ପୂର୍ଣ୍ଣିମା ମିସ୍ତ୍ରୀ ତାଙ୍କ ମାଛଧରା ଜାଲ ସହିତ ରାଇମଙ୍ଗଲ ନଈରୁ ବାହାରନ୍ତି । ତାଙ୍କ ଅଣ୍ଟା ଚାରିପଟେ ପାଣି ଢେଉ ଭାଙ୍ଗୁଥାଏ। ବାଘୁଆ ଚିଙ୍ଗୁଡ଼ି ଯାଆଁଳ ଖୋଜିବାକୁ ନିଜ ପଛଆଡ଼େ ବନ୍ଧା ଜାଲକୁ ଟାଣି ଟାଣି ସେ ନଈକୂଳ ପାଖ ପାଣିରେ ଅଧ ଘଣ୍ଟା ହେଲା ପହଁରୁଥିଲେ ।

ନଈକୂଳରେ ସେ ଜାଲରେ ପଡ଼ିଥିବା ଜିନିଷକୁ ବାଛନ୍ତି । ଚିଙ୍ଗୁଡ଼ି ଯାଆଁଳକୁ ଦଳ, ଘାସପତ୍ର ଓ ଅନ୍ୟ ମାଛରୁ ଅଲଗା କରନ୍ତି । ପ୍ରଖର ଖରାରେ ତାଙ୍କ ଶାଢ଼ି ଓ କେଶ ଶୁଖିବା ଆରମ୍ଭ କରେ। କିନ୍ତୁ ପୂର୍ଣ୍ଣିମାଙ୍କୁ ପୁଣି ନଈକୁ ଯିବାକୁ ହେବ। ସେ କହନ୍ତି, “ମତେ ଆହୁରି ଅଧିକ ଚିଙ୍ଗୁଡ଼ି ଯାଆଁଳ ସଂଗ୍ରହ କରିବାକୁ ହେବ, ଯେମିତି କି ମୁଁ ସେଗୁଡ଼ିକୁ ବିକିପାରିବି । ଏଥିପାଇଁ ଆହୁରି ୨-୩ ଘଣ୍ଟା ଲାଗିବ।”

କାଦୁଅ ଭର୍ତ୍ତି ନଈକୂଳରେ ବସି ଜାଲରେ ପଡ଼ିଥିବା ଜିନିଷକୁ ବାଛିବା ବେଳେ ସେ ଲୁଣିଆ ପାଣି ଓ କାଦୁଅରେ ଘଣ୍ଟା ଘଣ୍ଟା କାଟିବା ଫଳରେ ହେଉଥିବା ଚର୍ମରୋଗ ଓ କୁଣ୍ଡେଇ ହେଉଥିବା ବିଷୟରେ କହନ୍ତି।“ଦେଖନ୍ତୁ ଆମ କାମ କେତେ କଷ୍ଟକର।” ସେ କହନ୍ତି, “ସୁନ୍ଦରବନର ଲୋକେ ଏମିତି ହିଁ ବଞ୍ଚନ୍ତି ଏବଂ ଖାଆନ୍ତି ।”

ଦୁଇଟି ଝିଅ ଓ ଗୋଟିଏ ପୁଅ ସମେତ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଦୁଇ ବର୍ଷ ତଳେ ପୂର୍ଣ୍ଣିମା ଏହି କାମ ଆରମ୍ଭ କରିଥିଲେ। ତାଙ୍କ ସ୍ଵାମୀ ପାଣିକୁ ଭୟ କରନ୍ତି ଏବଂ ମାଛ ଧରିବାକୁ ଯାଇପାରନ୍ତି ନାହିଁ, ଯାହା କି ଏଠାକାର ମୁଖ୍ୟ ବେଉସା। ତେଣୁ ସେ ପନିପରିବା ଚାଷ କରି ଘରେ ବିକ୍ରି କରନ୍ତି।

ଭିଡିଓ ଦେଖନ୍ତୁ: ବିକିବା ପାଇଁ ପର୍ଯ୍ୟାପ୍ତ ମାଛ ଯାଆଁଳ ଖୋଜିବାକୁ ରାଇମଙ୍ଗଲ ନଈରେ ଘାଣ୍ଟି ହୁଅନ୍ତି ପୂର୍ଣ୍ଣିମା ମିସ୍ତ୍ରୀ

ସୁନ୍ଦରବନର କେତେକ ଅଞ୍ଚଳରେ ସାଧାରଣତଃ ଦେଖାଯାଉଥିବା କୁମ୍ଭୀର ଏବଂ ବାଘ ହାବୁଡ଼ରେ ପଡ଼ିବାକୁ ସେ କ’ଣ ଡରନ୍ତି? “ବେଳେବେଳେ, ମୁଁ କୁମ୍ଭୀରକୁ ଭୟ କରେ; ସେମାନେ ଗାଁର କେତେକ ଲୋକଙ୍କୁ ଆକ୍ରମଣ କରିଛନ୍ତି।”ପୂର୍ଣ୍ଣିମା କହନ୍ତି, “ବାଘମାନେ ଏଠାକୁ ଆସନ୍ତି ନାହିଁ କାରଣ ସେମାନଙ୍କୁ ଦୂରେଇ ରଖିବା ପାଇଁ ଜଙ୍ଗଲରେ ଏକ ସୁରକ୍ଷା ଜାଲ ଲଗାଯାଇଛି ।”

ପୂର୍ଣ୍ଣିମା ଯୋଗେଶଗଞ୍ଜରେ ରହନ୍ତି। ପଶ୍ଚିମବଙ୍ଗର ହିଙ୍ଗଲଗଞ୍ଜ ବ୍ଲକ୍‌ରେ ୭,୦୦୦ରୁ ଅଧିକ ଲୋକଙ୍କ ଏହି ଗାଁର ଘରଗୁଡ଼ିକ ବିକ୍ଷିପ୍ତ ଭାବେ ରାଇମଙ୍ଗଲ ନଈକୂଳ ଅଞ୍ଚଳରେରହିଛି।ସୁନ୍ଦରବନର ଅନ୍ୟାନ୍ୟ ଗାଁ ଭଳି ଯୋଗେଶଗଞ୍ଜର ମହିଳା ଓ ପିଲାମାନେ ମାଛ ଯାଆଁଳ ସଂଗ୍ରହକାରୀ ଭାବେ କାମ କରନ୍ତି। ମହୁ ଓ କାଠ ଭଳି ଜଙ୍ଗଲଜାତ ଦ୍ରବ୍ୟ ଏବଂ ମାଛ ଓ କଙ୍କଡ଼ା ବିକ୍ରିରୁ ହେଉଥିବା ସେମାନଙ୍କ ପରିବାରର ଆୟ ବଢ଼ାଇବାରେ ଏହା ସହାୟତା କରେ।

ରାଜ୍ୟ ସରକାରଙ୍କ ତଥ୍ୟାବଳୀ [୨୦୦୯ରୁ ] ଅନୁସାରେ ଦାରିଦ୍ର୍ୟ ଯୋଗୁଁ ସୁନ୍ଦରବନରେ ରହୁଥିବା ୪୪ ଲକ୍ଷ ଲୋକଙ୍କ ଭିତରୁ ୨ ଲକ୍ଷରୁ ଅଧିକ ବାଘୁଆ ଚିଙ୍ଗୁଡ଼ି ଯାଆଁଳ ସଂଗ୍ରହ କରନ୍ତି ।

ହେମନଗର ଗାଁର ସୋମା ମଣ୍ଡଳ କହନ୍ତି ଯେ ପ୍ରାୟତଃ ମହିଳାମାନେ ହିଁ ଏହି କାମ କରନ୍ତି। “ପୁରୁଷମାନେ କଙ୍କଡ଼ା ଧରିବା ଭଳି ବଡ଼ ବଡ଼ କାମ କରନ୍ତି। ଯେଉଁଥିରୁ ଅଧିକ ରୋଜଗାର ମିଳେ (ଏବଂ ଯେଉଁଥିପାଇଁ ସେମାନେ ଡଙ୍ଗା ଭଡ଼ା କରି ଦଳଦଳ ହୋଇ ଯାଆନ୍ତି)। ମାଛ ଯାଆଁଳ ଧରିବା କାମ ମହିଳାମାନେ କରନ୍ତି ଏବଂ ଅତି ଗରିବ ଘରେ ପିଲାମାନେ (ଏହି କାମ କରନ୍ତି)। ଏଥିରୁ ଖୁବ କମ୍‌ ରୋଜଗାର ହୁଏ କିନ୍ତୁ ଅନ୍ୟ ଉପାୟ ବି ନାହିଁ। ଗାଁର ପ୍ରତିଟି ପରିବାରରୁ ଅତି କମ୍‌ରେ ଜଣେ ମହିଳା ଏହି କାମ କରନ୍ତି। ଆମେ ବେଶୀ କିଛି ଚାଷକାମ କରିପାରୁନାହିଁ । କାରଣ ବର୍ଷା ଋତୁକୁ ଛାଡ଼ି ବର୍ଷର ଅଧିକାଂଶ ସମୟ ଏଠାକାର ମାଟି ଓ ପାଣି ଲୁଣିଆ ହୋଇଥାଏ। ବର୍ଷାଦିନେ ଯାହା ଆମେ ଧାନଚାଷ କରୁ।”

Left: The people who collect tiger prawn seedlings spend close to five hours in the water to get a sufficient catch. Right: A woman drags her net into the river at low tide, which is the best time to gather the seedlings
PHOTO • Urvashi Sarkar

ବାମ: ପର୍ଯ୍ୟାପ୍ତ ଯାଆଁଳ ପାଇବାକୁ ବାଘୁଆ ଚିଙ୍ଗୁଡ଼ି ଯାଆଁଳ ଧରୁଥିବା ଲୋକମାନଙ୍କୁ ପାଣିରେ ପାଖାପାଖି ପାଞ୍ଚ ଘଣ୍ଟା ବିତାଇବାକୁ ପଡ଼େ। ଡାହାଣ:ଜୁଆର କମିଥିବା ସମୟରେ ଜଣେ ମହିଳା ତାଙ୍କ ଜାଲକୁ ନଈ ଭିତରକୁ ଟାଣି ନେଉଛନ୍ତି। ଯାଆଁଳ ସଂଗ୍ରହ ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ।

ଜୁଆର କମିଯାଇଥିବା ବେଳେ ଯାଆଁଳ ଖୋଜିବାକୁ ସୋମା ପ୍ରାୟ ପ୍ରତିଦିନ ନଈକୁ ଯାଆନ୍ତି। ଜୁଆର ଛାଡ଼ି ଆସୁଥିବା ସମୟ ହିଁ ପ୍ରଚୁର ଯାଆଁଳ ଧରିବା ପାଇଁ ପ୍ରକୃଷ୍ଟ ସମୟ। କିନ୍ତୁ ଏହା ଭିନ୍ନ ଭିନ୍ନ ସମୟରେ ହୋଇଥାଏ। ତେଣୁ ବେଳେବେଳେ ରାତି ଅଧରେ କିମ୍ବା ଭୋର୍‌ ୪ଟାରେ ସୋମା ନଈକୁ ଯାଆନ୍ତି। “କିଟିକିଟି ଅନ୍ଧାର ହୋଇଥିବା ବେଳେ ଆଖପାଖରେ କୁମ୍ଭୀର କି ଅନ୍ୟ ବନ୍ୟଜନ୍ତୁ ଅଛନ୍ତି ତାହା ଆମେ ଦେଖିପାରୁନାହିଁ । ଦିନ ଆଲୁଅରେ ଅନ୍ତତଃ ଆମେ ସେମାନଙ୍କୁ ଦେଖିପାରିବୁ ଏବଂ ଦୂରେଇ ଯାଇପାରିବୁ।”

ଋତୁ ଅନୁସାରେ ପୂର୍ଣ୍ଣିମା ଓ ସୋମାଙ୍କ ଭଳି ଯାଆଁଳ ସଂଗ୍ରହକାରୀଙ୍କ ଆୟ ବଦଳୁଥାଏ। ସେ କହନ୍ତି, “ଯାଆଁଳ ଧରିବାର ସବୁଠୁ ଭଲ ସମୟ ଶୀତ ଋତୁରେ ଆମେ ୧,୦୦୦ ଯାଆଁଳ ପିଛା ୩୦୦ ଟଙ୍କା ପାଉ।’’ ଅନ୍ୟ ସମୟରେ, ଏହି ଦର ୧୦୦ ଟଙ୍କା, ଏମିତି କି ୬୦ ଟଙ୍କାକୁ ବି ଖସିଯାଏ।”

ଭଲ ଦିନରେ, ୨,୦୦୦ ପର୍ଯ୍ୟନ୍ତ ଯାଆଁଳ ଧରାପଡ଼ନ୍ତି । କିନ୍ତୁ ବର୍ଷରେ ଅଳ୍ପ କେଇଦିନ ଏମିତି ହୁଏ। ଅଧିକାଂଶ ସମୟରେ ସୋମା ମାତ୍ର ୨୦୦-୫୦୦ଯାଆଁଳ ଧରିବାରେ ସମର୍ଥ ହୁଅନ୍ତି। ସେ କହନ୍ତି, “ଏତିକି ଟଙ୍କାରେ ବଜାର (ହେମନଗରରେ) ଯାଇ ନିହାତି ଜରୁରୀ ଜିନିଷପତ୍ର (ଚାଉଳ ଏବଂ ଡାଲି ଭଳି) ଯାହା କିଣାହୁଏ, କିନ୍ତୁ ତା’ଠାରୁ ଆଉ ଅଧିକ କିଛି ନୁହେଁ ।”

Tiger prawn seedlings are tiny, almost like strands of hair. Their price is fixed per 1,000 seedlings
PHOTO • Urvashi Sarkar

ବାଘୁଆ ଚିଙ୍ଗୁଡ଼ି ଯାଆଁଳ ଖୁବ୍‌ ଛୋଟ, ପ୍ରାୟତଃ କେଶଗୁଚ୍ଛ ଭଳି । ସେଗୁଡ଼ିକର ଦର ୧୦୦୦ ଯାଆଁଳ ହିସାବରେ ସ୍ଥିର ହୁଏ

ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ଶୀତଦିନିଆ ମାସରେ ସୋମା ତାମିଲନାଡୁର ଇରୋଡ୍‌ରେ ଥିବା ଏକ ପୋଷାକପତ୍ର କାରଖାନାରେ  କାମ କରିବାକୁ ଯାଆନ୍ତି, ଯେଉଁଠି ସେ ପର୍ଦ୍ଦା ଓ ତକିଆ ଖୋଳ ସିଲେଇ କରନ୍ତି । ଯଦିଓ ଶୀତଋତୁରେ ଯାଆଁଳର ଦରସବୁଠୁ ଅଧିକ ହୋଇଥାଏ, ତଥାପି ଦେହଥରା ଥଣ୍ଡା ନଈପାଣିରେ ପଶି ଏ କାମ କରିବାକୁ ଅନେକ ମହିଳା ଚେଷ୍ଟା କରନ୍ତି ନାହିଁ। ସୋମାଙ୍କ ସ୍ଵାମୀ ସୌମେନ ମଣ୍ଡଳ ଇରୋଡ୍‌ର ସେହି କାରଖାନାରେ ପୂର୍ଣ୍ଣକାଳୀନ ଭାବେ କାମ କରନ୍ତି। ସୋମା ଦିନକୁ ୨୦୦-୫୦୦ ଟଙ୍କା ରୋଜଗାର କରନ୍ତି। ତାଙ୍କ ସ୍ଵାମୀ କିଛିଟା ଅଧିକ ରୋଜଗାର କରନ୍ତି । ଗାଁରେ ସେମାନଙ୍କର ପାଞ୍ଚ ବର୍ଷର ଝିଅ ତା ଆଈଙ୍କ ପାଖରେ ରହେ।

ପରିବେଶବିତ୍‌ ଏବଂ ରାଜ୍ୟର ବନ ବିଭାଗ ଦ୍ଵାରା ବାଘୁଆ ଚିଙ୍ଗୁଡ଼ି ସଂଗ୍ରହର ଏହି ପ୍ରଣାଳୀର ସମାଲୋଚନା କରାଯାଇଛି । ଯାଆଁଳ ବ୍ୟତୀତ ଅନ୍ୟାନ୍ୟ ଅନେକ ପ୍ରଜାତିର ମାଛ ବି ଏଥିପାଇଁ ବ୍ୟବହୃତ ଜାଲରେ ପଡ଼ନ୍ତି। କିନ୍ତୁ ସାଧାରଣତଃ ମହିଳାମାନେ ଅନ୍ୟ ମାଛଗୁଡ଼ିକୁ ବାଛି ଫିଙ୍ଗି ଦିଅନ୍ତି, ଯାହା ଫଳରେ ଏହି ପ୍ରଜାତିଗୁଡ଼ିକ ଲୋପ ପାଇଯିବା ଆଶଙ୍କା ରହିଛି। ଜାଲଗୁଡ଼ିକ ଟଣା ହେବା କାରଣରୁ ମାଟିକ୍ଷୟ ହୋଇ ନଈ ଉଛୁଳିବାକୁ ରୋକିବା ପାଇଁ ଥିବା ନଈବନ୍ଧ ଦୁର୍ବଳ ହୁଏ।

ହେଲେ ପୂର୍ଣ୍ଣିମା ଅନ୍ୟ ମାଛଗୁଡ଼ିକୁ ଫିଙ୍ଗି ଦିଅନ୍ତି ନାହିଁ । ତାଙ୍କ ଘର ପାଖରେ ପୋଖରୀଟିଏ ଅଛି ଯେଉଁଠି ସେ ଏହି ସବୁ ପ୍ରଜାତିର ମାଛ ଚାଷ କରନ୍ତି । ରାଇମଙ୍ଗଲ ନଈକୂଳରେ ଯାଆଁଳ ବାଛୁ ବାଛୁ ପୂର୍ଣ୍ଣିମା ବୁଝାଇ ଦିଅନ୍ତି, “ଯେଉଁମାନଙ୍କର ପୋଖରୀ ନାହିଁ ସେମାନେ ବଳକା ମାଛକୁ ଫିଙ୍ଗି ଦିଅନ୍ତି ।”

ଯଦିଓ ବାଘୁଆ ଚିଙ୍ଗୁଡ଼ିର ଏହି ବ୍ୟବସାୟ ଏ ସବୁ ଗାଁରେ ରହୁଥିବା ମହିଳାମାନଙ୍କ ଉପରେ ନିର୍ଭର କରିଥାଏ, କିନ୍ତୁ ବ୍ୟବସାୟ ପ୍ରକ୍ରିୟାରେ ସେମାନଙ୍କୁ ସବୁଠାରୁ କମ ପାଉଣା ମିଳିଥାଏ। ଥରେ ଯାଆଁଳଗୁଡ଼ିକ ସଂଗୃହୀତ ହୋଇଗଲା ପରେ ପୁରୁଷମାନେ ବ୍ୟବସାୟର ଲାଭଦାୟକ ଦିଗକୁ ଆବୋରି ବସନ୍ତି ।

ସାଧାରଣତଃ, ମଧ୍ୟସ୍ଥମାନେ ବିଭିନ୍ନ ଗାଁ ବୁଲନ୍ତି ଏବଂ ଚିଙ୍ଗୁଡ଼ି ଘେରିରେ ଚାଷପାଇଁ ବିକିବାକୁ ମହିଳାମାନଙ୍କଠାରୁ ଯାଆଁଳ କିଣି ନିଅନ୍ତି। ଲୁଣାପାଣିରେ ମତ୍ସ୍ୟଚାଷ ପାଇଁ କୃତ୍ରିମ ବନ୍ଧ ବାନ୍ଧି ତିଆରି ହୋଇଥିବା ଏହି ଘେରିଗୁଡ଼ିକ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାନିଂ, ଜୀବନ୍‌ତାଲା, ସରବେରିଆ ଏବଂ ଅନ୍ୟ ସ୍ଥାନରେ ରହିଛି। ଏଠାରେ ମାଛ ଯାଆଁଳଗୁଡ଼ିକୁ ଅତି କମ୍‌ରେ ତିନି ମାସ ପାଇଁ ଚାଷ କରାଯାଏ । ଏହି ସମୟ ମଧ୍ୟରେ ସେଗୁଡ଼ିକର ଆକାର ବୃଦ୍ଧି ପାଏ । ତା’ପରେ ସେଗୁଡ଼ିକୁ କାନିଂ, ବାରାସାତ୍‌ ଏବଂ ଧମାଖାଲିର ପାଇକାରୀ ବଜାରରେ ବିକ୍ରି କରାଯାଏ ଏବଂ ସେଠାରୁ ଏହା ରପ୍ତାନି ନିମନ୍ତେ ପଠାଯାଏ । ସାଧାରଣତଃ ପାଣି ଭର୍ତ୍ତି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଥିବା ଯାଆଁଳକୁ ଲୋକମାନେ ମୋଟର ସାଇକଲ୍‌ରେ ନେଇ ଯାଆନ୍ତି ।

After cultivation in brackish water enclosures in South 24 Parganas district, the seedlings grow in size
PHOTO • Urvashi Sarkar

ଦକ୍ଷିଣ ୨୪ପ୍ରଗଣା ଜିଲ୍ଲାରେ ଲୁଣାପାଣି ଘେରିରେ ଚାଷ ହେବା ପରେ ଯାଆଁଳଗୁଡ଼ିକର ଆକାର ବୃଦ୍ଧି ହୁଏ

ପାଇକାରୀ ବଜାରରେ ପୂର୍ଣ୍ଣ ବିକଶିତ ବାଘୁଆ ଚିଙ୍ଗୁଡ଼ି ଆକର୍ଷଣୀୟ ଦରରେ ବିକ୍ରି ହୁଏ । କାନିଂ ମାଛ ବଜାରର ଜଣେ ପାଇକାରୀ ବିକ୍ରେତା ତରୁଣ ମଣ୍ଡଳ କହନ୍ତି ଯେ ବାଘୁଆ ଚିଙ୍ଗୁଡ଼ିରୁ ହିଁ ତାଙ୍କର ମୁଖ୍ୟ ରୋଜଗାର ହୋଇଥାଏ । “ଏହା ଏକ ଭଲ ବ୍ୟବସାୟ। ଆମେ ଘେରିରୁ ଏଗୁଡ଼ିକୁ କିଲୋ ପିଛା ୩୮୦-୮୮୦ ଟଙ୍କାରେ କିଣୁ ଏବଂ ୪୦୦-୯୦୦ ଟଙ୍କା (ଆକାର ଅନୁସାରେ କିଲୋ ପିଛା) ଦରରେ ବିକ୍ରି କରୁ। ଆମର୧୦-୨୦ ଟଙ୍କା (କିଲୋ ପିଛା)ଲାଭ ହୁଏ। ସୁନ୍ଦରବନ, ବାସନ୍ତୀ ଓ ଗୋସାବା ଭଳି ବ୍ଲକ୍‌ରୁ ହିଁ ଅଧିକ ପରିମାଣର ମାଲ ଆସିଥାଏ। ଆମେ ସେଗୁଡ଼ିକୁ ଏଜେଣ୍ଟମାନଙ୍କୁ ବିକ୍ରି କରୁ, ଯେଉଁମାନେ ଏହାକୁ ରପ୍ତାନି କରୁଥିବା ବଡ଼ ବଡ଼ କମ୍ପାନୀ ପାଇଁ କାମ କରନ୍ତି ।”

୨୦୧୫-୧୬ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିର ମୂଲ୍ୟ ୪୬୮ କୋଟି ଡଲାର ହୋଇଥିଲା। ଏହି ରପ୍ତାନିର ପ୍ରାୟ ୭୦ ପ୍ରତିଶତ ଚିଙ୍ଗୁଡ଼ି ଥିଲା ଏବଂ ଏଥିରୁ ଅଧିକାଂଶ ଜାପାନ, ଚୀନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ରପ୍ତାନି ହୋଇଥିଲା। ବାଘୁଆ ଚିଙ୍ଗୁଡ଼ି, ଯାହାକୁ କଳା ବାଘୁଆ ଚିଙ୍ଗୁଡ଼ି ମଧ୍ୟ କୁହାଯାଏ, ଚିଙ୍ଗୁଡ଼ି ରପ୍ତାନିର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। ଭାରତର ସବୁଠାରୁ ଅଧିକ ଚିଙ୍ଗୁଡ଼ି ଉତ୍ପାଦନକାରୀ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଅନ୍ୟତମ ।

ଯାଆଁଳ ସଂଗ୍ରହ କରୁଥିବା ସୋମା ଓ ପୂର୍ଣ୍ଣିମା ଏହି ଅର୍ଥରାଶିର ଏକ କ୍ଷୁଦ୍ର ଭଗ୍ନାଂଶ ଯାହା ଦେଖିପାରନ୍ତି । ମହିଳାମାନେ ଅଧିକ ଦର ଦାବି କରିପାରନ୍ତି ନାହିଁ କାରଣ, ଏଜେଣ୍ଟମାନେ ହିଁ ଦର ନିର୍ଦ୍ଧାରଣ କରନ୍ତି ଏବଂ ପୂରା ବ୍ୟବସାୟକୁ ନିୟନ୍ତ୍ରଣ କରନ୍ତି । ସୋମା କହନ୍ତି, "ଯାଆଁଳର ମୂଲ୍ୟ ସହିତ ମଧ୍ୟସ୍ଥମାନେ ଆମକୁ ବାର୍ଷିକ ଜମାରାଶି (ଜଣ ପିଛା ୨୦୦-୫୦୦ ଟଙ୍କା) ଦିଅନ୍ତି। ଏହାକୁ ଆମକୁ ଫେରାଇବାକୁ ପଡ଼େନାହିଁ । ଏହି ଜମା ଯୋଗୁଁ ଆମେ ଅନ୍ୟ କାହାରିକୁ ନ ବିକି, କେବଳ ସେମାନଙ୍କୁ ହିଁ ବିକିବାକୁ ବାଧ୍ୟ ହେଉ । ଆମେ ମହିଳାମାନେ ଅଧିକ ସଂଖ୍ୟାରେ ଏକାଠି ହୋଇ ମୂଲଚାଲ କରିପାରୁନାହିଁ ।"

କିନ୍ତୁ ସୋମା ଓ ପୂର୍ଣ୍ଣିମାଙ୍କ ଭଳି ମହିଳାଙ୍କ ପରିଶ୍ରମ ହି ବାଘୁଆ ଚିଙ୍ଗୁଡ଼ିର ପାଇକାରୀ ଓ ରପ୍ତାନି ବଜାରକୁ ଚାଲୁ ରଖେ ଏବଂ ଏହି ମହଙ୍ଗା ବ୍ୟଞ୍ଜନକୁ ଭାରତରେ ଓ ସାରା ବିଶ୍ଵରେ ଉଚ୍ଚବର୍ଗ ଲୋକଙ୍କ ପ୍ଲେଟ୍‌ରେ ପହଞ୍ଚାଏ ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Urvashi Sarkar is an independent journalist and a 2016 PARI Fellow.

Other stories by Urvashi Sarkar