୧୦ ବର୍ଷରୁ କମ୍‌ ବୟସ୍କ ଏଜାଜ୍‌, ଇମ୍ରାନ, ୟାସିର ଓ ଶମିମା ମାତ୍ର କିଛି ବର୍ଷ ବିଦ୍ୟାଳୟକୁ ଯାଇଛନ୍ତି। ପ୍ରତିବର୍ଷ ସେମାନେ ଚାରି ମାସ କାଳ ବାପା-ମା’ଙ୍କ ସହିତ ପ୍ରବାସ କରିବା ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ବିଦ୍ୟାଳୟର ପାଠପଢ଼ାଠାରୁ ଦୂରେଇ ଯାଇଥାନ୍ତି। ମୌଳିକ ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଶିକ୍ଷା ସମେତ ଭାଷା ଜ୍ଞାନ ଓ ଲେଖା ଶୈଳୀ ଶିଖିବା ଠାରୁ ବଞ୍ଚିତ ହୁଅନ୍ତି।

ଏହି ପିଲାମାନଙ୍କୁ ୧୦ ବର୍ଷ ହେବା ବେଳକୁ ସେମାନେ ବୋଧହୁଏ ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ଶ୍ରେଣୀଗୃହ ବାହାରେ ବିତାଇଥିବେ। ଭଲ ପାଠ ପଢ଼ୁଥିବା ଆଗ ଧାଡ଼ିର ପିଲାଙ୍କ ପାଇଁ ମଧ୍ୟ ଏହା ବହୁତ ବଡ଼ କ୍ଷତି, ଯାହାକୁ ଭରଣା କରିବା ସମ୍ଭବ ନୁହେଁ।

କିନ୍ତୁ ଆଉ ନୁହେଁ। ସେମାନଙ୍କ ପାଦ ସହ ପାଦ ମିଳାଇ, ବିଦ୍ୟାଳୟଠାରୁ ଦୂରେଇ ଯାଉଥିବା ସେହି ପିଲାଙ୍କ ସହିତ ପ୍ରବାସ କରୁଛନ୍ତି ଭ୍ରମଣଶୀଳ ଶିକ୍ଷକ ଅଲୀ ମହମ୍ମଦ। ଗତ ତିନି ବର୍ଷ ଧରି ୨୫ ବର୍ଷ ବୟସ୍କ ଅଲ୍ଲୀ କାଶ୍ମୀର ଲିଦ୍ଦର ଘାଟୀର ଏକ ଗୁଜ୍ଜର ବସତି ଖାଲାନକୁ ଆସିଛନ୍ତି। ଖରା ଦିନର ପରବର୍ତ୍ତୀ ଚାରି ମାସ (ଜୁନରୁ ସେପ୍ଟେମ୍ବର) ପର୍ଯ୍ୟନ୍ତ ସେ ସେଠାରେ ରହି ଗୁଜ୍ଜର ପରିବାରର ଛୋଟ ପିଲାଙ୍କୁ ପଢ଼ାଇବେ ଯେଉଁମାନେ ଖରା ଦିନିଆ ଚାରଣ ଭୂମି ସନ୍ଧାନରେ ନିଜ ପଶୁଙ୍କୁ ନେଇ ଏଠାକୁ ଆସିଛନ୍ତି।

‘‘ମୁଁ ଭାବୁଛି ମୁଁ ବି ଜଣେ ଶିକ୍ଷୟିତ୍ରୀ ହେବି,’’ ଲାଜକୁଳି ଶମିମା ଜାନ୍‌ କୁହନ୍ତି। ଏହା କହିବା ସହିତ ସେ ତାଙ୍କ ଆଗରେ ଖୋଲା ରହିଥିବା ସରକାର ଯୋଗାଇ ଦେଇଥିବା ପଢ଼ାଖାତାରେ ନିଜ ପାଠ କରିବାରେ ବ୍ୟସ୍ତ ହୋଇଯାଆନ୍ତି। ଦରକାର ହେଲେ ଅଲୀ ନିଜ ଖର୍ଚ୍ଚରେ ପିଲାଙ୍କୁ ଜରୁରି ପାଠପଢ଼ା ସାମଗ୍ରୀ ଯୋଗାଇ ଦେଇଥାନ୍ତି।

Left: Shamima Jaan wants to be a teacher when she grows up.
PHOTO • Priti David
Right: Ali Mohammed explaining the lesson to Ejaz. Both students have migrated with their parents to Khalan, a hamlet in Lidder valley
PHOTO • Priti David

ବାମ : ଶମିମା ଜାନ୍‌ ବଡ଼ ହେଲେ ଜଣେ ଶିକ୍ଷୟିତ୍ରୀ ହେବାକୁ ଚାହୁଁଛନ୍ତି। ଡାହାଣ : ଏଜାଜଙ୍କୁ ପାଠ ବୁଝାଉଛନ୍ତି ଅଲୀ ମହମ୍ମଦ। ଉଭୟ ଛାତ୍ରଛାତ୍ରୀ ସେମାନଙ୍କ ମାତାପିତାଙ୍କ ସହ ଲିଦ୍ଦର ଉପତ୍ୟାକାରେ ଥିବା ଏକ ପଡ଼ା ଖାଲାନକୁ ଆସିଛନ୍ତି

The Gujjar children (from left) Ejaz, Imran, Yasir, Shamima and Arif (behind) will rejoin their classmates back in school in Anantnag district when they descend with their parents and animals
PHOTO • Priti David
The Gujjar children (from left) Ejaz, Imran, Yasir, Shamima and Arif (behind) will rejoin their classmates back in school in Anantnag district when they descend with their parents and animals
PHOTO • Priti David

ଗୁଜ୍ଜର ପିଲା (ବାମରୁ) ଏଜାଜ, ଇମ୍ରାନ, ୟାସିର, ଶମିମା ଓ ଆରିଫ (ପଛ) ସେମାନଙ୍କ ବାପା-ମା’ ଓ ପଶୁଙ୍କ ସହିତ ଯେତେବେଳେ ଘରକୁ ଫେରିବେ ଅନନ୍ତନାଗ ଜିଲ୍ଲାରେ ଥିବା ବିଦ୍ୟାଳୟରେ ସେମାନଙ୍କ ସହପାଠୀଙ୍କ ସହ ପୁଣିଥରେ ଯୋଗ ଦେବେ

ପଶୁପାଳକ ସମୁଦାୟ ଭାବେ ପରିଚିତ ଗୁଜ୍ଜରମାନେ ଗୋରୁଗାଈ ଏବଂ ବେଳେବେଳେ ଛେଳି ଓ ମେଣ୍ଢା ପାଳନ କରିଥାନ୍ତି। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ନିଜ ପାଳିତ ପଶୁଙ୍କ ପାଇଁ ଚାରଣ ଭୂମି ସନ୍ଧାନରେ ସେମାନେ ହିମାଳୟର ବିଭିନ୍ନ ସ୍ଥାନ ଭ୍ରମଣ କରିଥାନ୍ତି। ବର୍ଷକୁ ଥରେ ଏହି ପ୍ରବାସ ଯୋଗୁଁ ଛୋଟ ପିଲାଙ୍କ ବିଦ୍ୟାଳୟ ପାଠପଢ଼ା ବନ୍ଦ ହୋଇଥାଏ ଏବଂ ସେମାନଙ୍କ ଶିକ୍ଷାର ମୂଳଦୁଆ ଦୁର୍ବଳ ହୁଏ।

କିନ୍ତୁ ସେମାନଙ୍କ ସହ ଯାତ୍ରା କରୁଥିବା ଅଲୀଙ୍କ ଭଳି ଶିକ୍ଷକ, ଏପରି ହେବାକୁ ଦେଉନାହାନ୍ତି ଏବଂ ସବୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୁନିଶ୍ଚିତ କରୁଛନ୍ତି। ‘‘କିଛି ବର୍ଷ ପୂର୍ବରୁ ଆମ ସମୁଦାୟର ସାକ୍ଷରତା ହାର ଖୁବ କମ୍‌ ଥିଲା। ଅଳ୍ପ କିଛି ଲୋକ ବିଦ୍ୟାଳୟକୁ ଯାଇପାରୁଥିଲେ କାରଣ ଆମକୁ ଏଠାରେ ଥିବା ଉଚ୍ଚ ପର୍ବତକୁ ଆସିବାକୁ ପଡ଼ୁଥିଲା ଯେଉଁଠି ବିଦ୍ୟାଳୟ ପାଠପଢ଼ା ଜାରି ରଖିବା ଅସମ୍ଭବ ଥିଲା,’’ ଏହି ଯୁବ ଶିକ୍ଷକ ଜଣଙ୍କ କୁହନ୍ତି। ସେ ମଧ୍ୟ ଛୋଟ ବେଳେ ନିଜ ଗୁଜ୍ଜର ମାତାପିତାଙ୍କ ସହିତ ଏଭଳି ପ୍ରବାସ କରୁଥିଲେ।

‘‘କିନ୍ତୁ ଏବେ ଏହି ଯୋଜନା କାରଣରୁ ଏହି ପିଲାମାନେ ଜଣେ ଶିକ୍ଷକଙ୍କୁ ପାଇପାରୁଛନ୍ତି। ସେମାନେ ନିଜ ସ୍କୁଲ ପାଠପଢ଼ା ଜାରି ରଖିପାରିବେ ଏବଂ ଆମ ସମୁଦାୟ ସମୃଦ୍ଧ ହେବ,’’ ସେ ଆହୁରି କୁହନ୍ତି। ‘‘ଯଦି ଏମିତି ହୋଇନଥା’ନ୍ତା, ତା’ହେଲେ ଏଠାରେ ଚାରି ମାସ ଧରି ରହୁଥିବା ଏସବୁ ପିଲାମାନେ ସେଠି ପାହାଡ଼ ତଳେ ଗାଁ ସ୍କୁଲ (ଅନନ୍ତନାଗ ଜିଲ୍ଲା)ରେ ଥିବା ନିଜ ସହପାଠୀଙ୍କଠାରୁ ପାଠପଢ଼ାରେ ବହୁ ପଛରେ ରହି ଯାଇଥା’ନ୍ତେ।

ଅଲୀ ଏଠାରେ କେନ୍ଦ୍ର ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ବିଷୟରେ କହୁଛନ୍ତି ଯାହାକି  ୨୦୧୮-୧୯ରେ ଆରମ୍ଭ ହୋଇଥିଲା ଏବଂ ‘‘ଏଥିରେ ସର୍ବ ଶିକ୍ଷା ଅଭିଯାନ (ଏସଏସଏ), ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ (ଆରଏମଏସଏ) ଏବଂ ଶିକ୍ଷକ ଶିକ୍ଷା (ଟିଇ)’’ ଆଦି ତିନୋଟି ଯୋଜନାକୁ ସାମିଲ କରାଯାଇଥିଲା। ସ୍କୁଲ ପାଠପଢ଼ା ପାଇଁ ସମାନ ସୁଯୋଗ ଏବଂ ସମାନତାପୂର୍ଣ୍ଣ ଅଧ୍ୟୟନ ପରିଣାମ ଦୃଷ୍ଟିରୁ ବିଦ୍ୟାଳୟର ପ୍ରଭାବ’’ରେ ସୁଧାର ଆଣିବା ଏହାର ଉଦ୍ଦେଶ୍ୟ ଥିଲା।

ଅନନ୍ତନାଗ ଜିଲ୍ଲାର ପହଲଗାମ୍‌ ତହସିଲରେ ଚିରସ୍ରୋତ ଲିଦ୍ଦର ନଦୀ ତଟରେ ଏକ ସବୁଜ ତମ୍ବୁ ତଳେ ବିଦ୍ୟାଳୟ ଚାଲିଥାଏ। କିନ୍ତୁ ଏମିତି ଖରା ଥିବା ଦିନରେ, ଚଉଡ଼ା ଖୋଲା ଘାସ ପଡ଼ିଆ ଏହି ସ୍କୁଲ ମାଷ୍ଟରଙ୍କ ପାଇଁ ଶ୍ରେଣୀଗୃହର କାମ କରିଥାଏ। ଅଲୀ ଜୀବବିଜ୍ଞାନରେ ସ୍ନାତକ ଶିକ୍ଷା ହାସଲ କରିଛନ୍ତି ଏବଂ ଚାକିରି ପାଇଁ ତିନି ମାସର ତାଲିମ ନେଇଛନ୍ତି।

Ali Mohammed (left) is a travelling teacher who will stay for four months up in the mountains, making sure his students are up to date with academic requirements. The wide open meadows of Lidder valley are much sought after by pastoralists in their annual migration
PHOTO • Priti David
Ali Mohammed (left) is a travelling teacher who will stay for four months up in the mountains, making sure his students are up to date with academic requirements. The wide open meadows of Lidder valley are much sought after by pastoralists in their annual migration
PHOTO • Priti David

ଅଲ୍ଲୀ ମହମ୍ମଦ (ବାମ) ଜଣେ ଭ୍ରମଣଶୀଳ ଶିକ୍ଷକ ଯିଏକି ଚାରି ମାସ ପର୍ଯ୍ୟନ୍ତ ପାହାଡ଼ ଉପରେ ରହିବେ ଏବଂ ଏହା ସୁନିଶ୍ଚିତ କରିବେ ଯେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ଆବଶ୍ୟକତା ଅନୁରୂପ ହୋଇପାରିବ। ନିଜ ବାର୍ଷିକ ପ୍ରବାସ ସମୟରେ ପଶୁପାଳକଙ୍କ ମଧ୍ୟରେ ଲିଦ୍ଦର ଘାଟୀର ବିସ୍ତୃତ ଖୋଲା ଘାସ ପଡ଼ିଆର ବିଶେଷ ଚାହିଦା ଥାଏ

ଜୁନ୍‌ ମାସର ଏହି ଉଷ୍ଣ ସକାଳେ ଖୋଲା ଘାସ ପଡ଼ିଆରେ ପାଠପଢ଼ା ଜାରି ରହିଛି। ଅଲୀ ଘାସ ଉପରେ ବସିଛନ୍ତି, ତାଙ୍କ ଚାରି ପାଖରେ ୫-୧୦ ବର୍ଷର ପିଲାମାନେ ଘେରି ରହିଛନ୍ତି। ଗୋଟିଏ ଘଣ୍ଟା ପରେ ମଧ୍ୟାହ୍ନ ୧୨ଟା ବାଜିଯିବ ଏବଂ ତିନୋଟି ଗୁଜ୍ଜର ପରିବାରକୁ ନେଇ ଏହି ପଡ଼ା ଖାଲାନରେ ସେ ନିଜର ପାଠପଢ଼ାଇବା ଶେଷ କରିବେ। ନଈଠାରୁ କିଛି ଦୂର ସାମାନ୍ୟ ଉଚ୍ଚା ସ୍ଥାନରେ ମାଟି ଲିପା ହୋଇଥିବା ଘର ସବୁ ରହିଛି। ହାତଗଣତି ଅଧିବାସୀଙ୍କ ମଧ୍ୟରୁ ଅଧିକାଂଶ ବାହାରେ ଅଛନ୍ତି, ବାତାବରଣର ଆନନ୍ଦ ନେଉଛନ୍ତି, ପଥଚାରୀଙ୍କୁ ଭେଟୁଛନ୍ତି। ଏଠାରେ ଥିବା ପରିବାରଗୁଡ଼ିକ ପାଖରେ ୨୦ ଗାଈ ଓ ମଇଁଷି ଏବଂ ୫୦ ଛେଳି ଓ ମେଣ୍ଢା ଅଛନ୍ତି, ପିଲାମାନେ ପରୀକୁ କୁହନ୍ତି।

‘‘ଏହି ସ୍ଥାନ ବରଫାବୃତ୍ତ ରହିଥିବା କାରଣରୁ ବିଦ୍ୟାଳୟରେ ପାଠପଢ଼ା ବିଳମ୍ବରେ ଆରମ୍ଭ ହୋଇଥିଲା। ମୁଁ ଏଠାକୁ ୧୦ ଦିନ ପୂର୍ବରୁ (ଜୁନ୍‌ ୧୨, ୨୦୨୩) ରେ ଆସିଥିଲି,’’ ସେ କୁହନ୍ତି।

ଏଠାରୁ ଆହୁରି ୧୫ କିଲୋମିଟର ଦୂର ଏବଂ ପ୍ରାୟ ୪,୦୦୦ ମିଟର ଉଚ୍ଚରେ ଲିଦ୍ଦର ବରଫ ପାହାଡ଼ ରହିଛି। ସେଠାକୁ ଯିବା ବାଟରେ ଖାଲାନ୍‌ ପଡ଼ିଥାଏ। ଅଲୀ ଭିନ୍ନ ଏକ ବସତିରେ ଛୋଟ ପିଲାଙ୍କ ସହିତ ଏଠାକୁ ଆସିଛନ୍ତି। ଏହି ସ୍ଥାନରେ ପଶୁଙ୍କ ପାଇଁ ଘଞ୍ଚ ଓ ସବୁଜ ଚାରଣଭୂମି ଯଥେଷ୍ଟ ପରିମାଣରେ ରହିଛି। ନଦୀ ପାର୍ଶ୍ୱରେ ଥିବା ବିଭିନ୍ନ ସ୍ଥାନରେ ଉଭୟ ଗୁଜ୍ଜର ଓ ବକରୱାଲ୍‌ ପରିବାରମାନେ ପୂର୍ବରୁ ଆସି ରହିଯାଇଛନ୍ତି।

‘‘ମୁଁ ଅପରାହ୍ଣରେ ସେହି ପିଲାଙ୍କୁ ପାଠ ପଢ଼ାଇବାକୁ ଯାଇଥାଏ,’’ ସେ କୁହନ୍ତି। ନଦୀ ଆରପଟେ ଚାରି ଗୁଜ୍ଜର ପରିବାର ରହୁଥିବା ଏକ ପଡ଼ା ସାଲାର ଆଡ଼କୁ ହାତ ଦେଖାଇ ସେ କୁହନ୍ତି। ଅଲୀ ପ୍ରଖର ପାଣି ସୁଅ ଚାଲିଥିବା ଏକ କାଠପୋଲ ପାର୍‌ ହୋଇ ନଈ ଆରପଟକୁ ଯାଇଥାନ୍ତି।

Left: Ali with the mud homes of the Gujjars in Khalan settlement behind him.
PHOTO • Priti David
Right: Ajeeba Aman, the 50-year-old father of student Ejaz is happy his sons and other children are not missing school
PHOTO • Priti David

ବାମ : ଅଲୀ ଓ ତାଙ୍କ ପଛପଟେ ଅଛି ଖାଲାନ ବସତିର ଗୁଜ୍ଜରମାନଙ୍କ ମାଟି ଘର। ଡାହାଣ :  ଛାତ୍ର ଏଜାଜଙ୍କ ବାପା ଅଜୀବା ଅମନ (୫୦) ଖୁସି ଅଛନ୍ତି କାରଣ ତାଙ୍କ ପୁଅ ଓ ଅନ୍ୟପିଲାମାନେ ସ୍କୁଲ ପାଠପଢ଼ାରୁ ବଞ୍ଚିତ ହେଉନାହାନ୍ତି

Left: The Lidder river with the Salar settlement on the other side.
PHOTO • Priti David
The green tent is the school tent. Right: Ali and two students crossing the Lidder river on the wooden bridge. He will teach here in the afternoon
PHOTO • Priti David

ବାମ : ଅଲୀ ନଦୀ ତଟରେ ଛିଡ଼ା ହୋଇଛନ୍ତି ଏବଂ ତାଙ୍କ ପଛପଟେ ସାଲାର ବସତି ରହିଛି। ସବୁଜ ତମ୍ବୁ ହେଉଛି ବିଦ୍ୟାଳୟର ତମ୍ବୁ। ଡାହାଣ : ଅଲୀ ଓ ତାଙ୍କର ଦୁଇ ଜଣ ଛାତ୍ର କାଠ ପୋଲ ଦେଇ ଲିଦ୍ଦର ନଦୀ ପାର୍‌ ହେଉଛନ୍ତି। ଏଠାରେ ସେ ଅପରାହ୍ଣରେ ପଢ଼ାଇବେ

ସ୍ଥାନୀୟ ଲୋକମାନେ କୁହନ୍ତି ଦୁଇ ପଡ଼ା ପାଇଁ ପୂର୍ବରୁ କେବଳ ଗୋଟିଏ ବିଦ୍ୟାଳୟ ଥିଲା, କିନ୍ତୁ ଦୁଇ ବର୍ଷ ପୂର୍ବରୁ ପୋଲ ଉପରେ ଜଣେ ମହିଳାଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ପଡ଼ି ମୃତ୍ୟୁବରଣ କରିଥିଲେ। ତା’ପରେ ସରକାରୀ ନିୟମ ଲାଗୁ ହେଲା ଏବଂ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ପୋଲ ପାର୍‌ ହେବାକୁ ଅନୁମତି ମିଳିଲା ନାହିଁ, ବରଂ ଶିକ୍ଷକଙ୍କୁ ପୋଲ ପାର୍‌ ହେବାକୁ କୁହାଗଲା। ‘‘ତେଣୁ ଗତ ଦୁଇ ଗ୍ରୀଷ୍ମ ଋତୁ ହେବ ମୁଁ ଦୁଇ ବେଳା ପାଠ ପଢ଼ାଉଛି,’’ ସେ କୁହନ୍ତି।

ପୂର୍ବରୁ ଥିବା ସେତୁ ଧୋଇ ଯାଇଥିବାରୁ, ଅଲୀଙ୍କୁ ନିମ୍ନ ଭାଗରେ ଥିବା ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ସେତୁ ପାର୍‌ ହେବାକୁ ପଡ଼ିଛି। ଆଜି ତାଙ୍କର ଛାତ୍ରଛାତ୍ରୀମାନେ ପୋଲ ଆରପାଖରେ ଛିଡ଼ା ହୋଇ ତାଙ୍କୁ ବାଟ କଡ଼େଇ ନେବାକୁ ପ୍ରସ୍ତୁତ ଅଛନ୍ତି!

ଅଲୀଙ୍କ ଭଳି ପ୍ରତ୍ୟେକ ଭ୍ରମଣଶୀଳ ଶିକ୍ଷକଙ୍କ ଗୋଟିଏ ଚାରି ମାସିଆ ଚୁକ୍ତି ରହିଛି ଏବଂ ସେ ସମ୍ପୂର୍ଣ୍ଣ ଅବଧି ପାଇଁ ପ୍ରାୟ ୫୦,୦୦୦ ଟଙ୍କା ଆୟ କରିଥାନ୍ତି। ସେ ସପ୍ତାହ ସାରା ସାଲାରରେ ରୁହନ୍ତି। ‘‘ମୋତେ ହିଁ ନିଜ ରହିବା ଓ ଖାଇବା କଥା ବୁଝିବାକୁ ପଡ଼ିଥାଏ, ତେଣୁ ମୁଁ ଏଠାରେ ସମ୍ପର୍କୀୟଙ୍କ ଘରେ ରୁହେ,’’ ସେ କହିଥାନ୍ତି। ‘‘ମୁଁ ଜଣେ ଗୁଜ୍ଜର ଓ ଏମାନେ ମୋର ସମ୍ପର୍କୀୟ। ମୋର ସମ୍ପର୍କୀୟ ଭାଇ ଏଠାରେ ରହୁଛନ୍ତି ଏବଂ ମୁଁ ତାଙ୍କ ପରିବାର ସହ ରହିଥାଏ।’’

ଏଠାରୁ ପ୍ରାୟ ୪୦ କିଲୋମିଟର ଦୂର ଅନନ୍ତନାଗ ଜିଲ୍ଲାର ହିଲାନ୍‌ ଗ୍ରାମରେ ଅଲୀଙ୍କ ଘର ଅଛି। ସପ୍ତାହାନ୍ତରେ ସେ ଘରକୁ ଯିବା ସମୟରେ ସେଠାରେ ରହୁଥିବା ତାଙ୍କ ପତ୍ନୀ ନୁରଜାହାଁ ଓ ତାଙ୍କ ପିଲାଙ୍କ ସହ ଏକାଠି ହୋଇଥାନ୍ତି। ତାଙ୍କ ପତ୍ନୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ ଏବଂ ସେ ତାଙ୍କ ଘର ଆଖପାଖରେ ପିଲାଙ୍କୁ ଟିଉସନ ପଢ଼ାନ୍ତି। ‘‘ଛୋଟ ଥିବା ସମୟରୁ ମୋର ପାଠପଢ଼ାଇବା ପ୍ରତି ଆଗ୍ରହ ରହିଥିଲା।’’

କାଠ ପୋଲ ଦେଇ ନଈ ଆରପଟକୁ ଯିବା ସମୟରେ ସେ କୁହନ୍ତି, ‘‘ସରକାର ଏକ ଭଲ କାମ କରିଛନ୍ତି ଏବଂ ମୁଁ ଏହାର ଅଂଶବିଶେଷ ହୋଇ ଆନନ୍ଦିତ। ମୁଁ ମୋ ସମୁଦାୟର ପିଲାଙ୍କୁ ପାଠପଢ଼ାଇବାରେ ସହାୟତା କରୁଛି।’’

ଛୋଟ ଛାତ୍ର ଏଜାଜଙ୍କ ୫୦ ବର୍ଷ ବୟସ୍କ ପିତା ଅଜୀବା ଅମନ ମଧ୍ୟ ଖୁସି ଅଛନ୍ତି। ‘‘ମୋ ପୁଅ, ମୋ ଭାଇଙ୍କ ପୁଅ, ସମସ୍ତେ ଏବେ ପଢ଼ୁଛନ୍ତି। ଆମ ପିଲାମାନେ ଏବେ ପାଠପଢ଼ାର ସୁଯୋଗ ପାଇବା ଭଲ କଥା।’’

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Editor : Vishaka George

Vishaka George is Senior Editor at PARI. She reports on livelihoods and environmental issues. Vishaka heads PARI's Social Media functions and works in the Education team to take PARI's stories into the classroom and get students to document issues around them.

Other stories by Vishaka George
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE