html କ୍ଷୁଧାର ଦୀର୍ଘ ସମୟ ପରେ...

ତାଙ୍କ ଘର ବାହାରେ ବାସନ ମାଜୁଥିବା ଜଣେ ମହିଳାଙ୍କୁ ମୁଁ ପଚାରିଲି ଏହା କଣ ଗୁଣଧର ନାୟକଙ୍କ ଘର।

ଜବାବରେ ସେ କହିଲେ, “ତୁମେ କେଉଁଠାରୁ ଆସିଛ, ଏଠି ତୁମର କଣ ଦରକାର?”

ମୁଁ ବୁଝାଇବାକୁ ଚେଷ୍ଟା କଲି ଯେ ମୁଁ ଖରିଆରର ଜଣେ ସାମ୍ବାଦିକ, ଯିଏ କି ଅତୀତରେ ଗୁଣଧରଙ୍କ ସମ୍ପର୍କରେ ଆଲେଖ୍ୟ ଲେଖିଥିଲି। ସେ କିପରି ଅଛନ୍ତି ତାହା ଜାଣିବାକୁ ଆସିଛି।

ମହିଳା ଜଣକ ମୋତେ ଖୁବ୍ ନିରେଖି ଚାହିଁଲେ, ଏବଂ ପଚାରିଲେ “ଆପଣ କ’ଣ ଠାକୁରଜୀ,” ମୁଁ ହଁ କହିଲି। ଏବେ ସେ ମୋତେ ଚିହ୍ନିପାରିଥିବାରୁ ଖୁସି ହେଲି।

୧୯୯୬-୯୭ରେ ମୁଁ ଓଡିଶାର ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍‌ରେ ଥିବା ବାର୍ଲାବାହାଳି ଗାଁକୁ ବହୁଥର ଯାଇଥିଲି। ପ୍ରାୟ ଦୁଇ ଦଶନ୍ଧିର ବ୍ୟବଧାନ ପରେ ମୁଁ ପୁଣି ଥରେ ସେଠାକୁ ଆସିଥିଲି।  

୧୯୯୬ରେ ବଲାଙ୍ଗୀର, ନୂଆପଡା ଓ ପଶ୍ଚିମ ଓଡିଶାର ଅନ୍ୟ ଜିଲ୍ଲା ଗୁଡିକରେ ଭୟଙ୍କର ମରୁଡି ପଡିଥିଲା। ଏଥିଯୋଗୁଁ ଲୋକମାନେ ଅନାହାରରେ ପ୍ରାଣ ହରାଇଲେ, ଅନେକ ଆନ୍ଧ୍ରପ୍ରଦେଶର ଇଟ୍ଟାଭାଟିରେ କାମ କରିବାକୁ ସ୍ଥାନାନ୍ତରିତ ହୋଇଗଲେ, ଦୁଃଖର କଥା ହେଲା ଏହା ସେହି ଅଞ୍ଚଳ ପାଇଁ କିଛି ନୂଆ କଥା ନ ଥିଲା। ସେ ସମୟରେ ପ୍ରତି ୨-୩ ବର୍ଷରେ ମରୁଡି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲା।  

୩୨ ବର୍ଷୀୟା ଆଦିବାସୀ ମହିଳା ବେଲମତି ନାୟକ ଓରଫ ଘାମେଲା ବାର୍ଲାବାହାଳିର ପ୍ରାୟ ୩୦୦ ବାସିନ୍ଦାଙ୍କ ମଧ୍ୟରୁ ଜଣେ। ତାଙ୍କ ସ୍ୱାମୀ ଜଣେ କୃଷି ଶ୍ରମିକ ଥିଲେ, ଦୁଇ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଘାମେଲା ଗୋଟିଏ ଋଣ ସୁଝିବା ପାଇଁ ତାଙ୍କର ଥିବା ଛୋଟିଆ ଜଣି ଖଣ୍ଡିଏକୁ ଦେଇ ଦେବାକୁ ବାଧ୍ୟ ହେଲେ। ସେ ଦିନ ମଜୁରିଆ ଭାବେ କାମ କଲେ। କିନ୍ତୁ ମରୁଡି ପରେ ଗାଁରେ କିଛି କାମ ମିଳୁ ନ ଥିଲା। ତାଙ୍କର ୬ ବର୍ଷର ପୁଅ ଗୁଣଧର ଓ ସେ ଅନାହାରରେ ରହୁଥିଲେ। ସ୍ଥାନୀୟ ଲୋକମାନେ କହନ୍ତି, ସେମାନେ ଘାମେଲାଙ୍କ ପରିସ୍ଥିତି ନେଇ ତାଙ୍କର ମୃତ୍ୟୁ ପୂର୍ବରୁ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ଜଣାଇଥିଲେ। କିନ୍ତୁ ସରକାରୀ ଅଧିକାରୀମାନେ କିଛି କଲେ ନାହିଁ।

୧୫ ଦିନ ଧରି ଅନାହାରରେ ରହିବା ପରେ ସେପ୍ଟେମ୍ବର ୬, ୧୯୯୬ରେ ଘାମେଲାଙ୍କର ମୃତ୍ୟୁ ହେଲା। ତାଙ୍କ ପୁଅ ଘାମେଲାଙ୍କ ଶବ ନିକଟରେ ବସି କାନ୍ଦୁଥିବା ପଡୋଶୀମାନେ ବହୁ ସମୟ ପରେ ଦେଖିଥିଲେ।

ଏହି ଅନାହାର ଜନିତ ମୃତ୍ୟୁ ଓ ତା ପର ଘଟଣା ସମ୍ପର୍କରେ ମୋର ଆଲେଖ୍ୟ ୧୯୯୬ ଅକ୍ଟୋବରରେ ଦୈନିକ ଭାସ୍କରରେ ପ୍ରକାଶିତ ହୋଇଥିଲା। ଏହା ପରେ ସ୍ଥାନୀୟ ସାମାଜିକ କର୍ମୀ ଓ କେତେକ ବିରୋଧୀ ଦଳର ନେତା ସେହି ଗାଁକୁ ଗସ୍ତ କଲେ ଏବଂ ପ୍ରସଙ୍ଗ ଉଠାଇଲେ। ମାନବାଧିକାର କମିସନଙ୍କ ସଦସ୍ୟମାନେ ମଧ୍ୟ ଗାଁକୁ ଯାଇଥିଲେ ଏବଂ ଏହା ଅନାହାର ଜନିତ ମୃତ୍ୟୁ ବୋଲି ରିପୋର୍ଟ ଦେଇଥିଲେ। ରାଜନେତା, ବ୍ଲକ୍ ଉନ୍ନୟନ ଅଧିକାରୀ, ଜିଲ୍ଲାପାଳ ଓ ଜିଲ୍ଲା ମାଜଷ୍ଟେ୍ରଟ୍ ମଧ୍ୟ ସେହି ଗାଁକୁ ଯାଇଥିଲେ। ଏମିତିକି ତକ୍ରାଳୀନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡାଙ୍କ ମରୁଡି  ପ୍ରବଣ ଅଞ୍ଚଳ ଗସ୍ତ ସୂଚୀରେ ଏହି ଗାଁକୁ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ତାହା ହୋଇନଥିଲା।

PHOTO • Purusottam Thakur

ଅକ୍ଟୋବର ୧୯୯୬ରେ ଘାମେଲାଙ୍କର ଅନାହାର ମୃତ୍ୟୁ ଏବଂ ତାଙ୍କ ଅନାଥ ପୁଅ ଗୁଣଧର ସମ୍ପର୍କରେ ‘ଦୈନିକ ଭାସ୍କର’ରେ ପ୍ରକାଶିତ ଆଲେଖ୍ୟ।

ସେହି ଗାଁକୁ ଆସିଥିବା ଅଧିକାରୀମାନଙ୍କୁ ଗ୍ରାମବାସୀମାନେ କହିଲେ ଯେ, ସେମାନେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ହିଁ ଚାହୁଁଛନ୍ତି। ଗାଁର ନେତାମାନେ କହିଲେ, ଯେତେବେଳେ ସେମାନେ ତାଙ୍କର ଏହି ଦାବି ଉଠାଇଲେ, ସେତେବେଳେ ଜିଲ୍ଲା ମାଜିଷ୍ଟେ୍ରଟ୍ ସେମାନଙ୍କୁ ଚେତାବନୀ ଦେଲେ ଯେ ରାଜନୀତି କରନାହିଁ ବା ଆନ୍ଦୋଳନକୁ ଦୀର୍ଘ କରନାହିଁ, ନଚେତ୍ ଗାଁକୁ ମିଳୁଥିବା କେତେକ ସୁବିଧା(ରାସନ କାର୍ଡ ଭଳି) ପ୍ରତ୍ୟାହାର କରିନିଆଯିବ।

ମାଙ୍କର ମୃତ୍ୟୁ ପରେ ଗୁଣଧର ଖୁବ୍ ଦୁର୍ବଳ ହୋଇପଡିଥିଲା, ସ୍ଥାନୀୟ ପଞ୍ଚାୟତର ନେତାମାନେ ପିଲାଟିକୁ ନଅ କିଲୋମିଟର ଦୂରରେ ଥିବା ଖରିଆର ମିସନ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ସେ ଗୁରୁତର ଅପପୁଷ୍ଟିର ଶିକାର ଏବଂ ମାଲେରିଆ ଆକ୍ରାନ୍ତ ବୋଲି ଜଣାପଡିଲା। ସେ ଗୁରୁତର ଭାବେ ଅସୁସ୍ଥ ଥିଲା, କିନ୍ତୁ ସେ ବଞ୍ଚିଗଲା।

ସୁସ୍ଥ ହେବା ପରେ ଗୁଣଧରକୁ ପୁଣି ଗାଁକୁ ପଠାଇ ଦିଆଗଲା। ଏହି ଖବରକୁ କଭର କରିବା ପାଇଁ ଜାତୀୟ ଗଣମାଧ୍ୟମ ଆସିଥିଲେ। ଜିଲ୍ଲା ପ୍ରଶାସନ ତାକୁ ୫,୦୦୦ ଟଙ୍କା ମଂଜୁର କରିଥିଲା, ଏଥିମଧ୍ୟରୁ ୩,୦୦୦ ଟଙ୍କାର ଗୋଟିଏ ଫିକ୍ସଡ୍ ଡିପୋଜିଟ୍ ଏବଂ ସଞ୍ଚୟ ଖାତାରେ ୨,୦୦୦ ଟଙ୍କା ଥିଲା। ଏତିକି କରି ପ୍ରଶାସନ ଏହି ଅନାଥଙ୍କ ପ୍ରତି ନିଜ ଦାୟିତ୍ୱ ସାରିଦେଲା।

ତା ପରେ ଗୁଣଧରର କଣ ହେଲା ୧୯ ବର୍ଷ ଧରି ସେ ବିଷୟରେ ମୁଁ ଜାଣିବାକୁ ଚାହୁଁଥିଲି।

ଘାମେଲାଙ୍କ ସ୍ୱାମୀଙ୍କର ପୂର୍ବ ବିବାହରୁ ଗୋଟିଏ ପୁଅ ଥିଲା, ଯାହାର ନାଁ ହେଲା ସୁଶୀଲ। ଯେତେବେଳେ ତାଙ୍କର ମୃତ୍ୟୁ ହେଲା, ସୁଶୀଲକୁ ୨୦ ବର୍ଷ ବୟସ ହୋଇଥିଲା, ସେ ଖରିଆର-ଭବାନୀପାଟଣା ରାସ୍ତାରେ ଗୋଟିଏ ରାସ୍ତା ନିର୍ମାଣ କାମରେ କାମ କରୁଥିଲା।

ପଡୋଶୀମାନେ କହିଲେ ଯେ ଗୁଣଧର ଏବେ ବାର୍ଲାବାହାଳିଠାରୁ ପ୍ରାୟ ପାଞ୍ଚ କିମି ଦୂର ତୁକଲା ଗାଁରେ ଥିବା ପପୁ ରାଇସ୍ ମିଲ୍‌ରେ କାମ କରୁଛି। ସେ କହିଲେ ତାର ଶ୍ୱଶୁର ଘର ଲୋକେ ତୁକଲାରେ ରହନ୍ତି, ଏବେ ତାର ଗୋଟିଏ ଦୁଇ ମାସର ଶିଶୁ ପୁତ୍ର ବି ଅଛି। ତାର ସାବତ ଭାଇ ନିକଟସ୍ଥ ଜମିରେ ହଳିଆ(ହେଲପର) ଭାବେ କାମ କରୁଛି।

ବିଲର ହିଡ ଉପର ଦେଇ ମୁଁ ମୋ ମୋଟର ସାଇକେଲରେ ଯାଉ ଯାଉ ସେହି ଜମିକୁ ଦେଖିଲି ସୁଶୀଲ ଯେଉଁଠି ସୁଶୀଲ ତା ମାଲିକର ଜମି ହଳ କରୁଥିଲା। ତାଙ୍କ ପାଖରେ ତାଙ୍କର ତିନି ଜଣ ଝିଅ ଓ ଜଣେ ପୁଅ ଥିଲେ। ଗୁଣଧରଙ୍କ ମା’ଙ୍କ ମୃତ୍ୟୁ ସମୟରେ ଯେତେବେଳେ ମୋର ସୁଶୀଲ, (ବର୍ତ୍ତମାନ ୪୦ ବର୍ଷ)ଙ୍କ ସହ ଦେଖା ହୋଇଥିଲା, ସେ ଅବିବାହିତ ଥିଲେ। ସେ ମୋତେ ଚିହ୍ନିପାରି ନଥିଲେ। କିନ୍ତୁ ମୁଁ ଲେଖିଥିବା ଗପଗୁଡ଼ିକ ବିଷୟରେ ତାଙ୍କୁ ମନେପକାଇଦେବାରୁ ସେ ମୋତେ ଚିହ୍ନିପାରିଲେ, ତାଙ୍କର ମନେପଡ଼ିଲା।

ସୁଶୀଲ ମାସକୁ ୪ ,୦୦୦ ଟଙ୍କା ବା ଦିନକୁ ୧୩୦ ଟଙ୍କା ହିସାବରେ ମଜୁରୀ ପାଉଥିଲା, ଯେଉଁଥିରେ ତାର ପରିବାର ଚଳୁଥିଲା। ତା ପିଲାମାନଙ୍କର ମଧ୍ୟରୁ କେତେକଙ୍କର ପୋଷାକ ପତ୍ର ଥିଲା, ଆଉ କେତେଜଣଙ୍କର ନ ଥିଲା। ସେମାନଙ୍କର ଦାରିଦ୍ର୍ୟ ସ୍ପଷ୍ଟ ଭାବେ ଜଣାପଡୁଥିଲା।

ଗୁଣଧରକୁ ଭେଟିବା ପାଇଁ ମୁଁ ତୁକଲା ଅଭିମୁଖେ ବାହାରିଲି। ପପୁ ରାଇସ୍ ମିଲ୍ ନିକଟରେ ମୁଁ ତାର ମାଲିକ ପପୁକୁ ଭେଟିଲି, ସେ ମୋତେ କହିଲେ ଯେ ଗୁଣଧର ସେଦିନ ତାଙ୍କ ଗାଁକୁ ଯାଇଛି। ମୁଁ ତାଙ୍କର ଶ୍ୱଶୁର ଘରକୁ ଗଲି, ଯେଉଁଠାରେ ତାଙ୍କ ପତ୍ନୀ ରଶ୍ମୀତାଙ୍କୁ ଭେଟିଲି। ସେ ତାଙ୍କର ଛୋଟ ପୁଅ ଶୁଭମକୁ ଧରିଥିଲେ। ତାଙ୍କ ସ୍ୱାମୀ ଘର ସଫା କରିବାକୁ ବହୁ ଦିନ ହେଲା ବାର୍ଲାବାହାଳି ଯାଇଛନ୍ତି ବୋଲି ସେ କହିଲେ।

Top: Gundhar's wife Rashmita (standing, left), his sister-in-law, and parents-in-law outside their house in Tukla village
PHOTO • Purusottam Thakur
PHOTO • Purusottam Thakur

ତୁକଲା ଗାଁରେ ତାଙ୍କ ଘର ଆଗରେ ଗୁଣଧରଙ୍କ ସ୍ତ୍ରୀ ରଶ୍ମୀତା(ବାମରେ ଛିଡା ହୋଇଛନ୍ତି), ତାଙ୍କର ଶାଳୀ ଏବଂ ଶାଶୂ ଶ୍ୱଶୁର ଛିଡା ହୋଇଛନ୍ତି। ତଳେ ରଶ୍ମିତା ଓ ତାଙ୍କ ପୁଅ ଶୁଭମ।

ମୁଁ ପୁଣି ବାର୍ଲାବାହାଳିକୁ ଫେରିଲି। ଗୁଣଧର ପ୍ରକୃତରେ ଘରେ ଥିଲେ। ସେ ହସି ମୋତେ ସ୍ୱାଗତ କଲେ। ସେହି ୬ ବର୍ଷର ପିଲାଟି ଏବେ ଜଣେ ଯୁବକ, ସ୍ୱାମୀ ଓ ବାପା ହୋଇସାରିଥିଲା। ତଥାପି ତାଙ୍କ ଭିତରେ ସେହି ନିରୀହପଣ ଥିଲା। ଏବଂ ପିଲାଦିନର ସେହି ଅପପୁଷ୍ଟି ଓ ଦୁର୍ବଳତାରୁ ସେ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇ ନ ଥିଲେ।

କାଦୁଅ ଓ ଟାଇଲରେ ତିଆରି ସେହି ଘରଟି ପ୍ରାୟ ସେହି ପ୍ରକାରର ଥିଲା। ଗୁଣଧରଙ୍କ ପରିବାର ଗୋଟିଏ କୋଠରୀରେ ରହୁଥିଲେ, ଏବଂ ଅନ୍ୟଟିରେ ସୁଶୀଲଙ୍କ ପରିବାର ରହୁଥିଲେ। ପିଲା ଜନ୍ମ ପାଇଁ ସେ ଶ୍ୱଶୁର ଘରେ ରହୁଛନ୍ତି, ଖୁବ୍ ଶୀଘ୍ର ବାର୍ଲାବାହାଳି ଫେରିବେ  ବୋଲି ଗୁଣଧର କହିଲେ।
PHOTO • Purusottam Thakur

ବାର୍ଲାବାହାଳି ଗାଁରେ ସୁଶୀଲଙ୍କ ଘରେ ତାଙ୍କର ଦୁଇଟି ପିଲା ଓ ପରିବାର।

ତୁମେ ପଛ କଥା କେତେ ମନେ ରଖିଛ ବୋଲି ମୁଁ ଗୁଣଧରଙ୍କୁ ପଚାରିଲି।

ସେ କହିଲେ, “ମୋ ବାପା ମା କେବେ ବି ଭଲରେ ନ ଥିଲେ କାରଣ ସେମାନେ ଅନାହାରରେ ରହୁଥିଲେ ବୋଲି ମୋର ମନେ ଅଛି। ମୋ ମାଙ୍କୁ ଜ୍ୱର ହୋଇଥିଲା, ବହୁ ଦିନ ଧରି ଅନାହାରରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।”

ଯେତେବେଳେ ସେ ଡାକ୍ତରଖାନାରୁ ଘରକୁ ଫେରିଲେ, ମୋ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ହୋଇଥିବା ପ୍ରସାର ଫଳରେ ପ୍ରଶାସନ ତାଙ୍କୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଗୋଟିଏ ସ୍ଥାନୀୟ ଆଶ୍ରମ(ଆବାସିକ) ସ୍କୁଲରେ ନାମ ଲେଖାଇ ଦେଲେ।

ଗୁଣଧର କହିଲେ, “ମୁଁ ୨ୟ ବା ୩ୟ ଶ୍ରେଣୀ ଯାଏଁ ପଢିଲି, କିନ୍ତୁ ଯେତେବେଳେ ଖରା ଛୁଟିରେ ଘରକୁ ଆସୁଥିଲି, ସେତେବେଳେ ଖାଇବାକୁ ମିଳିବା କଷ୍ଟକର ହେଉଥିଲା। ତେଣୁ ମୁଁ ଲୋକଙ୍କର ଛେଳି ଓ ମେଣ୍ଢା ଚରାଉଥିଲି, ଏବଂ ସେମାନେ ମୋତେ ଯାହା ଦେଉଥିଲେ ଖାଉଥିଲି। ତା ପରେ ମୁଁ ଆଉ ସ୍କୁଲକୁ ଗଲି ନାହିଁ। ପରେ ତୁକଲା ନିକଟରେ ଥିବା ଏକ ହୋଟେଲରେ କାମ କଲି। ସେମାନେ ମୋତେ ଦୈନିକ ଖାଇବା ସହ ୫୦ ଟଙ୍କା ଦେଉଥିଲେ। ଥରେ ମୁଁ ୨-୩ ଜଣ ସାଙ୍ଗଙ୍କ ସହ ମହାସମୁଦରେ ଥିବା ଗୋଟିଏ ଇଟା ଭାଟିରେ କାମ କରିବାକୁ ଚାଲିଗଲି। ଆମେ ସେଠାରେ ୩-୪ ମାସ କାମ କଲୁ, କିନ୍ତୁ ଇଟା ଭାଟି ମାଲିକ ଆମକୁ ଟଙ୍କା ଦେଲା ନାହିଁ। ଗାଳି ଦେଇ ବିଦା କରିଦେଲା, ଆମେ ଫେରିଆସିଲୁ, ଏବଂ ଗାଁ ଲୋକଙ୍କର ଗାଇ, ବଳଦ ଚରେଇବା ଆରମ୍ଭ କଲୁ। ”

ଭାଇ ଭାଉଜ ତାଙ୍କର ବିବାହ କରାଇଲେ। “ମୁଁ ଜଣେ ଗରିବ ଲୋକ, ଯେଉଁ ଦିନ ରୋଜଗାର କରେ, ସେଦିନ ଖାଏ, ମୋ ବିବାହରେ ମୁଁ କୌଣସି ଉତ୍ସବ କରିପାରିଲି ନାହିଁ, କେବଳ ମୋ କନ୍ୟାକୁ ଘରକୁ ନେଇଆସିଲି। ”

ମୁଁ ପଚାରିଲି ତୁକଲାର ପପୁ ମିଲରେ ତୁମେ କେତେ ଟଙ୍କା ପାଉଛ।

ସେ ଉତ୍ତର ଦେଲେ “ମୁଁ ସେଠାରେ ଝୋଟ ଅଖା ସିଲେଇ କରୁଛି, ଏଥିରେ ମୋତେ ଦିନକୁ ୮୦ ଟଙ୍କା ମିଳୁଛି। ଯେଉଁମାନେ ଚାଉଳ ଅଖା ଉଠାଉଛନ୍ତି ସେମାନଙ୍କୁ ଦିନକୁ ୧୩୦ ଟଙ୍କା ମିଳୁଛି। କିନ୍ତୁ ମୁଁ ଏଇ ଖରାରେ ଏତେ ଓଜନ ଉଠାଇ ପାରିବି ନାହିଁ। ତେଣୁ ଝୋଟ ଅଖା ସିଲେଇ କରୁଛି।”

ଗୁଣଧରଙ୍କର ବିପିଏଲ୍ କାର୍ଡ ନାହିଁ, କିନ୍ତୁ ତାଙ୍କର ଗୋଟିଏ ଅନ୍ତୋଦୟ କାର୍ଡ ଅଛି,ଯେଉଁଥିରେ ସେ ମାସକୁ ୩୫ କିଲୋ ଚାଉଳ ପାଉଛନ୍ତି।

ମୁଁ ପଚାରିଲି, ତୁମେ ତୁମ ପିଲାଙ୍କୁ ପାଠ ପଢାଇବ।

ସେ କହିଲେ, “ମୁଁ ଜଣେ ଗରିବ ଲୋକ, ଯେତେ ବାଟ ଯାଏଁ ପାରିବି ସେମାନଙ୍କୁ ପଢାଇବି। କାରଣ ଆମେ ଠିକ୍ ଭାବେ ଖାଇବାକୁ ବି ପାଉନାହୁଁ, ଫଳରେ ମୋ ସ୍ତ୍ରୀ ପିଲାଟିକୁ ମା କ୍ଷୀର ବି ଠିକ୍ ଖୁଆଇ ପାରୁନାହିଁ। ଫଳରେ ଆମକୁ ଅମୁଲ କ୍ଷୀର କିଣିବାକୁ ପଡୁଛି, ଯେଉଁଥିରେ ଆମର ଅଧିକାଂଶ ଟଙ୍କା ଖର୍ଚ୍ଚ ହୋଇଯାଉଛି।”

ଯେତେବେଳେ ମାସକ ପରେ ମୁଁ ପୁଣି ଥରେ ତାଙ୍କ ଗାଁକୁ ଗଲି, ଗୁଣଧର ଇଟାଭାଟିରେ କାମ କରିବାକୁ ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ। ଶାଳୀ ବାହାଘର ପାଇଁ ଟଙ୍କା ଯୋଗାଡ କରିବାକୁ ତାଙ୍କର ପୁରା ପରିବାର ସେଠାରେ କାମ କରିବାକୁ ଯାଇଥିଲା। କିନ୍ତୁ ଅଗ୍ରିମ ଭାବେ ଛଅ-ମାସକୁ ଜଣପିଛା ପାଇଥିବା ୧୮,୦୦୦ ଟଙ୍କା ବଦଳରେ ସେମାନଙ୍କୁ ଇଟା ଭାଟିରେ ଏତେ କଠିନ ପରିଶ୍ରମ କରିବାକୁ ପଡିଲା ଯେ, ବାର୍ଲାବାହାଳିକୁ ଫେରିବା ପରେ ସେମାନେ ଗୁରୁତର ଅସୁସ୍ଥ ହୋଇପଡିଲେ, ଏବଂ ଚିକିତ୍ସାରେ ବହୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଗଲା, ଯେତେ ଟଙ୍କା ସେମାନେ ରୋଜଗାର କରିଥିଲେ ଏବଂ ବିବାହ ପାଇଁ ସଞ୍ଚୟ କରିଥିଲେ।

କିଛି ଦିନ ପରେ ଗୁଣଧର ପୁଣି ଇଟା ଭାଟିକୁ ଗଲେ। ଏବେ ସେ ସେଠାରେ ଜଣେ ଇଟା ଲଦାଳି ଭାବେ କାମ କଲେ, ଯିଏ ଟ୍ରାକ୍ଟରରେ ଇଟା ବୋଝେଇ କରୁଥିଲେ।

ଉଣେଇଶି ବର୍ଷ ପରେ ବି ଏହି ଯୁବକ ଓ ତାଙ୍କ ପରିବାର ସେହି କ୍ଷୁଧାକୁ ଦୂର କରିବାକୁ ସଂଘର୍ଷ କରୁଛନ୍ତି, ଯାହା ତାଙ୍କ ମାକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିଲା ଓ ତାଙ୍କୁ ଆଜୀବନ ଏକୁଟିଆ କରିଦେଇଥିଲା।

ଏହି କାହାଣୀର ଗୋଟିଏ ଭାଗ ଅଗଷ୍ଟ ୧୪, ୨୦୧୬ରେ ଅମର ଉଜାଲାରେ ପ୍ରକାଶିତ ହୋଇଥିଲା। ରୁଚି ବର୍ସନେୟାଙ୍କ ଦ୍ୱାରା ପରୀ ପାଇଁ ହିନ୍ଦୀରେ ଅନୁବାଦ ହୋଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Ruchi Varshneya lives in California and works for a health care company. She has a degree in engineering from IIT Roorkee, an MBA from XLRI, Jamshedpur, and a master's in Public Health from Johns Hopkins, Baltimore, U.S. She runs to raise funds for Asha for Education, and volunteers for PARI and Kaavyalaya.org.

Purusottam Thakur
purusottam25@gmail.com

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur