ଲକ୍‌ଡଉନ୍‌ କାରଣରୁ ଅବଦୁଲ ସତ୍ତାର ବେଙ୍ଗାଲୁର ଛାଡ଼ିବା ଚାରିମାସରୁ ଅଧିକ ସମୟ ହୋଇଗଲାଣି ।

ସେ କହିଥିଲେ, ‘‘ଆମେ ଯେମିତି ହେଲେ ଛାଡ଼ିବୁ, ଯଦିଓ ଏଥିରେ ବିଳମ୍ବ ହେବ ।’’ ଏହା ଥିଲା ମେ ୨୦ ତାରିଖ, ଯେତେବେଳେ ଚକ୍ରବାତ ଅମ୍ଫାନ ସ୍ଥଳ ଭାଗ ସ୍ପର୍ଶ କରିବାର ଥିଲା । ଅବଦୁଲ ଏବଂ ତାଙ୍କ ବନ୍ଧୁମାନେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଲାରେ ଥିବା ସେମାନଙ୍କର ଗାଁ ଚାକ୍‌ ଲାଛିପୁରକୁ ଫେରିବା ପାଇଁ ୧,୮୦୦ କିଲୋମିଟର ଦୀର୍ଘଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ।

ଅବଦୁଲ କୁହନ୍ତି, ସେ ଅଳ୍ପ କେଇମାସ ହେବ ମୁମ୍ବାଇରୁ ବେଙ୍ଗାଲୁରୁ ଆସିଛନ୍ତି, ଜାନୁଆରୀ କିମ୍ବା ଫେବୃଆରୀରେ । ତାଙ୍କର ପତ୍ନୀ ହମିଦା ବେଗମ, ୩୨ ଜଣେ ଗୃହିଣୀ ଏବଂ ସେମାନଙ୍କର ସନ୍ତାନ ସଲମା ଖାତୁନ, ୧୩ ଏବଂ ୟାସିର ହମିଦ୍‌, ୧୨, ଘଟଲ ତାଲୁକାରେ ଥିବା ତାଙ୍କ ଗାଁରେ ସେମାନଙ୍କର ଛୋଟ ତିନିବଖୁରିଆ ଘରେ ରୁହନ୍ତି । ତାଙ୍କ ପରିବାରର ୨୪ ଡେସିମିଲ (ଏକ-ଚତୁର୍ଥାଂଶ ଏକର) ଜମି ଅଛି, ଯେଉଁଥିରେ ତାଙ୍କ ଭାଇମାନେ ଧାନଚାଷ କରନ୍ତି ।

ଅବଦୁଲ ଅଷ୍ଟମ ଶ୍ରେଣୀରେ ପରେ ସ୍କୁଲ ଛାଡ଼ିଦେଇଥିଲେ ଏବଂ ତାଙ୍କ ଗାଁର ଅନ୍ୟମାନଙ୍କ ପରି ଏମ୍ବ୍ରୋଡୋରି ଶିଖିବା ଆରମ୍ଭ କରିଦେଇଥିଲେ । ସେବେଠାରୁ ସେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି, କେଇବର୍ଷ ପାଇଁ ଦିଲ୍ଲୀରେ କାମ କରିବା ଏବଂ ଏହାପରେ ମୁମ୍ବାଇରେ । ସେ ପ୍ରତି ୫-୬ମାସରେ ଥରେ ଘରକୁ ଆସନ୍ତି । ସେ କହିଲେ, ‘‘ମୁଁ ମେସିନ ଏମ୍ବ୍ରୋଡୋରୀ କରେ, ମୁଁ ମୁମ୍ବାଇରେ ଅଧିକ କାମ ପାଇଲି ନାହିଁ, ତେଣୁ ମୋ ସମ୍ପର୍କୀୟଙ୍କ ସହିତ କାମ କରିବାକୁ ନିଷ୍ପତ୍ତି ନେଲି ।’’

ଅବଦୁଲ, ୪୦ ତାଙ୍କ ସମ୍ପର୍କୀୟ ଭାଇ ୩୩ ବର୍ଷ ବୟସ୍କ ହସନୁଲ୍ଲା ଶେଖ (ତାଙ୍କ ଆଧାରକାର୍ଡରେ ବନାମ ହୋଇଥିବା ନାମ ଅନୁଯାୟୀ) ସେ ଦକ୍ଷିଣ ବେଙ୍ଗାଲୁରରେ କରିଥିବା ଛୋଟ ଟେଲରିଂ ବ୍ୟବସାୟରେ ଯୋଗଦେଲେ । ସେ ହସନଙ୍କ ଦୋକାନରେ ଦର୍ଜି ଓ ଏମ୍ବ୍ରୋଡୋରି କାରିଗର ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ପାଞ୍ଚଜଣଙ୍କ ସହ ଗୋଟିଏ ବଖରାରେ ରହିଲେ । ୬ଜଣ ଯାକ ଚାକ୍‌ ଲାଚ୍ଛିପୁରରୁ ଆସିଥିଲେ ।

Despite the uncertainty, Abdul Sattar, who does machine embroidery (left) and his cousin Hasanullah Sekh (right) were prepared to brave the 1,800-kilometre journey home to Chak Lachhipur village
PHOTO • Courtesy: Abdul Settar
Despite the uncertainty, Abdul Sattar, who does machine embroidery (left) and his cousin Hasanullah Sekh (right) were prepared to brave the 1,800-kilometre journey home to Chak Lachhipur village
PHOTO • Smitha Tumuluru

ଅନିଶ୍ଚିତତା ସତ୍ତ୍ୱେ, ଅବଦୁଲ ସତ୍ତାର ଯିଏକି ମେସିନ ଏମ୍ବ୍ରୋଡୋରି କରନ୍ତି (ବାମ) ଏବଂ ତାଙ୍କ ସମ୍ପର୍କୀୟ ଭାଇ ହସନଉଲ୍ଲା ଶେଖ୍‌ (ଡାହାଣ) ୧,୮୦୦ କିଲୋମିଟର ଦୂରରେ ଥିବା ଚାକ୍‌ ଲାଚ୍ଛିପୁର ଗ୍ରାମରେ ଗ୍ରାମସ୍ଥ ତାଙ୍କ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ

ହାସନ ୧୨ ବର୍ଷ ହେବ ବେଙ୍ଗାଲୁରରେ ତାଙ୍କ ପତ୍ନୀ ଏବଂ ଛଅବର୍ଷର ପୁଅ ସହିତ ରହୁଥିଲେ। ସେ ଏବଂ ତାଙ୍କ ଦଳ ଏପ୍ରିଲ ଏବଂ ମେ ମାସରେ ଥିବା ବାହାଘର ଋତୁ ଏବଂ ରମାଜନ ଋତୁକୁ ଆଗ୍ରହର ସହ ଅପେକ୍ଷା କରିଥିଲେ। ସେ କହିଲେ, ‘‘ଆମେ ଏସବୁ ମାସରେ ଅଧିକ ଅର୍ଡର ପାଉ’’ । ଏହି ଋତୁରେ ପ୍ରତ୍ୟେକ କାରିଗର ଦିନକୁ ପ୍ରାୟ  ୪୦୦ କିମ୍ବା ଏହାଠାରୁ ଅଧିକ ୫୦୦ ଟଙ୍କା ପାଇଥାନ୍ତି। ସେମାନେ ଗୋଟିଏ ମାସରେ ଅତିକମ୍‌ରେ ଟ. ୧୫,୦୦୦-୧୬,୦୦୦ ଏବଂ ହସନ ସମସ୍ତ ଖର୍ଚ୍ଚ ପରେ ଟ. ୨୫,୦୦୦ ପାଇବେ ବୋଲି ଆଶା କରୁଥିଲେ ।

ଅବଦୁଲ କହିଥିଲେ, ‘‘ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଘରଭଡ଼ା ଏବଂ ଅନ୍ୟାନ୍ୟ ଚଳିବା ଖର୍ଚ୍ଚ ଟ. ୫,୦୦୦ ରୁ ୬,୦୦୦ ମଧ୍ୟରେ ଚଳାଇ ନିଅନ୍ତି ଏବଂ ବଳକା ଘରକୁ ପଠାନ୍ତି ।  ମୋତେ ଘର ଚଳାଇବାକୁ ହେବ, ପିଲାମାନଙ୍କ ସ୍କୁଲ ଖର୍ଚ୍ଚ ପାଇଁ ଦେବାକୁ ହେବ, ମୁଁ ମଧ୍ୟ ମୋ ବାପା ମା’ଙ୍କ ଚିକିତ୍ସା ଏବଂ ଚଳିବା ଖର୍ଚ୍ଚ ପାଇଁ କିଛି ଅର୍ଥ ପଠାଏ ।’’ ତାଙ୍କ ବାପା ମାଆ ତାଙ୍କ ବଡ଼ଭାଇଙ୍କ ସହ ରୁହନ୍ତି; ସେମାନଙ୍କର ଚାରି ଭାଇ ଏବଂ ଜଣେ ଭଉଣୀ । ବଡ଼ ଭାଇ ଯିଏ ଧାନଚାଷ କରନ୍ତି, ଘୂର୍ଣ୍ଣିବାତ୍ୟା ଅମ୍ଫାନ ତାଙ୍କ ଜମିଗୁଡ଼ିକୁ ବୁଡ଼ାଇ ଦେବା ପରେ ଭୀଷଣ କ୍ଷତି ସହିଛନ୍ତି ।

ଅବଦୁଲ୍ଲ ବେଙ୍ଗାଲୁରରେ ମାତ୍ର ଦୁଇମାସ କାମ କରିଥିଲେ, ଯେତେବେଳେ କି ଲକ୍‌ଡାଉନ୍‌ ଘୋଷଣା ହେଲା। ସେମାନଙ୍କର ବ୍ୟବସାୟ ବନ୍ଦ ହୋଇଯିବାରୁ ରାସନ ସାମଗ୍ରୀ ଶେଷ ହେବା ଆରମ୍ଭ ହେଲା। ହସନ କହିଲେ, ‘‘ଆମେ ବାହାରକୁ ବାହାରିପାରିଲୁ ନାହିଁ, ଆମ ଅଞ୍ଚଳରେ ସବୁଦୋକାନ ବନ୍ଦ ହୋଇଯାଇଥିଲା। ଆମେ ଜାଣିନଥିଲୁ ଖାଦ୍ୟ କିଣିବା ପାଇଁ ଆମକୁ କେଉଁଠାକୁ ଯିବାକୁ ହେବ। ତେବେ ଆମର ସୌଭାଗ୍ୟ ନିକଟରେ ଏକ ମସଜିଦ୍‌ ଥିଲା । ସେଠାରେ ଥିବା ସ୍ୱେଚ୍ଛାସେବୀମାନେ ଆମକୁ ଦୈନିକ ଦୁଇଟି ଭୋଜନ ଦେବା ଆରମ୍ଭ କଲେ।’’

ଅବଦୁଲ ମୋତେ କହିଥିଲେ, ‘‘ଆମ ଗାଁ ଏବଂ ଆଖପାଖ ଅଞ୍ଚଳର ଅନେକ ଲୋକ ଏଠାରେ ବେଙ୍ଗାଲୁରୁରେ ଅଛନ୍ତି । ସେମାନେ ସମସ୍ତେ ସମାନ ପ୍ରକାରର କାମ- ସିଲେଇ ଏବଂ ଏମ୍ବ୍ରୋଡୋରି କାମ କରନ୍ତି । ସାଧାରଣତଃ ଗୋଟିଏ ବଖରାକୁ ୫-୬ଜଣ ଭାଗ କରି ରୁହନ୍ତି । ଆମେ ଜାଣିଲୁ ଯେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ କୌଣସି ସୁବିଧା ନାହିଁ, କୌଣସି ଅର୍ଥ ବାକି ନାହିଁ ।’’ ସେ କହିଲେ, ‘‘ନାଗରିକ ଶିକ୍ଷାସ୍ୱେଚ୍ଛାସେବୀମାନେ ମଧ୍ୟ ରାସନ ଦେବାରେ ସାହାଯ୍ୟ କରିଥିଲେ ।’’ ଆମେମାନେ ମଧ୍ୟ ଆମକୁ ମିଳୁଥିବା ଜିନିଷ ମଧ୍ୟରୁ କିଛି ଆମେ ଯେଉଁମାନଙ୍କୁ ଜାଣୁ ସେମାନଙ୍କୁ ପ୍ରଦାନ କରି କିଛି କରିଥିଲୁ। ପୋଲିସ ମଧ୍ୟ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବା ଦେଖି ବାଇକ୍‌ରେ ଯାତ୍ରା କରିବାକୁ ଅନୁମତି ଦେଉଥିଲେ ।

After returning home to his wife Hamida and children Salma and Yasir, Abdul worked as a farm labourer to manage expenses
PHOTO • Courtesy: Abdul Settar
After returning home to his wife Hamida and children Salma and Yasir, Abdul worked as a farm labourer to manage expenses
PHOTO • Courtesy: Abdul Settar

ଦୁଇମାସ ପର୍ଯ୍ୟନ୍ତ କୌଣସି ଆୟ ନଥିବା ଏବଂ ପରିସ୍ଥିତି ସମ୍ପର୍କରେ ଅନିଶ୍ଚିତତା ଯୋଗୁଁ ଅବଦୁଲ, ହାସନ ଏବଂ ସେମାନଙ୍କର  ଗ୍ରାମର ଅନ୍ୟମାନେ ଚାକ୍‌ ଲାଛିପୁରକୁ ଫେରିବା ପାଇଁ ବ୍ୟାକୁଳ ହୋଇଗଲେ । ହାସନ ପ୍ରଶ୍ନ କଲେ, ‘‘ଆମେ ସାହାଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ କେତେଦିନ ନିର୍ଭର କରିପାରିବୁ । ଯଦି ଆମେ ଫେରିଯାଉ, ଆମର ସବୁ ସମ୍ପର୍କୀୟ ସେଠାରେ ଅଛନ୍ତି, ଅତିକମ୍‌ରେ ଆମର ଖାଇବା ପିଇବା ବିଷୟରେ ବୁଝିବେ ।’’

ଅବଦୁଲ କହିଥିଲେ, ‘‘ଆମେ ଏବେ କେବଳ ଫେରିଯିବାକୁ ଚାହୁଁ, ଘରେ ଥିବା ଆମ ପରିବାର ମଧ୍ୟ ଆମକୁ ଫେରିଯିବାକୁ ଚାହାଁନ୍ତି। ଆମେ ଏଠାରେ ଅସୁସ୍ଥ ହେବାର ଖର୍ଚ୍ଚ ବହନ କରିପାରିବୁ ନାହିଁ । ମୁମ୍ବାଇରେ ପରିବାର ଏବଂ ସମ୍ପର୍କୀୟମାନଙ୍କଠାରୁ ଦୂରରେ ଥିବା ଆମର ଜଣେ ସମ୍ପର୍କୀୟ କରୋନା ଜ୍ୱରରେ ମୃତ୍ୟୁବରଣ କଲେ । ଭାବନ୍ତୁ ଯଦି ଏଠାରେ ଆମ ସହ ଏମିତି କିଛି ହୁଏ ! ଆମର ଯତ୍ନ ନେବା ପାଇଁ କୌଣସି ପରିବାର ନଥିବେ ଏଠାରେ । ବର୍ତ୍ତମାନ ଆମେ ମନ ସ୍ଥିର କରିସାରିଛୁ ।’’

କିନ୍ତୁ ଘରକୁ ଫେରିବା କଷ୍ଟକର ପ୍ରମାଣିତ ହେଲା। ଅନୁମତି ପାଇଁ ଆବେଦନ କରିବାକୁ କେଉଁଠିକୁ ଯିବାକୁ ହେବ ସେ ନେଇ ଅନେକ ଦ୍ୱନ୍ଦ୍ୱ ଥିଲା । ସେମାନେ ପଶ୍ଚିମବଙ୍ଗରେ ପ୍ରବେଶ କରିବା ପାଇଁ ଏକ ଅନୁମତି ପତ୍ର ଆବଶ୍ୟକ କରିବେ କି ନାହିଁ ଏବଂ ଟ୍ରେନଗୁଡ଼ିକ କେତେବେଳେ ଛାଡ଼ିବ ଇତ୍ୟାଦି । ଦୁର୍ବଳ ଇଣ୍ଟରନେଟ୍‌ ବ୍ୟବସ୍ଥା ସତ୍ତ୍ୱେ ସେମାନେ କୌଣସି ମତେ ରାଜ୍ୟ ସରକାରଙ୍କ ସେବା ସିନ୍ଧୁ ଓ୍ୱେବସାଇଟ୍‌ରେ ଏକ ବାଧ୍ୟତାମୂଳକ ଭ୍ରମଣ ଫର୍ମରେ ପୂରଣ କଲେ । ଏହାପରେ ସେମାନେ ଏସ୍‌ଏମ୍‌ଏସ୍‌ ଦ୍ୱାରା ଅନୁମୋଦନକୁ ୧୦ ଦିନ ପର୍ଯ୍ୟନ୍ତ ଅପେକ୍ଷା କଲେ । ଅବଦୁଲ ମଧ୍ୟ ତାଙ୍କର ଭ୍ରମଣ ଅନୁରୋଧ ପଞ୍ଜୀକରଣ କରିବା ପାଇଁ ନିକଟସ୍ଥ ପୋଲିସ ଷ୍ଟେସନକୁ କେତେଥର ଗଲେ ।

ସେ ମୋତେ କହିଲେ, ‘‘ମୁଁ ଉପବାସ କରୁଥିଲି ଏବଂ ଏହି ଖରାରେ ପୋଲିସ ଷ୍ଟେସନ ସାମ୍ନାରେ ଦୀର୍ଘଘଣ୍ଟା ଅପେକ୍ଷା କରିବା କଷ୍ଟକର ହେଉଥିଲା । ଟ୍ରେନ ସମ୍ପର୍କରେ ଅନିଶ୍ଚିତତା ଏବଂ ସେମାନେ ଏକ ସିଟ୍‌ ନିଶ୍ଚିତ କରିବା ପୂର୍ବରୁ ଅନୁମତି ପତ୍ରର ସମୟ ଶେଷ ହୋଇଯିବ ଏହି ଭୟରେ ସେହି ଦଳ ଅନ୍ୟ ବିକଳ୍ପଗୁଡ଼ିକ ବିଷୟରେ ଚିନ୍ତା କରିବାକୁ ନିଷ୍ପତ୍ତି ନେଲେ । ଘରୋଇ ଭ୍ୟାନ୍‌ଗୁଡ଼ିକ ୬ଜଣ ଲୋକଙ୍କ ପାଇଁ ଟ. ୭୦,୦୦୦ ଦାବି କରୁଥିଲେ । ଜଣେ ବସ୍‌ ଅପରେଟର ଯାତ୍ରା ପାଇଁ ଟ. ୨.୭ ଲକ୍ଷ ମାଗିଲେ ।

Farmers in Chak Lachhipur village, including Abdul's eldest brother, suffered huge losses due to Cyclone Amphan
PHOTO • Courtesy: Abdul Settar

ଅନେକ ଉଦ୍ୟମ ପରେ ଅବଦୁଲ ଏବଂ ହସନ ଶେଷରେ ଗୋଟିଏ ବସ୍‌ ଯୋଗାଡ଼ କରିବାକୁ ସକ୍ଷମ ହେଲେ। (ଉପରେ ପ୍ରଚ୍ଛଦ ଫଟୋ ଦେଖନ୍ତୁ) । ହସନ ମେ ମାସରେ ମୋତେ କହିଲେ, ‘‘ଆମ ଗାଁରେ କେହି ଜଣେ ଗୋଟିଏ ବସ୍‌ ଚଳାଉଥିଲେ ଏବଂ ଆମେ ଆମ ପାଇଁ ବସ୍‌ ପଠାଇବାକୁ ବୁଝିବା ପାଇଁ ଖୁବ୍‌ କଷ୍ଟ କରିଥିଲୁ। ସେମାନେ ପଶ୍ଚିମବଙ୍ଗରୁ ଆମ ସମସ୍ତଙ୍କ ପାଇଁ ପାସ୍‌ ଏବଂ ଅନୁମତି ବ୍ୟବସ୍ଥା କଲେ । ଆମେ ୩୦ଜଣିଆ ଗୋଟିଏ ଦଳ ଏକାଠି କଲୁ, ଆମେ ସମସ୍ତେ ଗୋଟିଏ ଗାଁର, ସମସ୍ତେ ସେହି ସମାନ ଏମ୍ବ୍ରୋଡୋରି ଏବଂ ଟେଲରିଂ ବ୍ୟବସାୟରେ କାମ କରୁଛନ୍ତି । ଆମେ ଟ. ୧.୫ ଲକ୍ଷ ଦେବୁ । କିଛି ପିଲା ଏଥିପାଇଁ ଗହଣା ଏବଂ ଜମି ବନ୍ଧା ପକାଇଛନ୍ତି । ବସ୍‌ କାଲି ସକାଳେ ଆସି ପହଞ୍ଚିବ ଏବଂ ଆମେ ସମସ୍ତେ ଚାଲିଯିବୁ ।’’

ଏହି ଦଳ ଯୋଜନା ଅନୁଯାୟୀ ପରଦିନ ବାହାରିପାରିଲେ ନାହିଁ କାରଣ ବସ୍‌ ଆନ୍ଧ୍ରପ୍ରଦେଶ ସୀମାରେ ବିଳମ୍ବିତ ହୋଇଗଲା। ସେମାନେ ଶେଷରେ ଗୋଟିଏ ଦିନ ବିଳମ୍ବ ପରେ ମେ ୨୦ରେ ବାହାରିଲେ, ଯେଉଁଦିନ ଘୂର୍ଣ୍ଣିବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁଥିଲା । ବିଭିନ୍ନ ଚେକ୍‌ପୋଷ୍ଟରେ ଅନେକ ବିଳମ୍ବ ପରେ ଏହି ବସ୍‌ ମେ ୨୩ ତାରିଖରେ ଚାକ୍‌ ଲାଛିପୁର ଗାଁରେ ପହଞ୍ଚିଲା, ଘରେ ପହଞ୍ଚିବା ପରେ ଅବଦୁଲ ଏବଂ ଅନ୍ୟମାନେ ସେମାନଙ୍କର ଛୋଟ ଘରମାନଙ୍କରେ ଦୁଇସପ୍ତାହ ଏକାନ୍ତବାସରେ କଟାଇଲେ ।

ଯେତେବେଳେ ସେମାନେ ଛାଡ଼ିଲେ ହସନ ଏବଂ ତାଙ୍କ ପରିବାର ବେଙ୍ଗାଲୁରୁରେ ସେମାନଙ୍କ ଘର ଖାଲି କଲେ, କିନ୍ତୁ ସେ ତାଙ୍କ ସିଲେଇ ଉପକରଣ ଥିବା ଦୋକାନ ଜାଗା ଏବଂ କାରିଗରମାନେ ରହୁଥିବା କୋଠରୀ ରଖିଲେ । ମାଲିକ ଦୁଇମାସର ଅଗ୍ରମୀ ଟ. ୧୦,୦୦୦କୁ ଏପ୍ରିଲ ଏବଂ ମେ ମାସର ବକେୟା ଭଡ଼ା ଭାବରେ ଆଡ଼ଜଷ୍ଟ କଲେ । ଘର ମାଲିକ ସେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଏବଂ ଏହାପରେ ମେ ମାସ ପରଠାରୁ ବାକିଥିବା ଘରଭଡ଼ା ଦେବାକୁ ରାଜି ହେଲେ ।

ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ହସନ ବେଙ୍ଗାଲୁରୁ ଫେରିଲେ । କିନ୍ତୁ ଯଦିଓ ଲକ୍‌ଡାଉନ୍‌ ଉଠା ହୋଇଯାଇଛି । କାମ ଏପର୍ଯ୍ୟନ୍ତ ଆରମ୍ଭ ହେଉନାହିଁ । ସେ କୁହନ୍ତି, ‘‘ଯଦିଓ ଆମେ ଦୋକାନ ଖୋଲୁ, କିନ୍ତୁ କେହି ଏମ୍ବ୍ରୋଡୋରି କିମ୍ବା ବଡ଼ ସିଲେଇ କାମ ପାଇଁ ଆଉ କିଛି ଦିନ ପର୍ଯ୍ୟନ୍ତ ଆସିବେ ତାହା ଆଶା କରୁନାହିଁ । କିଛିଦିନ ପାଇଁ ବ୍ୟବସାୟ ମାନ୍ଦା ହେବାକୁ ଯାଉଛି । ଆମର ଛୋଟ ବ୍ୟବସାୟ । ପ୍ରତିଦିନ ଅର୍ଥ ନ ଆସିଲେ ଆମେ ସହରରେ ରହିପାରିବୁ ନାହିଁ।’’

ଅବଦୁଲ୍ଲ ଏପର୍ଯ୍ୟନ୍ତ ତାଙ୍କ ଗାଁରେ ଅଛନ୍ତି, ଯେଉଁଠାରେ ସେ ମାସରେ ପ୍ରାୟ ୨୫ଦିନ ଟ. ୩୦୦ ଦୈନିକ ମଜୁରୀରେ ଧାନ କ୍ଷେତ୍ରରେ କାମ ପାଆନ୍ତି । ସେ କୁହନ୍ତି, ସେ ତାଙ୍କର ସଞ୍ଚୟ ଏବଂ କୃଷି ଶ୍ରମିକ ଭାବରେ ସେ କେଇଦିନର କାର୍ଯ୍ୟରୁ ହେଉଥିବା ଆୟରେ ଘରର ସମସ୍ତ ଖର୍ଚ୍ଚ ଚଳାଉଛନ୍ତି ।  ଏଥିସହିତ ସେ କୁହନ୍ତି, ‘‘ବର୍ତ୍ତମାନ ଗାଁରେ କୌଣସି କାମ ନାହିଁ । ସେହି କାରଣରୁ ହିଁ ଆମେ ପ୍ରଥମେ ଗାଁ ଛାଡ଼ିଥିଲୁ । ଆମକୁ ନିଶ୍ଚୟ ଫେରିବାକୁ ହେବ [ବେଙ୍ଗାଲୁରୁକୁ]।’’

କିନ୍ତୁ ବେଙ୍ଗାଲୁରୁରେ କୋଭିଡ୍‌-୧୯ ମାମଲା ବଢ଼ୁଥିବାରୁ ଅବଦୁଲ ଭୟଭୀତ ଅଛନ୍ତି । ‘‘ହସନଭାଇ ଯାହା କହିବେ ସେହି ଆଧାରରେ ମୁଁ ମୋ ଯାତ୍ରା ଯୋଜନା କରିବି । ଆମେ ବିନା ଆୟରେ ଏମିତି ଆଉ ଚଳିପାରିବୁ ନାହିଁ । ଆମେ ଦୀର୍ଘଦିନ ଦୂରେଇ ରହିପାରିବୁ ନାହିଁ [ଏମ୍ବ୍ରୋଡୋରି କାମରୁ] । ଆମେ ଫେରିଯିବୁ । ଥରେ ସବୁକିଛି ଠିକ୍‌ ହୋଇଗଲେ, ଆମେ ଫେରିବୁ।”

ଅନୁବାଦ: ଓଡ଼ିଶାଲାଇଭ୍‍

Smitha Tumuluru

Smitha Tumuluru is a documentary photographer based in Bengaluru. Her prior work on development projects in Tamil Nadu informs her reporting and documenting of rural lives.

Other stories by Smitha Tumuluru
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE