ଉତ୍ତର ମୁମ୍ବାଇ ବାସାଇର ଏକ ଶତାୟୁ ଦୁର୍ଗ। ପଥରରେ ନିହାଣ ମାରୁଥିଲେ ତୁକାରାମ ପାଓ୍ୱାର। କହିଲେ, “ସୂର୍ଯ୍ୟ ଚନ୍ଦ୍ର ଝଟକୁ ଥିବା ପର୍ଯ୍ୟନ୍ତ ଏହି କାମ ଚାଲିବ। ଅନେକ ଚାଲିଯିବେ, ଅନେକ ରହିବେ, ତାର କିଛି ଗଣନା ନାହିଁ। ତୁମେ ଯାହା କରୁଛ ତାର ହିସାବ କରନା। କେବଳ କାମ କରିଚାଲ।”

ପାଲଘର ଜିଲ୍ଲାରେ ଥିବା ଏହି ବସାଇ ଦୁର୍ଗ ଷେଡ଼ଷ ଶତାବ୍ଦୀର। ଏହାର ପୁନରୁଦ୍ଧାର କାର୍ଯ୍ୟରେ ଲାଗିଥିଲେ ଅନେକ ପଥର କଟାଳି ମଧ୍ୟରେ ପାଓ୍ୱାର ଜଣେ। ଭୂମି ଉପରେ ଚକାସନରେ ବସିଥିଲେ ପାଓ୍ୱାର। ତାଙ୍କ ଚାରିପାଖରେ ଥିଲା ବଡବଡ ପଥରଖଣ୍ଡ। ନିହାଣ ଏବଂ ହାତୁଡି ଧରି ସେ ପଥରର ଆକୃତି ବଦଳାଉଥିଲେ।

PHOTO • Samyukta Shastri

ତୁକାରାମ ପାଓ୍ୱାର ବାସାଇ ଦୁର୍ଗର ଜଣେ ପଥର କଟାଳି : ତୁମେ ଯାହା କରୁଛ , ତାର ହିସାବ କରନା କେବଳ କାମ କରିଚାଲ

ସେ ଏବଂ ଅନ୍ୟ ଶ୍ରମିକମାନେ ବାଲେ କିଲ୍ଲାର ଏହି ପ୍ରାଚୀରକୁ ମଜଭୁତ କରୁଥିଲେ। ହୁଗୁଳି ଯାଇଥିବା ପଥର ଖଣ୍ଡଗୁଡିକୁ ଡ୍ରେସିଂ କରି ସେଥିରେ ଚୂନ ମିଶ୍ରିତ ଏକ ଆସ୍ତରଣ ଦେଇ ଏହାର ପୁନଃ ନିର୍ମାଣ କରୁଥିଲେ। ଦୁର୍ଗର ଏହି ଅଂଶକୁ ନିର୍ମାଣ କରିଥିଲେ ଗୁଜରାଟର ସୁଲତାନ ବାହାଦୂର ଶାହ। (ପରବର୍ତ୍ତି ସମୟରେ ପର୍ତ୍ତୁଗିଜମାନଙ୍କ ଦ୍ୱାରା ଏହାକୁ ଏକ ଗୀର୍ଜାରେ ରୂପାନ୍ତରିତ କରାଯାଇଥିଲା)

୧୦୯ ଏକରବିଶିଷ୍ଟ ବାସାଇ ଦୁର୍ଗରେ ଚାଲିଥିବା ଏହି କାର୍ଯ୍ୟ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଏଏସଆଇ)ର ପୁନରୁଦ୍ଧାର ପ୍ରକଳ୍ପର ଏକ ଅଂଶ ବିଶେଷ। ୨୦୧୨ ମସିହାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ କାମ କରୁଥିବା ପ୍ରାୟ ୧୫ ଜଣ ଶ୍ରମିକ ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ବିଭିନ୍ନ ଗାଁରୁ ଆସିଛନ୍ତି।

PHOTO • Samyukta Shastri

ପଥରକୁ ଭାଙ୍ଗିବା , ଆକୃତି ବଦଳାଇବା , ଡ୍ରେସିଂ କରିବା : ଦୁର୍ଗର ପ୍ରାଚୀର ନିକଟ ଖୋଲା ପ୍ରାଙ୍ଗଣରେ ଚାଲିଥିବା କାର୍ଯ୍ୟ

ମରୁଡି ଏମାନଙ୍କୁ ବାସାଇ ପଠାଇଥଲା।

୫୦ ବର୍ଷୀୟ ପାଓ୍ୱାର କହିଲେ, “ଅସ୍ୱାଭାବିକ ବର୍ଷା ଏବଂ ବିନା ଜଳସେଚନରେ କି ଚାଷ କରିବେ?” ଜାମଖେଦ ଗାଁରେ ପାଓ୍ୱାରଙ୍କ ଦୁଇ ଏକ ଜମି ଅଛି। ତାଙ୍କ ସ୍ତ୍ରୀ ଏବଂ ପୁଅ ବର୍ଷରେ ୬ ମାସ ଚାଷ କାମ ଦେଖନ୍ତି। ଏହି ସମୟରେ ସେ ପୁନରୁଦ୍ଧାର ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ସାମିଲ ହୋଇଥାନ୍ତି।

ଯେଉଁ ବର୍ଷ ଭଲ ବର୍ଷା ହୁଏ, ସେ ବର୍ଷ ମଧ୍ୟ ଅହମ୍ମଦନଗର ଜିଲ୍ଲାରେ ଜଳ ସଂକଟ ଦେଖାଦିଏ। ଏଠାରେ ସବୁ ପାଣିକୁ ଆଖୁ ବିଲ ଶୋଷି ନିଏ। ଜଣେ ସ୍ଥାନୀୟ ଠିକାଦାର ପାଓ୍ୱାର ଏବଂ ଅନ୍ୟ ପଥର କଟାଳିମାନଙ୍କୁ ଆଣିଛି। ଏମାନଙ୍କ ଭିତରୁ ପ୍ରାୟ ଅଧିକାଂଶ ଚାଷୀ। ଗାଁ ଛାଡି ଏଏସଆଇର ଏହି କାମ କରିବାକୁ ମରୁଡି ଏମାନଙ୍କୁ ବାଧ୍ୟ କରେ। ଏଏସଆଇର ବହୁ ପ୍ରକଳ୍ପରେ ପାଓ୍ୱାର କାମ କରିଛନ୍ତି। ସେ ମହାରାଷ୍ଟ୍ରର ହାତୀ ଗୁମ୍ଫା ଏବଂ ଉତ୍ତର ପ୍ରଦେଶର ଝାନ୍‌ସୀ ଦୁର୍ଗରେ କାମ କରିଛନ୍ତି।

ବାସାଇ ଦୁର୍ଗରେ କାମ କରୁଥିବା ଏହି ପଥରକଟାଳିମାନେ ଦିନକୁ ୬୦୦ ଟଙ୍କା ରୋଜଗାର କରିଥାନ୍ତି। ଏମାନଙ୍କ ମାସିକ ରୋଜଗାର ପ୍ରାୟ ୧୫,୦୦୦ ଟଙ୍କା। ଖାଦ୍ୟ, ଔଷଧ ଏବଂ ନିଜର ବ୍ୟକ୍ତିଗତ ଖର୍ଚ୍ଚରେ ଏମାନେ ଏହାର ଅଧା ଟଙ୍କା ବ୍ୟୟ କରିଥାନ୍ତି। ବାକି ଟଙ୍କା ସେମାନେ ଘରକୁ ପଠାନ୍ତି।

ଏହି ମଜୁରୀ ପାଇଁ ସେମାନେ ଆଠ ଘଣ୍ଟାର ହାଡଭଙ୍ଗା ପରିଶ୍ରମ କରନ୍ତି। ଏହା ଭିତରେ ଖାଇବା ପାଇଁ କେବଳ ଗୋଟିଏ ଘଣ୍ଟା ମିଳିଥାଏ। ଝାଳବୁହା ତାତିରେ ଏମାନେ ଏମିତି ପଥର ଭାଙ୍ଗନ୍ତି। ପଥର ଗୁଣ୍ଡ ଲାଗି ସେମାନଙ୍କ ହାତ ଆଉ ପାଦ ଫାଟିଥାଏ। ଲକ୍ଷ୍ମଣ ଶେଟିବା ଡୁକ୍ରେ କହିଲେ, “ପଥର ଭାଙ୍ଗିବା ଏତେ ସହଜ କାମ ନୁହେଁ। ପଥର ତାତି, ତଳ ତାତି ଆଉ ମୁଣ୍ଡ ଉପରେ ଖରା ବର୍ଷା ।”

PHOTO • Samyukta Shastri

ଖରାରେ ପଥର କାମ କରିବାବେଳେ ଏହି ଅସ୍ଥାୟୀ ଘର ଏମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦିଏ ଦକ୍ଷିଣ : ଜାମଖେଦ ତାଲୁକର ଜଣେ ଶ୍ରମିକ ପାଣି ପିଇବା ପାଇଁ ବିରତି ନେଲେ

ଦୁର୍ଗର ଗୋଟିଏ କୋଣରେ ତାଳ ବାହୁଙ୍ଗାର ଏକ ଅସ୍ଥାୟୀ ଛପର ତଳେ ଡୁକ୍ରେ ବସିଥିଲେ। ଜାମଖେଦଙ୍କ ଦଳଠାରୁ ଏହା ସ୍ୱଳ୍ପ ଦୂରରେ ଥିଲା। ତାଙ୍କ ସହ ତାଙ୍କ ପୁତୁରା ଦାଗଡୁ ଗୋବିନ୍ଦ ଡୁକ୍ରେ ମଧ୍ୟ ଏଠାରେ ଥିଲେ। ଊଭୟ ଓ୍ୱାଡାର ସଂପ୍ରଦାୟର। ଏମାନେ ଦକ୍ଷ ପଥର କାରିଗର ଏବଂ ମୂର୍ତ୍ତିକାର। ଏାମାନେ ଅହମ୍ମଦନଗର ଜିଲ୍ଲ ଭିଙ୍ଗର ତାଲୁକର ଓ୍ୱାଡରଓ୍ୱାଡି ଗାଁରୁ ବାସାଇ ଆସିଛନ୍ତି। ଏମାନେ ପୂରା ପ୍ରକଳ୍ପ ଅଞ୍ଚଳରେ ଜାଗାକୁ ଜାଗା ବୁଲିଥାନ୍ତି। କିନ୍ତୁ ମୁଖ୍ୟତଃ ବାସାଇ ଦୁର୍ଗରେ କାମ କରିଥାନ୍ତି।

ଏଏସଆଇର ଭାରତପ୍ରାପ୍ତ ସହଯୋଗୀ ଅଧିକାରୀ କୈଳାସ ସିନ୍ଧେ କହିଲେ, “ଏହି କାମ ପାଇଁ ଆଜିକାଲି ଲୋକ ମିଳିବା ଭାରି କଷ୍ଟ। କେବଳ ଓ୍ୱାଡରମାନେ ଏହି କାମରେ ଦକ୍ଷ। ଏଇମାନେ ହିଁ ନିଶ୍ଚିତ ଭାବେ ଏଭଳି ସ୍ମାରକ ନିର୍ମାଣ କରିଛନ୍ତି ଏବଂ ଏଇମାନେ ହିଁ ଏହାର ପୁନରୁଦ୍ଧାର କରୁଛନ୍ତି।”

PHOTO • Samyukta Shastri

ଲକ୍ଷ୍ମଣ ଡୁକ୍ରେ ଏବଂ ତାଙ୍କ ପୁତୁରା ଦାଗଡୁ ଡୁକ୍ରେ : ସେ କହିଲେ , ‘ ମୋ ବାପାଙ୍କୁ ଏହି ଓ୍ୱାଡର ଜୀବନ କିଏ ଦେଲା ?’

ବାସାଇରେ କାମ କରୁଥିବା ସବୁ ପଥର କାରିଗରମାନେ ଓ୍ୱାଡର ସଂପ୍ରଦାୟର। ଏମାନେ ସମସ୍ତେ ମହାରାଷ୍ଟ୍ରରୁ ଆସିଛନ୍ତି। ଇତିହାସ କହୁଛି, ଏମାନେ ପ୍ରଥମେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ରାଷ୍ଟ୍ରକୁ ଯାଇଛନ୍ତି। (ଏହି ସଂପ୍ରଦାୟର ନାଁ ଓ୍ୱାଡର, ‘ଓ୍ୱାଡର’ ଶବ୍ଦଟି ଓଡ୍ର ଦେଶ ବା ଓଡ଼ିଶାରୁ ଆସିଥିବା ବିଶ୍ୱାସ କରାଯାଏ।) ଏହି ଦୁର୍ଗରେ କାମ କରୁଥିବା ସବୁଠୁ ବୟସ୍କ ୬୦ ଦଶକର ସାହେବ୍ରାଓ ନାଗୁ ମସ୍କେ କହିଲେ, “ବହୁ ବର୍ଷ ତଳେ ଆମ ଲୋକମାନେ ଏଠିକୁ (ମହାରାଷ୍ଟ୍ର) ଆସିଥିଲେ। ଆମେ ଏଇଠି ଜନ୍ମ ହୋଇଛୁ।”

PHOTO • Samyukta Shastri

ବାସାଇ ଦୁର୍ଗରେ କାମ କରୁଥିବା ସମସ୍ତଙ୍କ ମଧ୍ୟରେ ବୟସ୍କ ହେଉଛନ୍ତି ସାହେବ୍ରାଓ ମାସ୍କେ , ସେ ଏବେ ୬୦ ଦଶକରେ।

୪୦ ବର୍ଷୀୟ ଦାଗଡୁ ମନେ ପକାଇ କହିଲେ, ବହୁ ବର୍ଷ ଆଗରୁ ତାଙ୍କ ପରିବାରର ଚାଷ ଜମି ଥିଙଲା। କିନ୍ତୁ ତାହା ସେମାନେ ଦେଇ ଦେଇଥିଲେ। ଏବେ ତାଙ୍କ ସେ ଆଉ ତାଙ୍କ ଦାଦାଙ୍କର ଏକ ମାତ୍ର ପେସା ହେଉଛି ପଥର କାମ। ଲକ୍ଷ୍ମଣ ଏବଂ ଦାଗଡୁଙ୍କ ସ୍ତ୍ରୀ ମଧ୍ୟ ପଥର କାମ କରନ୍ତି। କିନ୍ତୁ ତାଙ୍କ ଗାଁ ପାଖରେ। ସେମାନେ ବଡବଡ ପଥରକୁ ଛୋଟଛୋଟ କରନ୍ତି। ଏହି ଛୋଟ ପଥର ଖଣ୍ଡ ପିଚୁ ରାସ୍ତା ତିଆରି କାମରେ ଲାଗେ।

ବାସାଇରେ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କ ଭଳି ଡୁକ୍ରେମାନଙ୍କୁ ପ୍ରକଳ୍ପ ସ୍ଥଳୀରେ କାମ କରିବାକୁ ସ୍ଥାନୀୟ ଠିକାଦାର କହିଥିଲେ। ଲକ୍ଷ୍ମଣ କହିଲେ, “ସେମାନେ ଯେଉଁଠି କାମ କରିବାକୁ କହନ୍ତି ଆମେ ସେଠାକୁ ଯାଉ [ନିଜ ଖର୍ଚ୍ଚରେ] ।  ସେଠାରେ କିଛି ଦିନ ରହୁ ଏବଂ କାମ ପାଇଁ ଅପେକ୍ଷା କରୁ। ଯଦି କାମ ମିଳେ ତାହାଲେ ଭଲ , ନହେଲେ ଗାଲକୁ ଚାପୁଡା ମାରି ଘର [ଓ୍ୱାଡରୱାଡି] କୁ ଫେରୁ।”

ଜଣେ ଓ୍ୱାଡର ହେବାର ମିଶ୍ରିତ ଅନୁଭବ ରହି୍ଛି ଲକ୍ଷ୍ମଣଙ୍କ ପାଖରେ। ଏହି ସୁନ୍ଦର ସ୍ମାରକ ନିର୍ମାଣ କରିଥିବା ତାଙ୍କ ପୂର୍ବଜଙ୍କ ପ୍ରତି ତାଙ୍କର ତାଙ୍କର ଶ୍ରଦ୍ଧା ଆଉ ସମ୍ମାନ ରହିଛି। ଏହି ସ୍ଥପତିମାନଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି ମଧ୍ୟ ସେ କହନ୍ତି।  କିନ୍ତୁ ଯେତେବେଳେ ତାଙ୍କ ସଂପ୍ରଦାୟର ଦାରିଦ୍ର୍ୟ କଥା କୁହନ୍ତି, ସେତେବେଳେ ଦୁଃଖୀ ହୁଅନ୍ତି। ସେ କହିଲେ,  “ମୋ ବାପାଙ୍କୁ କିଏ ଏହି ଓ୍ୱାଡର ଜନ୍ମ ଦେଲା ? ଜନ୍ମ ହୋଇଥିଲେ କଣ ଏଇ କାମ କରିବାକୁ ? ଯଦି ପାଠ ପଢି ଆଉ କିଛି କାମ କରିଥାନ୍ତେ ତାହାଲେ ସ୍ଥିତି ଅଲଗା ପ୍ରକାର ଥାଆନ୍ତା। ...”

୬୬ ବର୍ଷର ଲକ୍ଷ୍ମଣ ୫୦ ବର୍ଷ ତଳେ ଏହି କାମ ତାଙ୍କ ବାପା ଏବଂ ଜେଜେବାପାଙ୍କଠାରୁ ଶିଖିଥିଲେ। ସେମାନେ ତାଙ୍କ ପୂର୍ବଜଙ୍କଠାରୁ ଶିଖିଥିଲେ। ସେ କହିଲେ, “ଜଣେ ୧୦ ବା ୧୧ ବର୍ଷର ହୋଇଗଲେ ତାକୁ ଗୋଟିଏ ଛୋଟ ହାତୁଡି ଧରାଇ ଦିଆଯାଏ ଆଉ ଏହାର ବ୍ୟବହାର ଶିଖାଇ ଦିଆଯାଏ। ସେ ତା ନିଜ ଆଙ୍ଗୁଠିକୁ ମଧ୍ୟ ଭାଙ୍ଗିଦେବାର ଆଶଂକା ଥାଏ। କିନ୍ତୁ କିଛି ମାସ ଭିତରେ ସେ କାମ ଶଖିଯାଏ ଏବଂ ବଡଙ୍କ ଭଳି କାମ କରେ।”

PHOTO • Samyukta Shastri

ଦିନତମାମ ଯନ୍ତ୍ରପାତି ଏବଂ ପଥର ଗୁଣ୍ଡ ଭିତରେ କାମ ଚାଲେ

ବର୍ତ୍ତମାନ ଏହି କାମ ପ୍ରତି ଆଉ ବେଶି ଲୋକଙ୍କର ଆଗ୍ରହ ନାହିଁ। ମାତ୍ର କିଛି ଯୁବକ ଅନ୍ୟ କେଉଁଠି କାମ ନପାଇ ବାସାଇ ଦୁର୍ଗକୁ ଆସୁଛନ୍ତି। ପାୱାର କହିଲେ, “ମୋ ପିଲାମାନେ ଏହି କାମ କରୁନାହାନ୍ତି। ବଡପୁଅ ଇଂଜିନିୟର। ସେ ପୁନେରେ କାମ କରେ। ଏହି କାମ କରି ମୁଁ ତାଙ୍କୁ କୌଣସିମତେ ପାଠ ପଢାଇ ପାରୁଛି।”

ଅନେକ ପଥର କାରିଗରଙ୍କ ପିଲା ବାହାରେ ବୁଲିବୁଲି କୌଳିକ ବୃତ୍ତି କରୁଛନ୍ତି। ଯେଉଁ ବୟଷ୍କ କାରିଗରମାନେ ବର୍ଷବର୍ଷ ଧରି ଏହି କଷ୍ଟ କାମ କରୁଛନ୍ତି, ସେମାନଙ୍କର କାମ ପ୍ରତି ବିତୃଷ୍ଣା ଆସିଗଲାଣି। ଲକ୍ଷ୍ମଣ କହିଲେ, “କିଛି ବଦଳୁନି। କେବଳ ଆମ ଦାହ ସଂସ୍କାର ପାଇଁ କାଠ ଅଛି। ବଦଳିବାର ସମୟ ଗଡି ଯାଇଛି।”

PHOTO • Samyukta Shastri

ଲକ୍ଷ୍ମଣ ଡୁକ୍ରେ ଗୋଟିଏ ଛୋଟ ବିରତି ନେଲେ : ସେ କହିଲେ , ‘ ଆଉ କିଛି ବଦଳିବାର ନାହିଁ

ଏହି କଠିନ କାମର କ୍ଳାନ୍ତି ଦୂର କରିବାକୁ ଲକ୍ଷ୍ମର ରାତିରେ ଟିକେ ଆଲକୋହଲ ନିଅନ୍ତି। ନହେଲେ ପ୍ରକଳ୍ପ ପାଖରେ ଥିବା ତାଙ୍କ ଅସ୍ଥାୟୀ ଛପର ତଳେ ନିଦ ହୁଏନି। ସେ କହନ୍ତି, “ଆମ କାନ୍ଧ, ପିଠି ଆଉ ଆଣ୍ଡୁ ଭାଙ୍ଗି ପଡିଲାଣି। ଯେତେବେ ଯନ୍ତ୍ରଣା ଅଧିକ ହୁଏ ଆମେ ଔଷଧ ଖାଉ। ଯେତେବେଳେ ଅସହିଷ୍ଣୁ ହୁଏ ଆମେ ଡାକ୍ତର ପାଖକୁ ଯାଉ। ନହେଲେ ଆମେ ଗୋଟେ କ୍ୱାର୍ଟରର ଅଧା ନେଉ …।”

ପାୱାର ମଧ୍ୟ ସେଇଆ କରନ୍ତି। ସେ କହିଲେ, “ସଂଧ୍ୟା ଆସିଲେ ଆମ ଦେହହାତ ବିନ୍ଧା ହୁଏ। ତା’ ପରେ ଆମେ ଗୋଟିଏ ଅଧା କ୍ୱାର୍ଟର ଆଲକୋହଲ ନେଇ ଶୋ‍ଇଯାଉ ...” ପର ଦିନ ପୁଣି  ହାତୁଡି, ନିହାଣ, ଖରା ଆଉ ଗୁଣ୍ଡ।


ଅନୁବାଦ: ଓଡ଼ିଶାଲାଇଭ୍‍

Samyukta Shastri

Samyukta Shastri is the content coordinator at the People’s Archive of Rural India. She has a bachelor’s degree in Media Studies from the Symbiosis Centre for Media and Communication, Pune, and a master’s degree in English Literature from SNDT Women's University, Mumbai.

Other stories by Samyukta Shastri
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE