ଦାଦରର ବ୍ୟସ୍ତବହୁଳ ରାସ୍ତାକଡ଼ରେ ପ୍ରତିଦିନ ସକାଳେ ଏକ ନାଲି ଗାଲିଚା ବିଛାଇଥାନ୍ତି ଶିବମ ସିଂ। ୪/୫ ଫୁଟ ଆକାରର ଏହି ଗାଲିଚା ଉପରେ ସେ ଅତି ସନ୍ତର୍ପଣରେ ପାଞ୍ଚଟି ପ୍ଲାଷ୍ଟିକ ଷ୍ଟୁଲ ରଖିଥାନ୍ତି। ଏହାପରେ ସେ ଷ୍ଟୁଲ ତଳେ ଦେବୀ ଲକ୍ଷ୍ମୀଙ୍କର ଏକ ଫଟୋ ଫ୍ରେମ ରଖିଥାନ୍ତି ଏବଂ ତା’ନିକଟରେ ଏକ ଧୂପ କାଠି ଜଳାଇଥାନ୍ତି।

ଏକ ଅଶ୍ୱତ୍ଥ ଗଛ ତଳେ ସେ ନିଜର ଦୋକାନ ଖୋଲିଛନ୍ତି, ସେହି ଗଛର ଶାଖାରେ ଝୁଲୁଥିବା ଏକ ବ୍ୟାନରରେ ଲେଖା ରହିଥାଏ ‘ଶିବମ ମେହେନ୍ଦି ଆର୍ଟିଷ୍ଟ’।  ଏହି ବ୍ୟାନର ସମେତ ସେ ଷ୍ଟୁଲ ଉପରେ କେତେକ ଫଟୋ ଆଲବମ ରଖିଥାନ୍ତି ଯେଉଁଥିରେ ମେହେନ୍ଦି ଲଗା ହାତ ଓ ପାଦର ଫଟୋ ରହିଥାଏ।  ଏହାପରେ ଶିବମ ନିଜର ପ୍ରଥମ ଗ୍ରାହକଙ୍କୁ କୌଣସି ଏକ ଡିଜାଇନ ଚୟନ କରିବା ଲାଗି କହିଥାନ୍ତି-ଫୁଲ, ଆଳଙ୍କାରିକ ଡିଜାଇନ, ପତ୍ର ସହିତ ଫୁଲର ଭିନ୍ନ ଭିନ୍ନ ଡିଜାଇନ କିମ୍ବା ବେଳେ ବେଳେ ଗ୍ରାହକଙ୍କ ହାତ ଅନୁଯାୟୀ ଡିଜାଇନର ମେହେନ୍ଦି ସେ ଆଙ୍କିଥାନ୍ତି। “କେହି ଜଣେ ଆସିବେ….” ସେ କୁହନ୍ତି, ସେଦିନ ଗ୍ରାହକ ଆସିବା ନେଇ ତାଙ୍କ ମନରେ ଆଶା ରହିଥାଏ।

ଏଠାରୁ ୨୦୦ ମିଟର ଦୂରରେ, ରାଣାଡେ ରୋଡଠାରେ ଶିବା ନାୟକ ମଧ୍ୟ ଏକ ଦୋକାନ ଖୋଲିଛନ୍ତି, ଏହି ସ୍ଥାନ କେନ୍ଦ୍ରୀୟ ମୁମ୍ବାଇ ଉପନଗର ରେଳ ଷ୍ଟେସନଠାରୁ ଅଳ୍ପ ଦୂରରେ ରହିଛି। ପ୍ଲାଷ୍ଟିକ କାହାଳୀ ଭିତରେ ହିନା ପେଷ୍ଟ ଭର୍ତ୍ତି କରି ତାଙ୍କର ଦିନ ଆରମ୍ଭ ହୋଇଥାଏ। ଏହି ଦୁଇ କଳାକାର ଯେଉଁ ଫୁଟପାଥ ଉପରେ ସେମାନଙ୍କର ଦୋକାନ କରିଛନ୍ତି, ତାହା ଦିନ ସାରା ଖୁବ ଜନଗହଳିପୂର୍ଣ୍ଣ ରହିଥାଏ। ଅନ୍ୟ ପ୍ରବାସୀମାନେ ମଧ୍ୟ ଏଠାରେ ବିଭିନ୍ନ ସାମଗ୍ରୀ ଓ ସେବାର କାରବାର କରିଥାନ୍ତି-ସୋଲାପୁରର ଫୁଲ ଦୋକାନୀ, ଅଳଙ୍କାର ମରାମତି କରୁଥିବା ଲକ୍ଷ୍ନୌର ଜଣେ ବ୍ୟକ୍ତି, କୋଲକାତାର ଜୋତା ବିକ୍ରେତା ଏବଂ ଆଇସକ୍ରିମ ବିକ୍ରି କରୁଥିବା ରାଜସ୍ଥାନର ଜଣେ ବ୍ୟକ୍ତି।

PHOTO • Samyukta Shastri

କେନ୍ଦ୍ରୀୟ ମୁମ୍ବାଇର ନିଜ ମେହେନ୍ଦି ଉଠାଦୋକାନରେ ଗ୍ରାହକଙ୍କ ଅପେକ୍ଷାରେ ଥିବା ଶିବା ନାୟକ

ଶିବା ଓ ଶିବମ ସେମାନଙ୍କର ଉଠାଦୋକାନରେ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ବସିଥାନ୍ତି, ପାଖାପାଖି ଥିବା ଅନ୍ୟ ମେହେନ୍ଦିବାଲାମାନେ ମଧ୍ୟ ଏପରି କରିଥାନ୍ତି-ଏ ଅଞ୍ଚଳରେ ଅତିକମରେ ୩୦ ଜଣ ମେହେନ୍ଦିବାଲା ରହିଛନ୍ତି, ଶିବା କୁହନ୍ତି, ସମସ୍ତେ ପୁରୁଷ। “ଝିଅଙ୍କ ଅପେକ୍ଷା ପୁଅମାନେ ଖୁବ ଶୀଘ୍ର ମେହେନ୍ଦି ଆଙ୍କିଥାନ୍ତି। ଝିଅମାନଙ୍କର (ବ୍ୟୁଟି) ପାର୍ଲର (ହିନା ଲଗାଇବାକୁ) ଅଛି।  ପୁଅମାନେ ଏହି ବ୍ୟବସାୟ ପ୍ରତିଷ୍ଠା କରିଛନ୍ତି। ଝିଅମାନେ ଫୁଟପାଥରେ ବସିପାରିବେ ନାହିଁ…” ଶିବମ କୁହନ୍ତି।

ସହରର ବିଭିନ୍ନ ଷ୍ଟେସନଗୁଡ଼ିକ ନିକଟରେ ବସୁଥିବା ଅନ୍ୟ ମେହେନ୍ଦିବାଲା ବା ହିନା କଳାକାରଙ୍କ ଭଳି, ଶିବା ଓ ଶିବମ ମଧ୍ୟ ପ୍ରବାସୀ; ଉଭୟଙ୍କ ଘର ଉତ୍ତର ପ୍ରଦେଶରେ। ଆଲିଗଡ଼ ଜିଲ୍ଲାର ଗାଭାନା ତହସିଲ ଅନ୍ତର୍ଗତ ଜାମା ଗ୍ରାମରୁ ୬ ବର୍ଷ ପୂର୍ବେ ମୁମ୍ବାଇ ଆସିଥିଲେ ୧୯ ବର୍ଷୀୟ ଶିବମ। “ମୋତେ ଆଠ କିମ୍ବା ନଅ ବର୍ଷ ହୋଇଥିବା ସମୟରେ ମୁଁ ମୋ ଗାଁ ଛାଡ଼ିଥିଲି”, ସେ କୁହନ୍ତି। “ମୋ ଘରେ କେହି ରୋଜଗାରିଆ ନଥିଲେ-ମୋର ବଡ଼ ଦୁଇ ଭାଇ ବାହା ହେବା ପରେ ଅଲଗା ରହିଥିଲେ। ”

କିନ୍ତୁ ମୁମ୍ବାଇ ଆସିବା ପୂର୍ବରୁ, ଶିବମ ଦିଲ୍ଲୀରେ ଥିବା ନିଜ ମାମୁଁ ଘରକୁ ଯାଇଥିଲେ, ମେହେନ୍ଦି ଡିଜାଇନ ଶିଖିବା ଲାଗି ତାଙ୍କ ମନରେ ଆଗ୍ରହ ଥିଲା। “ପାଖାପାଖି ୨-୩ ମାସ ପର୍ଯ୍ୟନ୍ତ, ଦିନ ସାରା, ମୁଁ କାଡବୋର୍ଡରେ ଅଭ୍ୟାସ କରିଥିଲି। ମୋର ଯଥେଷ୍ଟ ଆତ୍ମବିଶ୍ୱାସ ଆସିବା ପରେ ସେମାନେ ମୋତେ ଗ୍ରାହକଙ୍କ ହାତରେ ଆଙ୍କିବା ଲାଗି ଅନୁମତି ଦେଇଥିଲେ।” ଛୋଟ ରେସ୍ତୋରାଁ କିମ୍ବା ଟ୍ରାକ୍ଟର ଓ କାର ଚଳାଇ ରୋଜଗାର କରିବା ପରେ, ଶିବମ ମୁମ୍ବାଇରେ ପହଞ୍ଚିଥିଲେ।

୨୦ବର୍ଷ ପାର କରିସାରିଥିବା ଶିବା, ଫିରୋଜାବାଦ ଜିଲ୍ଲାର ତୁଣ୍ଡଲା ତହସିଲରୁ ୧୦ ବର୍ଷ ପୂର୍ବେ ମୁମ୍ବାଇକୁ ଆସିଥିଲେ। ମେହେନ୍ଦି ବ୍ୟବସାୟକୁ ଆସିବା ତାଙ୍କ ପାଇଁ ସ୍ୱାଭାବିକ ଥିଲା। “ତାଙ୍କ ଗାଁ ସାରା ଲୋକ ଏହି କାମ କରିଥାନ୍ତି”, ସେ କୁହନ୍ତି। “ମୁଁ ଏହାକୁ ମୋ ଭାଇଙ୍କଠାରୁ ଶିଖିଥିଲି; ସେ ଆମ ଭିଣୋଇଙ୍କଠାରୁ ଶିଖିଥିଲେ। ଏହା ଆମ ପରିବାରର ପାରମ୍ପରିକ ବେଉସା। ସମସ୍ତେ ଏହାକୁ କରିଥାନ୍ତି।”

ଶିବାଙ୍କ ସମ୍ପର୍କୀୟ କୁଲଦୀପ ନାୟକଙ୍କର ମୁମ୍ବାଇରେ ଏକ ମେହେନ୍ଦି ଷ୍ଟଲ ରହିଛି, ସେ କୁହନ୍ତି, “ଅନ୍ୟ ପିଲାମାନେ ପାଠ ପଢ଼ିବା ଲାଗି ସ୍କୁଲକୁ ଯିବା ଭଳି, ଆମ ଗାଁର ପିଲାମାନେ ଏହାକୁ ଶିଖିଥାନ୍ତି। ଗ୍ରାହକ ଯେପରି ଚାହିଁବେ ଆମେ ସେମିତି ଆଙ୍କି ଦେଇପାରିବୁ।” ଏହାପରେ ସେ ଖୁବ ବିଶ୍ୱାସର ସହ କହିଥାନ୍ତି, “ଯେକୌଣସି ଷ୍ଟାଇଲ-ଆରବିକ, ବମ୍ବେ ଷ୍ଟାଇଲ, ମାରୱାଡି, ଇଣ୍ଡୋ-ଆରବିକ, ଇଣ୍ଡୋ- ୱେଷ୍ଟର୍ଣ୍ଣ, ଦୁବାଇ… ଯାହାକିଛି।”

ମେହେନ୍ଦି କଳାକାର ଭାବେ ମୁମ୍ବାଇକୁ ଆସିବା ଲାଭଜନକ ହୋଇଥାଏ। “ପୂର୍ବରୁ କେଉଁଠି ଟଙ୍କା ଥିଲା?” ଶିବମ ପଚାରନ୍ତି। “ଆମେ ଯେତେବେଳେ ବାହାରକୁ ଆସିଲୁ (ପ୍ରବାସ କଲୁ) ତା’ପରେ ଆମେ ଟଙ୍କା ଦେଖିପାରିଲୁ। ଗାଁରେ ସାଧାରଣ ଶ୍ରମ କରି ଦିନକୁ ୨୦୦-୩୦୦ ଟଙ୍କା ମିଳୁଥିଲା। ଦିଲ୍ଲୀରେ, ମୁଁ ଡ୍ରାଇଭର ଭାବେ ୭୦୦୦-୯୦୦୦ ଟଙ୍କା ରୋଜଗାର କରୁଥିଲି। ଏବେ ମୁଁ ମାସକୁ ୩୦ରୁ ୫୦,୦୦୦ ଟଙ୍କା ମଧ୍ୟରେ ଆୟ କରିଥାଏ।”

PHOTO • Samyukta Shastri

ଶିବମ ସିଂ (ଡାହାଣ)ଙ୍କ ଷ୍ଟଲରେ ପ୍ଲାଷ୍ଟିକ ଷ୍ଟୁଲ ଉପରେ ମେହେନ୍ଦି ଡିଜାଇନ ରହିଛି, ଏବଂ ଏହାର ତଳେ ଦେବୀ ଲକ୍ଷ୍ମୀଙ୍କର ଏକ ଫଟୋ ରହିଛି।

ବାହାଘର କାର୍ଯ୍ୟକ୍ରମରେ ମେହେନ୍ଦି ଡିଜାଇନ କରି ଶିବମ ନିଜର ଅଧିକାଂଶ ରୋଜଗାର କରିଥାନ୍ତି। “ଏଠି (ରାସ୍ତାକଡ଼ରେ) ଆମେ ଦିନକୁ ୮୦୦-୨୦୦୦ ଟଙ୍କା ରୋଜଗାର କରିଥାଉ-ଆମ ପାଖକୁ ଦିନକୁ ୫ରୁ ୧୦ ଜଣ ଗ୍ରାହକ ଆସିଥାନ୍ତି। ଯଦି ପାଞ୍ଚ ଜଣ ଆସନ୍ତି (ଆମେ ଅତି କମ୍‌ରେ ରୋଜଗାର କରିଥାଉ) ୧୦୦୦-୧୫୦୦। ଯଦି ଲୋକମାନେ ଆମକୁ ଘରକୁ (ମେହେନ୍ଦି ଲଗାଇବା ପାଇଁ) ଡାକନ୍ତି, ଅତିକମରେ ୧୦୦୦ ଟଙ୍କା ମିଳିଥାଏ।”

ଶିବମଙ୍କ କକା ଜୟପୁରର ମନୋଜ ତାଙ୍କ ପାଖକୁ ଅନେକ ସମୟରେ ଆସିଥାନ୍ତି, ତାଙ୍କର ମଧ୍ୟ ଦାଦର ଇଷ୍ଟରେ ଏକ ମେହେନ୍ଦି ଷ୍ଟଲ ରହିଛି, ସେ କୁହନ୍ତି, “ପ୍ରତି ଗ୍ରାହକ ଆମକୁ ହାତ ପିଛା ୫୦୦ ଟଙ୍କା ଦେଇଥାନ୍ତି। ଦର ୧୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। କିନ୍ତୁ ସେତିକିରେ କେହି କରିନଥାନ୍ତି। ସମସ୍ତେ ୩୦୦ କିମ୍ବା ୪୦୦ ଟଙ୍କାରେ କରିଥାନ୍ତି। କନ୍ୟା ହାତରେ ମେହେନ୍ଦି ଲଗାଇବାର ଦର ୫୦୦୦ ଟଙ୍କାରୁ ଆରମ୍ଭ ହୋଇଥାଏ।”

ଖାଲି ଟଙ୍କା ପାଇଁ ହିନା କଳାକାରମାନେ ଏହି ପେସାକୁ ଆସିନାହାନ୍ତି। ଶିବମ କୁହନ୍ତି, ସେ ସ୍ୱାଧୀନତାକୁ ଭଲ ପାଆନ୍ତି, କାହାକୁ ଉତ୍ତର ଦେବା ତାଙ୍କୁ ଭଲ ଲାଗେ ନାହିଁ। ମନୋଜ  କୁହନ୍ତି, ନିଜ ଇଚ୍ଛା ଅନୁଯାୟୀ ବୁଲିବାକୁ ତାଙ୍କୁ ଭଲ ଲାଗିଥାଏ। ଦୋକାନରେ ସେ ଖୁବ କମ ସମୟ ବସିଥାନ୍ତି ଏବଂ ସବୁବେଳେ ସାଙ୍ଗମାନଙ୍କୁ ଭେଟିଥାନ୍ତି। “ମୁଁ ୪ରୁ ୫ ବର୍ଷ ହେବ ମୁମ୍ବାଇରେ ଅଛି,” ସେ କୁହନ୍ତି। “ଏହା ପୂର୍ବରୁ ମୋର ତାମିଲନାଡ଼ୁରେ ଏକ ଦୋକାନ ଥିଲା। ଆମେ ତାମିଲନାଡ଼ୁ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟ ବୁଲୁଥାଉ-ମୁଁ ସାରା ଦେଶ ବୁଲି ସାରିଛି। ନିଜ ଇଚ୍ଛା ଅନୁଯାୟୀ, ମନ ଖୁସିରେ ବୁଲିଥାଏ। ଆଜି ମୋତେ ବେଳାଭୂମି ବୁଲିବାର ଇଚ୍ଛା ହେଲା, ତେଣୁ ମୁଁ ବୁଲିବି…”

ଉଭୟ ଶିବମ ଏବଂ ମନୋଜ ସହାୟକମାନଙ୍କୁ ନିଯୁକ୍ତି ଦେଇଛନ୍ତି। “ସେମାନେ ଦେଖିଥାନ୍ତି ଯେ ଗାଁର ଅନ୍ୟ ଲୋକମାନେ ଏହି କାରବାର କରି ଟଙ୍କା ରୋଜଗାର କରିବାକୁ ଏଠାକୁ ଆସୁଛନ୍ତି ଏବଂ ସେମାନଙ୍କୁ ମଧ୍ୟ ଆମେ ପାଖରେ ରଖିଥାଉ”, ଶିବମ କୁହନ୍ତି। ମନୋଜ ମଧ୍ୟ ତାଙ୍କ ଦୋକାନ ସହାୟକଙ୍କୁ ଦେଇଥାନ୍ତି ଏବଂ କେବଳ ଅଧିକ ଗ୍ରାହକ ଆସିଲେ କିମ୍ବା ଅନ୍ୟ କୌଣସି ଘରୋଇ ଅର୍ଡର ଥିଲେ ସେ ଯାଇଥାନ୍ତି।

ଏହି ସ୍ୱାଧୀନତା ମଧ୍ୟ ଶିବମଙ୍କୁ ଜାମା ଗ୍ରାମରେ ଥିବା ତାଙ୍କ ଘରକୁ ଅଧିକାଂଶ ସମୟରେ ବୁଲିବାକୁ ଯିବା ଏବଂ ତାଙ୍କ ପରିବାର ମାଲିକାନାରେ ଥିବା ୨୦ ବିଘା (ପାଖାପାଖି ଚାରି ଏକର) ଜମି ଚାଷ କରିବା ଲାଗି ସୁଯୋଗ ଦେଇଥାଏ। ସେ ନିଜ ଦୋକାନରେ ରଖିଥିବା ପିଲାକୁ ମାସିକ ୫୦୦୦-୭୦୦୦ ଟଙ୍କା ଦେଇଥାନ୍ତି, ସେ କୁହନ୍ତି, ଆହୁରି କିଛି ଟଙ୍କା ସେ ସବୁ ମାସରେ ଜଣେ ସ୍ଥାନୀୟ ବାହୁବଳୀକୁ ସୁରକ୍ଷା ପାଇଁ ଦେଇଥାନ୍ତି। ଆଉ କିଛି ଟଙ୍କା ସେ ଭଡ଼ା ବାବଦରେ ଦେଇଥାନ୍ତି- ଶିବମ ଉତ୍ତର-ପୂର୍ବ ମୁମ୍ବାଇର ଘାଟକୋପରରେ ମନୋଜ ଓ ଅନ୍ୟମାନଙ୍କ ସହିତ ମିଳିତ ଭାବେ ରହିଥାନ୍ତି।

ରୋଜଗାରରୁ ଯାହା ବଳିଥାଏ, ଶିବମ ଘରକୁ ପଠାଇଥାନ୍ତି। “ଏଠି (ମୁମ୍ବାଇରେ) ଟଙ୍କା କ’ଣ ହେବ ? ସବୁପରେ, ଆମେ ଘର ପାଇଁ ତ’ ଏସବୁ କରୁଛୁ,” ସେ କୁହନ୍ତି। ଶିବା ଆହୁରି କୁହନ୍ତି, “ଆମେ କାହିଁକି ଏହି ଟଙ୍କା ରୋଜଗାର କରୁଛୁ… ଏଠିକା ପାଇଁ ନା ଘର ପାଇଁ?”

PHOTO • Samyukta Shastri

ଅଶ୍ୱତ୍ଥ ଗଛ ତଳେ ଶିବମ ବସିଛନ୍ତି : ‘କେହି ଜଣେ ଆସିବେ…’ ସେ କୁହନ୍ତି, ଗ୍ରାହକ ଆସିବା ନେଇ ଆଶାବାଦୀ ଅଛନ୍ତି

ଜାମାରେ ଥିବା ଘରେ, ଶିବମଙ୍କ ମା’ ଏବଂ ତାଙ୍କର ୧୫ବର୍ଷୀୟା ଭଉଣୀ ଅଞ୍ଜୁ ତାଙ୍କ ଉପରେ ନିର୍ଭର କରିଥାନ୍ତି। ଅଞ୍ଜୁ ଦଶମ ପାସ କରିଛନ୍ତି ଏବଂ ଘରେ ତାଙ୍କ ମା’ଙ୍କୁ ସାହାଯ୍ୟ କରିଥାନ୍ତି। ସେ ବାହା ହେଲେ ମେହେନ୍ଦି କିଏ କରିବ ବୋଲି ପଚାରିବାରୁ ଭାଇ ହେବାକୁ ନେଇ ଗର୍ବର ସହିତ ଶିବମ କୁହନ୍ତି ଯେ ସେ ହିଁ କରିବେ। “କିମ୍ବା ମୋ ଭାଇ କରିବେ। ଆଉ କିଏ କରିବ?” ମନୋଜ କିନ୍ତୁ ଭିନ୍ନ ଅନୁଭବ କରିଥାନ୍ତି : “ମୁଁ ଘରେ (ଜୟପୁରରେ) ଥିବା ସମୟରେ ମେହେନ୍ଦି କରିବାକୁ ଭଲ ପାଏ ନାହିଁ। କିନ୍ତୁ ବେଳେବେଳେ କେହି ଅନୁରୋଧ କଲେ, ମୁଁ କରିଥାଏ।”

ଇତିମଧ୍ୟରେ ଜଣେ କେହି ଗ୍ରାହକ, ଶିବାଙ୍କ ଦୋକାନ ନିକଟକୁ ଆସି ଅଟକିଲେ। ସେ ଚାହୁଁଥିଲେ ତାଙ୍କ ଭାଣିଜୀଙ୍କ ବାହାଘରରେ ଶିବମ ଆସି ମେହେନ୍ଦି କରନ୍ତୁ। “ଆପଣ ଆମକୁ ମୁମ୍ବାଇର ଯେକୌଣସି ସ୍ଥାନକୁ ମେହେନ୍ଦି କରିବା ଲାଗି ଡାକିପାରିବେ। ମୁମ୍ବାଇ ବାହାରକୁ ହେଲେ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ”, ସେ କୁହନ୍ତି। “ଆମେ ସବୁଆଡ଼େ ଯାଇଥାଉ।

ସମ୍ୟୁକ୍ତା ଶାସ୍ତ୍ରୀ ହେଉଛନ୍ତି ପିପୁଲ୍ସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆରେ ଜଣେ ବିଷୟବସ୍ତୁ ସଂଯୋଜକ। ପୁଣେସ୍ଥିତ ସିମ୍ବାୟୋସିସ ସେଣ୍ଟର ଫର ମିଡିଆ ଆଣ୍ଡ କମ୍ୟୁନିକେସନରୁ ସେ ମିଡିଆ ଷ୍ଟଡିଜରେ ସ୍ନାତକ ଏବଂ ମୁମ୍ବାଇର ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀ ସାହିତ୍ୟରେ ସ୍ନାତୋକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Samyukta Shastri

Samyukta Shastri is the content coordinator at the People’s Archive of Rural India. She has a bachelor’s degree in Media Studies from the Symbiosis Centre for Media and Communication, Pune, and a master’s degree in English Literature from SNDT Women's University, Mumbai.

Other stories by Samyukta Shastri
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE