“କୋନ୍ଦ୍ରା ସମ୍ମିହା … ଆର୍ଥିକ ଋଣ ସମ୍ବନ୍ଧୀୟ ମାନସିକ ପୀଡା ସହ୍ୟ କରିନପାରି କୀଟନାଶକ ବିଷପାନ କରିଥିଲେ…” ବୋଲି FIR(ଏଫଆଇଆର୍‌)ରେ ଉଲ୍ଲେଖ ହୋଇଛି ।

ସେପ୍ଟେମ୍ବର ୧୭, ୨୦୧୭ରେ ନରସାପୁର ଗ୍ରାମ, ଯେଉଁଠାରେ ସମ୍ମିହା ଓ ତାଙ୍କର ସ୍ତ୍ରୀ କୋନ୍ଦ୍ରା ସାଗରିକା ଛଅ ଏକର ଜମିରେ ବର୍ଷା ପୋଷିତ ଜମିରେ  ବିଟ୍‌-କାର୍ପାସ୍‌ ଚାଷ କରିଥିଲେ, ସେଠାରୁ ତିନି କିଲୋମିଟର୍‌ ଦୂରରେ ଅବସ୍ଥିତ ଥାରିଗୋପୁଲ୍ଲା ପୋଲିସ୍‌ ଷ୍ଟେସନ୍‌ରେ FIR (ଏଫଆଇଆର୍‌) ଫାଇଲ୍‌ କରାଯାଇଥିଲା ।

ତାଙ୍କର ଋଣ ବୋଝ ୫ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା, ଯାହା ସେମାନେ ମୁଖ୍ୟତଃ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଭିନ୍ନ ଭିନ୍ନ ସୁଧ ହାରରେ ନେଇଥିଲେ । ସମ୍ମିହା ଓ ସାଗରିକାଙ୍କର ଏକ ଏକରରୁ ଅଳ୍ପ ଅଧିକ ପରିମାଣର ଜମି ଥିଲା ଓ ବଳକା ସେମାନେ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଲିଜ୍‌ରେ ନେଇଥିଲେ । “ପ୍ରତ୍ୟେକ ଋତୁ ପୂର୍ବରୁ ଧାର କରଜ କରି ଟଙ୍କା ଯୋଗାଡ଼ କରିବା ପ୍ରକ୍ରିୟା ଏହି ଋଣ ପାଇଁ ଦାୟୀ,” ବୋଲି ସାଗରିକା କୁହନ୍ତି । ଦୁର୍ଭିକ୍ଷ ଯୋଗୁଁ ତାଙ୍କୁ ଆହୁରି ଅଧିକ କ୍ଷତି ସହିବାକୁ ପଡିଲା ।

ନିଜ ଜମିରେ ଚାଷକାମ କରିବାକୁ ପ୍ରୟାସ କରିବା ପୂର୍ବରୁ , ଏହି ଦମ୍ପତି କୃଷି ଶ୍ରମିକ ଭାବେ କର୍ପାସ୍‌ କ୍ଷେତରେ କାମ କରୁଥିଲେ । ୨୦୧୧ରେ ସମାନେ ପରସ୍ପରକୁ ବିବାହ କରିବା ପରେ, କିଛି ସମୟ ପାଇଁ ହାଇଦ୍ରାବାଦ୍‌ରେ ରହିଥିଲେ, ଯେଉଁଠି ସମ୍ମିହା ଡ୍ରାଇଭର ବୃତ୍ତି କରୁଥିଲେ। ହେଲେ, ସମ୍ମିହାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେମାନେ ୨୦୧୩ ମସିହାରେ ତେଲେଙ୍ଗାନାର ଜନ୍‌ଗାଓଁ ଜିଲ୍ଲାସ୍ଥିତ ନରସପୁକୁ ଫେରି ଆସିଲେ ।

୨୦୧୭ ମସିହାରେ ମାତ୍ର ୨୯ ବର୍ଷ ବୟସରେ ସମ୍ମିହା ଆତ୍ମହତ୍ୟା କରିଥିଲେ । ସେତେବେଳକୁ ସାଗରିକାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା । ସେମାନଙ୍କର ଦୁଇ ପିଲା ସ୍ନେହିତା ଓ ସାତ୍ୱିକଙ୍କୁ ଯଥାକ୍ରମେ ୫ ଓ ୩ ବର୍ଷ ହୋଇଥିଲା । “ପିଲାମାନେ ମୋ ସ୍ୱାମୀଙ୍କ ସହିତ ବିତେଇଥିବା ଦିନଗୁଡିକ ବିଷୟରେ ପ୍ରାୟ ସବୁଦିନ ମନେ ପକାନ୍ତି,” ବୋଲି ସେ କହନ୍ତି । “ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରଥମ ବର୍ଷ ଅତ୍ୟନ୍ତ କଷ୍ଟକର ଥିଲା । ମୋର ବନ୍ଧୁବାନ୍ଧବମାନେ ମତେ କୌଣସି ସାମାଜିକ କାର୍ଯ୍ୟକୁ ଡାକୁନଥିଲେ । ବର୍ତ୍ତମାନ କିନ୍ତୁ ସେମାନେ ମୋର ସଂଘର୍ଷ ଦେଖିବା ପରେ ମତେ ଡାକିବାକୁ ଆରମ୍ଭ କଲେଣି…”
Kondra Sammaiah was 29 years old in September 2017, Sagarika was 23. Their children, Snehitta and Satvik, were 5 and 3
PHOTO • Raju Ooru Govardhangiri
Kondra Sammaiah was 29 years old in September 2017, Sagarika was 23. Their children, Snehitta and Satvik, were 5 and 3
PHOTO • Kondra Sagarika

୨୦୧୭ରେ କୋନ୍ଦ୍ରା ସମ୍ମିହାଙ୍କୁ ୨୯ ବର୍ଷ , ସାଗରିକାଙ୍କୁ ୨୩ ବର୍ଷ ହୋଇଥିଲା । ସେମାନଙ୍କ ସନ୍ତାନ, ସଞ୍ଚିତା ଓ ସାତ୍ୱିକଙ୍କ ବୟସ ଯଥାକ୍ରମେ ୫ ଓ ୩ ବର୍ଷ ହୋଇଥିଲା

ଫେବୃଆରି ୨୦୧୮ରେ, ତାଙ୍କ ସ୍ୱାମୀଙ୍କର ମୃତ୍ୟୁର କିଛି ମାସ ପରେ ସାଗରିକା ତାଙ୍କ ଜମିରୁ ଅମଳ କରିଥିବା କର୍ପାସ୍‌କୁ କୌଣସି ପ୍ରକାରେ ଜଣେ ସ୍ଥାନୀୟ କ୍ରେତାଙ୍କୁ ବିକ୍ରି କରିବାକୁ ସମର୍ଥ ହେଲେ, ପ୍ରାୟ ୭ କ୍ୱିଣ୍ଟାଲ୍‌ ହେବ । ସମସ୍ତ ଖର୍ଚ୍ଚ ପରେ ତାଙ୍କୁ ପାଖାପାଖି ୧୨,୦୦୦ଟଙ୍କା ମିଳିଲା ଓ ସେ ସେହି ଅର୍ଥକୁ ତାଙ୍କର ଆବଶ୍ୟକତା ପୂରଣ କରିବାକୁ ଖର୍ଚ୍ଚ କଲେ । ପରବର୍ତ୍ତୀ ବୁଣିବା ଋତୁ ପାଇଁ ୨୦୧୮ରେ ସେ ପୁଣିଥରେ କର୍ପାସ୍‌ ଚାଷ କରିବାକୁ ଚେଷ୍ଟା କଲେ ହେଲେ, ତା’ପରେ ଭଲ ଲାଭ ନମିଳିବାରୁ ସେ ତାହା କରିବା ବନ୍ଦ କରିଦେଲେ । ସେ ଜମି ବର୍ତ୍ତମାନ ଖାଲି ପଡିଛି, ବୋଲି ସେ କୁହନ୍ତି ଓ ଏଥିରେ ପୁଣି ଚାଷ କରିବାକୁ ହେଲେ ଏହାକୁ ସମତଳ କରିବା ପାଇଁ ବହୁତ କାମ କରିବାକୁ ହେବ ବୋଲି ମଧ୍ୟ ସେ କୁହନ୍ତି ।

ତାଙ୍କ ସ୍ୱାମୀଙ୍କ ମୃତ୍ୟୁର କିଛି ସପ୍ତାହ ପରେ, ସେ ଥରିଗୋପୁଲ୍ଲାରେ ଥିବା ମଣ୍ଡଳ ରେଭେନ୍ୟୁ କାର୍ୟ୍ୟାଳୟ (ଏମ୍‌.ଆର୍‌.ଓ)କୁ ଜମି ତାଙ୍କ ନାମରେ କରିବାକୁ ଆବେଦନ କରିବାକୁ ଯାଇଥିଲେ । ତାଙ୍କ ଶାଶୁ ଓ ଦିଅର ତାଙ୍କର ବିରୋଧ କଲେ। ହେଲେ, ଜୁଲାଇ ୨୦୨୦ରେ ସାଗରିକା ଏକ ଏକର ଜମି ତାଙ୍କ ନାମରେ କରିବାକୁ ସମର୍ଥ ହୋଇପାରିଲେ (ତାଙ୍କ ପୁଅକୁ ନୋମିନି ରଖାଯାଇଛି)।

ସେ ତାଙ୍କ ସ୍ୱାମୀଙ୍କର ପାରିବାରିକ ଘରେ ଏବେ ମଧ୍ୟ ରହୁଛନ୍ତି । ଏଥିପାଇଁ ତାଙ୍କୁ କୌଣସି ଭଡା ଦେବାକୁ ପଡୁନି ହେଲେ, ସେ ତାଙ୍କ ଉପାର୍ଜନରେ ନିଜର ମାସିକ ଖର୍ଚ୍ଚ ତୁଲାଉଛନ୍ତି । ୨୦୧୪ରେ ତାଙ୍କର ଶ୍ୱଶୁର କୋନ୍ଦ୍ରା ୟେଲିହାଙ୍କ ମୃତ୍ୟୁ ହୋଇଗଲା ଓ ତାଙ୍କ ଶାଶୁ କୋନ୍ଦ୍ରା ଅଞ୍ଜମ୍ମା ହାଇଦ୍ରାବାଦରେ ଜଣଙ୍କ ଘରେ କାମବାଲି  ଚାକିରି ପାଇଗଲେ।

Sagarika works as an agricultural labourer, and at MGNREGA sites when work is available
PHOTO • Jodumuntala Shreeja

ସାଗରିକା ଜଣେ କୃଷି ଶ୍ରମିକ ଭାବେ କାମ କରନ୍ତି ଓ ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏ ସ୍ଥଳରେ କାମ ଉପଲବ୍ଧ ହେଲେ କରନ୍ତି ।

ତାଙ୍କର ଦାଦା, ଯେପରି ସେ କୁହନ୍ତି (ତାଙ୍କ ଶ୍ୱଶୁରଙ୍କ ଭାଇ), ଅନ୍ୟ ଏକ ଗ୍ରାମରେ ରୁହନ୍ତି ଓ ସେମାନେ ଏବେ ଏବେ ନରସାପୁର୍‌ରେ ସମ୍ମିହା ଓ ସାଗରିକାଙ୍କୁ ଲିଜ୍‌ରେ ଦେଇଥିବା ପାଞ୍ଚ ଏକର ଜମିରେ ଚାଷକାମ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ, ସେମାନେ ସେ ରହୁଥିବା ଘର ଛାଡିଦେବାକୁ କହିଲେ। ‘‘ଏବେ ସେମାନେ ଏଠାରେ ଚାଷକାମ ଆରମ୍ଭ କରିଥିବାରୁ (ନରସାପୁରରେ), ସେମାନେ ଏଠାକୁ ଆସିଲେ ରହିବା ପାଇଁ ସେମାନଙ୍କୁ ଗୋଟିଏ ଘର ଆବଶ୍ୟକ ହେବ,” ବୋଲି ସେ କୁହନ୍ତି। “ଦୀପାବଳି ସୁଦ୍ଧା ଘର ଖାଲି କରିବାକୁ ସେମାନେ ମତେ କହିଥିଲେ, ହେଲେ ମୁଁ ଆଉ କୌଣସି ସ୍ଥାନ ପାଇଲିନାହିଁ। ଗାଁରେ ଭଡ଼ାରେ ରହିବାକୁ ଘର ମିଳିବା କଷ୍ଟକର। ମୁଁ କ’ଣ କରିବି ଜାଣିପାରୁନି।’’

ସାଗରିକାଙ୍କ ଅଭିବାବକ ନରସାପୁରରେ ରୁହନ୍ତି । ତାଙ୍କର ମା, ସତର୍ଲା କନକ ଲକ୍ଷ୍ମୀ, ୪୫, ଜଣେ ଆଶାକର୍ମୀ ଅଟନ୍ତି (ସ୍ୱୀକୃତି ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ) । ତାଙ୍କ ବାପା, ସତର୍ଲା ଏଲିହା, ୬୦, ଖରାପ ସ୍ୱାସ୍ଥ୍ୟ କାରଣରୁ ବହୁ ବର୍ଷ ପୂର୍ବେ ନର୍‌ସାପୁରରେ ଦିନ ମଜୁରିଆ ଭାବେ କରୁଥିବା ହମାଲି କାମ କରିବା ବନ୍ଦ କରି ଦେଇଛନ୍ତି (ବୋଝେଇ ଓ ଖଲାସି) ।

ସମ୍ମିହା ଆତ୍ମହତ୍ୟା କରିବା ପରେ, ସାଗରିକା ଏମ୍‌.ଏନ୍‌.ଆର୍‌.ଇ.ଜି.ଏ କାମ ମିଳିଲେ କାମ କରି ଓ କୃଷି ଶ୍ରମିକ ଭାବେ କାମ କରି ତାଙ୍କର ସମସ୍ତ ଖର୍ଚ୍ଚ ତୁଲାଇବାକୁ ଚେଷ୍ଟା କରୁଛନ୍ତି । “ମୋ ସ୍ୱାମୀ ଯେତେବେଳେ ଜୀବିତ ଥିଲେ, ସେତେବେଳେ ମଧ୍ୟ ମୁଁ କାମ କରୁଥିଲି, ହେଲେ ମୁଁ ଜାଣିଥିଲି ଯେ ମତେ ଘରୁ ବାହାରକୁ ଯିବାକୁ ପଡିବ ନାହିଁ ଓ ମତେ ମୋର ପିଲାଙ୍କ ଲାଳନପାଳନରେ ମୋର ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ,’’ ବୋଲି ସେ କୁହନ୍ତି । ମୁଁ ଯେ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇଯାଇଛି, ଏକଥା ମୁଁ ଜାଣିସାରିଛି। ଆଉ ସେହି ଉପଲବ୍ଧି ଅତ୍ୟନ୍ତ ଯନ୍ତ୍ରଣାଦାୟକ,” ବୋଲି ଏକ ଦଳିତ ସମ୍ପ୍ରଦାୟ, ମାଳା ଜାତିର ସାଗରିକା କୁହନ୍ତି ।

ଗତ ବର୍ଷ, ସେ ଖରାପ ସ୍ୱାସ୍ଥ୍ୟ କାରଣରୁ କ୍ଷେତରେ କାମ କରିବା ବନ୍ଦ କରିଦେଇଥିଲେ ହେଲେ, ଏପ୍ରିଲି ଓ ମେ’ରେ କିଛି ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏ କାମ କରିଥିଲେ । ଚଳିତ ବର୍ଷ, ଜାନୁୟାରି ଓ ଫେବୃଆରିରେ ସେ କ୍ଷେତଗୁଡିକରେ ପୁଣି କାମ କରିଛନ୍ତି ଓ ମାର୍ଚ୍ଚରେ ତାଲାବନ୍ଦ ହେବାପରେ, ସେ ଏପ୍ରିଲ ଓ ମେ ମାସରେ ପ୍ରାୟ ୩୦ଦିନ ଏମ୍‌ଜିଏନ୍‌ଆର୍‌ଇଜିଏ କାମ କରିଛନ୍ତି, ହେଲେ, ମାତ୍ର ୧୫ ୦୦ଟଙ୍କା ମଜୁରି ପାଇଛନ୍ତି । ଚଳିତ ବର୍ଷ କେବଳ ଅଗଷ୍ଟ ପରଠାରୁ ହିଁ ସେ ନିୟମିତ ଭାବେ କାମ କରୁଛନ୍ତି ।

“ସ୍ୱାସ୍ଥ୍ୟ ଠିକ୍‌ ନାହିଁ, ସେଥିପାଇଁ,” ବୋଲି ସେ କୁହନ୍ତି । “ମୋର କାମରେ ଦିନ ସାରା ଆଗକୁ ନଇଁ କାମ କରିବାକୁ ପଡେ। ଡାକ୍ତର ମତେ ଏପରି ନକରିବାକୁ କହିଛନ୍ତି । ଏଣୁ ମୁଁ ବନ୍ଦ କରିଦେଲି’’। “ଗତ ବର୍ଷ ଫେବୃଆରିରେ, ୱାରଙ୍ଗଲର ଏକ ନର୍ସିଂ ହୋମ୍‌ରେ ୨୦୧୪ରେ ସାତ୍ୱିକର ଜନ୍ମ ସମୟରେ ହୋଇଥିବା ସିଜେରିଆନ୍-ସେକ୍ସନ୍‌ ବେଳେ ସିଲେଇ କରାଯାଇଥିବା ସ୍ଥାନରେ ରକ୍ତ ଜମାଟ ହୋଇଥିବା ଜଣା ପଡିଥିଲା ।

ଗତ ଛଅ ମାସରେ, ରକ୍ତ ଜମାଟ କାରଣରୁ ସାଗରିକା ଅସହ୍ୟ ଯନ୍ତ୍ରଣା ଭୋଗିବା ସହିତ ବାରମ୍ବାର ଜ୍ୱର ଆସିଥିଲା ଓ ସେ ହାଲିଆ ଅନୁଭବ କରିଥିଲେ ଯେଉଁଥିପାଇଁ ସେ ବହୁଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଓ ଶଯ୍ୟାରେ ଶୋଇ ରହିବାକୁ ବାଧ୍ୟ ହୋଇଛନ୍ତି। ସେ ଏ କଥା ଜାଣିପାରିଲେ ନାହିଁ ଯେ ନର୍‌ସାପୁରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ ଜନଗାଓଁର ଡାକ୍ତରମାନେ, ଯେଉଁଠାକୁ ସେ ଯାଇଥାନ୍ତି, କିଭଳି ଏହାର ନିଦାନ କରିପାରିଲେ ନାହିଁ ।

ତଥାପି, ତାଙ୍କୁ ତାଙ୍କ ଘରର ଯାବତୀୟ କାମ କରିବାକୁ ପଡୁଛି ଓ ସେ ଘର କାମ କରିବାକୁ ପୂର୍ବାହ୍ନ ୫ଟାରେ ଉଠନ୍ତି । ତା’ପରେ ସେ ସ୍ନେହିତାଙ୍କୁ ଉଠାନ୍ତି ଓ ଉଭୟଙ୍କୁ ବିଦ୍ୟାଳୟକୁ ଯିବା ପାଇଁ ପ୍ରସ୍ତୁତ କରନ୍ତି, ଯେତେବେଳେ କି ସାତ୍ୱିକଙ୍କୁ ଗ୍ରାମରେ ଥିବା ସାଗରିକାଙ୍କ ପିତାମାତାଙ୍କ ଘରକୁ ଦିନ ସାରା ରହିବାକୁ ପଠାଇଦିଆଯାଏ । ସେମାନେ ରାତି ୯ଟା ପର୍ଯ୍ୟନ୍ତ କାର୍ଯ୍ୟରେ ପହଞ୍ଚନ୍ତି ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଘରକୁ ଫେରନ୍ତି।
Sagarika lives with her kids Snehitta and Satvik in Narasapur village, in a house that belongs to her husband’s family
PHOTO • Courtesy: Kondra Sagarika
Sagarika lives with her kids Snehitta and Satvik in Narasapur village, in a house that belongs to her husband’s family
PHOTO • Ramulu Beeram

ସାଗରିକା ତାଙ୍କ ସନ୍ତାନ ସ୍ନେହିତା ଓ ସାତ୍ତ୍ୱିକଙ୍କ ସହିତ ନର୍‌ସାପୁର ଗ୍ରାମରେ, ତାଙ୍କ ସ୍ୱାମୀଙ୍କ ପୈତୃକ ଗୃହରେ ରହନ୍ତି

ସମ୍ମିହାଙ୍କ ମୃତ୍ୟୁ ପରେ, ସାଗରିକା କୁହନ୍ତି ଯେ ସେ ବହୁତ କିଛି ଶିଖିବାକୁ ପାଇଲେ । “ଯେତେବେଳେ ଲୋକମାନେ ମୋ ବିଷୟରେ (ଖରାପ) କୁହନ୍ତି ସେତେବେଳେ ମୁଁ ନିରାଶ ହୁଏନି । ମୁଁ ଜାଣିଛି ମତେ ମୋର ପିଲାମାନଙ୍କ ପାଇଁ ବଞ୍ଚିବାକୁ ହେବ । ସେମାନଙ୍କୁ ଶିକ୍ଷିତ କରିବାକୁ ମୁଁ କାମ କରିବି’’।

ତାଙ୍କ ସ୍ୱାମୀ ଯେଉଁସବୁ ଋଣ କରିଥିଲେ ସେଥିରୁ କିଛି ମଧ୍ୟ ପରିଶୋଧ କରିପାରି ନାହାନ୍ତି, ଏପରିକି ସବୁଠାରୁ ଅଳ୍ପ ପରିମାଣର ଋଣ ମଧ୍ୟ । ୨୦୨୦ରେ, ସେ ତାଙ୍କ ଭଉଣୀଙ୍କଠାରୁ ଆଣିଥିବା ଋଣ ପରିଶୋଧ କରିବାକୁ ପ୍ରୟାସ କରି ଚାଲିଛନ୍ତି ( ଯିଏ ତାଙ୍କ ସ୍ୱାମୀଙ୍କ ସହିତ ସେହି ଗ୍ରାମରେ ଦୁଇ ଏକର ଜମି ଚାଷ କରନ୍ତି), ମୋଟ ୬୨,୦୦୦ଟଙ୍କା ଓ ସେ ୫୦,୦୦୦ଟଙ୍କା କୌଣସି ପ୍ରକାରେ ଫେରାଇବାକୁ ସମର୍ଥ ହୋଇପାରିଛନ୍ତି । (ଏନ୍‌.ଏସ୍‌.ଏସ୍‌ର ୭୦ତମ ରାଉଣ୍ଡ ରିପୋର୍ଟରେ କୁହାଯାଇଛି ଯେ ଦେଶର ମୋଟ ଋଣଗସ୍ତ କୃଷକ ପରିବାର ମଧ୍ୟରେ ତେଲେଙ୍ଗାନାର ଭାଗ ହେଉଛି ୮୯ .୧ପ୍ରତିଶତ ଯାହା ଜାତୀୟ ସ୍ତର ୫୧.୯ ପ୍ରତିଶତ ଠାରୁ ବହୁତ  ଅଧିକ ଅଟେ) ।

ସାଗରିକା ମାସକୁ ୨,୦୦୦ଟଙ୍କା ବିଧବା ଭତ୍ତା ପାଆନ୍ତି ଓ ସରକାରୀ ଯୋଜନା ପାଇଁ ଆବେଦନ ପତ୍ର ପୂରଣ କରିବା ଓ ସତ୍ୟାପନ ପ୍ରକ୍ରିୟା ପାଇଁ ସେମାନଙ୍କ ସହିତ ପୁଲିସ୍‌ ଷ୍ଟେସନ୍‌କୁ ଯିବା ଭଳି କାମ କରିବା ପାଇଁ, ସେ ରୟତ ସ୍ୱରାଜ୍ୟ ବେଦିକା, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କୃଷକ ଅଧିକାର ପାଇଁ ଲଢୁଥିବା ସଂଗଠନଠାରୁ ୨,୦୦୦ଟଙ୍କାର ଅତିରିକ୍ତ ପାରିତୋଷିକ ମଧ୍ୟ ପାଇଛନ୍ତି ।

ସେ ଆଜି ପର୍ଯ୍ୟନ୍ତ ତେଲେଙ୍ଗାନା ସରକାରଙ୍କଠାରୁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପାଇନାହାନ୍ତି, ଯାହା ମୃତ ବ୍ୟକ୍ତିର ପରିବାରକୁ ଦିଆଯାଇଥାଏ ।

“ ପ୍ରାରମ୍ଭରେ ସେମାନେ (ଏମ୍‌.ଆର୍‌.ଓର ଅଧିକାରୀମାନେ] ମତେ କହିଲେ ଯେ ମୁଁ ଏକ୍ସ-ଗ୍ରାସିଆ ପାଇବି । ସେମାନେ ମତେ ବାରମ୍ବାର ଆସିବାକୁ କହିଲେ । ଶେଷରେ, ସେମାନେ କହିଲେ ଯେ [ ଡିସେମ୍ବର ୨୦୧୮] ସେମାନଙ୍କର ଅନୁସନ୍ଧାନରେ ଜଣା ପଡିଲା ଯେ ମୋର ସ୍ୱାମୀଙ୍କର ଏହି ଗ୍ରାମରେ କାହା ସହିତ ବିବାଦ ହୋଇଥିଲା । ଏଣୁ ଏହା ଆତ୍ମହତ୍ୟା ନୁହେଁ । ଆଉ ଏଥିପାଇଁ ମୋର ଫାଇଲ୍‌ ବନ୍ଦ କରିଦିଆଗଲା,” ବୋଲି ସାଗରିକା ପୂର୍ବକଥା ମନେ ପକାଇ କୁହନ୍ତି ।

'We eat only rice and pickles now,' says Sagarika, as prices have increased after the lockdown
PHOTO • Ramulu Beeram

‘ବର୍ତ୍ତମାନ ଆମେ କେବଳ ଭାତ ଓ ଆଚାର ଖାଉଛୁ, ଯେହେତୁ ତାଲାବନ୍ଦ ପରଠାରୁ ସବୁ ଜିନିଷର ମୂଲ୍ୟ ବଢି ଯାଇଛି

ହେଲେ, FIRରେ ବିବାଦ ବିଷୟରେ କିଛି ମଧ୍ୟ ଉଲ୍ଲେଖ କରାଯାଇନି ଓ ସାଗରିକା ଜୋର୍‌ ଦେଇ କୁହନ୍ତି ଯେ କେବେ ମଧ୍ୟ  କୌଣସି ବିବାଦ ହୋଇନଥିଲା । ଆତ୍ମହତ୍ୟା ପରେ କୌଣସି ଅଧିକାରୀ ମାମଲାର ସତ୍ୟତା ଯାଞ୍ଚ କରିବାକୁ ତାଙ୍କ ଘରକୁ ପରିଦର୍ଶନରେ ଆସିନାହାନ୍ତି । ପ୍ରତିଥର ସେ ଏମ୍‌.ଆର୍‌.ଓକୁ ଯାଉଥିଲେ, ଆଉ ତାଙ୍କ ମାମଲା କାହିଁକି ବନ୍ଦ କରାଗଲା ସେ ବିଷୟରେ ସେମାନେ ଭିନ୍ନ ଭିନ୍ନ କାରଣ ଦେଉଛନ୍ତି ।

ନଭେମ୍ବର ୨୦୧୯ରେ, ମାମଲା ବନ୍ଦ କରିବାର କାରଣ ଖୋଜି ବାହାର କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ, ସେ ଆର୍‌.ଟି.ଆଇ ( ସୂଚନା ଅଧିକାର) ଆବେଦନ ଜରିଆରେ ତାଙ୍କୁ ମିଳିବାକୁ ଥିବା ଅନୁକମ୍ପା ରାଶିର ସ୍ଥିତି ଜାଣିବାକୁ ଚାହିଁଥିଲେ । ଏହି କାମରେ  ରୟତ ସ୍ୱରାଜ୍ୟ ବେଦିକା ତାଙ୍କର ସହାୟତା କରିଥିଲା । ତାଙ୍କର ଆବେଦନ ଜନଗାଓଁରେ ଥିବା ଜିଲ୍ଲା ରେଭେନ୍ୟୁ କାର୍ଯ୍ୟାଳୟକୁ ଫେବୃଆରି ୨୦୨୦ରେ ପଠାଯାଇଥିଲା । ଆଜି ପର୍ଯ୍ୟନ୍ତ ସେ ଏହାର ଉତ୍ତର ପାଇନାହାନ୍ତି ।

ଆଉ ତା’ପରେ, ମାର୍ଚ୍ଚ ୨୫ଠାରୁ ଦେଶବ୍ୟାପୀ ତାଲାବନ୍ଦ ହେବା ପରେ, ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ, ସେ ତାଙ୍କ ପିଲାମାନଙ୍କୁ ନେଇ ଚିନ୍ତିତ ଅଛନ୍ତି । ସ୍ନେହିତାଙ୍କୁ ସେ ପଢୁଥିବା ଜନଗାଓଁ ଜିଲ୍ଲାର ଘରୋଇ ଆବାସିକ ବିଦ୍ୟାଳୟରୁ ଘରକୁ ପଠାଇ ଦିଆଯାଇଥିବା ବେଳେ, ସରକାରୀ ବିଦ୍ୟାଳୟରେ ପଢୁଥିବା ସାତ୍ୱିକ ମଧ୍ୟ ତାଲାବନ୍ଦ ପରଠାରୁ ଘରେ ରହୁଛି । “ପିଲାମାନେ ସବୁବେଳେ ଘର ବାହାରେ ରହୁଛନ୍ତି, ଖେଳୁଛନ୍ତି । ସେମାନେ ଧିରେ ଧିରେ ବିଶୃଙ୍ଖଳିତ ହେଲେଣି,” ବୋଲି ୧ମ  ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ସାଗରିକା କୁହନ୍ତି।

“ ଆଉ ପ୍ରାୟ ସମସ୍ତ ଜିନିଷର ମୂଲ୍ୟ ବୃଦ୍ଧି ହୋଇଛି (ତାଲାବନ୍ଦ ସହିତ)। ପୂର୍ବରୁ ୧୦ଟଙ୍କାରେ ମିଳୁଥିବା କ୍ଷୀର ପ୍ୟାକେଟ୍‌ ଏବେ ୧୨ଟଙ୍କାରେ ମିଳୁଛି । ପନିପରିବା କିଣିବା ମୋ ପାଇଁ କଷ୍ଟକର ହୋଇଗଲାଣି । ଆମେ ଏବେ କେବଳ ଭାତ ଓ ଆଚାର ଖାଉଛୁ। ସନ୍ଧ୍ୟାରେ, ପିଲାମାନେ ଯଦି କୁହନ୍ତି, ତାହାହେଲେ ସେମାନଙ୍କୁ କିଛି ଖାଇବାକୁ ଦେଇଥାଏ । ଯଦି ସେମାନେ କୁହନ୍ତି ଯେ, ‘ମତେ ଭୋକ ଲାଗୁଛି, ତାହାହେଲେ ଯାଇ । ନଚେତ୍‌ ଆମେ ସେମିତି ଶୋଇପଡୁ ।’’

ଜୁନ୍‌ ଓ ଡିସେମ୍ବର ୨୦୨୦ ମଧ୍ୟରେ ଟେଲିଫୋନ୍‌ ମାଧ୍ୟମରେ କରାଯାଇଥିବା ସାକ୍ଷାତ ଆଧାରରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି ।

ରିପୋର୍ଟର ହାଇଦ୍ରାବାଦ୍‌ରେ ରହୁଥିବା ରୟତ ସ୍ୱରାଜ୍ୟ ବେଦିକାର ଲକ୍ଷ୍ମୀ ପ୍ରିୟଙ୍କା ବୋଲ୍ଲାଭରମ୍‌ ଓ ସ୍ନାତକୋତ୍ତର ଛାତ୍ର ବିନିତ୍‌ ରେଡ୍ଡିଙ୍କୁ କାହାଣୀ ପ୍ରସ୍ତୁତ କରିବାରେ ସହାୟତା କରିଥିବାରୁ ଧନ୍ୟବାଦ ଜଣାଉଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Riya Behl is Senior Assistant Editor at People’s Archive of Rural India (PARI). As a multimedia journalist, she writes on gender and education. Riya also works closely with students who report for PARI, and with educators to bring PARI stories into the classroom.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE