ରାଜେଶ୍ୱରୀ ସି.ଏନ୍. ଜଣେ ସାଧାରଣ ମଲ୍ଟି ଟାସ୍କର ନୁହନ୍ତି । ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ  ୩ରୁ ୬ବର୍ଷ ବୟସର ୨୦ଜଣ ପିଲାଙ୍କୁ ପାଠ ପଢ଼ାନ୍ତି। ଏ ମଧ୍ୟରୁ ଅଧିକାଂଶ ପିଲା ନଗରପାଳିକା ଝାଡ଼ୁଦାର, ଦିନ ମଜୁରିଆ ଶ୍ରମିକ, କୁଲି, ବୁଲାବିକାଳି ଏବଂ କାରଖାନା ସହାୟକମାନଙ୍କ ସନ୍ତାନ । ଏମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର କର୍ଣ୍ଣାଟକର ବିଭିନ୍ନ ଅଂଶ କିମ୍ବା ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରୁ ଆସିଛନ୍ତି ।

ସେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରସ୍ତୁତ କରନ୍ତି । ଅଞ୍ଚଳରେ ଥିବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ମଧ୍ୟ ରୋଷେଇ କରନ୍ତି । ଯେ କୌଣସି ସମୟରେ ତାଙ୍କ ଦାୟିତ୍ୱରେ ୩-୫ଜଣ ମହିଳା ଥାଆନ୍ତି । ଯେଉଁ ପିତାମାତା ମାଗଣା ଖାଦ୍ୟ ପାଇଁ କାନ୍ଦୁରା ପିଲାମାନଙ୍କୁ ନେଇ ଆସନ୍ତି, ସେ ସେମାନଙ୍କୁ ଖୁଆନ୍ତି ଏବଂ ସେମାନେ କାମକୁ ଯିବା ବେଳେ ପିଲାଙ୍କୁ ଜଗନ୍ତି । ମା’ପିଲାମାନଙ୍କର ଟିକାକରଣ ନିର୍ଦ୍ଧାରିତ ସମୟରେ ହେଉଛି କି ନାହିଁ ତାହା ମଧ୍ୟ ଦେଖନ୍ତି । ଉପରୋକ୍ତ ସମସ୍ତ କାମର ସବିଶେଷ ରେକର୍ଡ ରଖନ୍ତି ଏବଂ ସମୟ କାଢ଼ି ପ୍ରତିଦିନ ଗୋଟିଏ ପରିବାରର ସାଧାରଣ ଭଲମନ୍ଦ ବୁଝିବା ପାଇଁ ଯାଆନ୍ତି ।

ବେଙ୍ଗାଲୁରୁର ବ୍ୟସ୍ତବହୁଳ ଜେ.ସି. ରୋଡରେ ଥିବା ବ୍ୟାୟାମଶାଳା କଲୋନୀ ତାଙ୍କ କାର୍ଯ୍ୟ ପରିସର ମଧ୍ୟରେ ଆସେ । ଏଠାରେ ରହୁଥିବା ହିତାଧିକାରୀ ପରିବାରଗୁଡ଼ିକୁ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ମଧ୍ୟ ସେ ସଚେତନ କରନ୍ତି । ସେମାନଙ୍କ ପାଇଁ ଫର୍ମ ପୂରଣ କରନ୍ତି ଏବଂ ସରକାରୀ ଅଧିକାରୀମାନଙ୍କ ସହ ଯୋଗାଯୋଗ କରନ୍ତି । ଏହାଦ୍ୱାରା ଅନ୍ୟସ୍ଥାନରୁ ଆସି ଏଠାରେ ରହୁଥିବା ପରିବାରଗୁଡ଼ିକ ସ୍ୱାସ୍ଥ୍ୟସେବା ଏବଂ ସରକାରୀ ଯୋଜନାଗୁଡ଼ିକର ସୁଫଳ ପାଇପାରନ୍ତି । ଏ ସବୁ କରିବା ସତ୍ତ୍ଵେ ଅନେକ ତାଙ୍କୁ ଘରୋଇ ଚାକରାଣୀ ବୋଲି ଭାବନ୍ତି । ୪୦ବର୍ଷ ବୟସ୍କା ରାଜେଶ୍ୱରୀ ବିବ୍ରତ ଭାବରେ କୁହନ୍ତି, “ଘରୋଇ ଶିକ୍ଷକମାନେ ଭାବନ୍ତି ଆମେମାନେ କେବଳ ରୋଷେଇ ଓ ବାସନ ସଫା କରୁ । ସେମାନଙ୍କ ଅନୁଯାୟୀ ମୋର ଶିକ୍ଷାଦାନର କୌଣସି ଅଭିଜ୍ଞତା ନାହିଁ ।
PHOTO • Priti David
PHOTO • Vishaka George

ଦରମା ପାଇବାରେ ଦୀର୍ଘ ବିଳମ୍ବ ବିରୋଧରେ ଅଙ୍ଗନୱାଡ଼ି କର୍ମୀମାନେ ବେଙ୍ଗାଲୁରୁର ଟାଉନହଲରେ ପ୍ରତିବାଦ କରୁଛନ୍ତି । ସେମାନଙ୍କ ଅଞ୍ଚଳରେ ଥିବା ପରିବାରମାନେ ଅଙ୍ଗନୱାଡ଼ି କର୍ମୀଙ୍କର ଶିକ୍ଷାଦାନ ବାହାରେ ଥିବା ଅନ୍ୟାନ୍ୟ ଭୂମିକାରୁ ସୁଫଳ ପାଇଥାଆନ୍ତି ।

ରାଜ୍ୟ ମଧ୍ୟ ସେମାନଙ୍କୁ ଅଙ୍ଗନୱାଡ଼ି କର୍ମୀ ଭାବରେ ବିବେଚନା କରେ । ଯଦିଓ ରାଜେଶ୍ୱରୀଙ୍କର ମୁଖ୍ୟ କାମ ଶିକ୍ଷାଦାନ । ଅଙ୍ଗନୱାଡ଼ିରେ ଶିଶୁଙ୍କର ପ୍ରଥମ ୩ବର୍ଷ କଟେ । ସେମାନେ ସେଠାରେ ମୌଳିକ ସାକ୍ଷରତା ହାସଲ କରନ୍ତି । ଯାହାକି ଯେକୌଣସି ପ୍ରାଇମେରୀ ସ୍କୁଲରେ ଯୋଗଦେବା ପାଇଁ ଏକ ଜରୁରୀ ଆବଶ୍ୟକତା ।

୩୦ବର୍ଷ ବୟସ୍କା ହେମବତୀ କୁହନ୍ତି, “ମୁଁ ମୋ ପିଲାମାନଙ୍କୁ ଅନ୍ୟ କେଉଁଠାକୁ ପଠାଇପାରିବି ନାହିଁ । ଅଙ୍ଗନୱାଡ଼ିରେ ମାଗଣା ମଧ୍ୟାହ୍ନ ଭୋଜନ ସହ ଅଣ୍ଡା ମଧ୍ୟ ଦିଆଯାଏ । ହେମବତୀ ବ୍ୟାୟାମଶାଳା କଲୋନୀରେ ଫୁଲ ବିକନ୍ତି ଏବଂ ତାଙ୍କ ସ୍ୱାମୀ ଜଣେ ଫଳଦୋକାନୀ । ସେହି କଲୋନୀରେ ଥିବା ୨୬ବର୍ଷ ବୟସ୍କା ଏମ୍. ସୁମତି କୁହନ୍ତି, “ମୁଁ ଘରୋଇ କିଣ୍ଡରଗାର୍ଟେନ୍ ଅପେକ୍ଷା ଅଙ୍ଗନୱାଡ଼ିକୁ ଅଧିକ ପସନ୍ଦ କରେ । ଏଠାରେ ଥିବା ଶିକ୍ଷକ ମୋ ପିଲାକୁ ଜନ୍ମ ପୂର୍ବରୁ ମଧ୍ୟ ଜାଣିଛନ୍ତି!”

ବେଙ୍ଗାଲୁରୁ ସହରରେ ୩୬୪୯ଟି ଅଙ୍ଗନୱାଡ଼ି ଅଛି । ସମୁଦାୟ କର୍ଣ୍ଣାଟକରେ ଏପରି ୬୫୯୧୧ କେନ୍ଦ୍ର ରହିଛି । ରାଜ୍ୟର ୦-୬ ବୟସ ବର୍ଗର ୭ ନିୟୂତ ଶିଶୁଙ୍କ ମଧ୍ୟରୁ ୫୭ ପ୍ରତିଶତ (୩-୬ ବର୍ଷ)ର ଶିଶୁ ରବିବାର ବ୍ୟତୀତ ପ୍ରତିଦିନ ଅଙ୍ଗନୱାଡ଼ିକୁ ଆସନ୍ତି । ଜାତୀୟ ସ୍ତରରେ ଏହି ହାର ୩୮.୭ ତୁଳନାରେ କର୍ଣ୍ଣାଟକର ହାର ଖୁବ୍ ଅଧିକ । ସାରା ଭାରତରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଅଧୀନରେ ସମନ୍ୱିତ ଶିଶୁ ବିକାଶ ସେବା ଦ୍ୱାରା ଅଙ୍ଗନୱାଡ଼ି ପରିଚାଳିତ ହୁଏ ।

ସମସ୍ତ ଅଙ୍ଗନୱାଡ଼ି କର୍ମୀ ମହିଳା, ସେମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ । ପ୍ରାଥମିକ ଅବସ୍ଥାରେ ସେମାନେ ଏକମାସ ତାଲିମ୍ ପାଆନ୍ତି ଏବଂ ପ୍ରତି ୫ବର୍ଷରେ ସପ୍ତାହେ ଲେଖାଏଁ ।

PHOTO • Vishaka George

ଅଙ୍ଗନୱାଡ଼ି ଭତ୍ତା ଖୁବ୍ କମ୍ ହୋଇଥିବାରୁ ନିଜ ପରିବାର ଚଳାଇବା ପାଇଁ ରାଜେଶ୍ୱରୀ ଦୁଇଟି ସ୍ଥାନରେ କାମ କରନ୍ତି ।

ଶିକ୍ଷକ ରାଜେଶ୍ୱରୀ କରୁଥିବା ପୂର୍ବ ଉଲ୍ଲେଖ ସମସ୍ତ କାର୍ଯ୍ୟ ପାଇଁ ମାସିକ ମାତ୍ର ୮୧୫୦ ଟଙ୍କା ପାଆନ୍ତି । ସେ କୁହନ୍ତି, ୩ବର୍ଷ ତଳେ ଏହି ପରିମାଣ ମାତ୍ର ୪୦୦୦ ଟଙ୍କା ଥିଲା । ତେଣୁ ଅଙ୍ଗନୱାଡ଼ିରୁ ସେ ବସ୍ ଧରି କାମରାଜପେଟରେ ଥିବା ଏକ ଧନ୍ଦାମୂଳକ ତାଲିମକେନ୍ଦ୍ରକୁ ଯାଆନ୍ତି । ଯେଉଁଠାରେ ସେ ପିଲାଙ୍କୁ ସ୍କୁଲ ମ୍ୟାନେଜମେଣ୍ଟ ଏବଂ ଅନ୍ୟାନ୍ୟ କାମ ଶିଖାନ୍ତି । ଏଥିରୁ ମାସକୁ ୫୦୦୦ ଟଙ୍କା ପାଆନ୍ତି । ଘରେ ପହଞ୍ଚିବା ବେଳକୁ ରାତି ୧୦ଟ ବାଜିଥାଏ। ସେ କୁହନ୍ତି, “ଦିନରେ ବହୁ ସମୟ କାମ କରିବାକୁ ହୁଏ, କିନ୍ତୁ ଟଙ୍କା ବି ତ ଦରକାର । ରାଜଶ୍ୱରୀଙ୍କ ପତି ଏକ ପ୍ୟାକେଜିଂ ୟୁନିଟରେ ମାସିକ ୫ହଜାର ଟଙ୍କାରେ କାମ କରନ୍ତି । ଗୋଟିଏ କଲେଜ ଯାଉଥିବା ପୁଅ ଏବଂ ହାଇସ୍କୁଲ ଯାଉଥିବା ଝିଅ ଅଛି ସେମାନଙ୍କର । ତେଣୁ ପ୍ରତି ମାସ ସେମାନଙ୍କୁ ଚାପିଚୁପି ହୋଇ ଚଳିବାକୁ ପଡ଼େ । ତେବେ ୨୦୧୭ ଡିସେମ୍ବର ମାସରୁ ରାଜେଶ୍ୱରୀ ତାଙ୍କର ଏହି ଦରମା ମଧ୍ୟ ପାଇନାହାନ୍ତି । ଯାହା ତାଙ୍କର ଆର୍ଥିକ ଅନଟନକୁ ଆହୁରି ବଢ଼ାଇଦେଇଛି । ଟ୍ରେଡ୍ ୟୁନିୟନ କୋର୍ଡିନେସନ ସେଣ୍ଟର (ଟିୟୁସିସି)ର ଜିଏସ୍ ଶିବଶଙ୍କର କୁହନ୍ତି, “ପ୍ରାୟ ୧୮ ହଜାର ଅଙ୍ଗନୱାଡ଼ି କର୍ମୀ ଦୀର୍ଘ ସମୟ ହେବ ଦରମା ପାଇନାହାନ୍ତି । ରାଜ୍ୟର ମହିଳା ଶିଶୁ ବିକାଶ ବିଭାଗର ମତ ଅଙ୍ଗନୱାଡ଼ି କର୍ମୀମାନଙ୍କର ଦରମା, ଖାଦ୍ୟ ସାମଗ୍ରୀ ଏବଂ ଅଙ୍ଗନୱାଡ଼ିର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବଜେଟରେ ଅନୁମୋଦନ ହୋଇନାହିଁ । ପୂର୍ବରୁ ମଧ୍ୟ ଏପରି ହୋଇଛି । କିନ୍ତୁ ଏଥରର ବିଳମ୍ବ ଖୁବ୍ ଦୀର୍ଘ ।

ସରକାର ସେମାନଙ୍କୁ ଦେୟ ପ୍ରଦାନ କରିବାକୁ ମାସ ପରେ ମାସ ଅପେକ୍ଷା କରିବା ପରେ ଗତ ଅଗଷ୍ଟ ୧୬ ତାରିଖରେ ପ୍ରାୟ ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତା ଓ ସହାୟକ ମହାମଣ୍ଡଳର ପ୍ରାୟ ୨୩୦୦ ଜଣ ସଦସ୍ୟ (ଟିୟୁସିସି ସହ ଅନୁବନ୍ଧିତ ଅଙ୍ଗନୱାଡ଼ି ୱାର୍କର୍ସ ଆଣ୍ଡ ହେଲପର୍ସ ଟ୍ରେଡ୍ ୟୁନିୟନ) ନିଜର ହତାଶା ବ୍ୟକ୍ତ କରିବା ପାଇଁ ବେଙ୍ଗାଲୁର୍ ଟାଉନହଲ୍ ବାହାରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ । ସେମାନେ ନିଜର ବକେୟା ପାଉଣା ଦାବି କରିଥିଲେ । ଏହାବ୍ୟତୀତ ୬୫ବର୍ଷ ପରିବର୍ତ୍ତେ ୬୦ବର୍ଷ ବୟସରୁ ସେମାନଙ୍କ ପାଇଁ ପେନସନ ଲାଗୁ କରିବାକୁ ମଧ୍ୟ ଦାବି କରିଥିଲେ । ପେନସନ ରାଶି ୧୦୦୦ରୁ ୫୦୦୦କୁ ବୃଦ୍ଧି କରିବା, କାର୍ଯ୍ୟନିର୍ଘଣ୍ଟ ହ୍ରାସ କରିବା ଆଦି ପାଇଁ ମଧ୍ୟ ଦାବି କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ଚାକିରି ହରାଇବା ଭୟରେ କିଛି କହିବାକୁ, ନାମ ପ୍ରକାଶ ପାଇଁ କିମ୍ବା ଫଟୋ ଉଠାଇବାକୁ ମନା କରିଦେଇଥିଲେ ।

ତେବେ ୩୦ବର୍ଷଧରି ଅଙ୍ଗନୱାଡ଼ି କର୍ମୀ ଭାବରେ କାର୍ଯ୍ୟ କରୁଥିବା ଲିଙ୍ଗରାଜମ୍ମା ନିର୍ଭୟ ଭାବରେ ଏହି ପ୍ରତିବାଦର ନେତୃତ୍ୱ ନେଉଥିଲେ । ସେ ଦରମା ସଂଶୋଧନ ପାଇଁ ମତ ଦେଇଥିଲେ । ସେ ଦୃଢ଼ ଭାବରେ କହୁଥିଲେ, ଆମେମାନେ ଏହି ଭତ୍ତାକୁ ଦରମାରେ ବଦଳାଇବାକୁ ଚାହୁଁଛୁ (ଏହା ପ୍ରୋଭିଡେଣ୍ଟ ଫଣ୍ଡ ପରି ନାନା ସୁବିଧା ଦେବ) ଏବଂ ଦରମା ୨୦ହଜାର ଟଙ୍କାକୁ ବୃଦ୍ଧି ହେବାକୁ ଚାହୁଁଛୁ । କାରଣ ଆମେ କେବଳ ଶିକ୍ଷାଦାନଠାରୁ ଅନେକ କିଛି ଅଧିକ କରୁଛୁ । ସେ ଏତେ ମାସ ହେବ ବିନା ଦରମାରେ ଚଳିପାରୁଥିଲେ । କାରଣ ତାଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏବଂ ତାଙ୍କର ପେନସନ ରହିଛି । ତାଙ୍କର ପିଲାମାନେ ମଧ୍ୟ ଭଲ ପଢ଼ୁଛନ୍ତି । ପୁଅ  ଓଙ୍କୋଲୋଜି ସର୍ଜନ ହେବା ପାଇଁ ପଢ଼ୁଛି ଏବଂ ଝିଅ ଜଣେ ସାମ୍ବାଦିକ ।

PHOTO • Priti David
PHOTO • Vishaka George

୩୦ ବର୍ଷ ହେବ ଜଣେ ଅଙ୍ଗନୱାଡ଼ି କର୍ମୀ ଭାବରେ କାର୍ଯ୍ୟ କରୁଥିବା ଲିଙ୍ଗରାଜମ୍ମା ବର୍ତ୍ତମାନ ବେଙ୍ଗାଲୁରୁର ଅଙ୍ଗନୱାଡ଼ି କର୍ମୀମାନଙ୍କ ପ୍ରତିବାଦର ନେତୃତ୍ୱ ନେଉଛନ୍ତି ।

କିନ୍ତୁ ତାଙ୍କ ପରି ସୁବିଧା ବହୁ ଅଙ୍ଗନୱାଡ଼ି କର୍ମୀମାନଙ୍କର ନାହିଁ । ତେଣୁ ସେମାନେ ଅତିରିକ୍ତ କାମ କରିବାକୁ ବାଧ୍ୟ ହେଉଛନ୍ତି । କେତେ ଜଣ ଘରୋଇ ସହାୟିକା ଭାବରେ କାମ କରୁଛନ୍ତି । କେହି କେହି ଘର ତିଆରି ମସଲା ବିକ୍ରି କରୁଛନ୍ତି, ଟେଲର୍ ଦୋକାନରେ କାମ କରୁଛନ୍ତି ଏବଂ ଟ୍ୟୁସନ କରୁଛନ୍ତି ।

ସେମାନଙ୍କ ମଧ୍ୟରୁ ରାଧିକା ଜଣେ (ଅନୁରୋଧକ୍ରମେ ନାମ ପରିବର୍ତ୍ତନ କରାଯାଇଛି) । ତାଙ୍କର ୧୨/୧୦ ଫୁଟ ଅଙ୍ଗନୱାଡ଼ିରେ ସେ ୧୫ଟି ଛୋଟ ଛୋଟ ପିଲାଙ୍କୁ ସମ୍ଭାଳିଛନ୍ତି, ଜଣେ ଗର୍ଭବତୀ ମା’ ତାଙ୍କର ଅନ୍ୟ ଅସୁସ୍ଥ ଶିଶୁକୁ ବୁଝାଉଛନ୍ତି । କୋଠରିର ଗୋଟିଏ କୋଣରେ ମଧ୍ୟାହ୍ନ ଭୋଜନ ପାଇଁ ସହାୟିକା ଜଣେ ଭାତ ଏବଂ ସମ୍ବର ରାନ୍ଧୁଛନ୍ତି, ଟେବୁଲ ଉପରେ ଡାଲି ଏବଂ ଚାଉଳର ବସ୍ତା ରଖାଯାଇଛି । ଏହା ବ୍ୟତୀତ କାଠ ଘୋଡ଼ା, ପ୍ଲାଷ୍ଟିକ୍ ଖେଳନା, ଅକ୍ଷର ଏବଂ ସଂଖ୍ୟାର ପୋଷ୍ଟର ରହିଛି । ଏଥିସହ ରାଧିକାଙ୍କ ଡେସ୍କରେ ସେ ଯେଉଁସବୁ ଦାୟିତ୍ୱ ତଦାରଖ କରୁଛନ୍ତି, ତା’ର ରେକର୍ଡ ରଖିବା ପାଇଁ ଭଲ ଭାବରେ ମଲାଟ ଦିଆଯାଇଥିବା ରେଜିଷ୍ଟର ରହିଛି ।

ଆମେ କବାଟ ପାଖରେ ଛିଡ଼ା ହେଲୁ ଏବଂ ଦେଖୁଥିଲୁ ସେ କନ୍ନଡ଼ ଭାଷାରେ ଗୋଟିଏ ଗୀତ ଆବୃତ୍ତି କରୁଛନ୍ତି । ଏଥିରେ ମାନବ ଶରୀରର ସମସ୍ତ ଅଙ୍ଗର ନାମ ରହିଛି । ସେ ନିଜର ହାତ ଏବଂ ଗୋଡ଼ ହଲାଉଛନ୍ତି, ତାଙ୍କୁ ଛୋଟ ପିଲାମାନେ ଅନୁକରଣ କରୁଛନ୍ତି । ବର୍ଷେ ତଳେ ରାଧିକାଙ୍କ ସ୍ୱାମୀ ଦୀର୍ଘ ଦିନର ଅସୁସ୍ଥତା ପରେ କିଡନୀ କ୍ୟାନ୍ସରରେ ପ୍ରାଣ ହରାଇଥିଲେ । ତାଙ୍କର ଚିକିତ୍ସା ପାଇଁ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ଠାରୁ ଯେଉଁ ୨ଲକ୍ଷ ଟଙ୍କା ଉଧାର ଆଣିଥିଲେ, ତାହା ଫେରାଇବାକୁ ସେ  ଚେଷ୍ଟା କରୁଛନ୍ତି । ଦରମାରେ ଅନିୟମିତତା ତାଙ୍କ ଆର୍ଥିକ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ସେ କୁହନ୍ତି, “ବସରେ ଯିବା ପାଇଁ ଅର୍ଥ ନଥିବାରୁ ଦିନରେ ଦୁଇଥର ୪୫ ମିନିଟ୍ ଲେଖାଏଁ ଚାଲୁଛି । “ସେ ନିଜ ଅଞ୍ଚଳରେ ୩୦ଟି ପିଲାଙ୍କୁ ଟ୍ୟୁସନ କରି ମାସକୁ ୩୦୦୦ ଟଙ୍କା ପାଉଛନ୍ତି ।  ଏ ମଧ୍ୟରୁ ଅଧିକାଂଶ ଉଧାର ସୁଝିବାରେ ଯାଉଛି ।
PHOTO • Priti David
PHOTO • Priti David

ଛୋଟ ପିଲା, ଗର୍ଭବତୀ ମହିଳା, ରୋଷେୟା, ଖେଳନା ଏବଂ ଡାଲିଚାଉଳ ବସ୍ତା ସବୁକିଛି ସହରର ଏକ ଗରିବ କଲୋନୀରେ ଥିବା ଏହି କ୍ଷୁଦ୍ର ଅଙ୍ଗନୱାଡ଼ି କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ଏ ମଧ୍ୟରେ ଦେଶରେ ଅନେକ ନୀତି ପ୍ରାକ୍ ଶୈଶବ ଶିକ୍ଷାର ସୁଫଳ ଉପରେ ଗୁରୁତ୍ୱ ଦେଉଛନ୍ତି । ଶିଶୁମାନଙ୍କ ପାଇଁ ଜାତୀୟ ନୀତି, ୧୯୭୪ରେ ୦-୬ବର୍ଷ ବୟସର ଶିଶୁମାନଙ୍କର ଶୈଶବ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ନିମନ୍ତେ ସବିଶେଷ ସୁବିଧା ସମ୍ପର୍କରେ କୁହାଯାଇଛି । ୧୯୭୫ ମସିହାରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଅଧୀନରେ ଅଙ୍ଗନୱାଡ଼ି ସୃଷ୍ଟି କରାଗଲା । ପ୍ରାଥମିକ ଶିକ୍ଷା ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପରିଚାଳନା କଲା । ପୁଷ୍ଟି, ଶିକ୍ଷା ସମ୍ପର୍କିତ ଜାତୀୟ ନୀତି ଏବଂ ନିକଟରେ ଲାଗୁ ହୋଇଥିବା ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ନୀତି, ୨୦୧୩ ଅସମାନତା ଦୂର କରିବା ପାଇଁ ଏବଂ ଦୀର୍ଘକାଳୀନ ସାମାଜିକ ଏବଂ ଆର୍ଥିକ ସୁଫଳ ପାଇଁ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ ମଧ୍ୟରେ ଯତ୍ନ, ସ୍ୱାସ୍ଥ୍ୟ, ପୁଷ୍ଟି, କ୍ରୀଡ଼ା ଏବଂ ଆଦ୍ୟ ଶିକ୍ଷାର ପ୍ରତିଶ୍ରୁତି ଦେଇଛି ।

ତଥାପି ଅଧିକାଂଶ ଅଙ୍ଗନୱାଡ଼ି କେନ୍ଦ୍ର ମୌଳିକ ସୁବିଧାରୁ ବଞ୍ଚିତ। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ୨୦୧୩-୧୪ରେ କରାଯାଇଥିବା ଇଣ୍ଡିଆ ରାପିଡ୍ ସର୍ଭେ ଅନ୍ ଚିଲଡ୍ରେନରୁ ଜଣାପଡ଼ିଛି, ମାତ୍ର ୫୨ ପ୍ରତିଶତ ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇଘର ରହିଛି ଏବଂ ୪୩ ପ୍ରତିଶତ କେନ୍ଦ୍ରରେ ଶୌଚାଳୟ ରହିଛି । ନିଜ ନାମ ନଜଣାଇବାକୁ ଚାହୁଁଥିବା ଜଣେ ଅଙ୍ଗନୱାଡ଼ି କର୍ମୀ କହିଥିଲେ, “ଛୋଟ ପିଲାମାନଙ୍କ ପାଇଁ ଏତେ ସମୟ ପର୍ଯ୍ୟନ୍ତ ପରିସ୍ରା ଅଟକାଇ ରଖିବା କଷ୍ଟକର । ମଧ୍ୟାହ୍ନ ଭୋଜନ ପରେ ହିଁ ଆମେ ସେମାନଙ୍କୁ ଘରକୁ ପଠାଇପାରୁ । ପୁଣି ଅନେକ କ୍ଷେତ୍ରରେ ଉଭୟ ମାତାପିତା କାମ କରିବା ପାଇଁ ଚାଲିଯାଇଥାନ୍ତି ।  ତେଣୁ ସେ ପିଲାମାନେ ଘରକୁ ଯାଇପାରନ୍ତି ନାହିଁ । ଏପରିକି ବଡ଼ମାନେ ମଧ୍ୟ ଏତେ ସମୟ ପରିସ୍ରା ଅଟକାଇ ରଖିବା କଷ୍ଟକର ।”

ଏଥର ବଜେଟରେ ଅଙ୍ଗନୱାଡ଼ି ପାଇଁ ଅର୍ଥ ବ୍ୟବସ୍ଥା ନାହିଁ । ତାହାର ଅର୍ଥ ଅଙ୍ଗନୱାଡ଼ି ଚଳାଇବା ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ମଧ୍ୟ ଅର୍ଥ ନାହିଁ । ଏ ସବୁ କେନ୍ଦ୍ରକୁ ପିଲାମାନଙ୍କୁ ପଠାଇବା ନିମନ୍ତେ ପିତାମାତାଙ୍କ ପାଇଁ ମୁଖ୍ୟ କାରଣ ଥାଏ ମଧ୍ୟାହ୍ନ ଭୋଜନ । ତେଣୁ ଏ ପ୍ରକାର ପରିସ୍ଥିତିରେ ଶିକ୍ଷକଙ୍କ ଉପରେ ଖାଦ୍ୟ ପ୍ରସ୍ତୁତି ପାଇଁ ସାମଗ୍ରୀ ଯୋଗାଡ଼ର ଦାୟିତ୍ୱ ପଡ଼ିଯାଏ । ଆମେ କଥାବାର୍ତ୍ତା କରୁଥିବା କେତେଜଣ ଅଙ୍ଗନୱାଡ଼ି କର୍ମୀ କହିଥିଲେ, ସେମାନେ କିପରି ଭାବରେ ଅଣ୍ଡା, ଚାଉଳ ଓ ପରିବା ଇତ୍ୟାଦି ବାକିରେ ଆଣନ୍ତି, ଏପରିକି ଭଡ଼ା ଘରେ ଚାଲୁଥିବା କେନ୍ଦ୍ରଗୁଡ଼ିକର ଭଡ଼ା ଯୋଗାଡ଼ କରନ୍ତି ।
PHOTO • Vishaka George
PHOTO • Vishaka George

ଅନେକ ସମୟରେ ଅଙ୍ଗନୱାଡ଼ି କର୍ମୀମାନେ ପିତାମାତାଙ୍କୁ ଅନୁରୋଧ କରନ୍ତି, ସେମାନଙ୍କ ପିଲାମାନଙ୍କ ଖାଦ୍ୟକୁ ଅଧିକ ପୁଷ୍ଟିକର କରିବା ପାଇଁ ଘରୁ ଗୋଟିଏ ଲେଖାଏଁ ପରିବା ପଠାଇବାକୁ ।

ଆର୍ଥିକ ଭାବରେ ଅସୁରକ୍ଷିତ ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ପ୍ରତିଦିନ ପିଲାମାନଙ୍କୁ ଖାଇବାକୁ ଦେବା ଏକ ବଡ଼ ଆହ୍ୱାନ । ରାଜେଶ୍ୱରୀ କୁହନ୍ତି, “ମୁଁ ଅନେକ ସମୟରେ ପିତାମାତାଙ୍କୁ ଅନୁରୋଧ କରେ ସମ୍ବର ପାଇଁ ବାଇଗଣ, ମୂଳା କିମ୍ବା ଆଳୁ ପରି ଗୋଟିଏ ପରିବା ପଠାଇବାକୁ ।

ଭାରତର ଅଧିକାଂଶ ଦରିଦ୍ର ଲୋକ ଅଙ୍ଗନୱାଡ଼ି ଉପରେ ନିର୍ଭର କରନ୍ତି- ସାରା ଦେଶରେ ୭୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ପରିବାର ନିଜର ଶିଶୁମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ପଠାନ୍ତି ।

୨୦୧୧ ଜନଗଣନା ଅନୁଯାୟୀ ଭାରତରେ ୧୫୮.୭ ନିୟୂତ ଶିଶୁ ୬ବର୍ଷଠାରୁ କମ୍ ବୟସ ବର୍ଗରେ ଅଛନ୍ତି ଏବଂ ଅନେକ ନୀତି ସେ ସମସ୍ତଙ୍କ ପାଇଁ ପ୍ରାକ୍ ସ୍କୁଲ ଶିକ୍ଷା, ସପ୍ତାହରେ ଅତି କମ୍‌ରେ ଦୁଇଦିନ ଖାଦ୍ୟ ସହ ଅଣ୍ଡା, ସପ୍ଲିମେଣ୍ଟ ପ୍ରଦାନ କରିବାକୁ ସୁନିଶ୍ଚିତ କରାଏ । ଏଥିସହ ମା’ ମାନଙ୍କର ପ୍ରସବ ପୂର୍ବ ଏବଂ ପରବର୍ତ୍ତୀ ଯାଞ୍ଚ , ଶିଶୁମାନଙ୍କର ଟିକାକରଣ ଏବଂ ଅନେକ ଅନ୍ୟ ସେବାର ପ୍ରତିଶ୍ରୁତି ମଧ୍ୟ ରହିଛି ।

ଏ ସମସ୍ତ ଦାୟିତ୍ୱ ଠିକ୍ ଭାବରେ ତୁଲାଇବା ପାଇଁ ଅଙ୍ଗନୱାଡ଼ି କର୍ମୀମାନେ ପ୍ରତିଦିନ ସଂଘର୍ଷ କରନ୍ତି । କିନ୍ତୁ ସେମାନେ କୁହନ୍ତି, ଅଞ୍ଚଳରେ ମିଳୁଥିବା ସମ୍ମାନ ଏବଂ ଛୋଟ ପିଲାମାନଙ୍କର ହସ ସେମାନଙ୍କୁ ସେଇଠାରେ ଅଟକାଇ ରଖେ । ଜଣେ ଅଙ୍ଗନୱାଡ଼ି କର୍ମୀ କୁହନ୍ତି, ଯେତେବେଳେ ମୁଁ ସେହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରେ, ସେତେବେଳେ ମୋର ଛାତ୍ରଛାତ୍ରୀମାନେ ଦୌଡ଼ି ଆସନ୍ତି ଏବଂ କୁହନ୍ତି, ‘ନମସ୍ତେ ମିସ୍’। ଆଉ ଯେତେବେଳେ ସେମାନେ ବଡ଼ ହୋଇ ପ୍ରାଇମେରୀ ସ୍କୁଳକୁ ଚାଲିଯାଆନ୍ତି, ସେମାନେ ମୋତେ ଦେଖାଇ ତାଙ୍କ ସାଙ୍ଗସାଥୀଙ୍କୁ କୁହନ୍ତି, ‘ସେ ମୋ ମିସ୍’ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Vishaka George

ଲେଖକ ପରିଚୟ: ବିଶାଖା ଜର୍ଜ ବେଙ୍ଗାଲୁରୁର ଜଣେ ସାମ୍ବାଦିକା। ସେ ବ୍ୟବସାୟ ପ୍ରତିନିଧି ଭାବରେ ରଏଟର୍ ସହ କାର୍ଯ୍ୟ କରିଥିଲେ। ସେ ଚେନ୍ନାଇସ୍ଥ ଏସିଆନ୍ କଲେଜ୍ ଅଫ୍ ଜର୍ଣ୍ଣାଲିଜିମରୁ ଗ୍ରାଜୁଏସନ୍ କରିଛନ୍ତି। ସେ ଗ୍ରମୀଣ ଭାରତ ସହ ଶିଶୁ ଓ ମହିଳା ବିଷୟ ପ୍ରତି ବିଶେଷ ଆଗ୍ରହୀ।

Other stories by Vishaka George
Priti David

ପ୍ରୀତି ଡେଭିଡ୍ ବେଙ୍ଗାଲୁରୁ ଅଞ୍ଚଳର ଜଣେ ଲେଖିକା, ସଂପାଦିକା ଏବଂ ଶିକ୍ଷୟିତ୍ରୀ। ଲୋକେ ଭୁଲି ଯାଉଥିବା କାହାଣୀ ସଂଗ୍ରହ କରିବା ତାଙ୍କର ରୁଚି, ଏବଂ ସେ ଜଣେ ପରି ସ୍ୱେଛାସେବୀ।

Other stories by Priti David