“ପଢ଼ାପଢ଼ି କରିବାକୁ ମୋର ଧୈର୍ଯ୍ୟ ନଥିଲା,” ନଭେମ୍ବର ମାସର ଏକ ମନୋରମ ସନ୍ଧ୍ୟାରେ ମାଜୁଲିର ଏକ କ୍ଷୁଦ୍ର ସହର ଗଡ଼ମୁର ରାସ୍ତାରେ ଚାଲୁ ଚାଲୁ ପାର୍ଥ ପ୍ରତିମ ବରୁଆ ମୋତେ କହିଲେ। କଥା ଆଗକୁ ବଢ଼ାଇ ସେ କହନ୍ତି, “ମୁଁ ଜାଣିଥିଲି, ପାଠ ପଢ଼ିଲେ ବି ମୋତେ ଚାକିରିଟିଏ ମିଳିବ ନାହିଁ।” ୧୬ ବର୍ଷ ବୟସର ଏହି କିଶୋର ଜଣକ ଜିଲ୍ଲାର ଗଡ଼ମୁର ସାରୁ ସତ୍ରର ଜଣେ ଯୁବ ଗାୟନ-ବାୟନ
ସତ୍ରିୟା ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ଗାୟନ-ବାୟନ ହେଉଛି ଏକ ଧାର୍ମିକ ଲୋକନାଟ୍ୟ କଳା। ମୁଖ୍ୟତଃ ଆସାମର ବିଭିନ୍ନ ସତ୍ର ରେ (ବୈଷ୍ଣବ ମଠରେ) ପରିବେଷିତ ହୁଏ। ଏଥିରେ ଗୀତ ଗାଉଥିବା ଗାୟକମାନଙ୍କୁ ଗାୟନ କୁହାଯାଏ ଏବଂ ସେମାନେ ମଧ୍ୟ ତାଲ (ଝାଞ୍ଜ) ବଜାନ୍ତି। ଆଉ ଯେଉଁମାନେ ଖୋଳ ଏବଂ ବଂଶୀ ଭଳି ବାଦ୍ୟଯନ୍ତ୍ର ବଜାନ୍ତି ସେମାନଙ୍କୁ ବାୟନ କୁହାଯାଏ। ମାଜୁଲିରେ ଗାୟନ କିମ୍ବା ବାୟନ ଏକ ବୃତ୍ତି ନୁହେଁ, ବରଂ ଏକ ପରମ୍ପରା, ଯାହା ସେମାନଙ୍କ ପରିଚୟର ଏକ ଅଂଶ ବୋଲି ଲୋକେ ଗର୍ବ କରନ୍ତି।
“ମୁଁ ଯଦି ସ୍କୁଲ ପଢ଼ା ଶେଷ କରି ଚାକିରିଟିଏ ପାଇପାରେ ନାହିଁ, ଯଦି ତାହା ମୋ ଭାଗ୍ୟରେ ନାହିଁ, ତେବେ ମୁଁ କ’ଣ ବା କରିବି?” ନିର୍ଲିପ୍ତ ଏବଂ ବାସ୍ତବତା ଭରା ସ୍ୱରରେ ପ୍ରଶ୍ନ କରନ୍ତି ପାର୍ଥ। ସେ ୧୨ଶ ଶ୍ରେଣୀ ପରୀକ୍ଷା ଦେବା ପରେ ସଙ୍ଗୀତରେ ବୃତ୍ତିଗତ ଭବିଷ୍ୟତ ଗଢ଼ିବାକୁ ମନ ବଳାଇଛନ୍ତି। ତାଙ୍କ ବଡ଼ ଭଊଣୀ ଉତ୍ତର ପ୍ରଦେଶର ଏକ ଗାଁରେ ସଙ୍ଗୀତ ଶିକ୍ଷୟିତ୍ରୀ ଭାବରେ କାମ କରୁଛନ୍ତି।
ସେ କହନ୍ତି, “ମୋର ଏହି ଇଚ୍ଛାକୁ (ଗୁଆହାଟୀର ଏକ ସଙ୍ଗୀତ ବିଦ୍ୟାଳୟରେ ନାମ ଲେଖାଇବାକୁ) ମୋ ବାପାମାଆ ବି ସମର୍ଥନ କରନ୍ତି। ସେହି ସମର୍ଥନ ବି ବଡ଼କଥା। ତା’ ନଥିଲେ ମୁଁ ସଙ୍ଗୀତରେ କିପରି ଆଗକୁ ବଢ଼ିବି ?” ତାଙ୍କ ବାପା ଚାଉଳ ଓ ଜାଳେଣି କାଠର ଛୋଟମୋଟ ବ୍ୟବସାୟ କରନ୍ତି ଏବଂ ସେ ପାର୍ଥଙ୍କ କଥାରେ ସଂପୂର୍ଣ୍ଣ ରାଜି ହୋଇଛନ୍ତି। ହେଲେ ତାଙ୍କ ମାଆ ଏଥିରେ ସେତେଟା ଖୁସି ନୁହଁନ୍ତି। ପଢ଼ାପଢ଼ି ପାଇଁ ପାର୍ଥ ଘର ଛାଡ଼ି ବହୁ ଦୂରକୁ ଯିବା କଥାକୁ ସେ ପସନ୍ଦ କରନ୍ତିନି।
କଳା ପରିବେଷଣ ସମୟରେ କଳାକାର ପାର୍ଥ ଧୋବ ଫରଫର କୁର୍ତ୍ତା, ଧୋତି ଓ ମୁଣ୍ଡରେ ସ୍ଥାନୀୟ ଭାଷାରେ ପାଗ ବୋଲି କୁହାଯାଉଥିବା ପଗଡ଼ି ପିନ୍ଧନ୍ତି ଏବଂ ଦେହରେ ସେଲେଙ୍ଗ କୁହାଯାଉଥିବା ଚାଦର ପକାନ୍ତି। ଏହା ସହିତ କଳାକାରମାନେ ଗଳାରେ ମୋଟାମନି ନାମକ ମାଳିର ହାର ପିନ୍ଧନ୍ତି ଏବଂ କପାଳରେ ଚନ୍ଦନର ତିଳକ ବା ଟୋପା ଲଗାନ୍ତି।
କଳା ପରିବେଷଣର ଅବ୍ୟବହିତ ପୂର୍ବରୁ ଯେଉଁ ସବୁ ଯୁବ କଳାକାରଙ୍କୁ ମୁଁ ସାକ୍ଷାତ କରିଥିଲି, ସେମାନଙ୍କ ଭିତରୁ ପାର୍ଥ ଜଣେ। ମଞ୍ଚର ପୃଷ୍ଠଭାଗରେ, ସେମାନଙ୍କ ଭିତରେ ଦୃଢ଼ ଆତ୍ମବିଶ୍ୱାସ ପରିଲକ୍ଷିତ ହୁଏ ଏବଂ ସେମାନେ ପାଗ ବାନ୍ଧିବାରେ ଏବଂ ପିନ୍ ସହାୟତାରେ ସେଲେଙ୍ଗ ଲଗାଇବାରେ ପରସ୍ପରକୁ ସାହାଯ୍ୟ କରନ୍ତି।


ଫଟୋ: ବାମ: ଗଡ଼ମୁର ସାରୁ ସତ୍ରର ମଞ୍ଚ ପଛପଟେ ତାଙ୍କ ମୋଟାମନି ମାଳାକୁ ପରଖି ନିଅନ୍ତି ୧୬ ବର୍ଷୀୟ ପାର୍ଥ ପ୍ରତିମ ବରୁଆ। ଡାହାଣ: ପାଗ ନାଁରେ ପରିଚିତ ପାରମ୍ପରିକ ପଗଡ଼ି ବାନ୍ଧିବାରେ ଶୁଭାଶିଷ ବୋରାଙ୍କ ସହାୟତା କରନ୍ତି ମାନସ ଦତ୍ତ (ନୀଳ ଟି-ଶାର୍ଟରେ)


ତାଲ ଏବଂ ଖୋଲ ବଜାଇ କଳା ପରିବେଷଣ କରୁଛନ୍ତି ସତ୍ରର ଯୁବ ଗାୟନ-ବାୟନମାନେ। ମାଜୁଲିରେ ଗାୟନ କିମ୍ବା ବାୟନ ଏକ ବୃତ୍ତି ନୁହେଁ, ବରଂ ଲୋକଙ୍କ ପରିଚୟର ଏକ ଅଂଶ
ତାଙ୍କଠାରୁ ଦଶ ବର୍ଷ ବଡ଼ ମାନସ ଦତ୍ତ ତାଙ୍କ ଦଳର ଜଣେ ବାୟନ ଏବଂ ସେ ନିକଟରେ ଗୁଆହାଟୀର ଏକ ଟେଲିଭିଜନ ସଂସ୍ଥାରେ ଜୁନିଅର ଏଡିଟର ପଦବୀରେ କାମ ଆରମ୍ଭ କରିଛନ୍ତି।
ନଅ ବର୍ଷ ବୟସରୁ ହିଁ ସେ ତାଙ୍କ କକା ଓ ଅନ୍ୟ ଗୁରୁଜନମାନଙ୍କ ପାଖରୁ ଏହି କଳା ଶିଖିବା ଆରମ୍ଭ କଲେ। “ଯେହେତୁ ଆମେ ଏକ ସତ୍ରିୟା ପରିବେଶରେ ଜନ୍ମ ନେଇଛୁ, ତେଣୁ ଆମେ ପିଲାଟି ଦିନରୁ ହିଁ ଦେଖି ଦେଖି ଶିଖିଥାଉ,” ଏବଂ ସେହି କାରଣରୁ ହିଁ ସେ ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଖୋଲ ବାଜାରେ ସଙ୍ଗୀତ ବିଶାରଦ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଥିଲେ।
ତାଙ୍କ ପରିବାରରେ ଗାୟନ-ବାୟନର ଧାରା ପ୍ରବାହିତ ଏବଂ ତାଙ୍କ କକା ଇନ୍ଦ୍ରନୀଲ ଦତ୍ତ ଗଡ଼ମୁର ସାରୁ ସତ୍ରର ସାଂସ୍କୃତିକ ଜୀବନରେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ। ତାଙ୍କୁ ଏବେ ପ୍ରାୟ ୮୫ ବର୍ଷ। ଏବେ ବି କେହି ଜଣେ ଯଦି ଖୋଲ ବଜାନ୍ତି, ତାହେଲେ ସେ ନୃତ୍ୟ ନ କରି ରହିପାରନ୍ତିନି।
ଭିନ୍ନ ଭିନ୍ନ ସତ୍ର ରେ ଗାୟନ-ବାୟନ ପରିବେଷଣର ଭିନ୍ନ ଭିନ୍ନ ଶୈଳୀ ପ୍ରଚଳିତ ଏବଂ ଏହା ତାଲ , ମାନ , ରାଗ ଏବଂ ମୁଦ୍ରା ର ସଂଖ୍ୟା ଓ ପ୍ରକାର ଭିତ୍ତିରେ ନିର୍ଦ୍ଧାରିତ। ଏମିତି ଏକ ପ୍ରକାର ହେଲା- ଧୁରା, ଯାହା କି ଗଡ଼ମୁର ସାରୁ ସତ୍ର ଏବଂ ଗଡ଼ମୁର ବର ସତ୍ରର ନିଜସ୍ୱ ଓ ଅନନ୍ୟ। ବର୍ଷକୁ ଥରେ, କେବଳ ବରଷବାହ ନାମକ ସାମାଜିକ ଉତ୍ସବ ପାଳନ ସମୟରେ ଏହା ପରିବେଷିତ ହୋଇଥାଏ। ଆସାମର ଆହାର ମାସରେ, ସାଧାରଣତଃ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଜୁନ-ଜୁଲାଇରେ ଏହି ଉତ୍ସବ ପାଳିତ ହୋଇଥାଏ। ଅନ୍ୟ ଦୁଇଟି ସାଧାରଣ ପ୍ରକାରର ଗାୟନ-ବାୟନ ହେଉଛି ବରପେଟା ସତ୍ରର ବରପେଟିୟା ଏବଂ ମାଜୁଲିର କମଲାବାରି ସତ୍ରର କମଲାବାରିୟା। ମାଜୁଲିର ଅଧିକାଂଶ ସତ୍ର କମଲାବାରିୟା ଶୈଳୀ ଅନୁସରଣ କରନ୍ତି। କଳାକାରମାନେ ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥାଆନ୍ତି।
ଗାୟନ-ବାୟନ ଏବଂ ଏହା ପରେ ପରେ ସୂତ୍ରଧାରୀ ନୃତ୍ୟ ମଧ୍ୟ ଏକ ଭାଓନା (ପାରମ୍ପରିକ ଲୋକନାଟ୍ୟ) ଆରମ୍ଭ ହେବା ପୂର୍ବରୁ ପରିବେଷିତ ହୋଇଥାଏ। “ଏହା ବ୍ୟତୀତ ଭାଓନା କଦାପି ସଂପୂର୍ଣ୍ଣ ହୋଇପାରିବ ନାହିଁ,” ମାନସ ମୋତେ କହନ୍ତି। “ ସୂତ୍ରଧର ଭାଓନାର ପ୍ରସଙ୍ଗ ଏବଂ କାହାଣୀର ସାରମର୍ମ ବର୍ଣ୍ଣନା କରନ୍ତି। ଆଜିକାଲି ଆମ ମାତୃଭାଷା ଆସାମୀ ଭାଷାରେ ବି ସୂତ୍ରଧାରୀ ପରିବେଷଣ କରାଯାଉଛି। ହେଲେ ଏହାର ମୂଳ ଭାଷା ହେଉଛି ବ୍ରଜାବଳୀ।”
‘ଯଦି ଆଉ କେହି ଏହା ଶିଖିବାକୁ ଚାହାଁନ୍ତି, ତେବେ ତାଙ୍କୁ ବହୁତ ସମୟ ଲାଗିବ। ଯେହେତୁ ଆମେ ଏହି ପରିବେଶରେ ଜନ୍ମ ନେଇଛୁ ଏବଂ ପିଲାଟି ଦିନରୁ ଏହାକୁ (ଏହି କଳାକୁ) ଦେଖି ଆସିଛୁ, ତେଣୁ ଆମେ ଏହା ସହଜରେ ଶିଖିଯାଉ’
*****
ସତ୍ର ରେ, ପ୍ରାୟ ତିନି ବର୍ଷ ବୟସରୁ ହିଁ ପିଲାମାନେ ଏହି କଳା ଶିଖିବା ଆରମ୍ଭ କରନ୍ତି। ମାଜୁଲିର ଅନ୍ୟତମ ପ୍ରମୁଖ ଉତ୍ସବ ରାସ ପାଳନ ସମୟରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳେ, ଯେତେବେଳେ ଛୋଟପିଲାମାନେ ବାପାମାଆଙ୍କ ସହିତ କଳା ଅଭ୍ୟାସ ଗୃହକୁ ଯାଆନ୍ତି। ପଢ଼ନ୍ତୁ: ରାସ ମହୋତ୍ସବ ଏବଂ ମାଜୁଲିର ସତ୍ର ସମୂହ
ଜଣେ ବାୟନ ଏବଂ ଏହି କଳାକାର ଗୋଷ୍ଠୀର ଅନ୍ୟତମ ସଦସ୍ୟ ୧୯ ବର୍ଷୀୟ ଶୁଭାଶିଷ ବୋରାଙ୍କ କ୍ଷେତ୍ରରେ, ସେ ୪ର୍ଥ ଶ୍ରେଣୀରେ ପଢୁଥିବା ବେଳରୁ ହିଁ କଳାପଥରେ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଥିଲା। ମାନସଙ୍କର ଜଣେ ସଂପର୍କୀୟ ଶୁଭାଶିଷ ତାଙ୍କ କକାମାନଙ୍କୁ ଦେଖି ଦେଖି ଏହା ଶିଖିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ କ୍ଷୀରୋଦ ଦତ୍ତ, ଜଣେ ବରବାୟନ । ବିଶେଷଜ୍ଞ ବାୟନ ମାନଙ୍କୁ ସତ୍ର ପକ୍ଷରୁ ଏହି ଉପାଧି ପ୍ରଦାନ କରାଯାଇଥାଏ।
ଯଦିଓ ସେ ରାସ ଉତ୍ସବରେ ନୃତ୍ୟ କରିଥିଲେ, ଏମିତି କି ଜଣେ ଶିଶୁ କଳାକାର ଭାବରେ ଭଗବାନ କୃଷ୍ଣଙ୍କ ପିଲାବେଳ ଭୂମିକାରେ ଅଭିନୟ କରିସାରିଥିଲେ, ତଥାପି ଶୁଭାଶିଷ ଗୋଟିଏ ସଙ୍ଗୀତ ବିଦ୍ୟାଳୟରେ ପ୍ରାୟ ୧୦ ଜଣ ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ ଖୋଲ ବାଦନ ଶିକ୍ଷାଲାଭ କରିଥିଲେ। ୧୯୭୯ ମସିହାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ପୀତାମ୍ବରଦେବ ସାଂସ୍କୃତିକ ମହାବିଦ୍ୟାଳୟ ଅନେକ ସମୟରେ ବନ୍ଦ ରହୁଥିଲା ଏବଂ ପୁଣି ସକ୍ରିୟ ହେଉଥିଲା। ଶିକ୍ଷକ ଅଭାବରୁ ୨୦୧୫ରେ ଏହା ପୁଣି ବନ୍ଦ ହୋଇଯାଇଥିଲା।
୨୦୨୧ରେ ମାନସ ଓ କ୍ଷୀରୋଦଙ୍କ ଗାୟନ-ବାୟନ ଶ୍ରେଣୀ ଆରମ୍ଭ ହୋଇଥିଲା ଏବଂ ୧୯ ବର୍ଷର ପ୍ରିୟବ୍ରତ ହଜାରିକାଙ୍କ ସହିତ ଶୁଭାଶିଷ ଏବଂ ଅନ୍ୟ ୨୭ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ। ଏହି ମହାବିଦ୍ୟାଳୟ ପୁଣି ବନ୍ଦ ହୋଇଯିବା ପୂର୍ବରୁ ପ୍ରିୟବ୍ରତ ତିନି ବର୍ଷ ଧରି ଏଥିରେ ଖୋଲ ବାଦନରେ ଶିକ୍ଷାଲାଭ କରିଥିଲେ।
“ଯଦି ଆଉ ଅଧିକ ବର୍ଷଟିଏ ମୋତେ ଶିଖିବାର ସୁଯୋଗ ମିଳିଥାଆନ୍ତା, ତେବେ ମୁଁ ଶେଷ ପର୍ଯ୍ୟାୟର ଶିକ୍ଷାଲାଭ କରି ବିଶାରଦ ହୋଇପାରିଥାଆନ୍ତି,” ସେ କହନ୍ତି। “ସ୍କୁଲ ଖୋଲା ରହିବ ବୋଲି ମୁଁ ଭାବି ନେଇଥିଲି।”


ବାମ: ପ୍ରିୟବ୍ରତ ହଜାରିକା (ବାମ), ଶୁଭାଶିଷ (ଡାହାଣ) ଏବଂ ସୁରୂଜ ଜ୍ୟୋତି ବୋରା (ମଝି) ମିଶି ନବଜ୍ୟୋତି ବୋରାଙ୍କ (ବସିଛନ୍ତି) ପାଗ ବାନ୍ଧିବାରେ ସହାୟତା କରୁଛନ୍ତି। ଡାହାଣ: ପ୍ରିୟବ୍ରତ ସିଦ୍ଧାର୍ଥ ବୋରାଙ୍କ ସେଲେଙ୍ଗକୁ ପିନ୍ ଲଗାଇ କାନ୍ଧରେ ରଖିବାରେ ସାହାଯ୍ୟ କରୁଛନ୍ତି। ସେଲେଙ୍ଗ ହେଉଛି ଦେହରେ ଘୋଡ଼େଇ ହୋଇ ଥିବା ଏକ ଲମ୍ବା ଓ ଆୟତାକାର ଚାଦର ଏବଂ ଏହା କଳାକାରଙ୍କ ବେଶଭୂଷାର ଏକ ପ୍ରୟୋଜନୀୟ ଅଂଶ
ଜଣେ ଗାୟନ କିମ୍ବା ବାୟନ ହେବା ଲାଗି ଆବଶ୍ୟକ ଶିକ୍ଷା ଓ ପ୍ରଚଳିତ ପାରମ୍ପରିକ ପାଠ୍ୟକ୍ରମ ସଂପର୍କରେ ସେ ବୁଝାଇ ଦିଅନ୍ତି। ପ୍ରଥମେ ଛାତ୍ରମାନଙ୍କୁ ବିଭିନ୍ନ ତାଲ ସଂପର୍କରେ ଶିକ୍ଷା ଦିଆଯାଏ ଏବଂ ସେମାନେ ହାତ ପାପୁଲିରେ ବଜାଇ ଏହାକୁ ଶିଖିଥାଆନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ନୃତ୍ୟ ଏବଂ ଖୋଲ ବାଦନ ସଂପର୍କରେ ମୌଳିକ ଶିକ୍ଷା ଦିଆଯାଏ। ଛାତ୍ରମାନେ ମାଟି ଆଖରା ସଂପର୍କରେ ବି ଶିଖନ୍ତି।
“ମାଟି ଆଖରା ହେଉଛି ଆମର ସତ୍ରିୟା ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ସୋପାନ। ଏହା ବ୍ୟାୟାମ ସଦୃଶ।” ମାନସ ବୁଝାଇ ଦିଅନ୍ତି। “ଯେ କେହି ଏହାର ଅଭ୍ୟାସ କରନ୍ତି, ତାଙ୍କ ଶରୀରର ସମସ୍ତ ୨୦୬ ଖଣ୍ଡ ହାଡ଼ ସୁସ୍ଥ ରହେ ଓ ଶକ୍ତିଶାଳୀ ହୁଏ।” ପଶୁ ଓ ପକ୍ଷୀମାନଙ୍କ ଅଙ୍ଗଭଙ୍ଗୀ ଭିତ୍ତିରେ ନାମିତ ଭିନ୍ନ ଭିନ୍ନ ଧରଣର ଆଖରା ରହିଛି – ମୋରାଇ ପାନି ଖୋୱା, କାସଇ ପାନି ଖୋୱା, ତେଲଟୁପି ପ୍ରଭୃତି।
ପରବର୍ତ୍ତୀ ପର୍ଯ୍ୟାୟରେ, ଛାତ୍ରମାନଙ୍କୁ ସେମାନେ ଶିଖିବାକୁ ଚାହୁଁଥିବା ପାଠ୍ୟକ୍ରମ ଅନୁସାରେ ଭିନ୍ନ ଭିନ୍ନ ଗୋଷ୍ଠୀରେ ରଖାଯାଏ। କେତେକ ନୃତ୍ୟ ଶିଖନ୍ତି ତ ଆଉ କେତେକ ଖୋଲ ଏବଂ ଅନ୍ୟମାନେ ବରଗୀତ ଶିଖନ୍ତି। ଯେଉଁମାନେ ଗାୟନ ହେବାକୁ ଚାହାଁନ୍ତି, ଏହି ପର୍ଯ୍ୟାୟରେ ହିଁ ଭିନ୍ନ ଭିନ୍ନ ତାଲ ଶିଖିଥାଆନ୍ତି।
ମାନସ କହନ୍ତି, “ଅନ୍ୟ କୌଣସି ଲୋକ ଏହି ଶିକ୍ଷାଲାଭ କରି ଏଥିରେ ଦକ୍ଷତା ହାସଲ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ବହୁ ସମୟ ଲାଗିଯିବ। ଆମେ ଏହି ସତ୍ରିୟା ପରିବେଶରେ ଜନ୍ମ ନେଇଥିବାରୁ ଏବଂ ଏଠାରେ ବଢ଼ି ଥିବାରୁ ଆମେ ଏହାକୁ (ଏହି କଳାକୁ) ପିଲାଦିନରୁ ଦେଖି ଆସିଛୁ ଏବଂ ଏହାକୁ ସହଜରେ ଶିଖିଯାଉ।”


ବାୟନଙ୍କ ଦ୍ୱାରା ବଜାଯାଉଥିବା ଖୋଲ ଏକ ପ୍ରକାରର ଅସମାନ ଢୋଲ ଭଳି ଏବଂ ଏହା ଏହି କଳା ପରିବେଷଣର କେନ୍ଦ୍ରରେ ଥାଏ। ଖୋଲ ବାଦନ ପୂର୍ବରୁ ଗୋଟିଏ ସଫା କପଡ଼ାକୁ ପରଦା ରୂପେ ଉପରକୁ ଉଠାଇ ବାୟନ ଦଳ ଏବଂ ସେମାନଙ୍କ ଗୁରୁମାନେ ପ୍ରାର୍ଥନା କରନ୍ତି
ଗତ କିଛି ବର୍ଷ ହେଲା ଗାୟନ-ବାୟନର ଲୋକପ୍ରିୟତା ବଢ଼ିଛି। ପୂର୍ବରୁ କେବଳ ବିଭିନ୍ନ ସତ୍ର ରେ ପରିବେଷିତ ହେଉଥିବା ଏହି କଳା ଆଜିକାଲି ଆସାମର ଗାଁଗହଳିରେ ବି ପରିବେଷଣ କରାଯାଉଛି। ତଥାପି, ଗାୟନ ଓ ବାୟନ ଶିକ୍ଷାଲାଭ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଉନ୍ନତ ଜୀବିକା ସନ୍ଧାନରେ ଯୁବ ପିଢ଼ି ମାଜୁଲିରୁ ବାହାରକୁ ପଳାଇ ଯାଉଛନ୍ତି।
“ମୋର ଆଶଙ୍କା ହୁଏ ଯେ, ଦିନେ ଏ ସବୁ ଶେଷ ହୋଇଯିବ,” ପ୍ରିୟବ୍ରତ ମୋତେ କହନ୍ତି।
ଶଙ୍କରଦେବଙ୍କ ଅଧିକାଂଶ ସଙ୍ଗୀତ ରଚନା ତାଙ୍କ ଜୀବନକାଳରେ ହିଁ ନଷ୍ଟ ହୋଇଯାଇଥିଲା। ଉତ୍ତରାଧିକାର ସୂତ୍ରରେ ପରବର୍ତ୍ତୀ ପିଢ଼ିକୁ ଯାହା ମିଳିଥିଲା ତାହା ପୂର୍ଣ୍ଣାଙ୍ଗ ରଚନାର କ୍ଷୁଦ୍ର ଅଂଶ ମାତ୍ର। ଏହା ହିଁ ପିଢ଼ି ପରେ ପିଢ଼ିକୁ ହସ୍ତାନ୍ତରିତ ହେଉଛି। ସଙ୍ଗୀତ କଳାର ଏହି ଉତ୍ତରାଧିକାରକୁ ଆଗେଇ ନେବାକୁ ମାନସ ବଦ୍ଧ ପରିକର।
“ପିଢ଼ି ପରେ ପିଢ଼ି ଆସିବ, ଚାଲିଯିବ, କିନ୍ତୁ ଶଙ୍କରଦେବଙ୍କ ସୃଷ୍ଟି ଅମର ହୋଇ ରହିଥିବ। ଏହି ଭାବରେ ହିଁ ସେ ଆମ ଭିତରେ ଜୀବିତ ରହିଥିବେ,” ସେ କହନ୍ତି। “ମୋ ପାଇଁ ଏହା ଗୌରବର କଥା ଯେ ମୁଁ ମାଜୁଲିରେ ଜନ୍ମ ନେଇଛି। ମାଜୁଲିରେ ଏହା (ଏହି ପରମ୍ପରା) ବଞ୍ଚି ରହିଛି ଏବଂ ଏହି ଧାରା ଅବ୍ୟାହତ ରହିବ। ଏହା ମୁଁ ଦୃଢ଼ ନିଶ୍ଚିତ ଭାବରେ କହିପାରିବି।”

ଗଡ଼ମୁର ସାରୁ ସତ୍ରର ନାମଘର (ପ୍ରାର୍ଥନା ଗୃହ) ଭିତରେ ଜ୍ୟୋତିଷ୍ମାନ ଦତ୍ତଙ୍କ ପାଗ ବାନ୍ଧିବାରେ ସହାୟତା କରୁଛନ୍ତି ତୁଳସୀ ବୋରା (ମଝି) ଏବଂ ପ୍ରିୟବ୍ରତ (ଡାହାଣ)

କଳାକାର ଦଳର ଜଣେ ଗାୟନ ସୁରୂଜ, ତାଙ୍କ ସହ କଳାକାର ଶୁଭାଶିଷଙ୍କ ବେକରେ ମୋଟାମୋନି ମାଳା ପିନ୍ଧାଇ ଦେଉଛନ୍ତି

ଗାୟନ ସମୁଦ୍ର ହଜାରିକାଙ୍କ ପାଗରେ ଶୋଭା ପାଉଛି ବକୁଳ ଫୁଲର ଏକ ମାଳ । ଏହା କଳାକାରମାନଙ୍କ ପାରମ୍ପରିକ ବେଶଭୂଷାର ଏକ ଅଂଶ

କଳାକାର ଦଳର ଅନ୍ୟତମ କନିଷ୍ଠ ସଦସ୍ୟ ଅନୁରାଗ ସାଇକିଆ ମଞ୍ଚ ପାଖରେ ଅପେକ୍ଷାରତ । ସତ୍ରରେ ପିଲାମାନେ ଛୋଟ ବେଳରୁ ହିଁ ଶିକ୍ଷାଲାଭ ଆରମ୍ଭ କରିଦିଅନ୍ତି

ମାଜୁଲିର ଅନ୍ୟତମ ପ୍ରମୁଖ ଉତ୍ସବ ରାସ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଫଟୋ ପାଇଁ ପୋଜ୍ ଦେଉଛନ୍ତି ଶାନ୍ତନୁ ଭୂୟାଁ

ରାସ ମହୋତ୍ସବ ଅବସରରେ କଳା ପରିବେଷଣ ଲାଗି ଅପେକ୍ଷା କରିଛନ୍ତି ତେର ବର୍ଷର ଜ୍ୟୋତିଷ୍ମାନ ଦତ୍ତ

ଭାଓନା (ଲୋକ ନାଟକ)ର ସୂତ୍ରଧର (ବର୍ଣ୍ଣନାକାରୀ) ଭୂମିକାରେ ରିକି ବୋରା କାହାଣୀର ସାରମର୍ମ ବର୍ଣ୍ଣନା କରିବେ

ଯୁବ ଗାୟନ-ବାୟନଙ୍କର ଏକ ଦଳ ମଞ୍ଚ ଉପରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜ୍ୟୋତିଷ୍ମାନଙ୍କ କପାଳରେ ମୃତ୍ତିକା ତିଲକ ଲଗାଇ ଦିଅନ୍ତି ନିତ୍ୟାନନ୍ଦ ଦତ୍ତ

ପାରମ୍ପରିକ ବେଷଭୂଷାରେ ସଜ୍ଜିତ ଶୁଭାଶିଷ ବୋରା, ପ୍ରିୟବ୍ରତ ହଜାରିକା ଏବଂ ଜ୍ୟୋତିଷ୍ମାନ ଦତ୍ତ ଫଟୋ ପାଇଁ ପୋଜ୍ ଦେଉଛନ୍ତି

ଗଡ଼ମୁର ସାରୁ ସତ୍ରର ନାମଘର ଭିତରେ ନୃସିଂହ ଯାତ୍ରା ଭାଓନା ପରିବେଷଣ ଅବସରରେ ପ୍ରାର୍ଥନା କରୁଛନ୍ତି ସମୁଦ୍ର ହଜାରିକା

କଳା ପରିବେଷଣ ପୂର୍ବରୁ କଳାକାରମାନଙ୍କ ଦଳ ନୃସିଂହଙ୍କ ମୁଖା ଆଗରେ ପ୍ରାର୍ଥନା କରନ୍ତି

ନବଜ୍ୟୋତି ବୋରା ପ୍ରିୟବ୍ରତ ଧରିଥିବା ଖୋଲକୁ ପରୀକ୍ଷା କରି ଦେଖୁଥିବା ସମୟରେ ଜ୍ୟୋତିଷ୍ମାନ (ବାମ) ଏବଂ ପାର୍ଥ (ଡାହାଣ) ଚାହିଁ ରହିଛନ୍ତି

ନାମଘରେ କଳା ପରିବେଷଣ ; ହାତ ପାପୁଲିରେ ବିଭିନ୍ନ ତାଲ ବଜାଇବାରୁ ଆରମ୍ଭ ହୁଏ ପାରମ୍ପରିକ ଗାୟନ-ବାୟନ ପାଠ୍ୟକ୍ରମରେ ଶିକ୍ଷାଦାନ

ତାଲ, ମାନ, ରାଗ ଏବଂ ମୁଦ୍ରାର ସଂଖ୍ୟା ଓ ପ୍ରକାର ଭିତ୍ତିରେ ଭିନ୍ନ ଭିନ୍ନ ସତ୍ରରେ ଭିନ୍ନ ଭିନ୍ନ ଶୈଳୀର କଳା ପରିବେଷିତ ହୁଏ

ଶିକ୍ଷାଗ୍ରହଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଛାତ୍ରମାନଙ୍କୁ ନୃତ୍ୟର ମୌଳିକତା ସଂପର୍କରେ ଶିକ୍ଷାଦାନ କରାଯାଏ । ପରେ ସେମାନଙ୍କୁ ସେମାନଙ୍କ ପସନ୍ଦର ବିଷୟ ଭିତ୍ତିରେ ଭିନ୍ନ ଭିନ୍ନ ଗୋଷ୍ଠୀରେ ରଖାଯାଏ – ନୃତ୍ୟ, ଖୋଲ ଏବଂ ବରଗୀତ ପ୍ରଭୃତି

ନୃସିଂହ ଯାତ୍ରା ଲୋକ ନାଟକ ପରିବେଷଣ ଅବସରରେ ପ୍ରଚ୍ଛଦ ସଙ୍ଗୀତ ପାଇଁ ଗାୟନ ଦଳ ସହିତ ଗାଉଛନ୍ତି ଦେବଜ୍ୟୋତି ଦତ୍ତ (ମଝି)

ରିକି ବୋରା ସୂତ୍ରଧାରୀ ନୃତ୍ୟ ପରିବେଷଣ କରୁଛନ୍ତି, ଏହାକୁ ବାଦ ଦେଇ ଭାଓନା ପୂର୍ଣ୍ଣାଙ୍ଗ ହୋଇପାରେନା

ନୃତ୍ୟକଳା ପରିବେଷଣ ପରେ ମଞ୍ଚରୁ ବିଦାୟ ନେବା ସମୟରେ ହାତରେ
ସୋରାଇ ଧରିଛନ୍ତି ରିକି
ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ( MMF) ର ଏକ ଫେଲୋସିପ ସହାୟତାରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି
ଅନୁବାଦ : ଓଡ଼ିଶାଲାଇଭ୍