html ମୃତ୍ୟୁ ପରର ଉଦ୍ୟୋଗ

କାଥୁଲାପ୍ପା ତାଙ୍କ ନାତି ନରସିମୁଲୁ ସହ। ତାଙ୍କ ପୁଅ ଚିନ୍ନା ସାଇନ୍ନା ୨୦୦୩ ଡିସେମ୍ବରରେ ଆତ୍ମହତ୍ୟା କରିବା ସମୟରେ କୌଣସି ଶବ ବ୍ୟବଚ୍ଛେଦ ପରୀକ୍ଷା କରାଯାଇନଥିଲା। ସେମାନେ ଏହାର ବ୍ୟୟ ବହନ କରିପାରିନଥାନ୍ତେ

ମେହେବୁବ ନଗର, ମେଡାକ ଓ ଅନନ୍ତପୁର

ଏ କାଥୁଲାପ୍ପା ଆମ ସହ ତାଙ୍କ ପୁଅ ଚିନ୍ନା ସାଇନ୍ନା ସମ୍ପର୍କରେ କଥାବାର୍ତ୍ତା କରିବାକୁ ଚାହୁଁଥିଲେ, କିନ୍ତୁ ପାରିଲେନି। ପ୍ରତ୍ୟେକ ଥର ଚେଷ୍ଟା କରିବା ସମୟରେ ଏହି ବୃଦ୍ଧ ବ୍ୟକ୍ତିଙ୍କ ଆଖିରେ ଲୁହ ଭରି ଯାଉଥିଲା। ତେଣୁ  ଏହି କାହାଣୀଟି ଆମକୁ କହିବା ପାଇଁ ସେ ତାଙ୍କ ନାତି ନରସିମୁଲୁକୁ କହିଲେ। ଏହା ଆନ୍ଧ୍ରପ୍ରଦେଶରେ ଆତ୍ମହତ୍ୟା କରିଥିବା ଅନ୍ୟ ଶହ ଶହ କୃଷକଙ୍କ ଠାରୁ ଭିନ୍ନ ନଥିଲା। ତେବେ ଏହି କାହାଣୀର ଗୋଟିଏ ମୋଡ଼ ଥିଲା। 

ଏହି ପରିବାରର କୌଣସି କ୍ଷତିପୂରଣ ପାଇବାର ସୁଯୋଗ ପ୍ରାୟ ଶୂନ୍ୟ ଥିଲା। ଯେତେବେଳେ ସାଇନ୍ନା ମେହେବୁବ ନଗର ଜିଲ୍ଲାର ଜେଙ୍ଗରାଲାଠାରେ ଗତ ଡିସେମ୍ବର ମାସରେ ଆତ୍ମହତ୍ୟା କଲେ ସେତେବେଳେ କୌଣସି ଶବ ବ୍ୟବଚ୍ଛେଦ ପରୀକ୍ଷା କରାଯାଇନଥିଲା। ଏହାର ଅର୍ଥ ସେମାନେ ବର୍ତ୍ତମାନ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ପ୍ରମାଣ କରିପାରିବେ ନାହିଁ।

ଏହା କରାଯାଇନଥିଲା କାରଣ ସେମାନେ ଏହାର ବ୍ୟୟ ବହନ କରିପାରିନଥାନ୍ତେ ଏବଂ ଏହିପରି ଅନେକ ପରିବାର ରହିଛି ଯେଉଁମାନେ ଶବ ବ୍ୟବଚ୍ଛେଦ କରାଇନାହାନ୍ତି। କେତେଜଣ ଭାବନାତ୍ମକ କାରଣରୁ, ଅନ୍ୟମାନେ ଏହାର ଖର୍ଚ୍ଚ ଖୁବ୍‌ ଅଧିକ ବୋଲି। 

ଅଧିକାଂଶ ସ୍ଥାନରେ ‘ପୋଷ୍ଟ ମର୍ଟମ’ (‘ମୃତ୍ୟୁ ପର’ ନିମନ୍ତେ ଲାଟିନ ଶବ୍ଦ) ଶବ ବ୍ୟବଚ୍ଛେଦ କିମ୍ବା ମୃତ୍ୟୁ ପରେ ଶରୀରର ପରୀକ୍ଷାକୁ ବୁଝାଇଥାଏ।

ଏହା ମୃତ୍ୟୁର କାରଣ ସ୍ଥିର କରିବାରେ ସାହାଯ୍ୟ କରିବା ପାଇଁ। ଗ୍ରାମୀଣ ଆନ୍ଧ୍ରପ୍ରଦେଶର ଅଧିକାଂଶ ସ୍ଥାନରେ ଏହା ଅନେକ କିଛିକୁ ବୁଝାଏ। ଏହା ଏକ ବର୍ଦ୍ଧନଶୀଳ ମୃତ୍ୟୁ ପରବର୍ତ୍ତୀ ଉଦ୍ୟୋଗ। 

ଏଥିପାଇଁ ପୈଠ କରିବା ।

ଏହାର ଅର୍ଥ ହେଉଛି, ଉଦାହରଣସ୍ୱରୂପ, ‘‘ଆପଣଙ୍କୁ ପୋଲିସକୁ, ଡାକ୍ତରକୁ, ପିଅନକୁ ଏବଂ ଶବ ଡାକ୍ତରଖାନା ନେଉଥିବା ବ୍ୟକ୍ତିକୁ ଅର୍ଥ ଦେବାକୁ ହେବ’’ ଏକଥା ଜେଙ୍ଗେରାଲଠାରେ ଜି.ଶେଖର କୁହନ୍ତି। ଆମେ ଏହା ଶୁଣି ବିଚଳିତ ହେବା ଦେଖି ସେ ହସିଲେ; ‘‘ଆଶ୍ଚର୍ଯ୍ୟ ହେଉଛନ୍ତି? ଯେତେବେଳେ ଜଣେ ଅଧିକାରୀଙ୍କଠାରୁ ସାଧାରଣ ଦସ୍ତଖତଟିଏ ପାଇବା ପାଇଁ ଟ. ୫୦ ଖର୍ଚ୍ଚ କରିବାକୁ ହୁଏ, ଆପଣ ଭାବୁଛନ୍ତି କି ଏହା ମାଗଣାରେ ହୋଇଯିବ?’’

ନିୟମ ଅନୁଯାୟୀ, ହଁ। ଶବ ବ୍ୟବଚ୍ଛେଦ ପାଇଁ କୌଣସି ଦେୟ ନାହିଁ। କିନ୍ତୁ ଲୋକମାନେ ଅର୍ଥ ଦେବାକୁ ବାଧ୍ୟ ହୁଅନ୍ତି।

ଆମେ ଛଅଟି ଜିଲ୍ଲାରେ ସର୍ବେକ୍ଷଣ କରିଥିବା ଆତ୍ମହତ୍ୟା ପୀଡ଼ିତ ଅଧିକାଂଶ ପରିବାର ଏଥିପାଇଁ ଅର୍ଥ ବ୍ୟୟ କରିଛନ୍ତି। 

ଅନେକ ପାଖାପାଖି ଟ. ୫,୦୦୦ ଖର୍ଚ୍ଚ କରିଛନ୍ତି। ଆଉ କେତେଜଣ ଏହାଠାରୁ ଅନେକ ଅଧିକ ଖର୍ଚ୍ଚ କରିଛନ୍ତି। କେତେଜଣ ଏହି ପ୍ରକ୍ରିୟା ଦେଇଯିବା ପାଇଁ ଟ. ୧୦,୦୦୦ ପର୍ଯ୍ୟନ୍ତ ବ୍ୟୟ କରିଛନ୍ତି।

ଡକ୍ଟର ଏମ୍‌. ଗେୟାନନ୍ଦ କୁହନ୍ତି, ‘‘ଏହା ବେଆଇନ। ଯେଉଁ ଲୋକମାନେ ଶୋକରେ ଅଛନ୍ତି ଏବଂ ଏତେ ଋଣରେ ଅଛନ୍ତି। ସେମାନଙ୍କୁ ଯନ୍ତ୍ରଣା ଦେବା ମଧ୍ୟ ହୃଦୟହୀନତା’’। ଅନନ୍ତପୁରରେ ଡାକ୍ତର ଭାବରେ କାର୍ଯ୍ୟ କରୁଥିବା ସେ କୁହନ୍ତି ଯେ: ‘‘ପରିବାରରେ ଜଣେ ଋଣ କାରଣରୁ ନିଜର ଜୀବନ ନେଇଗଲା। ଏହାପରେ ଏହି ଚାପ ଏଥିରୁ ଅଧିକ ଲାଭ ବାହାର କରିବା ପାଇଁ।’’ ଅର୍ଥ ବ୍ୟୟ କରିଥିବା ଅଧିକାଂଶ ଖୋଲାଖୋଲି ଭାବରେ ବିଭିନ୍ନ ଲୋକଙ୍କ ପାଇଁ କେତେ ଅର୍ଥ ବ୍ୟୟ କରିଛନ୍ତି ତାହା ପ୍ରକାଶ କରନ୍ତି। କିନ୍ତୁ ପୋଲିସକୁ କେତେ ଦେଇଛନ୍ତି ତାହା କହିବା ପାଇଁ ଭୟ କରନ୍ତି। ସାଧାରଣତଃ ଯେଉଁ ବ୍ୟକ୍ତି ଶବକୁ ଜିପ୍‌ରେ ଶବ ବ୍ୟବଚ୍ଛେଦ ପରିସରକୁ ନେଇଯାଏ। ସେ ଟ. ୨୦୦୦ ପାଏ। ପୋଲିସ ସେହି ପରିମାଣରୁ ଟ. ୩୦୦୦ ପର୍ଯ୍ୟନ୍ତ ନେଇଥାଏ। ପିଅନ ବା ସହାୟକ ଟ. ୧୦୦୦ ପାଆନ୍ତି ଏବଂ ଡାକ୍ତରଙ୍କ ପାଉଣା ଶୂନରୁ ଟ. ୨୦୦୦ ମଧ୍ୟରେ ହୋଇଥାଏ। 

ଜେଙ୍ଗରାଲାରେ ଶେଖର କୁହନ୍ତି, ‘‘ଟ. ୬୦୦୦ର ଖର୍ଚ୍ଚ ନିଶ୍ଚିତ’’। ଏପରିକି ଯେଉଁଠାରେ ଏହା କମ୍‌, ତଥାପି ଏହା ଋଣରେ ବୁଡ଼ିଥିବା ପରିବାରଗୁଡ଼ିକ ପାଇଁ ଗୋଟିଏ ବୋଝ।

ଅନନ୍ତପୁରର କଲ୍ୟାଣଦୁର୍ଗରେ ଥିବା ଅସନ୍ତୁଷ୍ଟ ଡାକ୍ତର ଦେଶମ ଶ୍ରୀନିବାସା ରେଡ୍ଡୀ କୁହନ୍ତି, ‘‘ଏହା ସମ୍ପୂର୍ଣ୍ଣ ଭାବରେ ମାଗଣା ପାଇଁ ଉଦ୍ଦିଷ୍ଟ’’।

‘‘ଅନେକ ସ୍ଥାନରେ ଡାକ୍ତରଙ୍କ ଭୂମିକା ଶୂନ୍ୟ ସହ ସମାନ। ସହାୟକ ଅଧିକାଂଶ କାମ କରନ୍ତି। ସେ ଶବକୁ କାଟି ଖୋଲନ୍ତି। ସେ ଯାହା ପାଆନ୍ତି ତାହା କୁହନ୍ତି ଏବଂ ଡାକ୍ତର କେବଳ ଲେଖନ୍ତି। ତେବେ ଏହି ସହାୟକର କାମ କରିବା ପାଇଁ ଖୁବ୍‌ କମ୍‌ ଲୋକ ଥାଆନ୍ତି। ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତି ପଦୋନ୍ନତିରେ ବଦଳି ହୋଇଥିଲେ। କିନ୍ତୁ ତାଙ୍କୁ ଅଟକାଇ ରଖାଗଲା। କାରଣ ଏହି କାମ କରିବା ପାଇଁ ଅନ୍ୟ କୌଣସି ଲୋକ ନଥିଲେ।’’ 

ଶବ ବ୍ୟବଚ୍ଛେଦ ସମସ୍ୟା।

ତଥାପି, ଏହା ନୁହେଁ ଯେ, କେବଳ କୃଷକମାନଙ୍କ ଆତ୍ମହତ୍ୟାରେ ଶବ ବ୍ୟବଚ୍ଛେଦର ସମସ୍ୟା ରହିଛି।

ଡକ୍ଟର ରେଡ୍ଡୀଙ୍କ କହିବା ଅନୁଯାୟୀ: ‘‘ଯେତେବେଳେ ଏହା ଏକ ଡାକ୍ତର-ଆଇନଗତ ମାମଲା, ସେତେବେଳେ ଏହି ଚାପ ଆହୁରି ଅଧିକ ହୋଇଯାଏ। ଏବଂ କେତେକ ଫୋରେନସିକ ଲୋକଙ୍କ ଭୂମିକା ଆହୁରି ଭୟଙ୍କର ହୋଇଯାଏ। ଯେତେବେଳେ ଆପଣ ଗୋଟିଏ ହତ୍ୟାକୁ ହତ୍ୟା କହିବେ ଏବଂ ଏହା ପ୍ରକୃତରେ କ୍ଷମତାଶାଳୀ ହୋଇଥିବା କାହାକୁ ଅସୁବିଧାରେ ପକାଇବ, ତା’ହେଲେ କ’ଣ ହେବ ? ଯେଉଁମାନେ ସମ୍ପୃକ୍ତ ସେମାନେ ପରିଣାମ ସ୍ଥିର କରିବାକୁ ଚେଷ୍ଟା କରିବେ ଓ ତାହା କରିବେ। 

କେତେକ ଦଲିଲକୁ ନେଇ ବିବାଦ ମଧ୍ୟ ରହିଛି, ସେଗୁଡ଼ିକର ଚୂଡ଼ାନ୍ତ ନିଷ୍ପତ୍ତି ସନ୍ଦେହରେ ଅଛି ।

ଏହି କ୍ରମରେ କେତେକ ସ୍ଥାନରେ ଲୋକମାନେ ଚିନ୍ତା କରିବାକୁ ଆରମ୍ଭ କରନ୍ତି : କାହିଁକି ଲଢ଼ିବା ଏବଂ ସମସ୍ୟାକୁ ଯିବା? କାହିଁକି କେବଳ ଅର୍ଥ ନେବାନି? ‘କାହିଁକି କିଛି ଅର୍ଥ ଉପାର୍ଜନ କରିବାନି’ ଏହି ତର୍କ ବର୍ତ୍ତମାନ ଆତ୍ମହତ୍ୟାକୁ ମଧ୍ୟ ପରିବ୍ୟାପ୍ତ ହୋଇଗଲାଣି।’’

ଡକ୍ଟର ରେଡ୍ଡୀ ଏବଂ ଡକ୍ଟର ଗେୟାନନ୍ଦ କୁହନ୍ତି, ‘‘କିନ୍ତୁ ଏସବୁରେ ତଥାପି ଏହି ଶୋଷଣକୁ କିମ୍ବା ଯେଉଁମାନେ ପ୍ରତିରୋଧ କରିବାକୁ ଅସମର୍ଥ ସେମାନଙ୍କୁ ନିର୍ଯାତନା ଦେବାକୁ ମଧ୍ୟ ଯଥାର୍ଥ ପ୍ରମାଣିତ କରିପାରେନି।’’

ଉଭୟ ଡାକ୍ତର ଜନ ବିଜ୍ଞାନ ବେଦିକା ସହ ସମ୍ପୃକ୍ତ, ଏହା ଏକ ଅନୁଷ୍ଠାନ ଯାହା ଲୋକପ୍ରିୟ ବିଜ୍ଞାନ ଏବଂ ବୈଜ୍ଞାନିକ ମନୋଭାବକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି। ଡକ୍ଟର ଗେୟାନନ୍ଦ ଜେଭିଭିର ରାଜ୍ୟ ସଭାପତି ଏବଂ ଚାଲିଥିବା କୃଷକ ବିପର୍ଯ୍ୟୟର ବିଭିନ୍ନ ଦିଗ ଠାବ କରିବାରେ ସକ୍ରିୟ ଅଛନ୍ତି।

ମୃତ୍ୟୁପରର ଏହି ବ୍ୟବସାୟ ଖୁବ୍‌ ବ୍ୟାପକ। ଅନନ୍ତପୁରର ଡୁଗଲ୍ଲା ମାଲ୍ଲପ୍ପାଙ୍କ ପରିବାର ତାଙ୍କର ମୃତ୍ୟୁପରେ ପ୍ରାୟ ଟ.୧୦,୦୦୦ ଖର୍ଚ୍ଚ କରିଥିଲେ।

ଗୋବରୀ ବାଈଙ୍କ କ୍ଷେତ୍ରରେ ଯାହାଙ୍କ ସ୍ୱାମୀ କମଲି ନାୟକ ବଜ୍ରକାରୁରରେ ଆତ୍ମହତ୍ୟା କରିଥିଲେ ତାଙ୍କ ପାଇଁ ଏହି ଖର୍ଚ୍ଚ ଟ. ୬,୦୦୦ ଥିଲା। ଏହି ଆଦିବାସୀ ପରିବାର କୁହନ୍ତି, ‘‘ଆମେ ଆମର ସମସ୍ତ ସାଙ୍ଗସାଥୀଙ୍କଠାରୁ ଚାନ୍ଦା [ସହଯୋଗ] କ୍ରମେ ଏହି ଅର୍ଥ ଯୋଗାଡ଼ କରିଥିଲୁ’’। ମେହେବୁବ ନଗରର ଚିନ୍ନାରେଭାଲ୍ଲିଠାରେ ଆତ୍ମହତ୍ୟା କରିଥିବା ଅତ୍ୟନ୍ତ ଗରିବ ଦଳିତ ପାଣ୍ଢି ପୋଷେୟାଙ୍କ ପରିବାର ପାଇଁ ଏହା ଟ. ୩୦୦୦ ଥିଲା।  ପୋଷେୟାଙ୍କର ସମସ୍ତ ପୁଅ ଗୋତିଶ୍ରମିକ। ସେମାନେ ଧାର କରି ଏହି ଅର୍ଥ ଆଣିଥିଲେ। 

ଋଣ ପ୍ରତି ଯୋଗଦାନ

ନିଜମ୍ମାବାଦର ଆକ୍କାପୁରରେ ପୋନ୍ନଲ୍ଲା ହନୁମନ୍ତା ରେଡ୍ଡୀଙ୍କ ପରିବାର ଏଥିପାଇଁ ଟ. ୫୦୦୦ ଉଧାର ଆଣିଥିଲେ। ସେମାନେ ସେତେବେଳକୁ ଟ. ୫ଲକ୍ଷ ଋଣରେ ଥିଲେ। 

କେତେକ ପରିବାର ଥିଲେ ଯେଉଁମାନେ କିଛି ଦେବା ବିନା ରକ୍ଷା ପାଇଯାଇଥିଲେ। ଯେମିତିକି ଅନନ୍ତପୁରରେ ଦଶାରୀ ମହେନ୍ଦ୍ରୁ ଏବଂ ମେଡାକରେ ସଙ୍ଗୋଲ୍ଲା ନରସିମଲୁ କିଛି ଖର୍ଚ୍ଚ କରିନଥିଲେ। ଏବଂ ଯେଉଁଠାରେ ଏଠାରେ ଭୂମିକାରେ ଥିବା ଲୋକମାନେ ଅଧିକ ସମ୍ବେଦନଶୀଳ, କିନ୍ତୁ ଏହା ଅଧିକ ନୁହେଁ। ମହେନ୍ଦ୍ରୁଙ୍କ କ୍ଷେତ୍ରରେ ପାଖ ପଡ଼ିଶା ଥଟ୍ଟା କରିଥିଲେ ଯେ ‘‘ଏପରିକି ପୋଲିସ ବି ଏଠି କିଛି ନେବାକୁ ପାଇଲାନି’’।

କିନ୍ତୁ ଯେଉଁ ପରିବାରଗୁଡ଼ିକୁ ଶବ ବ୍ୟବଚ୍ଛେଦ ଚାହିଁଲେ ନାହିଁ ସେମାନେ ଆଜି ଅଧିକା ସମସ୍ୟା ସାମ୍ନା କରୁଛନ୍ତି। ବର୍ତ୍ତମାନେ ସେମାନେ କିପରି ପ୍ରମାଣ କରିପାରିବେ ଯେ ଏହା ଗୋଟିଏ ଆତ୍ମହତ୍ୟା ଥିଲା? ଡକ୍ଟର ରେଡ୍ଡୀ କୁହନ୍ତି, ‘‘ଏହା ଏକ ବିଶାଳ ସମସ୍ୟା’’।

‘‘ଯଦି ସେମାନେ ଏହା ପ୍ରମାଣ କରିପାରିବେ ନାହିଁ, ସେମାନେ କିପରି କ୍ଷତିପୂରଣ ପାଇବେ?’’ ଏହା ଅଧିକ ଯଦି ମୃତ୍ୟୁ ଅଳ୍ପ କିଛି ଦିନ ପୂର୍ବରୁ ହୋଇଥାଏ। 

ମେଡାକ ସ୍ଥିତ ଚେଲମାଡ୍ଡାର ପ୍ରତାପ ରେଡ୍ଡୀ ଯିଏ କି ୨୦୦୩ ମେ’ ରେ ନିଜର ଜୀବନ ନେଇଥିଲେ। ତାଙ୍କ ପରିବାର ଏବେ ଭାବୁଛନ୍ତି ସେମାନେ ଶବ ବ୍ୟବଚ୍ଛେଦ କରାଇଥାଆନ୍ତେ କି ।

ଜଣେ ପଡ଼ୋଶୀ କୁହନ୍ତି, ‘‘ସେ ସମୟରେ ସେମାନଙ୍କ ପାଖରେ ଅର୍ଥ ନଥିଲା’’। ଏହା ହିଁ ଜେଙ୍ଗରାଲାଠାରେ କାଥୁଲ୍ଲାପ୍ପା ଆମକୁ କହିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଲୁହ ଏବେ ତାଙ୍କ ଗାଲରେ ପହଞ୍ଚିଗଲାଣି।

ଏଠାରେ ବିପର୍ଯ୍ୟୟରେ ଥିବା ଅନେକ ପରିବାର ନିମନ୍ତେ ମୃତ୍ୟୁ ପରିସମାପ୍ତି ନେଇ ଆସେ ନାହିଁ। ଏହା କେବଳ ସେମାନଙ୍କ ପରିବାର ପାଇଁ ନୂଆ ବୋଝର ଆରମ୍ଭ।

ଏହି ପ୍ରବନ୍ଧର ଏହି ସଂସ୍କରଣ ମୌଳିକ ଭାବରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା : http://www.hindu.com/2004/08/08/stories/2004080804671400.htm

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath
psainath@gmail.com

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath