ଅହମଦୋସ ସୀତାରମେକର ପ୍ୟାରିସକୁ ଯାଇ ପାରିଥାନ୍ତେ, କିନ୍ତୁ ତାଙ୍କ ବାପା ସେଥିପାଇଁ ଅନୁମତି ଦେଲେ ନାହିଁ। “ତୁମେ ଯଦି ବାହାର ଦୁନିଆ ଦେଖିବ, ତେବେ ଆଉ ଫେରିବ ନାହିଁ”, ସେ କହିଥିଲେ। ଏବେ ସେହିକଥାକୁ ମନେ ପକେଇଲେ ୯୯-ବର୍ଷୀୟ ଅହମଦୋସଙ୍କ ମୁହଁରେ ମୁରୁକି ହସ ଖେଳିଯାଏ।

ଯେତେବେଳେ ପଞ୍ଚମ ପିଢ଼ିର ଏହି ସୀତାର୍‌ ପ୍ରସ୍ତୁତକାରୀ ତାଙ୍କର ତ୍ରୟୋଦଶୋତମ ବୟସର ଶେଷ ଭାଗରେ ଥିଲେ, ସେତେବେଳେ ଏହି ତାରଯୁକ୍ତ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ତିଆରି କାମ ଶିଖିବା ପାଇଁ ପ୍ୟାରିସର ଦୁଇଜଣ ମହିଳା ତାଙ୍କ ସହରକୁ ଆସିଥିଲେ। “ଚାରିଆଡ଼େ ପଚରାପଚରି କରି ମୋ ପାଖରେ ସାହାଯ୍ୟ ପାଇଁ ପହଞ୍ଚିଲେ ଓ ମୁଁ ସେମାନଙ୍କୁ ଶିଖେଇବା ଆରମ୍ଭ କଲି”, କହନ୍ତି ଅହମଦୋସ, ମିରାଜର ସୀତାରମେକର ଗଳିରେ ଥିବା ତାଙ୍କ ଦୁଇ ମହଲା ଘରର ତଳ ମହଲାରେ ଥିବା ୱାର୍କସପ୍‌ରେ ବସି, ଯେଉଁଠାରେ ତାଙ୍କ ପରିବାରର ଏକାଧିକ ପିଢ଼ି ରହିଛନ୍ତି ଓ କାମ କରିଛନ୍ତି।

“ସେତେବେଳେ ଆମ ଘରେ ପାଇଖାନା ନଥିଲା”, ଅହମଦୋସ ତାଙ୍କ କହିବା ଜାରି ରଖି ଆଗକୁ ବଢ଼ାନ୍ତି, “ଆମେ ଗୋଟିଏ ଦିନରେ ପାଇଖାନାଟିଏ ତିଆରି କଲୁ, କାରଣ ସେମାନଙ୍କୁ (ବିଦେଶିନୀମାନଙ୍କୁ) ଆମ ଭଳି ପଡ଼ିଆକୁ ଯିବାକୁ ଆମେ କହି ପାରିଲୁନି”। ସେ କହୁଥିଲା ବେଳେ ସୀତାରରେ ସ୍ଵର ସଂଯୋଜନାର ଶବ୍ଦ ହାଲ୍‌କା ଭାବେ ଶୁଭିଲା। ତାଙ୍କ ପୁଅ ଗଉସ ସୀତାରମେକର କାମ କରୁଥିଲେ।

ସେହି ଦୁଇଜଣ ଯୁବତୀ ଅହମଦୋସଙ୍କ ପରିବାରରେ ନ’ମାସ ରହିଲେ, କିନ୍ତୁ ଭିସା ଅବଧି ଶେଷ ହୋଇଯିବାରୁ ସୀତାର ତିଆରିର ଶେଷ ଭାଗ କାମ ସେମାନେ ଶିଖି ପାରିଲେନି। କିଛି ମାସ ପରେ ସେହି ଶେଷ ଭାଗ କାମ ଶିଖିବା ପାଇଁ ସେମାନେ ତାଙ୍କୁ ପ୍ୟାରିସ ଯିବାକୁ ନିମନ୍ତ୍ରଣ କଲେ।

କିନ୍ତୁ ଅହମଦୋସ  ତାଙ୍କ ବାପାଙ୍କ କଥାକୁ ମନେରଖି ସେଠାକୁ ନଯାଇ ସୀତାର ନିର୍ମାଣ ପାଇଁ ପ୍ରସୀଦ୍ଧ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାସ୍ଥିତ ଘରେ ରହି ଜଣେ କାରିଗର ରୂପେ ଜୀବନ ନିର୍ବାହ ଜାରି ରଖିଲେ। ସାତ ପିଢ଼ି ହେଲା ଅହମଦୋସଙ୍କ ପରିବାର ଦେଢ଼ଶହ ବର୍ଷରୁ ଅଧିକ ସମୟ ଧରି ଏହି ବ୍ୟବସାୟ କରି ଆସୁଛନ୍ତି, ଆଉ ଏବେ ତାଙ୍କୁ ୯୯-ବର୍ଷ ଓ ସେ କାମ କରିବା ଜାରି ରଖିଛନ୍ତି।

Left: Bhoplas [gourds] are used to make the base of the sitar. They are hung from the roof to prevent them from catching moisture which will make them unusable.
PHOTO • Prakhar Dobhal
Right:  The gourd is cut into the desired shape and fitted with wooden sticks to maintain the structure
PHOTO • Prakhar Dobhal

ବାମରେ: ସୀତାରର ବେଶ୍ ଭାବେ ବ୍ୟବହାର କରାଯାଉଥିବା ‘ଭୋପଲା’ ବା ଲାଉ ତୁମ୍ବା ଜଳକଣା ଲାଗି ଖରାପ ନହେବାକୁ ପ୍ରତିରୋଧ କରିବା  ପାଇଁ ସେଗୁଡ଼ିକୁ ଛାତରୁ ଲଟକା ଯାଇଛି। ଡାହାଣରେ: ସୀତାରର ଗଠନ ରୂପକୁ ବଜାୟ ରଖିବା ପାଇଁ ଲାଉତୁମ୍ବାକୁ ଆବଶ୍ୟକତା ମୁତାବକ କାଟି ତା’ ସହିତ କାଠ ବାଡ଼ି ଖଞ୍ଜା ଯାଏ

ଅହମଦୋସଙ୍କ ଘର-ସଂଯୁକ୍ତ-ୱାର୍କସପର ଛାତରୁ ଲଟକିଥିବା ପରି ସେ ଅଞ୍ଚଳର ପ୍ରାୟ ପ୍ରତ୍ୟେକଙ୍କ ଘର ଛାତରୁ ‘ଭୋପଲା’ ବା ଲାଉତୁମ୍ବା ଲଟକି ରହିଥାଏ।

ସୀତାର ପ୍ରସ୍ତୁତକାରୀ ‘ଭୋପଲା’ ବା ଲାଉକୁ ଶୁଖାଇ ତୁମ୍ବ ତିଆରି କରନ୍ତି ଯାହାକୁ ସୀତାରର ବେସ୍ ବା ଆଧାର ଭାବେ ବ୍ୟବହାର କରାଯାଏ। ମିରାଜଠାରୁ ପ୍ରାୟ ୧୩୦ କିମି ଦୂରରେ ଥିବା ପନ୍ଧାରପୁର ଅଞ୍ଚଳରେ ଲାଉକୁ ପରିବା ଭାବେ ଚାଷ କରାଯାଏ। ଏହି ଲାଉ ପିତା ହୋଇଥିବାରୁ ଲୋକେ ଖାଇବାକୁ ପସନ୍ଦ କରନ୍ତି ନାହିଁ ଓ ଚାଷୀମାନେ କେବଳ ସୀତାର ପ୍ରସ୍ତୁତ କରୁଥିବା କାରିଗରମାନଙ୍କୁ ବିକିବା ଉଦ୍ଦେଶ୍ୟରେ ଏହା ଚାଷ କରନ୍ତି। ସୀତାର କାରୀଗରମାନେ ଶୀତଦିନରେ ଲାଉ ଫସଲ ବାହାରିଲା ବେଳକୁ ଅଧିକ ଦାମ୍‌ ନଦେବା ପାଇଁ ଖରାଦିନରୁ ହିଁ ପୂରା ଲାଉ ଫସଲ କିଣିବାକୁ ବହିନା ଦେଇ ଦିଅନ୍ତି। ଭୁଇଁର ଆର୍ଦ୍ରତା ଯୋଗୁ ଜଳକଣିକାରୁ ସୁରକ୍ଷିତ ରଖିବାକୁ ଲାଉତୁମ୍ବାଗୁଡ଼ିକୁ ଛାତରୁ ଝୁଲେଇ ରଖାଯାଏ। ଯଦି ତଳେ ଭୁଇଁରେ ରଖାଯାଏ ତେବେ ଲାଉତୁମ୍ବାଗୁଡ଼ିକ ଫଙ୍ଗସ୍ ଦ୍ଵାରା ଆକ୍ରାନ୍ତ ହୋଇଥାଏ, ଯାହା ଦ୍ଵାରା ବାଦ୍ୟଯନ୍ତ୍ରର କମ୍ପନ ଶକ୍ତି ଓ ଜୀବନକାଳ ବାଧାପାଏ।

“ପୂର୍ବରୁ ଆମେ ଗୋଟିକୁ ୨୦୦ରୁ ୩୦୦ ଟଙ୍କା ଦେଉଥିଲୁ, କିନ୍ତୁ ଏବେ ହଜାରେରୁ ଦେଢ଼ହଜାର ବଢ଼ି ଯାଇଛି”, କହନ୍ତି ଇମତିୟାଜ ସୀତାରମେକର, ଯିଏ କି ଲାଉକୁ କାଟି ଓ ସଫା କରି ଆବଶ୍ୟକୀୟ ରୂପ ଓ ଆକାର ଦିଅନ୍ତି। ପରିବହନ ଖର୍ଚ୍ଚ ବୃଦ୍ଧି ମଧ୍ୟ ଦରବୃଦ୍ଧିର ଆଉ ଏକ କାରଣ। ଇମତିୟାଜ କହନ୍ତି କି ଆଉ ଗୋଟିଏ ସମସ୍ୟା ହେଲା ଯେ ହାତ ତିଆରି ବାଦ୍ୟଯନ୍ତ୍ରର ଚାହିଦା କମିଯାଉଥିବା ଯୋଗୁଁ ଚାଷୀମାନେ ଲାଉ ଚାଷ କରିବାର ପରିମାଣ କମାଇ ଦେଉଛନ୍ତି – ଫଳରେ କିଣା ଦାମ୍‌ ବହୁତ ବଢ଼ି ଯାଉଛି।

ତୁମ୍ବା ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଗୋଟିଏ କାଠ ବାଡ଼ି ଯୋଡ଼ି ଦେଲେ ଗଠନ କାମ ଶେଷ ହୁଏ। ତା’ପରେ କାରୀଗରମାନେ ଡିଜାଇନ କାମ ଆରମ୍ଭ କରନ୍ତି ଓ ତାହା ଶେଷ ହେବାକୁ ପ୍ରାୟ ସପ୍ତାହେ ଲାଗିଯାଏ। ହାତ ଡ୍ରିଲ ଓ ପ୍ଲାଷ୍ଟିକ ଛାଞ୍ଚ ବ୍ୟବହାର କରି ଇରଫାନ୍ ସୀତାରମେକରଙ୍କ ପରି ମାଷ୍ଟର ଡିଜାଇନରମାନେ କାଠ ଖୋଦେଇ କରନ୍ତି। “ଦୀର୍ଘ ସମୟ ଧରି ପିଠି ନୁଆଇଁ କାମ କରିବା ଦ୍ଵାରା ପିଠିବିନ୍ଧା ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୁଏ”, କହନ୍ତି ୪୮-ବର୍ଷୀୟ ଇରଫାନ୍। “ଶରୀରରେ ଏହି କାମର କୁପ୍ରଭାବ ବର୍ଷ ବର୍ଷ ଧରି ରହେ”, କହନ୍ତି ତାଙ୍କ ସ୍ତ୍ରୀ ସାହିନ୍।

ଦେଖନ୍ତୁ ଭିଡିଓ: ସୀତାରମେକର୍ସ ଅଫ ମିରାଜ

“କଳା ଓ ପରମ୍ପରା ବିପକ୍ଷରେ ମୋର କିଛି କହିବାର ନାହିଁ”, କହନ୍ତି ସାହିନ୍ ସୀତାରମେକର, “କଠିନ ପରିଶ୍ରମ କରି ମୋ ସ୍ୱାମୀ ଯେଉଁ ପରିଚୟ ସୃଷ୍ଟି କରିଛନ୍ତି ମୁଁ ସେଥିପାଇଁ ଗର୍ବିତ ଅନୁଭବ କରେ”। ଘର ଚଳାଇବା ସହ ଦୁଇଟି ପିଲାଙ୍କର ମା’ ସାହିନ୍ ଜାଣେ ଯେ ଏହି କାରୁକଳା ପାଇଁ ଯେତିକି ପରିଶ୍ରମ କରିବାକୁ ପଡ଼େ ସେ ତୁଳନାରେ ରୋଜଗାର ଯଥେଷ୍ଟ ନୁହେଁ। “ମୋ ସ୍ୱାମୀଙ୍କ ଦୈନିକ ଆୟରୁ ଆମେ ଖାଇବାକୁ ପାଉ। ଜୀବନକୁ ନେଇ ମୁଁ ଖୁସୀ, କିନ୍ତୁ ଆମ ଦରକାର ଜିନିଷଗୁଡ଼ିକ ପ୍ରତି ଆଖି ବୁଜିଦେଇ ପାରିବୁନି ନା”, କହେ ନିଜ ରୋଷେଇ ଘର ଭିତରେ ଠିଆ ହେଇଥିବା ସାହିନ୍।

ସେମାନଙ୍କ ଦୁଇ ପୁଅ ତାଙ୍କ ଜେଜେବାପାଙ୍କ ଭାଇଙ୍କଠାରୁ ସୀତାର ବାଦନ ଶିଖୁଛନ୍ତି। “ସେମାନେ ଭଲ ବଜଉଛନ୍ତି, ଭବିଷ୍ୟତରେ ନିଜ ପାଇଁ ଭଲ ନାଁ କମେଇବେ”, ସାହିନ୍ କହେ।

କେତେକ ସୀତାରମେକର୍ସ ପୂରା କାମର କେବଳ ତୁମ୍ବା କାଟିବା ଓ ଡିଜାଇନ ତିଆରି କରିବା ଭଳି କିଛି ଅଂଶର କାମ କରନ୍ତି ଓ ସେଥିପାଇଁ ଦୈନିକ ମଜୁରି ନିଅନ୍ତି। ଡିଜାଇନର୍ସ ଓ ପେଣ୍ଟର୍ସ ସେମାନଙ୍କ କାର୍ଯ୍ୟକୁ ନେଇ ଦୈନିକ ୩୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି। ତେବେ ଅନ୍ୟ କେତେକ ସୀତାର ପ୍ରସ୍ତୁତିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଅର୍ଥାତ ଲାଉକୁ ସଫା କରିବାଠାରୁ ଆରମ୍ଭ କରି ଶେଷ ପର୍ଯ୍ୟାୟ ପଲିସ ଦେବା ଓ ସ୍ଵର ବାନ୍ଧିବା ପର୍ଯ୍ୟନ୍ତ ସବୁ କିଛି କରନ୍ତି। ଗୋଟିଏ ହାତ ତିଆରି ସୀତାର ୩୦ ରୁ ୩୫ ହଜାର ଟଙ୍କାରେ ବିକ୍ରି ହୁଏ।

ସାଧାରଣତଃ ପରିବାରର ସ୍ତ୍ରୀ ଲୋକମାନଙ୍କୁ ଏହି କାରିଗରୀ କାମରେ ସାମିଲ କରାଯାଏ ନାହିଁ। “ମୁଁ ଜାଣେ ଯେ ଝିଅମାନେ ଆଜି ଯଦି କାମ କରିବା ଆରମ୍ଭ କରିବେ ତେବେ ଖୁବ ଅଳ୍ପ ଦିନରେ ସେମାନେ ତାହା ଶିଖି ଯିବେ। ମୁଁ ଖୁସି ଯେ ସେ ଦୁହେଁ ଭଲ ପାଠ ପଢୁଛନ୍ତି”, କହନ୍ତି ଦୁଇଟି କିଶୋରୀ ଝିଅଙ୍କ ବାପା ଗଉସ। ୫୫ ବର୍ଷୀୟ ଗଉସ ତାଙ୍କ ପିଲା ଦିନରୁ ସୀତାର ପଲିସ ଓ ଫିଟିଙ୍ଗ କାମ କରୁଛନ୍ତି। ସେ ପୁଣି କହନ୍ତି, “ସମୟକ୍ରମେ ଝିଅମାନେ ବାହା ହେଇଯିବେ। ଅଧିକାଂଶତଃ ସେମାନେ ଅଣ-ସୀତାର-କାରିଗରଙ୍କ ଘରେ ବାହା ହୁଅନ୍ତି ଯେଉଁଠି ଏହି ଦକ୍ଷତା କୌଣସି ଦରକାରରେ ଲାଗେ ନାହିଁ”। ବେଳେବେଳେ ସ୍ତ୍ରୀଲୋକମାନେ ସୀତାର ପ୍ରସ୍ତୁତିର  ପେଗ ପଲିସ କରିବା ବା ସେହିଭଳି କିଛି ଛୋଟ ଅଂଶର କାମ କରି ଦେଇଥାନ୍ତି। କିନ୍ତୁ ପୁରୁଷମାନେ କରୁଥିବା ଶାରୀରିକ ପରିଶ୍ରମ ସ୍ତ୍ରୀଲୋକମାନେ କରିବା ସେମାନଙ୍କ ଗୋଷ୍ଠୀରେ ପସନ୍ଦ କରାଯାଏ ନାହିଁ ଓ ତାହାକୁ ଝିଅର ବରଘର ପରିବାର ଗ୍ରହଣ କରିବେ ନାହିଁ ବୋଲି ବିବ୍ରତ କରିଥାଏ।

Left:  Irfan Sitarmaker carves patterns and roses on the sitar's handle using a hand drill.
PHOTO • Prakhar Dobhal
Right: Wood is stored and left to dry for months, and in some instances years, to season them
PHOTO • Prakhar Dobhal

ବାମରେ: ଇରଫାନ ସୀତାରମେକର ହ୍ୟାଣ୍ଡ ଡ୍ରିଲ ବ୍ୟବହାର କରି ସୀତାରର ହାତରେ ଗୋଲାପ ଫୁଲ ଓ ଅନ୍ୟ ଆକାର ଖୋଦେଇ କରୁଛନ୍ତି । ଡାହାଣ: ପାକଳ କରିବା ପାଇଁ ମାସ ମାସ ଓ ବେଳେ ବେଳେ ବର୍ଷାଧିକ କାଳ କାଠ ସଂରକ୍ଷଣ କରି ରଖାଯାଏ

Left: Fevicol, a hammer and saws are all the tools needed for the initial steps in the process.
PHOTO • Prakhar Dobhal
Right: Imtiaz Sitarmaker poses with the sitar structure he has made. He is responsible for the first steps of sitar- making
PHOTO • Prakhar Dobhal

ବାମରେ: ପ୍ରସ୍ତୁତି ପ୍ରଣାଳୀର କେବଳ ପ୍ରଥମାଂଶରେ ବ୍ୟବହାରରେ ଲାଗୁଥିବା ଫେଭିକଲ, ହାତୁ ଡ଼ି ଓ କରତ । ଡାହାଣ: ଇମତିଆଜ ସୀତାରମେକର ସେ ତିଆରି କରିଥିବା ସୀତାରର ମୂଳ-ଗଠନ ସହ ଦେଇଥିବା ପୋ ଜ୍ । ସୀତାର ପ୍ରସ୍ତୁତିର ପ୍ରଥମ ଅଂଶର କାମ ସେ କରନ୍ତି

*****

ଉନବିଂଶ ଶତାବ୍ଦୀରେ ମିରାଜର ରାଜା ଦ୍ଵିତୀୟ ଶ୍ରୀମନ୍ତ ବାଲାସାହେବ ପଟ୍ଟବର୍ଦ୍ଧନଙ୍କ ରାଜତ୍ଵ କାଳରେ ତାରଯୁକ୍ତ ବାଦ୍ୟଯନ୍ତ୍ର ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ସୀତାରମେକର୍ସମାନେ ସେମମାନଙ୍କ ପ୍ରସିଦ୍ଧି ଅର୍ଜନ କରିଥିଲେ। ଜଣେ ସଙ୍ଗୀତ ପୃଷ୍ଠପୋଷକ ଭାବେ ରାଜା ଆଗ୍ରା ଓ ବନାରସରୁ ସଙ୍ଗୀତଜ୍ଞମାନଙ୍କୁ ଆସି ତାଙ୍କ ଦରବାରରେ ପରିବେଷଣ କରିବାକୁ ନିମନ୍ତ୍ରଣ କରୁଥିଲେ। ତେବେ ରାସ୍ତାରେ ଆସିଲା ବେଳେ ଏକାଧିକ ବାଦ୍ୟଯନ୍ତ୍ର ଭାଙ୍ଗିରୁଜି ଯାଉଥିଲା ଯାହାର ମରାମତି ପାଇଁ ରାଜାଙ୍କୁ କାରିଗର ଖୋଜିବାକୁ ପଡୁଥିଲା।

“ଅନୁସନ୍ଧାନ କ୍ରମେ ରାଜାଙ୍କ ଦୃଷ୍ଟିକୁ ଆସିଲେ ଶିକଲଗର ଗୋଷ୍ଠୀର ଦୁଇ ଭାଇ, ମୋହିନୁଦ୍ଦିନ ଓ ଫରିଦସାହେବ”, କହନ୍ତି ଷଷ୍ଠ ପିଢ଼ିର ସୀତାରମେକର ଇବ୍ରାହିମ। ମହାରାଷ୍ଟ୍ର ରାଜ୍ୟରେ ଶିକଲଗରମାନଙ୍କୁ ଓବିସି ଶ୍ରେଣୀଭୁକ୍ତ କରାଯାଇଛି ଓ ସେମାନେ କମାର ଜାତିର ହୋଇଥିବା ବେଳେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରନ୍ତି। “ରାଜାଙ୍କ ଅନୁରୋଧକ୍ରମେ”, ନିଜ କଥା ଜାରି ରଖି ଇବ୍ରାହିମ କହନ୍ତି, “ସେମାନେ ବାଦ୍ୟଯନ୍ତ୍ର ମରାମତି କରିବା ଆରମ୍ଭ କଲେ, ଓ କାଳକ୍ରମେ ତାହା ସେମାନଙ୍କର ମୁଖ୍ୟ ପେଷାରେ ପରିଣତ ହେଲା ଓ ଏପରିକି ସେମାନଙ୍କର ସାଙ୍ଗିଆ ଶିକଲଗରରୁ ସୀତାରମେକରରେ ପରିଣତ ହେଲା।’’ ଆଜି ମିରାଜରେ ରହୁଥିବା ସେମାନଙ୍କ ବଂଶଧରମାନେ ସେମାନଙ୍କ ନାଁ ସହ ଅଧିକାଂଶତଃ ଦୁଇଟି ସାଙ୍ଗିଆ ବ୍ୟବହାର କରନ୍ତି।

ତେବେ, ଏହି ଐତିହାସିକ ଉତ୍ତରାଧିକାର ସତ୍ତ୍ୱେ ଏହି ବ୍ୟବସାୟରେ କିପରି ନୂଆ ପିଢ଼ି ଲାଗି ରହିବ ତାହା ଗୁରୁତ୍ୱପୂର୍ଣ୍ଣ। ଶହୀନ ଓ ଇରଫାନଙ୍କ ପୁଅମାନଙ୍କ ପରି ଅନ୍ୟମାନେ ମଧ୍ୟ ସୀତାର ପ୍ରସ୍ତୁତ କରିବା ଅପେକ୍ଷା ସୀତାରବାଦନ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି।

ସଫ୍ଟଓୟାର ମାଧ୍ୟମରେ ଏକାଧିକ ବାଦ୍ୟଯନ୍ତ୍ରର ଶବ୍ଦ ସୃଷ୍ଟି କରିବା କ୍ଷେତ୍ରରେ ଅଭିବୃଦ୍ଧି ହେବା ଦ୍ଵାରା ସୀତାର ଓ ତାନପୁରା ପରି ବାଦ୍ୟଯନ୍ତ୍ର ବ୍ୟବହାରଠାରୁ ସଂଗୀତକାରମାନେ ଦୂରେଇଯାଉଛନ୍ତି, ଯାହା ଦ୍ଵାରା ଏହି ବ୍ୟବସାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଯନ୍ତ୍ର ଦ୍ଵାରା ପ୍ରସ୍ତୁତ ସୀତାର ହାତ ତିଆରି ସୀତାରଠାରୁ ବହୁତ କମ୍‌ ଦାମ୍‌ ରେ ମିଳି ଯାଉଥିବାରୁ ତାହା ମଧ୍ୟ ସୀତାର ପ୍ରସ୍ତୁତକାରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।

Left: Gaus Sitarmaker is setting the metal pegs on the sitar, one of the last steps in the process. The pegs are used to tune the instrument.
PHOTO • Prakhar Dobhal
Right: Japanese steel strings sourced from Mumbai are set on a camel bone clog. These bones are acquired from factories in Uttar Pradesh
PHOTO • Prakhar Dobhal

ବା ମରେ: ଗଉସ ସୀତାରମେକର ସୀତାର ଉପରେ ଧାତୁ ନିର୍ମିତ ପେ ଗ୍‌ ସେ ଟ୍‌ କରୁଛନ୍ତି, ଏହା ସୀତାର ପ୍ରସ୍ତୁତିର ଶେଷ ପର୍ଯ୍ୟାୟ କାମଗୁ ଡ଼ି କ ମଧ୍ୟରୁ ଅନ୍ୟତମ । ପେ ଗ୍‌ଗୁଡ଼ି କୁ ବାଦ୍ୟଯନ୍ତ୍ରର ସ୍ଵର ବାନ୍ଧିବା ପାଇଁ ବ୍ୟବହାର କରାଯାଏ। ଡାହାଣରେ: ଓଟ ହା ରୁ ପ୍ରସ୍ତୁତ ଅଟକାଣ କଣ୍ଟାରେ ମୁମ୍ବାଇରୁ ଅଣାଯାଇଥିବା ଜାପାନୀ ଷ୍ଟିଲ ତାର ବନ୍ଧା ଯାଉଛି। ଉତ୍ତରପ୍ରଦେଶସ୍ଥିତ କାରଖାନାଗୁ ଡ଼ି କରୁ ଓଟ ହା ରୁ ପ୍ରସ୍ତୁତ ଅଟକାଣ କଣ୍ଟା ଅଣାଯାଏ

Left: Every instrument is hand polished  multiple times using surgical spirit.
PHOTO • Prakhar Dobhal
Right: (from left to right) Irfan Abdul Gani Sitarmaker, Shaheen Irfan Sitarmaker, Hameeda Abdul Gani Sitaramker (Irfan’s mother) and Shaheen and Irfan's son Rehaan
PHOTO • Prakhar Dobhal

ବାମରେ: ସର୍ଜିକାଲ ସ୍ପିରିଟ ଦ୍ଵାରା ପ୍ରତ୍ୟେକ ବାଦ୍ୟଯନ୍ତ୍ରକୁ ହାତରେ ଏକାଧିକ ବାର ପଲି ସ୍ କରାଯାଏ। ଡାହାଣରେ: (ବାମରୁ ଡାହାଣକୁ) ଇରଫାନ ଅବଦୁଲ ଗନି ସୀତାରମେକର, ଶହୀନ ଇରଫାନ ସୀତାରମେକର, ହମିଦା ଅବଦୁଲ ଗନି ସୀତାରମେକର (ଇରଫାନର ମା’) ଓ ଶହୀନ ଓ ଇରଫାନର ପୁଅ ରେହାନ

ବଞ୍ଚି ରହିବାର ରାହା ଭାବେ ବର୍ତ୍ତମାନ ସୀତାରମେକରମାନେ ସୀତାରର ଛୋଟ ପ୍ରତିରୂପ ବନାଇ ପର୍ଯ୍ୟଟକମାନଙ୍କୁ ବିକୁଛନ୍ତି। ଆଖି ଝଲସା ରଙ୍ଗର ୩୦୦୦ରୁ ୫୦୦୦ ଟଙ୍କାରେ ବିକ୍ରି ହେଉଥିବା ଏହି ସୀତାରଗୁଡ଼ିକ ଲାଉତୁମ୍ବା ପରିବର୍ତ୍ତେ ଫାଇବରରେ ତିଆରି ହେଉଛି।

ସରକାରଙ୍କ ଦ୍ଵାରା ସ୍ୱୀକୃତି ଓ ସାହାଯ୍ୟ ପ୍ରକ୍ରିୟା ଅତି ମନ୍ଥର। ଶିଳ୍ପୀ ଓ ପରିବେଷଣକାରୀ କଳାକାରମାନଙ୍କ ହିତ ପାଇଁ ଏକାଧିକ ସ୍କିମ୍ ରହିଥିଲେ ବି ବାଦ୍ୟଯନ୍ତ୍ର ପ୍ରସ୍ତୁତକାରୀମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। “ଯଦି ସରକାରଙ୍କ ପକ୍ଷରୁ ଆମକୁ ଓ ଆମ କାରୀଗରିକୁ ସ୍ୱୀକୃତି ମିଳନ୍ତା, ତେବେ ଆମେ ଆହୁରି ଭଲ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରି ପାରନ୍ତୁ। ଏହା କଳାକାରମାନଙ୍କୁ ଆର୍ଥିକ ଭାବେ ସାହାଯ୍ୟ କରିବା ସହ ସେମାନଙ୍କ କାର୍ଯ୍ୟ ପାଇଁ ସମ୍ମାନ ପାଉଛନ୍ତି ବୋଲି ମନେ କରନ୍ତେ”, କହନ୍ତି ଇବ୍ରାହିମ। ଅହମଦୋସଙ୍କ ଭଳି ଅଭିଜ୍ଞ ବ୍ୟକ୍ତି କହନ୍ତି କି ଏହି କାରୁକଳା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିବାରୁ ସେ ଆଦୌ ଦୁଃଖିତ ନୁହନ୍ତି। “ଆଜି ବି ତୁମେ ଯଦି ମତେ ପଚାରିବ କି କୌଣସି ସାହାଯ୍ୟ କିମ୍ବା ଆର୍ଥିକ ଅନୁଦାନ ପାଇବା ପାଇଁ ଚାହେଁ କି... ମୁଁ କହିବି ମୁଁ ଆଦୌ ଚାହେଁ ନାହିଁ, ଆଦୌ ନୁହେଁ,” ସେ କହନ୍ତି।

ଇଣ୍ଟରନେଟ ମାଧ୍ୟମରେ ବିକ୍ରି ସୁଯୋଗ ସୃଷ୍ଟି ହେବା ପରେ ଏବେ ସୀତାର ପ୍ରସ୍ତୁତକାରୀମାନଙ୍କ ୱେବସାଇଟ ମାଧ୍ୟମରେ ଗ୍ରାହକମାନେ ସିଧାସଳଖ ସେମାନଙ୍କ ଅର୍ଡର କରି ପାରୁଛନ୍ତି। ଷ୍ଟୋର ମାଲିକ ଓ ମଧ୍ୟସ୍ଥିମାନେ ନେଉଥିବା କମିଶନ ଆଉ ଦେବାକୁ ପଡୁନାହିଁ। ଅଧିକାଂଶ ଗ୍ରାହକ ଦେଶ ଭିତରୁ ହୋଇଥିବା ବେଳେ ଆନ୍ତର୍ଜାତୀୟ ଗ୍ରାହକମାନେ ୱେବସାଇଟ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି।

ସୀତାର କେମିତି ହାତରେ ପ୍ରସ୍ତୁତ ହେଉଛି ଦେଖିବା ପାଇଁ ଓ ସୀତାରମେକରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସେମାନେ ଯାହା କହୁଛନ୍ତି ଶୁଣିବା ପାଇଁ  ଦେଖନ୍ତୁ ଭିଡିଓ।

ଅନୁବାଦ: ଓଡ଼ିଶାଲାଇଭ୍‍

Student Reporter : Swara Garge

سورا گرگے سال ۲۰۲۳ میں پاری کے ساتھ انٹرن شپ کر چکی ہیں اور ایس آئی ایم سی (پونے) میں ماسٹرز کی آخری سال کی طالبہ ہیں۔ وہ وژوئل اسٹوری ٹیلر ہیں اور دیہی امور، ثقافت اور معاشیات میں دلچسپی رکھتی ہیں۔

کے ذریعہ دیگر اسٹوریز Swara Garge
Student Reporter : Prakhar Dobhal

پرکھر ڈوبھال سال ۲۰۲۳ میں پاری کے ساتھ انٹرن شپ کر چکے ہیں اور ایس آئی ایم سی (پونے) سے ماسٹرز کی پڑھائی کر رہے ہیں۔ پرکھر ایک پرجوش فلم میکر ہیں، جن کی دلچسپی دیہی امور، سیاست و ثقافت کو کور کرنے میں ہے۔

کے ذریعہ دیگر اسٹوریز Prakhar Dobhal
Editor : Sarbajaya Bhattacharya

سربجیہ بھٹاچاریہ، پاری کی سینئر اسسٹنٹ ایڈیٹر ہیں۔ وہ ایک تجربہ کار بنگالی مترجم ہیں۔ وہ کولکاتا میں رہتی ہیں اور شہر کی تاریخ اور سیاحتی ادب میں دلچسپی رکھتی ہیں۔

کے ذریعہ دیگر اسٹوریز Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE