ଉଜ୍ଜ୍ୱଳ ହଳଦିଆ ଶାଢ଼ି ପରିହୀତା ବିମଳା ଭଟ୍ଟ ହାତରେ ଧଳା ଶଙ୍ଖା ପିନ୍ଧିଛନ୍ତି, ଏକ ଚାରିକୋଣିଆ କୋଠରିରେ ବସି ଚୁଲି (ପାରମ୍ପାରିକ ଇନଡୋର ଷ୍ଟୋଭ୍)ରେ ରୁଟି ସେକୁଛନ୍ତି।

ଅଟା ଚକଟିବା ପରେ ସେଗୁଡ଼ିକୁ ବେଲି ଗୋଲିଆ ତାୱାରେ ସେକୁଛନ୍ତି। ଚାରିପାଖରେ ଜାଳେଣି କାଠ ବିଞ୍ଚି ହୋଇ ପଡ଼ିଛି, କିଛି କାଠ କାନ୍ଥରେ ଡେରା ହୋଇଛି-ନୀଳ ରଙ୍ଗର କାନ୍ଥ ମଇଳା ହୋଇଗଲାଣି, କିଛି ପ୍ଲାଷ୍ଟର ଖସି ପଡ଼ିଛି। ନିଆଁ ଉପରେ ମୋଟ ଧୂଆଁର ପରସ୍ତ ଆଚ୍ଛାଦିତ ହୋଇ ରହିଛି।

“ଏମିତି ରାନ୍ଧିଲେ ଖାଦ୍ୟ ବେଶ ସୁସ୍ୱାଦୁ ହୋଇଥାଏ,” ସେ କୁହନ୍ତି। ଧୂଆଁ ଯୋଗୁ ତାଙ୍କର ମୁଣ୍ଡବିନ୍ଧା ହେଉନାହିଁ କିମ୍ବା ସେ ଅସୁସ୍ଥ ହୋଇପଡ଼ୁନାହାନ୍ତି କି? “ମଟକେ କା ପାନି, ଔର ଚୁଲେ କା ଖାନା ସବସେ ଅଚ୍ଛା ହୋତା ହୈ (ମାଠିଆର ପାଣି ଓ ଚୁଲିର ଖାଦ୍ୟ, ସବୁଠୁ ଭଲ ହୋଇଥାଏ)”।

ଯଦିଓ ତାଙ୍କ ପାଖରେ ଗ୍ୟାସ ସିଲିଣ୍ଡର ସୁବିଧା ରହିଛି, ବିମଳା ଚୁଲି ରୋଷେଇକୁ ହିଁ ପସନ୍ଦ କରନ୍ତି। ସେ ଦିନକୁ ୫ କିଗ୍ରା ଅଟାରେ ରୁଟି କରନ୍ତି, ଦିନକୁ ୨୦ଟି ରୁଟି ଖାଇଥାନ୍ତି। ପାଣି ପ୍ରଥମେ ‘ପ୍ୟୁରିଟ’ରେ ବିଶୋଧନ ହେବା ପରେ ବଡ଼ ମାଟି ମାଠିଆରେ ରଖାଯାଇ ଥଣ୍ଡା କରାଯାଇଥାଏ।

PHOTO • Urvashi Sarkar

ବହୁ ବର୍ଷ ଧରି ରହିଆସିଥିବାରୁ ବିମଳା ଭଟ୍ଟ ଏ କଲୋନୀ ଛାଡ଼ି ଯିବାକୁ ଚାହାନ୍ତି ନାହିଁ

ସବୁଦିନିଆ କାମ ଚାଲିବା ମଧ୍ୟରେ, ଜମି ହରାଇବା ଏବଂ ସାମାଜିକ ସମ୍ପର୍କ ବଦଳିଯିବାର ଭୟ ସବୁବେଳେ ରହିଛି। “ମୁଁ ଏଠାକୁ ୩୦ ବର୍ଷ ପୂର୍ବେ ଆସିଥିଲି,” ବିମଳା କୁହନ୍ତି। ସେ ଆଜି ବି ଯୁବତୀ ଲାଗୁଛନ୍ତି, ତାଙ୍କର ଚର୍ମ ସେମିତି ନିଖୁଣ ଅଛି। “ମୋ ବୟସ କେତେ ମୁଁ ଜାଣେ ନାହିଁ,” ବ୍ୟଙ୍ଗାତ୍ମକ ଶୈଳୀରେ ହସି ସେ କୁହନ୍ତି।

ବିମଳାଙ୍କ ଘର ରାଜସ୍ଥାନର ସିକାର ଜିଲ୍ଲାରେ, ସେ ଜାତୀୟ ପୁରସ୍କାରପ୍ରାପ୍ତ କଣ୍ଢେଇ ନଚାଳି ପୁରଣ ଭଟ୍ଟଙ୍କ ପରିବାରକୁ ବାହା ହୋଇ ଆସିଥିଲେ। ଏ କଲୋନୀର ଅଧିକାଂଶ ପରିବାର ୭୦ ଦଶକରେ ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ବିହାରରୁ ସ୍ଥାନାନ୍ତରିତ ହୋଇ ଏଠାକୁ ଚାଲିଆସିଥିଲେ।

କଳାର ସଂରକ୍ଷଣ ଓ ଜୀବିକା ନିର୍ବାହ ପାଇଁ ପ୍ରୟାସ

ପୁରନ ଭଟ୍ଟଙ୍କ ଘର ପଶ୍ଚିମ ଦିଲ୍ଲୀର କଠପୁତଲି କଲୋନୀରେ ବେଶ ଜଣାଶୁଣା ଠିକଣା। ଏ କଲୋନୀ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ପକ୍ଷରୁ ପ୍ରଥମ ବସ୍ତି ପୁନର୍ବାସ ପ୍ରକଳ୍ପ। ଯୋଜନା ଅନୁଯାୟୀ, ପ୍ରଥମେ ସେମାନଙ୍କୁ ଦୁଇ ବର୍ଷ କିମ୍ବା ଅଧିକ ସମୟ ପାଇଁ ଅସ୍ଥାୟୀ କ୍ୟାମ୍ପକୁ ପଠାଇ ଦିଆଯିବ, ଏହାପରେ ସେମାନଙ୍କୁ କଠପୁତଲି କଲୋନୀରେ ଫ୍ଲାଟ ନିର୍ମାଣ କରି ରହିବାକୁ ଦିଆଯିବ। ଡିଡିଏ ସହିତ ସରକାରୀ-ଘରୋଇ ଭାଗିଦାରୀ ମାଧ୍ୟମରେ ରାହେଜା ଡେଭଲପର୍ସ ଦ୍ୱାରା ଏହି ଫ୍ଲାଟଗୁଡ଼ିକ ନିର୍ମାଣ କରାଯିବ। କଲୋନୀରେ ଜମି ନଥିବା କେତେକ ପରିବାର ଅସ୍ଥାୟୀ କ୍ୟାମ୍ପକୁ ଯିବା ଲାଗି ରାଜି ଅଛନ୍ତି। ମାତ୍ର ଯେଉଁମାନଙ୍କର ଜମି ରହିଛି ସେମାନେ କଲୋନୀ ଛାଡ଼ି ଯିବାକୁ ଭୟ କରୁଛନ୍ତି-ପ୍ରତିଶ୍ରୁତି ଅନୁଯାୟୀ ସେମାନଙ୍କୁ ଫ୍ଲାଟ ମିଳିବ ନାହିଁ ଏବଂ ଏହି ପ୍ରକ୍ରିୟାରେ ସେମାନେ ନିଜର ଜମି ହରାଇବେ ବୋଲି ଭୟରେ ରହିଛନ୍ତି।

“ଆମେ ସବୁବେଳେ ଏଠି ରହିଆସିଛୁ। ଆମେ ଏଠାରୁ ଛାଡ଼ିଯିବୁ କାହିଁକି?” ବିମଳା ପ୍ରଶ୍ନ କରନ୍ତି। ତାଙ୍କ କଥାରେ ତାଙ୍କର ୧୫ ବର୍ଷୀୟା ଝିଅ ଦିପାଲୀ ମଧ୍ୟ ସହମତ ହୁଅନ୍ତି: “ଫ୍ଲାଟଗୁଡ଼ିକ ନିବୁଜ ସ୍ଥାନ ଭଳି। ଆମେ ସେଠାରେ ଆମ ବନ୍ଧୁ ଓ ପଡ଼ୋଶୀଙ୍କୁ ଭେଟିବାର ସୁଯୋଗ ପାଇପାରିବୁ ନାହିଁ।”

ଦିପାଲୀ ଚା’ ପିଇବାକୁ ଚାହୁଁଥିଲେ; ତେଣୁ ଆମେ ତାଙ୍କ ମା’ଙ୍କୁ ରୋଷେଇ ଘରକୁ ଯିବା ଲାଗି ଛାଡ଼ିଦେଲୁ। ଏହାପରେ ଆମେ ପାଖରେ ଥିବା ଏକ କୋଠରିରେ ବସିଲୁ। ସେଠି ଚଟାଣରେ ବସିଥିଲା ଆଖିରେ କଜ୍ଜଳ ପିନ୍ଧିଥିବା ଓ ଛୋଟିଆ ଜଟ ପାରିଥିବା ଝିଅଟିଏ। ସେ ଆମ ଆଡ଼କୁ ଚାହିଁ ହସୁଥିଲା। ସେ ପଡ଼ୋଶୀଙ୍କ ଝିଅ ଥିଲା। ପିଲାମାନେ ପାଟି କରି ଖୁବ ଜୋରରେ ଦୌଡ଼ି ଆସୁଥିଲେ ଆମ ଆଡ଼କୁ ଅଲଗା ଢଙ୍ଗରେ ଚାହୁଁଥିଲେ ଏବଂ ଚାଲିଯାଉଥିଲେ। କଠପୁତଲି କଲୋନୀରେ ଘରଗୁଡ଼ିକ ପାଖକୁ ଲଗାଲଗି ହୋଇ ରହିଥିଲା। ସଙ୍କୀର୍ଣ୍ଣ ଗଳିର ଦୁଇ ପାଖରେ ଛୋଟ ବଡ଼ ଘର ନିର୍ମିତ ହୋଇଥିଲା। ନାଳନର୍ଦ୍ଦମା ଅଳିଆଆବର୍ଜନା ଓ ମଳରେ ଭରି ରହିଥିଲା। ପାଣି ସଙ୍କଟ ଲାଗି ରହିଥିଲା ଯାହାକି ସରକାରୀ କର୍ତ୍ତୃପକ୍ଷଙ୍କ ଅବହେଳା ପ୍ରତି ଇଙ୍ଗିତ କରୁଥିଲା। ତେବେ ଏହାର ବ୍ୟତିକ୍ରମ ଭାବେ ଘର ଭିତର ସାଜସଜ୍ଜା ପରିଷ୍କାର ଥିଲା।

PHOTO • Urvashi Sarkar

କଠପୁତଲି କଲୋନୀର ଅପରିଷ୍କାର ପରିବେଶ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ପ୍ରତିଫଳିତ କରୁଛି

ନିଜ ସମୁଦାୟ ପ୍ରତି ରହିଥିବା ବିପଦ ଲାଗି ଯଥେଷ୍ଟ ସଚେତନ ଥିବା ଦିପାଲୀ କୁହନ୍ତି, କିପରି ଭାବେ ନିକଟରେ ନିର୍ମାଣ ହେବାକୁ ଯାଉଥିବା ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ଓ ମଲ୍ ସେମାନଙ୍କର କଲୋନୀକୁ ଅଲଗା କରିଦେବ। ଏଠାରେ ନିର୍ମାଣ ହେବାକୁ ଥିବା ଆପାର୍ଟମେଣ୍ଟ ବେଶ ବିଳାସପୂର୍ଣ୍ଣ ହେବ, ଏଗୁଡ଼ିକୁ ବିକ୍ରି ଉଦ୍ଦେଶ୍ୟରେ ନିର୍ମାଣ କରାଯିବ। “ଯେମିତି ସେମାନେ ଆମକୁ ଆଡ଼େଇ ଦେବାକୁ ଚାହୁଁଛନ୍ତି ଏବଂ ଆମକୁ ଲୁଚାଇବାକୁ ଚାହୁଁଛନ୍ତି। ମଳିନତା ଓ ଦାରିଦ୍ର୍ୟ ଦେଖାଯିବା ଉଚିତ ନୁହେଁ,” ସେ ଅସନ୍ତୋଷ ପ୍ରକଟ କରି କହିଥିଲେ।

ନିଜ ଜେଜେ ବାପା ପୁରନ ଭଟ୍ଟଙ୍କ ଉପଲବ୍ଧି ଓ ପ୍ରସିଦ୍ଧିକୁ ନେଇ ସେ ଗର୍ବିତ। ଦିପାଲୀଙ୍କର ନିଜର ମଧ୍ୟ କିଛି ସ୍ୱପ୍ନ ରହିଛି- ସେ ଫ୍ୟାଶନ ଡିଜାଇନର ହେବାକୁ ଚାହାନ୍ତି। କିନ୍ତୁ ଏହାକୁ ନେଇ ସେ ଅନିଶ୍ଚିତତା ଭିତରେ ରହିଛନ୍ତି। “ଶାଦୀ କରନେ କେ ଲିୟେ ବୋଲେଙ୍ଗେ (ସେମାନେ ମୋତେ ବାହା ହେବାକୁ କହିବେ)”, ଖୁବ ଧୀର ସ୍ୱରରେ ସେ କହିଥିଲେ। ତାଙ୍କର ସବୁ ସାଙ୍ଗମାନେ ବାହା ହୋଇସାରିଲେଣି। ସେ ଆହୁରି ଆତ୍ମବିଶ୍ୱାସର ସହ କୁହନ୍ତି: “ଘରେ ଆମର ଯଥେଷ୍ଟ ସ୍ୱାଧୀନତା ରହିଛି। ମୋତେ ପାଠପଢ଼ିବା ଓ କାମ କରିବା ଲାଗି ପ୍ରୋତ୍ସାହିତ କରାଯାଉଛି।”

ଖୁସିର ସହିତ ସେ କହିଥିଲେ, ଅଧିକାଂଶ ସମୟରେ ସେ ତାଙ୍କ ମା’ଙ୍କ ଗାଁକୁ ଯାଇ ବିବାହ ଉତ୍ସବରେ ସାମିଲ ହୋଇଛନ୍ତି। "ଗାଁରେ ବାହାଘର ଦେଖିଲେ ଖୁବ ମଜା ଆସିଥାଏ। ଲୋକମାନେ ଯେପରି ଭାବେ ବେଶଭୂଷା ହୋଇ ନାଚ କରିଥାନ୍ତି ତାହା ଦେଖିବାର କଥା”, ସେ କହିଥିଲେ। ଆଖି ନଚେଇ ସେ ଆହୁରି କହିଥିଲେ ଯେ “ଆପଣମାନେ ମଧ୍ୟ ଆସିବା ଉଚିତ!” କୌଣସି ସନ୍ଦେହ ଓ କ୍ଷମା ରହିବା ଅନୁଚିତ, ଦିପାଲୀ ତାଙ୍କ ନିମନ୍ତ୍ରଣକୁ ନେଇ ଖୁବ ସ୍ପଷ୍ଟ ଥିଲେ।

କଳାକାର ସମୁଦାୟ ଭାବେ କଠପୁତଲି କଲୋନୀ ବାସିନ୍ଦାଙ୍କର ବିଶେଷ ପରିଚୟ ରହିଛି। ଦରଜୀ, ବଢ଼େଇ, କୁମ୍ଭକାର ଓ ଅନ୍ୟ ପେସାରେ ରହିଥିବା ଅନ୍ୟ କୌଣସି ସମୁଦାୟ ଅପେକ୍ଷା ସେମାନଙ୍କର ଅଧିକ କ୍ଷମତା ଓ ପ୍ରଭାବ ରହିଛି। ସଙ୍ଗୀତ ଓ ଯାଦୁ, ନୃତ୍ୟ ଓ କଳା ଏ ବସ୍ତିରେ ସମୃଦ୍ଧି ହାସଲ କରିଛି-ପେଟପାଟଣା କଥା ହୋଇଥିବାରୁ କଳା ପ୍ରଦର୍ଶନକୁ ଏଠାରେ ଅଧିକ ଗମ୍ଭୀରତାର ସହିତ ଗ୍ରହଣ କରାଯାଇଥାଏ।

ମହମ୍ମଦ ମାଜିଦ ଯାଦୁକରୀରେ ବେଶ ଦକ୍ଷ ଓ ଏହାକୁ ସେ ଜୀବିକା ଭାବେ ଗ୍ରହଣ କରିଛନ୍ତି। ମାଜିଦ ଏକ ବଖୁରିକିଆ ଘରେ ଯାଦୁ ପେସାର ଅଭ୍ୟାସ କରିଥାନ୍ତି। ଏ ଘରଟି ଛାତ ଉପରେ ବିପଦସଙ୍କୁଳ ଭାବେ ରହିଛି ଯେଉଁଠିକୁ ଏକ ବଙ୍କା ଶିଢ଼ିରେ ଚଢ଼ି ପହଞ୍ଚିବାକୁ ହୋଇଥାଏ। ଅନ୍ୟମାନଙ୍କୁ ଚକିତ କରିବା ଓ ଆଚମ୍ବିତ କରିବା ଲାଗି ତାଙ୍କ ପାଖରେ ଅନେକ ମାଧ୍ୟମ ରହିଛି- ବହି, ରଶି, ବାଲଟି, ମଗ ଆଦି। ମାଜିଦ ରାଜସ୍ଥାନ ଅଲୱର ଜିଲ୍ଲାର ମୂଳବାସିନ୍ଦା ହୋଇଥିବା ବେଳେ ଜୀବନର ଅଧିକାଂଶ ସମୟ ସେ କଠପୁତଲି କଲୋନୀରେ କାଟିଛନ୍ତି। ସେ ତାଙ୍କ ବାଣିଜ୍ୟର ଇତିହାସ ବିଷୟରେ ବର୍ଣ୍ଣନା କରିଛନ୍ତି: “ଅଲୱାରର ଯାଦୁଗରମାନେ ପ୍ରଥମେ ବଞ୍ଜାରାସ୍ ଥିଲେ, ସେମାନେ କାମ ଖୋଜୁଥିଲେ। ଗ୍ରାମଗୁଡିକରେ ଆମର ବାଣିଜ୍ୟ ଉଠାଯାଇଥିଲା, କିନ୍ତୁ ଜୀବିକା ନିର୍ବାହ ପାଇଁ କୌଣସି ସୁବିଧା ନଥିଲା। ଏଠାରେ, ସହରରେ ଅଧିକ ଅର୍ଥ ଉପଲବ୍ଧ । ହୋଟେଲ, ଜନ୍ମଦିନ ପାର୍ଟି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆମେ ପ୍ରଦର୍ଶନ କରିଥାଉ।''

ପଡ଼ୋଶୀ ତଥା କଳାକାର ଯୋଗାଡ଼ ବ୍ୟବସାୟ କରୁଥିବା ୧୯ ବର୍ଷୀୟ ଉଦ୍ୟମୀ ଯୁବକ ରାଜେଶ ଭଟ୍ଟ ଦାବି କରନ୍ତି ଯେ ମାଜିଦ ୩୦ ମିନିଟ ପର୍ଯ୍ୟନ୍ତ ମ୍ୟାଜିକ ପ୍ରଦର୍ଶନ କରି ୩୦୦୦ ଟଙ୍କା ରୋଜଗାର କରିଥାନ୍ତି।

ମାତ୍ର ୧୯ ବର୍ଷ ବୟସରେ ରାଜେଶ କଳାକାର ଯୋଗାଡ଼ ଭଳି କାମ କରିପାରୁଥିବା ବେଳେ ସେ ମାତ୍ର ଦୁଇ ବର୍ଷ ବୟସ୍କା ମୁନ୍ନୀଙ୍କୁ ନେଇ ଏକ ଦଳ ଗଢ଼ିଛନ୍ତି। ମୁନ୍ନୀ ଯେକୌଣସି ସଙ୍ଗୀତର ତାଳେ ତାଳେ ତାଳି ବାଡ଼େଇବାରେ ସିଦ୍ଧହସ୍ତ। ସେ ଦଳରେ ଥିବା ବଡ଼ ପିଲାଙ୍କ ସହିତ ମିଶି  ରାଜସ୍ଥାନୀ ଲୋକଗୀତ ତାଳରେ ତାଳି ବଜାଉଛନ୍ତି। ସଙ୍ଗୀତ ସହିତ ଏକ ହାର୍ମୋନିୟମ ଓ ତାବଲା, ଇଲେକ୍ଟ୍ରିକ ଗୀଟାର ମଧ୍ୟ ବାଜୁଛି। ସଙ୍ଗୀତଗୁଡ଼ିକ ବେଶ ଲୋକପ୍ରିୟ- ‘ପଧାରୋ ମାରେ ଦେଶ’ ଓ ‘ଆରାରାରା’। ଏ ଗୀତଗୁଡ଼ିକ କେତେ ପୁରୁଣା ରାଜେଶ ତାହା ଜାଣନ୍ତି ନାହିଁ : “ଏ ଗୀତଗୁଡ଼ିକ ମୋ ଜେଜେ ବାପାଙ୍କ ସମୟରୁ ରହିଆସିଛି, ହୁଏତ’ ତା’ପୂର୍ବରୁ। ଏଗୁଡ଼ିକ ସମ୍ଭବତଃ ଗାଁରୁ ଆସିଛି।”

ତିନି ଦଶନ୍ଧି ପୂର୍ବରୁ କଠପୁତଲି କଲୋନୀର ଅଧିକାଂଶ ପରିବାର ପ୍ରବାସିତ ହୋଇ ଆସିଛନ୍ତି। ତେଣୁ ଅଧିକାଂଶ ବର୍ତ୍ତମାନର ପିଢ଼ି ସହରରେ ହିଁ ଜନ୍ମିତ। ସେମାନଙ୍କର ଦୈନନ୍ଦିନ ଅଭ୍ୟାସ, ସାମାଜିକ ସମ୍ପର୍କ, ବୈବାହିକ ପ୍ରଥା, କଳା, ବେଶଭୂଷାରେ ଗ୍ରାମୀଣ ଝଲକ ଦେଖିବାକୁ ମିଳିଥାଏ, କିନ୍ତୁ ସେମାନଙ୍କର ଆଶାଆକାଂକ୍ଷା ଓ ପ୍ରଗତିର ଆଭିମୁଖ୍ୟରେ ସହରାଞ୍ଚଳର ଝଲକ ଦେଖିବାକୁ ମିଳିଥାଏ।

ଦିଲ୍ଲୀ ସରକାର ସହରୀକରଣ ମଡେଲକୁ ଲାଗୁ କରିବାକୁ ଚାହୁଁଛନ୍ତି ଏବଂ କଲୋନୀର ବାସିନ୍ଦା ନୂଆ ଢାଞ୍ଚାକୁ ନେଇ ସନ୍ତୁଷ୍ଟ ନୁହନ୍ତି, ଏହା ଭିତରେ କଠପୁତଲି କଲୋନୀର ବାସିନ୍ଦା ଚାପି ହୋଇଯାଇଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Urvashi Sarkar is an independent journalist and a 2016 PARI Fellow.

Other stories by Urvashi Sarkar