ଆମ ଟ୍ରେନ୍‌ ନାଗପୁର ରେଳ ଜଙ୍କସନରେ ପହଞ୍ଚି ସାରିଥିଲା । ଗତ ଡିସେମ୍ବରରେ ସେ ଦିନ ପ୍ରାୟ ମଧ୍ୟାହ୍ନ ହୋଇଥିଲା । ଯୋଧପୁର-ପୁରୀ ଏକ୍ସପ୍ରେସ୍‌ ନାଗପୁରରେ ଇଞ୍ଜିନ୍‌ ବଦଳାଏ, ତେଣୁ ଏହା ଏଠାରେ କିଛି ସମୟ ରହେ । ପ୍ଲାଟ୍‌ଫର୍ମରେ ବହୁ ସଂଖ୍ୟାରେ ଯାତ୍ରୀ ସେମାନଙ୍କ ମୁଣ୍ଡରେ ବ୍ୟାଗ୍‌ ବୋହି ଯାଉଥାଆନ୍ତି । ସେମାନେ ଥିଲେ ପଶ୍ଚିମ ଓଡ଼ିଆରୁ କାମ ପାଇଁ ଆସିଥିବା ଋତୁକାଳୀନ ବିସ୍ଥାପିତ ଶ୍ରମିକ, ଯେଉଁମାନେ ସିକନ୍ଦରାବାଦ ଯିବାକୁ ଟ୍ରେନ୍‌ ପାଇଁ ଅପେକ୍ଷା କରିଥାନ୍ତି । ଓଡ଼ିଶାରେ ଫସଲ ଅମଳ ପରେ (ସେପ୍ଟେମ୍ବର ଓ ଡିସେମ୍ବର ମଧ୍ୟରେ), ବହୁ ସଂଖ୍ୟାରେ କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ କୃଷି ଶ୍ରିମିକ ସେମାନଙ୍କ ଘର ଛାଡ଼ି ତେଲଙ୍ଗାନାର ଇଟା ଭାଟିରେ କାମ କରିବାକୁ ଆସନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁକୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରମିକ ଇଟା ଭାଟିରେ କାମ କରିବାକୁ ଯାଆନ୍ତି ।

ରମେଶ (ସେ ତାଙ୍କର ପୁରା ନାଁ କହିବାକୁ ଚାହୁଁନଥିଲେ), ଯିଏ କି ଗୋଟିଏ ଗୋଷ୍ଠୀରେ ଥିଲେ, ସେ କହିଲେ ଯେ ଏହି ବିସ୍ଥାପିତ ଶ୍ରମିକମାନେ ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରୁ ଆସିଥିଲେ । ସେମାନଙ୍କ ଗାଁରୁ ଆରମ୍ଭ ହୋଇଥିବା ସେମାନଙ୍କର ଦୀର୍ଘ ଯାତ୍ରା ପ୍ରାରମ୍ଭରେ ସେମାନେ କଣ୍ଟାବାଞ୍ଝି, ହରିଶଙ୍କର ବା ତୁରେକେଲା ରେଲୱେ ଷ୍ଟେସନ୍‌ ଯାଏଁ ସଡ଼କ ପଥରେ ଆସିଥିଲେ, ଯେଉଁଠାରୁ ସେମାନେ ନାଗପୁର ପାଇଁ ଟ୍ରେନ୍‌ ଧରିଲେ, ତା’ ପରେ ସେମାନେ ତେଲେଙ୍ଗାନାର ସିକନ୍ଦରାବାଦକୁ  ଯିବାକୁ ଟ୍ରେନ୍‌ ବଦଳାଇଲେ । ସେଠାରୁ, ସେମାନେ ଇଟା ଭାଟିରେ ପହଞ୍ଚିବା ପାଇଁ ଚାରିଚକିଆ ଯାନରେ ଯାଆନ୍ତି ।

ଅଗଷ୍ଟ-ସେପ୍ଟେମ୍ବରରେ ଠିକ୍‌ ନୂଆଖାଇ ପର୍ବ ପୂର୍ବରୁ ଶ୍ରମିକମାନେ କଣ୍ଟ୍ରାକ୍ଟରଠାରୁ ଅଗ୍ରୀମ ଟଙ୍କା (ତିନି ଜଣିଆ ପ୍ରାପ୍ତ ବୟସ୍କ ଶ୍ରମିକଙ୍କର ଗୋଟିଏ ଗ୍ରୁପ୍‌ ପାଇଁ ୨୦,୦୦୦ରୁ ୬୦,୦୦୦ ଟଙ୍କା) ନେଇଯାଆନ୍ତି, ଯେତେବେଳେ ସେମାନେ ଇଷ୍ଟଦେବତାଙ୍କୁ ନୂଆ କରି ଉତ୍ପାଦିତ ହୋଇଥିବା ଚାଉଳରେ ଭୋଗ ଲଗାଇ ନିଜ ଫସଲ ଉତ୍ପାଦନର ପର୍ବ ପାଳନ କରନ୍ତି । ତା’ ପରେ, ସେପ୍ଟେମ୍ବର ଏବଂ ଡିସେମ୍ବର ମଧ୍ୟରେ, ସେମାନେ ଇଟାଭାଟିକୁ ଯାଆନ୍ତି, ସେଠାରେ କାମ କରନ୍ତି ଏବଂ ୬ ମାସ ଯାଏଁ ରହନ୍ତି  ଏବଂ ମୌସୁମୀ ପୂର୍ବରୁ ଫେରିଆସନ୍ତି । ବେଳେବେଳେ, ସେମାନେ ନେଇଥିବା ଅଗ୍ରୀମ ଟଙ୍କା ସୁଝିବା ପାଇଁ ଖୁବ୍‌ କଠିନ ଓ ଦୀର୍ଘ ସମୟ ଯାଏଁ ପରିଶ୍ରମ କରନ୍ତି, ଏହା ଗୋତି ଶ୍ରମିକର ଏକ ପ୍ରଥା ।

People at a railway station
PHOTO • Purusottam Thakur

୨୫ ବର୍ଷ ଧରି, ମୁଁ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଏବଂ କଳାହାଣ୍ଡି ଭଳି ଜିଲ୍ଲାଗୁଡ଼ିକର ଲୋକମାନଙ୍କର ବିସ୍ଥାପନ ଉପରେ ଖବର ଲେଖିଛି । ଅତୀତରେ, ସେମାନେ ସାଙ୍ଗରେ ବାସନକୁସନ, ଲୁଗାପଟା ଏବଂ ସେମାନଙ୍କର ଆବଶ୍ୟକ ମୁତାବକ ଜିନଷ ସବୁକୁ ଅଖା ବ୍ୟାଗ୍‌ରେ ନେଉଥିଲେ। ଏବେ ଏହା କେତେକାଂଶରେ ପରିବର୍ତ୍ତନ ହୋଇଛି - ଏବେ ସେମାନେ ନିଜ ଜିନିଷ ନେଉଥିବା ବ୍ୟାଗ୍‌ ପଲିଷ୍ଟରରେ ତିଆରି ହୋଇଛି। ଯଦିଓ ଏବେ ବି ବିସ୍ଥାପନର କାରଣ ହେଉଛି କୃଷି କ୍ଷେତ୍ରରେ ସଙ୍କଟ ଆଉ ଦାରିଦ୍ର୍ୟ, କିନ୍ତୁ ଏବେ ଶ୍ରମିକମାନେ ସେମାନଙ୍କର ଅଗ୍ରୀମ ଟଙ୍କା ପାଇଁ କଣ୍ଟ୍ରାକ୍ଟରଙ୍କ ସହ ମୂଲାମୂଲି କରିପାରୁଛନ୍ତି । ଦୁଇ ଦଶନ୍ଧି ପୂର୍ବରୁ, ମୁଁ ଦେଖୁଥିଲି, ପିଲାମାନେ ବିନା ପୋଷାକରେ ବା ଅତ୍ୟନ୍ତ ସର୍ବନିମ୍ନ ପୋଷାକ ପିନ୍ଧି ନିଜ ପରିବାର ସହ ଯାତ୍ରା କରୁଥିଲେ, କିନ୍ତୁ ଆଜିକାଲି, ସେମାନଙ୍କ ମଧ୍ୟରୁ କେତେକ ନୂଆ ପୋଷାକ ପିନ୍ଧୁଛନ୍ତି ।

ଗୋଟିଏ ପଟେ ଯେତେବେଳେ ସରକାରଙ୍କ ପକ୍ଷରୁ ମିଳୁଥିବା ସାମାଜିକ ସୁବିଧା ଯୋଜନାଗୁଡ଼ିକ ଗରିବ ଲୋକଙ୍କୁ କେତେକାଂଶରେ ସାହାଯ୍ୟ କରିଛି, କିଛି ଜିନିଷ ସେମିତି ସମାନ ରହିଛି । ଶ୍ରମିକମାନେ ଏବେ ମଧ୍ୟ ଅତ୍ୟଧିକ ଭିଡ଼ ରହୁଥିବା ସାଧାରଣ ବଗିରେ ରିଜରଭେସନ୍‌ ବିନା ଯାତ୍ରା କରୁଛନ୍ତି ଏବଂ ଏହି ଯାତ୍ରା ଖୁବ୍‌ କଷ୍ଟଦାୟକ । ଏବଂ ଅଳ୍ପ ମଜୁରୀ ପାଇଁ ସେମାନଙ୍କର ଅବସ୍ଥା ଓ ଅଣ୍ଟା ଭଙ୍ଗା ପରିଶ୍ରମ ସେମିତି ରହିଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur