଝାଳି ò ବାକୁ ପଡ଼େ ।

ପଲ୍ଘର ଜିଲ୍ଲାର ବସାଇ ତାଲୁକାର କ୍ଷେତ୍ରଫଳ ପ୍ରାୟ ୬୦୦ ବର୍ଗ କିଲୋମିଟରରୁ ଅଧିକ । ସହରର ଜନସଂଖ୍ୟା ପ୍ର।ୟ ୧୩ଲକ୍ଷ (୨୦୧୧ ଜନଗଣନା) । ବସାଇ ବିରାର ସିଟି ମ୍ୟୁନିସିପାଲ୍ କର୍ପୋରେସନ ଅଞ୍ଚଳରେ ଥିବା ଦୁଇଟି ସହର , ଏବଂ ୧୦୦ରୁ ଅଧିକ ଗାଁ ଓ ବସ୍ତିକୁ ଜଳ ଯୋଗାଣ କରିବାର ଦାୟିତ୍ୱ ନେଇଛି । କିନ୍ତୁ କରୁନାହିଁ ।

କିଲ୍ଲାବନ୍ଦର ବାସିନ୍ଦାମାନେ ଏହି କାରଣରୁ ଅସନ୍ତୁଷ୍ଟ ଯେ ସେମାନେ ଏବେ ବି କୂଅ ଓ ଟ୍ୟାଙ୍କର ଉପରେ ନିର୍ଭର କରୁଛନ୍ତି । ପଲଘର ଜିଲ୍ଲାରୁ ଜଳ ମୁମ୍ବାଇ ମହାନଗର ଅଞ୍ଚଳକୁ ଚାଲିଯାଉଛି । ମୋ ଆଡ଼କୁ ଆଙ୍ଗୁଠି ଦେଖାଇ କୂଅ ପାଖରେ ଛିଡ଼ା ହୋଇଥିବା ଅନ୍ୟଜଣେ ମହିଳାଙ୍କୁ ପ୍ରିୟା ଘ୍ୟା କହିଲେ , “ତାଙ୍କୁ ଏହା କରିବାକୁ ପଡ଼ୁନାହିଁ ।” ଏହାପରେ ସେ ମୋ ଆଡ଼କୁ ବୁଲିଲେ ଏବଂ କହିଲେ , “ତୁମର ନିଶ୍ଚୟ ମେସିନ୍ (ଲୁଗାସଫା) ଥିବ । ତୁମକୁ ଏ ସବୁ କରିବାକୁ ପଡ଼ୁନଥିବ । ଆମେ ପାଣି ପାଉନୁ , ତୁମେ ପାଉଛ ।”

ବସାଇ ଦୁର୍ଗର ୧୦୯ ଏକର ପରିସୀମା ମଧ୍ୟରେ ଏବଂ ଆଖପାଖରେ ୭୫ରୁ ଅଧିକ କୂଅ ଅଛି । “କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବ୍ୟବହାର ହେଉନାହିଁ । କେବଳ ୫-୬ଟି କୂଅ ବ୍ୟବହୃତ ହେଉଛି ।” ଦୁର୍ଗର ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ସଂରକ୍ଷଣ ସହାୟକ କୈଳାସ ସିନ୍ଧେ ଏହା କହିଥିଲେ ।

PHOTO • Samyukta Shastri

ଶିଳ୍ପା ଆଲିବାଗ୍ (ବାମ) ଏବଂ ଜୋସେଫିନ୍ ମସ୍ତାନ (ଡାହାଣ) ବସାଇ ଦୁର୍ଗର ବାଲେକିଲ୍ଲା ଅଞ୍ଚଳର ଏକ କୂଅ ଭିତରେ ଲୁଗା ସଫା କରୁଛନ୍ତି । ସେମାନେ ବହୁପରିମାଣରେ କପଡ଼ା , ଡିଟରଜେଣ୍ଟ ଏବଂ ଉପରେ କଟାଯାଇ କୂଅରୁ ପାଣି ଉଠାଇବା ପାଇଁ ଦଉଡ଼ି ବନ୍ଧାଯାଇଥିବା ପ୍ଲାଷ୍ଟିକ୍ କେନ୍ ନେଇ ଆସିଛନ୍ତି । ଶିଳ୍ପା ହସିହସି କୁହନ୍ତି , “ସବୁ କାମ ସରିବା ପରେ ଆମେ ପ୍ରତିଦିନ ଏଠାକୁ ଆସୁ… ö ହଁ ପ୍ରତିଦିନ । ଆମର କୌଣସି ଛୁଟିଦିନ ନାହିଁ ।”

PHOTO • Samyukta Shastri

ନିକଟରେ ଥିବା ଆଉ ଏକ କୂଅରେ ମହିଳା ଓ କମ୍ ବୟସର ମହିଳାମାନେ କୂଅରୁ ପାଣି ଉଠାଇବା ପାଇଁ ଉନ୍ନତମାନର ପ୍ଲାଷ୍ଟିକ୍ କେନ୍ ବ୍ୟବହାର କରୁଛନ୍ତି ଏବଂ ଏହାପରେ ସେମାନେ ଏହାକୁ ଷ୍ଟେନଲେସ୍ ଷ୍ଟିଲ୍ କିମ୍ବା ତମ୍ବା କଳସୀରେ ଢାଳୁଛନ୍ତି । ଷୋଡ଼ଶ ଶତାବ୍ଦୀର ଏହି ଦୁର୍ଗ ନିର୍ମାଣ ସମୟରେ ଖୋଳାଯାଇଥିବା କୂଅଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ।

PHOTO • Samyukta Shastri

ନିଜ ମାଛ ଝୁଡ଼ି ସହ କୂଅ ନିକଟରେ ଥିବା ଏକ ବସ୍ ରହଣୀସ୍ଥଳରେ ବସିଥିବା ରେଗିନା ଜୁଙ୍ଗଲି କହିଥିଲେ , “ଏହି କୂଅ ୪୦୦ ବର୍ଷ ପୁରୁଣା । ଯେତେବେଳେ ଆବଶ୍ୟକ ହୁଏ , ଏହାକୁ ମରାମତି କରିବା ପାଇଁ ଆମେ ଚାନ୍ଦା କରି ଅର୍ଥ ସଂଗ୍ରହ କରୁ ।” ନିଲମ୍ ବନଭତ୍ କହିଥିଲେ , “ଗାଁର କେତେକ ସ୍ଥାନରେ ପାଣିକଳ ଅଛି । କିନ୍ତୁ ସେଗୁଡ଼ିକର ଉପଯୋଗିତା ଖୁବ୍ କମ୍ । ସେହି ପାଣି (ନଗରନିଗମ) ଦିନେ ଛଡ଼ା ଦିନେ  ପ୍ରାୟ ଦେଢ଼ଘଣ୍ଟା ପାଇଁ ଆସେ ଏବଂ ସେମାନେ ଗାଁରେ ଟାଙ୍କି ଭର୍ତ୍ତି ହେଲା ନା ନାହିଁ , ତାହା ମଧ୍ୟ ଯାଞ୍ଚ କରିବାକୁ ତତ୍ପର ହୁଅନ୍ତି ନାହିଁ ।”

PHOTO • Samyukta Shastri

ତା’ହେଲେ ପରିବାରର ଦୈନିକ ଜଳ ଆବଶ୍ୟକତା ପୂରଣ ପାଇଁ କେଇଘଣ୍ଟା ସମୟ ନିଶ୍ଚୟ ଯାଉଥିବ । କେତେକ ମହିଳା ରାତିର ଅନ୍ଧାରରେ କୂଅ ପାଖରେ ଜମା ହୁଅନ୍ତି , ସେମାନଙ୍କ ଭାଗର ପାଣିପାଇଁ ଏବଂ ଏହାପରେ ଓଜନିଆ ହାଣ୍ଡି ମୁଣ୍ଡରେ ଥୋଇ ଘରକୁ ଚାଲିଚାଲି ଫେରନ୍ତି । ଏସବୁ ହାଣ୍ଡି ଏବଂ ପାତ୍ରଗୁଡ଼ିକର ଆକାର ଭିନ୍ନ ଭିନ୍ନ , ଏଗୁଡ଼ିକ ୫-୧୫ ଲିଟର ପର୍ଯ୍ୟନ୍ତ ପାଣି ଧରିପାରେ ; ବଡ଼ ଜେରିକେନ୍ ଗୁଡ଼ିକରେ ୫୦ଲିଟର ପର୍ଯ୍ୟନ୍ତ ପାଣି ଧରେ ।

PHOTO • Samyukta Shastri

ସୁନିତା ମୋଜେସ୍ ଇତୁର (ବାମ) କୁହନ୍ତି , “ଆମେ ସକାଳ ୨ଟାରୁ ଉଠିପଡ଼ୁ ଏବଂ ପାଣି ଭର୍ତ୍ତି କରୁ । ସେତେବେଳେ ଖୁବ୍ କମ୍ ଲୋକ ଥାଆନ୍ତି । ଆମେ କ’ଣ କରିପାରିବୁ ? ଆମକୁ ପାଣି ଦରକାର । ତୁମେ ପାଣି ପାଇବ , ମୁଁ ପାଇବିନି । କେହି ପାଇବେ ; କେହି ପାଇବେନି । ନଗର ନିଗମ ଜଳ ଖୁବ୍ ଅନିଶ୍ଚିତ । ଆମର ଅନେକ ବର୍ଷ ହେବ ସଂଯୋଗ ଅଛି , କିନ୍ତୁ ଏପର୍ଯ୍ୟନ୍ତ ପାଣି ନାହିଁ । ”

ଦୁଇ ଯାଆ ଅବିତା ଏବଂ ପ୍ରୀସିଲା ପାକ୍ୟ ଖୁବ୍ ଭାଗ୍ୟବାନ । କାରଣ ସେମାନଙ୍କ ଘରେ ପାଣି ଆସୁଥିବା କଳ ଅଛି । ପ୍ରୀତିଲା କୁହନ୍ତି , “ଆମକୁ କେବଳ ପିଇବା ପାଇଁ କୂଅ ପାଣି ଦରକାର । ଆମେ ମ୍ୟୁନିସପାଲିଟି ପାଣି ପିଉନି । ” କିନ୍ତୁ ସେତିକି ପାଣି ସଂଗ୍ରହ କରିବାକୁ କୂଅ ପାଖରେ ଖୁବ୍ କଷ୍ଟ କରିବାକୁ ପଡ଼େ । ସେ କୁହନ୍ତି , “ପାଣି ଖୁବ୍ କମ୍ । ଦୁଇଟି ହାଣ୍ଡି ପୂର୍ଣ୍ଣ କରିବାକୁ ଘଣ୍ଟାଏ ସମୟ ଲାଗେ ।” ସେ ନିଜ ହାତରେ ହାଣ୍ଡିର ଆକାର ଦେଖାଇଲେ ।

ଯେ ହେତୁ ଦିନସାରା କୂଅରୁ ପାଣି କଢ଼ା ହେଉଥାଏ , ତେଣୁ ପାଣି ଝରି ଜମା ହେବାକୁ ସମୟ ନଥାଏ । ଅଧିକାଂଶ ସମୟରେ ଯେଉଁ ତଳତଳିଆ ପାଣି କଢ଼ାହୁଏ , ତାହା ଗୋଳିଆ ଓ ସେଥିରେ ଛୋଟ ଛୋଟ ଗୋଡ଼ି ଥାଏ । ଝିଅମାନେ ଏହି ପାଣିକୁ ଛାଣି ହାଣ୍ଡିରେ ଭର୍ତ୍ତି କରନ୍ତି ଏବଂ ଘରକୁ ନିଅନ୍ତି (ଡାହାଣ) ।

PHOTO • Samyukta Shastri

ନିକଟରେ ଆଉ ଏକ କୂଅ ପାଖରେ କିଛି ମହିଳା ଲୁଗା ଧୋଉଥିଲେ । ଚଳିତବର୍ଷର ଭୀଷଣ ଖରାରେ କୂଅ ଖୁବ୍ ଶୀଘ୍ର ଶୁଖିଗଲା । କମ୍ ବୟସର ଝିଅମାନେ ସେମାନଙ୍କ ମା’ମାନଙ୍କୁ କେବଳ ପାଣି ସଂଗ୍ରହ କରିବାରେ ନୁହେଁ , ଅନ୍ୟ ଘର କାମରେ ମଧ୍ୟ ସାହାଯ୍ୟ କରନ୍ତି । ନିଜ ଝିଅ ନେରିସା ବିଷୟରେ ଖୁବ୍ ଗର୍ବର ସହ ପ୍ରିୟା ଘ୍ୟା କୁହନ୍ତି , “ଅଢ଼େଇ ବର୍ଷ ହେବା ବେଳଠୁ ସେ କପଡ଼ା ଧୋଉଛି । ଦେଖନ୍ତୁ ସେ କିପରି ନିଜର ସବୁ ପୋଷାକ ଧୋଉଛି । ଜୁଲାଇ ମାସରେ ତାକୁ ୪ବର୍ଷ ହେବ । ”

PHOTO • Samyukta Shastri

ନେରିସା ଏଠାରେ କାମ କରୁଥିବା ଏକମାତ୍ର ଶିଶୁ ନୁହନ୍ତି । ପାଣିର ଆବଶ୍ୟକତା ଅଧିକାଂଶ ପରିବାରର ସର୍ବ କନିଷ୍ଠ ସଦସ୍ୟ- ପ୍ରାୟ ସମୟରେ ଝିଅମାନଙ୍କୁ ଏହି ନିତିଦିନିଆ ପରିଶ୍ରମ କରିବାକୁ ବାଧ୍ୟ କରିଥାଏ ।

PHOTO • Samyukta Shastri

ଚତୁର୍ଥ ଶ୍ରେଣୀର ଛାତ୍ରୀ ବନିଶା ଏବଂ ତା’ର ସାଙ୍ଗ ସାନିଆ କିଲ୍ଲାବନ୍ଦରର କୂଅକୁ ପ୍ରତିଦିନ ସକାଳେ ଆସନ୍ତି । ୧୧ବର୍ଷ ବୟସ୍କା ସାନିଆ ଭୀମୱାଘ୍ରି କୁହନ୍ତି , “ମୁଁ ସକାଳ ୭ଟା ବେଳେ ଉଠେ,’’ “୧୦-୧୦.୩୦ ପର୍ଯ୍ୟନ୍ତ ପାଣି ସଂଗ୍ରହ କରେ, ଏହାପରେ ଅପରାହ୍ନରେ ସ୍କୁଲ ଯାଏ। ” ସାନିଆ ନିଜ ପିତାମାତା , ବଡ଼ ଭଉଣୀ ଏବଂ ତିନି ସାନ ଭାଇଙ୍କ ସହ ରୁହେ । ତାଙ୍କ ବାପା-ମା’ କାମ କରିବାକୁ ଯାଆନ୍ତି , ମା’ ଲୁଗା ବିକନ୍ତି , ତାଙ୍କ ବାପା ମତ୍ସ୍ୟଜୀବୀ-ତାଙ୍କଠାରୁ ବର୍ଷେ ବଡ଼ ଭଉଣୀ ପରିବାର ପାଇଁ ରୋଷେଇ କରନ୍ତି ଏବଂ ସାନିଆ ପାଣି ସଂଗ୍ରହ କରନ୍ତି । କିଲ୍ଲାବନ୍ଦର୍ ଗାଁ ଭିତରେ ଥିବା ତାଙ୍କ ଘରଠାରୁ କୂଅ ପର୍ଯ୍ୟନ୍ତ ତାଙ୍କୁ ବାରମ୍ବାର ଯିବା ଆସିବା କରିବାକୁ ପଡ଼େ । ସେ ଥରକେ ମାତ୍ର ଦୁଇଟି ପାତ୍ର ନେଇପାରିବେ , ଏହି କାରଣରୁ ତାଙ୍କୁ ଅଧିକ ଥର ଯିବା ଆସିବା କରିବାକୁ ପଡ଼େ । ଫଟୋରେ ପ୍ରଦର୍ଶିତ ହାତ ଶଗଡ଼ିକୁ କିଛି ପରିବାର ଭଡ଼ାରେ ନିଅନ୍ତି ପାଣି ଆଣିବା ପାଇଁ ; ସାନିଆଙ୍କ ପରିବାର ସେ ମଧ୍ୟରୁ ଜଣେ ନୁହନ୍ତି ।

PHOTO • Samyukta Shastri


କେତେକ ପରିବାର ଦିନକର ଆବଶ୍ୟକତାଠାରୁ ଅଧିକ ପାଣି ଆଣନ୍ତି। ସେମାନେ ଏହାକୁ ବଡ଼ ନୀଳ ରଙ୍ଗର ଜେରି କ୍ୟାନ୍ରେ ସାଇତି ରଖନ୍ତି । ପ୍ରତି କ୍ୟାନ୍ରେ ଏହାର ମାଲିକ ପରିବାରର ସ୍ୱାକ୍ଷର ଥାଏ । ଅଟୋ ରିକ୍ସାରେ ନେବା ପର୍ଯ୍ୟନ୍ତ ସେଗୁଡ଼ିକ କୂଅ ପାଖରେ ରହିଥାଏ।

PHOTO • Samyukta Shastri

ବନିଶା ମୋତେ କହିଲେ , “ଏବେ ଆମକୁ ଭୋକ ଲାଗିଲାଣି । ତେଣୁ ଆମେ ଘରକୁ ଖାଇବାକୁ ଯାଉଛୁ ।  ପରେ ପୁଣି ଆସିବୁ ।” ସେ ତାଙ୍କ ଘରକୁ ଯାଇଥିବା ସରୁ ଗଳି ଦେଇ ତରବର ହୋଇ ଚାଲିଗଲା। ମୁଁ ସାନିଆ ସହ ତା’ ପଛେ ପଛେ ଗଲି । ସେ ଉପର ମହଲାରେ ରୁହେ। ଏବଂ ଏହି ପାହାଚ ଗୁଡ଼ିକ ପ୍ରାୟ ଦଉଡ଼ି ଦଉଡ଼ି ଚଢ଼ିଲା । ତା’ ମୁଣ୍ଡରେ ଥିବା ଓଜନିଆ ଷ୍ଟିଲ୍ ହାଣ୍ଡିରୁ ଟୋପାଏ ବି ପାଣି ଢାଳି ନଥିଲା

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Samyukta Shastri

Samyukta Shastri is the content coordinator at the People’s Archive of Rural India. She has a bachelor’s degree in Media Studies from the Symbiosis Centre for Media and Communication, Pune, and a master’s degree in English Literature from SNDT Women's University, Mumbai.

Other stories by Samyukta Shastri