ଶେଷଥର ପାଇଁ ଉଷାଦେବୀ ଯେତେବେଳେ ଧର୍ମେନ୍ଦ୍ର ରାମଙ୍କୁ ଦେଖିଥିଲେ, ସେତେବେଳେ ସେ ତାଙ୍କର ଅତି ରୋଗୀଣା ଚେହେରାର ଶୁଷ୍କ ଅବଶେଷ ମାତ୍ର ଥିଲେ। ଉଷାଦେବୀ କୁହନ୍ତି, "ସେ କ୍ଷୀଣଭାବରେ କାନ୍ଦିଲେ, ଧଇଁସଇଁ ହେଲେ ଏବଂ ଶେଷରେ ଚୁପ୍ ହୋଇଗଲେ।"

ଏହିପରି ଭାବରେ ଉଷାଙ୍କ ୨୮ ବର୍ଷ ବୟସ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଲା। ବିନା ରାସନ୍କାର୍ଡରେ ସେ ରୋଗ ଓ ଭୋକରେ ମୃତ୍ୟୁବରଣ କଲେ। ଧର୍ମେନ୍ଦ୍ର ରାମଙ୍କର ସବୁଠାରୁ ଦରକାରୀ ଆଧାର କାର୍ଡ ଥିଲା ଯାହା ରାସନ ଦୋକାନରେ ତାଙ୍କ ପରିଚୟ ପ୍ରମାଣିତ କରିପାରିଥାନ୍ତି। ମାତ୍ର ପ୍ରକୃତ ରାସନ୍ କାର୍ଡ ନଥିବାରୁ ଏହା ଅଦରକାରୀ ହୋଇଗଲା। 

୨୦୧୬ ଅଗଷ୍ଟରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆହ୍ଲାବାଦର ମୌଏମା ବ୍ଲକରେ ଥିବା ତାଙ୍କ ଗାଁ ଧରୌତା ପ୍ରତି ଅନେକ ପର୍ଯ୍ୟଟକଙ୍କୁ ଓ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗ୍ରାମ ଉନ୍ନୟନ ଅଧିକାରୀ ଓ ଲୋକପାଳ (ଗ୍ରାମ କୋଷାଧ୍ୟକ୍ଷ) ନିଲମ୍ବିତ ହେଲେ। ଅନେକ ପ୍ରକାର ସହାୟତା ଘୋଷିତ ହେଲା (ଏ ମଧ୍ୟରେ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୩୦,୦୦୦ ଟଙ୍କା ଓ ପାଞ୍ଚ ବିଶ୍ୱା ବା ୫୭୦ ବର୍ଗ ମିଟର ଚାଷଜମି)। ସ୍ଥାନୀୟ ରାଜନେତାମାନେ ମାତ୍ର ୫୦୦ ଘର ଥିବା ଏହି ଗାଁକୁ ଧାଇଁଲେ। ଧର୍ମେନ୍ଦ୍ରଙ୍କ ପତ୍ନୀ ହଠାତ୍ ୫୦୦ ଟଙ୍କାର ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଭତ୍ତା ପାଇଁ ଯୋଗ୍ୟା ହୋଇଗଲେ। 

ଠିକ୍ ଭାବରେ ଶୁଣି ପାରୁନଥିବା ଉଷା ଆଂଶିକ ଦୃଷ୍ଟିହୀନ। ତାଙ୍କ ଡାହାଣ ଗୋଡ଼ ବାମ ଗୋଡ଼ ଅପେକ୍ଷା ଛୋଟ। ସେ ବି ମନେପକେଇ ପାରିଲେନି ହଠାତ୍ ଏସବୁ ଭିନ୍ନକ୍ଷମତା ଜଣାପଡ଼ିଗଲା କେମିତି। ତାଙ୍କର ଏତିକି ମନେ ଅଛି,  ସେ ଜଣେ ଅଧିକାରୀ (ବଡ଼ ସାହେବ୍) ଙ୍କ ଗୋଡ଼ ତଳେ ପଡ଼ି କହିଥିଲେ, "କିଛି ତ ସାହାଯ୍ୟ କରନ୍ତୁ।"

Usha Devi sitting on a cot outdoors
PHOTO • Puja Awasthi
Bhootani Devi (Dharmendra’s sister-in-law) in front of the locked door of Dharmendra’s house in the village of Dharauta
PHOTO • Puja Awasthi

ଉଷା ଦେବୀ (ଡାହାଣ) କ୍ଷୁଧା ଯୋଗୁ ନିଜ ସ୍ୱାମୀଙ୍କୁ ହରାଇଲେ କାରଣ ସେମାନଙ୍କର ରାସନ୍ କାର୍ଡ ନଥିଲା। ତାଙ୍କ ଯା’ ଭୁତାନୀ ଦେବୀ (ଡାହାଣ) କୁହନ୍ତି ଗୋଟିଏ କାର୍ଡ ପାଇବା ଖୁବ୍ ଜଟିଳ ବ୍ୟାପାର।

ସେହି ଅଧିକାରୀ ଜଣକ ଥିଲେ ତହସିଲଦାର ରାମକୁମାର ବର୍ମା, ଯିଏକି ଦମ୍ପତିଙ୍କ ଘରକୁ ତଦନ୍ତ ପାଇଁ ଯାଇଥିଲେ। ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି, ଶ୍ରୀ ବର୍ମା ଶସ୍ୟର ଗୋଟିଏ ବି ଦାନା ସେମାନଙ୍କ ଘରେ ପାଇନଥିବା କହିଥିଲେ। ଉଷାଦେବୀଙ୍କ ଅବସ୍ଥା ଦେଖି ସେ ନିଜ ପକେଟ୍ ଅଣ୍ଡାଳିଲେ ଓ କ୍ଷୁଧା ଓ ଚାପର ପ୍ରଭାବରେ ଉଷାଦେବୀ ବେହୋସ ହୋଇଯିବା ପୂର୍ବରୁ ତାଙ୍କ ହାତକୁ ୧,୦୦୦ ଟଙ୍କା ବଢ଼େଇ ଦେଇଥିଲେ। 

ସୋରାଓଁ ତହସିଲ୍ର ବର୍ତ୍ତମାନର କୋଷାଧ୍ୟକ୍ଷ (ଯାହା ଅଧୀନରେ ଧରୌତା ଅବସ୍ଥିତ) ପଞ୍ଚମ ଲାଲ୍ ବୁଝାଇ କହିଥିଲେ, ଏହା ପ୍ରଶାସନ ଦ୍ୱାରା ନିଆଯାଇଥିବା ତୁରନ୍ତ ପଦକ୍ଷେପ ମଧ୍ୟରୁ ଅନ୍ୟତମ। ସେ କୁହନ୍ତି, "ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା," କିନ୍ତୁ ତାଙ୍କର ବିଶ୍ୱାସ ରାସନ କାର୍ଡ ପାଇବା ଓ ଏହାକୁ ଆଧାର ସହ ସଂଯୋଗ କରିବା ସମସ୍ୟା ରହିତ ବ୍ୟବସ୍ଥା। ସେ କହିଥିଲେ, "ଲୋକମାନେ ଏହା ଅନ୍ଲାଇନରେ କରିପାରିବେ। ଗାଁରେ ଗୋଟିଏ ଘରୋଇ ଦୋକାନ ଅଛି ଯିଏ ୫୦ ଟଙ୍କା ନେଇ ଏହି କାମ କରୁଛି। କିନ୍ତୁ ସେଥିପାଇଁ ଇଚ୍ଛା ଥିବା ଦରକାର। ଆମେ କ’ଣ ତାଙ୍କ ପତ୍ନୀଙ୍କୁ ମାତ୍ର ୧୫ ଦିନରେ ଅନ୍ୟୋଦୟ କାର୍ଡ କରାଇ ଦେଇନୁ।"

ଆଧାର ନମ୍ବର ଜରିଆରେ ରାସନ୍କାର୍ଡ ଯାଞ୍ଚ ପରିଚୟ ପ୍ରଦାନ ପ୍ରକ୍ରିୟାରେ ସବୁଠାରୁ ବଡ଼ ସଫଳତା ଭାବରେ ଦର୍ଶାଯାଉଛି। ସରକାରଙ୍କ ନିଜସ୍ୱ ପରିସଂଖ୍ୟାନ ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ପ୍ରଦାନ କରାଯାଇଥିବା ପ୍ରତି ପାଞ୍ଚଟି ରାସନ୍ କାର୍ଡ ମଧ୍ୟରୁ ଚାରୋଟିରୁ ଅଧିକ ଆଧାର ସହ ସଂଯୁକ୍ତ। 

ନିୟମ ଅନୁଯାୟୀ ଧର୍ମେନ୍ଦ୍ରଙ୍କର ଆଧାର ପରିଚୟ ଥିବା ଯୋଗୁଁ ରାସନ୍କାର୍ଡ ପାଇବା ତାଙ୍କ ପାଇଁ ଅଧିକ ସହଜ ହେବା ଉଚିତ୍। ମାତ୍ର ବାସ୍ତବରେ ଏଗୁଡ଼ିକ ମଧ୍ୟରୁ କିଛି ହାସଲ କରିବାର ପ୍ରକ୍ରିୟା ବିଶେଷ କରି ଅନ୍ଲାଇନ୍ରେ ଫର୍ମ ପୂରଣ କରିବା ଏ ଦୁନିଆର ଧର୍ମେନ୍ଦ୍ର ରାମମାନଙ୍କ ପାଇଁ ସବୁଠାରୁ ଜଟିଳ କାମ। ଏଥିରେ ସହଯୋଗ ପାଇବା ମଧ୍ୟ ସହଜ ନୁହେଁ। "ଏଇଟା ମୋ ବିଭାଗ ନୁହେଁ," ଏହା ସେମାନେ ସାମ୍ନା କରୁଥିବା ସାଧାରଣ ଔପଚାରିକ ଉତ୍ତର। 

Usha makes cow dung cakes at her brother Lalji Ram's home in Dandopur
PHOTO • Puja Awasthi
Usha Devi (Dharmendra’s wife, in centre) with her brother Lalji Ram and mother Chutki Devi in the village of Dandopur
PHOTO • Puja Awasthi

ଦାଣ୍ଡୁପୁର ଗ୍ରାମରେ ନିଜ ଭାଇ ଲାଲ୍ଜୀ ରାମଙ୍କ ଘରେ (ଡାହାଣ) ଉଷାଦେବୀ (ବାମ) ଗୋବର ଘଷି ପାରୁଛନ୍ତି। ଏଠାରେ ସେ ନିଜର ଅଧିକାଂଶ ସମୟ ବିତାଉଛନ୍ତି।

ଧରୌତା ଗ୍ରାମ ପ୍ରଧାନ (ନିର୍ବାଚିତ ସରପଞ୍ଚ) ତିଜା ଦେବୀ କୁହନ୍ତି, "ମୋ ସ୍ୱାମୀ ତାକୁ ଗୋଟିଏ ମୋଟର ସାଇକେଲରେ ବସାଇ ନାମ ପଞ୍ଜିକରଣ ପାଇଁ ନେଇଥିଲେ। ରାସନ୍ କାର୍ଡର ଦାୟିତ୍ୱ ସରପଞ୍ଚ ନୁହେଁ ବରଂ ପଞ୍ଚାୟତ ସେକ୍ରେଟାରୀଙ୍କର।"

ପଡ଼ୋଶୀମାନଙ୍କ ବର୍ଣ୍ଣନା ଅନୁଯାୟୀ ନିରକ୍ଷର ଧର୍ମେନ୍ଦ୍ର ଖୁବ୍ ଦାୟିତ୍ୱହୀନ ଏବଂ ଅଳସୁଆ, ଏସବୁ ଝାମେଲା ଭିତରେ ସେ କେବେ ବି ପଶି ନଥିବ। ୨୦୦୯ ମସିହାରେ ଆରମ୍ଭ ହେବା ପରେ ବିଭିନ୍ନ ସରକାରୀ ଯୋଜନା ସହ ଏହାକୁ ସଂଯୋଗ କରାଯାଉଛି। ଆଧାରର ସବିଶେଷ ବିବରଣୀ ବୁଝିବା କଷ୍ଟ, ଏପରିକି ଯେଉଁମାନଙ୍କ ପାଖରେ ଏହା ଅଛି ସେମାନଙ୍କ ପାଇଁ ମଧ୍ୟ। 

ଏମାନଙ୍କ ମଧ୍ୟରେ ଅଛନ୍ତି ଧର୍ମେନ୍ଦ୍ରଙ୍କର ଭାଉଜ ଭୁତାନୀ (ତାଙ୍କ ବଡ଼ ଭାଇ ନାହ୍ନେଙ୍କ ପତ୍ନୀ) କୁହନ୍ତି, "ଏହି ସରକାରୀ କାର୍ଡ ଭଲ ଜିନିଷ। ମୋର ଅଛି, କିନ୍ତୁ ମୁଁ ଠିକ୍ ଭାବରେ ଏହାକୁ ବୁଝିପାରୁନି। ଅନେକ କାଗଜପତ୍ର ଦରକାର। ଆମେ ଯେତେବେଳେ ପାରୁ ଧର୍ମେନ୍ଦ୍ରଙ୍କୁ ସାହାଯ୍ୟ କରୁ, କିନ୍ତୁ ଆମର ବି ସୀମା ଅଛି।" 

ଧର୍ମେନ୍ଦ୍ରଙ୍କ ଏକମାତ୍ର ରୋଜଗାର ବିବାହରେ ନାଚିବାରୁ ଆସେ। ଏହି କାମ ସବୁଦିନ ମିଳେନି ଏବଂ ରାତିରେ ନାଚରୁ ସେ ୫୦୦ ଟଙ୍କାରୁ ଅଧିକ ରୋଜଗାର ମଧ୍ୟ କରିପାରନ୍ତି ନାହିଁ। ତାଙ୍କ ବାପାଙ୍କର ଥିବା ଖଣ୍ଡେ ଛୋଟ ଜମି ଧର୍ମେନ୍ଦ୍ର ଓ ନାହ୍ନେଙ୍କ ମଧ୍ୟରେ ଭାଗ ହୋଇଯାଇଛି। ଧର୍ମେନ୍ଦ୍ରଙ୍କ ଭାଗ ଜମି ପଥୁରିଆ ତେଣୁ ଖୁବ୍ କମ୍ ଫସଲ ଅମଳ ହୁଏ। ସେ ଅନେକ ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ସହାୟତା ମାଗେ। ଉଷା ମଧ୍ୟ ଖାଦ୍ୟ ମାଗନ୍ତି। ବେଳେବେଳେ ଖାଦ୍ୟ ବଳିଥିଲେ ଲୋକେ ତାଙ୍କୁ ଡାକନ୍ତି। ଉଷା ଜୋର୍ ଦେଇ କୁହନ୍ତି," ମୋତେ କେବେ ଏଥିପାଇଁ ଲଜ୍ୟା ଲାଗେନି। ମୋର ୧୨ ବର୍ଷର ବିବାହ ଭିତରେ କେବେ ବି ପ୍ରଚୁର ଖାଦ୍ୟ ଥିବା ମୋର ମନେପଡ଼ୁନି। ବେଳେବେଳେ ଯେତେବେଳେ ତାଙ୍କ ପାଖରେ ଅର୍ଥ ଥାଏ ଆମେ ଟମାଟୋ ଓ ଡାଲି କିଣୁ। 

Sunita Raj, neighbour of Dharmendra in front of her home in the village of Dharauta (Allahabad)
PHOTO • Puja Awasthi
Ram Asrey Gautam (Dharmendra’s neighbour) at a tea shop in the village of Dharauta
PHOTO • Puja Awasthi

ସୁନିତା ରାଜ୍ (ବାମ) ଉଷାଙ୍କ ପରିବାକୁ କିଛି ବଳକା ଖାଦ୍ୟ ଦେଉଥିଲେ। କିନ୍ତୁ ଏହାଠାରୁ ଅଧିକ କରିପାରିବେନି। ରାମଗୌତମ (ଡାହାଣ) କୁହନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆମ ଗାଁ କୁ ସରକାରୀ ଅଧିକାରୀମାନଙ୍କୁ ଆଣିଛି।

କିନ୍ତୁ କଥା ହେଉଛି, ସେମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି କ୍ଷୁଧାରେ ମୃତ୍ୟୁବରଣ କରିବା ଧରୌତା ଗ୍ରାମରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଧର୍ମେନ୍ଦ୍ରଙ୍କ ଘରର ରାସ୍ତା ଆରପଟେ ଜରାଜୀର୍ଣ୍ଣ ଦେଖାଯାଉଥିବା ଗୋଲାପୀ ଘରଟି ୫୦ ବର୍ଷ ବୟସ୍କା ସୁନିତା ରାଜ୍ଙ୍କର। ଅନ୍ୟମାନଙ୍କ ମଧ୍ୟରେ ସେ ହିଁ ମଝିରେ ମଝିରେ ଉଷାଙ୍କୁ ଖାଦ୍ୟ ଦିଅନ୍ତି। ସେ କୁହନ୍ତି , ସର୍ବକାଳୀନ ସହଯୋଗ ଅସମ୍ଭବ । "ଯଦି ଆପଣ ଆମ ଘର ଦେଖିବେ, ତା’ହେଲେ ଜାଣିବେ ସେଥିରେ କିଛି ନାହିଁ। ଏହା କେବଳ ବାହାରକୁ ଚାରିକାନ୍ଥ। ମୋ (ମୃତ) ସ୍ୱାମୀ ପାଞ୍ଚ ବର୍ଷ ଅସୁସ୍ଥ ରହିବା ଭିତରେ ଆମର ସବୁ କିଛି ଚାଲିଗଲା। ଏବେ ମୋ ପୁଅର ବି ରୋଜଗାର ନାହିଁ। ଆପଣମାନେ ବି ଜାଣନ୍ତୁ, ମୁଁ ବି ଦିନେ ଭୋକରେ ମରିଯାଇପାରେ।" ଏ ଭୟର କାରଣ ବି ଅଛି। ସୁନିତାଙ୍କ ଆଧାର ସ୍ଥାନୀୟ ଠିକଣାରେ ହୋଇନାହିଁ। ତେଣୁ ପରିବାରର ରାସନକାର୍ଡରେ ତାଙ୍କ ନାମ ନାହିଁ। "ମୋ ସ୍ୱାମୀ ପୁନେରେ ଶ୍ରମିକଭାବରେ କାମ କରିବା ସମୟରେ ମୁଁ ଆଧାର କାର୍ଡ କରିଥିଲି। ମତେ କୁହାଯାଇଥିଲା ଔଷଧ ପାଇବାରେ ଏହା ସାହାଯ୍ୟ କରିବ, କିନ୍ତୁ ଏହା ହେଲା ନାହିଁ।" ଏକଥା ସେ କହିଥିଲେ। 

ଅନ୍ୟ ଜଣେ ପଡ଼ୋଶୀ ୬୬ ବର୍ଷ ବୟସ୍କ ରାମ ଆଶ୍ରୟ ଗୌତମ କୁହନ୍ତି ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଅସମ୍ଭବକୁ ସମ୍ଭବ କରିଦେଲା। ଆମ ଗାଁକୁ କୌଣସି ଅଧିକାରୀ ଗୁରୁତ୍ୱ ଦେଇ ନଥିଲେ। କିନ୍ତୁ ଏବେ ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଆଦି ସମସ୍ତେ ଆସି ପହଞ୍ଚିଲେ। ସେଇ ଗୋଟିଏ ଘଟଣାରେ ଆମ ଗାଁର ଭାଗ୍ୟ ବଦଳିଗଲା। 

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରଠାରୁ ଉଷା ନିଜର ଅଧିକାଂଶ ସମୟ ଭାଇ ଲାଲ୍ଜୀ ରାମ୍ଙ୍କ ଦାଣ୍ଡୁପୁର ଗ୍ରାମସ୍ଥ ଘରେ ବିତାଉଛନ୍ତି (ଧରୌତା ଠାରୁ ୧୯ କିମି ଦୂର)। ଚାରୋଟି ସନ୍ତାନର ଜନକ ଲାଲ୍ଜୀ କୁହନ୍ତି, ଯେତେବେଳେ ଧର୍ମେନ୍ଦ୍ର ବଞ୍ଚିଥିଲେ ସେତେବେଳେ ଗାଁ ଲୋକେ ତାଙ୍କୁ ସାହାଯ୍ୟ କଲେ ନାହିଁ। ଏବେ ତା’ ପାଖରେ ୫୭୦ ବର୍ଗ ମିଟର ଉର୍ବର ଚାଷଜମି ଥିବାରୁ ସେମାନେ ତା’ ପ୍ରତି ଇର୍ଷାନ୍ୱିତ। ଯେହେତୁ ସେ ମାନସିକ ଭାବରେ ଦୁର୍ବଳ ତେଣୁ ମୁଁ ତା’ ପାଇଁ ଏସବୁ ଦେଖାଶୁଣା କରୁଛି। 

ଉଷାଙ୍କ ପାଇଁ ଜମି ଓ ଆର୍ଥିକ ସହାୟତା କେବଳ ବାହୁଲ୍ୟ ମାତ୍ର। ସେ କୁହନ୍ତି, "ମୋ ସ୍ୱାମୀ ଗୋଟିଏ ଛୋଟ କାର୍ଡ ପାଇଁ ମୃତ୍ୟୁବରଣ କଲେ। ଏସବୁ କ’ଣ ତା’ର ମୂଲ୍ୟଦେଇପାରିବ।"

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Other stories by Puja Awasthi