‘ସେଦିନ ଅପରାହ୍‌ଣରେ ହଠାତ୍‌ ଏମିତି ଘଟିଗଲା!’

“ମୁଁ ଜାଣେ, ସେଇ ଝଡ଼ ଥିଲା ଭୟାବହ । ନୁହେଁ କି?”

“ଅବଶ୍ୟ, ମୋ ଅନୁମାନରେ ଏହି ଗଛଟି ବି ବହୁତ ପୁରୁଣା ହୋଇଯାଇଥିଲା । ପାଞ୍ଚ ଦଶନ୍ଧି ତଳେ, ଆମେ ଏହି ସୋସାଇଟିକୁ ଆସିବା ବେଳକୁ ବି ଏ ଗଛଟି ଏଠାରେ ଥିଲା ।”

“ଏମିତି ତ ଏ ଗଛଟି ବିପଜ୍ଜନକ ଭାବରେ ଗୋଟିଏ ପଟକୁ ଝୁଙ୍କି ପଡ଼ିଥିଲା । ଆଉ ତା’ରି ତଳେ ଅବଦୁଲଙ୍କ ଟପରି (ଚା’ ଦୋକାନ) ବି ବଡ଼ ଝାମେଲା କରୁଥିଲା । ରାତିରେ ବାଦୁଡ଼ି, ଆଉ ଦିନ ସାରା ବଦମାସିଆ ଟୋକାଙ୍କ ଉତ୍ପାତ ଲାଗି ରହୁଥିଲା । ଏସବୁ ମୋତେ ବିରକ୍ତ କରୁଥିଲା ।”

“ହେ, ସେଇଟା କେମିତି ଗୋଟାଏ ଅଜବ ଶବ୍ଦ ଥିଲା! ଠିକ୍‌ ନା ?”

ପୌର ସଂସ୍ଥାର ଜରୁରୀକାଳୀନ ସହାୟତା ଟିମ୍‌ ପହଞ୍ଚି ଆପାର୍ଟମେଣ୍ଟ ଫାଟକ ପାଖରେ ରାସ୍ତା ଅବରୋଧ କରିଥିବା ଗଛ ସଫା କରିବାର ୩୬ ଘଣ୍ଟା ବିତିଗଲାଣି । ତଥାପି ଲୋକେ ଏ ସଂପର୍କରେ କଥାବାର୍ତ୍ତା ବନ୍ଦ କରିନାହାନ୍ତି: କି ଆଶ୍ଚର୍ଯ୍ୟ କଥା, କେତେ ଦୁଃଖଦ, କେମିତି ଆଖି ପିଛୁଳାକେ ହେଲା, ଓଃ ଏତେ ଭୟଙ୍କର, ଏଡ଼େ ଭାଗ୍ୟବାନ । ବେଳେବେଳେ ତା’ ମନରେ ପ୍ରଶ୍ନଟିଏ ଉଙ୍କି ମାରେ, ସମସ୍ତେ କ’ଣ ସେହି ସବୁ କଥାକୁ, ସେହି ପୃଥିବୀକୁ ସବୁ ସମୟରେ ତା’ରି ନଜରରେ ଦେଖୁଛନ୍ତି ? ସେଦିନ ଅପରାହ୍‌ଣରେ ସେ ସେଠାରେ ଥିଲା ବୋଲି ସେମାନେ କ’ଣ ଜାଣିଥିଲେ ? କେହି କ’ଣ ତା’ର ମୃତ୍ୟୁ ସମୟରେ ତାକୁ ଦେଖିଛନ୍ତି ?

ଅବଦୁଲ ଚାଚାଙ୍କ ଦୋକାନ ପାଖରେ ସେ ଅଟୋରୁ ଓହ୍ଲାଇବା ବେଳେ ଖୁବ୍‌ ଜୋର୍‌ରେ ବର୍ଷା ହେଉଥିଲା । ବର୍ଷା ପାଣି ଜମି ରାସ୍ତା ବନ୍ଦ ହୋଇଯାଇଥିଲା ଏବଂ ଅଟୋବାଲା ଆଉ ଆଗକୁ ଯିବ ନାହିଁ ବୋଲି ମନା କରିଦେଲା । ଚାଚା ତା’କୁ ଦେଖି ଚିହ୍ନିଲେ, ହାତରେ ଛତାଟିଏ ଧରି ଦୌଡ଼ି ଦୌଡ଼ି ଅଟୋ ପାଖକୁ ଆସିଲେ ଏବଂ ପଦୁଟିଏ ହେଲେ କଥା ନ କହି ଛତାଟି ତାଙ୍କ ହାତକୁ ବଢ଼ାଇ ଦେଲେ । ସେ ତାଙ୍କ ମୁଣ୍ଡ ଟୁଙ୍ଗାରିଲେ । ସେ ବୁଝିପାରିଲେ, ଅଳ୍ପ ହସି ଛତାଟିକୁ ନେଲେ ଏବଂ ପ୍ରତ୍ୟୁତ୍ତରରେ ମୁଣ୍ଡ ଟୁଙ୍ଗାରିଲେ ଏବଂ ଅଳ୍ପ ଦୂରରେ ଥିବା ଆପାର୍ଟମେଣ୍ଟରେ ପହଞ୍ଚିବା ପାଇଁ ବର୍ଷାପାଣି ଜମିଥିବା ରାସ୍ତା ଅତିକ୍ରମ କରି ଆଗେଇବାରେ ଲାଗିଲେ। ମିନିଟ୍‌କ ପାଇଁ ହେଲେ ବି ସେ ଭାବିଲେନି ଯେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଥିଲା ।

ଘଣ୍ଟାକ ପରେ ସେ ଯେତେବେଳେ କିଛି ଗୋଟାଏ ଭାଙ୍ଗି ଯିବାର ବିକଟାଳ ଶବ୍ଦ ଶୁଣି ଝରକା ପାଖକୁ ଦୌଡ଼ି ଗଲେ, ତାଙ୍କୁ ଲାଗିଲା, ସତେ ଯେମିତି ମୁଖ୍ୟ ରାସ୍ତା ଉପରକୁ ଧସେଇ ପଶି ଆସିଛି ନୂଆ ଜଙ୍ଗଲଟିଏ । କିଛି ଦୂରରେ ଥିବା ପୁରୁଣା ଗଛଟି ଏବେ ଭାଙ୍ଗି ପଡ଼ିଛି ବୋଲି ବୁଝିବା ଲାଗି ତାଙ୍କୁ କିଛି ସମୟ ଲାଗିଗଲା । ଏବଂ ସେହି ଗଛ କୋରଡ଼ରୁ ଧଳା କପୋତଟିଏ ଭଳି ଅବଦୁଲ ଚାଚାଙ୍କର ତକିୟା, ମୁଣ୍ଡ ଉପର ଭାଗର ଜାଲି ଟୋପିଟି, ବାହାରକୁ ଉଙ୍କି ମାରୁଥିଲା।

ପ୍ରତିଷ୍ଠା ପାଣ୍ଡ୍ୟା ଏହି କବିତାକୁ ଇଂରାଜୀରେ ଆବୃତ୍ତି କରୁଥିବା ଶୁଣନ୍ତୁ

PHOTO • Labani Jangi

ପ୍ରାଚୀନ ବୃକ୍ଷ

ପତ୍ର ଫାଙ୍କରେ ସୂର୍ଯ୍ୟ ଯେବେ ଉପରକୁ ଉଠେ
କିଏ ତାକୁ ଦେଖୁଥାଏ, ଜାଣିଛ କି ତୁମେ,
ରଙ୍ଗ ବଦଳାଉଥିବା ବହୁରୂପୀ ଏଣ୍ଡୁଅଟି ନା
କେତେବେଳେ ଇଷତ୍‌ ସବୁଜରୁ ସୁନେଲି-ସବୁଜ,
ପୁଣି ସବୁଜ ବନାନୀର ରଙ୍ଗରୁ କମଳା, ଆଉ ପାଉଁଶ ରଙ୍ଗକୁ...
ଯେବେ ଗଛରୁ ଝଡ଼େ ପତ୍ର,
ଗୋଟିଏ ପରେ ଆଉ ଗୋଟିଏ
କିଏ ଗଣୁଥାଏ?
କିଏ ଦେଖେ ସେହି ପରିପକ୍ୱ ସଂକଳ୍ପର ରୂପରେଖ,
ଯେଉଁଠି କ୍ଷଣଭଙ୍ଗୁର ବୃକ୍ଷ ଶାଖା ଉପରେ,
ବିପଦକୁ ବରି ନେଇ ସମୟ ସାଜେ ମଧ୍ୟସ୍ଥ,
କିମ୍ବା ଗଛ ଗଣ୍ଡିରେ ତଳ ଉପର ହୋଇ ପଇଁତରା ମାରୁଥିବା
ଗୁଣ୍ଡୁଚିମୂଷାର ଦନ୍ତ ଚିହ୍ନ,
କେଜାଣି କାହାକୁ ସେ ଶିକାର ଲାଗି ଖୋଜୁଥାଏ
ଭଗବାନ ହିଁ ଜାଣନ୍ତି?
କିଏ ଦେଖୁଥାଏ ଗଛର କଠିନ ବକଳ ଫୁଟାଇ
ଛିଦ୍ର କରିବାରେ ବ୍ୟସ୍ତ ସେହି କଳା କଳା ଜନ୍ଦାମାନଙ୍କୁ?
କିଏ ଦେଖେ, ଅନ୍ଧାରରେ ଥରିଉଠୁଥିବା ଗଛ ଗଣ୍ଡି?
କିଏ ବାରିପାରେ ଗଛ ଡାଳରେ ଉଠୁଥିବା ଝଡ଼ର ବାସ୍ନା
ଏବଂ ଗଛ ବକଳରେ
ଦୋହଲୁଥିବା ବସନ୍ତ
କି ଗଛ ଶାଖାରେ
ମେଞ୍ଚା ମେଞ୍ଚା ଛତୁର ରୂପକୁ?
କିଏ ମାପେ ମୋ ଚେରର ଗଭୀରତା,
ସେମାନେ ତ ଆଖିବୁଜି ଖୋଳି ଚାଲିଥା’ନ୍ତି ଅମାପ ଦୂରତା,
ଚେରଲଗା ମାଟିର ପ୍ରତିଟି ସ୍ତରରେ ଖୋଜୁଥା’ନ୍ତି
ଅନ୍ତିମ ଆଶାର ରଙ୍ଗ
କିଏ ସେ ଅନୁଭବ କରେ
ମସୃଣ ମାଟିରେ ମୋର ମଜଭୁତ ଉପସ୍ଥାନକୁ,
ବନାଗ୍ନିର ଦହନରେ
ମୋ ଧମନୀର ଶୁଷ୍କତାକୁ?
ସେମାନେ କେବଳ ଦେଖନ୍ତି ସେଇ ଅନ୍ତିମ ପତନ।


ଏହି କବିତାଟି ପ୍ରଥମେ ୨୦୨୩ ରେ ହାୱାକାଲ ପବ୍ଲିଶର୍ସ ଦ୍ୱାରା ପ୍ରକାଶିତ ଏବଂ ବିନିତା ଅଗ୍ରୱାଲଙ୍କ ସଂପାଦିତ କାଉଣ୍ଟ ଏଭ୍ରି ବ୍ରିଦ୍‌ ଶୀର୍ଷକ ଏକ କବିତା ସଂକଳନରେ ପ୍ରକାଶ ପାଇଥିଲା ।

ଅନୁବାଦ : ଓଡ଼ିଶାଲାଇଭ୍‍

Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE