ଗତ ତିନି ବର୍ଷରେ କେହି ଜଣେ ମଧ୍ୟ ହଳ ତିଆରି କରିବା ପାଇଁ କହିନାହାନ୍ତି । ଏପରିକି ଗୋଟିଏ କୁରାଢି ଓ କୋଦାଳ ବେଣ୍ଟ ମଧ୍ୟ ନୁହେଁ । ଯାହାର ଅର୍ଥ ହେଉଛି ବଙ୍ଗାରୁ ରାମାଚାରୀ, ଯିଏ ଚାଷୀମାନଙ୍କ ପାଇଁ ବିଭିନ୍ନ ଉପକରଣମାନ ନିର୍ମାଣ କରୁଥିଲେ, ସେ ଅସୁବିଧାରେ ଥିଲେ । ସେ ଅନେକ ବର୍ଷ ଧରି ମୁକୁନ୍ଦପୁରର ଏକମାତ୍ର ବଢେଇ ଭାବେ କାମ କରି ଆସୁଛନ୍ତି । ତାଙ୍କର ନିଜସ୍ୱ ଜମି ବା ଗୃହପାଳିତ ପଶୁ ନାହିଁ ଓ ସେ ଜଣେ ଚାଷୀ ମଧ୍ୟ ନୁହନ୍ତି । କିନ୍ତୁ ତାଙ୍କର ଭଲମନ୍ଦ ବିଷୟ ଆନ୍ଧ୍ର ପ୍ରଦେଶର ନାଳଗୋଣ୍ଡା ଜିଲ୍ଲାର ଏହି ଗ୍ରାମରେ ଚାଷକାମର ଭଲ ସ୍ଥିତି ଉପରେ ନିର୍ଭର କରିଥାଏ ।

“ଯେତେବେଳେ ଚାଷ ଖରାପ ହୁଏ, ସେତେବେଳେ କେବଳ ଚାଷୀମାନଙ୍କ ସ୍ଥିତି ନୁହେଁ ବରଂ ଅନ୍ୟ ସମସ୍ତଙ୍କ ସ୍ଥିତି ମଧ୍ୟ ଖରାପ ହୋଇଯାଏ” ବୋଲି ଜଣେ ରାଜନୈତିକ କର୍ମକର୍ତ୍ତା ଏସ୍‌. ଶ୍ରୀନିବାସ କହିଛନ୍ତି । ରାମାଚାରୀଙ୍କ ସହିତ ବହୁତ ଖରାପ ହୋଇଛି । ଅନାହାର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଏପରି ଗୋଟିଏ ଗ୍ରାମ ଯାହା ନାଗାର୍ଜୁନ ସାଗର ଡ୍ୟାମ୍‌ ପ୍ରକଳ୍ପର ବାମ କେନାଲ୍‌ ଦ୍ୱାରା ସର୍ବାଧିକ ଲାଭାନ୍ୱିତ ହେଉଥିବା ଏକ ସ୍ଥାନରେ ରହିଛି, ଯେଉଁଠାରେ ପୂର୍ବେ ବର୍ଷ ବର୍ଷ ଧରି ଭଲ ଫସଲ ହେଉଥିଲା, ସେହିପରି ଏକ ଗ୍ରାମରେ । 

ଚାଷ ସଂକଟ ଯୋଗୁଁ କେବଳ ଯେ ଚାଷୀମାନେ ଗମ୍ଭୀର ଭାବେ ପ୍ରଭାବିତ ହେଉଛନ୍ତି ତାହାନୁହେଁ. ବରଂ ଏହା ସହିତ ଯୋଡି ହୋଇ ରହିଥିବା ଅନ୍ୟ ସଂପ୍ରଦାୟର ଲୋକମାନଙ୍କୁ ମଧ୍ୟ ଗମ୍ଭୀର ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ଚାଷ ସଂକଟ ଯୋଗୁଁ ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବାବେଳେ କୁମ୍ଭାର, ଚମଡା କାମ କରୁଥିବା ଲୋକ, ବଢେଇ ଓ ଅନ୍ୟାନ୍ୟ ଅଣ-କୃଷି ଭିତ୍ତିକ ଗୋଷ୍ଠୀ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଏହି କ୍ଷେତ୍ରରେ ବିଭିନ୍ନ ଶ୍ରେଣୀ ମଧ୍ୟରେ ରହିଥିବା ଅତି ସୂକ୍ଷ୍ମ ଓ ବହୁ ପୁରାତନ ସଂଯୁକ୍ତିକରଣ ପଦ୍ଧତି ଏବେ ବହୁଳଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି ।

“ମୁଁ ବିଜୟୱାଡାରେ ଚପଲ୍‌ କମ୍ପାନିରେ କାମ କରୁଥିବାରୁ ଘରେ ନଥିଲି,” ବୋଲି ରାମାଚାରୀଙ୍କ ବିଧବା ଅରୁଣା କୁହନ୍ତି । ଭୋଦ୍ଦ୍ରାଙ୍ଗୀ (ବଢେଇ) ଜାତିର ମହିଳାମାନେ ସାଧାରଣତଃ କାମ ସନ୍ଧାନରେ ବିଦେଶ ଗମନ କରନ୍ତିନାହିଁ। ସେ କୁହନ୍ତି ଯେ “ ଆମ ପାଖରେ କିନ୍ତୁ ଅନ୍ୟ କୌଣସି ବିକଳ୍ପ ନଥିଲା,” । “ମୁଁ ଏହା ପୂର୍ବରୁ କେବେ ମଧ୍ୟ କାମ କରିବାକୁ ଅନ୍ୟ ସ୍ଥାନକୁ ଯାଇନଥିଲି । ତେବେ, ଏଠାରେ ମଧ୍ୟ କାମ ମିଳିବା ଆଶା ପ୍ରାୟତଃ ଶୂନ ହୋଇଯାଇଥିଲା ।’’ ତେଣୁ ସେ ତାର ତିନୋଟି ସନ୍ତାନଙ୍କୁ ତାର ସ୍ୱାମୀଙ୍କ ହେପାଜତରେ ଛାଡି ଏକ ମାସ ପାଇଁ କାମ କରିବାକୁ ଆସିଥାଏ । 

“ରାମାଚାରୀଙ୍କର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାହକ ଥିଲେ,” ବୋଲି ଶ୍ରୀନିବାସ କହନ୍ତି । “ ତାଙ୍କ ସେବା ବଦଳରେ ସେମାନେ ତାଙ୍କୁ ଧାନ ଦେଉଥିଲେ । ପ୍ରତ୍ୟେକ ତାଙ୍କୁ ବର୍ଷକୁ ୭୦ କିଲୋଗ୍ରାମ ଦେଉଥିଲେ ।’’ ଏହି ପ୍ରକାରେ ସେ ପାଉଥିବା ୨,୮୦୦ କିଲୋରୁ ନିଜ ପରିବାର ପାଇଁ ଯାହା ଆବଶ୍ୟକ ସେତିକି ରଖି ବଳକା ଧାନ ବଜାରରେ ବିକ୍ରି କରିଦେଉଥିଲେ । “ସେ ୭୦କିଲୋ ପାଇଁ ପ୍ରାୟ ୨୫୦ଟଙ୍କା ପାଉଥିଲେ । ମନେରଖନ୍ତୁ, ଏହା ଧାନ ଅଟେ, ଚାଉଳ ନୁହେଁ । ତଥାପି, ସେ ନିଜ ପରିବାରର ଆବଶ୍ୟକତା ମେଣ୍ଟେଇବା ପାଇଁ ଆବଶ୍ୟକ ପରିମାଣର ଧାନ ରଖିବାପରେ ଯାହା ବିକ୍ରି କରୁଥିଲେ, ସେଥିରୁ ବର୍ଷକୁ ପ୍ରାୟ ୪୦୦୦ଟଙ୍କା ପାଇପାରୁଥିଲେ । ‘‘ସେଥିରେ ସେ ନିଜ ପରିବାରର ଆବଶ୍ୟକତା ପୂରଣ କରୁଥିଲେ ।’’ 

ପୂର୍ବରୁ ତାଙ୍କ ଗ୍ରାହକଙ୍କ ସଂଖ୍ୟା ଆହୁରି ଅଧିକ ଥିଲା, କିନ୍ତୁ ତାଙ୍କର ଅର୍ଥନୈତିକ ଅଭିବୃଦ୍ଧି ସମୟରେ ହିଁ ବିଭିନ୍ନ ସମସ୍ୟା ଦେଖାଦେଲା । ଗ୍ରାମକୁ ୧୨ଟି ଟ୍ରାକ୍ଟର ଆସିବା ଯୋଗୁଁ କାମର ବୋଝ କମିଗଲା । “ ଏହା ଦ୍ୱାରା ସେହି ଲୋକମାନେ ବହୁଳଭାବେ କ୍ଷତିଗ୍ରସ୍ତ ହେଲେ ଯେଉଁମାନେ ନିଜ ହାତରେ କାମ କରୁଥିଲେ,” ବୋଲି କେ. ଲିଙ୍ଗୟା କୁହନ୍ତି । ତାପରେ ତାଙ୍କ ପରି ଜମିହୀନ କର୍ମଚାରୀଙ୍କ ଦୁଃସମୟ ଆସିଗଲା । ରାମାଚାରୀଙ୍କ ପାଇଁ ଏହା କୌଣସି ଗମ୍ଭୀର ମାନସିକ ଆଘାତ ଠାରୁ କମ୍‌ ନଥିଲା । ତେବେ ମଧ୍ୟ ସେ ନିଜ ବ୍ୟବସାୟକୁ ଛାଡିଲେ ନାହିଁ, ବରଂ ଏଥିରେ ତିଷ୍ଠି ରହିବା ପାଇଁ ସଂଘର୍ଷ ଜାରି ରଖିଲେ । “ ତାଙ୍କର ଅନ୍ୟ କୌଣସି ବିଷୟରେ ଦକ୍ଷତା ନଥିଲା,” ବୋଲି ଅରୁଣା କୁହନ୍ତି । ସେ (ପୁରୁଷ) ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ସେ (ମହିଳା) ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

PHOTO • P. Sainath

ଅରୁଣା ତାଙ୍କ ପିଲାମାନଙ୍କୁ ସ୍ୱାମୀଙ୍କ ହେବାଜତରେ ଛାଡି ଏକ ମାସ ପାଇଁ କାମ କରିବାକୁ ଯାଉଥିଲେ

ଟ୍ରାକ୍ଟର କେବଳ ଆରମ୍ଭ ମାତ୍ର । ୧୯୯୦ରେ କୃଷିକ୍ଷେତ୍ରରେ ଘରୋଇ ବା ସରକାରୀ ସ୍ତରରେ କୌଣସି ନିବେଶ ହୋଇନଥିଲା । ଏହା ସହିତ ଫସଲ ହାନି ଏହି କ୍ଷେତ୍ରକୁ ନିଷ୍କ୍ରିୟ କରିଦେଲା । ଚାଷୀମାନେ ଆଉ ସେମାନଙ୍କ ଉପକରଣ ଓ ସରଞ୍ଜାମଗୁଡିକୁ ବଦଳାଇଲେ ନାହିଁ । ଏହା ରାମାଚାରୀଙ୍କ ପାଇଁ ଘୋର ବିପତ୍ତି ଆଣିଲା । “ଆମେ ଉପକରଣଗୁଡ଼ିକ ବଦଳରେ କ’ଣ ଦେବୁ ? ଆମେ କିଭଳି ଭାବେ ତାହାର ବ୍ୟୟଭାର ସମ୍ଭାଳିବୁ? ନୂଆ ଜିନିଷ ଆମର କି କାମରେ ଲାଗିବ?” ବୋଲି ଏହି ଗ୍ରାମର ଲୋକମାନେ ପଚାରୁଛନ୍ତି । ଏହା ସହିତ, ଯାହା କିଛି ଚାଷ କାମ ହେଉଥିଲା ସେଥିରେ ପୁରୁଣା, ଭାଙ୍ଗିଯାଇଥିବା ଉପକରଣଗୁଡ଼ିକ ଆହୁରି ନଷ୍ଟ ହୋଇଗଲା ।

ଏବେ କେନାଲ୍‌ରେ ମଧ୍ୟ ଅଳ୍ପ ପାଣି ରହୁଛି ବା ଆଦୌ ପାଣି ରହୁନି, ଏଣୁ ସେଥିରୁ ମଧ୍ୟ କିଛି ସୁଫଳ ମିଳୁନାହିଁ ।

ଇତିମଧ୍ୟରେ, ସମସ୍ତେ ଅଳ୍ପବହୁତ ଋଣଗ୍ରସ୍ତ ହୋଇଗଲେଣି । ଚାଷ କାର୍ଯ୍ୟରେ ଇନ୍‌ପୁଟ୍‌ ବ୍ୟୟ ବୃଦ୍ଧି ହେବା ଓ ଚାଷକାମରେ ବିଫଳତା ଯୋଗୁଁ ଅନେକ କେବଳ ସ୍ଥିତିକୁ ସମ୍ଭାଳିବା ପାଇଁ ଅର୍ଥ ଋଣ କରିଛନ୍ତି । ରାମାଚାରୀ, ୪୫, ଯିଏ ଜଣେ ଦକ୍ଷ କାରିଗର ଅଟନ୍ତି, ଏହି ରାସ୍ତାରେ ଯିବାକୁ ଆଗ୍ରହୀ ନୁହନ୍ତି । ପ୍ରକୃତପକ୍ଷେ, ସେ ଧାର କରିଥିବା ଏହି ୬୦୦୦ଟଙ୍କା ଏହି ଅଞ୍ଚଳ ପାଇଁ ସର୍ବନିମ୍ନ ଅଟେ ।

“ଏହି ଗ୍ରାମକୁ କେବଳ କୋଅପରେଟିଭ୍‌ ସୋସାଇଟି ବ୍ୟାଙ୍କକୁ ୨୨ଲକ୍ଷ ଟଙ୍କା ଦେବାକୁ ଅଛି,” ବୋଲି କେ.ରେଡ୍ଡି, ଏହି ଅନୁଷ୍ଠାନର ଜଣେ ଅଧିକାରୀ କୁହନ୍ତି। ଗ୍ରାମୀଣ ବ୍ୟାଙ୍କ ଓ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦକୁ ମଧ୍ୟ ସେମାନଙ୍କୁ ଯଥାକ୍ରମେ ପ୍ରାୟ ୧୫ଲକ୍ଷ ଓ ୫ଲକ୍ଷ ଟଙ୍କା ପରିଶୋଧ କରିବାକୁ ଅଛି । “ତେବେ ଏହା ପରିଶୋଧ କରିବାକୁ ଥିବା ସର୍ବାଧିକ ପରିମାଣର ଅର୍ଥ ନୁହେଁ,” ବୋଲି ବାମପନ୍ଥୀ କାର୍ଯ୍ୟକର୍ତ୍ତା ଏସ୍‌. ଶ୍ରୀନିବାସ କୁହନ୍ତି । "ମୁକୁନ୍ଦପୁରମ୍‌କୁ ଏହାଠାରୁ ବହୁତ ଅଧିକ ପରିମାଣର ଅର୍ଥ ଋଣଦାତାମାନଙ୍କୁ ପରିଶୋଧ କରିବାକୁ ଅଛି” । “ସମ୍ଭବତଃ ଏହାର ପରିମାଣ ତିନିଗୁଣ ଅଧିକ ହୋଇପାରେ ବୋଲି ଏଠାର ଲୋକମାନେ କହୁଛନ୍ତି । 

ଏହାର ଅର୍ଥ ଏହା ଯେ ଏହି ଗ୍ରାମରେ ରହୁଥିବା ୩୪୫ଟି ପରିବାର ଉପରେ ମୋଟ ୧.୫କୋଟି ଟଙ୍କାର ଋଣ ବୋଝ ରହିଛି । ସେବେଠାରୁ ଏଠାରେ ଲୋକମାନଙ୍କୁ ବଞ୍ଚି ରହିବା ପାଇଁ ନିରନ୍ତର ସଂଘର୍ଷ କରିବାକୁ ପଡୁଥିବାବେଳେ ଚାଷକାମର ହାର ଦିନକୁ ଦିନ କମିବାରେ ଲାଗିଛି । ଏହାସହିତ ଏକର୍‌ ପିଛା ଜମିର ମୂଲ୍ୟ ମଧ୍ୟ କମିବାରେ ଲାଗିଛି, ଯାହା ୧୨୦,୦୦୦ ଟଙ୍କାରୁ ଖସି ୬୦,୦୦୦ଟଙ୍କାରେ ପହଞ୍ଚିଛି । “ସାଧାରଣତଃ, ଲୋକମାନେ ସେମାନଙ୍କ ଜମି ବିକ୍ରି କରିବାକୁ ଘୃଣା କରନ୍ତି,” ବୋଲି ଜିଲ୍ଲା ରୟତୁ  ସଂଘମ୍‌ର ସଦସ୍ୟ ଗାଙ୍ଗି ନାରାୟଣ ରେଡ୍ଡି କୁହନ୍ତି । “ତେବେ ଯେଉଁମାନେ ହତାଶ ହୋଇ ଜମି ବିକ୍ରି କରିବାକୁ ଚାହୁଁଛନ୍ତି, ସେମାନଙ୍କ ଠାରୁ ଜମି କିଣିବାକୁ କେହି ମଧ୍ୟ ନାହାନ୍ତି ।

କିଛି ଟ୍ରାକ୍ଟର ମାଲିକଙ୍କୁ ସେମାନଙ୍କ ମେସିନ୍‌ସବୁ ଋଣଦାତାଙ୍କୁ ଦେଇଦେବାକୁ ପଡୁଛି ।  ଯେଉଁ ଚାଷୀଙ୍କ ପାଖରେ ଟ୍ରାକ୍ଟର ନାହିଁ ସେମାନେ ମଧ୍ୟ ଉପକରଣଗୁଡିକୁ ବଦଳାଉନାହାନ୍ତି, ଏଣୁ ରାମାଚାରୀଙ୍କ ଯନ୍ତ୍ରଣା ଅପସାରଣ ହୋଇପାରୁନି । “ପ୍ରତିବର୍ଷ ତାଙ୍କର ଗ୍ରାହକ ସଂଖ୍ୟା (ପ୍ରାୟ ତିନି ରୁ ଚାରି)  କମିବାରେ ଲାଗିଛି,” ବୋଲି ଶ୍ରୀନିବାସ କହିଛନ୍ତି । ଅଧିକନ୍ତୁ କିଛି ଦିନ ତଳେ ଗ୍ରାମବାସୀ ବିଭିନ୍ନ କାରଣରୁ ବାଧ୍ୟ ହୋଇ ୩୦ରୁ ଅଧିକ ବଳଦ ବିକ୍ରି କରିଦେଇଛନ୍ତି । ଯେହେତୁ ବଢେଇମାନେ ଏମାନଙ୍କ ପାଇଁ ଆବଶ୍ୟକ ଅନେକ ଜିନିଷ ତିଆରି କରୁଥିଲେ, ଏଣୁ ଏମାନଙ୍କୁ ବିକ୍ରି କରିଦେବା ଅର୍ଥ ବଢେଇମାନଙ୍କ ପାଇଁ ଅଳ୍ପ କାମ ଉପଲବ୍ଧ ହେବା ଅଟେ ।

ତା’ପରେ ପ୍ରବାସ କଥା ଦେଖିବା । “ପୂର୍ବରୁ ପ୍ରତି ବର୍ଷ ଏହି ସ୍ଥାନକୁ ପ୍ରାୟ ୫୦୦ରୁ ଅଧିକ ଶ୍ରମିକ ବିଭିନ୍ନ କ୍ଷେତ୍ରରେ କର୍ମନିଯୁକ୍ତି ପାଇବା ପାଇଁ ଆସୁଥିଲେ, କହନ୍ତି ଗାଙ୍ଗି ରେଡ୍ଡି । ସେହି ଦିନ ଆଉ ନାହିଁ । ବର୍ତ୍ତମାନ ଏଠାରୁ ୨୫୦ଲୋକ କର୍ମ ଅନୁସନ୍ଧାନରେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି।’’

ଗତ ବର୍ଷ ସମସ୍ତ ଗ୍ରାମବାସୀଙ୍କୁ ଭୋକଉପାସରେ କାଳାତିପାତ କରିବାକୁ ପଡିଥିଲା । ସବୁଠାରୁ ଅଧିକ ବୋଧହୁଏ ରାମଚାରୀଙ୍କୁ ସହିବାକୁ ପଡିଥିଲା । ତେବେ ବିଡ଼ମ୍ବନାର ବିଷୟ ଏହା ଯେ, ଯେଉଁ ଦୁଇ ବର୍ଷରେ ସେମାନଙ୍କୁ ଘୋର ଦୁଃର୍ଦ୍ଦଶା ମଧ୍ୟ ଦେଇ ଗତି କରିବାକୁ ପଡ଼ିଲା, ସେହି ସମୟରେ ଏହି ଦେଶର ଗରିବମାନଙ୍କୁ ଚାଉଳ କିଣିବା ପାଇଁ ଯେଉଁ ସର୍ବନିମ୍ନ ମୂଲ୍ୟ ପ୍ରଦାନ କରିବାକୁ ପଡୁଥିଲା, ତା’ଠାରୁ ମଧ୍ୟ କମ୍‌ ମୂଲ୍ୟରେ ଭାରତରୁ ବିଦେଶକୁ ଚାଉଳ ରପ୍ତାନୀ କରାଯାଉଥିଲା । କେବଳ ଗୋଟିଏ ଥର ପାଇଁ ଯେତେବେଳେ ଏହି ବଢେଇ ଜଣକ ନିଜ ପଡିଶାଘରୁ କିଛି ଟଙ୍କା ଧାର କରିଥିଲେ, ସେହି ଟଙ୍କାରେ ସେ କିଛି ନୋକାଲୁ (ଖୁଦ) କିଣିଥିଲେ । ବଳକା ନୋକାଲୁ ଏବେ ମଧ୍ୟ ତାଙ୍କ ଘରେ ପଡ଼ିରହିଛି । ଏସବୁକୁ ଫିଙ୍ଗିଦେବା ପାଇଁ ଅରୁଣା ନିଜ ମନକୁ ବୁଝାଇ ପାରୁନାହାନ୍ତି।

ଯେତେବେଳେ ସେ ସହରରେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲେ ସେତେବେଳେ ଭୋକ ଯୋଗୁଁ ରାମାଚାରୀଙ୍କ ଯନ୍ତ୍ରଣା ବଢିଯାଇଥିଲା । “ଆମେ ପ୍ରାୟତଃ ପିଲାମାନଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଉଥିଲୁ,” ବୋଲି ତାଙ୍କର ଜଣେ ପଡୋଶୀ ମୁଥମ୍ମା କୁହନ୍ତି । “କିନ୍ତୁ ସେ ଏପରି ଅଭିନୟ କରୁଥିଲେ ଯେପରିକି ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ସେ ଗତ ସପ୍ତାହରେ ପାଞ୍ଚଦିନ ପର୍ଯ୍ୟନ୍ତ ଖାଦ୍ୟର ଏକ କଣିକା ମଧ୍ୟ ଖାଇନଥିଲେ କିନ୍ତୁ ସେ ଏହା ପ୍ରକାଶ କରିବାକୁ କୁଣ୍ଠିତ ଥିଲେ ।” ପଡୋଶୀଙ୍କ ଅବସ୍ଥା ମଧ୍ୟ ଖରାପ ଥିଲା । ତଥାପି ସେମାନଙ୍କ ସହାୟତା ଯୋଗୁଁ ମୋର ପିଲାମାନେ ବଞ୍ଚି ରହିପାରିଛନ୍ତି । ଚଳିତ ବର୍ଷ ମେ ୧୫ରେ ରାମାଚାରୀଙ୍କ ମୃତ୍ୟୁ ହୋଇଗଲା । ଅରୁଣା ବିଜୟୱାଡାରୁ ଆସି ପହଞ୍ଚିବା ପୂର୍ବରୁ ସେ ମରିଯାଇଥିଲେ ।

ରାମାଚାରୀ ଏକ ବହୁସ୍ତରୀୟ ସଂକଟ ଭିତରେ ବୁଡିରହିଥିଲେ । ଯାହା ମଧ୍ୟରୁ ଅନେକ ସଂକଟ ଯୋଗୁ ଏହି ରାଜ୍ୟରେ ଅନେକ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ଏଥିଯୋଗୁ ଆନ୍ଧ୍ରରେ ଚାଷକାମ ବିପର୍ଯ୍ୟସ୍ତ ହୋଇଛି । ନିବେଶ ଶୂନ । ଉଚ୍ଚ ଇନ୍‌ପୁଟ୍‌ ମୂଲ୍ୟ । ଫସଲ ହାନି । ଋଣଭାର ବଢୁଛି । ବ୍ୟାପକ ସରକାରୀ ଅବହେଳା । ଦକ୍ଷତାର ଚାହିଦା କମିବା । ଏହାସହିତ ଅନ୍ୟାନ୍ୟ ବହୁତ କିଛି। 

ଅରୁଣାଙ୍କ ପରିବାରକୁ ସରକାର ସହାୟତା ପ୍ରଦାନ କରିବେ, ଏନେଇ ସେ ଏବେ ମଧ୍ୟ ଆଶାବାଦୀ ଅଛନ୍ତି । ଯଦି ରାମାଚାରୀଙ୍କ କଥା ବିଚାର କରାଯାଏ, ତେବେ ଏକ ମାତ୍ର ସରକାରୀ କାର୍ଯ୍ୟକ୍ରମ ଯାହା ପାଇଁ ସେ ଆବେଦନ କରିଥିଲେ, ତାହା ହେଉଛି ‘ଆଧର୍ଣ୍ଣା’ । ଏକ କାର୍ଯ୍ୟକ୍ରମ ଯେଉଁଥିରେ କାରିଗରମାନଙ୍କୁ ନୂତନ ଉପକରଣମାନ ପ୍ରଦାନ କରାଯାଇଥାଏ । ତେବେ ସେହି ଉପକରଣଗୁଡିକ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

PHOTO • P. Sainath

‘ଏହି ଉପକରଣଗୁଡିକ [ଚାଷ] ବଦଳରେ ଆମେ କ’ଣ ଗ୍ରହଣ କରିବୁ? ନୂଆ ଜିନିଷ ଆମର କେଉଁ କାମରେ ଆସିବ?’ ବୋଲି ଗ୍ରାମବାସୀମାନେ ପଚାରୁଛନ୍ତି

ଏହି  ଆର୍ଟିକଲ୍‌ର ଏକ ସଂକ୍ଷେପଣ  ପ୍ରଥମେ ଦ ହିନ୍ଦୁରେ ପ୍ରକାଶିତ ହୋଇଥିଲା । 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath