html ଶାମସୁଦ୍ଦିନ୍‌: ଏବେ ବି କାର୍ଯ୍ୟରତ ଏକ ରେଞ୍ଚି

“ଦୁଇ ହାତରେ ପାନା (ରେଞ୍ଚି) ଧରି ମୁଁ ମରିବି,” ଶାମସୁଦ୍ଦିନ୍‌ ମୁଲ୍ଲା କହନ୍ତି, “ମୃତ୍ୟୁ ହିଁ ହେବ ମୋର ଅବସର ନେବାର ସମୟ!”

ହୁଏତ ତାହା ନାଟକୀୟ ଶୁଭିପାରେ, କିନ୍ତୁ ବାସ୍ତବରେ ରେଞ୍ଚି ଓ ଅନ୍ୟାନ୍ୟ ଉପକରଣ ଚଳାଇ, ଶାମସୁଦ୍ଦିନ୍‌ ତାଙ୍କ ଜୀବନର ୭୦ ବର୍ଷରୁ ଅଧିକ କାଳର ଏକ ସୁଦୀର୍ଘ ଅଂଶ ଅତିବାହିତ କରିଛନ୍ତି । ସେଗୁଡ଼ିକୁ ବ୍ୟବହାର କରି ସେ ପାଣି ପମ୍ପ, ବୋର୍‌ୱେଲ୍‌ ପମ୍ପ୍‌, ଛୋଟ ଖନନ ଯନ୍ତ୍ର, ଡିଜେଲ୍‌ ଇଞ୍ଜିନ୍‌ ଏବଂ ଆହୁରି ଅନେକ ଯନ୍ତ୍ର ମରାମତି କରିଛନ୍ତି ।

କର୍ଣ୍ଣାଟକର ବେଲଗାମ ଜିଲ୍ଲା ଓ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ବିଭିନ୍ନ ଗାଁରେ ତ୍ରୁଟିପୂର୍ଣ୍ଣ ଓ ଅଚଳ ଅବସ୍ଥାରେ ଥିବା ଚାଷଜମିର ଏସବୁ ଯନ୍ତ୍ରପାତିକୁ ଜୀବନ୍ୟାସ ଦେବାରେ ତାଙ୍କ କର୍ମନିପୁଣତାର ଚାହିଦା ଢେର୍‌ ଅଧିକ । କିଛିଟା ଗର୍ବର ସହିତ ସେ କହନ୍ତି, “ଲୋକେ କେବଳ ମୋତେ ହିଁ ଡାକନ୍ତି ।”

ଯନ୍ତ୍ରପାତିର କୌଣସି ତ୍ରୁଟି ପରଖିବାରେ ତାଙ୍କର ବିଶେଷ କୌଶଳ ଲୋଡ଼ିବା ପାଇଁ ଚାଷୀ ଓ ଅନ୍ୟ ଗ୍ରାହକମାନେ ଶାମସୁଦ୍ଦିନ୍‌ଙ୍କ ପାଖକୁ ଆସନ୍ତି । ବୁଝାଇ ଦେବାକୁ ଯାଇ ସେ କହନ୍ତି “ମୁଁ ଖାଲି ଅପରେଟରଙ୍କୁ ହ୍ୟାଣ୍ଡଲ ବୁଲାଇବାକୁ କହେ ଏବଂ ସେଥିରୁ ହିଁ ମୁଁ ଇଞ୍ଜିନ୍‌ର ଦୋଷତ୍ରୁଟି ଜାଣିପାରେ।”

ତା ପରେ ପ୍ରକୃତ କାମ ଆରମ୍ଭ ହୁଏ । ଗୋଟିଏ ଅକାମୀ ଇଞ୍ଜିନ୍‌ ମରାମତି କରିବା ଲାଗି ତାଙ୍କୁ ଆଠ ଘଣ୍ଟା ଲାଗେ । ଶାମସୁଦ୍ଦିନ୍‌ କହନ୍ତି, “ଏଥିରେ ଇଞ୍ଜିନ୍‌ ଖୋଲିବା ଏବଂ ପୁଣି ଥରେ ଖଞ୍ଜିବା ସମୟ ମିଶିଥାଏ’’ । “ଆଜିକାଲି, ରେଡିମେଡ୍‌ ସାମଗ୍ରୀ ସହିତ ଯନ୍ତ୍ରପାତି (ଇଞ୍ଜିନ୍‌) ଆସିଲାଣି, ତେଣୁ ସେଗୁଡ଼ିକୁ ମରାମତି କରିବା ସହଜ ହୋଇଗଲାଣି ।”

ହେଲେ ତାଙ୍କର ଏହି ଆଠ ଘଣ୍ଟାର ହାରାହାରି ମରାମତି ସମୟ ହାସଲ କରିବା ପଛରେ ରହିଛି ଘଣ୍ଟା ଘଣ୍ଟା ଧରି ଅସଂଖ୍ୟ ଘଣ୍ଟାର ଅଭ୍ୟାସ । ଶାମସୁଦ୍ଦିନ୍‌ଙ୍କୁ ଏବେ ୮୩ ବର୍ଷ ଏବଂ ତାଙ୍କ ଅନୁମାନରେ ସେ ଗତ ୭୩ ବର୍ଷ ଭିତରେ ୫,୦୦୦ରୁ ଅଧିକ ଇଞ୍ଜିନ୍‌ ମରାମତି କରିସାରିଛନ୍ତି - ସେଥିରେ ରହିଛି ନଦୀରୁ ପାଣି ଉଠାଇବାରେ, ଚିନାବାଦାମ ଓ ଅନ୍ୟାନ୍ୟ ତୈଳବୀଜରୁ ତେଲ ବାହାର କରିବାରେ, ନିର୍ମାଣସ୍ଥଳ ଏବଂ କୂଅରୁ ପଥର ହଟାଇବାରେ ଏବଂ ଅନ୍ୟାନ୍ୟ ଅନେକ କାମରେ ଲାଗୁଥିବା ଇଞ୍ଜିନ୍‌ ସମୂହ ।

PHOTO • Sanket Jain

ତାଙ୍କର ବିଶେଷ କୌଶଳ ପାଇଁ ବେଲଗାମ ଓ କୋହ୍ଲାପୁର ଜିଲ୍ଲାର ବିଭିନ୍ନ ଗାଁରେ ବେଶ୍ ପରିଚିତ ୮୩ ବର୍ଷୀୟ ଶାମସୁଦ୍ଦିନ ମୁଲ୍ଲା । ଆମେ ଯେତେବେଳେ ତାଙ୍କୁ ସାକ୍ଷାତ କରୁ, ଗରମରେ ବି ସେ ଅବିଚଳିତ ଭାବେ କାମରେ ଲାଗିଥାଆନ୍ତି, କୋହ୍ଲାପୁର ସହରର ବିଭିନ୍ନ ହାର୍ଡଓୟାର ବିକ୍ରେତାଙ୍କ ପାଖରୁ ଫୋନ୍‌ କଲ୍‌ ପାଉଥାଆନ୍ତି, ଏବଂ କହନ୍ତି, “ବିକ୍ରେତା ଜଣକ ମୋ ପାଖକୁ ଆସିଥିବା ଗ୍ରାହକଙ୍କର କେବଳ ନାଁ କହନ୍ତି ଏବଂ ଦରକାର ହେଉଥିବା ଯନ୍ତ୍ରାଂଶ କଥା ପଚାରନ୍ତି ।”

ସେ କହନ୍ତି, ଅନେକ ଚାଷୀଙ୍କ ପାଇଁ କୁଶଳୀ ମେକାନିକ୍‌ ପାଇବା କଷ୍ଟକର, କାରଣ ସାଧାରଣତଃ କମ୍ପାନି ନିଯୁକ୍ତି ଦେଇଥିବା ଟେକ୍‌ନିସିଆନ୍‌ମାନେ ସେମାନଙ୍କ ଗାଁକୁ ଯାଆନ୍ତି ନାହିଁ । ସେ ଆହୁରି କହନ୍ତି, “କମ୍ପାନିର ମେକାନିକ୍‌ଙ୍କୁ ଡାକିବାରେ ଖର୍ଚ୍ଚ ଅଧିକ’’, ଏବଂ “ସେମାନଙ୍କୁ ଦୂର ଗାଁରେ ପହଞ୍ଚିବା ପାଇଁ ସମୟ ବି ଲାଗେ ।” କିନ୍ତୁ ଅଚଳ ଇଞ୍ଜିନ୍‌ ପାଖରେ ଖୁବ୍‌ ଶୀଘ୍ର ପହଞ୍ଚି ପାରନ୍ତି ଶାମସୁଦ୍ଦିନ । ଯେତେବେଳେ ଯୁବ ଟେକ୍ନିସିଆନ୍‌ମାନେ ତ୍ରୁଟି ନିର୍ଣ୍ଣୟ କରିବାରେ ଅକ୍ଷମ ହୁଅନ୍ତି, ସେତେବେଳେ ବି ଚାଷୀମାନେ ତାଙ୍କ ପରାମର୍ଶ ଲୋଡ଼ନ୍ତି ।

ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ବେଲଗାମ ଜିଲ୍ଲା ଚିକୋଡ଼ି ତାଲୁକା ଅନ୍ତର୍ଗତ ତାଙ୍କ ଗାଁ ବାରୱାଡ଼ରେ ଶାମସୁଦ୍ଦିନ୍‌ ଶାମା ମିସ୍ତ୍ରୀ ନାଁରେ ପରିଚିତ, ଜଣେ ଅଭିଜ୍ଞ ମେକାନିକ୍‌ । ସେମାନଙ୍କର ଶବ୍ଦହୀନ କ୍ଷୁଦ୍ର ଇଞ୍ଜିନ୍‌ର ଜୀବନ୍ୟାସ ପାଇଁ ଏହି ଗାଁକୁ ହିଁ ଲୋକେ ବୋହି ନିଅନ୍ତି କିମ୍ବା ଏହିଠାରୁ ହିଁ ଶାମସୁଦ୍ଦିନ୍‌ ବିଭିନ୍ନ କ୍ଷେତ ଓ କାରଖାନାକୁ ଯାତ୍ରା କରନ୍ତି, ଯେଉଁଠାରେ କି ଅଚଳ ଇଞ୍ଜିନ୍‌ଗୁଡ଼ିକ ତାଙ୍କ କୁଶଳୀ ସ୍ପର୍ଶକୁ ଅପେକ୍ଷା କରନ୍ତି ।

ଇଞ୍ଜିନ୍‌ ନିର୍ମାଣକାରୀ କମ୍ପାନିଗୁଡ଼ିକ ବି ଶାମସୁଦ୍ଦିନଙ୍କ ଦକ୍ଷତାକୁ ମହତ୍ତ୍ଵ ଦିଅନ୍ତି। କିର୍ଲୋସ୍କର, ୟାନ୍‌ମାର ଏବଂ ସ୍କୋଡା ଭଳି ବଡ଼ ବଡ଼ କମ୍ପାନି ସହିତ ବିଭିନ୍ନ ସ୍ଥାନୀୟ କମ୍ପାନି ଦ୍ଵାରା ନିର୍ମିତ ମେସିନ୍‌ଗୁଡ଼ିକୁ ବି ସେ ମରାମତି କରିପାରନ୍ତି । ସେ କହନ୍ତି, “ଇଞ୍ଜିନ୍‌ର ଗୁଣମାନ ବୃଦ୍ଧି ଲାଗି ସେମାନେ ମୋର ପରାମର୍ଶ ନିଅନ୍ତି ଏବଂ ମୁଁ ସବୁବେଳେ ସେମାନଙ୍କୁ ମତାମତ ଦେଇଥାଏ ।”

ଉଦାହରଣ ସ୍ଵରୂପ, ପୂର୍ବରୁ ଇଞ୍ଜିନ୍‌ର ହ୍ୟାଣ୍ଡଲ୍‌ଗୁଡ଼ିକ ମଜଭୁତ ଏବଂ ସୁସଂଲଗ୍ନ ଭାବେ ନ ଥିଲା । ସେ କହନ୍ତି, “ଲୋକଙ୍କୁ ବହୁ ଥର ହ୍ୟାଣ୍ଡଲ୍‌ (କ୍ରାଙ୍କସାଫ୍ଟ) ଘୂରାଇବାକୁ ପଡୁଥିଲା । ଏହା ସେମାନଙ୍କୁ ଆଘାତ ଦିଏ ଏବଂ ସେମାନେ ଆହତ ହୁଅନ୍ତି । ହ୍ୟାଣ୍ଡଲ୍‌ ସୁଧାରିବାକୁ ମୁଁ କେତେକ କମ୍ପାନିକୁ ପରାମର୍ଶ ଦେଲି । ଏବେ ସେମାନଙ୍କ ମଧ୍ୟରୁ ଅନେକ କମ୍ପାନି ଦୁଇଟି ବଦଳରେ ତିନିଟି ଗିୟର୍‌ ଦେଉଛନ୍ତି ।” ଏହା ଦ୍ଵାରା ହ୍ୟାଣ୍ଡଲ୍‌ର ସନ୍ତୁଳନ, ଲାଗୁଥିବା ସମୟ ଏବଂ ଚଳାଚଳ କ୍ଷେତ୍ରରେ ଉନ୍ନତି ହୋଇଛି । ସେ ଆହୁରି କହନ୍ତି ଯେ, କୋହ୍ଲାପୁର ଜିଲ୍ଲାରେ ଶାଖା ଥିବା କେତେକ କମ୍ପାନି ତାଙ୍କୁ ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ ଏବଂ କମ୍ପାନିର ବାର୍ଷିକ ଉତ୍ସବ ପାଳନ ସମୟରେ ନିମନ୍ତ୍ରଣ କରନ୍ତି ।

ମାର୍ଚ୍ଚ, ଏପ୍ରିଲ୍‌ ଏବଂ ମେ ମାସରେ ଶାମସୁଦ୍ଦିନ୍‌ ସବୁଠାରୁ ବେଶୀ ବ୍ୟସ୍ତ ରହନ୍ତି। ସେତେବେଳେ ସେ ପ୍ରତି ମାସରେ ପ୍ରାୟ୧୦ଟି ଇଞ୍ଜିନ୍‌ ମରାମତି କରନ୍ତି ଏବଂ ଇଞ୍ଜିନ୍‌ ଅଚଳ ହେବାର ଜଟିଳତା ଭିତ୍ତିରେ ୫୦୦ ଟଙ୍କାରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ପାଉଣା ନେଇଥାଆନ୍ତି । ସେ ବୁଝାଇ ଦିଅନ୍ତି, “ବର୍ଷା ହେଲା ଆଗରୁ, ଅନେକ ଚାଷୀ ସେମାନଙ୍କ ଜମିରେ କୂଅ ଖୋଳନ୍ତି ଏବଂ ସେହି ସମୟରେ ବହୁତଗୁଡ଼ିଏ ଇଞ୍ଜିନ୍‌ ମରାମତି କରିବା ଦରକାର ହୁଏ ।” ବର୍ଷର ବାକି ସମୟରେ ତାଙ୍କ ମରାମତି କାମ ଜାରି ରହେ, କିନ୍ତୁ ଏତେ ଅଧିକ ଡାକରା ମିଳେ ନାହିଁ ।

PHOTO • Sanket Jain

ଉପର ଧାଡ଼ି: ଶାମସୁଦ୍ଦିନ୍‌ କହନ୍ତି ଯେ ଅଠାଳିଆ କଳା ଇଞ୍ଜିନ୍‌ରେ ହାତ ବୁଡ଼ାଇବାକୁ ଯୁବ ପିଢ଼ିର ଅଧିକାଂଶ ଇଚ୍ଛା କରନ୍ତି ନାହିଁ । ‘ମୁଁ କେବେହେଲେ ଗ୍ଲୋଭ୍‌ସ ବ୍ୟବହାର କରିନାହିଁ, ଏବେ ସେଗୁଡ଼ିକ ବ୍ୟବହାର କରି କ’ଣ ବା କରିବି ?’ ସେ ପଚାରନ୍ତି । ତଳ ଧାଡ଼ି: ଖୋଲାଯାଇଥିବା ଗୋଟିଏ ଇଞ୍ଜିନ୍‌ର ଆଭ୍ୟନ୍ତରୀଣ ଅଂଶ (ବାମ) ଏବଂ କେତେକ ଉପକରଣ (ଡାହାଣ) ଯେଉଁଗୁଡ଼ିକୁ ଶାମସୁଦ୍ଦିନ୍‌ ସାତ ଦଶନ୍ଧି ଧରି କିଣି ରଖିଛନ୍ତି । ସଠିକ୍‌ ଧରଣର ଉପକରଣ ବ୍ୟବହାର ଦିଗରେ ସେ ଖୁବ୍‌ ଯତ୍ନବାନ୍‌, ଏବଂ କୌଣସି ମରାମତି କାମ ପାଇଁ ତାଙ୍କ ନିଜ ଉପକରଣ ଧରି ଯିବାକୁ ସେ ପସନ୍ଦ କରନ୍ତି ।

ଯେତେବେଳେ ସେ ଇଞ୍ଜିନ୍‌ ମରାମତି କରିବାକୁ ଯାଆନ୍ତି ନାହିଁ, ଶାମସୁଦ୍ଦିନ୍‌ ତାଙ୍କର ଦୁଇ ଏକର ଚାଷଜମିର ଦେଖାରଖା କରନ୍ତି ଏବଂ ଆଖୁ ଚାଷ କରନ୍ତି । ତାଙ୍କୁ ଯେତେବେଳେ ମାତ୍ର ୭ କି ୮ ବର୍ଷ ହୋଇଥିଲା, ତାଙ୍କ ବାପା ଆପ୍ପାଲାଲ ଏବଂ ମାଆ ଜନ୍ନତ୍‌ କୋହ୍ଲାପୁରର ହାତକାନାଙ୍ଗଲ ତାଲୁକା ଅନ୍ତର୍ଗତ ପଟ୍ଟାନ୍‌ କୋଡ଼ୋଲିରୁ ବାରୱାଡ଼କୁ ଚାଲି ଆସିଥିଲେ । ବାପା ଓ ମାଆ ଥିଲେ କୃଷକ । ୧୯୪୬ ମସିହାରେ ପରିବାରର ରୋଜଗାର ବଢ଼ାଇବା ଲାଗି ଶାମସୁଦ୍ଦିନ୍‌ ୧୦ ବର୍ଷ ବୟସରେ ବାରୱାଡ଼ର ଜଣେ ମେକାନିକ୍‌ଙ୍କ ସହାୟକ ଭାବରେ କାମ କଲେ । ଦଶ ଘଣ୍ଟା କାମ କରି ପ୍ରତିଦିନ ସେ ୧ ଟଙ୍କା ପାଉଥିଲେ । ପରିବାରର ଦାରିଦ୍ର୍ୟ ଯୋଗୁଁ ସେ ପ୍ରଥମ ଶ୍ରେଣୀରୁ ଆଗକୁ ପଢ଼ି ପାରିଲେନି । ହସିହସି ସେ କହନ୍ତି, “ଯଦି ମୁଁ ମୋ ପଢ଼ା ସାରିଥାଆନ୍ତି, ହୁଏତ ଆଜି ଉଡ଼ାଜାହାଜ ଉଡ଼ାଉଥାଆନ୍ତି ।”

ପୁରୁଣା ଦିନକୁ ମନେ ପକାନ୍ତି ଶାମସୁଦ୍ଦିନ୍‌-୧୯୫୦ ଦଶକର ମଧ୍ୟଭାଗରେ ଇଞ୍ଜିନ୍‌ ପାଇଁ ଡିଜେଲ୍‌ କିଣିବାକୁ ସେ ପ୍ରତି ପନ୍ଦର ଦିନରେ ଥରେ ତାଙ୍କ ଗାଁଠାରୁ ପ୍ରାୟ ୩୦ କିଲୋମିଟର ଦୂର ହାତକାନାଙ୍ଗଲ୍ ଗାଁକୁ ଯାଉଥିଲେ, ଯେଉଁଠାରେ କି ମାଲଗାଡ଼ିଗୁଡ଼ିକ ଅଟକି ରହୁଥିଲେ । “ସେତେବେଳେ ଡିଜେଲ ଲିଟରକୁ ଏକ ଟଙ୍କା ଥିଲା ଏବଂ ପ୍ରତି ଥର ମୁଁ ତିନି ବ୍ୟାରେଲ୍‌ (ମୋଟ ୬୦୦ ଲିଟର) କିଣୁଥିଲି ।” ସେ ସମୟରେ ଶାମସୁଦ୍ଦିନ୍‌ ‘ଶାମା ଡ୍ରାଇଭର’ ନାଁରେ ପରିଚିତ ଥିଲେ ଏବଂ ତାଙ୍କ କାମ ଥିଲା ମେସିନ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ।

୧୯୫୮ ମସିହାରେ ନିକଟରେ ଥିବା ଦୁଧ୍‌ଗଙ୍ଗା ନଦୀରୁ କ୍ଷେତକୁ ପାଣି ଆଣିବା ପାଇଁ ଏକ ୧୮ ହର୍ସ୍‌ପାୱାର୍‌ କ୍ଷମତାର ଇଞ୍ଜିନ୍‌ ସ୍ଥାପନ କରିବାକୁ କୋହ୍ଲାପୁରରୁ କେତେ ଜଣ ମେକାନିକ୍‌ ବାରୱାଡ଼କୁ ଆସିଥିଲେ । ସେତେବେଳେ ୨୨ ବର୍ଷର ଶାମସୁଦ୍ଦିନ ସେମାନଙ୍କ କାମକୁ ଧ୍ୟାନ ସହକାରେ ଦେଖିଲେ ଏବଂ କିପରି ଗୋଟିଏ ଇଞ୍ଜିନ୍‌ କାମ କରୁଛି ତାହା ବୁଝିବାକୁ ଚେଷ୍ଟା କଲେ । ମନେ ପକାଇ ସେ କହନ୍ତି, “ଏଥିପାଇଁ ପ୍ରତି ଦିନ ଦୁଇ ଟଙ୍କାର ଅଶୋଧିତ ତୈଳ ଦରକାର ହେଉଥିଲା ।” ତା ପର ବର୍ଷ ବଢୁଥିବା ନଦୀର ପାଣିରେ ବୁଡ଼ି ଇଞ୍ଜିନ୍‌ ପୁଣି ଅକାମୀ ହୋଇପଡ଼ିଲା । ପୁଣି ମେକାନିକ୍‌ମାନଙ୍କୁ ଡକା ହେଲା ଏବଂ ଶାମସୁଦ୍ଦିନ୍‌ ଏହି ସୁଯୋଗକୁ ନିଜ ଦକ୍ଷତା ମାର୍ଜିତ କରିବାରେ ଲଗାଇଲେ । ୧୯୬୦ ମସିହାରେ ପୁଣି ଯେତେବେଳେ ମେସିନ୍‌ ପାଣିରେ ବୁଡ଼ିଗଲା ସେ ନିଜେ ନିଜେ ମେସିନ୍‌ ମରାମତି କରିଦେଲେ (ପରବର୍ତ୍ତୀ ସମୟରେ ଏହା ବଦଳରେ ନୂଆ ମଡେଲର ମେସିନ୍‌ ଲାଗିଲା) । ଗର୍ବର ସହ ସେ କହନ୍ତି, “ସେହି ଦିନଠାରୁ ମୋ ନାଁ ‘ଶାମା ଡ୍ରାଇଭର’ରୁ ‘ଶାମା ମିସ୍ତ୍ରୀ’କୁ ବଦଳିଗଲା’’ ।

୧୯୬୨ ମସିହାର ଗୋଟିଏ ଘଟଣାରୁ ଶାମସୁଦ୍ଦିନ୍‌ଙ୍କର ହୃଦ୍‌ବୋଧ ହେଲା ଯେ ଇଞ୍ଜିନ୍‌ ଦୁନିଆରେ ଆହୁରି ଆଗକୁ ବଢ଼ିବା ଲାଗି ଏହା ହିଁ ପ୍ରକୃଷ୍ଟ ସମୟ । ବାରୱାଡ଼ର ଜଣେ ଚାଷୀ ତାଙ୍କ ଜମି ପାଇଁ ଗୋଟିଏ ଇଞ୍ଜିନ୍‌ କିଣିବା ଦାୟିତ୍ଵ ଶାମସୁଦ୍ଦିନ୍‌ଙ୍କୁ ଦେଇଥିଲେ । ସେ କହନ୍ତି, “ମୁଁ ହାତକାନାଙ୍ଗଲ ତାଲୁକାର ଘୁନାକି (ପ୍ରାୟ ୫୦ କିଲୋମିଟର ଦୂର)ଗାଁରେ ଥିବା କମ୍ପାନିର ଗୋଦାମକୁ ଗଲି ଏବଂ ୫,୦୦୦ ଟଙ୍କାରେ ଇଞ୍ଜିନ୍‌ କିଣି ଆଣିଲି ।” ଏହାର ଯନ୍ତ୍ରାଂଶକୁ ଯୋଡ଼ି କାର୍ଯ୍ୟକ୍ଷମ କରିବା ପାଇଁ ତାଙ୍କୁ ତିନି ଦିନରେ ୨୦ ଘଣ୍ଟା କାମ କରିବାକୁ ପଡ଼ିଲା । ମନେ ପକାଇ ସେ କହନ୍ତି, “ପରେ କମ୍ପାନିରୁ ଆସିଥିବା ଜଣେ ମେକାନିକ୍‌ ଏହାର ନିରୀକ୍ଷଣ କଲେ ଏବଂ କହିଲେ ଯେ ଏହା ପୂରା ଠିକ୍‌ ଭାବରେ କରାଯାଇଥିଲା ।”

PHOTO • Sanket Jain

ସେମାନଙ୍କ ବାରୱାଡ଼ ଗାଁ ଘରେ: ଶାମସୁଦ୍ଦିନ୍‌ ଏବଂ ତାଙ୍କ ସ୍ତ୍ରୀ ଗୁଲ୍‌ଶନ, ଯିଏ କହନ୍ତି, “ମୋ ପାଇଁ ମେସିନ୍‌ ମରାମତି ଅପେକ୍ଷା ଚାଷବାସ କରିବା ଭଲ”

ସମୟକ୍ରମେ, ଜଣେ ଦକ୍ଷ ମେକାନିକ୍‌ ଭାବେ ଶାମସୁଦ୍ଦିନ୍‌ଙ୍କ ଖ୍ୟାତି ବଢ଼ିବାରେ ଲାଗିଲା । ସେତେବେଳକୁ ସେ ଦିନକୁ ୨ ଟଙ୍କା ରୋଜଗାରରେ, ଅନ୍ୟ ଜଣେ ମେକାନିକ୍‌ଙ୍କ ପାଖରେ ପ୍ରଶିକ୍ଷାର୍ଥୀ ଭାବରେ ପାଞ୍ଚ ବର୍ଷ କାମ କରିସାରିଥିଲେ । ଯେତେବେଳେ ସେ ନିଜେ ନିଜେ ଇଞ୍ଜିନ୍‌ ମରାମତି ଆରମ୍ଭ କଲେ ତାଙ୍କ ରୋଜଗାର ଦିନକୁ ପାଖାପାଖି ୫ ଟଙ୍କାକୁ ବୃଦ୍ଧି ପାଇଲା । ସେ ତାଙ୍କ ସାଇକେଲରେ ବେଲଗାମର (ବର୍ତ୍ତମାନର ବେଲଗାଭି) ଚିକୋଡ଼ି ତାଲୁକା ଅନ୍ତର୍ଗତ ଆଖପାଖ ଗାଁକୁ ଯିବାରେ ଲାଗିଲେ । ଆଜିକାଲି, ତାଙ୍କ ଗ୍ରାହକମାନେ ତାଙ୍କ ସହ ଫୋନ୍‌ରେ ଯୋଗାଯୋଗ କରୁଛନ୍ତି ଏବଂ ତାଙ୍କୁ ସେମାନଙ୍କ ଗାଡ଼ିରେ ନେବାଆଣିବା କରୁଛନ୍ତି ।

ହେଲେ ଇଞ୍ଜିନ୍‌ ମରାମତି କାମରେ ବିପଦ ଆଶଙ୍କା ବି ରହିଛି । ଶାମସୁଦ୍ଦିନ୍‌ କହନ୍ତି, “ଥରେ (୧୯୫୦ ଦଶକରେ) କାମ କରୁଥିବା ବେଳେ ମୁଁ ଆହତ ହେଲି । ଏବେ ବି ଆପଣ ମୋ ପିଠିରେ ଥିବା କ୍ଷତଚିହ୍ନ ସବୁ ଦେଖିପାରିବେ । ସେ ସବୁ କେବେ ବି ଭଲ ହେବନି ।” କିଛି ମାସ ତଳେ କୋହ୍ଲାପୁରର ଏକ ଡାକ୍ତରଖାନାରେ ତାଙ୍କ ଶରୀରରେ ଆଞ୍ଜିଓପ୍ଲାଷ୍ଟି ପ୍ରକ୍ରିୟା କରାଗଲା । ତାଙ୍କ ସ୍ତ୍ରୀ ଗୁଲଶନ କହନ୍ତି, “ଡାକ୍ତରମାନେ ତାଙ୍କୁ ଛଅ ମାସ ପାଇଁ ବିଶ୍ରାମ ନେବାକୁ କହିଛନ୍ତି । କିନ୍ତୁ ଏଠାରେ ଇଞ୍ଜିନ୍‌ ମରାମତି କରିବାକୁ କେହି ନାହାନ୍ତି’’ । “ଦୁଇ ମାସ ଭିତରେ ଲୋକେ ଆସି ତାଙ୍କୁ ଇଞ୍ଜିନ୍‌ ମରାମତି କରିବା ପାଇଁ ଡାକି ବ୍ୟସ୍ତ କରିପକାଇଲେ ।”

୭୦ରୁ ଅଧିକ ବର୍ଷ ବୟସ୍କା ଗୁଲଶନ ତାଙ୍କ ପରିବାରର ଦୁଇ ଏକର ଜମିରେ ଆଖୁଚାଷ କରିବାରେ ସାହାଯ୍ୟ କରନ୍ତି ଏବଂ ସେମାନେ ବଜାରରେ ଆଖୁ ବିକ୍ରି କରନ୍ତି । ହସି ହସି ସେ କହନ୍ତି, “କେମିତି ମରାମତି କରିବାକୁ ହେବ ଶିଖିବାକୁ ସେ ମତେ କହନ୍ତି ଏବଂ ବେଳେବେଳେ ଶିଖାନ୍ତି ମଧ୍ୟ, କିନ୍ତୁ ମୋର ଏଥିରେ ଏତେ ବେଶୀ ଆଗ୍ରହ ନାହିଁ । ମୋ ପାଇଁ ମେସିନ୍‌ ମରାମତି ଅପେକ୍ଷା ଚାଷବାସ କରିବା ଭଲ,”।

ସେମାନଙ୍କ ପୁଅମାନେ ବି ଶାମସୁଦ୍ଦିନଙ୍କ କାମ କରୁନାହାନ୍ତି । (ତାଙ୍କର ଏବଂ ଗୁଲଶନଙ୍କର ଝିଅ ନାହାଁନ୍ତି ) । ବଡ଼ପୁଅ ୫୮ ବର୍ଷୀୟ ମୌଲାଙ୍କର ବାରୱାଡ଼ରେ ଏକ ଇଲେକ୍ଟ୍ରିକ୍‌ ମୋଟର ଦୋକାନ ଅଛି । ୫୦ରୁ ଅଧିକ ବର୍ଷ ବୟସର ଇସାକ୍‌ ଚାଷବାସ ଦେଖାଶୁଣାରେ ସାହାଯ୍ୟ କରନ୍ତି । ପ୍ରାୟ ଦଶ ବର୍ଷ ତଳେ ସାନପୁଅ ସିକନ୍ଦରଙ୍କର ମୃତ୍ୟୁ ହୋଇଥିଲା ।

ସାମାନ୍ୟ ଦୁଃଖଭରା କଣ୍ଠରେ ଶାମସୁଦ୍ଦିନ୍‌ କହନ୍ତି, “ମୁଁ ବାହାରକୁ ବାହାରିଲି, ଲୋକଙ୍କୁ ନିରେଖି ଦେଖିଲି ଏବଂ ଏହି କଳା ଶିଖିଲି’’ । “ଏବେ ଆମ ଘରେ ଜ୍ଞାନ ଏବଂ ସମ୍ବଳ ରହିଛି, କିନ୍ତୁ କେହି ହେଲେ ଇଞ୍ଜିନ୍‌ରେ ହାତ ମାରିବାକୁ ବି ଚାହୁଁନାହାନ୍ତି ।”

PHOTO • Sanket Jain
PHOTO • Sanket Jain

ବଡ଼ ଏବଂ ଭାରି ଇଞ୍ଜିନ୍‌ ହୋଇଥିଲେ ଶାମସୁଦ୍ଦିନ୍‌ ସିଧା କାର୍ଯ୍ୟସ୍ଥଳକୁ ଯାଆନ୍ତି । ଏଠାରେ ସେ ବେଲଗାମ ଜିଲ୍ଲାର ଗଜାବାରୱାଡ଼ି ଗାଁରେ କୂଅଖୋଳା ସମୟରେ ପଥର ଉଠାଇବା ଲାଗି ବ୍ୟବହୃତ ଏକ ଡିଜେଲ ଇଞ୍ଜିନ୍‌ ମରାମତି କରୁଛନ୍ତି

ସେମାନଙ୍କ ଘର ବାହାରର ସ୍ଥିତି ମଧ୍ୟ ପ୍ରାୟ ଏକାଭଳି। “ସେମାନଙ୍କ ହାତ କାଲାକୁଟ୍ଟ (କଳା, କଦର୍ଯ୍ୟ) ଇଞ୍ଜିନ ତେଲରେ ମଇଳା ହେଉ ବୋଲି କେହି ଚାହାଁନ୍ତିନି । ଯୁବ ପିଢ଼ି ଏହାକୁ ‘ଅପରିଚ୍ଛନ୍ନ କାମ’ ବୋଲି କହନ୍ତି ।” ହସି ହସି ସେ ପଚାରନ୍ତି, “ତମେ ଯଦି ତେଲରେ ହାତ ନ ମାରିବ ତେବେ କେମିତି ଗୋଟିଏ ଇଞ୍ଜିନ ମରାମତି କରିବ ? “ତା ଛଡ଼ା, ଲୋକଙ୍କ ପାଖରେ ଆଜିକାଲି ବହୁତ ଟଙ୍କା ଅଛି ଏବଂ ଯଦି ଗୋଟିଏ ଇଞ୍ଜିନ୍‌ କାମ ନ କରେ, ପ୍ରାୟତଃ ସେମାନେ ନୂଆ ଗୋଟିଏ କିଣି ଆଣନ୍ତି ।”

ତଥାପି, ବିଗତ ବର୍ଷଗୁଡ଼ିକରେ ଶାମସୁଦ୍ଦିନ୍‌ ଆଖପାଖ ଗାଁର ପ୍ରାୟ ୧୦ରୁ ୧୨ ଜଣ ମେକାନିକ୍‌ଙ୍କୁ ତାଲିମ ଦେଇଛନ୍ତି । ସେ ଗର୍ବିତ ଯେ ସେମାନେ ବି ଏଣିକି ସହଜରେ ଇଞ୍ଜିନ ମରାମତି କରିପାରିବେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ହେଲେ ତାଙ୍କ ଭଳି କାର୍ଯ୍ୟଦକ୍ଷ ନୁହଁନ୍ତି ଏବଂ ବେଳେବେଳେ ଇଞ୍ଜିନର ସମସ୍ୟା ଚିହ୍ନଟ କରିବା ପାଇଁ ତାଙ୍କୁ ଡାକନ୍ତି ।

ଯୁବ ପିଢ଼ି ପାଇଁ ପରାମର୍ଶ କଥା କହିବାରୁ ଅଳ୍ପ ହସି ଶାମସୁଦ୍ଦିନ୍‌ କହନ୍ତି, “କୌଣସି ଜିନିଷ ପାଇଁ ତମର ଆବେଗ ଥିବା ଉଚିତ । ତମେ ଯାହା କରୁଛ ତାକୁ ଭଲ ପାଇବା ଦରକାର । ମୁଁ ଇଞ୍ଜିନକୁ ଭଲପାଏ ଏବଂ ସେଥିପାଇଁ ମୋର ସାରା ଜୀବନ ତା’ରି ସହ କାଟିଲି । ମୋ ପିଲାବେଳୁ, ମୁଁ ଇଞ୍ଜିନକୁ ପରୀକ୍ଷା କରିବାକୁ ଏବଂ ମରାମତି କରିବାକୁ ଚାହିଁଲି ଏବଂ ମୋର ମନେହୁଏ ଯେ ମୋର ସେହି ସ୍ଵପ୍ନ ପୂରଣ କରିବାରେ ମୁଁ ସଫଳ ହୋଇଛି ।”

ଠିକ୍‌ ଏଇ ସମୟରେ ହିଁ ସେ ମୁକ୍ତକଣ୍ଠରେ କହନ୍ତି–“ଦୁଇ ହାତରେ ପାନା (ରେଞ୍ଚି) ଧରି ମୁଁ ମରିବି”- କିନ୍ତୁ ସାଙ୍ଗେ ସାଙ୍ଗେ ସେ ସ୍ପଷ୍ଟ କରି ଦିଅନ୍ତି ଯେ ଏଇ ଶବ୍ଦଗୁଡ଼ିକ ତାଙ୍କର ନୁହେଁ । କିଶୋରାବସ୍ଥାରେ ସେ ଭେଟିଥିବା ତାଙ୍କର ଜଣେ ଗୁରୁ ମେକାନିକ୍‌ଙ୍କର ଏବଂ ଇଞ୍ଜିନ ମରାମତି ପାଇଁ ତାଙ୍କ ନିଶାକୁ ଶାମସୁଦ୍ଦିନ ଏବେ ବି ମନେ ପକାନ୍ତି । ସେ କହନ୍ତି, “ଏଇ କାମ ପାଇଁ ସେ ଶହ ଶହ କିଲୋମିଟର ଯାଇପାରନ୍ତି ।” ସେଇ ଗୁରୁ (ଯାହାଙ୍କର ପୂରା ନାଁ ଶାମସୁଦ୍ଦିନ୍‌ ମନେ ପକାଇ ପାରନ୍ତି ନାହିଁ) ଥରେ ତାଙ୍କୁ ହାତରେ ରେଞ୍ଚି ଧରି ମରିବା କଥା କହିଥିଲେ । “ଏହା ମୋତେ ପ୍ରେରଣା ଦେଇଛି ଏବଂ ସେଥିପାଇଁ ମୁଁ ୮୩ ବର୍ଷ ବୟସରେ ବି କାମ କରୁଛି । ମୃତ୍ୟୁ ହିଁ ହେବ ମୋର ଅବସର ନେବାର ସମୟ ।” ଆଉ ଥରେ କହନ୍ତି ଶାମା ମିସ୍ତ୍ରୀ ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sanket Jain

Sanket Jain is a journalist based in Kolhapur, Maharashtra, and a 2019 PARI Fellow.

Other stories by Sanket Jain