ତାଙ୍କ ଚାଷଜମି କଡ଼ରେ ଠିଆ ହୋଇ ରୁପା ଭଳି ଚକଚକ୍ କରୁଥିବା ଫସଲକୁ ସେ ଚାହିଁ ରହିଥିଲେ। ପ୍ରବଳ ବର୍ଷା ପରେ ତାଙ୍କ ଫସଲ ଆଣ୍ଠୁଏ ପାଣିରେ ବୁଡ଼ି ରହିଥିଲା। ବିଦର୍ଭରେ ବିଜୟ ମରୋତ୍ତରଙ୍କ କପା କ୍ଷେତ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ୨୫ ବର୍ଷୀୟ ବିଜୟ କହିଲେ, “ଏହି ଫସଲରେ ମୁଁ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ଲଗାଇଥିଲି। ଏହାର ଅଧିକାଂଶ ଭାଗ ବୁଡ଼ି ଗଲାଣି।” ଏହା ଥିଲା ସେପଟେମ୍ବର, ୨୦୨୨ ମସିହା ଏବଂ ବିଜୟଙ୍କ ପ୍ରଥମ ଫସଲ ଅମଳ ମାସ। ଏବଂ ଏଥର ତାଙ୍କ ସମସ୍ୟାରେ ଭାଗୀଦାର ହେବାକୁ ତାଙ୍କ ପାଖରେ କେହି ହେଲେ ନଥିଲେ।

ପାଞ୍ଚ ମାସ ତଳେ ତାଙ୍କ ବାପା ଘନଶ୍ୟାମ ମରୋତ୍ତର ଆତ୍ମହତ୍ୟା କରି ପ୍ରାଣ ହରାଇଥିଲେ ଏବଂ ଦୁଇ ବର୍ଷରୁ କିଛି ଅଧିକ ସମୟ ତଳେ ଅଚାନକ ହୃଦଘାତରେ ତାଙ୍କ ମାଆଙ୍କର ଦେହାନ୍ତ ଘଟିଥିଲା। ଅନିୟମିତ ପାଣିପାଗ ଯୋଗୁଁ ବାରମ୍ବାର ଫସଲହାନି ଏବଂ ତା’ ସାଙ୍ଗକୁ ଋଣଭାର ବୃଦ୍ଧି କାରଣରୁ ବିଦର୍ଭ ଅଞ୍ଚଳର ଅନ୍ୟ ଅନେକ ଚାଷୀଙ୍କ ଭଳି ତାଙ୍କ ବାପାମାଆ ଘୋର ଦୁଶ୍ଚିନ୍ତା ଏବଂ ମାନସିକ ଚାପରେ ରହୁଥିଲେ। ଆଉ ଏ ପରିସ୍ଥିତିରେ ସେମାନଙ୍କୁ ସେତେଟା ସହାୟତା ମିଳୁ ନଥିଲା।

ବିଜୟ କିନ୍ତୁ ଜାଣିସାରିଥିଲେ ଯେ ସେ ତାଙ୍କ ବାପାଙ୍କ ଭଳି ଭାଙ୍ଗି ପଡ଼ିଲେ ଚଳିବ ନାହିଁ। ତେଣୁ ପରବର୍ତ୍ତୀ ଦୁଇ ମାସ ଧରି ସେ ତାଙ୍କ କ୍ଷେତରୁ ପାଣି ବାହାର କରିବା କାମରେ ନିଜକୁ ବ୍ୟସ୍ତ ରଖିଲେ। ଖାଲି ପାଦରେ ଏବଂ ପିନ୍ଧିଥିବା ଟ୍ରାକ୍ ପ୍ୟାଣ୍ଟକୁ ଆଣ୍ଠୁ ଯାଏ ମୋଡ଼ି ଦେଇ ହାତରେ କେବଳ ଗୋଟିଏ ବାଲଟି ନେଇ ସେ କାଦୁଅରେ ଭର୍ତ୍ତି କ୍ଷେତରୁ ପ୍ରତିଦିନ ଦୁଇ ଘଣ୍ଟା ପାଇଁ ପାଣି ବାହାର କରିବାରେ ଲାଗିଲେ। ତାଙ୍କର ଟି-ଶାର୍ଟ୍ ଝାଳରେ ଭିଜି ଯାଉଥିଲା। ଖାଲି ହାତରେ ଜମିରୁ ପାଣି କାଢ଼ିବା ଲାଗି ତାଙ୍କୁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଥିଲା। ଏ ସଂପର୍କରେ ବୁଝାଇବାକୁ ଯାଇ ବିଜୟ କହନ୍ତି, “ମୋ ଚାଷଜମି ଖାଲୁଆ ଅଞ୍ଚଳରେ ରହିଛି। ତେଣୁ ଅତ୍ୟଧିକ ବର୍ଷା ହେଲେ ଏହା ବେଶୀ କ୍ଷତିଗ୍ରସ୍ତ ହୁଏ। ଆଖପାଖ ଜମିରୁ ପାଣି ଆସି ମୋ ଜମିରେ ଭରିଯାଏ ଏବଂ ଏହି ସ୍ଥିତିରୁ ନିସ୍ତାର ପାଇବା କଷ୍ଟକର।” ଏହି ଅନୁଭୂତି ହିଁ ତାଙ୍କୁ ଭୟଭୀତ କରିଛି।

ଅତ୍ୟଧିକ ବର୍ଷା, ଦୀର୍ଘକାଳ ଧରି ଶୁଖିଲା ପାଗ ଏବଂ  କୁଆପଥର ବର୍ଷା ଭଳି ପ୍ରତିକୂଳ ପାଣିପାଗ ସ୍ଥିତିରେ ବିଦର୍ଭର ଚାଷୀକୂଳ ଘୋର ମାନସିକ ଚାପରେ ରହୁଥିବା କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ହେଲେ, ଏଭଳି ସଂକଟର ମୁକାବିଲା କରିବା ଦିଗରେ ଚାଷୀମାନଙ୍କ ସହାୟତା ପାଇଁ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନିଅନ୍ତି ନାହିଁ। (ପଢନ୍ତୁ: ବିଦର୍ଭରେ କୃଷି ସଂକଟ ଓ ମାନସିକ ଚାପ )।  ମାନସିକ ଚାପଗ୍ରସ୍ତ ଓ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟସେବା ଆଇନ, ୨୦୧୭ ରେ ରହିଥିବା କୌଣସି ବ୍ୟବସ୍ଥା ବା ସେବା ବିଜୟଙ୍କ ପାଖରେ ପହଞ୍ଚି ନାହିଁ କି ମାନସିକ ସମସ୍ୟା ସହିତ ସଂଘର୍ଷରତ ତାଙ୍କ ବାପା ଘନଶ୍ୟାମଙ୍କ ଜୀବିତାବସ୍ଥାରେ ତାଙ୍କ ପାଖରେ ବି ପହଞ୍ଚି ନଥିଲା। ଏହି ଆଇନ ସଂପର୍କିତ କୌଣସି ସୂଚନା ସେମାନଙ୍କ ପାଖରେ ନାହିଁ। କେବଳ ସେତିକି ନୁହେଁ, ୧୯୯୬ରୁ ଆରମ୍ଭ ହୋଇଥିବା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ କୌଣସି ସର୍ବସାଧାରଣ ସଂପର୍କ ଶିବିର ସଂପର୍କରେ ମଧ୍ୟ ସେମାନେ ଜାଣିନାହାନ୍ତି।

କୃଷକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ୨୦୧୪ ନଭେମ୍ବର ମାସରେ ମହାରାଷ୍ଟ୍ର ରାଜ୍ୟ ସରକାର ‘ପ୍ରେରଣା ପ୍ରକଳ୍ପ କୃଷକ ପରାମର୍ଶ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ’ ଆରମ୍ଭ କରିଥିଲେ। ଗ୍ରାମାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲାଗି ଇନ୍ଦିରାବାଇ ସୀତାରାମ ଦେଶମୁଖ ବହୁଦ୍ଦେଶୀୟ ସଂସ୍ଥା ନାମକ ୟବତମାଲର ଏକ ବେସରକାରୀ ସଂସ୍ଥା ସହଯୋଗରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରିଆରେ କାର୍ଯ୍ୟକାରୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସରକାରୀ-ବେସରକାରୀ (ନାଗରିକ ସମାଜ) ଭାଗୀଦାର ବ୍ୟବସ୍ଥାରେ ଆରମ୍ଭ ହୋଇଥିଲା। କିନ୍ତୁ ୨୦୨୨ ମସିହାରେ ବିଜୟ ଯେତେବେଳେ ତାଙ୍କ ବାପାଙ୍କୁ ହରାଇଲେ, ସେତେବେଳକୁ ଏହି ବହୁଚର୍ଚ୍ଚିତ ସରକାରୀ ‘ପ୍ରେରଣା’ ପ୍ରକଳ୍ପ ବି ଶୂନ୍ୟରେ ମିଳାଇ ସାରିଥିଲା।

Vijay Marottar in his home in Akpuri. His cotton field in Vidarbha had been devastated by heavy rains in September 2022
PHOTO • Parth M.N.

ଅକପୁରୀ ଗାଁର ତାଙ୍କ ଘରେ ବିଜୟ ମରୋତ୍ତର। ୨୦୨୨ ସେପଟେମ୍ବର ମାସର ପ୍ରବଳ ବର୍ଷାରେ ତାଙ୍କ କପା ଜମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି

ଏହି ପ୍ରକଳ୍ପ ପରିକଳ୍ପନାରେ ସକ୍ରିୟ ଯୋଗଦାନ କରିଥିବା ଏ ଅଞ୍ଚଳର ସୁପରିଚିତ ମନୋବିଜ୍ଞାନୀ ପ୍ରଶାନ୍ତ ଚକ୍କରୱାର କହନ୍ତି, “ଏହି ସଂକଟ ନିବାରଣ ନିମନ୍ତେ ଆମେ ସରକାରଙ୍କୁ ବହୁବିଧ କାର୍ଯ୍ୟକ୍ରମର ଏକ ରୂପରେଖ ପ୍ରଦାନ କଲୁ। ଆମେ ପ୍ରଚଳିତ ବ୍ୟବସ୍ଥା ଏବଂ ଭାବନାତ୍ମକ ଶିକ୍ଷାଦାନରେ ପ୍ରଶିକ୍ଷିତ କର୍ମୀଙ୍କୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରିଥିଲୁ। ଲକ୍ଷ୍ୟ ଥିଲା ଯେ, ଏହି କର୍ମୀମାନେ ଗୁରୁତର ମାନସିକ ରୋଗୀମାନଙ୍କୁ ଚିହ୍ନଟ କରି ଜିଲ୍ଲାସ୍ତରୀୟ କମିଟିକୁ ସୂଚନା ଦେବେ। ଏହା ସହିତ ଆମେ ‘ଆଶା’ କର୍ମୀମାନଙ୍କର ସହାୟତା ନେଲୁ। କାରଣ ସେମାନେ ଏହି ମାନସିକ ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଥିଲେ। ଆମ କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ଚିକିତ୍ସା କରିବା, ଔଷଧ ଦେବା ଏବଂ ତା’ ସହିତ ପରାମର୍ଶ ପ୍ରଦାନ କରିବା।”

୨୦୧୬ରେ ୟବତମାଲରେ ଏହି କାର୍ଯ୍ୟକ୍ରମର ସକାରାତ୍ମକ ଫଳାଫଳ ଦୃଷ୍ଟିଗୋଚର ହେଲା ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳ ତୁଳନାରେ ଏଠାରେ ଆତ୍ମହତ୍ୟାଜନିତ ମୃତ୍ୟୁସଂଖ୍ୟା ଆଖିଦୃଶିଆ ଭାବରେ ହ୍ରାସ ପାଇଲା। ରାଜ୍ୟସ୍ତରୀୟ ବିବରଣୀର ତଥ୍ୟ ଅନୁସାରେ ୨୦୧୬ର ପ୍ରଥମ ତିନି ମାସରେ ଆତ୍ମହତ୍ୟା ସଂଖ୍ୟା ତୁଳନାତ୍ମକ ଭାବେ ହ୍ରାସ ପାଇ ୪୮କୁ ଖସିଆସିଲା।  ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୯୬ ରହିଥିଲା। ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ହୁଏତ ବଢ଼ିଲା କିମ୍ବା ପୂର୍ବ ସଂଖ୍ୟା ସହ ସମାନ ରହିଲା। ୟବତମାଲରେ ‘ପ୍ରେରଣା’ ପ୍ରକଳ୍ପର ଏହି ସଫଳତାକୁ ଆଖିରେ ରଖି ସରକାର ସେହି ବର୍ଷ ଅନ୍ୟ ୧୩ଟି ପ୍ରଭାବିତ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଇଲେ।

କିନ୍ତୁ ଏହି ପ୍ରକଳ୍ପ ଓ ଏହାର ସଫଳତା ବେଶୀ ଦିନ ରହିଲା ନାହିଁ ଏବଂ ଖୁବ୍ ଶୀଘ୍ର ଏହା ଫିକା ପଡ଼ିଗଲା।

ଚକ୍କରୱାର କହନ୍ତି, “ଏହି ପ୍ରକଳ୍ପ ଖୁବ୍ ଭଲ ଭାବରେ କାମ କରିବା ଆରମ୍ଭ କରିଥିଲା କାରଣ ନାଗରିକ ସମାଜକୁ ଅମଲାତନ୍ତ୍ର ବେଶ୍ ଭଲ ସହଯୋଗ ଦେଉଥିଲା। ଏହା ସରକାରୀ-ବେସରକାରୀ ଅଂଶୀଦାର ବ୍ୟବସ୍ଥାରେ ଚାଲୁଥିଲା। ସାରା ରାଜ୍ୟରେ ଏହି ପ୍ରକଳ୍ପ ଆରମ୍ଭ ହେବାର କିଛି ଦିନ ପରେ ହିଁ ପ୍ରାଶାସନିକ ଏବଂ ଭିନ୍ନ ଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଲା। ପରିଣାମସ୍ୱରୂପ ନାଗରିକ ସମାଜ ଏଥିରୁ ଓହରି ଗଲା ଏବଂ ପ୍ରେରଣା ପ୍ରକଳ୍ପ ସଂପୂର୍ଣ୍ଣ ଭାବରେ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଏକ କାର୍ଯ୍ୟକ୍ରମରେ ପରିଣତ ହେଲା ଏବଂ ଏହାର କାର୍ଯ୍ୟକାରିତାରେ ଦକ୍ଷତାର ଅଭାବ ପରିଲକ୍ଷିତ ହେଲା।

ଗାଁ ଗହଳିରେ ମାନସିକ ଚାପ ଓ ଦୁଶ୍ଚିନ୍ତାରେ କାଳ କାଟୁଥିବା ସମ୍ଭାବ୍ୟ ମାନସିକ ରୋଗୀମାନଙ୍କୁ ଚିହ୍ନଟ କରିବା ଲାଗି ଆଶା କର୍ମୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା ଏବଂ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବା ପାଇଁ ସେମାନଙ୍କୁ ଅତିରିକ୍ତ ଆର୍ଥିକ ପାଉଣା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ସରକାର ଯେତେବେଳେ ଏ ବାବଦ ଆନୁସଙ୍ଗିକ ସୁବିଧା ସୁଯୋଗ ଦେବାରେ ବିଳମ୍ବ କଲେ, ‘ଆଶା’ କର୍ମୀମାନେ ଆଗ୍ରହ ହରାଇଲେ। ଚକ୍କରୱାର କହନ୍ତି, “ତେଣୁ ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କରିବା ବଦଳରେ ସେମାନେ ନକଲି ମାନସିକ ରୋଗୀଙ୍କ ସଂପର୍କରେ ସୂଚନା ଦେବାରେ ଲାଗିଲେ।”

Left: Photos of Vijay's deceased parents Ghanshyam and Kalpana. Both of whom died because of severe anxiety and stress caused by erratic weather, crop losses, and mounting debts .
PHOTO • Parth M.N.
Right: Vijay knew he could not afford to break down like his father
PHOTO • Parth M.N.

ବାମ : ବିଜୟଙ୍କ ସ୍ୱର୍ଗତ ପିତାମାତା ଘନଶ୍ୟାମ ଓ କଳ୍ପନାଙ୍କ ଫଟୋ ଅନିଶ୍ଚିତ ପାଣିପାଗ ଯୋଗୁଁ ଫସଲହାନି ଏବଂ ଋଣଭାର ବୃଦ୍ଧି କାରଣରୁ ଗୁରୁତର ମାନସିକ ଚାପ ଓ ଦୁଶ୍ଚିନ୍ତାରେ ଉଭୟ ପ୍ରାଣ ହରାଇଥିଲେ ଡାହାଣ : ବିଜୟ ଜାଣିଥିଲେ ଯେ ସେ ତାଙ୍କ ବାପାଙ୍କ ଭଳି ଭାଙ୍ଗି ପଡ଼ିଲେ ଚଳିବ ନାହିଁ

୨୦୨୨ରେ ଘନଶ୍ୟାମ ମରୋତ୍ତର ଆତ୍ମହତ୍ୟା କରି ପ୍ରାଣ ହରାଇବା ବେଳକୁ ପ୍ରେରଣା ପ୍ରକଳ୍ପ ଏକ ବିଫଳ ସରକାରୀ ପ୍ରକଳ୍ପରେ ପରିଣତ ହୋଇସାରିଥିଲା ଏବଂ ଏଥିରେ ଖାଲି ପଡ଼ିଥିବା ପେସାଦାର ମନୋବିଜ୍ଞାନୀ ପଦବୀ ସଂଖ୍ୟା ବଢ଼ିବା ସହିତ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷିତ ‘ଆଶା’ କର୍ମୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ପୁଣିଥରେ ୟବତମାଲର କୃଷି କ୍ଷେତ୍ରରେ ସଂକଟ ଘନୀଭୂତ ହୋଇଥିଲା ଏବଂ ସେହି ବର୍ଷ ୩୫୫ ଜଣ ଚାଷୀଙ୍କ ଆତ୍ମହତ୍ୟା ଘଟଣାରେ ଏହି ସ୍ଥିତି ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା।

ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଂକଟ ନିବାରଣରେ ରାଜ୍ୟ ସରକାରଙ୍କ ଅକ୍ଷମତା ଯୋଗୁଁ ଏକାଧିକ ଅଣ-ଲାଭକାରୀ ବେସରକାରୀ ସଂଗଠନ ଏ ଅଞ୍ଚଳରେ ପ୍ରବେଶ କଲେ। ୨୦୧୬ ମାର୍ଚ୍ଚରୁ ୨୦୧୯ ଜୁନ୍ ପର୍ଯ୍ୟନ୍ତ ୟବତମାଲ ଏବଂ ଘତାଞ୍ଜି ତାଲୁକା ଅଞ୍ଚଳର ୬୪ଟି ଗାଁରେ ଟାଟା ଟ୍ରଷ୍ଟ ପକ୍ଷରୁ ବିଦର୍ଭ ମନସ୍ତାତ୍ତ୍ୱିକ ସହଯୋଗ ଓ ସେବା କାର୍ଯ୍ୟକ୍ରମ ନାମକ ଏକ ପ୍ରାରମ୍ଭିକ ପ୍ରକଳ୍ପ କାର୍ଯ୍ୟକାରୀ କରାଗଲା। ଏହି ପ୍ରକଳ୍ପର ମୁଖ୍ୟ ରୂପେ କାର୍ଯ୍ୟ କରିଥିବା ପ୍ରଫୁଲ କାପସେ କହନ୍ତି, “ଆମର ଏହି ଅଭିଯାନ ଫଳରେ ଲୋକଙ୍କ ମଧ୍ୟରେ ସାହାଯ୍ୟ ଲୋଡ଼ିବା ମାନସିକତା ବୃଦ୍ଧି ପାଇଲା। ଅଧିକରୁ ଅଧିକ ଚାଷୀ ସେମାନଙ୍କ ସମସ୍ୟା ନେଇ ଆମ ପାଖକୁ ଆସିଲେ। ପୂର୍ବରୁ ସେମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ନିମନ୍ତେ ଜଣେ ତାନ୍ତ୍ରିକ ସାଧକଙ୍କ ପାଖକୁ ଯାଉଥିଲେ।”

୨୦୧୮ର ଖରିଫ ଋତୁରେ ଟାଟା ଟ୍ରଷ୍ଟରେ କାର୍ଯ୍ୟରତ ଜଣେ ମନସ୍ତତ୍ତ୍ୱବିତ୍ ଜଣେ ୬୪ ବର୍ଷୀୟ ଚାଷୀଙ୍କ ଚିକିତ୍ସା ପାଇଁ ପହଞ୍ଚିଲେ। ମାନସିକ ଅବସାଦରେ ପୀଡ଼ିତ ଏବଂ ଆତ୍ମହତ୍ୟା ଦୁର୍ଭାବନାଗ୍ରସ୍ତ ଏହି ଚାଷୀ ହେଲେ ଘତାଞ୍ଜି ତାଲୁକା ଅନ୍ତର୍ଗତ ହାଟଗାଓଁ ଗାଁରେ ତିନି ଏକର ଜମିର ମାଲିକ ଶଙ୍କର ପାନ୍ତାଙ୍ଗୱାର। ପୁରୁଣା କଥା ମନେ ପକାଇ ସେ କହନ୍ତି, “ମୁଁ ମାସକରୁ ଅଧିକ ସମୟ ହେଲା ମୋ ଚାଷଜମିକୁ ଦେଖିନି। ସାରା ଦିନ ମୁଁ ମୋ କୁଡ଼ିଆରେ ଶୋଇ ଶୋଇ ବିତାଏ। ଜୀବନ ସାରା ମୁଁ ଚାଷୀ ଭାବରେ କାଳ କାଟିଛି, ହେଲେ ପୂର୍ବରୁ କେତେ ଏତେ ଦିନ ଧରି ମୋ ଜମିକୁ ନ ଦେଖି ରହିଥିବା କଥା ମୋର ମନେ ନାହିଁ। ଆମେ ଯେତେବେଳେ ଆମ ଜମିରେ ମନପ୍ରାଣ ଢାଳି କାମ କରୁ ଏବଂ ବଦଳରେ ଆମକୁ କିଛି ହେଲେ ମିଳେନାହିଁ, ସେତେବେଳେ ଜଣେ ମାନସିକ ଚାପରେ କେମିତି ବା ରହିବନି ?”

କ୍ରମାଗତ ଭାବେ ଦୁଇ କି ତିନିଟି ଋତୁରେ ଶଙ୍କର ତାଙ୍କ ଜମିରେ ପ୍ରଭୁତ କ୍ଷତି ସହିଛନ୍ତି। କ୍ଷେତରେ ସେ କପା ଓ ହରଡ଼ ଚାଷ କରନ୍ତି। ଏବଂ ତେଣୁ ୨୦୧୮ରେ ମେ ମାସ ଆରମ୍ଭ ହେବା ସହିତ ସେ ଆଗାମୀ ଋତୁ ପାଇଁ ପୁଣି ଥରେ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ହେବା କଥା ଚିନ୍ତା କରି ଅଭିଭୂତ ହୋଇପଡ଼ିଲେ। ସେତେବେଳେ ତାଙ୍କୁ ସେଥିରେ କୌଣସି ସମସ୍ୟା ଦେଖାଦେଇ ନଥିଲା। ଶଙ୍କର କହନ୍ତି, “ମୁଁ ନିଜକୁ ନିଜେ କହିଲି ଯେ ମୁଁ ଆଶା ଛାଡ଼ି ପାରିବିନି। ମୁଁ ଭାଙ୍ଗି ପଡ଼ିଲେ, ମୋ ପରିବାର ବି ଭାଙ୍ଗି ପଡ଼ିବ।”

Shankar Pantangwar on his farmland in Hatgaon, where he cultivates cotton and tur on his three acre. He faced severe losses for two or three consecutive seasons
PHOTO • Parth M.N.

ଫଟୋ : ହାଟଗାଓଁର ତାଙ୍କ ଚାଷଜମିରେ ଶଙ୍କର ପାନ୍ତାଙ୍ଗୱାର, ଏଠାକାର ତିନି ଏକର ଜମିରେ ସେ କପା ଓ ହରଡ଼ ଚାଷ କରନ୍ତି କ୍ରମାଗତ ଦୁଇଟି କିମ୍ବା ତିନିଟି ଋତୁ ଧରି ସେ ଗୁରୁତର କ୍ଷତି ସହିଛନ୍ତି

ଅନିଶ୍ଚିତ ପାଣିପାଗ ଯୋଗୁଁ ଚାଷବାସରେ ସଂକଟ ଘନେଇ ଆସିବା କାରଣରୁ ଶଙ୍କରଙ୍କ ୬୦ ବର୍ଷୀୟା ସ୍ତ୍ରୀ ଅନୁଶାୟା ଦିନ ମଜୁରିଆ ଭାବେ କାମ କରନ୍ତି। ସେମାନଙ୍କର ଦୁଇଟି ପିଲା ଅଛନ୍ତି। ବଡ଼ଝିଅ ୨୨ ବର୍ଷୀୟା ରେଣୁକା ବିବାହିତା ଏବଂ ୨୦ ବର୍ଷର ପୁଅ ଏକପ୍ରକାର ବୌଦ୍ଧିକ ଅକ୍ଷମତାରେ ପୀଡ଼ିତ। ସେମାନଙ୍କ ପାଇଁ ହିଁ ୨୦୧୮ରେ ଖରିଫ ଋତୁର ଆଗମନ ସହିତ ତାଙ୍କ ନିଜ ଭିତରେ ଜନ୍ମ ନେଉଥିବା ନକାରାତ୍ମକ ଶକ୍ତି ସହିତ ଲଢ଼ିବାକୁ ଶଙ୍କର ସ୍ଥିର କଲେ।

ପ୍ରାୟ ସେହି ସମୟରେ ହିଁ ମନସ୍ତତ୍ତ୍ୱବିତ୍ ଜଣକ ତାଙ୍କୁ ଦେଖା କଲେ। ସେହି ସମୟର କଥା ମନେ ପକାଇ ସେ କହନ୍ତି, “ମୋର ଯାହା ସବୁ ସମସ୍ୟା ଥିଲା ଗୋଟି ଗୋଟି କରି ମୁଁ ତାଙ୍କୁ ଜଣାଇଲି। ତାଙ୍କ ସହିତ କଥାବାର୍ତ୍ତା କରି ମୁଁ ମୋର ଖରାପ ବେଳାରୁ ବାହାରି ଆସିଲି।” ପରବର୍ତ୍ତୀ କେଇ ମାସ ଧରି ସେମାନଙ୍କ ମଧ୍ୟରେ ନିୟମିତ ଦେଖାସାକ୍ଷାତ ଯୋଗୁଁ ତାଙ୍କୁ ବେଶ୍ ଆଶ୍ୱସ୍ତି ମିଳିଲା ଭଳି ମନେ ହେଲା। ସେ କହନ୍ତି, “ମୁଁ ସେମାନଙ୍କ ସହିତ ମନ ଖୋଲି କଥା ହୁଏ। କୌଣସି ପ୍ରତିବନ୍ଧକ ବିନା କାହା ସହିତ ନିଜ ମନର ଭାବନା ସଂପର୍କରେ କହିବା ଦ୍ୱାରା ମନ ହାଲୁକା ହୋଇଯାଉଥିଲା। ଏ ସବୁ କଥା ଯଦି ମୁଁ ମୋ ପରିବାର ଲୋକ କିମ୍ବା ବନ୍ଧୁମାନଙ୍କୁ କହିବି, ତେବେ ସେମାନେ ଚିନ୍ତିତ ହୋଇପଡ଼ିବେ। ମୁଁ କାହିଁକି ସେମାନଙ୍କୁ ସେଭଳି ଚିନ୍ତାରେ ପକାଇବି ?”

ଧୀରେ ଧୀରେ ଶଙ୍କର ଏଭଳି ପାରସ୍ପରିକ ଭାବ ବିନିମୟ ସହ ଅଭ୍ୟସ୍ତ ହୋଇଗଲେ ଏବଂ ପ୍ରତି ମାସେ କି ଦି ମାସରେ କେହି ଆସି ତାଙ୍କ ସହ କଥାବାର୍ତ୍ତା କରିବେ ବୋଲି ଆଶା କରୁଥିଲେ। ଠିକ୍ ସେହି ସମୟରେ, କୌଣସି ସତର୍କ ସୂଚନା କିମ୍ବା କାରଣ ବିନା ଅଚାନକ ସେମାନଙ୍କ ଆସିବା ବନ୍ଦ ହୋଇଗଲା। “ପ୍ରାଶାସନିକ କାରଣ,” ପ୍ରକଳ୍ପ ମୁଖ୍ୟ କାପସେ କେବଳ ଏତିକି ଯାହା କହିପାରିଲେ।

ଶେଷଥର ପାଇଁ ସେମାନେ ଯେତେବେଳେ ପରସ୍ପରକୁ ଭେଟିଥିଲେ, ସେତେବେଳେ, ନା ଶଙ୍କର ନା ସେହି ମନସ୍ତତ୍ତ୍ୱବିତ୍, କେହି ହେଲେ ଜାଣି ନଥିଲେ ଯେ ଏହା ସେମାନଙ୍କର ଶେଷ ସାକ୍ଷାତ। ଶଙ୍କର ସେହି ସବୁ କଥାବାର୍ତ୍ତାକୁ ଖୁବ୍ ମନେ ପକାନ୍ତି। ସେହିଦିନଠାରୁ ସେ ମାନସିକ ଚାପରେ କାଳ କାଟୁଛନ୍ତି ଏବଂ ଜଣେ ସାହୁକାରଙ୍କ ପାଖରୁ ମାସକୁ ୫ ଟଙ୍କା ବା ବର୍ଷକୁ ୬୦ ପ୍ରତିଶତ ଭଳି ଅତ୍ୟଧିକ ସୁଧ ହାରରେ ୫୦,୦୦୦ ଟଙ୍କା ଧାର କରିଛନ୍ତି। କେହି ଜଣେ ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ ବୋଲି ସେ ଚାହୁଁଛନ୍ତି। କିନ୍ତୁ ଏବେ ତାଙ୍କ ପାଖରେ ଗୋଟିଏ ଉପାୟ ରହିଛି ଏବଂ ତାହା ହେଲା ୧୦୪ ନମ୍ବରକୁ ଫୋନ୍ କରିବା। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସଂପର୍କିତ ସରକାରଙ୍କର ଏହି ନିଃଶୁଳ୍କ ହେଲପଲାଇନ୍ ନମ୍ବର ୨୦୧୪ ମସିହାରୁ କାମ କରୁଛି। ଅକାମୀ ହୋଇ ପଡ଼ିରହିଥିବା ପ୍ରଚଳିତ ସରକାରୀ ସେବା ସହିତ ଯୋଡ଼ି ହୋଇଥିବା ଆଉ ଏକ ବ୍ୟବସ୍ଥା।

'When we pour our heart and soul into our farm and get nothing in return, how do you not get depressed?' asks Shankar. He received help when a psychologist working with TATA trust reached out to him, but it did not last long
PHOTO • Parth M.N.

‘ଆମେ ଆମ ଚାଷଜମିରେ ମନପ୍ରାଣ ଦେଇ କାମ କରିବା ପରେ ବି କୌଣସି ଫଳ ନ ପାଇଲେ ମାନସିକ ଚାପ ବଢ଼ିବନି ତ ଆଉ କ’ଣ ହେବ ?’ ଶଙ୍କର ପଚାରନ୍ତି ଟାଟା ଟ୍ରଷ୍ଟରେ କାମ କରୁଥିବା ଜଣେ ମନସ୍ତ ତ୍ତ୍ୱବିତଙ୍କ ସହିତ କଥାବାର୍ତ୍ତା କରିବା ଦ୍ୱାରା ତାଙ୍କୁ ସହାୟତା ମିଳିଥିଲା, ହେଲେ ଏହା ବେଶୀ ଦିନ ଚାଲିଲା ନାହିଁ

୨୦୨୨ ମସିହା ସେପଟେମ୍ବର ମାସରେ ନିଜକୁ ଜଣେ ମାନସିକ ଚାପଗ୍ରସ୍ତ କୃଷକ ରୂପେ ଉପସ୍ଥାପନ କରି ‘ଦିବ୍ୟ ମରାଠୀ’ ନାମକ ଏକ ଆଞ୍ଚଳିକ ଖବରକାଗଜର ପ୍ରତିନିଧି ଯେତେବେଳେ ୧୦୪ ହେଲପଲାଇନ୍ ନମ୍ବରକୁ ଫୋନ୍ କଲେ ସେପଟୁ ଉତ୍ତର ମିଳିଲା ଯେ ବର୍ତ୍ତମାନ କାଉନସେଲର ଅନ୍ୟ ଜଣେ ରୋଗୀଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ ଅଛନ୍ତି। ସେ ତାଙ୍କ ନାଁ, ଜିଲ୍ଲା ଓ ତାଲୁକା ପ୍ରଭୃତି ଜଣାଇ ଦିଅନ୍ତୁ ଏବଂ ଅଧ ଘଣ୍ଟା ପରେ ପୁଣି ଥରେ ଫୋନ୍ କରନ୍ତୁ ବୋଲି ତାଙ୍କୁ ଅନୁରୋଧ କରାଗଲା। କାପସେ କହନ୍ତି, “ଅନେକ ସମୟରେ, ସହାୟତା ଲୋଡୁଥିବା ବ୍ୟକ୍ତି ତାଙ୍କ କଥା ଶୁଣାଇବା ପରେ ଆଶ୍ୱସ୍ତି ଅନୁଭବ କରନ୍ତି’’।  ‘‘କିନ୍ତୁ ଯଦି ସହାୟତା ଚାହୁଁଥିବା ବ୍ୟକ୍ତି ଘୋର ମାନସିକ ଚାପରେ ରହି ଆତ୍ମହତ୍ୟା କରିବା ଭଳି ଅନୁଭବ କରୁଥାଆନ୍ତି, ତେବେ କାଉନସେଲର ଜଣକ ତାଙ୍କୁ ଆମ୍ବୁଲାନସ ସେବା ପାଇଁ ୧୦୮ ନମ୍ବରକୁ ଫୋନ୍ କରିବା ଦିଗରେ ବୁଝାଇବା ଗୁରୁତ୍ୱପୂର୍ଣ୍ଣ କଥା। ହେଲପଲାଇନ ପରିଚାଳନା ଦାୟିତ୍ୱରେ ଥିବା କାଉନସେଲର ଏଭଳି ସ୍ଥିତିର ସମ୍ମୁଖୀନ ହେବା ଦିଗରେ ପ୍ରଶିକ୍ଷଣ ପାଇଥିବା ଉଚିତ।”

ରାଜ୍ୟ ସରକାରଙ୍କ ତଥ୍ୟାବଳୀ ଅନୁସାରେ ୨୦୧୫-୧୬ ବର୍ଷରେ ସମଗ୍ର ମହାରାଷ୍ଟ୍ରରେ ହେଲପଲାଇନ୍ ନମ୍ବରକୁ ସର୍ବାଧିକ ୧୩,୪୩୭ଟି କଲ୍ ଆସିଥିଲା। ପରବର୍ତ୍ତୀ ଚାରି ବର୍ଷରେ ବର୍ଷକୁ ହାରାହାରି କଲ୍ ସଂଖ୍ୟା ଥିଲା ୯,୨୦୦। କିନ୍ତୁ ୨୦୨୦-୨୧ରେ କୋଭିଡ୍-୧୯ ବ୍ୟାପିବା ସମୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଶୀର୍ଷରେ ପହଞ୍ଚିଥିଲେ ହେଁ ବାର୍ଷିକ କଲ୍ ସଂଖ୍ୟା ନାଟକୀୟ ଢଙ୍ଗରେ ୩,୫୭୫କୁ ଖସିଆସିଥିଲା – ଅର୍ଥାତ୍ ଆଶ୍ଚର୍ଯ୍ୟଜନକ ଭାବେ ୬୧ ପ୍ରତିଶତ ହ୍ରାସ ପାଇଥିଲା। ତା’ପର ବର୍ଷ ଏହା ଆହୁରି ତଳକୁ ଖସି ୧,୯୬୩ରେ ପହଞ୍ଚିଲା- ପୂର୍ବବର୍ତ୍ତୀ ଚାରି ବର୍ଷ ତୁଳନାରେ ଅବିଶ୍ୱସନୀୟ ଭାବରେ ୭୮ ପ୍ରତିଶତ କମ୍।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ମାନସିକ ସମସ୍ୟା ଏବଂ ଚାଷୀ ଆତ୍ମହତ୍ୟା ଘଟଣା ସର୍ବକାଳୀନ ଉଚ୍ଚ ହାରରେ ରହିଥିଲା। ମହାରାଷ୍ଟ୍ର ସରକାରଙ୍କ ତଥ୍ୟ ଅନୁସାରେ ୨୦୨୨ ଜୁଲାଇରୁ ୨୦୨୩ ଜାନୁଆରୀ ମାସ ମଧ୍ୟରେ ୧,୦୨୩ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଯାହାକି, ୨୦୨୨ ଜୁଲାଇ ପୂର୍ବବର୍ତ୍ତୀ ଅଢ଼େଇ ବର୍ଷ ତୁଳନାରେ ଖୁବ୍ ଖରାପ ସ୍ଥିତି। ଏହି ଅଢ଼େଇ ବର୍ଷରେ ୧,୬୬୦ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ।

୨୦୨୨ ଅକ୍ଟୋବର ୩୦ ତାରିଖ ଦିନ କେନ୍ଦ୍ର ସରକାର ଏକ ନୂଆ ହେଲପଲାଇନ୍ ନମ୍ବର-୧୪୪୧୬ ଘୋଷଣା କଲେ। ହେଲପଲାଇନ ନମ୍ବର ୧୦୪କୁ ଧୀରେ ଧୀରେ ହଟାଇବା ପାଇଁ ଏହା ପ୍ରଚଳନ କରାଯାଇଥିଲା। ଏତେ ଶୀଘ୍ର ଏହି ନୂଆ ହେଲପଲାଇନ୍ ନମ୍ବରର ପ୍ରଭାବ ଆକଳନ କରିବା ହୁଏତ ଠିକ୍ ହେବ ନାହିଁ। ହେଲେ ମାନସିକ ଅବସାଦ ଏବେ ବି ଲାଗି ରହିଛି।

Farming is full of losses and stress, especially difficult without a mental health care network to support them. When Vijay is not studying or working, he spends his time reading, watching television, or cooking.
PHOTO • Parth M.N.
Farming is full of losses and stress, especially difficult without a mental health care network to support them. When Vijay is not studying or working, he spends his time reading, watching television, or cooking.
PHOTO • Parth M.N.

ଚାଷବାସରେ କ୍ଷତି ଓ ମାନସିକ ଚାପ ଭରି ରହିଛି ବିଶେଷତଃ ଚାଷୀମାନଙ୍କ ସହାୟତା ପାଇଁ ଏକ ମାନସିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନଥିବା ସମୟରେ ଏହା ଖୁବ୍ କଷ୍ଟକର ବିଜୟ ପାଠପଢ଼ା ଓ କାମ କରିବା ସହିତ ବହି ପଢ଼ି, ଟିଭି ଦେଖି କିମ୍ବା ରୋଷେଇ କରି ସମୟ କାଟିଥାନ୍ତି

୨୦୨୨ ସେପ୍ଟେମ୍ବରରେ ଅତ୍ୟଧିକ ବର୍ଷାରେ ଶଙ୍କରଙ୍କ ଫସଲ ଧୋଇ ହୋଇଗଲା। ତଥାପି ଏବେ ତାଙ୍କ ମୁଣ୍ଡ ଉପରେ ଏବେ ପ୍ରାୟ ଏକ ଲକ୍ଷ ଟଙ୍କାର ଋଣଭାର ରହିଛି। ଏବେ ସେ ଜଣେ ଶ୍ରମିକ ଭାବରେ କାମ କରି ତାଙ୍କ ସ୍ତ୍ରୀଙ୍କ ରୋଜଗାର ବଢ଼ାଇବାକୁ ଯୋଜନା କରିଛନ୍ତି। ୨୦୨୩ରେ ଦୁହେଁ ମିଶି ପରବର୍ତ୍ତୀ ଖରିଫ ଋତୁ ନିମନ୍ତେ ପୁଞ୍ଜି ଯୋଗାଡ଼ କରିପାରିବେ ବୋଲି ଆଶା ରଖିଛନ୍ତି।

ତେଣେ ଅକପୁରୀ ଗାଁରେ, ଏ ସମସ୍ୟାରୁ ନିଷ୍କୃତି ପାଇବା ପାଇଁ ବିଜୟ ଏକ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ପର୍ଯ୍ୟାୟକ୍ରମେ କପା ବଦଳରେ ସ୍ୱଳ୍ପକାଳୀନ ସୋୟାବିନ୍ ଏବଂ ଚଣା ଚାଷ କରିବା ପାଇଁ ସେ ସ୍ଥିର କରିଛନ୍ତି। ଏସବୁ ଚାଷରେ ପାଣିପାଗ ପରିବର୍ତ୍ତନର ସେତେ ବେଶୀ ପ୍ରଭାବ ପଡ଼େ ନାହିଁ। ଏହା ସହିତ ସେ ମାସକୁ ୧୦,୦୦୦ ଟଙ୍କା ଦରମାରେ ଏକ ହାର୍ଡୱେୟାର ଷ୍ଟୋରରେ କାମ କରିବା ସହିତ ସ୍ନାତକୋତ୍ତର ଡିଗ୍ରୀ ପାଇଁ ପାଠ ପଢୁଛନ୍ତି। କାମ କିମ୍ବା ପଢ଼ାପଢ଼ି ନଥିବା ସମୟରେ ବିଜୟ ଅନ୍ୟାନ୍ୟ ବହିପତ୍ର ପଢ଼ି, ଟେଲିଭିଜନ ଦେଖି କିମ୍ବା ରୋଷେଇବାସ କରି ସମୟ କାଟନ୍ତି।

ନିଜେ ନିଜେ ଚାଷବାସ କରିବା ସହିତ ପରିବାର ଚଳାଇବାକୁ ବାଧ୍ୟ ହୋଇଥିବାରୁ ବିଜୟ ତାଙ୍କ ବୟସ ୨୫ ବର୍ଷ ତୁଳନାରେ ବେଶ୍ ଅଭିଜ୍ଞତା ହାସଲ କରିଛନ୍ତି। ତେଣୁ ସେ ତାଙ୍କ ମନକୁ ଅସ୍ଥିର ହେବାକୁ ଦିଅନ୍ତି ନାହିଁ ଏବଂ ଏହା ଫଳରେ ଅନେକ ଯନ୍ତ୍ରଣାଦାୟକ ଚିନ୍ତା ମୁଣ୍ଡରେ ପଶିବାର ଆଶଙ୍କା ରହିଛି ବୋଲି ମନେ କରନ୍ତି।

ସେ କହନ୍ତି, “ମୁଁ କେବଳ ପଇସା ପାଇଁ ଏହି ଚାକିରି କରିବାକୁ ରାଜି ହୋଇନାହିଁ’’। ‘‘ଏଥିରେ ମୁଁ ନିଜକୁ ବ୍ୟସ୍ତ ରଖିପାରୁଛି। ମୁଁ ଆହୁରି ଅଧିକ ପାଠ ପଢ଼ି ସୁରକ୍ଷିତ ଚାକିରିଟିଏ ପାଇବାକୁ ଚାହୁଁଛି। ଏହା ଫଳରେ ମୁଁ ନିଜର ମଙ୍ଗଳ ପାଇଁ ଚାଷବାସକୁ ପୂରାପୂରି ଛାଡ଼ିପାରିବି। ମୋ ବାପା ଯାହା କରିଥିଲେ ମୁଁ ତାହା କରିବି ନାହିଁ। ହେଲେ, ଏଭଳି ଅନିଶ୍ଚିତ ପାଣିପାଗ ସହିତ ମୁଁ ସବୁଦିନ ରହିପାରିବିନି।”

ପାର୍ଥ ଏମ୍.ଏନ୍. ଠାକୁର ଫ୍ୟାମିଲି ଫାଉଣ୍ଡେସନ୍ ଦ୍ୱାରା ପ୍ରଦତ୍ତ ଏକ ଆତ୍ମନିର୍ଭରଶୀଳ ସାମ୍ବାଦିକତା ଅନୁଦାନ ଜରିଆରେ ଜନସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱାଧୀନତା ଉପରେ ରିପୋର୍ଟ ପ୍ରଦାନ କରନ୍ତି ଏହି ଲେଖାର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନ୍ ପକ୍ଷରୁ କୌଣସି ପ୍ରକାର ସଂପାଦକୀୟ ନିୟନ୍ତ୍ରଣ ପ୍ରୟୋଗ କରାଯାଇନାହିଁ

ଯଦି ଆପଣଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖା ଦେଉଛି କିମ୍ବା ଏପରି ସଂକଟରେ ଥିବା କାହାକୁ ଜାଣିଛନ୍ତି ତା’ହେଲେ ଦୟାକରି ଜାତୀୟ ହେଲ୍ପଲାଇନ କିରନକୁ ୧୮୦୦-୫୯୯-୦୦୧୯ (୨୪ ଘଣ୍ଟିଆ ନିଃଶୁଳ୍କ)ରେ କଲ୍‌ କରନ୍ତୁ, କିମ୍ବା ଆପଣଙ୍କ ପାଖରେ ଥିବା ଏଥିମଧ୍ୟରୁ କୌଣସି ହେଲ୍ପଲାଇନର ସହାୟତା ନିଅନ୍ତୁ ମାନସିକ ସ୍ୱାସ୍ଥ୍ୟ ପେସାଦାର ଓ ସେବା ଉପରେ ସୂଚନା ପାଇବା ଏବଂ ଯୋଗାଯୋଗ କରିବା ଲାଗି ଦୟାକରି ଏସପିଆଇଏଫର ମାନସିକ ସ୍ୱାସ୍ଥ୍ୟ ଡିରେକ୍ଟୋରୀ ଦେଖନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE