ତତ୍ତ ଲକ୍ଷ୍ମୀ ଓ ପୋଥାଡା ଲକ୍ଷ୍ମୀ ଦୁହେଁ ବୋକା ପାଲଟି ଯାଇଛନ୍ତି। ସରକାର ଟି. ଲକ୍ଷ୍ମୀଙ୍କ ମଜୁରି ବାବଦ ଅର୍ଥ ପି. ଲକ୍ଷ୍ମୀଙ୍କ ବ୍ୟାଙ୍କ ଖାତାକୁ ଏବଂ ପୋଥାଡା ଲକ୍ଷ୍ମୀଙ୍କ ମଜୁରି ବାବଦ ଅର୍ଥ ତତ୍ତ ଲକ୍ଷ୍ମୀଙ୍କ ଆକାଉଣ୍ଟକୁ ପଠାଇ ଦେଇଛନ୍ତି। ଏହି ବ୍ୟାଙ୍କ ଆକାଉଣ୍ଟ ରହିଛି ଆନ୍ଧ୍ର ପ୍ରଦେଶର ମୁନାଗାପାକ ମଣ୍ଡଳର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ।

ଫଳରେ ଟି. ଲକ୍ଷ୍ମୀ ହାରାହାରି ୧୬,୦୦୦ ଟଙ୍କା ପାଇଁ ଏବଂ ପି. ଲକ୍ଷ୍ମୀ ପ୍ରାୟ ୯,୦୦୦ ଟଙ୍କା ପାଇଁ ଅପେକ୍ଷା କରିଛନ୍ତି। ଉଭୟ ମହିଳା ଦଳିତ ଏବଂ ଭୂମିହୀନ। ସେମାନେ ଦୁହେଁ ମନରେଗା ଶ୍ରମିକ ଭାବରେ କାମ କରିଥିଲେ।  ଟି. ଲକ୍ଷ୍ମୀ ମୁନାଗାପାକ ଗ୍ରାମରେ ଏବଂ ପି. ଲକ୍ଷ୍ମୀ ଗଣପାର୍ଥୀ ଗ୍ରାମରେ କାମ କରିଥିଲେ। ଉଭୟ ଗ୍ରାମ ଏକା ମଣ୍ଡଳରେ ରହିଛି ।

୨୦୧୬-୨୦୧୭ ଅବଧିରେ ଟି. ଲକ୍ଷ୍ମୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତକର୍ମ ନିଯୁକ୍ତି ଆଇନ ଅଧୀନରେ ଗୋଟିଏ ପ୍ରୋଜେକ୍ଟରେ ୯୫ ଦିନ କାମ କରିଥିଲେ। କାମ ତତ୍ତ୍ୱାବଧାନରେ ଥିବା ସହଯୋଗୀ କିନ୍ତୁ ଏହାକୁ ୯୫ ଦିନ ଭାବରେ ଗଣନା କରିନଥିଲେ। ଶ୍ରମିକମାନେ ନିଜ ନିଜର  ମନରେଗା ଜବ୍ କାର୍ଡ ସହ ଅଧାର କାର୍ଡ ସଂଯୋଗ କରିବାକୁ ୨୦୧୫ ମସିହାରୁ ସରକାର କହିଆସୁଥିଲେ ମଧ୍ୟ ଏହା ହୋଇନଥିବାରୁ ସେମାନେ ମଜୁରି ପାଇ ପାରୁନାହାନ୍ତି।

ମାତ୍ର ମୁନାଗାପାକ ମଣ୍ଡଳର କମ୍ପ୍ୟୁଟର୍ ଅପରେଟର୍ ୧୮ ଅଙ୍କବିଶିଷ୍ଟ ଜବ୍ କାର୍ଡ ନମ୍ବର ଏବଂ ୧୨ ଅଙ୍କବିଶିଷ୍ଟ ଅଧାର କାର୍ଡ ନମ୍ବର ସଂଯୋଗ କରିବା ସମୟରେ ଭୁଲ୍ କରି ଥିବାରୁ ମୁଁ ଯେଉଁ ଅର୍ଥ ପାଇବା କଥା ( ସମୁଦାୟ ମଜୁରିର ପ୍ରାୟ ଅର୍ଦ୍ଧେକ ) ତାହା ଗଣପାର୍ଥୀ ଗ୍ରାମର ପି. ଲକ୍ଷ୍ମୀ ନାମକ ଜଣଙ୍କ ପାଖକୁ ଚାଲିଯାଇଛି ବୋଲି କହିଛନ୍ତି ଟି. ଲକ୍ଷ୍ମୀ। 

A woman showing her Aadhar card
PHOTO • Rahul Maganti
A woman showing her Aadhaar card
PHOTO • Rahul Maganti

ଆଧାରର ତ୍ରୁଟିପୂର୍ଣ୍ଣ ପଦ୍ଧତି ଯୋଗୁଁ ଟି. ଲକ୍ଷ୍ମୀ (ବାମ) ଏବଂ ପି. ଲକ୍ଷ୍ମୀ (ଡାହାଣ )ଙ୍କ  ମନରେଗା ମଜୁରୀ ବାବଦ ଅର୍ଥ ବନ୍ଦ ହୋଇ ପଡ଼ିରହିଛି। 

“କିନ୍ତୁ ଆମର ବ୍ୟାଙ୍କ ଖାତା ଅଧାର ଓ ଜବ୍ କାର୍ଡ ସହ ସଂଯୁକ୍ତ ହୋଇଥିବାରୁ ଆମେ ଅସ୍ଥାୟୀ ଭାବରେ ହେଲେ ମଧ୍ୟ ଅନ୍ୟ ଜଣକର ଅର୍ଥ ଉଠାଇ ପାରୁନାହୁଁ”, କହିଛନ୍ତି ଟି. ଲକ୍ଷ୍ମୀ। ୩୪ ବର୍ଷ ବୟସ୍କା ଲକ୍ଷ୍ମୀ କ୍ଷେତରେ କାମ ମିଳିବା ସମୟରେ କୃଷି ଶ୍ରମିକ ଭାବରେ କାମ କରି ଦିନକୁ ପ୍ରାୟ ୧୫୦-୨୦୦ ଟଙ୍କା ପର୍ଯ୍ୟନ୍ତ ମଜୁରୀ ପାଇଥାନ୍ତି। ବିଶାଖାପଟ୍ଟନମ୍ ଜିଲ୍ଲାସ୍ଥ ନିଜ ଗ୍ରାମରେ ମନରେଗାର କୌଣସି ପ୍ରୋଜେକ୍ଟ ଥିଲେ ସେଥିରେ ଦିନକୁ ୨୦୩ ଟଙ୍କା ମଜୁରି ପାଇଥାନ୍ତି ।

ପ୍ରାୟ ୧୦,୦୦୦ ଜନସଂଖ୍ୟା ବିଶିଷ୍ଟ ମୁନାଗାପାକ ଗ୍ରାମର ପାଖାପାଖି ୭୦୦ ମନରେଗା ଶ୍ରମିକ ୨୦୧୫ ମସିହା ଏପ୍ରିଲ୍ ମାସରୁ ମିଳିତ ଭାବରେ ୧୦ ଲକ୍ଷ ଟଙ୍କା ମଜୁରି ପାଇଁ ଅପେକ୍ଷା କରିଛନ୍ତି। ସେହିପରି ୨,୨୦୦ ଜନସଂଖ୍ୟା ବିଶିଷ୍ଟ ଗଣପାର୍ଥୀ ଗ୍ରାମର ୨୯୪ ଜଣ ଶ୍ରମିକ ଏପର୍ଯ୍ୟନ୍ତ ୪ ଲକ୍ଷ ଟଙ୍କା ପାଇ ନାହାନ୍ତି। ଏହି ଆକଳନ ଗ୍ରାମବାସୀ, ସ୍ଥାନୀୟ ସାମାଜିକ କର୍ମୀଙ୍କ ଦ୍ୱାରା ସୂଚନା ଅଧିକାର ଆଇନ ବ୍ୟବହାର ଦ୍ୱାରା, ମନରେଗା କ୍ଷେତ୍ର ସହଯୋଗୀ ଏବଂ ଡାକ ବିଭାଗ ପୋର୍ଟାଲରୁ ମିଳିଥିବା ସୂଚନାରୁ କରାଯାଇଛି।

ମଣ୍ଡଳର ୨୦ଟି ପଞ୍ଚାୟତର ୬,୦୦୦ ଶ୍ରମିକଙ୍କର ପ୍ରାୟ ୧ କୋଟି ଟଙ୍କା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଏଗୁଡ଼ିକ ମଧ୍ୟରୁ ୧୨ଟି ପଞ୍ଚାୟତ  ଅବଶ୍ୟ ଡାକ ବିଭାଗ ଜରିଆରେ ଏହି ଅର୍ଥ ପାଇଗଲେଣି, ଆଉ ବଳକା ଆଠଟି ପଞ୍ଚାୟତର ପାଉଣା ଏବେ ବି ବ୍ୟାଙ୍କ ଆକାଉଣ୍ଟକୁ ଆସିବା ବାକି ଅଛି।

ଟି. ଲକ୍ଷ୍ମୀ କୁହନ୍ତି ବେଳେ ବେଳେ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ଦିନେ ପରେ ଆସ ଶୁଣିବା ପାଇଁ ମତେ ଦେଢ଼ କିଲୋମିଟର ଚାଲି କରି ଯିବା ଆସିବା କରିବାକୁ ପଡ଼େ। ସେ ଅନେକ ଥର ତାଙ୍କ ଅର୍ଥ ଆସିଯାଇଥିବ ଆଶା କରି ବ୍ୟାଙ୍କକୁ ଯାଇ ଫେରିଛନ୍ତି। ଏଥିପାଇଁ ତାଙ୍କୁ ଅନେକ ସମୟରେ କୃଷି ଶ୍ରମିକର ମଜୁରି ହରାଇବାକୁ ପଡ଼ିଛି। ୨୦୧୬ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତାଙ୍କ ପାଉଣା ପୋଷ୍ଟ ଅଫିସ୍ ଜରିଆରେ ଆସୁଥିଲା। ସେଠାରେ ଖୁବ୍ ସହଜରେ ତାଙ୍କ ତଥ୍ୟ ଆଧାରର ବାୟୋମେଟ୍ରିକ ସହ ମେଳ ଖାଇ ପାରୁଥିଲା। ଯେବେଠାରୁ ତାଙ୍କର ଦେୟ ବ୍ୟାଙ୍କ ଖାତାକୁ ଗଲା ସେବେଠାରୁ ତାଙ୍କର ସମସ୍ୟା ଆରମ୍ଭ ହୋଇଛି। ସେମାନେ ସବୁବେଳେ କହୁଛନ୍ତି କିଛି ଟେକ୍ନିକାଲ୍ ସମସ୍ୟା ଅଛି, କିନ୍ତୁ ସମସ୍ୟାଟି କ’ଣ ତାହା ବୁଝାଇ କହୁନାହାନ୍ତି। ଏଥିପାଇଁ ଲକ୍ଷ୍ମୀ ଏବଂ ତାଙ୍କ ସ୍ୱାମୀ ଯେ କି ଜଣେ କୃଷିଶ୍ରମିକ ଏବେ ପୁଅ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଲକ୍ଷ୍ମୀଙ୍କ ପୁଅ ଏବେ ଅଚ୍ଛୁତାପୁରମ୍ ମଣ୍ଡଳରେ ଥିବା ଏକ ଆପାରେଲ୍ କମ୍ପାନୀରେ ମାସିକ ୬,୦୦୦ ଟଙ୍କା ଦରମାରେ କାମ କରୁଛନ୍ତି। 
Labourers working in MGNREGA work sites on the outskirts of Munagapaka village
PHOTO • Rahul Maganti
Labourers in MGNREGA work sites taking part in land development work on the outskirts of Munagapaka village
PHOTO • Rahul Maganti

ଡିଜିଟାଇଜେସନ, ବିଳମ୍ବ ଏବଂ ହତାଶା: ବିଶାଖାପଟ୍ଟନମ୍ ଜିଲ୍ଲାର ମୁନାଗାପାକ ଗ୍ରାମରେ ଏକ ମନରେଗା କାର୍ଯ୍ୟସ୍ଥଳରେ ଶ୍ରମିକମାନେ

ମୁନାଗାପାକ ମଣ୍ଡଳର କମ୍ପ୍ୟୁଟର ଅପରେଟର୍ ବବଲୁ ଯେ କି ରେକର୍ଡଗୁଡ଼ିକର ସାଂଖ୍ୟିକିକରଣ କରୁଛନ୍ତି , ସେ ମଧ୍ୟ ଶ୍ରମିକମାନଙ୍କ ଆଧାର ସଂଖ୍ୟା ସେମାନଙ୍କ ମନରେଗା କାର୍ଡ ସହ ସଂଯୁକ୍ତ ନହେବା ପଛରେ  କିଛି ଟେକ୍ନିକାଲ୍ ବା ବୈଷୟିକ ସମସ୍ୟା ଥିବା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସେ ସମସ୍ୟା କ’ଣ ଜାଣିପାରୁନାହାନ୍ତି ଓ ମୋତେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁନାଗାପାକ ଶାଖାରେ ଯୋଗାଯୋଗ କରିବା ପାଇଁ କହିଥିଲେ। କମ୍ପ୍ୟୁଟର୍ ଅପରେଟରଙ୍କୁ ଯୋଗାଯୋଗ କରିବାକୁ ବ୍ୟାଙ୍କ୍ ଅଧିକାରୀମାନେ ମୋତେ କହିଥିଲେ।

ସରକାରୀ ରେକର୍ଡ ଅନୁଯାୟୀ ୨୦୧୮ ମସିହା ଜାନୁଆରୀ ମାସ ଶେଷ ସୁଦ୍ଧା କେବଳ ବିଶାଖାପଟ୍ଟନମ୍ ଜିଲ୍ଲାର୧୪,୦୭୦ ଜଣ ଶ୍ରମିକଙ୍କ ଜବ୍ କାର୍ଡ ସହ ଆଧାର ନମ୍ବର ସଂଯୋଗ କରାଯିବା ବାକି ଅଛି। ସମଗ୍ର ଆନ୍ଧ୍ର ପ୍ରଦେଶରେ ଏପରି ଶ୍ରମିକଙ୍କ  ସଂଖ୍ୟା ୧୭୬,୭୫୫।

ମୁନାଗାପାକ ମଣ୍ଡଳର ପୋଷ୍ଟ ଅଫିସରେ  ଫିଙ୍ଗର୍ ପ୍ରିଣ୍ଟ ସମସ୍ୟା ଖୁବ୍ ଅଧିକ। ଗଣପାର୍ଥୀରେ ମନରେଗାରେ କାମ କରୁଥିବା ନୁକାରାଜୁ କହନ୍ତି - ଆଧାର ଡାଟାବେସରେ ଥିବା ଫିଙ୍ଗର୍ ପ୍ରିଣ୍ଟ ସହ ଆମ ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉନି ବୋଲି ଦର୍ଶାଇ ପୋଷ୍ଟ ଅଫିସ୍ ଆମକୁ ବାରମ୍ବାର ଫେରାଇ ଦେଉଛି। ସେ ବହୁ ଦିନରୁ ବାକି ପଡିଥିବା ତାଙ୍କର ୨୨,୦୦୦ ଟଙ୍କାକୁ ଅପେକ୍ଷା କରି ବସିଛନ୍ତି। ସେ କୁହନ୍ତି, “ଆମେ ମାଟିର ସନ୍ତାନ , ସବୁଦିନ ଏହି ହାତରେ ଆମେ ମାଟିରେ କାମ କରୁଛୁ। ପ୍ରଧାନମନ୍ତ୍ରୀ କହୁଛନ୍ତି , ଅଧାର ଏବଂ ଡିଜିଟାଲାଇଜେସନ୍ ଦେଶର ସବୁ ସମସ୍ୟାର ସମାଧାନ, କିନ୍ତୁ ପ୍ରକୃତରେ ତାହା ଆମ ମୁହଁରୁ ଖାଦ୍ୟ ଛଡ଼ାଇ ନେଇଛି”। 

A portrait of a woman sitting
PHOTO • Rahul Maganti

ଚିନାତାଲି ଗଡି କୁହନ୍ତି , ସେମାନେ କାମ ଏବଂ ମଜୁରୀ ନଦେବା ପାଇଁ ସବୁ ସୁଯୋଗକୁ ବ୍ୟବହାର କରୁଛନ୍ତି

ବୈଷୟିକ ସମସ୍ୟା , ଫିଙ୍ଗରପ୍ରିଣ୍ଟ ମେଳ ନଖାଇବା ଏବଂ ଭୁଲ ସଂଯୋଗୀକରଣ ସହ ଅର୍ଥର ଘୋର ଅଭାବ ଦେୟ ମିଳିବାରେ ବିଳମ୍ବକୁ ଆହୁରି ଦୀର୍ଘ କରିଦେଉଛି। ୨୦୧୫ ଏପ୍ରିଲ୍ ମାସରୁ ଯେତିକି କାମ ହୋଇଛି ତାହାର  ଦେୟ ବାବଦରେ କେନ୍ଦ୍ରସରକାର ଆନ୍ଧ୍ର ପ୍ରଦେଶକୁ ୧,୯୭୨କୋଟି ଟଙ୍କା ପଠାଇବା ଆବଶ୍ୟକ। ମାତ୍ର ୨୦୧୭ ନଭେମ୍ବର ମାସ ସୁଦ୍ଧା ମାତ୍ର ୪୨୦ କୋଟି ଟଙ୍କା ପଠାଯାଇଛି। ଅନେକଙ୍କର ମତ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଓ ରାଜ୍ୟରେ ତେଲୁଗୁ ଦେଶମ୍ ପାର୍ଟି ମଧ୍ୟରେ ରାଜନୈତିକ ବିବାଦର ଏହା ପରିଣାମ।

ଆନ୍ଧ୍ରପ୍ରଦେଶ କୃଷି ଓ ତତ୍ ସମ୍ପର୍କିତ ବୃତ୍ତି ସଂଘର ଜନୈକ କର୍ମୀ ବାଲୁ ଗଡ଼ି କୁହନ୍ତି , “ଏହି ଆଇନ [୨୦୦୫ର ମନରେଗା ଆଇନ] ଅନୁଯାୟୀ କାମ ଶେଷ ହେବାର ୧୪ ଦିନ ମଧ୍ୟରେ ଦେୟ ନିଶ୍ଚିତ ଭାବରେ ପ୍ରଦାନ କରାଯିବ ଅନ୍ୟଥା ଶ୍ରମିକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। [୧୪-୨୧ ଦିନ ବିଳମ୍ବ ପାଇଁ ମଜୁରୀର ୨୫ ପ୍ରତିଶତ ଏବଂ ୨୨ ଦିନରୁ ଅଧିକ ବିଳମ୍ବ ପାଇଁ ମଜୁରୀର ୫୦ ପ୍ରତିଶତ କ୍ଷତିପୂରଣ ଭାବରେ ପ୍ରଦାନ କରାଯିବ], ଏହି ବ୍ୟବସ୍ଥା ରହିଛି ଆଇନରେ। ତାହେଲେ  ଏହି ମଣ୍ଡଳର ସମସ୍ତ ଶ୍ରମିକ କ୍ଷତିପୂରଣ ପାଇବାକୁ ଯୋଗ୍ୟ। କିନ୍ତୁ କେହି ବି କ୍ଷତିପୂରଣ ପାଇନାହାନ୍ତି। ପ୍ରକୃତ କଥା ହେଉଛି ସେମାନେ ଏ ପର୍ଯ୍ୟନ୍ତ ନିଜର ମୂଳ ପାଉଣାକୁ ଅପେକ୍ଷା କରିଛନ୍ତି”।

ବାଲୁଙ୍କ ମା’ , ୫୦ ବର୍ଷ ବୟସ୍କା ଚିନାତାଲି ମଧ୍ୟ ଜଣେ ମନରେଗା ଶ୍ରମିକ, ସେ ୨୦୧୭- ୨୦୧୮ ଆର୍ଥିକ ବର୍ଷରେ ୧୦୦ ଦିନ କାମ କରିଛନ୍ତି। ଚିନାତାଲି କୁହନ୍ତି, “ଯେତେବେଳେ ମୁଁ ଆଉ କିଛି ଦିନର କାମ ମାଗିଲି ସେତେବେଳେ ଅଧିକାରୀମାନେ କହିଲେ ପ୍ରତ୍ୟେକ ପରିବାରକୁ ସର୍ବାଧିକ ୧୦୦ ଦିନର କାମ ଦିଆଯିବ। କିନ୍ତୁ ଆଇନ୍ ଅନୁସାରେ ପ୍ରତ୍ୟେକ ପରିବାର ସର୍ବନିମ୍ନ ୧୦୦ ଦିନର କାମ ପାଇବ। ସେମାନେ ଆମକୁ କାମ ଏବଂ ପାଉଣା ନଦେବା ପାଇଁ ପ୍ରତ୍ୟେକ ସୁଯୋଗ ଉପଯୋଗ କରନ୍ତି”। ତାଙ୍କୁ ଅପ୍ରେଲ ୬ରୁ ଏପର୍ଯ୍ୟନ୍ତ ମଜୁରି ବାବଦକୁ ୧୨,୦୦୦ ଟଙ୍କା ଦେବା ବାକିଅଛି। ତାଙ୍କ ଆଧାର ନମ୍ବର ଜବ୍‌ କାର୍ଡ୍‍ ଓ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରାଯାଇନଥିବାରୁ ଏପରି ହୋ‍ଇଥିବା କଥା ମୁଁ କଥା ହୋ‍ଇଥିବା ଅଧିକାରୀମାନେ ମୋତେ କହିଥିଲେ। 

ଡିଜିଟାଇଜେସନ ଓ ବିଳମ୍ବ କାରଣରୁ ଅତିକମରେ ପ୍ରାୟ ୧୦୦ ଦିନ ପର୍ଯ୍ୟନ୍ତ ଅନେକ ଶ୍ରମିକ ନିଜ ଅଧିକାର ବିଷୟରେ କହିପାରିନଥିଲେ କାରଣ  ଆଗରୁ କରିଥିବା କାମର ଦରମା ସମ୍ପର୍କିତ ଥିବା ସମସ୍ୟାଗୁଡ଼ିକର ସମାଧାନ କରିବାରେ ସେମାନେ ବ୍ୟସ୍ତ ଥିଲେ| ୨୦୧୭-୧୮ ଆର୍ଥିକ ବର୍ଷରେ ମୁନାଗାପାକ ମଣ୍ଡଳର ପ୍ରତ୍ୟେକ ପରିବାରକୁ ହାରାହାରି ୫୯ଟି ଲେଖାଏଁ  କର୍ମ ଦିବସ ମିଳିଛି। ସାରା ଆନ୍ଧ୍ର ପ୍ରଦେଶରେ ହାରାହାରି ୪୭ଟି ଲେଖାଏଁ କର୍ମ ଦିବସ ମିଳିଛି।

ଏହି ଦିନମାନଙ୍କରେ ଟି. ଲକ୍ଷ୍ମୀ, ପି. ଲକ୍ଷ୍ମୀ, ନୁକାରାଜୁ ଓ ଚିନାତାଲି ପ୍ରମୁଖ ଅନ୍ୟ ମନରେଗା ଶ୍ରମିକ ସହ ମିଶି ଫିଡର୍ କେନାଲ ତିଆରି କରିଛନ୍ତି , ପୋଖରୀ ଖୋଳିଛନ୍ତି, ଗଛଲତା ସଫା କରିଛନ୍ତି ଏବଂ ଅନ୍ୟାନ୍ୟ ଭୂ-ଉନ୍ନୟନ କାର୍ଯ୍ୟ କରିଛନ୍ତି। କିନ୍ତୁ ସେମାନେ କେହି ମଧ୍ୟ ଆଧାରର ଦୃଢ ପାଚେରି ଭାଙ୍ଗିପାରିନାହାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti