୫୧ ବର୍ଷିୟା ପାର୍ବତୀ ଦେବୀ। ନିଜର ଭୋଟ ପରିଚୟ ପତ୍ର ଦେଖାଇ କହିଲେ, “ ଯଦି ମୋ ଆଙ୍ଗୁଠିରେ ଭୋଟ ଦେଇ ହେଉଛି, ତାହାଲେ ଆଧାର କାର୍ଡ ହେବାରେ ଅସୁବିଧା କେଉଁଠି?” ଏହି କାର୍ଡ ଦେଖାଇ ସେ ୧୯୯୫ ମସିହାରୁ ଭୋଟ ଦେଇ ଆସୁଛନ୍ତି।

ଅନେକ ବର୍ଷ ତଳୁ କୁଷ୍ଠରେ ତାଙ୍କ ଆଙ୍ଗୁଠି ସବୁ ନଷ୍ଟ ହୋଇ ଯାଇଛି। ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ୨୦୧୬-୧୭ ବାର୍ଷର ରିପୋର୍ଟ ଅନୁଯାୟୀ ଭାରତରେ ୮୬,୦୦୦ ଲୋକ କୁଷ୍ଠରେ ଆକ୍ରାନ୍ତ। ଏହା କେବଳ ରେକର୍ଡ ତଥ୍ୟ। ପ୍ରତିବର୍ଷ ଏହି ସଂଖ୍ୟା ବଢୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ଚିହ୍ନଟ ହେଉଥିବା ନୂଆ ୫ଜଣ କୁଷ୍ଠ ରୋଗୀଙ୍କ ମଧ୍ୟରେ ୩ ଜଣ ଭାରତୀୟ।

ଆଧାର କାର୍ଡ କରିବା ପାଇଁ ତାଙ୍କର ସବୁ ଉଦ୍ୟମ ବ୍ୟର୍ଥ ହୋଇ ଯାଇଛି। ଏହି ମ୍ୟାଜିକ୍ କାର୍ଡ ଖଣ୍ଡିକ ମିଳିଲେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଭତ୍ତା ମଳିବାର ଚାବି ​ଖୋଲିଯାଆନ୍ତ। ୨,୫୦୦ ଟଙ୍କାର ଭତ୍ତା ପାଇବା ପାଇଁ ତାଙ୍କର ସବୁ ଯୋଗ୍ୟତା ଅଛି। କିନ୍ତୁ ଆଧାର କାର୍ଡ ନାହିଁ।

ସେ କହନ୍ତି, “ଦୁଇ ବର୍ଷ ତଳେ ମୋ ପୁଅ ମୋତେ ଏକଥା କହିଥିଲେ। ତା ପରଠାରୁ ମୁଁ କାର୍ଡ ଖଣ୍ଡିକ ପାଇବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେଉଛନ୍ତି। ସେମାନେ କହୁଛନ୍ତି ଯେ ଆଙ୍ଗୁଠି ନଷ୍ଟ ହୋଇଯାଇଥିବାରୁ ମୋତେ କାର୍ଡ ମିଳୁନାହିଁ”।

ଭିଡିଓ ଦେଖନ୍ତୁ : ପାର୍ବତୀ ଦେବୀ କହନ୍ତି, ‘ବିନା ଆଧାରରେ ମୁଁ କେମିତି ଖାଇବି, କେମିତି ବଞ୍ଚିବି?’

‘ବିନା ଅପରାଧରେ ମୋ ଭଳି ଯେଉଁମାନଙ୍କ ହାତ ଭଗବାନ ନେଇଯାଇଛନ୍ତି, ସେମାନଙ୍କୁ କାହିଁକି ଆଧାର କାର୍ଡ ଦିଆଯାଉନି? ଏହା କଣ ଆମ ପାଇଁ ସବୁଠୁ ବେଶୀ ଜରୁରୀ ନୁହେଁ?’ ସେ ବିସ୍ମୟ ପ୍ରକାଶ କଲେ।

ଆଧାର କାର୍ଡ ପାଇଁ ପାର୍ବତୀ ସଂଘର୍ଷ କରୁଥିଲେ। ୨୦୦୯ରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ୧୨-ଅଙ୍କବିଶିଷ୍ଟ ଆଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପରଠାରୁ ବିଭିନ୍ନ ପ୍ରକାର ସେବା ଏବଂ ସରକାରୀ ଯୋଜନା ସହ ଏହାକୁ ସଂଯୋଗ କରାଯାଇଛି। ଏହି କାର୍ଡ ପାଇଁ ସେ ସବୁ ଜାଗାକୁ ଯାଇଛନ୍ତି। ମାୟାବତୀ କଲୋନୀରେ ଥିବା ସ୍ୱୀକୃତି ପ୍ରାପ୍ତ ଆଧାର ଭେଣ୍ଡର - ବସ୍ତି ଅଞ୍ଚଳ ଚୀନାହାଟ ବ୍ଲକ, ଯେଉଁଠି ସେ ରହନ୍ତି - ବ୍ଳକ୍ କାର୍ଯ୍ୟାଳୟ - ସବୁଠିକି ସେ ଯାଇଛନ୍ତି। ହେଲେ ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଫିଙ୍ଗରପ୍ରିଣ୍ଟ ମେସିନ ପାଇଁ ତାଙ୍କ ହାତ ଠିକ ନଥିବା ସମସ୍ତେ କହିଛନ୍ତି। ସାଙ୍ଗରେ ଭୋଟ ପରିଚୟ ପତ୍ର ନେଲେ ବି କେହି ଶୁଣନ୍ତି ନାହିଁ। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହନ୍ତି, “ମୁଁ ତ ସେହି ଗୋଟିଏ ଲୋକ, କିନ୍ତୁ ଏହା ସମ୍ଭବ ହୋଇପାରିବ?”

ପାର୍ବତୀ ଦେବୀଙ୍କ ଘର ବିହାର ମୁଜାଫରପୁର ଜିଲ୍ଲାର ବରିଆଠା ଉଦୟନଗର ଗାଁରେ। ପ୍ରାୟ ୩୦ ବର୍ଷ ତଳେ ଜଗଦିଶ ମହାତୋଙ୍କୁ ବିବାହ କରିବା ପରେ ସେ ଲକ୍ଷ୍ନୌ ଚାଲି ଆସିଥିଲେ। ତା ପରଠାରୁ ସହରରେ ଥିବା ଅଳିଆ ଗଦାରୁ ପ୍ଲାଷ୍ଟିକ, କାଚ ଏବଂ ଲୁହା ଗୋଟାଇବା କାମ କରନ୍ତି। ଏହାକୁ କବାଡିବାଲାକୁ ବିକି ଦିନକୁ ୫୦ରୁ ୧୦୦ ଟଙ୍କା ରୋଜଗାର କରନ୍ତି। ତାଙ୍କର ୬ଟି ପିଲା, ୧୧ରୁ ୨୭ ବର୍ଷ ମଧ୍ୟରେ। ପିଲାଙ୍କ ଭିତରେ ବୟସର ବ୍ୟବଧାନ ନାହିଁ। ଭୋର ୪ଟାରେ ତାଙ୍କ ରାତି ପାହେ। କାମଦାମ ଛିଡିବା ବେଳକୁ ରାତି ୧୧ଟା ।

A woman showing her Voter ID card
PHOTO • Puja Awasthi
A woman looking outside her window
PHOTO • Puja Awasthi

ବାମ: ଭୋଟ ପରିଚୟପତ୍ର ସହ ପାର୍ବତୀ: ‘ଯଦି ମୋ ଆଙ୍ଗୁଠି ଭୋଟ ଦେବାକୁ ସକ୍ଷମ ଆଧାର କାର୍ଡ ପାଇଁ କାହିଁକି ଅକ୍ଷମ?’

ଏବେ ସେ ଅଧିକାଂଶ ସମୟ ବାହାର ପଟ ଘରେ ପଡିଥିବା ଏକ କାଠ ଖଟରେ ବସି ରହୁଛନ୍ତି। ଆଉ ସ୍କ୍ରିନ୍ ପଛପଟୁ ପୃଥିବୀକୁ ଦେଖୁଛନ୍ତି। ଯେତେବେଳେ ସେ ନିଜକୁ ଖୁବ ଅଦରକାରୀ ବୋଲି ଭାବନ୍ତି, ସେତେବେଳେ ଘଣ୍ଟେ ଦି ଘଣ୍ଟା ପାଇଁ ବର୍ଜ୍ୟବସ୍ତୁ ସଂଗ୍ରହରେ ବାହାରିବାକୁ ସାହସ କରନ୍ତି।

ସେ କହନ୍ତି, “ ମୁଁ ଏକୁଟିଆ ଘର ଚଳୋଉଥିଲି। ଏବେ କିନ୍ତୁ ରାସନ ଆଣି ପାରୁନି।” ପାର୍ବତୀଙ୍କର ଅନ୍ତୋଦୟ କାର୍ଡ ଖଣ୍ଡିଏ ଅଛି। ସେଥିରେ ପବ୍ଲିକ୍ଡିଷ୍ଟ୍ରିବ୍ୟୁସନ ସିଷ୍ଟମ (ପିଡିଏସ) ତରଫରୁ ତାଙ୍କୁ ମାସକୁ ରିହାତି ଦାମରେ ୩୫ କିଲୋଗ୍ରାମ ଶସ୍ୟ (୨୦ କେଜି ଗହମ ଏବଂ ୧୫ କେଜି ଚାଉଳ) ମିଳିବା କଥା। କିନ୍ତୁ ଆଧାର କାର୍ଡ ନଥିବାରୁ ପିଡିଏସ ସାମଗ୍ରୀ ପାଇବାକୁ ପାର୍ବତୀ ଯୋଗ୍ୟତା ହରାଇଛନ୍ତି।

A man taking fingerprints on a machine for Aadhaar verification
PHOTO • Puja Awasthi

ପରିବା ବିକାଳି ସୁରଜି ସାହାଣୀଙ୍କ ଘସରା ହୋଇଯାଇଥିବା ଆଙ୍ଗୁଳି ବାୟୋମେଟ୍ରିକ୍ ସ୍କାନରରେ ଚିହ୍ନଟ ହୋଇ ପାରୁନି।

ରାସନ ଦୋକାନୀ ଫୁଲଚାନ୍ଦ ପ୍ରସାଦ କହିଲେ, “ପାର୍ବତୀ ଏଠାକୁ ଆସିବା ଦିନରୁ ମୁଁ ଚିହ୍ନିଛି। କିନ୍ତୁ ଆମକୁ ନିୟମ ପାଳନ କରିବାକୁ ପଡ଼ିବ।” ସେହିପରି ପାର୍ବତୀଙ୍କ ପଡୋଶୀ, ପରିବା ବିକାଳି ସୁରଜି ସାହାନି। ତାଙ୍କର ଆଧାର କାର୍ଡ ଅଛି। ହେଲେ ତାଙ୍କ ଆଙ୍ଗୁଠି ଘସରା ହୋଇଯାଇଥିବାରୁ ବାୟେମେଟ୍ରିକ୍ ମେସିନ୍ରେ ଚିହ୍ନଟ ହୋଇ ପାରୁନି। ଫୁଲଚାନ୍ଦ କହିଲେ, “ମେସିନ୍ ଯାହା କହିବ, ସେହି ଅନୁସାରେ ଆମକୁ କାମ କରିବାକୁ ପଡିବ।”  ସୁରଜି ବାରମ୍ବାର ଆଙ୍ଗୁଠି ଛାପ ଦେବାବେଳେ ମେସିନ୍ ମଧ୍ୟ ଅସ୍ୱାଭାବିକ ଆଚରଣ କରେ। (ପରିବାରୁ ଚୋପା ଛଡାଇଛଡାଇ ସୁରଜିଙ୍କ ଟିପ ଖରାପ ହୋଇଯାଇଛି)

ପରିବାରର ଆଉ କାହା ନାଁକୁ କାର୍ଡ ବଦଳାଇଦେଲେ ପାର୍ବତୀଙ୍କୁ ରାସନ ମିଳିପାରିବ। ନିଷ୍ପତ୍ତି ନେଉଥିବା ମେସିନ୍ ତାଙ୍କ ଟିପକୁ ଚିହ୍ନି ପାରୁଥିବା ଆବଶ୍ୟକ । ସେ ରାସନ ଦୋକାନକୁ ଗଲେ ଦୋକାନୀ ହଇରାଣ ହୋଇଯାଆନ୍ତି। ପାର୍ବତୀଙ୍କର ଦୁଇ ଝିଅ, ସେମାନେ ବିବାହିତା ଏବଂ ମୁମ୍ବାଇରେ ରହନ୍ତି। ଏହି ଦୁଇ ଭଉଣୀଙ୍କ ପାଖରେ ତାଙ୍କର ଦୁଇ ପୁଅ ରହନ୍ତି। ସେମାନେ କିଛି କରୁନାହାନ୍ତି। ସେଠାରୁ ପାଞ୍ଚ କିଲୋମିଟର ଦୂରରେ ଏକ ବିବାହ ମଣ୍ଡପର ତାଙ୍କ ସ୍ୱାମୀ ମାସିକ ୩,୦୦୦ ଟଙ୍କା ଦରମାରେ କାମ କରନ୍ତି ଏବଂ ସେଇଠି ରୁହନ୍ତି। ମାସରେ ତାଙ୍କୁ ଦୁଇ ଦିନ ଛୁଟି ମିଳେ। ଦୁଇ ଦିନ ଭିତରୁ ଗୋଟିଏ ଦିନ ରାସନ ଦୋକାନ ଆଗରେ ଧାଡିରେ ଛିଡ଼ା ହେବାରେ ଚାଲିଯାଏ। ପାର୍ବତୀ ଦେବୀଙ୍କର ଆଉ ଗୋଟିଏ ପୁଅ ୨୦ ବର୍ଷର ରାମ କୁମାର। ସେ ବି ସେହି ବର୍ଜ୍ୟବସ୍ତୁ ସଂଗ୍ରହ କରେ। କିନ୍ତୁ ଏ ଦିଗରେ ତାର ଆଗ୍ରହ ନାହିଁ। ସବୁଠୁ ସାନପୁଅ ୧୧ ବର୍ଷର ରାମ ଅଧର। ସେ ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲା। କିନ୍ତୁ ମାସିକ ସ୍କୁଲ ଦରମା ୭୦୦ ଟଙ୍କା ଦେଇ ନପାରିବାରୁ ସେ ପାଠ ଛାଡି ଦେଇଛି। ତା ନାଁରେ ଆଧାର କାର୍ଡ ଆବେଦନ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ମିଳିନାହିଁ ।

“ଆଧାର ନିଶ୍ଚିତ ଗୋଟିଏ ଭଲ ଜିନିଷ। କିନ୍ତୁ ମୋ ଭଳି ଲୋକ, ବିନା ଦୋଷରେ ଭଗବାନ ଯାହାଙ୍କ ହାତ ନେଇ ଯାଇଛନ୍ତି, ତାଙ୍କୁ ଏହା ନିଶ୍ଚିତ ଭାବେ କାହିଁକି ଦିଆଯାଉନି? ଆମ ପାଇଁ କଣ ଏହା ଅତି ଜରୁରି ନୁହେଁ ?”- ପାର୍ବତୀ

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Puja Awasthi

Puja Awasthi is a freelance print and online journalist, and an aspiring photographer based in Lucknow. She loves yoga, travelling and all things handmade.

Other stories by Puja Awasthi