html ‘ଆମ କ୍ଷୁଧା ନିବାରଣ ପାଇଁ କିଛି କର’

“ଆପଣମାନେ ନିଶ୍ଚିତ ଭାବେ ଏହି ପର୍ବ ପାଳନ କରିଥିବେ। ଆମ ବିଷୟରେ କେବେ ଭାବିଛନ୍ତି? କେତେବେଳେ କେମିତି ଆମକୁ କାମ ମିଳିଥାଏ। ଏପରି ପରିସ୍ଥିତିରେ ପଇସା କେଉଁଠାରୁ ଆସିବ?’’ ନିଜ ଘର ଦୁଆର ମୁହଁରେ ବସି ୬୦ବର୍ଷ ବୟସ୍କ ସୋନି ୱାଗ୍‌ ମୋ ଆଡ଼କୁ ଏକାଗ୍ର ଚିତ୍ତରେ ଚାହିଁ ସ୍ପଷ୍ଟ ସ୍ୱରରେ ପ୍ରଶ୍ନ କଲେ । ସେଠାରେ ଜମା ହୋଇଥିବା ଲୋକମାନେ ତାଙ୍କୁ ଇସାରାରେ ଚୁପ୍‌ ରହିବାକୁ କହିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସୋନି ଯାହା କହୁଥିଲେ ତାହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା – ତାଙ୍କ ଉକ୍ତିରେ ତାଙ୍କ ପଲ୍ଲୀରେ ରହୁଥିବା ସମସ୍ତ ଲୋକଙ୍କ ଜୀବନର ବାସ୍ତବତା ପ୍ରକାଶିତ ହେଉଥିଲା। କେହି ମଧ୍ୟ ତାହା ଲୁଚେଇ ପାରିବେ ନାହିଁ । ଏହା ନଭେମ୍ବରର ପ୍ରାରମ୍ଭିକ ସମୟ ଥିଲା । ଦୀପାବଳି ଏବେ ଏବେ ସରିଛି । କିନ୍ତୁ ଆମ ପଡ଼ାରେ  କୌଣସି ଲୋକଙ୍କ ପାଖରେ ଗୋଟିଏ ଲଣ୍ଠନ ମଧ୍ୟ ମହଜୁଦ ନଥିଲା । କୌଣସି ସୌନ୍ଦର୍ଯ୍ୟବର୍ଦ୍ଧନକାରୀ ଦୀପ ମଧ୍ୟ ନଥିଲା । ବୋତ୍ୟାଚି ୱାଡ଼ିରେ କୌଣସି ଗୃହ ଫୁଲରେ ସଜା ହୋଇନଥିଲା ଯେପରି ଦୀପାବଳି ସମୟରେ ସହରରେ କେତେକ ଘରେ କରାଯାଇଥାଏ ।

ୱାଡ଼ିରେ ନୀରବତା ଛାଇ ରହିଥିଲା । କେବଳ ଗୋଟିଏ ମାତ୍ର ଶବ୍ଦ ଶୁଣିବାକୁ ମିଳୁଥିଲା, ଯାହା ପଡ଼ିଆରେ ଖେଳୁଥିବା ପିଲାମାନେ ପାଟି କରିବା ଯୋଗୁଁ ପ୍ରତିଧ୍ୱନିତ ହେଉଥିବା ସ୍ୱର ଥିଲା । ସେମାନଙ୍କ ପାଦ ଧୂଳିମୟ ହୋଇଯାଇଥିଲା । ସେମାନେ ଚିରା ପୋଷାକ ପିନ୍ଧିଥିଲେ ଯେଉଁଥିରେ ସୂତା ସବୁ ଉଲୁରି ଯାଇଥିଲା । ସେମାନଙ୍କ ପୋଷାକର ଅଧିକାଂଶ ବୋତାମ ଭାଙ୍ଗି ଯାଇଥିବାରୁ ସେମାନଙ୍କ ଶରୀର କେବଳ ଆଂଶିକ ଭାବେ ଢାଙ୍କି ହୋଇ ପାରୁଥିଲା । ପଡିଆରେ ଏକ କୋଣରେ ୫-୬ ଜଣ ଝିଅପିଲା, ଯେଉଁମାନଙ୍କ ବୟସ ୮ -୯ ବର୍ଷ ମଧ୍ୟରେ ହେବ, ସେମାନେ ଘର-ଘର ଖେଳୁଥିଲେ । ସେମାନଙ୍କ ସମ୍ମୁଖରେ ସେମାନଙ୍କ ଘରେ ବ୍ୟବହାର ହେଉଥିବା  ଆଲୁମିନିୟମ ଓ ଷ୍ଟିଲ୍‌ରେ ନିର୍ମିତ ବିଭିନ୍ନ ପ୍ରକାରର ପାତ୍ର ସଜ୍ଜିତ ହୋଇ ରଖାଯାଇଥିଲା । ଭୂମି ଉପରେ ଚାରିଟି ବାଡ଼ି ପୋତା ଯାଇଥିଲା ଓ ସେହି ବାଡ଼ିଗୁଡ଼ିକ ସହିତ ଏକ ଚିରା କପଡ଼ା ଖଣ୍ଡ ବନ୍ଧା ଯାଇ ଗୋଟିଏ ଶିଶୁ ପାଇଁ ଏକ ଦୋଳି ପ୍ରସ୍ତୁତ କରାଯାଇଥିଲା । 

ପାଖରେ ବସିଥିବା ଝିଅଟିଏ କିଛି ମାସ ହୋଇଥିବା ଏକ ଶିଶୁକୁ ନିଜ କୋଳରେ ଧରି ବସିଥିଲା ଓ ଅନ୍ୟ ପିଲାମାନଙ୍କୁ ଖେଳୁଥିବା ଦେଖୁଥିଲା । ତା’ପାଖକୁ ଲାଗି ଗୋଟିଏ ପୁଅ ବସିଥିଲା । ମୁଁ ଯେତେବେଳେ ସେମାନଙ୍କ ପାଖକୁ ଗଲି, ସେମାନେ ସେଠାରୁ ଚାଲିଯିବା ପାଇଁ ବାହାରିଲେ । ତେବେ ମୁଁ ସେମାନଙ୍କୁ କିଛି କହିବାକୁ ଚାହୁଁଛି ବୋଲି ଜାଣିପାରିବା ପରେ ଝିଅଟି ରହିଗଲା । “ତୁମେ କ’ଣ ବିଦ୍ୟାଳୟକୁ ଯାଅ”? ଉତ୍ତର ଥିଲା ନାହିଁ । ଅନିତା ଦିବେ, ୯, ପ୍ରଥମ ଶ୍ରେଣୀ ପାସ୍‌ କରିବା ପରେ ବିଦ୍ୟାଳୟକୁ ଯିବା ବନ୍ଦ କରିଦେଇଛନ୍ତି । କାହିଁକି ନୁହେଁ? ‘‘ମୋତେ ଏହି ଶିଶୁର ଯତ୍ନ ନେବାକୁ ପଡ଼ିଥାଏ । ମୋର ପରିବାରର ଲୋକମାନେ କାମ କରିବା ପାଇଁ ଇଟା ଭାଟିକୁ ଯାଆନ୍ତି । ମୁଁ କେମିତି ବିଦ୍ୟାଳୟ ଯାଇପାରିବି’’?

PHOTO • Mamata Pared

କାଳୁ ଭାଲ୍‌ବି (ଶୀର୍ଷରେ ଡାହାଣ) ପରି ବୋତ୍ୟାଚି ୱାଡ଼ିରେ ରହୁଥିବା ଅଧିକାଂଶ ପିଲା ପ୍ରଥମେ କିଛି ଦିନ ସ୍ଥାନୀୟ ଅଙ୍ଗନୱାଡ଼ିକୁ (ନିମ୍ନରେ ଡାହାଣ) ଯାଇଥାନ୍ତି, ପରେ ବର୍ଷେ ବା ଦୁଇବର୍ଷ ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ଆଉ ବିଦ୍ୟାଳୟକୁ ଯାଉନାହାନ୍ତି। ଏହାର କାରଣ ନିଶ୍ଚିତ ଭାବେ ଦାରିଦ୍ର୍ୟ ଓ ପ୍ରବାସ ବୋଲି ନିଃସନ୍ଦେହରେ କୁହାଯାଇପାରିବ 

ତା’ ପାଖରେ ବସିଥିବା କାଳୁ ଶବରର କାହାଣୀ ମଧ୍ୟ ସମାନ ଅଟେ। ସେ ମଧ୍ୟ ପ୍ରଥମ ଶ୍ରେଣୀ ପରେ ଆଉ ବିଦ୍ୟାଳୟକୁ ପଢିବା ପାଇଁ ଯାଉନି। ଅନ୍ୟ ଏକ ଝିଅ କାଳୁ ଭାଲ୍‌ବି, ଯିଏ ସେଠାକୁ ଆସି ପାଖରେ ଠିଆ ହୋଇଗଲେ ଓ ସେ କୁହନ୍ତି ଯେ ‘‘ମୁଁ ବର୍ଷାଦିନରେ ବିଦ୍ୟାଳୟକୁ ଯାଇଥାଏ ଓ ଖରାଦିନରେ ମୋର ପରିବାର ସହିତ ଭାଟିକୁ ଯାଇଥାଏ।’’

କାଳୁ ଭାଲ୍‌ବିଙ୍କ ପରିବାର ପରି, ମହାରାଷ୍ଟ୍ରର ପାଳଘର ଜିଲ୍ଲାର ମୋଖଡା ଟାଉନଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ଗୋମ୍‌ଘର ଗ୍ରାମରେ ୩୦-୩୫ ଜନସଂଖ୍ୟା ବିଶିଷ୍ଟ ତାଙ୍କ ପଲ୍ଲୀର ଅନେକ ଲୋକ ପ୍ରତିବର୍ଷ କାମ ଖୋଜିବା ପାଇଁ ପ୍ରବାସରେ ଅନ୍ୟସ୍ଥାନକୁ ଯାଇଥାନ୍ତି ।

ବିଦ୍ୟାଳୟ ବିଷୟରେ ଉଲ୍ଲେଖ କରିବା ମାତ୍ରେ, ସେ ପାଖରେ ଥିବା ଜଣେ କ୍ରୋଧିତ ବ୍ୟକ୍ତି, ୬୫ ବର୍ଷ ବୟସ୍କ ବୁଢା ୱାଗ୍‌ ଚିତ୍କାର କରି କହିଲେ ଯେ, “ତୁମେ ଆମକୁ କାମ ଦିଅ ବା ଆମକୁ ପଇସା ଯୋଆଅ। ଆମର କ୍ଷୁଧା ନିବାରଣ ପାଇଁ କିଛି କର।’’

“କେହି ଚାଷକାମ କରୁନାହାନ୍ତି । ଅନ୍ୟ ବିକଳ୍ପ କାର୍ଯ୍ୟ ପନ୍ଥା ମଧ୍ୟ ନାହିଁ । ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବା ପାଇଁ ଆମକୁ ଅନ୍ୟସ୍ଥାନକୁ ପ୍ରବାସରେ ଯିବାକୁ ପଡୁଛି,’’ ବୋଲି ୫୫ ବର୍ଷ ବୟସ୍କ କାଶୀନାଥ ବରଫ ବୁଢାଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିବାକୁ ଯାଇ ପ୍ରକାଶ କରନ୍ତି । ପ୍ରତିବର୍ଷ ବର୍ଷାଋତୁରେ, ଜୁଲାଇ ମାସ ସୁଦ୍ଧା ସେ ମଧ୍ୟ ଶିରିଡ଼ି ନିକଟରେ ଯେଉଁ ସବୁ ସ୍ଥାନରେ ପଥର ଫଟେଇ ସେଗୁଡ଼ିକୁ ଛୋଟ ଛୋଟ ଗୋଡ଼ିରେ ପରିଣତ କରାଯାଏ, ସେଠାକୁ ଯିବାକୁ ବାହାରି ପଡ଼ନ୍ତି । ତାପରେ ସେ ଦୀପାବଳି ସମୟରେ, ପ୍ରାୟ ଅକ୍ଟୋବର ଶେଷ ଆଡ଼କୁ ଇଟା ଭାଟିରେ କାମ କରିବା ପାଇଁ ଥାନେ ଜିଲ୍ଲାର ଭିୱାଣ୍ଡି ତାଲୁକାରେ  ଅବସ୍ଥିତ ଖରବ ଟାଉନ୍‌କୁ ଚାଲିଯାଆନ୍ତି ଓ ସେଠାରେ ମେ ମାସ ପର୍ଯ୍ୟନ୍ତ ରହନ୍ତି ।  

ସେମାନେ ଯେତେବେଳେ ପ୍ରବାସରେ ଯାଆନ୍ତି, ତାଙ୍କ ପଲ୍ଲୀରୁ ଯାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ  ନିଶ୍ଚିତ ଭାବେ କିଛି ଋଣ ବୋଝ ରହିଥାଏ । ସେହି ଋଣ ପରିଶୋଧ କରିବା ପାଇଁ ପ୍ରତିବର୍ଷ ସେମାନେ ବାଧ୍ୟ ହୋଇ କାମର ସନ୍ଧାନରେ ଅନ୍ୟତ୍ର ଯାଇଥାନ୍ତି।  ସେମାନଙ୍କ ମଧ୍ୟରୁ ଅନେକ ବର୍ଷରେ ସେମାନେ କେତେ ଉପାର୍ଜନ କରନ୍ତି ସେ  ବିଷୟରେ ମଧ୍ୟ ଜାଣନ୍ତି ନାହିଁ । “ଗତ ତିନି ବର୍ଷ ହେବ ଆମେ ଆମ ହିସାବ ତୁଟେଇନୁ” ବୋଲି ୫୦ବର୍ଷ ବୟସ୍କ ଲୀଲା ବାଲ୍‌ବି କହିଲେ। “ଆମେ ଅନେକ ବର୍ଷ ଧରି ଏଠାରେ କାମ କରିଆସୁଛୁ [ଉଲ୍‌ସାନଗରରେ] । ମୁଁ ମୋର ଝିଅର ବିବାହ ପାଇଁ ୩୦,୦୦୦ ଟଙ୍କା ଧାର କରିଥିଲି [ଇଟା ଭାଟି ମାଲିକଙ୍କ ଠାରୁ] । ତାହା ଏ ପର୍ଯ୍ୟନ୍ତ ପରିଶୋଧ ହୋଇପାରିନି । ଅନେକ ସମୟରେ ଆମେ ଦାନରେ ପାଇଥିବା ଖାଦ୍ୟ ଖାଇ ଆମର ପେଟର ଭୋକ ମିଟେଇ ଥାଉ । ଆମେ ଯଦି ସେମାନଙ୍କୁ ଆମର ହିସାବ ବିଷୟରେ କିଛି ପ୍ରଶ୍ନ କରୁ, ତେବେ ଆମକୁ ମାଡ଼ ଖାଇବାକୁ ପଡ଼ିଥାଏ ।’’

PHOTO • Mamata Pared

ଶୀର୍ଷ ବାମ  ‘ଯଦି ଆମେ ସେମାନଙ୍କୁ ଆମର ଟଙ୍କାର ହିସାବ ନେଇ କିଛି ପଚାରିବାକୁ ଚେଷ୍ଟା କରୁ ତେବେ ଆମକୁ ମାଡ଼ ଖାଇବାକୁ ପଡ଼ିଥାଏ ବୋଲି ଲୀଲା ଭାଲ୍‌ବି କୁହନ୍ତି । ଶୀର୍ଷ ଡାହାଣ : ବତ୍ୟାଚି ୱାଡ଼ିରେ ଥିବା ଅଳ୍ପ କିଛି ପକ୍କା ଘର, ଯାହା ରାଜ୍ୟ ଗୃହ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଇଛି କୁ ବାଦ୍‌ ଦେଲେ ସେଠାରେ ଅନ୍ୟ ସମସ୍ତ ବାସଗୃହ କୁଡ଼ିଆ ଅଟେ । ମୁଁ ଗୋରଖ ଭାଲ୍‌ୱିଙ୍କ କାହାଣୀ ଶୁଣି ହତବାକ୍‌ ହୋଇଗଲି 

ଲୀଲା ମୋତେ ତାଙ୍କ ଘର ଦେଖାଉଥିଲେ –  ସିମେଣ୍ଟ ଓ ଇଟାରେ ତିଆରି ହୋଇଥିବା ଗୋଟିଏ ବଖରା, ଯାହାକୁ ଦୁଇ ଭାଗରେ ଭାଗ କରାଯାଇଛି (ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନା ଅଧିନରେ ନିର୍ମାଣ କରାଯାଇଛି)। ବୋତ୍ୟାଚି ୱାଡ଼ିରେ ସରକାରୀ ଗୃହ ନିର୍ମାଣ ଯୋଜନା ଅଧିନରେ ନିର୍ମାଣ କରାଯାଇଥିବା ଅଳ୍ପ କିଛି ଘରକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ବାସସ୍ଥାନଗୁଡ଼ିକ ଝାଟିମାଟିର କୁଡ଼ିଆ ମାତ୍ର। ‘‘ଆମର ମଧ୍ୟ ଏକ କୁଡିଆ ଅଛି,” ବୋଲି ତାଙ୍କ ଘର ପାଖରେ ଥିବା ଘରକୁ ଦେଖାଇ କହିଲେ ଯାହା ପାଳ, କାଦୁଅ ଓ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କାଠରୁ ନିର୍ମିତ ହୋଇଛି । ଝରକା ନଥିବା ତାଙ୍କର ନୂଆ ଘରେ, ଦିନ ଦ୍ୱିପହରରେ ମଧ୍ୟ ରାତି ହୋଇଗଲା ପରି ଅନୁଭବ ହେଉଥିଲା । ଚୁଲ୍ଲାର ଚାରିପଟେ ଜିନିଷଗୁଡ଼ିକ ଏଣେତେଣେ ବିଛେଇ ହୋଇ ପଡ଼ିଥିଲା । “ମୋ ଘରେ କିଛି ମଧ୍ୟ ନାହିଁ। କେବଳ ଏତିକି ଚାଉଳ ଅଛି,” ବୋଲି ଗୋଟିଏ କୋଣରେ ରଖାଯାଇଥିବା ଏକ ଡ୍ରମକୁ ଖୋଲି ମୋତେ ଦେଖାଇ ସେ କହିଲେ। ଶସ୍ୟଗୁଡିକ ଡ୍ରମ୍‌ର ନିମ୍ନ ଅଂଶରେ ଥିଲା । 

ଅନ୍ୟମାନଙ୍କ ପରି ଭିକା ରାଜା ଦିବେ, ୬୦, ଙ୍କୁ ମଧ୍ୟ ୧୩,୦୦୦ଟଙ୍କାର ଋଣ ପରିଶୋଧ କରିବାକୁ ଅଛି। “ମୋ ପୁଅର ନିର୍ବନ୍ଧ କରିବା ପାଇଁ ମୁଁ ଏହି ଟଙ୍କା ଅଗ୍ରୀମ ଭାବେ ନେଇଥିଲି” ବୋଲି ସେ କହିଲେ। ଦଶହରା ବେଳକୁ ଅର୍ଥାତ୍‌ ଅକ୍ଟୋବର୍‌ର ପ୍ରଥମ ଭାଗରେ, ସେଠ୍‌ ଏହି ପରିବାରକୁ ଉଲ୍ଲାସନଗରରେ ଥିବା ଇଟା ଭାଟିରେ କାମ କରିବା ପାଇଁ ନେଇ ଆସିଥିଲେ। କିନ୍ତୁ ନିରନ୍ତର ବର୍ଷା ହେବାରୁ, ଏଠାରେ କାମ ବନ୍ଦ ଥିଲା । ଏଣୁ ସେଠ୍‌ ସେମାନଙ୍କୁ ସେହି ପାଖରେ ତାଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କ ଧାନ କ୍ଷେତରେ କାମ କରିବା ପାଇଁ ପଠେଇଦେଲେ। ଏହି କାମରୁ ସେମାନେ ଦିନକୁ ୪୦୦ଟଙ୍କା ରୋଜଗାର କରୁଥିବା ବେଳେ ସେ ଏଥିରୁ ଏକ ଭାଗ ନିଜ ପାଇଁ ରଖିଦେଉଥିଲେ। ଯେତେବେଳେ ଦୀପାବଳି ପାଖେଇ ଆସିଲା, ସେତେବେଳେ ବୋତ୍ୟାଚି ୱାଡ଼ିକୁ ଫେରିବା ପାଇଁ ଗମନାଗମନ ଖର୍ଚ୍ଚ ସକାଶେ ଭିକାଙ୍କ ପରିବାରକୁ ଟଙ୍କା ଆବଶ୍ୟକ ହେଲା। ତେବେ ସେଠ୍‌ ତାଙ୍କୁ ଏହି ଟଙ୍କା ମଧ୍ୟ ଦେଲାନାହିଁ । ସେମାନେ ଯାହା କିଛି କାମ କରିଥିଲେ, ସେଥିରୁ କିଛି ଟଙ୍କା ସଞ୍ଚୟ କରିଥିଲେ। ତାପରେ ଠିକ୍‌ ଦୀପାବଳି ସରିବା ପରେ, ସେଠ୍‌ ପଲ୍ଲୀକୁ ଫେରିଲା [ସେମାନଙ୍କୁ ପୁଣି କାମକୁ ନେବା ପାଇଁ]।

ସେତେବେଳକୁ, ଏହି ପରିବାରକୁ ରାଜ୍ୟ ଯୋଜନା ଅନ୍ତର୍ଗତ ଏକ ଘର ଯୋଗାଯିବା କଥା ଜଣାପଡିଲା, ଏଣୁ ଘର ନିର୍ମାଣ କରିବା ପାଇଁ ସେମାନଙ୍କୁ ସେଠାରେ ରହିବାକୁ ପଡ଼ିଲା । କନ୍ତୁ ସେମାନେ ଋଣ କରିଥିବାରୁ ନିରୁପାୟ ଥିଲେ । “ମୁଁ ତାଙ୍କ ଋଣ ପରିଶୋଧ କରିବା ପାଇଁ ସେଠ୍‌ ଦାବି କଲେ । ତଥାପି ମୁଁ ଘର ପାଇଁ ଏଠାକୁ ଫେରିଆସିଲି । ସେ ନିଜ ସାଙ୍ଗରେ ମୋର ସ୍ତ୍ରୀ ଲୀଳା ଓ ମୋର ଦୁଇ ଝିଅ ଓ [୨୧ବର୍ଷ ବୟସ୍କ] ପୁଅକୁ ନେଇଗଲେ,” ବୋଲି ନିଜ କୁଡ଼ିଆ ଆଗରେ ଠିଆ ହୋଇଥିବା ଭିକା ଦୁଃଖରେ କହିଲେ । ବଡ ଝିଅର ବୟସ ୧୨ବର୍ଷ ଓ ସାନ ଝିଅର ବୟସ ମାତ୍ର ୮ବର୍ଷ ।

Young girls in this hamlet are passing their days caring for their younger siblings.
PHOTO • Mamata Pared
There is no farming. There are no other work options' , say the adults
PHOTO • Mamata Pared

ବାମ : ପଲ୍ଲୀରେ ଥିବା ଛୋଟ ଝିଅମାନେ ସେମାନଙ୍କ ଭାଇଭଉଣୀଙ୍କ ଯତ୍ନ ନେବାରେ ନିଜର ସମୟ ଅତିବାହିତ କରିଥାନ୍ତି । ଡାହାଣ:  ‘କେହି ଚାଷକାମ କରୁନାହାନ୍ତି । ଅନ୍ୟ ବିକଳ୍ପ କାର୍ଯ୍ୟ ପନ୍ଥା ମଧ୍ୟ ନାହିଁ,’ ବୋଲି ବୟସ୍କମାନେ କୁହନ୍ତି 

ତା’ପରେ କିନ୍ତୁ ମୁଁ ଗୋରଖ ଭାଲ୍ୱିଙ୍କ କାହାଣୀ ଶୁଣି ହତବାକ୍‌ ହୋଇଗଲି । ସେ ମୋତେ କହିଲେ ଯେ, ଯେତେବେଳେ ଥରେ ଭାଟି ମାଲିକଙ୍କ ଷଣ୍ଢ ମରିଗଲା ସେତେବେଳେ ସେ ସେଠାରେ କାମ କରୁଥିବା ସମସ୍ତ ପୁରୁଷ ଶ୍ରମିକମାନଙ୍କୁ ଶୋକ ପାଳନ ପୂର୍ବକ ଲଣ୍ଡା ହେବାକୁ ବାଧ୍ୟ କଲେ । ସେ ଏତେ କ୍ଷମତାଶାଳୀ ଥିଲେ ଯେ କେହି ମଧ୍ୟ ଏଥିପାଇଁ ତାଙ୍କୁ ମନା କରିବାକୁ ସାହସ କରିପାରିଲେ ନାହିଁ । ମାଲ୍‌ୱି ଏହା ମଧ୍ୟ ମୋତେ କହିଲେ ଯେ ଅସମୟରେ ବର୍ଷା ହେବା ଯୋଗୁଁ ଇଟା ଓଦା ହୋଇଗଲେ ମଧ୍ୟ ସେ ଆମେ ତିଆରି କରିଥିବା ଇଟା ପାଇଁ ଆମକୁ ଆମର ପ୍ରାପ୍ୟ ପ୍ରଦାନ କରୁନଥିଲେ । “ଆମେ ଅକ୍ଳାନ୍ତ ପରିଶ୍ରମ କରି ଅଧମରା ହୋଇଗଲୁଣି କିନ୍ତୁ ଯଦି ଆମେ ଆମ ପଇସା ପାଇପାରିବୁ ନାହିଁ ତେବେ ମଧ୍ୟ ମରିବୁ,’’ ବୋଲି ସେ କହିଲେ । ଏହିପରି ଦୁଃସ୍ଥିତିରେ ରହି ମଧ୍ୟ ଗୋରଖ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ତଥାପି ଏଠାରେ ରହୁଥିବା ଅନ୍ୟମାନଙ୍କ ପରି, ତାଙ୍କୁ ମଧ୍ୟ ଏହି ଇଟା ଭାଟିରେ କାମ କରିବାକୁ ପଡୁଛି । 

ତାଙ୍କ ପରି ଲତା ଦିବେ ଓ ସୁନୀଲ ମୁକ୍‌ନେ ମଧ୍ୟ ସମସ୍ତ କଷ୍ଟ ସହି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଛନ୍ତି । କିନ୍ତୁ ଆଗକୁ ଆମେ କିଭଳି ପଢିପାରିଥାନ୍ତୁ ବୋଲି ସେ ପ୍ରଶ୍ନ କରନ୍ତି। ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ପାଖରେ ସମ୍ବଳ ନାହିଁ ଓ ବିଦ୍ୟାଳୟ ସ୍ତରରେ ସେମାନେ ଯାହା କିଛି ପଢ଼ିଛନ୍ତି ତାହା ଆଧାରରେ ସେମାନଙ୍କୁ କୌଣସି ଚାକିରି ମିଳିପାରିନି । ଏହି ପଲ୍ଲୀରେ ରହୁଥିବା ଅଧିକାଂଶ ପିଲା ବର୍ଷେ ବା ଦୁଇ ବର୍ଷ ପରେ ସେମାନଙ୍କ ପାଠ ପଢାରେ ଡୋରି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି । ଏହାର କାରଣ ଦାରିଦ୍ର୍ୟ ଓ ପ୍ରବାସ ବୋଲି ନିଃସନ୍ଦେହରେ କୁହାଯାଇପାରିବ । 

ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଘର ଅନ୍ଧାର ରହିଛି ଓ ଖାଇବା ପାଇଁ ଚାଉଳ ବ୍ୟତୀତ ଆଉ କିଛି ନାହିଁ । ଏପରି ପରିସ୍ଥିତିରେ କୁପୋଷଣ ନିଶ୍ଚୟ ଦେଖାଦେବ। ଛୋଟ ଝିଅମାନେ ସେମାନଙ୍କଠାରୁ ଛୋଟ ସେମାନଙ୍କ ଭାଇଭଉଣୀଙ୍କ ଯତ୍ନ ନେବାରେ ସମୟ ବିତାଇଥାନ୍ତି । ସେମାନେ ବାହା ହୋଇଯିବା ପରେ, ସେମାନେ ମଧ୍ୟ ସେମାନଙ୍କ ନୂଆ ପରିବାର ସହିତ ଅନ୍ୟ ସ୍ଥାନକୁ ପ୍ରବାସରେ ଗମନ କରିବା ପାଇଁ ବାଧ୍ୟ ହେବେ । ନିଜକୁ ବଞ୍ଚାଇ ରଖିବା ପାଇଁ ସେମାନଙ୍କୁ ଏତେ ସଂଘର୍ଷ କରିବାକୁ ପଡୁଛି ଯେ ସେମାନେ ନିରୋଳାରେ ସ୍ୱପ୍ନ ଟିକିଏ ଦେଖିବା ପାଇଁ ମଧ୍ୟ ସମୟ ପାଇପାରୁନାହାନ୍ତି, ଏହିପରି ପରିସ୍ଥିତିରେ ଆଜିର ଏହି ପ୍ରତିଯୋଗିତା ସର୍ବସ୍ୱ ପୃଥିବୀରେ ସେମାନଙ୍କ ସ୍ଥାନ କେଉଁଠି? ସେମାନଙ୍କ ଜୀବନ ପାଇଁ ଏବେ ମଧ୍ୟ କୌଣସି ଆଶାର କିରଣ ଦେଖାଯାଉନାହିଁ ଓ ସ୍ୱପ୍ନ ଦେଖିବା କଥା ନକହିଲେ ଭଲ । ସେମାନେ କେବେ ଏଠାରେ ପହଞ୍ଚି ପାରିବେ କେଜାଣି, ତାହା ଜାଣିବାକୁ ବାକି ରହିଲା?

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Mamata Pared

Mamata Pared is a 2018 PARI intern; she is doing a Masters in Journalism and Mass Communication at the Abasaheb Garware College in Pune.

Other stories by Mamata Pared