ଦକ୍ଷିଣ ଗୋଆର ସାଙ୍ଗୁଏମ୍‌ ତାଲୁକାସ୍ଥିତ ଦେବକୀ କାଟୁ ଭେଲିପେଙ୍କ ଘର ଏହି ଅଞ୍ଚଳର ଅନ୍ୟାନ୍ୟ ଆଦିବାସୀ ଘର ପରି ଦେଖାଯାଏ । କାନ୍ଥଗୁଡିକରେ ନୀଳ ଓ ସବୁଜ ରଙ୍ଗ ଦିଆହୋଇଛି, ଛାତକୁ ଗୋଲାପି ଓ କମଳା ପେପର୍‌ ଷ୍ଚ୍ରିମର୍‌ରେ ଆଚ୍ଛାଦିତ କରାଯାଇଛି ।

ସେଠାରେ କିନ୍ତୁ ବର୍ତ୍ତମାନ କିଛି ସଂଯୋଗ ହୋଇଯାଇଛି । ପ୍ରକୋଷ୍ଠ ଭିତରେ, ଏକ ଲମ୍ବା, ଗଭୀର  ଖାତ କାନ୍ଥକୁ ଦୁଇ ଭାଗରେ ବିଭକ୍ତ କରୁଛି । ଏହା ସେମାନଙ୍କ ଅଞ୍ଚଳରେ ମାଇନିଂ ବ୍ଲାଷ୍ଟ କାରଣରୁ ସୃଷ୍ଟି ହୋଇଛି । “ବର୍ଷାଦିନରେ ସ୍ଥିତି ଆହୁରି ଖରାପ ହୋଇଯାଏ, ଯେତେବେଳେ ପାଣି ଭିତରକୁ ପଶିଯାଏ । ଘରଟି ଯେକୌଣସି ସମୟରେ ଭୁଷୁଡି ପଡିବ” ବୋଲି ଗତ ତିନି ବର୍ଷ ଧରି ଏହି ଅଶୁଭ ବିଭାଜନ ସହିତ ବସବାସ କରି ଆସୁଥିବା ୨୨ଜଣିଆ ପରିବାରର ବୟୋଜେଷ୍ଠ ସଦସ୍ୟ ୬୦ବର୍ଷ ବୟସ୍କ ଦେବକୀ କୁହନ୍ତି ।

ଖଣିଶ୍ରମିକ ଓ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ବିଭେଦ ଏକ କ୍ଷତ ଯାହା ସହିତ ସେମାନେ ବଞ୍ଚୁଛନ୍ତି । ଏକ କ୍ଷତ  ଯାହା କାନ୍ଥକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବା ଭଳି ଗଭୀର ଖାତରେ ପରିଣତ ହୋଇନାହିଁ ତଥାପି ଏହା ନିଶ୍ଚିତ ଭାବେ ବିପଦଶଙ୍କୁଳ ଅଟେ ।

ଭାରତର କ୍ଷୁଦ୍ରତମ ରାଜ୍ୟ ଗୋଆ। ଏହାର ଔପନିବେଶିକ ଇତିହାସର ପରିଧି ପରିସରରେ ରହିଛି ସର୍ବାଧିକ (ପ୍ରାୟ ଦଶ ପ୍ରତିଶତ) ଖଣିଜ ସଂପଦରେ ଭରପୂର ଅଞ୍ଚଳ। ଗୋଆର ଅଧିକାଂଶ ଲୁହାପଥର ଖଣି ବିଚୋଲିମ, ସତାରି ଏବଂ ସାଙ୍ଗୁଏମ୍‌ ତାଲୁକାରେରହିଛି। ଚୀନରେ ଲୁହାପଥର ଚାହିଦା - ସେମାନଙ୍କ ଲାଗି ଏହା ବୃହତ୍ତମ ବଜାର (୮୬ ପ୍ରତିଶତ)- ପୂରଣ କରିବା ନିମନ୍ତେ ୭-୮ ବର୍ଷ ହେଲା ଏହାର ଚାହିଦା ଆହୁରି ବଢ଼ିବାରେ ଲାଗିଛି। ୨୦୦୩-୦୪ ବର୍ଷ ତୁଳନାରେ ୨୦୦୮-୦୯ରେ, ଗୋଆ ୭୦ ପ୍ରତିଶତରୁ ଅଧିକ ଲୁହାପଥର ରପ୍ତାନୀ କରିଥିଲା ଏବଂ ସେହି ସବୁ ବର୍ଷରେ ପାଖାପାଖି ୪୦ ପ୍ରତିଶତରୁ ଅଧିକ ଲୁହାପଥର ଉତ୍ପାଦନ କରିଥିଲା। ଅନ୍ତର୍ଜାତୀୟ ସ୍ତରରେ ଲୁହାପଥରର ଚାହିଦା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ବ୍ରାଜିଲ, ଲାଟିନ୍‌ ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ସମୂହକୁ ନିଜ ନିଜର କାରବାର ସଂପ୍ରସାରଣ କରିବା ଲାଗି ବିଭିନ୍ନ ଭାରତୀୟ ଖଣି କମ୍ପାନୀ ଲକ୍ଷ୍ୟ ରଖିଛନ୍ତି।

ପୂର୍ବ ଆଶଙ୍କା ଓ ଆକଳନକୁ ଭୁଲ ପ୍ରମାଣିତ କରି ଖଣିଜ ପଦାର୍ଥ ବ୍ୟବସାୟୀମାନେ ପ୍ରଚୁର ଅର୍ଥଲାଭ କରୁଛନ୍ତି। ଗୋଆର ବଡ଼ ବଡ଼ ପାଞ୍ଚଟି ଖଣି କମ୍ପାନୀର ମୋଟ ଲାଭ ୮,୦୦୦ କୋଟି ଟଙ୍କାରୁ ଅଧିକ (ମୋଟ କାରବାରର ୭୦ ପ୍ରତିଶତରୁ ଅଧିକ ରପ୍ତାନୀ ଓ ଉତ୍ପାଦନ) ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଓଲଟା। କେବଳ ଗୋଆର ସବୁଠାରୁ ବଡ଼ କମ୍ପାନୀ (ସେସା ଗୋଆ)ର ମୋଟ ଲାଭ ୨,୭୯୮ କୋଟି ଟଙ୍କା ହୋଇଥିବା ବେଳେ ଗୋଆ ରାଜ୍ୟର ମୋଟ ରାଜସ୍ଵ ପରିମାଣ ହେଉଛି ୨,୭୦୦ କୋଟି ଟଙ୍କା। ଖଣିଜ ସଂପଦ କାରବାରକୁ ଗୋଆ ଅର୍ଥନୀତିର ମେରୁଦଣ୍ଡ ବୋଲି କୁହାଯାଉଥିଲେ ହେଁ ଏଥିରୁ ରାଜ୍ୟର ମୋଟ ରାଜସ୍ଵ ଆଦାୟ ପରିମାଣ ଅତି ବେଶିରେ ୧ ପ୍ରତିଶତ ରହିଛି।

ବିଭିନ୍ନ ଶିଳ୍ପ ସଂସ୍ଥାକୁ ବାଦ ଦେଲେ, ବଡ଼ ବଡ଼ ଖଣି ବ୍ୟବସାୟୀମାନେ ରାଜ୍ୟ ଉପରେ ସେମାନଙ୍କ ପ୍ରତିପତ୍ତି ବଜାୟ ରଖିଛନ୍ତି। ୨୦୧୦ ମସିହା ଫେବ୍ରୁଆରୀରେ ଗୋଆରେ ନୂତନ ଖଣି ଖନନ ପାଇଁ ଲିଜ୍‌ ପ୍ରଦାନ ଉପରେ କେନ୍ଦ୍ର ସରକାର ରହିତାଦେଶ ଜାରି କରିବା ପରେ, ହିନ୍ଦୁସ୍ତାନ ଟାଇମ୍‌ସକୁ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ ଗୋଆର ମୁଖ୍ୟମନ୍ତ୍ରୀ ତଥା ଖଣିମନ୍ତ୍ରୀ ଦିଗମ୍ବର କାମାତ କହିଥିଲେ ଯେ ଖଣି ଖନନକୁ ସୁବିଧା ପ୍ରଦାନ ସକାଶେ ରାଜ୍ୟରେ ସ୍ଵତନ୍ତ୍ର ରାସ୍ତା ନିର୍ମାଣ ଭଳି ଭିତ୍ତିଭୂମିର ବିକାଶ କରାଯିବା ଉଚିତ। ହେଲେ ଏହା ଫଳରେ ପରିବେଶ ଉପରେ କି ପ୍ରକାର ପ୍ରତିକୂଳ ପ୍ରଭାବ ପଡ଼ିବ ସେ ସଂପର୍କରେ ସେ ନିଶ୍ଚିତ ନଥିଲେ। ରାଜ୍ୟରେ ଖଣିଜ ପଦାର୍ଥ ଉତ୍ତୋଳନ କ୍ଷେତ୍ରରେ ଗ୍ରୀନ୍‌ ସେସ୍‌ ପାଣ୍ଠି ଗଠନ ନିମନ୍ତେ ଗତ ବଜେଟ୍‌ରେ ରହିଥିବା ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ ହେଁ ଏ ବର୍ଷ ମାର୍ଚ୍ଚରେ ବସିଥିବା ବିଧାନସଭା ଅଧିବେଶନରେ ରାଜ୍ୟରେ ଖଣିଜ ପଦାର୍ଥ ଉନ୍ନୟନ ପାଣ୍ଠି ଗଠନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। କେତେକ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟର ଖଣିଜ ଉତ୍ତୋଳନକାରୀ ଶିଳ୍ପ ସଂସ୍ଥା ସମୂହର ଚାପ ଯୋଗୁଁ ସରକାର ଏଭଳି ନିଷ୍ଫଳ ନିଷ୍ପତ୍ତି ନେଇଛନ୍ତି।

ଅଧିକନ୍ତୁ, ଏ ବର୍ଷ ଫେବ୍ରୁଆରୀ ମାସରେ କେନ୍ଦ୍ର ସରକାର ଖଣି ଖନନ ଉପରେ ସ୍ଥଗିତାଦେଶ ଜାରି କରିବା ସହିତ ପରିବେଶ ଉପରେ ଖଣି ଖନନ କାର୍ଯ୍ୟକଳାପର ପ୍ରଭାବ ଆକଳନ କରିବା ଲାଗି ନିର୍ଦ୍ଦେଶ ଦେବାର ଠିକ୍‌ ପୂର୍ବରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଖଣି ଖନନ ପାଇଁ ପ୍ରାୟ ୧୦୦ଟି ନୂତନ ଲିଜ୍‌ ଆବେଦନକୁ ମଞ୍ଜୁର କରାଯାଇଥିଲା।ଏ ସଂପର୍କରେ ବର୍ତ୍ତମାନର ବିରୋଧୀ ଦଳ ନେତା ମନୋହର ପାରିକର ପ୍ରଶ୍ନ କରନ୍ତି, “ଯଦି ୧୧୦ଟି ଖଣି ଖୋଳା ଯୋଗୁଁ ପରିବେଶ ଏତେ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି, ତେବେ ଆଉ ୧୦୦ଟିକୁ ଅନୁମତି ଦିଆଗଲେ କେଉଁ ଧରଣର ବିପର୍ଯ୍ୟୟ ସୃଷ୍ଟି ହେବ ତାହା କଳ୍ପନା କରନ୍ତୁ।”

ଏହାକୁ ଖଣ୍ଡନ କରି ଭିଏମ୍‌ ସାଲଗାଓକର (ଅନ୍ୟତମ ବୃହତ୍‌ ଖଣି କମ୍ପାନୀ) କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶିବାନନ୍ଦ ସାଲଗାଓକର କହନ୍ତି, “ସମସ୍ତ ୧୦୦ଟି ଲିଜ୍‌ ଏତେ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେନି। ଅନ୍ୟାନ୍ୟ ଅନୁମତି ପାଇବା ଲାଗି ସମୟ ଦରକାର ହୁଏ। ଅଚାନକ ଚୀନ୍‌ର ଅତ୍ୟଧିକ ଚାହିଦାଯୋଗୁଁ ଏତେ ହୋହଲ୍ଲା ହେଉଛି। ହେଲେ ଅଷ୍ଟ୍ରେଲିଆ ଏବଂ ବ୍ରାଜିଲର ସମସ୍ତ ପ୍ରକଳ୍ପ ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହେବା ପରେ ୨୦୧୨ ସୁଦ୍ଧା ଏହା ପ୍ରଶମିତ ହୋଇଯିବ। ସଂପ୍ରତି ଭିତ୍ତିଭୂମି ଉପରେ ଅତ୍ୟଧିକ ଚାପ ପଡୁଛି। ସରକାରୀ ଓ ବେସରକାରୀ ବିନିଯୋଗ ବା PPP ପଦ୍ଧତିରେ ଖଣି ଖନନ ଅଞ୍ଚଳ ଦେଇ ଏକ ମାଇନିଂ କରିଡର ଗଠନ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ଏବେ ବିଭିନ୍ନ ରାସ୍ତାରେ କିଛି ମାତ୍ରାରେ ଭିଡ଼ ଲାଗି ରହିଛି।”

ସାଂପ୍ରତିକ ସ୍ଥିତିରୁ ଖଣି ବେପାରୀମାନେ ପ୍ରଚୁର ଫାଇଦା ଉଠାଉଥିବା ସମୟରେ, ବାସ୍ତବ କ୍ଷେତ୍ରରେ ଧାନ ଜମି ଲୋପ ପାଇବା, ଭୂତଳ ଜଳସ୍ତର ଏବଂ ଜଙ୍ଗଲ ଅଞ୍ଚଳ ହ୍ରାସ ପାଇବା, ବନ୍ୟପ୍ରାଣୀ ସ୍ଥାନଚ୍ୟୁତ ହେବା ଏବଂ ସ୍ଵାସ୍ଥ୍ୟ ସମସ୍ୟା ଭଳି ବ୍ୟାପକ ବିପର୍ଯ୍ୟୟ ଅବ୍ୟାହତ ରହିଛି। (ବକ୍ସ ଦେଖନ୍ତୁ)

ଏହା ସହିତ ବେଆଇନ ଖଣି ଖନନ ସମସ୍ୟା ବି ରହିଛି। ଏମିତି କି ନିକଟ ଅତୀତରେ ରାଜ୍ୟ ସରକାର ମଧ୍ୟ ଏହାକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି। ୨୦୦୫-୦୬  ମସିହାର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଭିନ୍ନ ଖଣି ସଂସ୍ଥା ଦ୍ବାରା ପ୍ରାୟ ୨,୬୬,୦୦୦ ବର୍ଗ ମାଇଲ ସରକାରୀ ଜମିକୁ ‘ବେଆଇନ ଭାବେ ଜବରଦଖଲ’ କରାଯାଇଛି। ଭାରତରୁ ଉତ୍ପାଦିତ ମୋଟ ଲୁହାପଥର ପରିମାଣର ପ୍ରାୟ୧୫ ପ୍ରତିଶତ ଯୋଗାଉଥିବା ରାଜ୍ୟରେ ପ୍ରାୟ ୧୧୦ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି ରହିଛି ଏବଂ ଏଥିରୁ ବାର୍ଷିକ ୩ କୋଟି ୫୦ ଲକ୍ଷ ଟନ୍‌ ଲୁହାପଥର ଓ ମାଙ୍ଗାନିଜ ରପ୍ତାନୀ ହୋଇଥାଏ। ପାରିକରଙ୍କ କହିବା ଅନୁସାରେ, ୨୦୦୭-୦୮ରେ ଗୋଆର ଖଣିଜ ପଦାର୍ଥ ରପ୍ତାନୀ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ୨୦୦୮-୦୯ରେ ଏହି ବୃଦ୍ଧି ହାର ୧୭ ପ୍ରତିଶତରେ ପହଞ୍ଚିଥିଲା। ସେ କହନ୍ତି, “ଉତ୍ପାଦିତ ପରିମାଣଠାରୁ ଅଧିକ ରପ୍ତାନୀ ଆପଣକେମିତି କରିପାରିବେ ? ଏଥିରୁ ସ୍ପଷ୍ଟ ହୁଏ ଯେ ରାଜ୍ୟରେ ବେଆଇନ ଖଣି ଖନନ ଚାଲିଛି।”

ଏପରିକି ରାଜ୍ୟର ପରିବେଶ ମନ୍ତ୍ରୀ ଆଲେକ୍‌ସୋ ସିକ୍ବେରା ଗତ ମାର୍ଚ୍ଚ ମାସରେ ବିଧାନସଭାରେ କହିଥିଲେ ଯେ, ସେସା ଗୋଆ, ସାଲଗାଓକର, ଚୌଗୁଲେ ଏବଂ ସୋସିଏଡେଡ୍‌ ଫୋମେଣ୍ଟୋ ଭଳି ବଡ଼ ବଡ଼ କମ୍ପାନୀ ସମେତ ୯୯ଟି ଖଣିଜ ଖନନ ସଂସ୍ଥା ମଧ୍ୟରୁ ୮୫ଟି ସଂସ୍ଥା ଅପରିହାର୍ଯ୍ୟ ବାୟୁ ପ୍ରଦୂଷଣ ସଂକ୍ରାନ୍ତ ଅନୁମତି ବିନା ଖଣି ଖୋଳା କାମ ଜାରି ରଖିଛନ୍ତି ଏବଂ ଅଧିକାଂଶ କ୍ଷେତ୍ରରେ ପ୍ରଦତ୍ତ ଅନୁମତିର ବୈଧତା ଫେବ୍ରୁଆରୀ ୨୮ରୁ ଶେଷ ହୋଇସାରିଛି।

ବଜାର ଚାହିଦା ଦିନକୁ ଦିନ ବଢୁଥିବା କାରଣରୁ ୨୦୦୯ମସିହାକୁ ଗୋଆ ପାଇଁ ଖଣିଜ ଖନନ କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତାର ବର୍ଷ ବୋଲି ବିବେଚନା କରାଯାଉଥିବା ବେଳେ ସେହି ବର୍ଷ ହିଁ ଜଙ୍ଗଲ ଅଞ୍ଚଳରେ ବେଆଇନ ଖଣିଜ ଖନନ ସଂପର୍କରେ ମିଳିଥିବା୪୦ଟି ଅଭିଯୋଗକୁ ରାଜ୍ୟ ବନ ବିଭାଗ ବିଚାରକୁ ନେଇଥିଲା ଏବଂ ଆବଶ୍ୟକ ସର୍ଭେ କରିବାକୁ ବାଧ୍ୟ ହୋଇଥିଲା। ହେଲେ ଏଥିରୁ କୌଣସି ଗୋଟିଏର ବି ଚୂଡ଼ାନ୍ତ ଫଇସଲା ହୋଇପାରି ନଥିଲା। ନିଜ ନାମ ପ୍ରକାଶ କରିବାକୁ ଚାହୁଁ ନଥିବା ଗୋଟିଏ ବଡ଼ ଖଣି ଖନନ ସଂସ୍ଥାରେ କାର୍ଯ୍ୟରତ ଜଣେ ଉଚ୍ଚପଦସ୍ଥ ଅଧିକାରୀ କହନ୍ତି ଯେ,‘ଆଇନଗତ ଭାବରେ ଲିଜ୍‌ ନେଇ ନଥିବା ଅଞ୍ଚଳରୁ ଅନେକ କମ୍ପାନୀ ବେଆଇନ ଭାବେ ବ୍ୟାପକ ଖଣିଜ ଉତ୍ତୋଳନ ଜାରି ରଖିଛନ୍ତି।” ସେ ଆହୁରି କହନ୍ତି ଯେ, ଆଇନାନୁସାରେ ଲିଜ୍‌ ନେଇଥିବା ସଂସ୍ଥା ବି ବିଭିନ୍ନ ସର୍ତ୍ତ ଖିଲାପ କରିବାରେ ଲାଗିଛନ୍ତି।

ହେଲେ, ସାଲଗାଓକର ଏହାକୁ ଅସ୍ଵୀକାର କରନ୍ତି।“କି ପ୍ରକାର ଅନିୟମିତତା ? ବିଭିନ୍ନ ସରକାରୀ ସଂସ୍ଥା ପାଖରେ ସେମାନଙ୍କ ନବୀକରଣ ଆବେଦନ ବିଚାର ଅପେକ୍ଷାରେ ପଡ଼ି ରହିଥିବାରୁ ଏ ସବୁ କମ୍ପାନୀ ଖଣି ଖୋଳା କାମ ବନ୍ଦ କରିସାରିଲେଣି। ସରକାରୀ ଅନୁମୋଦନ ଅପେକ୍ଷାରେ ୨୦୦୭ ମସିହାରୁ ମୋର ଦୁଇଟି ଖଣି ବନ୍ଦ ରହିଛି।”

ବନାଞ୍ଚଳରେ ବେଆଇନ ଖଣିଜ ଖନନକାରୀ ସଂସ୍ଥା ତାଲିକାରେ କୋଲାମ୍ବର ଖୋଡ଼ିଦାସ ଖଣି ସଂସ୍ଥାର ନାଁ ରହିଛି ଏବଂ ଏହାର ଲିଜ୍‌ ଅଞ୍ଚଳ ପରିସରରେ ଏକ ବେସରକାରୀ ସଂରକ୍ଷିତ ଜଙ୍ଗଲ ରହିଥିବା ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଏହି ସଂସ୍ଥାକୁ ଜଙ୍ଗଲ ସଂକ୍ରାନ୍ତ ଅନୁମୋଦନ ଦିଆଯାଇ ନଥିଲେ ମଧ୍ୟ ଏହାର ଖଣି ଖୋଳା କାମ ଜାରି ରହିଛି। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ ଏହି ଖଣିଜ ପଥର ପରିବହନ ନିମନ୍ତେ ଏକ ୪୦୦ମିଟର ଓସାର ରାସ୍ତା ନିର୍ମାଣ ପାଇଁ ଏହି ସଂସ୍ଥା ଜଙ୍ଗଲ ବିଭାଗ ପାଖରୁ ଆବଶ୍ୟକ ଅନୁମତି ହାସଲ କରିସାରିଛି।

ଅନ୍ୟ ଏକ ଘଟଣାରେ,ପରନେମ ତାଲୁକା ଅନ୍ତର୍ଗତ କୋରଗାଓ (ଅଦ୍ୟାବଧି କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ସୁପରିଚିତ) ଗାଁର ଏକ ଜମିରେ ଆବଶ୍ୟକ ଅନୁମୋଦନ ବିନା “ଅଧିକ ପାଣି ପାଇବା ଉଦ୍ଦେଶ୍ୟରେ’’ ଖୋଳାଯାଇଥିବା ଏକ ଜଳାଶୟକୁ ଆହୁରି ଖୋଳି ସଂପ୍ରସାରଣ କରାଯାଇଥିବା ଏବଂ ଏହି ଖୋଳା ଯାଇଥିବା ସ୍ଥାନରେ ୫-୬ ଟନ୍‌ର ଖଣିଜ ପଥର ରଖାଯାଇଥିବା ଅଭିଯୋଗ ହେବା ସହିତ ଏଠାରେ ଖଣିଜ ସଂପଦ ମହଜୁଦ ଥିବାର ସଂକେତ ମିଳିଥିଲା ଏବଂ ୨୦୦୮ରେ ଏହି ବ୍ୟାପକ ଅନିୟମିତତା ଅଭିଯୋଗରେ ପୂର୍ବତନ ବିଧାୟକ ଏବଂ ଉକ୍ତ ଜମିର ମାଲିକ ଜୀତେନ୍ଦ୍ର ଦେଶପ୍ରଭୁଙ୍କ ବିରୋଧରେ ମାମଲା ରୁଜୁ କରାଯଇଥିଲା। ଜମିର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ସଂକ୍ରାନ୍ତରେ ବିଚାର କରାଯିବ ବୋଲି ବିଭିନ୍ନ ସରକାରୀ ବିଭାଗ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ସେହି ତାଲୁକା ନିବାସୀ କିଶୋର ନାଇଗାଓଁକର କହନ୍ତି ଯେ. ଏ ସବୁ ସତ୍ତ୍ଵେ ସେଠାରେ “ରାତିରେ ଖନନ କାମ ଅବ୍ୟାହତ ରହିଛି। ଜମି ତାଙ୍କ ନିଜସ୍ଵ ସଂପତ୍ତି ହୋଇଥିବାରୁ ଗାଁ ଲୋକେ ଏ ସଂପର୍କରେ ପ୍ରଶ୍ନ କରିପାରିବେନି। କିନ୍ତୁ ଏହି ଖଣି ଖୋଳା କାମ ପାଇଁ ସେ କୌଣସି ଲିଜ୍‌ ଏବଂ ପଞ୍ଚାୟତର ଅନୁମତି ନେଇ ନଥିବାରୁ ଏହା ବେଆଇନ।” ପରନେମର ବିଧାୟକ ଦୟାନନ୍ଦ ସୋବତେ କହନ୍ତି, “ସରକାର ଆମକୁ କଥା ଦେଇଥିଲେ ଯେ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ଏ ପର୍ଯ୍ୟନ୍ତ କିଛି ହୋଇନାହିଁ। ପୂର୍ବରୁ ଏଠାରେ ଦିନରେ ଖଣିଖୋଳା କାମ ଚାଲିଥିଲା। ଏବେ ରାତିରେ ବି ଖୋଳା ଚାଲିଛି।” ଅନ୍ୟପକ୍ଷରେ ସରକାରଙ୍କ ପାଖରେ ତାଙ୍କ ଲିଜ୍‌ ଆବେଦନ ବିଚାର ଅପେକ୍ଷାରେ ରହିଛି ବୋଲି ଦେଶପ୍ରଭୁ ସ୍ଵୀକାର କରନ୍ତି। ହେଲେ କୌଣସି ପ୍ରକାର ଖଣିଖୋଳା କାମରେ ସେ ସଂପୃକ୍ତ ନୁହନ୍ତି ବୋଲି କହନ୍ତି। “ମୁଁ ଜଣେ କୃଷିବିତ୍‌, ଖଣି ଖନନକାରୀ ନୁହେଁ। ମୁଁ କେବଳ ନଡ଼ିଆ ଗଛ ଲଗାଉଛି ଏବଂ ଗାଈଗୋରୁ ପଶି ନଯିବା ପାଇଁ ଏହି ଅଞ୍ଚଳରେ ବାଡ଼ ଘେରି ଦେଇଛି। ସେ ଯାହାହେଲେ ବି ଏହି ଜମି ଜଙ୍ଗଲ ସଂରକ୍ଷଣ ନିୟମ ପରିସରଭୁକ୍ତ ନୁହେଁ।”

ସାରକଥା

ରାଜ୍ୟରେ ବେଆଇନ ଭାବେ ଅତ୍ୟଧିକ ଖଣି ଖୋଳାକୁ କେନ୍ଦ୍ର କରି ଅସନ୍ତୋଷ କୁହୁଳିବାରେ ଲାଗିଛି: ଏମିତି କି ଗତ ଏପ୍ରିଲ ମାସରେ ରାଜ୍ୟରେ ଅତ୍ୟଧିକ ଖଣିଜ ଖନନ ବିରୋଧରେ ଦାଖଲ କରାଯାଇଥିବା ଏକ ମିଳିତ ଆବେଦନରେ ଗୋଆର ପଦ୍ମ ପୁରସ୍କାର ବିଜେତା -କାର୍ଟୁନିଷ୍ଟ ମାରିଓ ମିରାଣ୍ଡା, ଲେଖକ ରବୀନ୍ଦ୍ର କେଲକାର, ସଙ୍ଗୀତଜ୍ଞ ରେମୋ ଫର୍ଣ୍ଣାଣ୍ଡିଜ୍‌ଙ୍କ ଭଳି ଅନେକ ସ୍ଵାକ୍ଷର କରିଛନ୍ତି। ଗତ ତିନି ବର୍ଷ ଭିତରେ ରାଜ୍ୟରେ ୮-୧୦ଟି ନୂତନ ଖଣି ଖନନ ସଂସ୍ଥା ରାଜ୍ୟର ବିଭିନ୍ନ ଖଣି ଅଞ୍ଚଳରେ କାର୍ଯ୍ୟାରମ୍ଭ କରିଛନ୍ତି। ସାଲଗାଓକର ତୀବ୍ର ସ୍ଵରରେ କହନ୍ତି, “ଗୋଆର ଲୋକେ ଖଣି ଖୋଳାକୁ ସମର୍ଥନ କରନ୍ତି ନାହିଁ। ତେବେ ମତେ କୁହନ୍ତୁ ଯେ କେଉଁ କାମକୁ ଗୋଆର ଲୋକେ ସମର୍ଥନ କରନ୍ତି ? ସାମାଜିକ ସକ୍ରିୟତା ଯୁକ୍ତିଯୁକ୍ତ ହେଲେ ବି ଏହା ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ। ଯେଉଁମାନେ ଖଣି ଖୋଳାକୁ ବିରୋଧ କରୁଛନ୍ତି ସେମାନେ କ’ଣ ଖଣିରେ ଏବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଚାକିରି ଦେଇପାରିବେ ? ବେଆଇନ ଖଣିଜ ଖନନ କାର୍ଯ୍ୟ ବନ୍ଦ ହେବା ଉଚିତ। ହେଲେ ଆପଣ ସମସ୍ତଙ୍କୁ ସେଇ ଗୋଟିଏ ଆଖିରେ ଦେଖିପାରିବେନି।”

ହେଲେ, ଆଗଧାଡ଼ିର ଏହି ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ଦୁର୍ବିସହ ଯାତ୍ରା ରୂପରେ ରହିଛି।

ସେବାଷ୍ଟିଆନ୍‌ ରୋଡ୍ରିଗ୍‌ସ: ବ୍ଲଗର ତଥା ସାମାଜିକ କର୍ମୀ ଏବଂ GAKUVED ଗାକୁଭେଦ (ଗାୱାଡ଼ା,କୁନ୍‌ବି, ଭେଲିପ୍ ଏବଂ ଧଙ୍ଗର ଫେଡେରେସନ୍‌) ସଂସ୍ଥାର ସଂଯୋଜକ, ଖଣି ଖନନ ବିରୋଧରେ ପ୍ରତିବାଦ କରି ୨୦୦୮ରେ ଗିରଫ ହୋଇଥିଲେ। ସ୍ଥାନୀୟ ଖଣି ମାଫିଆମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଠାକାର ରାଜନୈତିକ ଦଳଗୁଡ଼ିକ ତାଙ୍କୁ ନକ୍‌ସଲପନ୍ଥୀ ବୋଲି ଆଖ୍ୟା ଦେଇଥିଲେ। ଖଣିଜ ଖନନ ପାଇଁ ନିଜ ଚାଷ ଜମି ଦେଇ ସେ ବାବଦ କ୍ଷତିପୂରଣ ନେବାକୁ ମନା କରିବାରୁ ମଞ୍ଚ ଅଭିନେତା ହାର୍ଟମ୍ୟାନ ଡି’ସୁଜାଙ୍କ ସ୍ତ୍ରୀ ଚେରିଲ ଡି’ସୁଜା, ସେମାନଙ୍କ ଝିଅ ଏବଂ ମାଆଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ସାମାଜିକ କର୍ମୀମାନଙ୍କ ସମର୍ଥନରେ ଏହି ପରିବାର ଲୋକେ ନିଜକୁ ନିଜେ ଟ୍ରକ୍‌ରେ ବାନ୍ଧି ଏହାର ପ୍ରତିବାଦ କରିଥିଲେ। ସ୍ଥାନୀୟ ଖଣି ମାଫିଆମାନେ ସେମାନଙ୍କୁ ମାଡ଼ ମାରିବା ସହିତ ସେମାନଙ୍କ କ୍ୟାମେରା ଭାଙ୍ଗି ଦେବା ବେଳେ ପୋଲିସ ନିରବରେ ଦେଖୁଥିଲା ଏବଂ ଏହି ଘଟଣା ପରେ ପ୍ରତିବାଦ ଉଗ୍ର ରୂପ ଧାରଣ କରିଥିଲା। ପରେ ସେମାନଙ୍କୁ ଗିରଫ କରଯାଇଥିଲା।

ରାମ ଭେଲିପ:ସେମାନଙ୍କ ଘର ଓ ଧାନଜମିକୁ ଖଣି ଲିଜ୍‌ରେ ଦିଆଯାଇଥିବା ଅଭିଯୋଗ କରି ରାମ ଓ ତାଙ୍କ ବାପା ୧୯୯୩ରେ କୋର୍ଟରେ ମକଦ୍ଦମା ଲଢ଼ିଥିଲେ ଏବଂ ଏହି ବେଆଇନ ଖଣିକୁ ବନ୍ଦ କରାଇଦେଇଥିଲେ। ସେ କହନ୍ତି. “ଖଣି ବେପାରୀମାନେ ଆମ ଗାଁର ଉର୍ବର ଚାଷଜମିକୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଉଥିଲେ।” ବାପା ଓ ପୁଅଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା ଏବଂ ଏହି ମାମଲା ୩ ବର୍ଷ ଧରି ଚାଲିଥିଲା। ଗାଁର ଜମିକୁ ପୂର୍ବ ଭଳି ରଖିବା ପାଇଁ ତାଙ୍କ ବାପା ଦାବି କରିବା ପରେ ସେମାନେ ଆପୋଷ ବୁଝାମଣା ପାଇଁ ରାଜି ହୋଇଥିଲେ।

ସେସା ଗୋଆର ପରିଚାଳନା ନିର୍ଦ୍ଦେଶକ ପି.କେ. ମୁଖାର୍ଜୀଙ୍କ ସହ ପ୍ରଶ୍ନୋତ୍ତର

ମାର୍ଚ୍ଚ ମାସରେ ବିଧାନସଭାରେ ଦର୍ଶାଯାଇଥିଲା ଯେ ସେସା ଗୋଆ କମ୍ପାନୀର ମୋଟ ଲାଭ ୨୭୯୮ କୋଟି ଟଙ୍କା – ଯେଉଁ ପରିମାଣ କି ରାଜ୍ୟର ମୋଟ ରାଜସ୍ଵ ଆଦାୟ ତୁଳନାରେ ଅଧିକ।

ଆଚ୍ଛା, ୨୦୦୮-୦୯ରେ ଆମର ଟିକସ ପ୍ରଦାନ ପୂର୍ବର ଲାଭ ୨୦୦୦ କୋଟି ଟଙ୍କାରୁ ଅଧିକ ହୋଇଥିଲା। ଏ କ୍ଷେତ୍ରରେ କୌଣସି କମ୍ପାନୀ ପାଉଥିବା ଲାଭର କି ପ୍ରାସଙ୍ଗିକତା ରହିଛି ତାହା ମୁଁ ଜାଣିପାରୁନି। ବୋଧହୁଏ ଲୋକଙ୍କ ପାଖକୁ କେତେ ଟଙ୍କା ଫେରି ଯାଉଛି ତାହା ହିଁ ବିଚାର କରିବା କଥା। ମୁଁ କୌଣସି ବିବାଦରେ ପଶିବାକୁ ଚାହୁଁନି। ତେଣୁ ଏ ପ୍ରସଙ୍ଗ ଏବଂ ଏହି ପରିମାଣ ସେମିତି ରହିଥାଉ।

ଯଦି (ଏବେ କାର୍ଯ୍ୟକାରୀ ହେଉଥିବା ୧୧୦ ଟି ଲିଜ୍‌ ସହିତ) ଆଉ ୧୦୦ ଟି ଖଣି ଲିଜ୍‌କୁ ଅନୁମତି ଦିଆଯାଏ, ତେବେ ଗୋଆର ଅର୍ଥନୀତି ଓ ପରିବେଶ ଉପରେ ଏହାର କି ପ୍ରକାର ପ୍ରଭାବ ପଡ଼ିବ ବୋଲି ଆପଣ ଭାବୁଛନ୍ତି ?

ଏ ପ୍ରଶ୍ନ ଲିଜ୍‌ ସଂଖ୍ୟାକୁ ନେଇ ନୁହେଁ; ବରଂ ପ୍ରଶ୍ନ ହେଉଛି ଯେ ଏହି କାମ କରିବା ଲାଗି କେତେ ଜଣଙ୍କର ଯୋଗ୍ୟତା ରହିଛି। ତାହା ହେଲେ ପ୍ରଭାବ ବି ଭିନ୍ନ ଭିନ୍ନ ହେବ। କେତେ ଏକର ଜମି, ସେଥିରୁ କେତେ ଉତ୍ପାଦନ ହେଉଛି ପ୍ରଭୃତି କଥା ଆପଣଙ୍କୁ ଦେଖିବାକୁ ପଡ଼ିବ। ଗୋଆରେ ଖଣି ଲିଜ୍‌ ଭାଗ ଭାଗ କରି ଦିଆଯାଉଛି। ଆକାର, ପରିମାଣ, ବର୍ତ୍ତମାନ ଉପଲବ୍‌ଧ ଭିତ୍ତିଭୂମି ଉପରେ ଏହାର ଚାପ ପ୍ରଭୃତି ଉପରେ ଏହା ନିର୍ଭର କରେ। ପରିବେଶ ସଂକ୍ରାନ୍ତ ମଞ୍ଜୁରି କ୍ଷେତ୍ରରେ ପାଣି, କେଉଁ ଜମିରେ ଅଦରକାରୀ ଖଣିଜ ପଦାର୍ଥ ଜମା କରାଯିବ ଇତ୍ୟାଦି କଥା ବିଚାରକୁ ନିଆଯାଏ। ମଜଭୁତ ଆଇନ ରହିଛି। ସେ ସବୁ ଦୃଢ଼ ଭାବରେ ଲାଗୁକରାଯିବା ଉଚିତ।

ଏଇ କିଛି ବର୍ଷ ହେଲା ରାଜ୍ୟରେ ଖଣି ଖନନ ବିରୋଧରେ ପ୍ରତିବାଦର ଶାଣିତସ୍ଵର କାହିଁକି ବୃଦ୍ଧି ପାଇବାରେ ଲାଗିଛି ?

ମୁଖ୍ୟତଃ ଲୁହାପଥର ବିରୋଧରେ ହିଁ ଏହି ସ୍ଵର ଉଠୁଛି। କାରଣ ଏହା ହିଁ ଏବେ ଚର୍ଚ୍ଚାରେ ରହିଥିବା ଖଣିଜ ପଦାର୍ଥ। ଏଥିରେ ଏକ ଅସ୍ଵାଭାବିକ ଲାଭଜନିତ ସ୍ଥିତି ଉପୁଜିଛି ଏବଂ ଏହି ସ୍ଥିତିରେଏ କ୍ଷେତ୍ରରେ ସାମିଲ ହେଉଥିବା ଖଳପ୍ରକୃତିର ଲୋକଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି। ଭାରତରେ କେତେକ ଜାତୀୟ ଓ ଅନ୍ତର୍ଜାତୀୟ ବେସରକାରୀ ସଂସ୍ଥା ସକ୍ରିୟ ହୋଇ ଉଠିଛନ୍ତି। କୌଣସି ପ୍ରସଙ୍ଗର ଭଲ ଓ ମନ୍ଦ ଉଭୟ ଦିଗକୁ ବିଚାରକୁ ନେବା ପରିବର୍ତ୍ତେ ସେମାନେ କେବଳ ପ୍ରତିବାଦ ଆନ୍ଦୋଳନ କରିବାରେ ଲାଗି ପଡୁଛନ୍ତି।

ଗୋଆରେ ବେଆଇନ ଖଣି ଖୋଳାର ଅନେକ ଉଦାହରଣ ରହିଛି। ଏମିତି କି ଆଇନଗତ ଭାବେ ଲିଜ୍‌ ନେଇଥିବା ସଂସ୍ଥା ଲିଜ୍‌ ସଂଲଗ୍ନ ସର୍ତ୍ତାବଳିର ଖିଲାପ କରୁଛନ୍ତି ବୋଲି ଗୋଟିଏ ବଡ଼ କମ୍ପାନୀ ପକ୍ଷରୁ କୁହାଯାଇଛି।

ବେଆଇନ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରାଯିବା ଦରକାର। ଲିଜ୍‌ଧାରୀମାନେ ଆଇନସମ୍ମତ ଭାବେ ଲିଜ୍‌ ନେଇଛନ୍ତି, ସେମାନଙ୍କ ଲିଜ୍‌ରେ ପରିବେଶ ସଂକ୍ରାନ୍ତ ମଞ୍ଜୁରି ରହିଛି। ଆଇନକୁ ଲାଗୁ କରିବା ପାଇଁ ହୋହଲ୍ଲାର କିଛି ଅର୍ଥ ନାହିଁ। ନିଶ୍ଚିତ ଭାବରେ ଦଣ୍ଡବିଧାନ କରାଯିବା କଥା। ଆମର ଦେୱାନି ଓ ଅପରାଧିକ ଅଦାଲତ ସମୂହ ଖୁବ୍‌ କାର୍ଯ୍ୟଦକ୍ଷ।

ରାଜ୍ୟର ଖଣି କ୍ଷେତ୍ରରେ କାର୍ଯ୍ୟରତ ୯୯ ଟି କମ୍ପାନୀ ମଧ୍ୟରୁ ଯେଉଁ ୮୫ ଟି କମ୍ପାନୀ ପାଖରେ ବାୟୁ ପ୍ରଦୂଷଣ ସଂକ୍ରାନ୍ତ ଅନୁମତି ନାହିଁ, ସେମାନଙ୍କ ମଧ୍ୟରେ ସେସା ଗୋଆ ରହିଛି ବୋଲି ରାଜ୍ୟ ପରିବେଶ ମନ୍ତ୍ରୀ ଗତ ସପ୍ତାହରେ ବିଧାନସଭାରେ କହିଛନ୍ତି।

ପ୍ରତ୍ୟେକ ଲିଜ୍‌ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାୟୁ ଓ ଜଳ ପ୍ରଦୁଷଣ ଆଇନ ଅନୁଯାୟୀ ପ୍ରଦୂଷଣ ସଂକ୍ରାନ୍ତ ଅନୁମତି ପ୍ରତି ୨-୩ ବର୍ଷରେ ଥରେ ଦିଆଯାଇଥାଏ। ଆମେ ଏହାର ନବୀକରଣ ପାଇଁ ଆବେଦନ କରିଛୁ। କିନ୍ତୁ ସରକାରୀ ଭାବେ ଏହା ଏ ପର୍ଯ୍ୟନ୍ତ ମିଳିନାହିଁ। ଯଦି ଏହାକୁ ଅଗ୍ରାହ୍ୟ କରା ନଯାଏ କିମ୍ବା ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରା ନଯାଏ ତେବେ ଏହା ନବୀକରଣ ଯୋଗ୍ୟ ବୋଲି ଧରି ନିଆଯାଏ। ଏ ପର୍ଯ୍ୟନ୍ତ ଆମ ପାଖରେ ସରକାରୀ ଅନୁମତି ନାହିଁ, ତ ଆମ ଆବେଦନକୁ ଅଗ୍ରାହ୍ୟ ମଧ୍ୟ କରାଯାଇନାହିଁ।

ବେଆଇନ ହେଉ କି ନହେଉ -ଖଣି ଖନନ ଯୋଗୁଁ ରାଜ୍ୟରେ ଉପୁଜିଥିବା ବିନାଶକାରୀ ସ୍ଥିତି

ଦକ୍ଷିଣାଞ୍ଚଳର ସ୍ଥିତି

କୋଲାମ୍ବର ବନ୍ଧାରାରେ ନିଜର ଆଠଜଣିଆ ପରିବାର (ଚାରି ପିଲାଙ୍କ ସମେତ) ସହିତ ରହୁଥିବା ୩୮ ବର୍ଷୀୟ ଡୋମେନ ଡି’ସୁଜା କହନ୍ତି ଯେ, ଧୂଳି ପ୍ରଦୂଷଣ ଯୋଗୁଁ ୪-୫ ବର୍ଷ ହେଲା ତାଙ୍କ ପିଲାମାନଙ୍କର ଶ୍ଵାସ, ଗଳା ଦରଜ ଭଳି ରୋଗ ଲାଗି ରହିଛି ଏବଂ ସେମାନେ ବାରମ୍ବାର ସର୍ଦ୍ଦିରେ ପୀଡ଼ିତ ହେଉଛନ୍ତି। ଗାଁରେ ରହୁଥିବା ଜଣେ ଚିକିତ୍ସକ ଡାକ୍ତର  ଏ. ପ୍ରଭୁଦେଶାଇ କହନ୍ତି ଯେ, ପ୍ରତିଦିନ ଶ୍ଵାସକ୍ରିୟାରେ ସମସ୍ୟାଜନିତ ରୋଗ ଥିବା ହାରାହାରି ୨-୪ ଜଣ ପିଲାଙ୍କୁ ସେ ପରୀକ୍ଷା କରନ୍ତି। “ଶରୀର ଭିତରେ ମିଳାଇ ଯାଉ ନଥିବା ଧୂଳିକଣା ଫୁସ୍‌ଫୁସ୍‌ରେ ଜମା ହୋଇ ରହିବା ଯୋଗୁଁ ଯେଉଁ ଅବସ୍ଥା ଦେଖାଦିଏ ତାକୁ ନ୍ୟୁମୋକୋନିଓସିସ୍‌ କହନ୍ତି। ମୁମ୍ବାଇ ଭଳି ସହରରେ ବି ଏହା ସାଧାରଣ କଥା। କିନ୍ତୁ ଏଠାରେ ଖଣିରୁ ବାହାରୁଥିବା ଧୂଳିକଣା ଏକ ଅତିରିକ୍ତ ଉପାଦାନ। ଏ କ୍ଷେତ୍ରରେ ମୁଖ୍ୟତଃ ଗାଁର ଛୋଟ ଛୋଟ ପିଲାମାନେ ସମ୍ବେଦନଶୀଳ ଏବଂ ରୋଗରେ ପଡ଼ିବାର ଆଶଙ୍କା ଅଧିକ।” ଏହା ସହିତ ଅନ୍ୟାନ୍ୟ ସମସ୍ୟା ବି ରହିଛି। ଡି’ସୁଜା କହନ୍ତି, “ଖଣି ଖୋଳା ଯୋଗୁଁ ଆଭ୍ୟନ୍ତରୀଣ ଜଙ୍ଗଲ ନଷ୍ଟ ହୋଇଯାଇଛି ଏବଂ ଜାଳେଣି କାଠ ପାଇବା ଏକ ବଡ଼ ସମସ୍ୟା ହୋଇଛି। ଗାଈଗୋରୁ ଚରିବା ପାଇଁ ଘାସ ବି ଆଉ ନାହିଁ। ଖଣି ସଂସ୍ଥାର ଦଲାଲମାନେ ମାରପିଟ କରନ୍ତି ଏବଂ ଧମକ ଦିଅନ୍ତି, ଗାଁ ଲୋକଙ୍କୁ ମଦ ଦିଅନ୍ତି। ଖଣିରେ ଅତି ବେଶିରେ ଗାଁର ୬-୮ ଜଣ ଲୋକ କାମ କରନ୍ତି ଏବଂ ଖଣି ସୁରକ୍ଷା ଓ ପରିଚାଳନା କାମରେ ନିଯୁକ୍ତ ବାକି ୩୦ରୁ ଅଧିକ ଲୋକ ବାହାର ଅଞ୍ଚଳର।”

ଦଶ ବର୍ଷ ହେଲା ଗୋଟିଏ ମାଙ୍ଗାନିଜ୍‌ ଖଣିରେ କାମ କରି ଦିନକୁ ୧୦-୧୫ ଟଙ୍କା ରୋଜଗାର କରୁଥିଲେ ୪୫ ବର୍ଷୀୟ ମିଲାଗ୍ରୀନ ଆଣ୍ଟାଇଓ। ପ୍ରାୟ ଛଅ ବର୍ଷ ତଳେ, ଯେତେବେଳେ ଖଣିକୁ ଆଉ ଏକ ବଡ଼ ସଂସ୍ଥା ହାତକୁ ନେଲା ଏବଂ ‘ମେସିନ୍‌ ଲାଗିବା ସହିତ କର୍ଣ୍ଣାଟକରୁ ଶସ୍ତାରେ ମିଳୁଥିବା ଶ୍ରମିକଙ୍କୁ’ ଅଣାଗଲା ସେତେବେଳେ ସେ କାମ ଛାଡ଼ି ଦେଲେ। ସେ କହନ୍ତି, “ଏବେ ସେମାନଙ୍କର ସବୁ କିଛି ନଷ୍ଟ ହୋଇଯିବା ପରେ ଝାଡ଼ଖଣ୍ଡରୁ ବି ଶ୍ରମିକମାନେ ଆସିଲେଣି।”

ଏ ଅଞ୍ଚଳରେ ବେଆଇନ ଖଣି ଖୋଳାକୁ ତୀବ୍ର ବିରୋଧ କରିଆସୁଥିବା ଚାଳିଶ ବର୍ଷରୁ କିଛି ଅଧିକ ବୟସର ରାମ ଭେଲିପ କହନ୍ତି ଯେ, ୧୫୧୦ ଏମିତି ଏକ ସଂଖ୍ୟା ଯାହାକୁ ସେ ଭୁଲିପାରିବେନି। କାରଣ, କୋଲାମ୍ବର ମୋଟ ଆୟତନ ୧୯୨୯ ହେକ୍‌ଟର ମଧ୍ୟରୁ ୧୫୧୦ ହେକ୍‌ଟରରେ ଖଣିଖୋଳା ଚାଲିଛି। ଏହା ମଧ୍ୟ ସେହି ବର୍ଷ, ଯେବେ ପର୍ତ୍ତୁଗୀଜ୍‌ମାନେ ଭାରତକୁ ଆସିଥିଲେ। ସେ କହନ୍ତି ଯେ ଖଣିଖୋଳା ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି, ଏବଂ ତେଣୁ “ବର୍ଷାପାଣିକୁ ଧରି ରଖି ହେଉନାହିଁ। ଦଶ ବର୍ଷ ତଳେ ଏଠାରେ ୩୫୦ ଇଞ୍ଚ ବର୍ଷା ହେଉଥିଲା। ଏବେ ଆମକୁ ଅତି ବେଶିରେ ୧୦୦ ଇଞ୍ଚ ବର୍ଷାପାଣି ମିଳୁଛି। ଗତ ଜୁନ୍‌ ମାସରେ ଏଠାରେ ପାଣି ନଥିଲା। ଯଦି ଗଛ ରହିବ ନାହିଁ ତେବେ ଆମେ ମୁଣ୍ଡ ଗୁଞ୍ଜିବାକୁ କେଉଁଠାକୁ ବା ଯିବୁ ? ୨୦୦୬ରୁ ୨୦୧୦ ଭିତରେ ପ୍ରାୟ ୩୦ ହେକ୍‌ଟର ଜଙ୍ଗଲ କଟା ହୋଇ ସାରିଲାଣି। ବାଘମାନେ ଉଭେଇ ଗଲେଣି। ଖଣି ସବୁ ଗଭୀରରୁ ଅତି ଗଭୀର ହେବାରେ ଲାଗିଛି ଏବଂ ଆମକୁ ପିଇବାକୁ ପାଣି ମିଳୁନାହିଁ। ଯଦି ପାଣି ନାହିଁ, ତେବେ କିଛି ନାହିଁ।

ଏହି ସବୁ ଖଣି ଚାରିପଟେ ପ୍ରାୟ ୮୦ଟି ପରିବାର ରହନ୍ତି ଏବଂ ଖଣିର ଖୁବ୍‌ ନିକଟରେ ରହୁଥିବା ପରିବାର ହିଁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ବର୍ଷ ଚାରିଟି ପରିବାରକୁ ଏଠାରୁ ସ୍ଥାନାନ୍ତର କରାଯାଇଥିଲା ଏବଂ କ୍ଷତିପୂରଣ ହିସାବରେ ୨ରୁ ୭ ଲକ୍ଷ ଟଙ୍କା ମଧ୍ୟରେ ଦିଆଯାଇଥିଲା। ଭେଲିପ କହନ୍ତି, “ଏବେ ଲୋକଙ୍କ ମନ ଜିଣିବା ପାଇଁ ଖଣି ବେପାରୀମାନେ କୋଟିଏ ଟଙ୍କା ଖର୍ଚ୍ଚ କରି ନାଲିମାଟିରେ ଗଢ଼ା ଗାଁର ଶାନ୍ତାଦୁର୍ଗା ମନ୍ଦିରକୁ କଂକ୍ରିଟ୍‌ରେ ଗଢ଼ିଛନ୍ତି । ଏହା ବ୍ୟତୀତ ସେମାନେ ପିଲାମାନଙ୍କୁ ମାଗଣାରେ ଛତା, ବ୍ୟାଗ୍‌, ବହି ଇତ୍ୟାଦି ଦେଇଆସୁଛନ୍ତି। ସେପଟେ ଲୋକେ ଖଣିରୁ ବାହାରୁଥିବା ଧୂଳିଗୁଣ୍ଡ ଖାଇବାକୁ ଏବଂ ପ୍ରଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି”।

ମିଳିତ ଗଣରାଜ୍ୟରେ ରହୁଥିବା ଗୋଆ ନିବାସୀ ତଥା ଖଣି ବିରୋଧୀ ସାମାଜିକ କର୍ମୀ କାରମେନ୍‌ ମିରାଣ୍ଡା କହନ୍ତି ଯେ କୋଲାମ୍ବ ହେଉଛି ସେହି ଅଞ୍ଚଳ, ଯେଉଁଠାରେ ଖଣି ଖୋଳିବା ପାଇଁ ସେଠାକାର ଚାଷୀମାନଙ୍କ ଜମି ଏବଂ ସରକାରୀ ଜଙ୍ଗଲ ଜମି ହାତେଇ ନେବାକୁ ବିଭିନ୍ନ କାରସାଦି ହୋଇଥିବା ଭଳି ମନେହୁଏ। “କିନ୍ତୁ ଏହା ବହୁ ଦୂରରେ ଥିବାରୁ ପ୍ରସ୍ତାବିତ ଅନେକ ନୂତନ ଖଣି ପ୍ରକଳ୍ପ ବିରୋଧରେ ସେମାନଙ୍କ ଲଢ଼େଇ ବିଫଳ ହେବ ବୋଲି ସ୍ଥାନୀୟ ଲୋକେ ଅନୁଭବ କରୁଛନ୍ତି।”


ଉତ୍ତରାଞ୍ଚଳର ସ୍ଥିତି

ଉତ୍ତର ଗୋଆର ସତାରି ତାଲୁକା ଅନ୍ତର୍ଗତ ବାନ୍ଦୱାଡ଼ା ଓ ପିସରଲେମ୍‌ରେ ରହୁଥିବା ୩୭ରୁ ଅଧିକ ପରିବାର ପାଇଁ ଏହି ବର୍ଷ ହିଁ ସେମାନଙ୍କ ପୂର୍ବଜମାନଙ୍କ ଠିକଣାରେ ରହିବାର ଶେଷ ବର୍ଷ। ୨୦୧୦ ମସିହା ମେ ମାସ ହେଲେ ସେମାନେ ଶାନ୍ତିନଗରକୁ ଚାଲିଯିବେ । ସେମାନଙ୍କର ପୁରୁଣା ଘରଗୁଡ଼ିକ ସେହି ଜମିରେ ରହିଛି ଯେଉଁଠି କି ଆଗକୁ ଆହୁରି ଅଧିକ ଖଣିଜ ପାଇବା ପାଇଁ ଖୋଳିବା ଦରକାର ହେଉଛି।ଏହି ଗାଁର ୪୦୦୦ ଲୋକ ୮୦ ଏକର ଜମି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ଏବଂ ଅନେକ ବର୍ଷ ଧରି ଚାଲିଆସିଥିବା ଖଣି ଖୋଳା ଯୋଗୁଁ ଗାଁ ଚାରିପଟେ ଖଣି ଅଞ୍ଚଳ ସ୍ଥାପିତ ହୋଇସାରିଲାଣି।

ଏଠାକାର ଗୋଟିଏ ଖଣି ପାଖରେ ଗତ ୩ ବର୍ଷ ହେଲା ସାମୟିକ ଭାବେ (ନଭେମ୍ବରରୁ ମେ) ଚା’ ଦୋକାନ ଚଳାଇ ଆସୁଥିବା ଜଣେ ପୂର୍ବତନ ଚାଷୀ ୪୫ ବର୍ଷୀୟ ଗୁରୁଦାସ ଲକ୍ଷ୍ମଣ ଗାୱଡ଼େ ଏଠାକାର ଭବିଷ୍ୟତ ବାସିନ୍ଦାଙ୍କ ମଧ୍ୟରୁ ଜଣେ। ତାଙ୍କୁ ୬ ଲକ୍ଷ ଟଙ୍କା ମିଳିଥିଲା । ସେ କହନ୍ତି, “ମୁଁ ଏହି ଅଞ୍ଚଳରେ ଜନ୍ମ ନେଇ ଏଠାରେ ହିଁ ବଡ଼ ହୋଇଛି । କିନ୍ତୁ ଏବେ ଅନ୍ୟ ସମସ୍ତେ ଚାଲିଯାଉଥିବାରୁ ମୋତେ ବି ଏଠାରୁ ଯିବାକୁ ହେବ। ଏଠାକାର ଝରଣା ସବୁ ଶୁଖି ଶୁଖି ଯିବାରୁ ପ୍ରାୟ ଦଶ ବର୍ଷ ତଳେ ମୋର ଧାନଚାଷ ବନ୍ଦ ହୋଇଗଲା। ସେହି କାମ ସହିତ ଚା’ ଦୋକାନ ସମାନ ନୁହେଁ।” ଅନ୍ୟ ସ୍ଥାନରେ ଘର କରିବା ଗାଁ ପାଇଁ ନୂଆକଥା ନୁହେଁ। ଏ ବର୍ଷ ମେ ମାସରେ ୬୦ ବର୍ଷୀୟା ସୀତାରାମା ସାବାଇକର ମଧ୍ୟ ତାଙ୍କ ପରିବାର ସହ ଅନ୍ୟତ୍ର ଚାଲିଯିବେ। ଗୋଟିଏ ଖଣିରେ ଠିକାଦାର କାମ କରୁଥିବା ତାଙ୍କ ପୁଅ କହନ୍ତି ଯେ ଯେଉଁ ଜାଗାରେ ସେମାନେ ପୂର୍ବରୁ ରହୁଥିଲେ ସେଠାରେ ମାଟି ତଳ ଫାଟିଗଲାଣି। “ଯେ କୌଣସି ସମୟରେ ଏଠାରେ ଭୂସ୍ଖଳନ ଘଟିପାରେ ଏବଂ ଏହା ସହିତ ଗାଁର ଭୂମି ତଳେ ଖଣିଜ ଦ୍ରବ୍ୟ ରହିଥିବାରୁ ସେ ପର୍ଯ୍ୟନ୍ତ ଖଣି ଖୋଳା କାମ ସଂପ୍ରସାରିତ ହେବ।”

ଏହି ସମସ୍ତ ପରିବାରକୁ ଏଠାରୁ ଅନ୍ୟତ୍ର ନେଇ ଯାଉଥିବା ଖଣି ସଂସ୍ଥା ଦାମୋଦର ମଙ୍ଗଲଜୀର ମୁଖପାତ୍ର ହରୀଶ ଡି. ରଜନୀ ପ୍ରଥମେ ଏ ସଂପର୍କରେ କିଛି କହିବାକୁ ଅମଙ୍ଗ ହେଉଥିଲେ। କାରଣ, ସେମାନେ ସେମାନଙ୍କର ଏହି ‘ପ୍ରୟାସ’ ସଂପର୍କରେ ‘ପ୍ରଚାର’ କରିବାକୁ ଚାହୁଁ ନଥିଲେ। କିନ୍ତୁ ପରେ ସେ କହିଲେ ଯେ ଏହା ଥିଲା ତାଙ୍କର ‘କର୍ତ୍ତବ୍ୟ’। ଲୋକେ ସେମାନଙ୍କର ପାରମ୍ପରିକ ଜୀବିକା ଚାଷବାସ ହରାଉଥିବା ସଂପର୍କରେ କହିବାକୁ ଯାଇ ସେମାନଙ୍କୁ ଖଣି କମ୍ପାନୀରେ ଚାକିରି ଦିଆଯାଇଥିଲା ବୋଲି ସେ ଦାବି କରିଥିଲେ। “ଆମ ପାଖରେ ଆବଶ୍ୟକ ଅନୁମତି ରହିଛି ଏବଂ ଏଠାରେ ପାରାପେଟ୍‌ ପାଚେରି ନିର୍ମାଣ ଏବଂ ଅନ୍ୟାନ୍ୟ କାମରେ ଆମେ ବହୁ କୋଟି ଟଙ୍କା ଖର୍ଚ୍ଚ କରିଛୁ।”

କୃଷି ବ୍ୟତୀତ, ଏଠାକାର ଦୁଗ୍‌ଧ ବ୍ୟବସାୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିଛି। ଆଠ ବର୍ଷ ତଳେ ଏଠାକର ଯୋଗେଶ୍ଵର ଦୁଧୋତ୍ପାଦକ ସଂସ୍ଥା ବନ୍ଦ ହୋଇଯାଇଥିଲା। ଦଶ ବର୍ଷ ତଳେ ୪୦ଟି ଗାଈ ରଖିଥିବା ୫୫  ବର୍ଷୀୟା ତାରାବାଇ ଆବାସାହେବ ଦେଶାଇଙ୍କ ପାଖରେ ଏବେ ୧୦ଟି ଗାଈ ଅଛନ୍ତି। ସେ କହନ୍ତି, “ଆଗରୁ ମିଳୁଥିବା କ୍ଷୀର ପରିମାଣ ମଧ୍ୟ ୨୫ ଲିଟରରୁ ୨ ଲିଟରକୁ ଖସିଆସିଛି। ଗାଈମାନଙ୍କ ପାଇଁ ଘାସ, ଚାରା ଓ ପାଣିର ପରିମାଣ କମି ଯାଇଛି। ଆମ ଘର ପାଖରେ ଗୋଟିଏ ଝରଣା ଥିଲା। ତାହା ଏବେ ଶୁଖି ଯାଇଛି। ଏବେ ଆମକୁ ଗୋଟିଏ ଟ୍ୟାଙ୍କର ଯୋଗେ ପାଣି ମିଳୁଛି।”

ଦଶ ବର୍ଷ ତଳେ ସେ ଅଞ୍ଚଳର ୮୦ ଏକର ଚାଷଜମିକୁ ସେଚ ସୁବିଧା ଯୋଗାଉଥିବା ପାଣ୍ଡିକାଚ୍ଚି ଟାଲ୍ଲି ନାମକ ଜଳାଶୟଟି ଶୁଖି ଯାଇଛି। ଅତୀତକୁ ମନେ ପକାଇ ପୁରୁଖା ସାମାଜିକ କର୍ମୀ ହନୁମନ୍ତ ପରବ କହନ୍ତି, “ଖଣିରୁ ବାହାରୁଥିବା କାଦୁଅ ପଶିଯିବା ଯୋଗୁଁ ପାଣି ଆସିବାର ବାଟ ବନ୍ଦ ହୋଇଯାଇଛି। ଏ ଅଞ୍ଚଳର ଅଧିକାଂଶ ଝରଣା ଶୁଖି ଗଲାଣି। ବିଜ୍ଞାନସମ୍ମତ ଭାବରେ ଦେଖିଲେ ନଷ୍ଟ ହୋଇଯାଇଥିବା ଗ୍ରାମ୍ୟ ସମ୍ବଳର ପୁନରୁଦ୍ଧାର ସମ୍ଭବ ନୁହେଁ। କାଜୁ, ଆକାଶି, ନଡ଼ିଆ ପ୍ରଭୃତି ଗଛ କାଟି ଦିଆଯାଇଛି। ଖଣିରୁ ନିର୍ଗତ ସବୁ ବର୍ଜ୍ୟବସ୍ତୁ ସରକାରୀ ମାଲିକାନାରେ ଥିବା ଏକ ପାହାଡ଼ ଉପରେ ଗଦା କରାଯାଉଛି। ସାଧାରଣ ଭାବେ ଏହାର ଉଚ୍ଚତା ୬୦ ମିଟର ରହିବା ଉଚିତ। କିନ୍ତୁ ଏହା ୧୫୦ରୁ ୨୦୦ ମିଟର ଯାଏ ରହୁଛି। ଖଣି ଖୋଳା ପାଇଁ ବିସ୍ଫୋରଣ ଆରମ୍ଭ ହେବା ପରଠାରୁ ବାଘମାନଙ୍କ ବାସସ୍ଥଳୀ ଭାବରେ ସୁପରିଚିତ ବାଘୁରେ ଗାଁରୁ ବାଘମାନେ ବି ଉଭେଇ ଯାଇଥିବା ଦେଖାଯାଇଛି।

ଗାଁ ଭିତର ଦେଇ ଗଲେ ଆପଣ ଏହା ଦେଖିପାରିବେ। ଗଭୀର ଭାବରେ କଟାଯାଇଥିବା ପାହାଡ଼ର ଢାଲୁ ଅଞ୍ଚଳ, କେଇ ମିନିଟ୍‌ ଅନ୍ତରାଳରେ ଅହରହ ଚଳାଚଳ କରୁଥିବା ଖଣିଜ ଦ୍ରବ୍ୟ କିମ୍ବା ବର୍ଜ୍ୟବସ୍ତୁ ବୋଝେଇ ଟ୍ରକ୍‌ର କର୍କଶ ଶବ୍ଦ, ଶୁଖିଲା ଏବଂ ଲାଲ ଧୂଳିର ଆସ୍ତରଣ ତଳେ ନଇଁଯାଇଥିବା ଗଛ ଓ ଗୁଳ୍ମ, ଶୁଖିଯାଇଥିବା କୂଅର ସ୍ଥାନ ନେଇଥିବା ରଙ୍ଗ ଛାଡ଼ିଆସିଥିବା ନୀଳ ରଙ୍ଗର ଅନେକ ପାଣି ଡ୍ରମ୍‌।

ପରବ କହନ୍ତି, “ପୁରୁଣା ଖଣିଗୁଡ଼ିକ ଗାଁକୁ ନଷ୍ଟ କରିସାରିଲେଣି। ଏଣିକି ନୂଆ ଖଣି ଆରମ୍ଭ ହେଲେ କେବଳ ମାନଚିତ୍ରରେ ଯାହା ଗାଁ ରହିବ। ଗୋଟିଏ ତିନି କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଖଣିର ପ୍ରଭାବ ପାଞ୍ଚ କିଲୋମିଟର ଯାଏ ପଡ଼ିଥାଏ। ଖଣି ଖୋଳା ଯୋଗୁଁ ଆମ ଏଠାରେ ୨୦୦୦ ମସିହାରେ ବନ୍ୟା ବି ହୋଇଥିଲା। ଆମେ ଆଉ ନୂଆ ଖଣି ଚାହୁଁନାହୁଁ। ଏଥିରୁ ଅନ୍ୟମାନେ ଫାଇଦା ନେଉଛନ୍ତି, କିନ୍ତୁ ଗାଁ ଲୋକେ କ୍ଷତି ସହୁଛନ୍ତି। ୧୫ ବର୍ଷ ପରେ ଏଠାରୁ ଖଣିଜ ପଦାର୍ଥ ସରିଯିବା ପରେ ଗାଁର ଅବସ୍ଥା କ’ଣ ହେବ?”\


ତତ୍‌କାଳୀନ ପରିବେଶ ମନ୍ତ୍ରୀ ଜୟରାମ ରମେଶଙ୍କ ସହ ସାକ୍ଷାତ୍‌କାର

‘ବନ ବିଭାଗ ଏବଂ ଖଣି ବେପାରୀଙ୍କ ଲବି ମଧ୍ୟରେ ସଂପର୍କକୁ ଅସ୍ଵୀକାର କରିହେବନି’

୨୦୦୯ ମେ ମାସରୁ ଭାରତର ପରିବେଶ ମନ୍ତ୍ରୀ ପଦରେ କାର୍ଯ୍ୟରତ ୫୬ ବର୍ଷୀୟ ଜୟରାମ ରମେଶ। ତାଙ୍କ ମନ୍ତ୍ରାଳୟ ପରିବେଶ ସଂକ୍ରାନ୍ତ ଅନୁମତି ଦେଇଥାଏ। ଯାହାକି ସମସ୍ତ ପ୍ରକାର ଖଣି ଖନନ କାର୍ଯ୍ୟ ପାଇଁ ଅନିବାର୍ଯ୍ୟ। ଗତ ବର୍ଷ ନଭେମ୍ବରରେ ମହାରାଷ୍ଟ୍ରର ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ କୋଇଲା ଖଣି ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେଇଥିଲା। ପଶ୍ଚିମ ଘାଟ ପର୍ବତମାଳାରେ ରହିଥିବା ଭାରତର ବନାଞ୍ଚଳକୁ ସୁରକ୍ଷିତ ରଖିବା ଲାଗି ତାଙ୍କର ମନ୍ତ୍ରାଳୟର ପ୍ରୟାସକୁ ପ୍ରଶଂସା କରି ବିଭିନ୍ନ ସାମାଜିକ କର୍ମୀମାନଙ୍କର ଗୋଷ୍ଠୀ ଏପ୍ରିଲ ମାସରେ ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିଥିଲେ।

ସମସ୍ତଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଛି, ତାହା ହେଲା ବାସ୍ତବରେ ପୃଥିବୀ ଦିନକୁ ଦିନ ଉତ୍ତପ୍ତ ହେଉଛି ?

ବିଭିନ୍ନ ଘଟଣାର ବିବରଣୀକୁ ବିଚାର କଲେ ଏହା ନିଶ୍ଚିତ ଭାବରେ ସତ ବୋଲି ମନେହୁଏ। ଆମେ ସମସ୍ତେ ସୌଖୀନ ବିଜ୍ଞାନୀ ହୋଇଥିବାରୁ ଯେତେ ଥର ତାପମାତ୍ରା ୪୨ ଡିଗ୍ରୀ ଉପରକୁ ଯାଏ ଆମେ ଭାବୁ ଏହା ହିଁ ସତ। ହେଲେ ବିଶ୍ଵର ତାପମାତ୍ରା ବଢ଼ିବାରେ ଲାଗିଛି ବୋଲି ଦର୍ଶାଇବାକୁ ନିର୍ବିବାଦୀୟ ପ୍ରମାଣ ରହିଛି କି ? ଠିକ୍‌ କଥା ଯେ ଆମେରିକାର ମହାକାଶ ସଂସ୍ଥା ‘ନାସା’ରେ କାର୍ଯ୍ୟରତ ଜେମ୍‌ସ ହାନ୍‌ସେନଙ୍କ ଭଳି ଦାୟିତ୍ଵ ସଂପନ୍ନ ବିଜ୍ଞାନୀ ମଧ୍ୟ ବିଶ୍ଵର ତାପମାତ୍ରା ବଢ଼ିବାରେ ଲାଗିଛି ବୋଲି ଉଲ୍ଲେଖ କରିଛନ୍ତି। ବୃଷ୍ଟିପାତର ଧାରା ନିଶ୍ଚିତ ଭାବରେ ଅନିୟମିତ ହେବାରେ ଲାଗିଛି। ଯେତେ ଥର ବି ମୁଁ ଚେରାପୁଞ୍ଜି ଯାଇଛି, ସେଠାରେ ପୂର୍ବ ତୁଳନାରେ ଖୁବ୍‌ କମ୍‌ ବର୍ଷା ହେଉଛି ବୋଲି ସେଠାକାର ଲୋକେ ମୋତେ କହିଛନ୍ତି। ତେଣୁ, ହଁ, ବୋଧହୁଏ ପୃଥିବୀ ତାତିବାରେ ଲାଗିଛି।

ଖଣି ଖୋଳା ସଂପର୍କରେ କଥାବାର୍ତ୍ତା କରିବା। ବେଆଇନ ଖଣି ଖୋଳା କାମ ବ୍ୟାପକ ହେଉଥିବା ଆମେ ଦେଖିଆସୁଛୁ। ଏବେ ଏହା ଏକ ଗୁରୁତର ପ୍ରସଙ୍ଗ। ଏ କ୍ଷେତ୍ରରେ ଆପଣଙ୍କ ମନ୍ତ୍ରାଳୟ କି ପ୍ରକାର ପଦକ୍ଷେପ ନେଉଛି ?

ଆଚ୍ଛା, ଦେଶର ଯେଉଁ ସବୁ ଅଞ୍ଚଳରେ ଖଣି ଖୋଳା କାମ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ସୀମାରେ ପହଞ୍ଚି ସାରିଛି ଏବଂ ସଂପୃକ୍ତ ଅଞ୍ଚଳରୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ସୀମା ଅତିକ୍ରମ କରିବାର ସମ୍ଭାବନା ରହିଛି, ସେ ସବୁକୁ ଆମେ ଚିହ୍ନଟ କରିଛୁ। ଏ କ୍ଷେତ୍ରରେ ଗୋଆ ଏକ ପ୍ରକୃଷ୍ଟ ଉଦାହରଣ, ଯେଉଁଠାରେ କି ଆମେ ଆଗକୁ ଖଣିଜ ଖନନ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଜାରି କରିଛୁ। ଏମିତି ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ହେଉଛି ପଶ୍ଚିମ ଘାଟ ପର୍ବତମାଳା ଏବଂ ପଶ୍ଟିମ ଘାଟରେ ଖଣି ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଲାଗି ମୁଁ ଦେଶର ଅନ୍ୟତମ ବିଶିଷ୍ଟ ପରିବେଶ ବିଜ୍ଞାନୀ ମାଧବ ଗାଡ଼ଗିଲଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରିଛି। ଏହା ବ୍ୟତୀତ କେତେକ ଗୁରୁତ୍ଵପୂର୍ଣ୍ଣ ଖଣିଜ ଖନନ ପ୍ରକଳ୍ପକୁ ଆମେ ସ୍ଥଗିତ ରଖିଛୁ। ବେଦାନ୍ତ ପ୍ରକଳ୍ପ ଏ ପର୍ଯ୍ୟନ୍ତ ଅନୁଧ୍ୟାନ କରାଯାଉଛି। ଏବେ ଆମେ ଖୁବ୍‌ ଅଧିକ ସତର୍କ ହୋଇଛୁ। ଆମେ କେତେକ କୋଇଲା ଖଣି ପ୍ରକଳ୍ପକୁ ସ୍ଥଗିତ ରଖିଛୁ। ଆମେ ଖଣି କାର୍ଯ୍ୟ ଚଳାଇବା ପାଇଁ ଉପଯୁକ୍ତ ଏବଂ ଅନୁପଯୁକ୍ତ ଅଞ୍ଚଳ ଚିହ୍ନଟ କରିଛୁ ଏବଂ ବାସ୍ତବ କ୍ଷେତ୍ରରେ, ନିର୍ଦ୍ଦିଷ୍ଟ ଭାବେ ଛତିଶଗଡ଼ରେ, କେତେକ ଅନୁପଯୁକ୍ତ ଅଞ୍ଚଳରେ ଅନେକ କୋଇଲା ଖଣି ପ୍ରସ୍ତାବକୁ ଖାରଜ କରିଛୁ। ଆମେ ସ୍ପଷ୍ଟ ଭାବେ ଜାଣି ରଖିବା କଥା ଯେ ଖଣିଜ ଖନନ କାମକୁ ହଠାତ୍‌ ବନ୍ଦ କରାଯାଇପାରିବନି। ହେଲେ, ବେଆଇନ ଖଣିଜ ଖନନ ନିଶ୍ଚିତ ଭାବେ ବନ୍ଦ ହେବା ଦରକାର। ଏ କ୍ଷେତ୍ରରେ ଆମେ ଖୁବ୍‌ କଠୋର ପଦକ୍ଷେପ ନେଇଛୁ। ଉଦାହରଣ ସ୍ଵରୂପ, କର୍ଣ୍ଣାଟକରେ ବହୁସଂଖ୍ୟକ ବେଆଇନ ଖଣି ଖୋଳା କାମ ଚାଲିଥିବାରୁ ମୁଁ ଏ ସଂପର୍କରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଏବଂ ସେଠାରେ ଦିଆଯାଇଥିବା କେତେକ ଖଣି ଲିଜ୍‌କୁ ଆମେ ରଦ୍ଦ ମଧ୍ୟ କରିସାରିଛୁ। ଖଣି କାମ ନିଶ୍ଚିତ ଭାବେ ଚାଲିବ, ଆଇନ ସମ୍ମତ ଖଣି କାମ ନିଶ୍ଚିତ ଭାବେ ଜାରି ରହିବା କଥା। କିନ୍ତୁ ଆଇନ ଅନୁସାରେ ଖଣି ଖୋଳା ହେଉଥିଲେ ହେଁ ଯଦି ତାହା ଘଞ୍ଚ ଜଙ୍ଗଲ ଅଞ୍ଚଳରେ ହେଉଛି ତେବେ ଆମକୁ ସେ ସଂପର୍କରେ ଆଉ ଥରେ ବିଚାର କରିବାକୁ ପଡ଼ିବ। ଯାହା କି କୋଇଲା ଖଣି କ୍ଷେତ୍ରରେ କରାଯାଉଛି। ଏହା ଏକ ଅଡୁଆ ପ୍ରସଙ୍ଗ। ହେଲେ, ଦୁର୍ଭାଗ୍ୟବଶତଃ ଆମ ଦେଶରେ, ଏ ପର୍ଯ୍ୟନ୍ତ ପରିବେଶକୁ ଅକ୍ଷୁଣ୍ଣ ରଖିବା ଭଳି ଢଙ୍ଗରେ ଖଣି ଖୋଳା କାମ କରାଯାଉନାହିଁ...।

ପରିବେଶକୁ ଅକ୍ଷୁଣ୍ଣ ରଖି ଖଣିଜ ଉତ୍ତୋଳନ ଲାଗି କୌଣସି ଦୀର୍ଘସ୍ଥାୟୀ ଉପାୟ ଅଛି କି ?

ହଁ, ଠିକ୍‌ କଥା। ଜର୍ମାନରେ ସେମାନେ ଏହା କରିଛନ୍ତି, ଆମେରିକାରେ ମଧ୍ୟ ଏହା କରାଯାଇଛି। ଭାରତରେ ପରିବେଶ ସୁରକ୍ଷା ସହିତ ଖଣିଜ ଉତ୍ତୋଳନ କ୍ଷେତ୍ରରେ ନେଭେଲି ଲିଗ୍‌ନାଇଟ୍‌ ଏକ ଭଲ ଉଦାହରଣ। ଆନ୍ଧ୍ରପ୍ରଦେଶର ସିଙ୍ଗାରେନି ମଧ୍ୟ ଅନ୍ୟତମ ଉଦାହରଣ। ଆମେ ଯଦି ଅଧିକ ସମ୍ବେଦନଶୀଳ ହୋଇପାରିବା, ତେବେ ଅନେକ ଉପାୟ ବାହାରିବ। ହେଲେ, ଆଦିବାସୀ ଅଞ୍ଚଳରେ ଖଣି ଖୋଳା କାମରେ ଆମକୁ ସତର୍କ ହେବାକୁ ପଡ଼ିବ ଏବଂ ଦେଖିବାକୁ ପଡ଼ିବ ଯେ ଖଣି କାମରୁ କାହାର ଫାଇଦା ହେବାକୁ ଯାଉଛି।

କର୍ଣ୍ଣାଟକରେ ରେଡ୍ଡି ଭ୍ରାତା ଏବଂ ଝାଡ଼ଖଣ୍ଡରେ ମଧୁ କୋଡ଼ାଙ୍କ ଖଣି ଦୁର୍ନୀତିକୁ ଆପଣ କେମିତି ଦେଖନ୍ତି ?

ଏ ସବୁ ଦୁର୍ନୀତି ସଂପର୍କରେ ମୁଁ କିଛି କରିପାରିବି ନାହିଁ। ମୁଁ କେବଳ ଆଇନକୁ ଲାଗୁ କରିପାରିବି, ଯେଉଁଗୁଡ଼ିକ ହେଲା ପରିବେଶ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନ।ମୋ ପାଖରେ ଏଇ ତିନିଟି ହତିଆର ରହିଛି। ମୁଁ ମଧୁ କୋଡ଼ାମାନଙ୍କ ପଛରେ ଲାଗି ପାରିବିନି। କିନ୍ତୁ ଯଦି ସେ ଏହି ତିନିଟିରୁ କୌଣସି ଆଇନ ଭଙ୍ଗ କରିଛନ୍ତି, ତେବେ ମୁଁ କାର୍ଯ୍ୟାନୁଷ୍ଠାନ ନେଇପାରିବି।

ଠିକ୍‌ ଅଛି, ନିଜ ନିଜ ରାଜ୍ୟରେ ବିଭିନ୍ନ ଖଣି ସଂସ୍ଥାର ଲବି ସହିତ ସଲାସୁତରା କରୁଥିବା ରାଜ୍ୟ ବନ ବିଭାଗର ସ୍ଥିତିକୁ ଆପଣଙ୍କ ମନ୍ତ୍ରାଳୟ କିଭଳି ଦେଖୁଛି ?

ଆଚ୍ଛା, ଏହା ସଲାସୁତରା ନୁହେଁ ବୋଲି ମୁଁ ମନା କରିପାରିବିନି। ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ହେଉ କି ଅନ୍ୟ କୌଣସି ରାଜ୍ୟ, ସବୁଠି ଏଭଳି ସ୍ଥିତି ରହିଛି। ହେଲେ, ମନେ ରଖିବା କଥା ଯେ ରାଜ୍ୟ ସରକାରମାନେ ମଧ୍ୟ ପୁଞ୍ଜି ବିନିଯୋଗର ଫଳାଫଳ ପ୍ରଦର୍ଶନ ଲାଗି ଚାପରେ ଅଛନ୍ତି। ଘରୋଇ ପୁଞ୍ଜି ବିନିଯୋଗ ହେଉ ବୋଲି ମୁଖ୍ୟମନ୍ତ୍ରୀମାନେ ଚାହାଁନ୍ତି; ସେମାନଙ୍କ ଅର୍ଥବ୍ୟବସ୍ଥା ଭଲ ସ୍ଥିତିରେ ଅଛି ବୋଲି ସେମାନେ ଦେଖାଇବାକୁ ଚାହାଁନ୍ତି।

ଗୋଆ କ୍ଷେତ୍ରରେ ଦେଖିଲେ, ଏଇ ନିକଟରେ ଆପଣଙ୍କ ମନ୍ତ୍ରାଳୟ ଦୁଇଟି ଅନୁମୋଦିତ ପ୍ରକଳ୍ପକୁ ଖାରଜ କରିଦେଇଥିଲା ଏବଂ ଗୋଆର ବନ ବିଭାଗ ସହ ବିଭିନ୍ନ ଖଣି ସଂସ୍ଥା ଲବିର ଗୋପନ ସଂପର୍କ ରହିଥିବା କଥାର ପ୍ରମାଣ ଲାଗି ଅନେକ ନଥିପତ୍ର ରହିଛି। ଆପଣଙ୍କ ମନ୍ତ୍ରାଳୟ ଏହାକୁ କିପରି ଦେଖୁଛି ?

ଏ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

କି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ?

ଆମେ ଖଣିଜ ଖନନ ଉପରେ ସ୍ଥଗିତାଦେଶ ଜାରି କରିଛୁ। ବିଭିନ୍ନ ପ୍ରକଳ୍ପର ଆବେଦନକୁ ଆମେ ଅଗ୍ରାହ୍ୟ କରୁଛୁ। ଏହାଠାରୁ ଆଉ ଅଧିକ କି କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଆପଣ ଚାହୁଁଛନ୍ତି ?

ଏଭଳି ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂପର୍କରେ କ ଣ କହିବେ ?

ଏ କ୍ଷେତ୍ରରେ ଏକ ସୂକ୍ଷ୍ମ ସାମ୍ବିଧାନିକ ଭାରସାମ୍ୟକୁ ସୁରକ୍ଷିତ ରଖିବା କଥା। ମୁଁ କେବଳ ଏହାକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିପାରିବି। ଏଭଳି ଅଧିକାରୀମାନଙ୍କ ବିରୋଧରେ ସେମାନେ କାର୍ଯ୍ୟାନୁଷ୍ଠାନ ନେବେ। ଯଦି ଆମର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ, ବନ ବିଭାଗର ଅଧିକାରୀମାନେ ରହିଛନ୍ତି, ତେବେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବୁ।

ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ବାଘ ରହିଥିବା କଥାକୁ ଯେଉଁ ବନ ବିଭାଗର ଅଧିକାରୀମାନେ ସ୍ଵୀକାର କରୁନାହାନ୍ତି, କାରଣ, ଖଣି କାମ ପ୍ରଭାବିତ ହେବା ସମ୍ଭାବନା ଥିବାରୁ ସେମାନେ ସେଗୁଡ଼ିକୁ ବନ୍ୟପ୍ରାଣୀଙ୍କ ପାଇଁ ନିରାପଦ ଅଞ୍ଚଳ ରୂପେ ଘୋଷିତ ହେବା ଚାହୁଁନାହାନ୍ତି, ସେମାନଙ୍କ ସଂପର୍କରେ ଆପଣ କ ଣ କହିବେ ? ପୁଣି ଗୋଆକୁ ଏକ ଉଦାହରଣ ରୂପେ ନିଆଯାଉ।

ହଁ, ସେଠାରେ ଏବଂ ଏମିତି କି ମହାରାଷ୍ଟ୍ର ମଧ୍ୟ ତାଡ଼ୋବା ଚାରିପଟକୁ ନିରାପଦ ଅଞ୍ଚଳ ରୂପେ ଘୋଷଣା କରିବା କ୍ଷେତ୍ରରେ ବେଶ୍‌ ଧୀମା ଗତିରେ କାମ କରୁଛନ୍ତି। ପରମ୍ପରାଗତ ଭାବେ ବିଭିନ୍ନ ରାଜ୍ୟ ସରକାର ନିରାପଦ ଅଞ୍ଚଳ ଘୋଷଣା କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ, କାରଣ ଏହା ଫଳରେ ସେସବୁ ଅଞ୍ଚଳରେ ଖଣି କାମବନ୍ଦ କରିବାକୁ ପଡ଼ିବ। ତଥାପି, ମହାରାଷ୍ଟ୍ରର ତାଡ଼ୋବା ନିରାପଦ ଅଞ୍ଚଳ ନିକଟରେ ଏକ କୋଇଲା ଖଣି ଆରମ୍ଭ କରିବା ପ୍ରସ୍ତାବକୁ ମଧ୍ୟ ମୁଁ ଖାରଜ କରିଦେଇଛି। ମୁଁ ଭାବୁଛି ଆମ ମନ୍ତ୍ରାଳୟରୁ ବେଶ୍‌ ଦୃଢ଼ ସଂକେତ ଦିଆଯାଇଛି। ହେଲେ, ଖଣି କାମ ବନ୍ଦ କରିବା କିମ୍ବା ଅର୍ଥନୈତିକ କାର୍ଯ୍ୟକ୍ରମକୁ ରୋକିବା ଆମର ଲକ୍ଷ୍ୟ ନୁହେଁ। ଲକ୍ଷ୍ୟ ହେଉଛି, ଖଣିଜ ଉତ୍ତୋଳନ ସଂପର୍କିତ ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ପରିବେଶ ମନ୍ତ୍ରାଳୟ ପରିସରଭୁକ୍ତ ତିନିଟି ଯାକ ଆଇନର ଉଲ୍ଲଂଘନ କରାଯାଉନାହିଁ ବୋଲି ସୁନିଶ୍ଚିତ କରିବା।

ତାହେଲେ ବେଆଇନ ଖଣିଜ ଖନନ ରୋକିବା କଥାକୁ ଆପଣ କେମିତି ଦେଖୁଛନ୍ତି ?

ଅନିୟମିତତା ଅଭିଯୋଗ ହୋଇଥିବାରୁ ଓବାଲାପୁରମ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ। ଆମେ ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛୁ। ଏଥିରେ ସୁପ୍ରିମ କୋର୍ଟ ବି ହସ୍ତକ୍ଷେପ କରିଛନ୍ତି। କର୍ଣ୍ଣାଟକରେ ବେଆଇନ ଖଣି ଖୋଳା ସଂପର୍କରେ ବହୁସଂଖ୍ୟକ ଅଭିଯୋଗ ହୋଇଥିବାରୁ ମୁଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଯଦି ସେମାନେ ବନ ସଂରକ୍ଷଣ ଆଇନର ଉଲ୍ଲଂଘନ କରୁଛନ୍ତି, ତେବେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବୁ।

ଆସନ୍ତୁ, ଅରୁଣାଚଳ ପ୍ରଦେଶରେ ଗଢ଼ି ଉଠୁଥିବା ବିଭିନ୍ନ ବନ୍ଧ ସଂପର୍କରେ କଥାବାର୍ତ୍ତା କରିବା।

ଦେଖନ୍ତୁ, ସେଇ ଏକା ନଦୀ ଉପରେ ଆପଣ ଅନେକ ପ୍ରକଳ୍ପ ଗଢ଼ିପାରିବେ ଏବଂ ଆମେ ଜାଣିଛୁ ଯେ ଗୋଟି ଗୋଟି କରି ସବୁ ପ୍ରକଳ୍ପର ଆକଳନ କୌଣସି କାମରେ ଲାଗିବନି। ତେଣୁ ଆମେ ନିଶ୍ଚିତ ଭାବରେ ନଦୀର ଜଳ ବହନ କ୍ଷମତାକୁ ବିଚାର କରିବା। ତୀସ୍ତା ନଦୀର ଉତ୍ତର ଭାଗରେ ଆମେ ଏହା କରିଛୁ ଏବଂ ସେଠାରେ ପାଞ୍ଚଟି ପ୍ରକଳ୍ପ କାମକୁ ବନ୍ଦ କରିଦେଇଛୁ। ସେହିଭଳି ଭାଗୀରଥି ନଦୀ ଉପରେ କେତେକ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଆମେ ସୁପାରିସ କରିଛୁ। କାରଣ, ଏ ସବୁ ଗୁରୁତ୍ଵପୂର୍ଣ୍ଣ ନଦୀ କ୍ଷେତ୍ରରେ ଆପଣ ପରିବେଶର ସର୍ବନିମ୍ନ ଧାରା ବଜାୟ ରଖିବା ଦରକାର। ବନ୍ଧ ନିର୍ମାଣକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଆଦୌ ଏହାର ଉଦ୍ଦେଶ୍ୟ ନୁହେଁ, ବରଂ ବିକାଶ ଓ ପରିବେଶ ମଧ୍ୟରେ ଏକ ଭାରସାମ୍ୟ ବଜାୟ ରଖିବା ହିଁ ଏହାର ଲକ୍ଷ୍ୟ। ଏବଂ ଯେଉଁଠି ନିହାତି ଆବଶ୍ୟକ, ସେଠାରେ ପରିବେଶର ସୁରକ୍ଷା ସଂପର୍କିତ ଏକ ଚିରସ୍ଥାୟୀ ପଦ୍ଧତିରେ ହିଁ ଏହାକୁ ନିର୍ମାଣ କରିବା।

ଖଣି କାମ ପାଇଁ ବନ ବିଭାଗର ଅନୁମୋଦନ ଆବଶ୍ୟକ। ଏହାକୁ ଆପଣଙ୍କ ମନ୍ତ୍ରାଳୟ କେମିତି ଦେଖୁଛି ? ଗୋଆରେ ସଂପୃକ୍ତ ଅଞ୍ଚଳରେ ରହୁଥିବା ଲୋକେ କହିଛନ୍ତି ଯେ ଉପଯୁକ୍ତ ଲିଜ୍‌ ବିନା ମଧ୍ୟ ଅନେକ ସ୍ଥାନରେ ଖଣି ଖୋଳା କାମ ଅବ୍ୟାହତ ରହିଛି।

ସେଥିରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର। ମୁଁ କେବଳ ଏତିକି କହିପାରିବି ଯେ, ଯଦି କୌଣସି ପ୍ରକଳ୍ପ ବନ ସଂରକ୍ଷଣ ଆଇନ ଅନୁସାରେ ଅନୁମୋଦିତ ହୋଇଛି ତେବେ ତାହା ଏକ ବେଆଇନ ପ୍ରକଳ୍ପ ନୁହେଁ। ଯେଉଁ କ୍ଷେତ୍ରରେ ସେମାନଙ୍କ ପାଖରେ ଅନୁମତି ନାହିଁ, ତାହା ହିଁ ବେଆଇନ। ଏହା ସେଠାକାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରୁ ଆରମ୍ଭ ହୁଏ ଏବଂ ଏଥିରେ ରାଜ୍ୟ ସରକାରମାନେ ସେମାନଙ୍କ ଭୂମିକା ନିର୍ବାହ କରିବା ଆବଶ୍ୟକ। ମୁଁ ସବୁବେଳେ ଜଣେ ପୋଲିସ କର୍ମଚାରୀ ଭଳି କାମ କରିପାରିବିନି, ବରଂ କେବଳ ଜଣେ ସୁବିଧା ପ୍ରଦାନକାରୀ।ଆଇନ କେନ୍ଦ୍ର ସରକାରଙ୍କର; କିନ୍ତୁ ବିଧି ବ୍ୟବସ୍ଥା ସ୍ଥାନୀୟ ହେବା ଦରକାର।

କେମିତି ସେଗୁଡ଼ିକୁ କାର୍ଯ୍ୟକାରୀ କରାଯାଇପାରିବ?

ସେଗୁଡ଼ିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା କଥା। ସେମାନଙ୍କ ଅଧୀନରେ ବ୍ୟବସ୍ଥା ରହିଛି।

ଆଇନ ଉଲ୍ଲଂଘନ କ୍ଷେତ୍ରରେ ଏହାକୁ ରୋକିବା ପାଇଁ ଆପଣଙ୍କ ମନ୍ତ୍ରାଳୟ କ ଣ କରିବ ?

ଆଇନ ଉଲ୍ଲଂଘନ କ୍ଷେତ୍ରରେ ଆମେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନେଇପାରିବୁ। ବେଦାନ୍ତ କ୍ଷେତ୍ରରେ ଆମେ ଗୋଟିଏ ଟିମ୍‌ ପଠାଇଲୁ, ସେମାନେ ରିପୋର୍ଟ ଦେଲେ, ଆମେ ସେହି ରିପୋର୍ଟକୁ ଅନୁଧ୍ୟାନ କରୁଛୁ। ଯେତେବେଳେ କୌଣସି ଆଇନ ଉଲ୍ଲଂଘନ ସଂପର୍କିତ ରିପୋର୍ଟ ଆମ ପାଖକୁ ଆସେ, ଏହାକୁ ପରଖି ଦେଖିବାର ବ୍ୟବସ୍ଥା ଆମ ପାଖରେ ନାହିଁ। ତେଣୁ ଆମେ ଟିମ୍‌ ପଠାଇ ଥାଉ। ମୁଁ କେରଳକୁ, ବେଦାନ୍ତ ସଂପର୍କରେ, ଗୋଆ ଏବଂ କର୍ଣ୍ଣାଟକକୁ ଟିମ୍‌ ପଠାଇଛି।

ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ କେଇ ବର୍ଷ ହେଲା ଆରମ୍ଭ ହୋଇଥିବା ଉପକୂଳବର୍ତ୍ତୀ ନିୟନ୍ତ୍ରଣ ଅଞ୍ଚଳ (CRZ) ର କି ପ୍ରଭାବ ପଡ଼ିଛି ?

ଆମ ପାଖରେ ୧୯୯୧ରେ ପ୍ରଣୀତ ଗୋଟିଏ ଉପକୂଳବର୍ତ୍ତୀ ନିୟନ୍ତ୍ରଣ ଅଞ୍ଚଳ ଆଇନବା CRZ-1991 ଅଛି। ଆମେ ସେଥିରେ ୨୫ ଥର ସଂଶୋଧନ କରିସାରିଲୁଣି। ଏବେ ଆମେ CRZ-2010ର ଚିଠା ପ୍ରସ୍ତୁତ କରୁଛୁ। ଯେଉଁଥିରେ କି CRZ-1991ପରିମାର୍ଜିତ ହୋଇଯିବ। ତେବେ ଆମେ ୯୧କୁ ଦୁର୍ବଳ କରିବାକୁ ଚାହୁଁନାହୁଁ। ଆମେ ଉପକୂଳବର୍ତ୍ତୀ ନିୟନ୍ତ୍ରଣ ଅଞ୍ଚଳ-୨୦୧୦ ଆଇନ ଆଣିବୁ ଯାହାକି CRZ-1991କୁ ସଶକ୍ତ କରିବ ଏବଂ ସ୍ଵତନ୍ତ୍ର ପରିଚାଳନାର ଆବଶ୍ୟକତା ଥିବା ଭାରତର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳକୁ ଚିହ୍ନଟ କରାଯିବ। ଉଦାହରଣ ସ୍ଵରୂପ, ଗୋଆ, କେରଳ, ଆଣ୍ଡାମାନ ଏବଂ ଲାକ୍ଷାଦ୍ବୀପ। ଆପଣଙ୍କ ପାଖରେ ହୁଏତ ସବୁ ଦିଗକୁ ବିଚାରକୁ ନେଇ ପ୍ରସ୍ତୁତ ଏକ ବ୍ୟାପକ ଉପକୂଳବର୍ତ୍ତୀ ନିୟନ୍ତ୍ରଣ ଅଞ୍ଚଳ ବା CRZ ଥାଇପାରେ, କିନ୍ତୁ ପରିବେଶ ଦୃଷ୍ଟିରୁ ସ୍ଵତନ୍ତ୍ର ଏହି ସବୁ ଅଞ୍ଚଳ ପାଇଁ ସ୍ଵତନ୍ତ୍ର କାର୍ଯ୍ୟଧାରା ଆବଶ୍ୟକ। ଏହି ଚିଠା ଆଇନକୁ ସର୍ବସାଧାରଣରେ ଉପଲବ୍‌ଧ କରାଇ ଦିଆଯିବ। ଏ ସଂପର୍କରେ ଗୋଆ, ମୁମ୍ବାଇ,କୋଚିନ, ପୁରୀ ଏବଂ ଚେନ୍ନାଇର ସାଧାରଣ ଲୋକ ଏବଂ ମତ୍ସ୍ୟଜୀବୀମାନଙ୍କ ସହିତ ମୁଁ ପାଞ୍ଚଟି ଜନ ପରାମର୍ଶ କାର୍ଯ୍ୟକ୍ରମ କରିସାରିଲିଣି।

ଭାରତର ଖଣିଜ ନୀତି ଆଇନ ସୀମାବଦ୍ଧ ନୁହେଁ। ହେଲେ, ସରକାର ଖଣି ଖନନ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଭଳି ସ୍ଥିତିରେ ଅଛନ୍ତି। ସରକାର ଏହି ଖଣି ଦୁର୍ନୀତିକୁ କିଭଳି ଦେଖୁଛନ୍ତି?

ଖଣି ଦୁର୍ନୀତି ସଂପର୍କରେ ମୁଁ କିଛି କରିପାରିବିନି। ମୋ କାର୍ଯ୍ୟ ପରିସର ସୀମିତ। ମୁଁ ଏହା ସୁନିଶ୍ଚିତ କରିବି ଯେ ଆଇନର ଉଲ୍ଲଂଘନ ହେଉନାହିଁ । ଆପଣ ଖଣି ସଂସ୍ଥା ଏବଂ ରାଜନୀତି ସହ ଭିତିରି ସଂପର୍କ ଭଳି ବଡ଼ ପ୍ରଶ୍ନ ପଚାରୁଛନ୍ତି। ମୁଁ ତା ଭିତରେ ପଶି ପାରିବିନି। ମୋ ପାଖରେ କୌଣସି ସାଧନ ନାହିଁ।

ହେଲେ ଖଣି ଲିଜ୍‌ କ୍ଷେତ୍ରରେ ପରିବେଶ ମନ୍ତ୍ରାଳୟ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ...

ପରିବେଶ ମନ୍ତ୍ରାଳୟର ଦାୟିତ୍ଵ ହେଲା ତିନିଟି ଯାକ ଆଇନ ଅନୁସାରେ କାମ ହୋଇଛି ବୋଲି ନିଶ୍ଚିତ କରିବା। ଆମେ ଦୁର୍ନୀତି ନିବାରଣ ସଂପର୍କିତ ଆଇନ, କଳାଧନକାରବାର ପ୍ରଭୃତି ଆଇନରେ ମୁଣ୍ଡ ପୂରାଇ ପାରିବୁନି। ସେଇଟା ଆମର ଅଧିକାର ପରିସରଭୁକ୍ତ ନୁହେଁ। ଆମର ତିନିଟି ଯାକ ଆଇନ ଯଥାର୍ଥରେ କାର୍ଯ୍ୟକାରୀ ହୋଇଥିବା କଥା ଆମେ ଦେଖିବୁ।

ପରିବେଶ ମନ୍ତ୍ରାଳୟ କି ପ୍ରକାର ଉନ୍ନୟନ କରିବାକୁ ସ୍ଥିର କରିଛି ?

ଯେ କୌଣସି ପ୍ରକଳ୍ପ ପାଇଁ ମୋ ପାଖରେ ତିନିଟି ଉତ୍ତର ରହିଛି- ଗୋଟିଏ ହେଲା ‘ହଁ’, ଦ୍ଵିତୀୟଟି ‘ହଁ’ କିନ୍ତୁ, ତୃତୀୟଟି ହେଲା ‘ନା’। ଏହା କେବଳ ‘ହଁ ହଁ’ କହୁଥିବା ମନ୍ତ୍ରାଳୟ ହୋଇପାରିବନି କି ‘ନା-ନା’ର ମନ୍ତ୍ରାଳୟ ହୋଇପାରିବନି। ଏହା ସବୁ କଥାକୁ ସୂକ୍ଷ୍ମ ଭାବେ ବିଚାରକୁ ନେଉଥିବା ଏକ ମନ୍ତ୍ରାଳୟ। ଆଜିର ସୂକ୍ଷ୍ମକଥାଟି ହେଲା ଯେ ବହୁ ଅଧିକ ପ୍ରକଳ୍ପ ‘ହଁ’ ବର୍ଗରେ, ବହୁସଂଖ୍ୟକ ‘ହଁ, କିନ୍ତୁ’ ବର୍ଗରେ ଏବଂ ଅତି ଅଳ୍ପ ପ୍ରକଳ୍ପ ‘ନା’ ବର୍ଗରେ ଅଛନ୍ତି। ଖବରର ଶିରୋନାମା କେବଳ ‘ନା’ ବର୍ଗରେ ହିଁ ସୀମିତ ରହୁଛି। ଦୁଇ ମନ୍ତ୍ରାଳୟ ମଧ୍ୟରେ ସଂଘର୍ଷ ଉପରେ ହିଁ ଗଣମାଧ୍ୟମର ଧ୍ୟାନ କେନ୍ଦ୍ରୀଭୂତ ହେଉଛି। ପ୍ରକୃତ କଥା ହେଉଛି ଏହି ମନ୍ତ୍ରାଳୟ ପରିବେଶ ଦୃଷ୍ଟିକୋଣରୁ ୯୫ ପ୍ରତିଶତ ପ୍ରକଳ୍ପକୁ ଏବଂ ଜଙ୍ଗଲ ଦୃଷ୍ଟିକୋଣରୁ ୮୫ ପ୍ରତିଶତ ପ୍ରକଳ୍ପକୁ ଅନୁମତି ଦେଇଥାଏ...।

ତାହେଲେ କେମିତି କେତେକ ପ୍ରକଳ୍ପ ଯେତିକି ସମୟରେ ଅନୁମୋଦନ ପାଇବା କଥା ତା ଠାରୁ ଖୁବ୍‌ ଶୀଘ୍ର ପାଇଯାଆନ୍ତି ?

କେତେକ ପ୍ରକଳ୍ପ ଠେଲାପେଲା କରି କାମ କରିପାରନ୍ତି। ଏବେ ଆମର ବ୍ୟବସ୍ଥା ବେଶ୍‌ ସ୍ଵଚ୍ଛ। ଏଥିରେ ସ୍ଵାର୍ଥହାସଲର ସମ୍ଭାବନାକୁ ମୁଁ ହଟାଇ ଦେଇସାରିଛି। ମୁଁ ପରିବେଶ ସଂକ୍ରାନ୍ତ ଆକଳନ କମିଟିର ଅଧ୍ୟକ୍ଷଙ୍କୁ ବଦଳାଇ ଦେଇଛି। ଆଜି ଅନୁମୋଦନ ଅପେକ୍ଷାରେ ରହିଥିବା ପ୍ରତିଟି ପ୍ରକଳ୍ପ ସଂପର୍କିତ ତଥ୍ୟ ୱେବ୍‌ସାଇଟ୍‌ରେ ରହିଛି। ଆମେ ଏହାକୁ ଯେତେଦୂର ସମ୍ଭବ ପେସାଦାର ଢଙ୍ଗରେ କରୁଛୁ।

ବେଆଇନ ଖଣି ପ୍ରକଳ୍ପ ବିରୋଧରେ ପଦକ୍ଷେପ ନେବାକୁ ଆପଣ କି ଯୋଜନା କରୁଛନ୍ତି ?

ଆଗକୁ ଆମେ ଅଧିକ ସାବଧାନ ହେବୁ...

ବିଭିନ୍ନ ରାଜ୍ୟର ବନ ବିଭାଗ ଦ୍ଵା ରା ଆଇନ ଉଲ୍ଲଂଘନ କ୍ଷେତ୍ରରେ କି ପଦକ୍ଷେପ ନିଆଯିବ ?

ସମ୍ଭାବ୍ୟ କାର୍ଯ୍ୟକାରିତା ଅନୁଧ୍ୟାନ ବିନା କୌଣସି ପ୍ରକଳ୍ପକୁ ଅନୁମତି ଦିଆଯାଉନାହିଁ। ଯଦି ଆଇନ ଉଲ୍ଲଂଘନ ହୋଇଥାଏ, ସେ କ୍ଷେତ୍ରରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ସେଗୁଡ଼ିକୁ ଅଧିକ ସାବଧାନତାର ସହ ପରଖିବୁ। ବିଭିନ୍ନ ବନ ପରାମର୍ଶଦାତା କମିଟି ସୁପାରିସ କରିଥିବା ବହୁ ପ୍ରସ୍ତାବକୁ ମୁଁ ରଦ୍ଦ କରିଦେଇଛି। ଆମେ ଅଧିକ ଅନୁଧ୍ୟାନ ଲାଗି ଯୋଜନା କରୁଛୁ। ଏ ସବୁ ଉପର ସ୍ତରରୁ ଆରମ୍ଭ ହେବ। ମୋତେ ହିଁ ସଠିକ ସଂକେତ ପଠାଇବାକୁ ପଡ଼ିବ।

ଦୀର୍ଘସ୍ଥାୟୀ ଅର୍ଥନୈତିକ ବିକାଶ ସଂପର୍କରେ କ ଣ କହିବେ ?

ଏଥିପାଇଁ କୌଣସି କୁହୁକ ସୂତ୍ର ନାହିଁ। ତିନିଟି ଯାକ ମଧ୍ୟରେ ଭାରସାମ୍ୟର ସନ୍ଧାନ ନେବାକୁ ପଡ଼ିବ, ଏକ ସ୍ଵର୍ଣ୍ଣିମ ମାଧ୍ୟମ ଖୋଜିବାକୁ ପଡ଼ିବ। ଆପଣ ଧର୍ମତାତ୍ତ୍ଵିକ ହୋଇପାରିବେନି, ଆପଣଙ୍କର ବିକାଶ ଦରକାର, ପ୍ରକଳ୍ପ ଦରକାର, ସେଥିରୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ।

ଭାରତ ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିବାକୁ ଚାହୁଁଛି, ତଥାପି ବ୍ୟାପକ ଖଣି ଖୋଳା ଚାଲିଛି। ଆମେ ଏ ଦୁଇଟି ମଧ୍ୟରେ କିଭଳି ସମ ନ୍ଵ ୟ ରଖିପାରିବା ?

ଖଣି କ୍ଷେତ୍ରରେ, ଦେଶର ନଅଟି ପ୍ରମୁଖ କୋଇଲା ଖଣି ଅଞ୍ଚଳରେ ଆମେ କାମ ଜାରି ରଖିବା ଏବଂ କାମ ବନ୍ଦ କରିବା ଅଞ୍ଚଳ ଚିହ୍ନଟ କରିଛୁ। ଯେଉଁ ସବୁ ଅଞ୍ଚଳରେ କାମ ବନ୍ଦ ରଖାଯିବ ବୋଲି ସ୍ଥିର ହୋଇଛି ସେଠାରେ ପ୍ରାୟ ୩୫ ପ୍ରତିଶତ କୋଇଲା ବ୍ଲକ୍‌ ରହିଛି ଏବଂ ଏହି ସବୁ ଅଞ୍ଚଳରେ ବଡ଼ ବଡ଼ ଗଛ ଭର୍ତ୍ତି ଘଞ୍ଚ ଜଙ୍ଗଲରହିଛି। ଲୁହାପଥର କ୍ଷେତ୍ରରେ ଆମେ ଏ ପର୍ଯ୍ୟନ୍ତ ଏହା କରିନାହୁଁ। କୋଇଲା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ, କାରଣ ଆସନ୍ତା ୭-୮ ବର୍ଷ ଭିତରେ ଆମକୁ ଦୁଇ ଗୁଣ କୋଇଲା ଉତ୍ପାଦନ କରିବାକୁ ହେବ। ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ର ଜଙ୍ଗଲ ଅଞ୍ଚଳରୁ ହିଁ ଆବଶ୍ୟକ ବର୍ଦ୍ଧିତ ପରିମାଣର କୋଇଲା ମିଳିବ।

ବେଆଇନ ଖଣି ଖୋଳାକୁ ଆପଣ କେମିତି ଦେଖୁଛନ୍ତି ?

ବେଆଇନ ଖଣି ଖୋଳା ବନ୍ଦ ହେବା କଥା। ଏହା କରିବାକୁ ଅଦାଲତ ହିଁ ଏକମାତ୍ର ପନ୍ଥା। ଆଇନର ଶାସନ ବଜାୟ ରହିଛି।

------

ତତ୍‌କାଳୀନ ଖଣିମନ୍ତ୍ରୀ ବି.କେ.ହାଣ୍ଡିକ୍‌ଙ୍କ ସହ ସାକ୍ଷାତ୍‌କାର

‘ଖଣି କମ୍ପାନି ସବୁ କିଛି ମାଗଣାରେ ପାଇପାରିବେନି’

ଖଣି ମନ୍ତ୍ରାଳୟ ଏବଂ (ଭାରତର) ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ଵରେ ରହିଛନ୍ତି ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ୭୫ ବର୍ଷୀୟ ବିଜୟ କୃଷ୍ଣ ହାଣ୍ଡିକ। ୨୦୦୯ ମେ ମାସରେ ସେ ପଦଭାର ଗ୍ରହଣ କରିଥିଲେ। ଗତ ବର୍ଷ ସେ ଖଣିଜ ଉତ୍ତୋଳନ କ୍ଷେତ୍ରରେ ମୂଲ୍ୟ ଭିତ୍ତିକ ରୟାଲଟି ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହା ଫଳରେ ଖଣିରୁ ରାଜ୍ୟ ସରକାରଙ୍କ ଆୟ ଦୁଇ ଗୁଣ ହୋଇଗଲା। ରେଡ୍ଡି ଭ୍ରାତାଙ୍କ ଦ୍ଵାରା ଖଣି ଦୁର୍ନୀତି ପ୍ରସଙ୍ଗ ପଦାକୁ ଆସିବା ପରେ, ଗତ ସପ୍ତାହରେ ସେ କର୍ଣ୍ଣାଟକର ବେଲାରିରେ ୧୮ଟି ଖଣି ଲାଇସେନ୍‌ସ ରଦ୍ଦ କରିଦେଇଥିଲେ। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁଁ ସେ ଅସୁସ୍ଥ ଥିଲେ ହେଁ ‘ହିନ୍ଦୁସ୍ତାନ ଟାଇମ୍‌ସ’ ସହ କଥାବାର୍ତ୍ତା କରିବାକୁ ସମୟ ଦେଇଥିଲେ। କେନ୍ଦ୍ର ଖଣିମନ୍ତ୍ରୀ ବିଜୟ କୃଷ୍ଣ ହାଣ୍ଡିକଙ୍କ ସହ ବାର୍ତ୍ତାଳାପ କରିଥିଲେ ‘ହିନ୍ଦୁସ୍ତାନ ଟାଇମ୍‌ସ’ର ସାମ୍ବାଦିକ ଶାଳିନୀ ସିଂହ।

ଖଣି ଅଞ୍ଚଳରେ ବସବାସ କରୁଥିବା ସ୍ଥାନୀୟ ଲୋକଙ୍କୁ, ଖଣି ଖୋଳାରୁ ମିଳୁଥିବା ଲାଭର ୨୬ ପ୍ରତିଶତ ଦେବା ସହିତ ସେମାନଙ୍କୁ ଏଥିରେ ପକ୍ଷଭୁକ୍ତ କରିବା ଉଦ୍ଦେଶ୍ୟରେ ମନ୍ତ୍ରାଳୟ ଏକ ନୂତନ ଖଣି ଓ ଖଣିଜ ସଂପର୍କିତ ବିଲ ପ୍ରସ୍ତୁତ କରିବାକୁ ଯାଉଛି ଏବଂ ଏହାକୁ ଖଣି ସଂସ୍ଥାର ଲବି ବିରୋଧ କରୁଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କୁ କେମିତି ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ସେହି ଲାଭାଂଶ କିଭଳି ବଣ୍ଟନ କରାଯିବ ?

ଲୋକଙ୍କର ବାର୍ଷିକ ପ୍ରାପ୍ୟକୁ ଆମେ ନୂତନ ଆଇନର ଏକ ଅଂଶ ରୂପେ ସାମିଲ କରିବାକୁ ଯାଉଛୁ। ଦେଖନ୍ତୁ, ଆମେ ସେମାନଙ୍କୁ ସେମାନଙ୍କ ଜମି ଓ ଅନ୍ୟାନ୍ୟ ଅନେକ ସମ୍ବଳରୁ ବଞ୍ଚିତ କରୁଛୁ। ସେ ବାବଦରେ ସେମାନେ କିଛି ହେଲେ ପାଇବା କଥା। ବାର୍ଷିକ ପ୍ରାପ୍ୟ ଖୁବ୍‌ ଆକର୍ଷଣୀୟ ବୋଲି ବିବେଚିତ ହୋଇଛି ଏବଂ ଏହା ସେମାନଙ୍କ ପ୍ରତି ନ୍ୟାୟ କରିବା ଭଳି ମନେ ହେଉଛି। ଆମେ ସେହିଭଳି ନ୍ୟାୟ ଚାହୁଁ ଯାହାକି ସ୍ଥାନୀୟ ଲୋକଙ୍କୁ ସୁହାଇଲା ଭଳି କାମ କରିବ। ଏହି ଆଇନରେ ଏସବୁ ବିବରଣୀ ରହିବ। ଏହା ସ୍ଥିର କରାଯାଉଛି ଏବଂ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ କରାଯିବ। ଯେଉଁ ସବୁ ଅଞ୍ଚଳରେ ଲୋକେ ଖଣିରେ କାମ କରିବାକୁ ଯାଉଛନ୍ତି ସେସବୁକୁ ଆମେ ଚିହ୍ନଟ କରିବୁ ଏବଂ ଦେଖିବୁ ଯେ ସେଠାରେ କେଉଁ ପ୍ରକାରର ଆନ୍ଦୋଳନ, କୃଷିକାର୍ଯ୍ୟ ଇତ୍ୟାଦି ଚାଲିଛି। ସବୁ କଥା ପାଇଁ ଗୋଟିଏ ବ୍ୟବସ୍ଥା ଗଢ଼ା ହେବ। ସମ୍ଭାବ୍ୟ ଖଣି ଅଞ୍ଚଳର ଲୋକଙ୍କ କଲ୍ୟାଣ ସାଧନ ଦିଗରେ ଆମେ ବେଶ୍‌ ଆଗ୍ରହୀ।

ଖଣିଜ ଟନ୍‌ ପିଛା ନିର୍ଦ୍ଧାରିତ ଲେଭି ବଦଳରେ ୧୦ % ରୟାଲଟି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ସରକାର ଏତେ ଲମ୍ବା ସମୟ କାହିକି ନେଉଛନ୍ତି ? ଏହି ୧୦ % ହାର କିଭଳି ସ୍ଥିର କରାଗଲା ?

ଆମେ ଏହି ଆଇନକୁ ବଦଳାଇବାକୁ ଯାଉଛୁ। କିନ୍ତୁ କେଉଁଠି ନା କେଉଁଠି ଏହା ଅଟକି ଯାଉଛି। ଆଇନ ମନ୍ତ୍ରାଳୟକୁ ମଧ୍ୟ ଏଥିପାଇଁ ସମୟ ବାହାର କରିବାକୁ ହେବ। ଆମେ ୨-୩ ଦିନ ତଳେ ଭେଟିଥିଲୁ ଏବଂ ନୂତନ ଆଇନର ଅଂଶବିଶେଷ ଭାବରେ କ’ଣ ସବୁ ସ୍ଥାନ ପାଇବ ସେ ସଂପର୍କରେ ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଆପଣଙ୍କୁ ନୂଆ ଆଇନ ନ ମିଳିବା ଯାଏ, ଆପଣ ଏଇ ସବୁ ପୁରୁଣାକାଳିଆ କଥାକୁ ସ୍ଥାନ ଦେଇପାରିବେନି। ଆପଣଙ୍କୁ ଠିକ୍‌ କାମ କରିବାକୁ ହେବ। ୧୯୫୭ ମସିହାର ଖଣି ଓ ଖଣିଜ (ଉନ୍ନୟନ ଓ ନିୟନ୍ତ୍ରଣ) ଆଇନ ଏକ ପୁରୁଣାକାଳିଆ ଆଇନ। ଏଥିରେ ଏମିତି କେତେକ ବିଷୟ ରହିଛି, ଯାହା କି ପରସ୍ପର ବିରୋଧୀ। ଆମେ ଚାହୁଁ ଯେ ଏକ ନୂତନ ଆଇନ ରହିବା ଉଚିତ, ନୂଆ ଚିନ୍ତାଧାରା ହିଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା। ଲୋକଙ୍କ ପାଇଁ, ଖଣି ସ୍ଥାପନକୁ ସୁଯୋଗ ଦେଉଥିବା ଲୋକମାନଙ୍କ ପାଇଁ ଏବଂ ସେମାନଙ୍କ ଫାଇଦା ପାଇଁ ନୂଆ ଚିନ୍ତାଧାରା ରହିବା ଉଚିତ।

ଖଣି ଅଞ୍ଚଳ ବାସିନ୍ଦା ଏବଂ ଆଦିବାସୀମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ, ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ଲୋକଙ୍କୁ କେତେକ ସହାୟତା ପ୍ୟାକେଜ୍‌ ଦିଆଯାଇ ସେମାନଙ୍କ କ୍ଷତିଭରଣା କରାଯିବ ବୋଲି ଚିଠା ଆଇନରେ ଉଲ୍ଲେଖ ରହିଛି। ଦୟାକରି ବିସ୍ତୃତ ଭାବରେ ବୁଝାଇ ଦିଅନ୍ତୁ।

ଏହା ନିଶ୍ଚିତ ଭାବରେ କରାଯିବ। ସହାୟତା ପ୍ୟାକେଜ୍‌ ନିଶ୍ଚୟ ରହିବ। ବାର୍ଷିକ ପ୍ରାପ୍ୟ ଲାଗି ଆମେ ପ୍ରସ୍ତାବ ଦେଇଛୁ। ହୁଏତ କିଛି ଲୋକ ଏହାକୁ ଏତେ ବେଶି ପସନ୍ଦ କରିବେନି, କିନ୍ତୁ ଆମେ ଏହା କରିବାକୁ ଅଙ୍ଗୀକାରବଦ୍ଧ।

ଖଣି କମ୍ପାନିଗୁଡ଼ିକ ଏହାକୁ ପସନ୍ଦ କରୁ ନାହାନ୍ତି କି ?

ଖଣି କମ୍ପାନିକୁ ଅର୍ଥ ଦେବାକୁ ହିଁ ପଡ଼ିବ। ସେମାନେ ସବୁ କିଛି ମାଗଣାରେ ପାଇପାରିବେନି। ସେମାନଙ୍କ ମଧ୍ୟରୁ ଅନେକ ଏହି ବାର୍ଷିକ ପାଉଣା ପ୍ରଦାନ ବ୍ୟବସ୍ଥା ପ୍ରଭୃତିକୁ ପସନ୍ଦ କରନ୍ତିନି। ହେଲେ, ତମେ ଲାଭ ଅର୍ଜନ କରିବାକୁ ସେମାନଙ୍କ ସଂପତ୍ତି ନେଇଯିବ ଆଉ ସେମାନଙ୍କୁ କିଛି ହେଲେ ଦେବନି ? ଏ ସଂପର୍କରେ ନକ୍‌ସଲପନ୍ଥୀମାନେ କହିବା ଆରମ୍ଭ କଲେଣି। ଲୋକଙ୍କୁ ନ୍ୟାୟ ଦେବାକୁ ହିଁ ପଡ଼ିବ। ତମେ ସେମାନଙ୍କୁ କିଛି ନଦେଇ ନିଜ ପାଖରେ ସବୁ କିଛି ରଖିପାରିବନି।

ଆମେ ଏକ ଅଧିକ ଲୋକାଭିମୁଖୀ ଖଣି ନୀତି ପାଇବୁ କି ?

ହଁ, ବିଲ୍‌କୁଲ ଠିକ୍‌। ଏହା ଉନ୍ନୟନ ଅଭିମୁଖୀ ହେବ, ଯେଉଁ ଲୋକଙ୍କ ଜମିରୁ ସେମାନେ ସଂପତ୍ତି ଅର୍ଜନ କରିବେ ସେଇ ଲୋକମାନଙ୍କ ହିତସାଧନ ଦିଗରେ ଅଭିପ୍ରେତ ହେବ। ମନେ ରଖନ୍ତୁ ଯେ ଏହା ସେମାନଙ୍କ ଜମି। ପରିଶେଷରେ ସେମାନେ ଏଥିରୁ କିଛି ହେଲେ ପାଇବେନି। ଏ କଥାକୁ କେହି ଗ୍ରହଣ କରିବେନି। ଏବେ ସବୁ କଥା ବଦଳିବାରେ ଲାଗିଛି। ଏମିତି କି କାନାଡା ଏବଂ ଅଷ୍ଟ୍ରେଲିଆ ଭଳି ବିଦେଶୀ ରାଷ୍ଟ୍ର ମଧ୍ୟ ଲୋକଙ୍କୁ ନ୍ୟାୟ ଦେବା ଦିଗରେ ସଚେତନ ହେଲେଣି। ଏହା ହେଉଛି ପ୍ରକୃତି, ଏବଂ ପ୍ରକୃତିକୁ ଧ୍ଵଂସ କରିବାର ଅଧିକାର ଆପଣଙ୍କର ନାହିଁ। କିଏ ଏହାର ପୁନର୍ଗଠନ କରିବ? ପ୍ରକୃତିର ପୁନର୍ଗଠନ ଖଣି କମ୍ପାନିଗୁଡ଼ିକ ଲାଗି ବାଧ୍ୟତାମୂଳକ। ନୂତନ ଚିଠା ଆଇନରେ ଏକ ଦୀର୍ଘସ୍ଥାୟୀ ବିକାଶର ରୂପରେଖକୁ ସାମିଲ କରାଯାଇଛି, ପୁରୁଣା ଆଇନରେ ଏଇଟି ନଥିଲା।

ଖଣି କ୍ଷେତ୍ରରେ ଆମେ ପୁନର୍ବାର ବିକାଶକୁ ପରିଭାଷିତ କରୁଛୁ କି ?

ହଁ, ନୂତନ ଆଇନରେ ଆମେ ଏକ ସମର୍ପିତ ଭାବରେ କାମ କରିବାକୁ ସ୍ଥିର କରିଛୁ। ଲୋକଙ୍କୁ ନ୍ୟାୟ ଦେବା ହିଁ ମୁଖ୍ୟ ପ୍ରାଥମିକତା ହେବ।

ଅନ୍ୟାନ୍ୟ ଦେଶରେ, ସମ୍ଭାବ୍ୟ ଖଣି ଅଞ୍ଚଳ ସନ୍ଧାନ ଏବଂ ଖଣିଜ ଉତ୍ତୋଳନ ଲାଗି ଭିନ୍ନ ଭିନ୍ନ କମ୍ପାନୀ ରହିଛି। ଭାରତରେ ସେଇ ଗୋଟିଏ କମ୍ପାନୀ ଦୁଇଟା ଯାକ କାମ କରେ। ଖଣି ଲାଇସେନ୍‌ସ ପ୍ରଦାନ କ୍ଷେତ୍ରରେ ଏବେ ଏକ ନୂଆ ବ୍ୟବସ୍ଥା କରାଯିବ ବୋଲି ଆମେ ଧରିନେବା କି ?

ନା, ଲାଇସେନ୍‌ସ ଯେମିତି ଅଛି ସେମିତି ରହିବ। ଆମେ ଚାହୁଁ ଉନ୍ନୟନ କାମ ଅବିରତ ହେଉ। କୌଣସି ଖଣି କମ୍ପାନୀ ଥରକୁ ଥର ଆସି ସେମାନଙ୍କ ଅର୍ଥର ଅପଚୟ କରିବେନି- ପରବର୍ତ୍ତୀ ପର୍ଯ୍ୟାୟର ଅଧିକାର ସ୍ଵୟଂକ୍ରିୟ ଭାବେ ମିଳିବା ଦରକାର। ସେଥିରେ ମତ ପରିବର୍ତ୍ତନର ଅବସର ରହିବା ଉଚିତ ହେବନି। ଏହି କାରଣରୁ ହିଁ ବିଦେଶୀ କମ୍ପାନୀଗୁଡ଼ିକ ଭାରତ ଆସିବାକୁ ଚାହିଁ ନଥିଲେ। ୨୦୦୮ରେ ପ୍ରଣୀତ ନୀତିକୁ ସେମାନେ ଗ୍ରହଣ କରିଲେ ନାହିଁ। ସେତେବେଳେ ମୁଁ ଖଣି ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲି। ମୁଁ ବି ଦେଖିଛି ଯେ ଭିନ୍ନ ଭିନ୍ନ ଦେଶରୁ ବହୁ ଲୋକ ଆସିଥିଲେ ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ଦିଆଯିବ ବୋଲି ଆପଣଙ୍କ ଦେଶ ପ୍ରତିଶ୍ରୁତି ଦେଇଥିବାରୁ ଆସିଛୁ ବୋଲି କହିଥିଲେ।

ଖଣି ପାଇଁ ପରିବେଶ ସଂକ୍ରାନ୍ତ ଅନୁମୋଦନ ପାଇବା ଲାଗି ଏବେ କୌଣସି ଏକୀକୃତ ପ୍ରକ୍ରିୟା ନାହିଁ। ଭବିଷ୍ୟତରେ ପରିବେଶ ଏବଂ ଖଣି ମନ୍ତ୍ରାଳୟ ମଧ୍ୟରେ ଅଧିକ ସମ ନ୍ଵ ୟ ରହିବ ବୋଲି ଆମେ ମନେ କରିବା କି ?

ହଁ, ଏହି ଦୁଇ ମନ୍ତ୍ରାଳୟ ମଧ୍ୟରେ ଅଧିକ ସମନ୍ଵୟ ରହିବ। ଥରେ ଆମେ ପୁରୁଣା ଆଇନରେ, ଯାହା କି ବହୁ ପୁରୁଣା ହୋଇଗଲାଣି, ସେଥିରେ ସଂଶୋଧନ କରିଦେବା ପରେ ନୂଆ ଆଇନ ଅନୁସାରେ କାମ ଆରମ୍ଭ କରିବୁ। ଆମେ ପୁରୁଣା ଆଇନରେ ସଂଶୋଧନ କରିବା ବଦଳରେ ନୂଆ ଆଇନ ପ୍ରଣୟନ ପାଇଁ ସ୍ଥିର କରିଛୁ। ନୂଆ ଆଇନ ନିହାତି ଆବଶ୍ୟକ।

କାହିଁକି ଆପଣ ଗୋଟିଏ ନୂଆ ଆଇନର ଆବଶ୍ୟକତା ଅନୁଭବ କରୁଛନ୍ତି ?

ସବୁ କଥାକୁ ପ୍ରାସଙ୍ଗିକତା ଭିତ୍ତିରେ ବୁଝିବା ଦରକାର। ପାରଦର୍ଶିତା ଏକ ଗୁରୁତ୍ଵପୂର୍ଣ୍ଣ ଦିଗ। ଆମେ ଚାହୁଁ ବିଦେଶୀ କମ୍ପାନୀମାନେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିଲଗାଣ (FDI) ଜରିଆରେ ଭାରତରେ ପୁଞ୍ଜି ବିନିଯୋଗ କରନ୍ତୁ। ଆମ ବ୍ୟବସ୍ଥା ପାରଦର୍ଶୀ ବୋଲି ସେମାନଙ୍କର ହୃଦ୍‌ବୋଧ ନହେଲେ ସେମାନେ କାହିଁକି ଆସିବେ? ସେମାନଙ୍କର ସ୍ପଷ୍ଟ ବାର୍ତ୍ତା ହେଲା, ଆପଣ ଆପଣଙ୍କ ନୀତି ବଦଳାନ୍ତୁ, ନହେଲେ ଆମେ ଆସିବୁ ନାହିଁ। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିଲଗାଣରେ ବିପୁଳ ଅର୍ଥ ଆସିପାରେ, ଆପଣଙ୍କ ପାଖରେ ବିପୁଳ ଅର୍ଥ ନଥିଲେ ନୂଆ ନୂଆ ଜ୍ଞାନକୌଶଳ ସମ୍ଭବ ହେବ ନାହିଁ। ଏବଂ ଆମେ ନୂତନ ଜ୍ଞାନକୌଶଳ ଦରକାର କରୁ। ନୂତନ ଜ୍ଞାନକୌଶଳ ବଳରେ ଆମେ ଉନ୍ନତି ହାସଲ କରିପାରିବା।

ଆଜିକାଲି ଖଣି କ୍ଷେତ୍ରରେ ଜମି ଅଧିଗ୍ରହଣ ହିଁ ସବୁଠାରୁ ବଡ଼ ସମସ୍ୟା। ଆଦିବାସୀମାନେ ଖଣିକୁ ବିରୋଧ କରୁଛନ୍ତି। ଏହା ଯୋଗୁଁ ବିଦେଶୀ ବିନିଯୋଗକାରୀମାନେ ଭୟରେ ପଳାଇବେ। ଏହି ଦିଗକୁ ଆପଣଙ୍କ ମନ୍ତ୍ରାଳୟ କେମିତି ଦେଖୁଛି?

ଏ ପର୍ଯ୍ୟନ୍ତ ବିନିଯୋଗକାରୀମାନେ କୌଣସି ଚିନ୍ତା ପ୍ରକଟ କରିନାହାନ୍ତି। ଦକ୍ଷିଣ କୋରିଆର ଏହି କମ୍ପାନୀ-ପୋସ୍କା, ୪-୫ ବର୍ଷ ହେଲା ସଂଘର୍ଷ ଚଳାଇଛି। ଏବେ ବି ସେମାନେ ଆଶାବାଦୀ ଏବଂ କହୁଛନ୍ତି ଯେ ସ୍ଥାନୀୟ ଲୋକଙ୍କ ବିଶ୍ଵାସଭାଜନ ହେବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା। ୪-୫ବର୍ଷ ହେଲା ସେଠାରେ ଜମି ଅଧିଗ୍ରହଣ ଚାଲିଛି। ଯଦି ଲୋକଙ୍କର ବିଶ୍ଵାସ ହେଉଛି ଯେ ଏଥିରୁ ସେମାନଙ୍କୁ ଫାଇଦା ମିଳିବ, ତେବେ ଖଣି କମ୍ପାନୀମାନେ ୪-୫ ବର୍ଷ ହେଲା କ’ଣ କରୁଛନ୍ତି। ସେମାନେ ତ ଗୋଟିଏ ବର୍ଷରେ କାମ ସାରି ଦେଇପାରିବେ। ଏହି କମ୍ପାନୀମାନେ ଅନୌପଚାରିକ/ଅବୈଧ ଉପାୟରେ ନକ୍‌ସଲପନ୍ଥୀ ଓ ଅନ୍ୟମାନଙ୍କୁ ଟଙ୍କା ଦେଉଛନ୍ତି। ଏସବୁ ଘଟଣା କମିଯିବ। ଏ ଦିଗରେ ଚାଲିଥିବା ନିତିଦିନିଆ କାର୍ଯ୍ୟ ବି ହ୍ରାସ ପାଇବ। ଲୋକେ ଖଣି କାମରେ ବାଧା ସଷ୍ଟି କରିବାକୁ ଚାହିଁବେନି। ପୋସ୍କୋ ଭାବୁଛି ଯେ ଲୋକେ ଆମ ପଟରେ ଅଛନ୍ତି। କିନ୍ତୁ ଯଦି ତୁମେ ସେମାନଙ୍କୁ ଲୁଟିନେବାକୁ ବସିବ, ସେମାନଙ୍କୁ ବାର୍ଷିକ ପାଉଣା ଦେବନି, ତାହେଲେ ସେମାନେ ନିଶ୍ଚୟ ପଚାରିବେ ଯେ, ଯାହା ଆମ ସଂପତ୍ତି, ତାକୁ ନେବା ପାଇଁ ତୁମର କି ଅଧିକାର ରହିଛି ? ସ୍ଥାନୀୟ ଲୋକେ ଯଦି ଆପଣଙ୍କ ପ୍ରତିଶ୍ରୁତିବଦ୍ଧତାକୁ ବୁଝିପାରିବେ, ତେବେ ସେମାନେ ଖଣି ପରିଚାଳକଙ୍କ ବିରୋଧରେ କାହିଁକି ଯିବେ?

ବେଆଇନ ଖଣିଜ ଖନନକୁ ଆପଣଙ୍କ ମନ୍ତ୍ରାଳୟ କିଭଳି ଦେଖୁଛି ?

ବେଆଇନ ଖଣି ଖୋଳା ଏକ ବଡ଼ ସମସ୍ୟା। ଏହାର ମୁକାବିଲା କରିବା ବଡ଼ କଷ୍ଟ। ଏ ପର୍ଯ୍ୟନ୍ତ, ସବୁ ଖଣି ରାଜ୍ୟର ମାଲିକାନାରେ ରହିଛି ଏବଂ ତାହା ହିଁ ଏସବୁର କାରଣ। ପ୍ରକୃତ ଅଧିକାର ରାଜ୍ୟ ପାଖରେ। ରାଜ୍ୟ ସରକାର ଖଣି କମ୍ପାନୀମାନଙ୍କୁ ସବୁ ପ୍ରକାର ଅନୁମତି ଦେଇଥାଆନ୍ତି। ଆମେ ନାମ୍ବିଆ ସହିତ କେତେକ ବୁଝାମଣାପତ୍ର ସ୍ଵାକ୍ଷର କରିଛୁ ଏବଂ ସେମାନେ ମଧ୍ୟ ସେଇ ଏକା ସମସ୍ୟା ଅର୍ଥାତ୍‌ ଅବୈଧ ଖଣି ଖନନ, ଲୋକଙ୍କୁ ଶୋଷଣ କରାଯାଉଛି ଇତ୍ୟାଦି କହନ୍ତି। ଏହାର ସମାଧାନ ଉପାୟ ବାହାର କରିବାକୁ ଆମେ ଚେଷ୍ଟା କରୁଛୁ।

ନିକଟରେ ହୋଇଥିବା ଖଣି ଦୁର୍ନୀତି- କର୍ଣ୍ଣାଟକର ରେଡ୍ଡି ଭ୍ରାତା, ମଧୁ କୋଡ଼ା ଇତ୍ୟାଦି ସଂପର୍କରେ ଆପଣ କ ଣ କହିବେ ?

କର୍ଣ୍ଣାଟକରେ ବହୁ ବଡ଼ ବଡ଼ ଖଣି ଦୁର୍ନୀତି ହୋଇଥିବା ରିପୋର୍ଟ ମିଳିଛି। ଆମେ ଏକ ନୂଆ ଆଇନ ପ୍ରଣୟନ କରୁ କି ନକରୁ, ସମାଜରେ ଶାନ୍ତି ଓ ସାମଞ୍ଜସ୍ୟ ସ୍ଥାପନ ଲାଗି କୌଣସି ପ୍ରକାରେ ବେଆଇନ ଖଣି ଖୋଳାର ମୁକାବିଲା କରିବାକୁ ହେବ। ତାହା ହିଁ ଏକମାତ୍ର ସଭ୍ୟ ପନ୍ଥା।

ତୁରନ୍ତ କି କି ପଦକ୍ଷେପ ନିଆଯାଉଛି ? କେମିତି ଏହି ଦୁର୍ନୀତିକୁ ଏଡ଼ାଇ ଦେଇ ହେବ ?

ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ନିରୀକ୍ଷଣ କରାଯାଇଛି। ନୂଆ ଆଇନରେ ବେଆଇନ ଖଣି ଖନନ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା ରହିବ। ଏହି ଆଇନରେ ବ୍ୟକ୍ତିବିଶେଷ ବା ସାମଗ୍ରିକ ଭାବେ କୌଣସି ସମାଜ ଚାହିଁଲେ ବେଆଇନ ଖଣି ଖନନ ବିରୋଧରେ ଆବେଦନ ଦାୟର କରିପାରିବେ। ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥା ଅନୁସାରେ କେବଳ ରାଜ୍ୟ ସରକାରଙ୍କ ପ୍ରତିନିଧି ହିଁ ଅଭିଯୋଗ ଦାୟର କରିପାରିବେ। ଏ ଦିଗରେ ନୂତନ ଆଇନ ଆମର ସହାୟତା କରିବ। ରାଜ୍ୟ ସରକାରମାନେ ଲିଜ୍‌ ଦେଇଥାଆନ୍ତି ଏବଂ ନେଇଥାଆନ୍ତି, ଏଥିରେ ବେଶି କିଛି କରିହେବନି। ଆମ ପାଇଁ ଏବେ ଆଇବିଏମ୍‌ ଏ ଦିଗରେ ଆଉ ଏକ ପାଦ ଆଗେଇ ଯାଇଛି। ସେମାନେ ୧୨୦ଟି ବେଆଇନ ଖଣି ଚିହ୍ନଟ କରିଛନ୍ତି ଏବଂ ଏଭଳି ଅନେକ ଖଣିର କାମ ବନ୍ଦ କରିଛନ୍ତି।

ଯଦିଓ ସେଠାରେ ଅନେକ ବେଆଇନ ଖଣି ମାମଲା ରହିଛି, ତଥାପି ଗୋଆ ଏହି ତାଲିକାରେ ସ୍ଥାନ ପାଇନାହିଁ ?

ଗୋଆ ଏକ ଉଚ୍ଚସ୍ତରୀୟ ରାଜ୍ୟ। ହୁଏତ ଓଡ଼ିଶାରେ ୮୦ ପ୍ରତିଶତ ସ୍ଥାନରେ ଏଭଳି ଖଣି କାମ ଚାଲିଥିବ, କିନ୍ତୁ ଏ ସଂପର୍କରେ ରିପୋର୍ଟ ନାହିଁ ଏବଂ ତେଣୁ ଅଧିକ ପ୍ରତିକ୍ରିୟା ବି ନାହିଁ। ଗୋଆରେ ଜନସଂଖ୍ୟାର ଘନତ୍ଵ ଏବଂ ସାକ୍ଷରତା ହାର ଖୁବ୍‌ ଅଧିକ। ଛୋଟ ସମସ୍ୟାଟିଏ ବି ଗଣମାଧ୍ୟମରେ ସ୍ଥାନ ପାଏ। ଯେଉଁ ସ୍ଥାନ ପାଇଁ ସେମାନେ ଲାଇସେନ୍‌ସ ବା ଅନୁମତି ପାଇନାହାନ୍ତି ସେଠାରୁ ଖଣିଜ ଉତ୍ତୋଳନ ହିଁ ବେଆଇନ। ଗୋଆରେ ପ୍ରାୟତଃ ପ୍ରଦୂଷଣ ସମସ୍ୟା ରହିଛି ଏବଂ ବେଆଇନ ଖଣି ସଂପର୍କିତ ଅଭିଯୋଗରେ ପ୍ରଦୂଷଣ ସ୍ଥାନ ପାଏ ନାହିଁ। ବେଆଇନ ଖଣି ଚିହ୍ନଟ କରିବା ଲାଗି ମୋ ମନ୍ତ୍ରାଳୟ ଲାଗୁ କରିଥିବା ଏହି ନୂତନ ଯୋଜନା ଲାଗି ମୁଁ ଗର୍ବିତ- ତାହା ହେଲା ରିମୋଟ ସେନ୍‌ସିଂ ଏଜେନ୍‌ସି। ଆମେ କ’ଣ କରୁଛୁ, ତାହା ଲୋକେ ଜାଣିବା ଉଚିତ। ସମସ୍ତେ ବେଆଇନ ଖଣି ଖନନରେ ସଂପୃକ୍ତ ବୋଲି ଯଦି ଲୋକେ ଭାବିବେ ତେବେ ସେମାନେ ବ୍ୟବସ୍ଥା ଉପରୁ ଏବଂ ଆମ ଉପରୁ ଆସ୍ଥା ହରାଇ ବସିବେ।

ନୂଆ ଆଇନ ପ୍ରତି ଖଣି ଶିଳ୍ପର ପ୍ରତିକ୍ରିୟା କ ଣ ?

ଏହା ମିଶ୍ରିତ ପ୍ରତିକ୍ରିୟା। ସେମାନେ ଏଥିପାଇଁ ଖୁସି ଯେ, ସମ୍ଭାବ୍ୟ ଖଣି ଅଞ୍ଚଳ ଅନୁଧ୍ୟାନରୁ ଆରମ୍ଭ କରି ଖଣି ଲିଜ୍‌ ପ୍ରଦାନ ପର୍ଯ୍ୟନ୍ତ ପ୍ରକ୍ରିୟା ଅବିରତ ଚାଲୁ ରହିବ। ଦ୍ଵିତୀୟରେ, ହସ୍ତାନ୍ତର ଯୋଗ୍ୟ ଲିଜ୍‌। ସେମାନେ ସେମାନଙ୍କ ଲିଜ୍‌କୁ ବିକ୍ରି କରିପାରିବେ। ହେଲେ ବର୍ତ୍ତମାନ ଯେମିତି ଜଣକ ନାଁରେ ଆଉ ଜଣେ ଖଣି ଖନନ କରୁଛି, ସେମିତି ନୁହେଁ। ଏଥିରେ ଦାୟିତ୍ଵ ରହିବ। ଆପଣ ଆପଣଙ୍କ ଲିଜ୍‌କୁ ନିୟମାନୁସାରେ ହସ୍ତାନ୍ତର କରିପାରିବେ। ଯେମିତି କି ଆପଣଙ୍କ ଘର କିମ୍ବା ଅନ୍ୟ ସଂପତ୍ତିର ଲିଜ୍‌। ତୃତୀୟରେ ଆମେ ଟ୍ରିବୁନାଲ ସ୍ଥାପନ କରୁଛୁ। ଆପଣ ଯଦି ରାଜ୍ୟ ସରକାରଙ୍କ ପାଖରେ ଏକ ଆବେଦନ ଦାୟର କରିଛନ୍ତି ଏବଂ ସେମାନେ ଏହାକୁ ବର୍ଷ ବର୍ଷ ହେଲା ପକାଇ ରଖିଛନ୍ତି, ତେବେ ଆପଣ ଆବେଦନ କରିବାର ଦୁଇ ମାସ ପରେ ହିଁ ଟ୍ରିବୁନାଲଙ୍କ ଦ୍ଵାରସ୍ଥ ହୋଇପାରିବେ ଏବଂ ସେ ମାମଲାର ଫଇସଲା କରିବେ। ବିଭିନ୍ନ କମ୍ପାନୀ ସାମାନ୍ୟ ଅସନ୍ତୁଷ୍ଟ ହୋଇଛନ୍ତି। କାରଣ, କୌଣସି ବ୍ୟବସାୟୀ ବାର୍ଷିକ ପାଉଣା, କ୍ଷତିପୂରଣ, କମ୍ପାନୀର ସାମାଜିକ ଦାୟିତ୍ଵ ଇତ୍ୟାଦି ଭଳି ପ୍ରସଙ୍ଗରେ ପ୍ରତିଶ୍ରୁତିବଦ୍ଧ ହେବାକୁ ଚାହାଁନ୍ତିନି।

ଆପଣଙ୍କ ମନ୍ତ୍ରାଳୟ ପାଇଁ ଦୀର୍ଘସ୍ଥାୟୀ ଖଣିଜ ଖନନର ଅର୍ଥ କ ଣ ? ଏହା କିପରି କାର୍ଯ୍ୟକାରୀ କରାଯିବ ?

ଦୀର୍ଘସ୍ଥାୟୀ ଉନ୍ନୟନର ରୂପରେଖରେ ତିନିଟି ଉପାଦାନ ରହିବ। ପ୍ରଥମ, ସାମାଜିକ ସ୍ଥାୟିତ୍ଵ ଦ୍ଵାରା ଲୋକେ ସିଧାସଳଖ ଉପକୃତ ହୁଅନ୍ତି। ଦ୍ଵିତୀୟରେ, ପରିବେଶଗତ ସ୍ଥାୟିତ୍ଵ ଏବଂ ତୃତୀୟରେ ଖଣିଜ ଖନନ ସଂପର୍କିତ ଅର୍ଥନୈତିକ କାର୍ଯ୍ୟକ୍ରମରେ ସ୍ଥାୟିତ୍ଵ। ଆମେ ଚାହୁଁ ଖଣିଜ ଖନନ ଯୋଗୁଁ କିଛି ହେଲେ ନଷ୍ଟ ନହେଉ। ଆପଣ ଧରିତ୍ରୀ ମାତା ପାଖରୁ ଯାହା କିଛି ନେଉଛନ୍ତି, ତାହାକୁ କୌଣସି ପ୍ରକ୍ରିୟା ସମୟରେ ନଷ୍ଟ କରିବା ଉଚିଚ ନୁହେଁ। ସର୍ବାଧୁନିକ ଜ୍ଞାନକୌଶଳ ଏବଂ ଯନ୍ତ୍ରପାତିର ବିନିଯୋଗ କରନ୍ତୁ ଏବଂ ଏମିତି ଯୋଜନାବଦ୍ଧ ଭାବରେ କାମ କରନ୍ତୁ ଯେମିତି କି ସେଥିରୁ ସର୍ବାଧିକ କ୍ଷତିଭରଣା ହୋଇପାରିବ। ଏମିତି ହେବା ଆଦୌ ଉଚିତ ନୁହେଁ ଯେ ଯାହା କିଛି ଖଣିଜ ସଂପଦ ରହିଛି ସେସବୁକୁ ୩୦ ବର୍ଷରେ ଶେଷ କରିଦେବା ଏବଂ ତା’ପରେ ବାହାରୁ ଆମଦାନୀ କରିବା। ଏଥିରେ ଏକ ବ୍ୟବସ୍ଥା ସ୍ଥାପିତ ହେବ। ସେଥିପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ କନ୍‌ସଲଟାଣ୍ଟ ସଂସ୍ଥାକୁ ନିୟୋଜିତ କରାଯାଇଛି ଯେ କି ସାରା ବିଶ୍ଵରେ ଦୀର୍ଘସ୍ଥାୟୀ ଖଣିଜ ଖନନ କ୍ଷେତ୍ରରେ ସର୍ବୋତ୍କଷ୍ଟ ପଦ୍ଧତି ଅୁଧ୍ୟାନ କରିବେ ଏବଂ ଭାରତ ପାଇଁ ଯାହା ଉପଯୁକ୍ତ ମନେ ହେବ ତାହା ଲାଗୁ କରାଯିବ। ଦୀର୍ଘସ୍ଥାୟୀ ଉନ୍ନୟନ ଧାରା ଖଣିଜ ଖନନ ଯୋଜନାର ଅଂଶ ରୂପେ ରହିବା ଉଚିତ। ସାମାଜିକ ଉନ୍ନୟନର ସ୍ଥାୟିତ୍ଵ କ୍ଷେତ୍ରରେ କୌଣସି ପ୍ରକାର ଉଲ୍ଲଂଘନ ହେଲେ, ଖଣି ଲିଜ୍‌ ଆପଣା ଛାଏଁ ବାତିଲ ହୋଇଯିବ। ଆଇବିଏମ୍‌ ଗତ ୬ ମାସ ଭିତରେ ୪୦ଟି ଖଣି ଲାଇସେନ୍‌ସ ବାତିଲ କରିସାରିଛି। ଏ କ୍ଷେତ୍ରରେ ରାଜ୍ୟ ସରକାରମାନେ ବେଶି କିଛି କରୁନାହାନ୍ତି, ତେଣୁ ଆଇବିଏମ୍‌କୁ ଏହା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସପ୍ତାହ ତଳେ ବେଲାରିରେ ୧୮ଟି ଖଣି ବାତିଲ କରାଯାଇଛି।

ଖଣିଜ ଉତ୍ତୋଳନରୁ ରାଜ୍ୟ ଓ କେନ୍ଦ୍ରକୁ କେଉଁ ହିସାବରେ ରାଜସ୍ଵ ମିଳୁଛି ?

ଖଣି ଓ ଖଣିଜ ପଦାର୍ଥ ରାଜ୍ୟର ସଂପତ୍ତି ଏବଂ ଏଥିରୁ ସେମାନଙ୍କୁ ରୟାଲଟି ମିଳେ। ପୂର୍ବରୁ ସବୁ ରାଜ୍ୟ ପାଇଁ ଏହା ବର୍ଷକୁ ୨,୦୦୦ କୋଟି ଟଙ୍କା ଥିଲା। ଏହା ସହିତ ଆମେ ମୂଲ୍ୟଭିତ୍ତିକ ରୟାଲଟି ଦେବା ଆରମ୍ଭ କଲୁ ଏବଂ ଏହା ଫଳରେ ରାଜ୍ୟର ରୟାଲଟି ପରିମାଣ ୪୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଲା ଏବଂ ଏବେ ଏହା ଆହୁରି ବଢ଼ିବ। ଗୋଆ କ୍ଷେତ୍ରରେ ରୟାଲଟି ପ୍ରାୟ ୩୦୦ କୋଟି ବୃଦ୍ଧି ପାଇଲା ଏବଂ ଏକ କ୍ଷୁଦ୍ର ରାଜ୍ୟ ହୋଇଥିବାରୁ ସେମାନେ ସେଥିରେ ଖୁସି ଥିଲେ। ପୂର୍ବରୁ କେବଳ ଖଣି କମ୍ପାନୀଗୁଡ଼ିକର ଲାଭ ହେଉଥିଲା। ଏବେ ଏଥିରୁ ସମସ୍ତେ ନିଶ୍ଚିତ ଲାଭ ପାଇବେ।

----------

ୱେବ୍‌ ଲିଙ୍କ:

- ଏହି ରିପୋର୍ଟ ୨୦୧୦ରେ ସିଏସ୍‌ଇ ମିଡିଆ ଫେଲୋସିପ୍‌ସ ଆନୁକୂଲ୍ୟରେ ପ୍ରସ୍ତୁତ ହୋଇଥିଲା। ପୂର୍ଣ୍ଣାଙ୍ଗ ରିପୋର୍ଟ https://cdn.cseindia.org/userfiles/goa%20mining.pdf ରେ ମଧ୍ୟ ମିଳିବ।

- ଏହି ରିପୋର୍ଟ ଆଂଶିକ ଭାବେ ହିନ୍ଦୁସ୍ତାନ ଟାଇମ୍‌ସରେ ପ୍ରକାଶିତ ହୋଇଥିଲା: http://www.hindustantimes.com/india-news/mine-or-yours/article1-544184.aspx

- ତତ୍କାଳୀନ ପରିବେଶ ମନ୍ତ୍ରୀଙ୍କ ସହିତ ସାକ୍ଷାତକାର: : http://www.hindustantimes.com/News-Feed/India/Cannot-deny-links-between-forest-depts-amp-mining-lobbies/Article1-544119.aspx

- ତତ୍କାଳୀନ ଖଣିମନ୍ତ୍ରୀଙ୍କ ସହିତ ସାକ୍ଷାତକାର: http://www.hindustantimes.com/News-Feed/India/Mining-companies-can-t-get-everything-for-free-Handique/Article1-544123.aspx

ଅନୁବାଦ: ଓଡ଼ିଶାଲାଇଭ୍‍

Shalini Singh

Shalini Singh is a founding trustee of the CounterMedia Trust that publishes PARI. A journalist based in Delhi, she writes on environment, gender and culture, and was a Nieman fellow for journalism at Harvard University, 2017-2018.

Other stories by Shalini Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE