PHOTO • Shalini Singh

“ସମୁଦ୍ରକୂଳ ଏବଂ କ୍ୟାସିନୋ ବ୍ୟତୀତ ଗୋଆରେ ଆହୁରି ବହୁତ କିଛି ରହିଛି,” ସେଠାରେ ମୋ ରହଣିର କିଛି ଦିନ ପରେ ଜଣେ ସ୍ଥାନୀୟ ବ୍ୟକ୍ତି ମୋତେ କହିଥିଲେ। ଆଉ ଯାହା ମୁଁ ପରବର୍ତ୍ତୀ ସମୟରେ ଜାଣିଲି, ପ୍ରକୃତରେ ବହୁତ କିଛି । ତାଙ୍କର ସେଇ ସ୍ମିତହସ ଏବଂ “ଗୋଟେ ବସ୍‌ ଉପରକୁ ଚଢ଼ି ଯାଅ ଆଉ ଖୋଜିବାରେ ଲାଗିପଡ଼ !” ବୋଲି ପ୍ରସ୍ତାବ ମୋର କୌତୁହଳକୁ ତୁରନ୍ତ ଉଖାରିବାରେ ଲାଗିଲା ।

ସେଇଠୁ ଦିନେ, ଏକ ଭିଜା ଭିଜା ରବିବାରରେ, ମୁଁ ଗୋଆର ସେଇ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାତ୍ରା କରୁଥିଲି, ଯାହାକି ହିନ୍ଦୁ ମନ୍ଦିର ଏବଂ ମସଲା ବଗିଚା ପାଇଁ ବେଶ୍‌ ପରିଚିତ । ଅନେକ ବଗିଚା ଭିତରୁ ମୁଁ ଯେଉଁଟିକୁ ବାଛିଲି, ତାହା ପୋଣ୍ଡାଠାରୁ ପ୍ରାୟ ୨ କିଲୋମିଟର ଦୂର କୁର୍ତିରେ ଥିବା ସହକାରୀ ସ୍ପାଇସ୍‌ ଫାର୍ମ । ସେଠାକାର ଅନ୍ୟ ବଗିଚା ଭଳି, ଏହି ମସଲା ବଗିଚା ଶହ ଶହ ଏକର ଜମି ବ୍ୟାପୀ ରହିଛି ଏବଂ ସେଠାରେ ମସଲା, ଫଳ, ଔଷଧୀୟ ବୃକ୍ଷ ଓ ଚେରମୂଳି ଚାଷ କରାଯାଏ । ଏହି ସବୁ ବଗିଚାର ମୂଳରେ ରହିଛି, ମିଶ୍ରିତ ଫସଲ ପ୍ରଥା ବା ସ୍ଥାନୀୟ ଭାଷାରେ ଯାହାକୁ କହନ୍ତି କୁଲାଗୋର । ୨୦୦୦ ଦଶକରେ ‘ପରିବେଶ ପର୍ଯ୍ୟଟନ’ର ଗନ୍ତବ୍ୟ ସ୍ଥଳ ଭାବରେ ସେମାନେ ଏଗୁଡ଼ିକୁ ଖୋଲିବା ଆରମ୍ଭ କଲେ ।

ମସଲାର ମାଷ୍ଟର

ଯୂଇ ଓ କୃଷ୍ଣଚୂଡ଼ା ଫୁଲହାର ଦେଇ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିବା ପରେ, ସେଦିନ ପାଇଁ ମୋର ଗାଇଡ୍‌ ସିରିଲ୍‌ ମୋତେ ତୁରନ୍ତ ନଡ଼ିଆ ପାଣି ଓ ଗିନାଏ ତାଜା କାଜୁ ଦେଲେ । କିନ୍ତୁ ଏଥିରୁ ଅଳ୍ପ ଖାଇବାକୁ ମୋତେ ସତର୍କ କରାଇ ଦେଲେ- କାରଣ, ତା ପରେ ରହିଥିଲା ଏକ ବଫେଟ ମଧ୍ୟାହ୍ନ ଭୋଜନ । ସେତେବେଳକୁ ପାଖରେ ଥିବା ଏକ କୁଡ଼ିଆରେ ଦଳେ ବିଦେଶୀ ପର୍ଯ୍ୟଟକ ପହଞ୍ଚି ସାରିଥିଲେ । ମୋ ସାମନାରେ ପରଷା ଯାଇଥିବା ବିଳାସମୟ ଭୋଜନ ସାମଗ୍ରୀ ଉପରେ ଝାମ୍ପି ପଡ଼ିବା ପୂର୍ବରୁ  ପାଖ ଟେବୁଲରେ ବସିଥିବା ଜଣେ ଅତି ଅସମ୍ଭାବିତ ସାଥୀଙ୍କ ସହ ମୁଁ ହସଖୁସିରେ କଥାବାର୍ତ୍ତା କଲି । ସେ ଥିଲେ ଗୋଆର ଆଣ୍ଟି ନାର୍କୋଟିକ୍‌ ସେଲ୍‌ର ଏସ୍‌ପି, ଯାହାଙ୍କୁ ମୁଁ ପୂର୍ବଦିନ ଏକ ବେଶ୍‌ ସରଗରମ ସାମ୍ବାଦିକ ସମ୍ମିଳନୀରେ ସାକ୍ଷାତ କରିଥିଲି ।

ଗଛପତ୍ରର ଚାନ୍ଦୁଆ ତଳେ, କାଠ ବେଞ୍ଚରେ ବସି ଗୋଆର ପାରମ୍ପରିକ ଶୈଳୀରେ ରନ୍ଧା ଖାଦ୍ୟକୁ ଉପଭୋଗ କରିବାରେ ବେଶ୍‌ କିଛି ସମୟ ଆନନ୍ଦରେ ବିତିଯାଏ । ଗୁଆ ପତ୍ରରେ ତିଆରି ପ୍ଲେଟ୍‌ରେ ପରଷା ଖାଦ୍ୟ ସହିତ ବାଉଁଶର ଚାମଚ ଏବଂ ମାଟି ପାତ୍ର, ଏସବୁ ସହିତ ପ୍ରତିଟି ମୁହୂର୍ତ୍ତ ଉପଭୋଗ୍ୟ । ବଗିଚାରୁ ସଂଗୃହୀତ ମସଲାରେ ଖାଦ୍ୟ ରନ୍ଧା ହୋଇଥାଏ । ଯେମିତି କି ହଳଦୀ, ଧନିଆ, ଡାଲଚିନି ଏବଂ ଗୋଲମରିଚ – ଗୋଆର ବ୍ୟଞ୍ଜନରେ ବ୍ୟବହୃତ ପ୍ରମୁଖ ମସଲା । ଆମେ ଖାଇବା ଆରମ୍ଭ କରୁ- ଚିଙ୍ଗୁଡ଼ି ଭଜା ଓ ତରକାରୀ, ରାଭା କିଙ୍ଗଫିଶ୍‌, ଚିକେନ୍‌ ଜାକୁଟି- ଯାହାକି ବିନା ଭିନେଗାରରେ ହିନ୍ଦୁ ଶୈଳୀରେ ରନ୍ଧାଯାଇଥିବା ପର୍ତ୍ତୁଗାଲର ଏକ ପାରମ୍ପରିକ ବ୍ୟଞ୍ଜନ। ଆଉ ନିକଟରେ ମୋତେ ଭଲ ଲାଗିଥିବା ଦୁଇଟି ପ୍ରିୟ ବ୍ୟଞ୍ଜନ: ଶୁଖା ଶେଲଫିଶ୍‌- ପାଞ୍ଜିମରେ ନିୟମିତ ମଧ୍ୟାହ୍ନ ଭୋଜନ ଥାଳିରେ ପରଷା ଯାଉଥିବା ଏହି ମାଛ କିନ୍ତୁ ଏଠାରେ ବେଶ୍‌ ବଡ଼ ଓ ମୋଟାଳିଆ ଥିଲା, ଏବଂ ଫ୍ରାଏଡ୍‌ ଚୋନକ୍‌ (ରେଡ୍‌ ସ୍ନାପର) ମାଛ । ଶେଷରେ ଆମେ କୋକୁମ ସରବତ୍‌ ପିଇ ଏବଂ ଭାନିଲା ଆଇସ୍‌ କ୍ରିମ୍‌ ଏବଂ କିଛି ତାଜା ଫଳ ଖାଇ ଭୋଜନ ଶେଷ କରୁ ।

ଏଭଳି ଭୁରିଭୋଜନ ସତ୍ତ୍ୱେ ଆପଣ ସୁପରିଚିତ ଗୋଆ ଶୈଳୀର ‘ସସେଗାଡ୍‌’ ବା ଆଳସ୍ୟ ଅନୁଭବ କରନ୍ତିନାହିଁ । ଏବଂ ତାହା ହିଁ ଭଲକଥା- କାହିଁକି ନା ଏହା ପରେ ମସଲା ବଗିଚାରେ ଦୁଇ ଘଣ୍ଟା ବୁଲିବାର ଥିଲା । ଆଉ ଏହି ବୁଲାବୁଲି ଆରମ୍ଭ କରିବା ଲାଗି ସିରିଲ୍‌ ଧୀରସ୍ଥିର ଭାବରେ ତାଜା ଫେନିର ଏକ ବଡ଼ ଗିଲାସ ମୋ ହାତକୁ ବଢ଼ାଇ ଦିଅନ୍ତି ।

ପତ୍ରରେ ଭର୍ତ୍ତି ଏକ ଛୋଟ ପୋଲ ଉପରେ ସନ୍ତର୍ପଣରେ ପାଦ ରଖି ରଖି ଆମେ ଆରାମରେ ଆଗେଇ ଯିବା ବେଳେ ସେ ମୋ ନାକ ପାଖରେ ପତ୍ରର ଏକ ଛୋଟ ପେନ୍ଥାଟିଏ ଗେଞ୍ଜି ଦିଅନ୍ତି । ଫେନି ମୁଣ୍ଡକୁ ଚଢ଼ି ଯାଇଥିଲା, “ମୁଁ ଅନୁମାନ କରିପାରିବିନି ।” ଚିକ୍‌ଚିକ୍‌ ହଳଦିଆ ରଙ୍ଗର ହଳଦୀ ଦେଖାଇବା ପାଇଁ ଗୋଟିଏ ଛୋଟ ଗଛର କାଣ୍ଡ ଭାଙ୍ଗିବା ପୂର୍ବରୁ ସେ କହିଲେ, “ବେ ଲିଭ୍‌ସ ବା ତେଜପତ୍ର ।” ଗୋଲମରିଚ, ଡାଲଚିନି, ଅଳେଇଚ, ଲବଙ୍ଗ ଏବଂ ଜାଇଫଳ, କଷା ଓ ଖଟା ଜାମୁକୋଳିକୁ ଆମେ ଚାଖି ଦେଖିଲୁ, କଞ୍ଚାଳିଆ ସପୁରୀ ପରଖିଲୁ ଏବଂ ସୁଉଚ୍ଚ ପଣସ ଗଛ ଉପରେ ନଜର ପକାଇଲୁ । ପ୍ରତି ଗଛକୁ ଚିହ୍ନିବାର ଉପାୟ କହିବା ପରେ ପରେ ସିରିଲ୍‌ ସେମାନଙ୍କର ଔଷଧୀୟ ଗୁଣ ସଂପର୍କରେ ବୁଝାଇ ଦେଉଥିଲେ । ରନ୍ଧାଘରେ ପଡ଼ି ରହୁଥିବା ବିଚରା ମସଲା ପେଟି ହଠାତ୍‌ ଯେମିତି ଜୀଇଁ ଉଠିଲା । ଏହି ବଗିଚାରେ ୭୫ ଜଣ ଲୋକ କାମ କରନ୍ତି ଏବଂ ଭାରତର ହାତଗଣତି ଭାନିଲା ଚାଷ କରାଯାଉଥିବା ବଗିଚା ମଧ୍ୟରୁ ଏହା ଅନ୍ୟତମ ।

ଏହି ଯାତ୍ରା ସଂପର୍କରେ ଭଲକଥାଟିଏ ହେଲା ଯେ ଏଥିରେ ଭାଷଣ ଶୁଣିବାକୁ ପଡୁ ନଥିଲା । ମୁଁ ପଚାରିଲି, “କିନ୍ତୁ ସବୁ ଦିନ ସେଇ ଏକା କଥା କହିବାକୁ ବିରକ୍ତ ଲାଗୁନି କି ?” ଆଖିରେ ଚଷମା ଲଗାଇ, ଏଠାରେ ଗତ ଦଶ ବର୍ଷ ହେଲା କାମ କରିଆସୁଥିବା ଗାଇଡ୍‌ ଜଣକ ହସି ହସି କହନ୍ତି, “ଆମ ପାଇଁ ସବୁ ଦିନ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟିବାରେ ହିଁ  ବିବିଧତା ରହିଥାଏ । ଆମେ ପର୍ଯ୍ୟଟକଙ୍କ ପାଖରୁ ବି ବହୁତ କିଛି ଶିଖିଥାଉ । ସାଧାରଣତଃ ବିଦେଶୀମାନେ ବୁଦ୍ଧିମାନ ବ୍ୟକ୍ତି । ଅନେକ ଭାରତୀୟ ତ ସେମାନେ ବ୍ୟବହାର କରୁଥିବା ମସଲାର ନାଁ ଜାଣି ନଥାଆନ୍ତି ।” କାଜୁ, ଗୁଆ ଏବଂ ନଡ଼ିଆ ଗଛର ସବୁଜ ଆସ୍ତରଣରେ ଅଭିଭୂତ ହୋଇ ନିଜକୁ ନିଜେ ମୁଁ କହେ, କି ଲାଜର କଥା ।

ବଗିଚାରେ ପକ୍ଷୀମାନଙ୍କୁ ଦେଖିବା ପାଇଁ କେତେକ ନିର୍ଦ୍ଧାରିତ ସ୍ଥାନ ରହିଛି ଏବଂ ଏ ସଂପର୍କରେ କର୍ତ୍ତୃପକ୍ଷଙ୍କ କହିବା କଥା ଯେ ଏଠାରେ ଭିନ୍ନ ଭିନ୍ନ ୮୦ଟି ପ୍ରଜାତିର ଚଢ଼େଇଙ୍କୁ ଚିହ୍ନଟ କରାଯାଇଛି । ହାତୀରେ ଚଢ଼ି ବୁଲିବା ପାଇଁ ଆମେ ଅଳ୍ପ କିଛି ସମୟ ପାଇଁ ବିରତି ନେଉ। ଏଠି ଆପଣ ତିନି ଜଣିଆ ହାତୀ ପରିବାରକୁ ଗାଧୋଇ ଦେଇ ପାରିବେ ଏବଂ ଖୁଆଇ ପାରିବେ ଏବଂ ବଦଳରେ ସେମାନେ, ଶୁଣ୍ଢରେ ଆପଣଙ୍କ ଉପରକୁ ପାଣିର ଧାର ଛାଡ଼ିବେ । ହେଲେ ବର୍ତ୍ତମାନ ପାଇଁ ମୁଁ କେବଳ ହାତୀ ପିଠିରେ ଚଢ଼ି ବୁଲିବାରେ ହିଁ ଖୁସି । ତଳକୁ ଓହ୍ଲାଇଲା ପରେ ସିରିଲ୍‌ ମୋତେ ସେମାନଙ୍କ ଫେନି ବିଶୋଧନ କେନ୍ଦ୍ରକୁ ନେଇ ଯାଆନ୍ତି । ଏଠାରେ କାଜୁଫଳ ବା ଲଙ୍କାଆମ୍ବର ରସକୁ ଗୋଟିଏ ସପ୍ତାହ ପାଇଁ ଗରମ କରି ଅମ୍ଳରେ ପରିଣତ କରାଯାଏ ଏବଂ ତା ପରେ ପାତନ ପ୍ରଣାଳୀରେ ବିଶୋଧିତ କରାଯାଏ । ପ୍ରଥମ ଥର ପାତନ ପରେ ଏହା ଉରାକ୍‌, ଅର୍ଥାତ୍‌ ସାମାନ୍ୟ ନିଶାଯୁକ୍ତ ପାନୀୟରେ ପରିଣତ ହୁଏ ଏବଂ ଦ୍ୱିତୀୟ ପାତନ ପରେ ଆପଣଙ୍କୁ ମିଳେ ସେହି ପ୍ରସିଦ୍ଧ ଫେନି । ପ୍ରତି ଦଶ ଦିନରେ ପ୍ରାୟ ୩୦ ଲିଟର ଫେନି ବାହାର କରାଯାଇପାରେ । ବଗିଚାରେ ପ୍ରାୟ ୭୫ ଜଣ ଲୋକ କାମ କରନ୍ତି । ଦେଢ଼ ଘଣ୍ଟା ବିତିଯାଇଥିଲା । ମୁଁ ଶିହରି ଉଠି ପାଟି କରିଲି, କାହିଁକି ନା ଅଚାନକ ମୋ ପିଠିରେ ଗୋଟିଏ ମଗ୍‌ ଥଣ୍ଡା ଔଷଧୀୟ ପାଣି ଢାଳି ଦିଆଯାଇଥିଲା । ପାଣି ଢାଳି ଦେଇଥିବା ମହିଳା ଜଣକ ହସି ହସି କହିଲେ, “ଚିନ୍ତା କରନି, ଏଇଟା ଜଲ୍‌ଦି ଶୁଖିଯିବ ।”

ସିରିଲ ମୋତେ ଗୋଟିଏ ମଗ୍‌ ଗରମ ଲେମନ୍‌ଗ୍ରାସ୍‌ ଚା’ ଦିଅନ୍ତି ଏବଂ ଏହାକୁ ପିଇବା ଲାଗି ଗୋଟିଏ କୁଡ଼ିଆ ଘରର ଶୀତଳ ଛାଇରେ ମୁଁ କ୍ଲାନ୍ତଶ୍ରାନ୍ତ ଭାବେ ବସି ପଡ଼େ । ଏବେ ଘରକୁ ଫେରିବାର ସମୟ । କିନ୍ତୁ ତା ପୂର୍ବରୁ ମୁଁ ବଗିଚାର କିଛି ସାମଗ୍ରୀରେ ଭର୍ତ୍ତି ବ୍ୟାଗ୍‌ଟିଏ ସଂଗ୍ରହ କରିନିଏ । ତା ସହିତ ଥାଏ ଏକ ସୂଚନା ପୁସ୍ତିକା, ଯେଉଁଥିରେ ଏସବୁର ଔଷଧୀୟ ଗୁଣ ସଂପର୍କିତ ବିଶଦ ବର୍ଣ୍ଣନା ରହିଥାଏ ଏବଂ ଅବସାଦ, ମଧୁମେହ, ଓଜନ ହ୍ରାସ ଭଳି ରୋଗର ଉପଚାର, ଏମିତି କି ପୁରୁଷମାନଙ୍କ ଯୌନ ଦୁର୍ବଳତାର ‘ଚିକିତ୍ସା’ ଏବଂ ମହିଳାମାନଙ୍କ ପାଇଁ ସେମାନଙ୍କ ଯୌନ ଲାଳସା ଜାଗ୍ରତ କରାଇବା ସହିତ ଶରୀରର ବିଭିନ୍ନ ଅଙ୍ଗର ଅଭିବୃଦ୍ଧି ସଂପର୍କିତ ଦାବି ସମ୍ମିଳିତ ସୂଚନା ରହିଥାଏ । ସେମାନେ କଥା ଦିଅନ୍ତି, ‘କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ, ଆସକ୍ତି ନାହିଁ ।’

ଏକ ‘ମସଲା’ ବଗିଚାର ସଂପୂର୍ଣ୍ଣ ଅନନ୍ୟ ଅନୁଭୂତି। ପରବର୍ତ୍ତୀ ସମୟରେ,  ଘରଘର ଶବ୍ଦ କରି ଆଗେଇ ଚାଲିଥିବା ସରକାରୀ ବସ୍‌ରେ ବସି, ବ୍ୟାଗ୍‌ରେ ଥିବା ସୁବାସିତ ଭାନିଲା କାଠିକୁ ମନଭରି ଆଘ୍ରାଣ କରିବା ସହିତ ମୁଁ ଭାବନାରେ ହଜିଯାଏ ।

ଜାଣିବା କଥା:

  • କେମିତି ଯିବେ: ପୋଣ୍ଡାରୁ ପାଞ୍ଜିମ (୩୦ କିଲୋମିଟର) ଯାଉଥିବା ସରକାରୀ ବସ୍‌ରେ ବସନ୍ତୁ । ପୋଣ୍ଡା ବସ୍‌ଷ୍ଟାଣ୍ଡରୁ ପ୍ରାୟ ଦୁଇ କିଲୋମିଟର ଦୂର କୁର୍ତିରେ ଅବସ୍ଥିତ ମସଲା ବଗିଚାକୁ ଯିବା ଲାଗି ଟ୍ୟାକ୍‌ସି/ଅଟୋ ଭଡ଼ା କରନ୍ତୁ । ବିକଳ୍ପ ଉପାୟରେ, ପାଞ୍ଜିମରୁ ସିଧାସଳଖ ଟ୍ୟାକ୍‌ସି ନିଅନ୍ତୁ ।
  • ସେଲିଂ ଆଉଟ୍: ୪୦୦+ ଟଙ୍କା ଖର୍ଚ୍ଚ କରିବାକୁ ହେବ, ଯେଉଁଥିରେ ମଧ୍ୟାହ୍ନ ଭୋଜନ ଏବଂ ମସଲା ବଗିଚା ଭ୍ରମଣ ଅନ୍ତର୍ଭୁକ୍ତ ।
  • ସମୟ: ଦିନ ୧୧ଟାରୁ ଅପରାହ୍‌ଣ ୪ଟା, ବର୍ଷ ସାରା ଖୋଲା ରହେ ।
  • ଆଖପାଖରେ ଥିବା ଅନ୍ୟ ମସଲା ବଗିଚାଗୁଡ଼ିକ ହେଲା: ସାଭୋଇ ପ୍ଲାଣ୍ଟେସନ, ଆବିସ୍‌ ସ୍ପାଇସ୍‌ ଫାର୍ମ, ଟ୍ରପିକାଲ ସ୍ପାଇସ୍‌ ପ୍ଲାଣ୍ଟେସନ୍‌
CSE ଫେଲୋସିପ୍‌ ଆନୁକୂଲ୍ୟରେ ଏହି ଆଲେଖ୍ୟ ପ୍ରସ୍ତୁତ ହୋଇଥିଲା ଏବଂ ୨୦୧୦ରେ ଏହାର ଏକ ସଂପାଦିତ ସଂସ୍କରଣ ହିନ୍ଦୁସ୍ତାନ ଟାଇମ୍‌ସରେ ପ୍ରକାଶ ପାଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shalini Singh

Shalini Singh is a journalist based in Delhi, and a member of PARI's founding team.

Other stories by Shalini Singh