ଦଶ ବର୍ଷୀୟା ନୂତନ ବ୍ରାହ୍ମଣେ ଏହା ଜାଣିବା ଲାଗି ଉତ୍ସୁକ ଥିଲେ ଯେ ତାଙ୍କର ଜେଜେମା ଆନ୍ଦୋଳନ ଶୋଭାଯାତ୍ରା ସହିତ ମୁମ୍ବାଇ କାହିଁକି ଯାଉଛନ୍ତି। ସେଥିପାଇଁ ଜୀଜାବାଇ ବ୍ରାହ୍ମଣେ ତାଙ୍କୁ ନିଜ ସହିତ ନେବା ଲାଗି ନିଷ୍ପତ୍ତି ନେଲେ। “ମୁଁ ଏହାକୁ ସାଥୀରେ ନେଇ ଆସିଛି ଯାହାଫଳରେ ସେ ଆଦିବାସୀଙ୍କ ଦୁଃଖ ଓ ସମସ୍ୟାଗୁଡ଼ିକୁ ବୁଝିପାରିବ”, ୨୬ ଜାନୁଆରୀରେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଟାଣ ଖରାରେ ବସିଥିବା ଜୀଜାବାଇ କହିଥିଲେ।

“ଆମେ ଏଠାକୁ ଦିଲ୍ଲୀରେ (ତିନୋଟି କୃଷି ଆଇନ ବିରୋଧରେ) ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରିବା ଲାଗି ଆସିଛୁ। କିନ୍ତୁ ଆମେ କିଛି ସ୍ଥାନୀୟ ଦାବି ସମ୍ପର୍କରେ ଧ୍ୟାନ ଆକର୍ଷଣ କରିବା ଲାଗି ଚାହୁଁଛୁ”, ୬୫ ବର୍ଷୀୟା ଜୀଜାବାଇ କହିଥିଲେ, ଯିଏକି ୨୫-୨୬ ଜାନୁଆରୀରେ ନୂତନଙ୍କ ସହିତ ଆଜାଦ୍ ମୈଦାନରେ ଥିଲେ।

ସେମାନେ ୨୩ ଜାନୁଆରୀରେ ନାସିକରୁ ଯାତ୍ରା କରିଥିବା ଚାଷୀମାନଙ୍କର ଦଳ ସହିତ ନାସିକ ଜିଲ୍ଲାର ଅମ୍ବେଭାନି ଗ୍ରାମରୁ ଏଠାକୁ ଆସିଥିଲେ।

ବହୁ ଦଶନ୍ଧି ଧରି, ଜୀଜାବାଇ ଓ ତାଙ୍କର ସ୍ୱାମୀ ୭୦ ବର୍ଷୀୟ ଶ୍ରବଣ-ଏମାନେ କୋଲି ମହାଦେବ ଆଦିବାସୀ ସମ୍ପ୍ରଦାୟର-ଡିଣ୍ଡୋରୀ ତାଲୁକାରେ ଥିବା ନିଜ ଗ୍ରାମରେ ପାଞ୍ଚ ଏକର ଜଙ୍ଗଲ ଜମିରେ ଚାଷ କରି ଆସୁଛନ୍ତି। ସେମାନଙ୍କୁ ୨୦୦୬ରେ ଜଙ୍ଗଲ ଅଧିକାର ଆଇନ ପାରିତ ହେବା ପରେ ଜମି ମାଲିକ ଅଧିକାର ମିଳିବାର ଥିଲା। “କିନ୍ତୁ ଆମକୁ ନିଜ ନାମରେ ଗୋଟିଏ ଏକରରୁ ମଧ୍ୟ କମ୍ ଜମି ମିଳିଲା, ଯେଉଁଥିରେ ଆମେ ଧାନ, ଗହମ, ବିରି ଓ ହରଡ଼ ଚାଷ କରିଥାଉ”, ସେ କହିଥିଲେ। “ବାକି (ଜମି) ବନ ବିଭାଗ ଅଧୀନରେ ରହିଛି ଏବଂ ଯଦି ଆମେ ସେହି ଭୂଖଣ୍ଡ ନିକଟକୁ ଯାଇଥାଉ ତା’ହେଲେ ଅଧିକାରୀମାନେ ଆମକୁ ସମସ୍ୟାରେ ପକାଇଥାନ୍ତି।”

ମୁମ୍ବାଇରେ ଗଣତନ୍ତ୍ର ଦିବସରେ ଆନ୍ଦୋଳନ କରିବା ଲାଗି ନୂତନଙ୍କ ପିତା, ଜୀଜାବାଇଙ୍କ ପୁଅ, ସଞ୍ଜୟ ଖୁବ ସହଜରେ ନିଜ ଝିଅକୁ ତା’ର ଜେଜେମା’ଙ୍କ ସହିତ ପଠାଇବା ଲାଗି ରାଜି ହୋଇଯାଇଥିଲେ। “ସେ ୨୦୧୮ରେ ‘ କୃଷକମାନଙ୍କର ଲମ୍ବା ପଦଯାତ୍ରା’ରେ ଆସିବାକୁ ଚାହୁଁଥିଲେ, ଯେଉଁଥିରେ ଆମେ ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଲୁ। କିନ୍ତୁ ସେତେବେଳେ ସେ ଖୁବ ଛୋଟ ଥିଲେ। ମୁଁ ନିଶ୍ଚିତ ନଥିଲି ଯେ ସେ ଏତିକି ଦୂର ପାଦରେ ଚାଲିପାରିବ ବୋଲି। ଆଜି ସେ ବେଶ ବଡ଼ ହୋଇସାରିଛି ଏବଂ ଅଧିକ ବାଟ ଚାଲିବାକୁ ମଧ୍ୟ ପଡ଼ିବ ନାହିଁ”, ଜୀଜାବାଇ କହିଥିଲେ।

Left: The farmers from Nashik walked down Kasara ghat on the way to Mumbai. Right: Nutan Brahmane and Jijabai (with the mask) at Azad Maidan
PHOTO • Shraddha Agarwal
Left: The farmers from Nashik walked down Kasara ghat on the way to Mumbai. Right: Nutan Brahmane and Jijabai (with the mask) at Azad Maidan
PHOTO • Riya Behl

ବାମ : ନାସିକର କୃଷକମାନେ ମୁମ୍ବାଇ ଯାଇଥିବା ରାସ୍ତାର କସାରା ଘାଟଠାରୁ ପାଦରେ ଚାଲି ଚାଲି ଗଲେ। ଡାହାଣ : ନୂତନ ବ୍ରାହ୍ମଣେ ଏବଂ ଜୀଜାବାଇ (ମାସ୍କ ସହିତ) ଆଜାଦ୍ ମୈଦାନରେ

ଜିଜାବାଇ ଓ ନୂତନ ନାସିକର ଦଳ ସହିତ ଟ୍ରକ ଏବଂ ଟେମ୍ପୋରେ ଯାତ୍ରା କରିଥିଲେ-କସାରା ଘାଟର ୧୨ କିମି ଭାଗକୁ ଛାଡ଼ି, ଯେଉଁଠି ସମସ୍ତ ଲୋକ ଗାଡ଼ିରୁ ଓହ୍ଲାଇ ଶକ୍ତି ପ୍ରଦର୍ଶନ କରିବା ଭଳି ପାଦରେ ଚାଲି ଚାଲି ଗଲେ। “ମୁଁ ମଧ୍ୟ ନିଜ ଜେଜେମା’ଙ୍କ ସହିତ ପାଦରେ ଚାଲି ଚାଲି ଗଲି”, ନୂତନ ଲାଜ କରି ହସି ହସି କହିଥିଲେ। “ମୁଁ ବିଲକୁଲ ଥକି ନାହିଁ”, ସେ ନାସିକରୁ ଆଜାଦ ମୈଦାନ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ପାଖାପାଖି ୧୮୦ କିମି ଦୂରତା ଅତିକ୍ରମ କରିସାରିଥିଲେ।

“ସେ ଥରେ ହେଲେ କାନ୍ଦିଲେ ନାହିଁ ଏବଂ ଦୁଷ୍ଟାମି ମଧ୍ୟ ଦେଖାଇଲେ ନାହିଁ। ବରଂ, ମୁମ୍ବାଇରେ ପହଞ୍ଚିବା ପରେ ସେ ଆହୁରି ଅଧିକ ଉତ୍ସାହିତ ହୋଇପଡ଼ିଲେ”, ଜୀଜାବାଇ ନୂତନର ମଥାକୁ ଗର୍ବର ସହକାରେ ଆଉଁଷି ଦେଇ କହିଥିଲେ। “ଆମେ ଯାତ୍ରା ନିମନ୍ତେ ଭାଖରୀ ଏବଂ କଞ୍ଚା ଲଙ୍କା ଚଟଣୀ ନେଇ ଆସିଥିଲୁ। ସେତିକି ଆମ ପାଇଁ ଯଥେଷ୍ଟ ଥିଲା”, ସେ କହିଥିଲେ।

କୋଭିଡ-୧୯ ମହାମାରୀ କାରଣରୁ ଅମ୍ବେବାନୀରେ ନୂତନର ସ୍କୁଲ ବନ୍ଦ କରି ଦିଆଯାଇଥିଲା। ପରିବାର ପାଖରେ ସ୍ମାର୍ଟଫୋନ ନାହିଁ, ସେଥିପାଇଁ ଅନଲାଇନ ପାଠପଢ଼ା ସମ୍ଭବ ନଥିଲା। “ମୁଁ ଭାବିଲି ଏହା ନୂତନ ପାଇଁ ଶିଖିବା ଲାଗି ଏକ ଭଲ ଅନୁଭୂତି ହେବ”, ଜୀଜାବାଇ କହିଥିଲେ।

“ମୁଁ ଜାଣିବାକୁ ଚାହୁଁଥିଲି ଯେ ଏହା କେତେ ବଡ଼”, ନୂତନ କହିଥିଲେ, ଯିଏକି ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି ଏବଂ ସବୁବେଳେ ମୁମ୍ବାଇ ଆସିବାକୁ ଚାହୁଁଥିଲେ। “ମୁଁ ଫେରିବା ପରେ ମୋର ସାଙ୍ଗମାନଙ୍କୁ ଏସବୁ ବିଷୟରେ ସବୁକିଛି କହିବି”।

ନୂତନ ଏବେ ଜାଣନ୍ତି ଯେ ତାଙ୍କର ଜେଜେମା’ ବହୁବର୍ଷ ଧରି ଜମି ଅଧିକାର ପାଇଁ ଦାବି କରି ଆସୁଛନ୍ତି। ସେ ଏହା ମଧ୍ୟ ଜାଣନ୍ତି ଯେ ତାଙ୍କର ମାତାପିତା, ଯିଏକି କୃଷି ଶ୍ରମିକ ଭାବେ କାମ କରିଥାନ୍ତି, ସେମାନଙ୍କ ଲାଗି ଗାଁରେ ପର୍ଯ୍ୟାପ୍ତ କାମ ନାହିଁ। ସେ ସେପ୍ଟେମ୍ବର ୨୦୨୦ରେ ମୋଦୀ ସରକାରଙ୍କ ଦ୍ୱାରା ପାରିତ ତିନୋଟି କୃଷି ଆଇନ ବିଷୟରେ ଜାଣିବା ଲାଗି ଚେଷ୍ଟା କରୁଛନ୍ତି, ଯାହା ବିରୋଧରେ ସାରା ଦେଶରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି।

Nutan (left) had always wanted to see Mumbai. Jijabai (right) bring her along to the protest "so she would understand the sorrows and problems of Adivasis"
PHOTO • Riya Behl
Nutan (left) had always wanted to see Mumbai. Jijabai (right) bring her along to the protest "so she would understand the sorrows and problems of Adivasis"
PHOTO • Riya Behl

ନୂତନ (ବାମ) ସବୁବେଳେ ମୁମ୍ବାଇ ଦେଖିବା ଲାଗି ଚାହୁଁଥିଲେ। ଜୀଜାବାଇ (ଡାହାଣ) ତାଙ୍କୁ ଆନ୍ଦୋଳନକୁ ନେଇ ଆସିଲେ ‘ଯାହାଫଳରେ ସେ ଆଦିବାସୀଙ୍କ ଦୁଃଖ ଓ ସମସ୍ୟାକୁ ବୁଝିପାରିବେ’

ଏହି ତିନୋଟି ଆଇନ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଏଗୁଡ଼ିକୁ ପ୍ରଥମେ ପ୍ରଥମେ ଜୁନ ୫, ୨୦୨୦ ରେ ପ୍ରଥମେ ଅଧ୍ୟାଦେଶ ରୂପରେ ଅଣାଯାଇଥିଲା। ଏହାପରେ ଏଗୁଡ଼ିକୁ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ଅତ୍ୟନ୍ତ ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା।

ଏହିସବୁ ଆଇନ ସେମାନଙ୍କର ଜୀବିକା ପାଇଁ ବିନାଶକାରୀ ହେବ ବୋଲି ଚାଷୀମାନେ ଭାବୁଛନ୍ତି, କାରଣ ଏହା ବଡ଼ କର୍ପୋରେଟମାନଙ୍କୁ ଚାଷୀ ଓ ଚାଷ ତୁଳନାରେ ଅଧିକ କ୍ଷମତା ଦେବ । “ଆମେ କୃଷି କ୍ଷେତ୍ରରେ ଅଧିକ ବଡ଼ କମ୍ପାନୀଗୁଡ଼ିକର ପ୍ରବେଶ ଚାହୁଁନା। ସେମାନେ ଆମର ହିତ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ”, ଜୀଜାବାଇ କହିଥିଲେ।

ଏହି ନୂଆ ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ଚାଷୀଙ୍କୁ ସହାୟତାର ପ୍ରମୁଖ ଆଧାରଗୁଡ଼ିକୁ ଅଣଦେଖା କରିବ। ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

କୃଷକ ବିରୋଧୀ ନୀତି ବିରୋଧରେ ନିଜର ପ୍ରତିବାଦ ବ୍ୟକ୍ତ କରିବା ଲାଗି ଚାଷୀମାନେ ରାସ୍ତାକୁ ଓହ୍ଲାଇବା ଆବଶ୍ୟକ, ଜୀଜାବାଇ କହିଥିଲେ। “ବିଶେଷ କରି ମହିଳାମାନଙ୍କୁ”, ସେ ଭାରତର ପ୍ରଧାନ ବିଚାରପତି ଶରଦ ବୋବଡେଙ୍କ ପ୍ରଶ୍ନ ବିଷୟରେ ଉଲ୍ଲେଖ କରି କହିଥିଲେ, “ବୟସ୍କ ଓ ମହିଳାମାନଙ୍କୁ ଆନ୍ଦୋଳନସ୍ଥଳୀରେ କାହିଁକି ରଖାଯାଇଛି?”

“ମୁଁ ମୋର ସାରା ଜୀବନ ଚାଷଜମିରେ ବିତାଇଛି”, ଜୀଜାବାଇ କହିଥିଲେ। “ଏବଂ ମୋର ସ୍ୱାମୀ ଯେତିକି କାମ କରିଛନ୍ତି ମୁଁ ମଧ୍ୟ ସେତିକି କାମ କରିଛି।”

ନୂତନ ଯେବେ ତାଙ୍କ ସହିତ ମୁମ୍ବାଇ ଆସିବା ଲାଗି କହିଥିଲା, ସେ ଖୁସି ହୋଇଯାଇଥିଲେ। “ଅଳ୍ପ ବୟସରେ ଏସବୁ କଥାକୁ ବୁଝିବା ଲାଗି ତା ପାଇଁ ଜରୁରି ଥିଲା। ମୁଁ ତା’କୁ ଏକ ସ୍ୱାଧୀନ ମହିଳାରେ ପରିଣତ କରିବାକୁ ଚାହେଁ।”

ଅନୁବାଦ - ଓଡ଼ିଶାଲାଇଭ୍‍

Reporter : Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Photographer : Riya Behl

Riya Behl is a Content Coordinator at the People’s Archive of Rural India.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE