ଗତ ୩୦ ବର୍ଷ ହେଲା ଦେବୁ ଭୋର ଦଉଡ଼ି ତିଆରି କରୁଛନ୍ତି । ଅଧିକ ଟାଣି ହେଉଥିବା ସୂତାରୁ ସେ ପତଳା ତନ୍ତୁକୁ ଅଲଗା କରନ୍ତି। ୧.୫କେଜିରୁ ୨ କେଜି ଓଜନ ବିଶିଷ୍ଟ ସୂତା ବଣ୍ଡଲ କରିବା ପାଇଁ ସେ ତାଙ୍କ ଘରର ଚଟାଣରୁ ସିଲିଂରେ ଥିବା ହୁକ୍ ଯାଏଁ ପ୍ରାୟ ୯ ଫୁଟ୍ ଉଚ୍ଚତାର ସୂତା ଟାଣନ୍ତି । ଏମିତି କରି ୭ ଘଣ୍ଟା ବିନିମୟରେ ସେ ସପ୍ତାହକୁ ତିନି ଥର ଏହିପରି ୧୦ଟି ବଣ୍ଡଲ କରନ୍ତି।

ତାଙ୍କ ପାରିବାରିକ ବ୍ୟବସାୟରେ ବହୁ ବିଳମ୍ବରେ ସୂତାର ପ୍ରବେଶ ହେଲା । ବହୁ ପିଢି ଧରି ତାଙ୍କ ପରିବାର ବନକୁମାରୀ ଗଛରୁ ଦଉଡ଼ି ତିଆରି କରୁଥିଲେ । କିନ୍ତୁ ତାହା ଦୀର୍ଘସ୍ଥାୟୀ ନ ହେବାରୁ ସେମାନେ ସୂତାରୁ ଦଉଡ଼ି କଲେ । କିନ୍ତୁ ବର୍ତ୍ତମାନ ନାଇଲନର ପ୍ରସାର ପରେ ଏହି ବୃତ୍ତି ମଧ୍ୟ ଆକର୍ଷଣ ହରାଇଛି ।

ଦେବୁ ଯେତେବେଳେ  ପିଲା ଥିଲେ, ତାଙ୍କ ବାପା ୧୦ କିମି ଧରି ପାଦରେ ଚାଲି ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାରେ ଥିବା ଗାଁଗୁଡ଼ିକର ନିକଟବର୍ତ୍ତୀ ଜଙ୍ଗଲକୁ ବନକୁମାରୀ ଗଛ ସଂଗ୍ରହ କରିବାକୁ ଯାଉଥିଲେ । ମରାଠୀରେ ତାଙ୍କୁ ଘାୟପତ୍ କୁହାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଫାଦ୍ ଭାବେ ତାହା ପ୍ରସିଦ୍ଧ । ସେ ପ୍ରାୟ ୧୫ କିଲୋ ବନକୁମାରୀ ଗଛ ଧରି ଫେରୁଥିଲେ । ପତ୍ରର କଣ୍ଟାଯୁକ୍ତ ଧାରକୁ ବାହାର କରିଦେବା ପରେ ସେ ତାକୁ ଏକ ସପ୍ତାହ ଧରି ପାଣିରେ ବୁଡ଼ାଇ ଦେଉଥିଲେ ଏବଂ ପରେ ୨ ଦିନ ଧରି ଶୁଖାଉଥିଲେ । ଏହି ପ୍ରକ୍ରିୟାରେ ଦଉଡ଼ି ପାଇଁ ୨ କିଲୋ ତନ୍ତୁ ଅମଳ ହେଉଥିଲା । ଦେବୁଙ୍କର ମା’ ମୈନାବାଇ ମଧ୍ୟ ଏହି କାମ କରୁଥିଲେ ଏବଂ ୧୦ ବର୍ଷୀୟ ଦେବୁଙ୍କର ମଧ୍ୟ ଯୋଗଦାନ ରହୁଥିଲା ।

୧୯୯୦ ମସିହାବେଳକୁ ଭୋର ଏବଂ ଅନ୍ୟ ପରିବାର ବନକୁମାରୀ ତନ୍ତୁ ପରିବର୍ତ୍ତେ ସୂତା ବ୍ୟବହାର କରିବା ଆରମ୍ଭ କଲେ- ସୂତା ଅଧିକ ଦିନ ଧରି ରହିଲା । ତା’ ଛଡ଼ା ଦେବୁ କହନ୍ତି, ‘‘ଲୋକମାନେ ଜଙ୍ଗଲ କାଟିଦେଇଛନ୍ତି । ଏପରିସ୍ଥଳେ ଫାଦ୍ (ବନକୁମାରୀ ଗଛକୁ ଅଧିକ ସମୟ ଭିଜାଇବା ଏବଂ ତାକୁ ଶୁଖାଇବାର ପ୍ରକ୍ରିୟା ) ଅପେକ୍ଷା ସୂତା ବ୍ୟବହାର ଅଧିକ ସହଜ ।’’

ଦେବୁ ଆକଳନ କରନ୍ତି ୧୯୯୦ ମସିହାର ଶେଷ ପର୍ଯ୍ୟନ୍ତ ତାଙ୍କ ଗାଁରେ ପ୍ରାୟ ୧୦୦ ପରିବାର ଦଉଡ଼ି ତିଆରି କରୁଥିଲେ । ସେ ବେଲଗାମ୍ ଜିଲ୍ଲାର ଚିକୋଡ଼ି ତାଲୁକାର ବୋରାଗାଓଁ ଗାଁରେ ରହନ୍ତି । ଯେତେବେଳେ ନାଇଲନ୍ ଦଉଡ଼ିର ଆର୍ବିଭାବ ପରେ ଏଥିରୁ ଆୟର ପରିମାଣ କମିଲା ଅନେକ ଲୋକ ନିକଟବର୍ତ୍ତୀ ଗାଁରେ କୃଷିକାମ ଆଡକୁ ମୁହାଁଇଲେ କିମ୍ବା ଇଚ୍ଚାଲକରଞ୍ଜି ଏବଂ କାଗଲ ସହରରେ ଥିବା ଲୁଗାବୁଣା କାରଖାନା ବା ଅଟୋ ପାର୍ଟ ୱାର୍କସପ୍ ରେ କାମ କରିବାକୁ ପଳାଇଗଲେ ।

PHOTO • Sanket Jain

ବୋରାଗାଓଁରେ ଭୋର ପରିବାରର କେବଳ ତିନି ଜଣ ସଂଘର୍ଷ କରୁଥିବା ସଦସ୍ୟ ଏବେ ଦଉଡ଼ି ତିଆରି କରୁଛନ୍ତି-ସେମାନେ ହେଲେ ଦେବୁ, ତାଙ୍କ ସ୍ତ୍ରୀ ନନ୍ଦୁ ବାଇ ଓ ସେମାନଙ୍କର ପୁଅ ଅମିତ୍‌

ବୋରାଗାଓଁରେ ଭୋର ପରିବାରର କେବଳ ତିନି ଜଣ ସଂଘର୍ଷ କରୁଥିବା ସଦସ୍ୟ ଏବେ ଦଉଡ଼ି ତିଆରି କରୁଛନ୍ତି-ସେମାନେ ହେଲେ ଦେବୁ, ତାଙ୍କ ସ୍ତ୍ରୀ ନନ୍ଦୁ ବାଇ ଓ ସେମାନଙ୍କର ବଡ଼ ପୁଅ ଅମିତ୍‌ । ଅମିତ୍‌ଙ୍କର ସ୍ତ୍ରୀ ସବିତା ଟେଲରିଂ କାମ କରନ୍ତି । ସାନ ପୁଅ ୨୫ ବର୍ଷୀୟ ଭରତ, କାଗଲ ଶିଳ୍ପାଞ୍ଚଳରେ ଜଣେ ଶ୍ରମିକ ଭାବେ କାମ କରନ୍ତି ଏବଂ ଦୁଇ ଜଣ ବିବାହିତା ଝିଅ, ମାଲନ୍‌ ଓ ସାଲନ୍‌ ଗୃହିଣୀ ।

୫୮ ବର୍ଷ ବୟସ୍କ ଦେବୁ କହନ୍ତି, ‘‘ଶହ ଶହ ବର୍ଷ ଧରି, ଆମ ଜାତିର ଲୋକେ ଦଉଡ଼ି ତିଆରି କରିଆସୁଛନ୍ତି ।’’ ସେ ଗୋଟିଏ ଅନୁସୂଚିତ ଜାତି ମାତଙ୍ଗ ସମ୍ପ୍ରଦାୟର । ‘‘ମୁଁ ଆମର ପୂର୍ବ ପୁରୁଷଙ୍କର କଳାକୁ ବଞ୍ଚାଇ ରଖିଛି ।’’ ଦଉଡ଼ି ତିଆରି କରିବାରେ ଦେବୁ ତାଙ୍କ ପରିବାରର ଚତୁର୍ଥ ପିଢ଼ି । ସେ ଦ୍ଵିତୀୟ ଶ୍ରେଣୀ ଯାଏଁ ପଢ଼ିଥିଲେ, କିନ୍ତୁ ତାଙ୍କର ବାପା ମା’ ଆଉ ଆଗକୁ ପଢ଼ାଇବାକୁ ସମର୍ଥ ହେଲେ ନାହିଁ ଏବଂ ପ୍ରତିଦିନ ସେମାନଙ୍କର ୪ଟି ଗାଈଙ୍କଠାରୁ ୩ ଘଣ୍ଟା ଧରି କ୍ଷୀର ସଂଗ୍ରହ କରିବା ପରେ ସେ ଆଉ ସ୍କୁଲ ଯିବାକୁ ସମୟ ପାଇଲେ ନାହିଁ ।

ପାରିବାରିକ ବୃତ୍ତିକୁ ଆପଣାଇବା ପୂର୍ବରୁ ଦେବୁ ୧୦ ବର୍ଷ ଧରି ଇଚ୍ଚାଲକରଞ୍ଜିରେ ଜଣେ ଘର ରଙ୍ଗ ମିସ୍ତ୍ରୀ ଭାବେ କାମ କରିଥିଲେ। ତା ପରେ ସେ ମଝିରେ ବର୍ଷା ଉପରେ ନିର୍ଭର କରି ପରିବାରର ଥିବା ୧ ଏକର ଜମିରେ ବାଦାମ, ସୋୟାବିନ୍‌ ଏବଂ ପନିପରିବା ଚାଷ କଲେ । ଏହାର ୬ ବର୍ଷ ପରେ ଦେବୁ ତାଙ୍କ ବାପା କ୍ରିଷ୍ଣା ଭୋରଙ୍କ ସହ ଦଉଡ଼ି ତିଆରି କରିବା କାମରେ ଯୋଗଦେଲେ, ସେତେବେଳକୁ ତାଙ୍କୁ ୨୮ ବର୍ଷ ବୟସ ହୋଇଥିଲା ।

ଏବେ ଦେବୁ ଇଚ୍ଛଲକରଞ୍ଜିରୁ (ବୋରାଗାଓଁଠାରୁ ୧୫ କିଲୋମିଟର ଦୂର) କ୍ଵିଣ୍ଟାଲ୍‌ ପିଛା ୩୮୦୦ ଟଙ୍କା ଦେଇ ସୂତା ବଣ୍ଡଲ କିଣୁଛନ୍ତି । ଭୋର ପରିବାର ପ୍ରତି ଦୁଇ ସପ୍ତାହରେ ଥରେ ୧୫୦ ଟି ବାର ଫୁଟ୍‌ ଦଉଡ଼ି ଯାହାକି  ପ୍ରତ୍ୟେକ ୫୫୦ ଗ୍ରାମ୍‌ ବିଶିଷ୍ଟ ଏବଂ କିଛି ଛୋଟ ଦଉଡ଼ି ତିଆରି କରିବାକୁ ଏକ କ୍ଵିଣ୍ଟାଲ୍‌ (୧୦୦ କିଲୋ) ସୂତା ଖର୍ଚ୍ଚ କରୁଛନ୍ତି ।

ସେ ସପ୍ତାହରେ ତିନି ଦିନ ସୂତା ତିଆରି କରନ୍ତି, ଏବଂ ଅନ୍ୟ ଦିନଗୁଡ଼ିକରେ ସେ ସୂତା ବଣ୍ଡଲଗୁଡ଼ିକୁ ଆର୍‌କେ ନଗରସ୍ଥିତ ତାଙ୍କ ଘର ବାହାରେ ଥିବା ଏକ କାଦୁଅ ରାସ୍ତା ପାଖରେ ଥିବା ୧୨୦ ଫୁଟ୍‌ ‘ଦଉଡ଼ି-ପଥ’ରେ ଟାଣନ୍ତି । ଦଉଡ଼ି-ପଥର ଗୋଟିଏ ପଟରେ ଅମିତ୍‌ଙ୍କ ଦ୍ଵାରା ଚଳାଯାଉଥିବା ଏକ ମେସିନ୍‌ ଅଛି, ଯେଉଁଥିରେ ବଣ୍ଡଲଗୁଡ଼ିକ ଛଅଟି ଛୋଟ ହୁକ୍‌ରେ ବନ୍ଧାଯାଏ । ଅନ୍ୟପଟେ ବସିଥାନ୍ତି ନନ୍ଦୁବାଇ ଯିଏ ଏକ ଭୋରଖାଡ଼ି ବା ଟି ଆକୃତିର ଲିଭରକୁ ଧରିଥାଆନ୍ତି, ଯେଉଁଥିରେ ମଧ୍ୟ ସୂତା ବଣ୍ଡଲଗୁଡ଼ିକ ସଂଯୁକ୍ତ ଥାଆନ୍ତି ।  

ଆଉ ଗୋଟିଏ ଲିଭରକୁ ଟଣାଯିବା ପରେ ହୁକ୍ ଘୂରେ ଏବଂ ସୂତା ଗୁଡ଼ାଇ ହୁଏ । ସୂତା ବଣ୍ଡଲଗୁଡ଼ିକ ମଧ୍ୟରେ ଦେବୁ ଏକ କାଠର ‘କର୍ଲା’(ବେଲଣାବାଡ଼ି ଭଳି ଜିନିଷ)ରଖିଦେଇଥାନ୍ତି ଏବଂ ସୂତାକୁ ସେଗୁଡ଼ିକର ଲମ୍ବା ଅନୁସାରେ ଘୁରାଇଥାନ୍ତି ଯେପରିକି ତାହା ଦୃଢ ଓ ସମାନ ଭାବେ ଘୂରିବ । ଏହି ଘୂରାଇବା ପାଇଁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥାଏ ଏବଂ ୩ ଜଣଙ୍କର ଶ୍ରମ ଆବଶ୍ୟକ କରେ । ଥରେ ସେ କାମ ସରିଯିବା ପରେ ତନ୍ତୁଗୁଡ଼ିକ ଦଉଡ଼ି ତିଆରି ପାଇଁ ପ୍ରସ୍ତୁତ ହୋଇଯାନ୍ତି ।

PHOTO • Sanket Jain

‘ଆମେ  କଠିନ ପରିଶ୍ରମ କରୁ କିନ୍ତୁ ତଥାପି ମଧ୍ୟ ରୋଜଗାର କରିପାରୁନା । ଲୋକମାନେ ଆମଠାରୁ ଏହି ଦଉଡ଼ି କିଣନ୍ତି ନାହିଁ. ସେମାନେ ସହରରେ ଥିବା ହାର୍ଡୱାର ଦୋକାନରୁ ଦଉଡ଼ି କିଣିଥାନ୍ତି।’ ସେମାନେ ମନେ କରନ୍ତି ଯେ ରାସ୍ତା କଡ଼ରେ ବିକ୍ରି ହେଉଥିବା  ଦଉଡ଼ି ଅପେକ୍ଷା ଦୋକାନରେ ବିକ୍ରି ହେଉଥିବା ଦଉଡ଼ି ଅଧିକ ଭଲ ।

ସମୟ ସମୟରେ ଅର୍ଡର ଅନୁସାରେ ଦେବୁ ଦଉଡ଼ି ତିଆରି କରିବା ପୂର୍ବରୁ ତନ୍ତୁଗୁଡ଼ିକ ଡାଇ କରନ୍ତି । ସେ ପାଉଡର ହୋଇଥିବା ରଙ୍ଗ କିଣିବା ଲାଗି ୩୦ କିମି ଦୂରରେ ଥିବା ମହାରାଷ୍ଟ୍ରର ମିରାଜ ସହରକୁ ବସରେ ମାସକୁ ୨ ଥର ଯାଇଥାନ୍ତି । ୨୫୦ ଗ୍ରାମ ରଙ୍ଗକୁ ସେ ୨୬୦ ଟଙ୍କା ଦେଇ କିଣିଥାନ୍ତି, ତାକୁ ୫ ଲିଟର ପାଣିରେ ପକାଇ ତନ୍ତୁଗୁଡ଼ିକୁ ସେଥିରେ ଭିଜାଇ ଦିଅନ୍ତି । ଓଦା ତନ୍ତୁଗୁଡ଼ିକ ଖରାରେ ଶୁଖିବା ଲାଗି ୨ ଘଣ୍ଟା ସମୟ ଲାଗିଥାଏ ।

ଦେବୁଙ୍କର ପରିବାର ଚାଷୀଙ୍କ ପାଇଁ ୨ ପ୍ରକାର ଦଉଡ଼ି ତିଆରି କରେ: ୩ ଫୁଟ ଲମ୍ବା କାଣ୍ଡାଯାହାକି ବଳଦର ବେକରେ ବନ୍ଧା ହୁଏ ଏବଂ ୧୨ ଫୁଟ ଲମ୍ବା କସରା ଯାହାକି ଲଙ୍ଗଳ ସହ ଯୋଚା ଯାଏ । କସରାକୁ ଅମଳ ହୋଇଥିବା ଫସଲକୁ ବାନ୍ଧିବା ପାଇଁ ବ୍ୟବହାର କରାଯାଏ, କିଛି ଘରେ ତା’ ଦ୍ୱାରା ସିଲିଂରୁ ଶିଶୁମାନଙ୍କର ଦୋଳି ବନ୍ଧାଯାଏ । ଭୋରମାନେ ଏହି ଦଉଡ଼ିକୁ କର୍ଣ୍ଣାଟକର ସୌଣ୍ଡଲଗା, କରାଡଗା, ଆକୁଲ, ଭୋଜ ଏବଂ ଗଲାଟଗା ଗାଁରେ ଥିବା ସାପ୍ତାହିକ ହାଟ ଓ ମହାରାଷ୍ଟ୍ରର କୁରୁଣ୍ଡବାଦରେ ବିକ୍ରି କରିଥାନ୍ତି । ଗୋଟିଏ ଯୋଡ଼ା ରଙ୍ଗୀନ କସରା ଦଉଡ଼ି୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଧଳା ଦଉଡ଼ି ୮୦ ଟଙ୍କାରେ ବିକ୍ରି ହୋଇଥାଏ । ସେହିପରି ଗୋଟିଏ ଯୋଡ଼ା ରଙ୍ଗୀନ କାଣ୍ଡା ୫୦ ଟଙ୍କା ଏବଂ ଧଳା ଦଉଡ଼ି ୩୦ ଟଙ୍କାରେ ବିକ୍ରି ହୁଏ ।

୩୦ ବର୍ଷୀୟ ଅମିତ କହନ୍ତି, “ଆମେ ଏଥିରୁ ଅଧିକ ରୋଜଗାର କରୁନା’’ । ହାରାହାରି ଭାବେ ଭୋରମାନେ  ପ୍ରତିଦିନ ୮ ଘଣ୍ଟା ପରିଶ୍ରମ କରିବା ପରେ ଜଣକା ୧୦୦ ଟଙ୍କା ଲେଖାଏଁ ପାଇଥାନ୍ତି- ତେଣୁ ସେମାନଙ୍କର ମାସିକ ରୋଜଗାର ମାତ୍ର ୯୦୦୦ ଟଙ୍କା। ଦେବୁ କହନ୍ତି, “ବାର୍ଷିକ ବେନ୍ଦୁର ବା ପୋଲା ଉତ୍ସବ(ବଳଦମାନଙ୍କର ପର୍ବ ଯାହାକି ଜୁନ୍-ଅଗଷ୍ଟ ମାସ ମଧ୍ୟରେ ହୋଇଥାଏ) ସମୟରେ ଏହି ରଙ୍ଗୀନ ଦଉଡ଼ିଗୁଡ଼ିକର ଖୁବ୍ ଚାହିଦା ଥାଏ ।’’ ସେ ମଧ୍ୟ ପରିବାରର ଏକ ଏକର ଜମି ବାବଦରେ ବାର୍ଷିକ ୧୦ ହଜାର ଟଙ୍କା ଭାଗ ପାଇଥାନ୍ତି(ଜମି ତାଙ୍କର ଚାରି ଭାଇଙ୍କ ନାଁରେ ଅଛି)ଯାହାକି ବର୍ତ୍ତମାନ ଜଣେ ଭାଗଚାଷୀଙ୍କୁ ଲିଜରେ ଦିଆଯାଇଛି ।

ଦେବୁ କହନ୍ତି, “ଏବେ ଆଉ ଅଧିକ ବଳଦଙ୍କୁ (କୃଷିକ୍ଷେତ୍ରରେ)ଦେଖିବାକୁ ମିଳୁନି । ଚାଷ କାମକୁ ମେସିନ୍ ମାଧ୍ୟମରେ କରାଯାଉଛି । ତା’ ହେଲେ ଏହି ଦଉଡ଼ିକୁ କିଣିବ କିଏ?’’ ୫୦ ବର୍ଷରେ ଉପନୀତ ନନ୍ଦୁବାଇ ମୂଳତଃ ମହାରାଷ୍ଟ୍ରର ଜୟସିଂହପୁର ସହରରେ ଥିବା ଏକ କୃଷିଶ୍ରମିକମାନଙ୍କର ପରିବାରରୁ ଆସିଛନ୍ତି ଯିଏକି ୧୫ ବର୍ଷ ବୟସରେ ବିବାହ କରି ଆସିବା ପରଠାରୁ ଦଉଡ଼ି ତିଆରି କରୁଛନ୍ତି । ନନ୍ଦୁବାଇ କହନ୍ତି, “ପ୍ଲାଷ୍ଟିକ୍ ଓ ନାଇଲନ୍ ଦଉଡ଼ି ଆସିବା ଯୋଗୁ ଦଉଡ଼ି(ସୂତା)ର ଚାହିଦା କମିଯାଇଛି ଯାହାକି ଅଧିକ ଦିନ ରହିଥାଏ । ଆମେ ଆଉ ଦୁଇବର୍ଷ ପରେ ଏହି ଦଉଡ଼ି ତିଆରି କରିବା ବ୍ୟବସାୟକୁ ଆଉ  ଚଳାଇ ପାରିବୁ ନାହିଁ ।’’

ଦଉଡ଼ି ବ୍ୟବସାୟରୁ ହେଉଥିବା କମ୍ ଆୟ ଯୋଗୁ ଅସନ୍ତୁଷ୍ଟ ଥିବା ଅମିତ କହନ୍ତି, “ବଡ଼ ଦୋକାନୀମାନେ କେବଳ ବସିରହୁଛନ୍ତି ଏବଂ ଆମ ଦଉଡ଼ିରୁ ଟଙ୍କା ରୋଜଗାର କରୁଛନ୍ତି । ଆମେ କଠିନ ପରିଶ୍ରମ କରୁଛୁ କିନ୍ତୁ ରୋଜଗାର କରିପାରୁନୁ । ଲୋକମାନେ ଆମଠାରୁ  ଦଉଡ଼ି କିଣୁନାହାନ୍ତି, ସେମାନେ ସହରରେ ଥିବା ହାର୍ଡୱାର ଦୋକାନରୁ ଦଉଡ଼ି କିଣୁଛନ୍ତି ।’’ ସେମାନେ ଭାବୁଛନ୍ତି ଯେ ରାସ୍ତା କଡ଼ରେ ବିକ୍ରି ହେଉଥିବା ଦଉଡ଼ିଠାରୁ ଦୋକାନରେ ବିକ୍ରି ହେଉଥିବା ଦଉଡ଼ି ଅଧିକ ଭଲ ।

PHOTO • Sanket Jain

୧.୫-୨ କିଲୋ ଓଜନର ସୂତା ବଣ୍ଡଲ କରିବା ପାଇଁ ଦେବୁ ତାଙ୍କ ଘରର ଚଟାଣରୁ ସିଲିଂରେ ଥିବା ଏକ ହୁକ୍ ଯାଏ ସୂତାକୁ ଟାଣନ୍ତି।

PHOTO • Sanket Jain

ଦେବୁ ଭୋରଙ୍କ ବାପାଙ୍କ ସମୟରେ ଦଉଡ଼ି ବଳିବା ପାଇଁ କାଠର ଏକ ମେସିନ୍ ବ୍ୟବହାର କରାଯାଉଥିଲା । ଏବେ ସେମାନେ ୨୦ କିଲୋରୁ ଅଧିକ ଓଜନର ଏକ ଲୁହା ମେସିନ୍ ବ୍ୟବହାର କରୁଛନ୍ତି ।

PHOTO • Sanket Jain

ସୂତା ବଣ୍ଡଲର ତନ୍ତୁକୁ ଘୁରୁଥିବା ହୁକ୍ ସହ ବନ୍ଧାଯାଇଛି, ଦୃଢ ତନ୍ତୁ କରିବା ଲାଗି ସେଗୁଡ଼ିକୁ ଘୂରାଯାଇଥାଏ ଯାହାକି ପରେ ଦଉଡ଼ି ତିଆରି ପାଇଁ ବ୍ୟବହାର ହୋଇଥାଏ ।

PHOTO • Sanket Jain

ଦେବୁ ଏବଂ ତାଙ୍କର ପରିବାର ସେମାନଙ୍କର ଘର ବାହାରେ ‘ଦଉଡ଼ି-ପଥ’ ତିଆରି କରୁଛନ୍ତି । ତାର ଗୋଟିଏ ପାଶ୍ୱର୍ରେ ଗୋଟିଏ ମେସିନ୍ ଥିବାବେଳେ ଅନ୍ୟ ପାଶ୍ୱର୍ରେ ଏକ ଭୋରଖାଡ଼ି ବା ଟି-ଆକୃତିର ଲିଭର ଥାଏ ।

PHOTO • Sanket Jain

ମହାରାଷ୍ଟ୍ରର ମିରାଜ ସହରରୁ ଅଣାଯାଇଥବା ରଙ୍ଗୀନ ପାଉଡ଼ରକୁ ପାଣିରେ ମିଶାଯାଇଛି । ଦେବୁ ଓ ତାଙ୍କର ବଡ଼ ପୁଅ ଅମିତ ଏହାପରେ ତନ୍ତୁକୁ ସେହି ଡାଇରେ ବୁଡ଼ାଇଥାନ୍ତି । ୧୦ ମିନିଟ୍ ଧରି ବୁଡ଼ାଯିବା ପରେ ତନ୍ତୁକୁ ଖରାରେ ୨ ଘଣ୍ଟା ଶୁଖାଯାଏ ।

PHOTO • Sanket Jain

ଘୂରାଇବା ଓ ଡାଇ କରିବାର ପ୍ରକ୍ରିୟା କଷ୍ଟକର, ଏଥିପାଇଁ ଦେବୁ, ନନ୍ଦୁବାଇ ଏବଂ ଅମିତ ମିଶି କାମ କରିବା ଆବଶ୍ୟକ ପଡ଼େ ।

PHOTO • Sanket Jain

ଦଉଡ଼ି ପଥର ଗୋଟିଏ ପଟେ ଅମିତଙ୍କ ଦ୍ୱାରା ଚାଳିତ ମେସିନ୍ ରହିଛି, ଅନ୍ୟପଟେ ନନ୍ଦୁବାଇ ଅଛନ୍ତି

PHOTO • Sanket Jain

ସେମାନଙ୍କର ‘ଦଉଡ଼ି-ପଥ’ରେ ଭୋରମାନେ, ଦଉଡ଼ିକୁ ବାହାର କରୁଛନ୍ତି ଓ ଡାଇ କରୁଛନ୍ତି, ଏହି ବହୁସ୍ତରୀୟ ପ୍ରକ୍ରିୟାରେ ପରିବାରର ପ୍ରତି ସଦସ୍ୟଙ୍କର ଭିନ୍ନ ଭିନ୍ନ କାମ ରହିଛି

PHOTO • Sanket Jain

ଦେବୁ ତନ୍ତୁଗୁଡ଼ିକ ମଧ୍ୟରେ ଏକ କାଠର ‘କର୍ଲା’(ବେଲଣାବାଡ଼ି ଭଳି ଜିନିଷ ରଖିଦେଇଥାନ୍ତି ଯେପରିକି ସେଗୁଡ଼ିକ ଦୃଢ ଓ ସମାନ ଭାବେ ଘୂରିପାରିବ

PHOTO • Sanket Jain

ଭୋର ପରିବାର ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦଉଡ଼ି ତିଆରି କରିଥାନ୍ତି ଯାହାକୁ କି ସେମାନେ ନିକଟବର୍ତ୍ତୀ ବଜାରରେ ବିକ୍ରି କରିଥାନ୍ତି

PHOTO • Sanket Jain

ଅନେକ ପ୍ରକ୍ରିୟା ପରେ ଦଉଡ଼ି ପ୍ରସ୍ତୁତ ହୋଇଯାଇଛି ଏବଂ ଅମିତ ଓ ଦେବୁ ୧୨ ଫୁଟ ଲମ୍ବା ଦଉଡ଼ିଗୁଡ଼ିକୁ ଗୁଡ଼ାଉଛନ୍ତି, ସେଗୁଡ଼ିକ ପରେ ବଜାରକୁ ନିଆଯିବ

ଆହୁରି ମଧ୍ୟ ଦେଖନ୍ତୁThe great Indian vanishing rope trick ଫଟୋ ଆଲବମ୍

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sanket Jain

ସଙ୍କେତ ଜୈନ ହେଉଛନ୍ତି ମହାରାଷ୍ଟ୍ରର କୋହ୍ଲାପୁରର ଜଣେ ସାମ୍ବାଦିକ ଏବଂ ୨୦୧୯ର ପରୀ ଫେଲୋ।

Other stories by Sanket Jain