ଟେମ୍ପୁ ମାଞ୍ଝୀଙ୍କ ପରିବାର ଲୋକ କୁହନ୍ତି ଯେ, ସେ ଏମିତି ଏକ ଅପରାଧର ଦଣ୍ଡ ଭୋଗୁଛନ୍ତି ଯାହା ସେ କେବେ ବି କରିନାହାନ୍ତି।

ପରିବାରର କହିବା ଅନୁଯାୟୀ, ଜହାନାବାଦ କୋର୍ଟରେ ମାମଲାର ଶୁଣାଣି ସମୟରେ ପୁଲିସ କଥିତ ଭାବେ ତାଙ୍କ ଘରୁ ଜବତ ହୋଇଥିବା ସାମଗ୍ରୀକୁ ପ୍ରମାଣ ସ୍ୱରୂପ ଉପସ୍ଥାପନ କରିଥିଲା, କିନ୍ତୁ ସାମଗ୍ରୀ ତାଙ୍କ ଘରୁ ହିଁ ଜବତ ହୋଇଥିଲା, ଏହାର କୌଣସି ଠୋସ୍‌ ପ୍ରମାଣ ଦିଆଯାଇନଥିଲା।

ତାଙ୍କ ପତ୍ନୀ ୩୫ ବର୍ଷ ବୟସ୍କା ଗୁନା ଦେବୀ କୁହନ୍ତି, ‘‘ତାଙ୍କୁ ମିଥ୍ୟା ମାମଲାରେ ଫସେଇ ଦିଆଯାଇଛି।’’

ମାମଲାରେ ଯେଉଁ ପାଞ୍ଚ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କ ସାକ୍ଷ୍ୟ ଆଧାରରେ ଟେମ୍ପୁଙ୍କୁ ଦଣ୍ଡ ମିଳିଛି ସେମାନେ ସମସ୍ତେ ପୁଲିସକର୍ମୀ ଥିଲେ। ଏହି ତଥ୍ୟରୁ ପରିବାର ଲୋକଙ୍କ ଦାବିକୁ ବଳ ମିଳିଥାଏ। ଟେମ୍ପୁଙ୍କ ବିରୋଧରେ ବିହାର ମଦନିଷେଧ ଓ ଉତ୍ପାଦ ଆଇନ, ୨୦୧୬ ଅଧୀନରେ ରୁଜୁ ହୋଇଥିବା ମାମଲାର ଶୁଣାଣି ସମୟରେ ଜଣେ ହେଲେ ନିରପେକ୍ଷ ସାକ୍ଷୀଙ୍କୁ ହାଜର କରାଯାଇନଥିଲା।

ଗୁନା ଦେବୀ କୁହନ୍ତି, ‘‘ଘର ପଛପଟ ଜମିରୁ ମଦ ମିଳିଥିଲା। ଜମି କାହାର ଆମେ ଜାଣିନାହୁଁ। ଜବତ ହୋଇଥିବା ମଦ ବିଷୟରେ ଆମେ କିଛି ଜାଣିନାହୁଁ ବୋଲି ପୁଲିସକୁ କହିଥିଲୁ।’’ କିନ୍ତୁ, ପୁଲିସ ସେମାନଙ୍କ କଥା ଶୁଣିନଥିଲା। ‘‘ ତୋରା ଘର କେ ପିଛେ (ଦାରୁ) ହୁ, ତଅ ତୋରେ ନ ହୋତଉ (ତୁମ ଘର ପଛପଟୁ ମଦ ମିଳିଛି, ତେଣୁ ତାହା ତୁମର ବୋଲି ଧରାଯିବ)।’’

ଟେମ୍ପୁ ମାଞ୍ଝୀଙ୍କୁ ୨୦୧୯ରେ ଗିରଫ କରାଯାଇଥିଲା। ଏହାର ତିନି ବର୍ଷ ପରେ ୨୫ ମାର୍ଚ୍ଚ, ୨୦୨୨ରେ ତାଙ୍କୁ ଘରେ ମଦ ପ୍ରସ୍ତୁତ କରିବା ଓ ବିକ୍ରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷର ଦଣ୍ଡାଦେଶ ଦିଆଯାଇଥିଲା ଏବଂ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ ହୋଇଥିଲା।

ଟେମ୍ପୁ ମାଞ୍ଝୀ ଓ ଗୁନା ଦେବୀ ନିଜ ଚାରି ପିଲାଙ୍କ ସହିତ ଜହାନାବାଦ ଜିଲ୍ଲା କିନାରୀ ଗାଁରେ ଗୋଟିଏ ବଖୁରିକିଆ ଘରେ ରହିଥାନ୍ତି। ଏହି ପରିବାର ମୁସହାର ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଗାଁର ମୁସହାରଟୋଲି (ପଡ଼ା)ରେ ରୁହନ୍ତି। ୨୦୧୯, ମାର୍ଚ୍ଚ ୨୦ ତାରିଖ ସକାଳେ ଯେତେବେଳେ ଟେମ୍ପୁ ମାଞ୍ଝୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା, ସେତେବେଳେ ସେ ଘରେ ନଥିଲେ। ସେ ଜମି ମାଲିକଙ୍କ ପାଇଁ ସେମାନଙ୍କ ଘରକୁ ଫସଲ ବୋହୁଥିବା ଏକ ଗାଡ଼ିରେ (ଖଲାସୀ) ମଜୁରିଆ ଭାବେ କାମ କରୁଥିଲେ ଏବଂ ସକାଳୁ ଉଠି କାମକୁ ଚାଲି ଯାଇଥିଲେ।

Left: After Tempu Manjhi got convicted, his wife Guna Devi had to take care of their four children.
PHOTO • Umesh Kumar Ray
Right: Tempu used to work as a labourer on a harvest-carrying cart where he used to get Rs.400 a day
PHOTO • Umesh Kumar Ray

ବାମ : ଟେମ୍ପୁ ମାଞ୍ଝୀ ଜେଲ ଚାଲିଯିବା ପରେ, ଚାରି ପିଲାଙ୍କ ଭରଣପୋଷଣ ଦାୟିତ୍ୱ ଗୁନା ଦେବୀଙ୍କ ଉପରକୁ ଆସିଯାଇଥିଲା। ଡାହାଣ : ଟେମ୍ପୁ ଫସଲ ବୋହୁଥିବା ଏକ ଗାଡ଼ିରେ ମଜୁରିଆ ଭାବେ କାମ କରୁଥିଲେ ଏବଂ ତାଙ୍କୁ ମଜୁରି ବାବଦରେ ଦିନକୁ ୪୦୦ ଟଙ୍କା ମିଳୁଥିଲା

ଜାନୁଆରୀ, ୨୦୨୩ରେ ପରୀ ଯେତେବେଳେ ଏହି ମୁସହାରପଡ଼ାକୁ ଯାଇଥିଲା, ଗୁନା ଦେବୀଙ୍କ ବ୍ୟତୀତ, ଆଖପାଖର ମହିଳା, ପୁରୁଷ ଓ ପିଲାମାନେ ଶୀତ ଦିନିଆ ଖରା ପୋଇଁବା ପାଇଁ ଘର ବାହାରେ ବସିଥିଲେ। ଚାରି ଆଡ଼େ ଅଳିଆ ଗଦା ହୋଇ ରହିଥିଲା ଏବଂ ସେଥିରୁ ଆସୁଥିବା ଗନ୍ଧ ଅସହଜ କରି ଦେଉଥିଲା।

କିନାରୀ ଗାଁର ମୋଟ୍‌ ଜନସଂଖ୍ୟା ୨,୯୮୧ (୨୦୧୧ ଜନଗଣନା ଅନୁଯାୟୀ)। ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନୁସୂଚୀତ ଜନଜାତି ବର୍ଗର। ଏମାନଙ୍କ ମଧ୍ୟରେ ମୁସହାର ମଧ୍ୟ ସାମିଲ ଅଛନ୍ତି, ଯେଉଁମାନଙ୍କୁ ବିହାରରେ ମହାଦଳିତ ଭାବେ ତାଲିକାଭୁକ୍ତ କରାଯାଇଛି। ରାଜ୍ୟର ସବୁଠୁ ଗରିବ ଓ ପଛୁଆ ସମୁଦାୟରେ ସେମାନେ ପରିଗଣିତ ହୋଇଥାନ୍ତି। ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ଏମାନେ ଦେଶର ସବୁଠୁ ଅନ୍ତିମ ସୋପାନରେ ରହିଥିବା ଦେଖିବାକୁ ମିଳିଥାଏ।

ସେମାନେ ଆଇନଗତ ପ୍ରକ୍ରିୟା ବିଷୟରେ କିଛି ଜାଣନ୍ତି ନାହିଁ ଏବଂ ସେଥିପାଇଁ ସଂକଟର ସାମ୍ନା କରିଥାନ୍ତି। ପାଟନାରୁ ପ୍ରକାଶିତ ହିନ୍ଦୀ ପତ୍ରିକା ସବଲ୍ଟର୍ଣ୍ଣର ସମ୍ପାଦକ ମହେନ୍ଦ୍ର ସୁମନ କୁହନ୍ତି, ‘‘ମଦ ନିଷେଧ ଆଇନ ଅଧୀନରେ ମୁସହାର ଭାଇମାନଙ୍କୁ ପ୍ରଥମେ ଦୋଷୀ ସାବ୍ୟସ୍ତ କରାଯିବା କୌଣସି ସଂଯୋଗ ନୁହେଁ। ବରଂ ଏହି ସମୁଦାୟର ଏକ ନକାରାତ୍ମକ ଛବି ସୃଷ୍ଟି କରାଯାଇଛି ଏବଂ ସେମାନଙ୍କୁ ପ୍ରାୟତଃ ଏଭଳି ମାମଲାରେ ଫସାଇ ଦିଆଯାଇଥାଏ।’’

ସୁମନ ଯେଉଁ ମୁସହାର ଭାଇମାନଙ୍କ କଥା କହୁଛନ୍ତି ସେମାନେ ହେଲେ ଦିନ ମଜୁରିଆ ଦୁଇ ଭାଇ ପେଣ୍ଟର ଓ ମସ୍ତାନ ମାଞ୍ଝୀ। ଏମାନଙ୍କୁ ପ୍ରଥମେ ମଦ ନିଷେଧ ଆଇନ ଅଧୀନରେ ଦଣ୍ଡିତ କରାଯାଇଥିଲା। ମେ ୨୦୧୭ରେ ସେମାନଙ୍କୁ ଗିରଫ କରାଯାଇଥିଲା ଏବଂ ୪୦ ଦିନ ମଧ୍ୟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେମାନଙ୍କୁ ପାଞ୍ଚ ବର୍ଷର ଜେଲଦଣ୍ଡ ଓ ଏକ ଲକ୍ଷ ଟଙ୍କାର ଜୋରିମାନା ଆଦେଶ ହୋଇଥିଲା।

ଏହି ସମୁଦାୟ ସହ ଜଡ଼ିତ ସାମାଜିକ ଭେଦଭାବ କାରଣରୁ ମଧ୍ୟ ଏମାନଙ୍କୁ ମଦ ନିଷେଧ ଆଇନରେ ଫସାଇ ଦିଆଯାଇଥାଏ। ବହୁ ଦଶନ୍ଧି ଧରି ମୁସହାର ସମୁଦାୟ ସହିତ କାମ କରୁଥିବା ସୁମନ କୁହନ୍ତି, ‘‘ସେମାନେ (ପୁଲିସ) ଜାଣନ୍ତି ଯେ ଯଦି ମୁସହାରମାନଙ୍କୁ ଗିରଫ କରିବେ, ତା’ହେଲେ ଗିରଫଦାରୀ ବିରୋଧରେ କୌଣସି ନାଗରିକ ସଂଗଠନ କିମ୍ବା ସାମାଜିକ ସଂଗଠନ ଆନ୍ଦୋଳନ କରିବ ନାହିଁ।

ଟେମ୍ପୁଙ୍କ ମାମଲାରେ ତାଙ୍କ ଘର ବାହାରୁ ମଦ ଜବତ କରାଯାଇଥିଲେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ପାଞ୍ଚ ବର୍ଷର ଜେଲ ଓ ଏକ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଦିଆଗଲା।

Left: Advocate Ram Vinay Kumar fought the case of Tempu Manjhi. He said that the seizure list prepared in Tempu Manjhi’s case carried the signatures of two independent witnesses, but their testimonies were not produced.
PHOTO • Umesh Kumar Ray
Right: The Supreme Court has reprimanded the Bihar government many times due to the increased pressure of cases on the courts because of the prohibition law
PHOTO • Umesh Kumar Ray

ବାମ : ଆଇନଜୀବୀ ରାମ ବିନୟ କୁମାର ଟେମ୍ପୁ ମାଞ୍ଝୀଙ୍କ ମାମଲା ଲଢ଼ିଥିଲେ ସେ କୁହନ୍ତି ଯେ, ଟେମ୍ପୁ ମାଞ୍ଝୀଙ୍କ ମାମଲାରେ ଯେଉଁ ଜବତ ତାଲିକା ପ୍ରସ୍ତୁତ କରାଯାଇଥିଲା ସେଥିରେ ଦୁଇ ଜଣ ନିରପେକ୍ଷ ସାକ୍ଷୀଙ୍କ ସ୍ୱାକ୍ଷର ରହିଥିଲା, କିନ୍ତୁ ସେମାନଙ୍କ ସାକ୍ଷ୍ୟ ଦିଆଗଲା ନାହିଁ ଡାହାଣ : ମଦ ନିଷେଧ ମାମଲା କାରଣରୁ ନ୍ୟାୟାଳୟ ଉପରେ ମାମଲା ବୋଝ ବଢ଼ୁଥିବା କାରଣରୁ ସୁପ୍ରିମକୋର୍ଟ ବହୁବାର ବିହାର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି

ଜହାନାବାଦର ଆଇନଜୀବୀ ରାମ ବିନୟ କୁମାର ଟେମ୍ପୁ ମାଞ୍ଝୀଙ୍କ ମାମଲା ଲଢ଼ିଥିଲେ। ମାମଲାରେ ରହିଥିବା ତ୍ରୁଟିକୁ ଦର୍ଶାଇ ସେ କୁହନ୍ତି, ‘‘ଟେମ୍ପୁ ମାଞ୍ଝୀଙ୍କ ମାମଲାରେ ଯେଉଁ ଜବତ ତାଲିକା ପ୍ରସ୍ତୁତ କରାଯାଇଥିଲା ସେଥିରେ ଦୁଇ ଜଣ ନିରପେକ୍ଷ ସାକ୍ଷୀଙ୍କ ସ୍ୱାକ୍ଷର ରହିଥିଲା, କିନ୍ତୁ ସେମାନଙ୍କ ସାକ୍ଷ୍ୟ ଦିଆଗଲା ନାହିଁ। ଚଢ଼ାଉ କରିଥିବା ଦଳରେ ସାମିଲ ପୁଲିସ କର୍ମଚାରୀ ହିଁ ସାକ୍ଷୀ ହୋଇ କୋର୍ଟରେ ସାକ୍ଷ୍ୟ ଦେଇଥିଲେ।’’

୫୦ ବର୍ଷ ବୟସ୍କ ରାମ ବିନୟ ଗତ ୨୪ ବର୍ଷ ଧରି ଏଠାକାର ଜିଲ୍ଲା ଅଦାଲତରେ ଓକିଲାତି କରୁଛନ୍ତି। ସେ କୁହନ୍ତି, ‘‘କୋର୍ଟରେ ପ୍ରତିପକ୍ଷ ସାକ୍ଷ୍ୟ ଦେବା ପାଇଁ ନିଜ ପରିବାର ଲୋକଙ୍କୁ କହିବା ଲାଗି ମୁଁ ଟେମ୍ପୁ ମାଞ୍ଝୀଙ୍କୁ କହିଥିଲି। କିନ୍ତୁ, ତାଙ୍କ ପରିବାର ଲୋକମାନେ ମୋ ସହ କୌଣସି ଯୋଗାଯୋଗ କଲେ ନାହିଁ, ସେଥିପାଇଁ ଅଭିଯୁକ୍ତକୁ ଦଣ୍ଡରୁ ବଞ୍ଚାଇବା ପାଇଁ ଆମେ କୌଣସି ସାକ୍ଷ୍ୟପ୍ରମାଣ ଦେଇପାରିଲୁ ନାହିଁ।’’

ଅନୁରୂପ ଭାବେ, ନିରପେକ୍ଷ ସାକ୍ଷୀଙ୍କୁ ଆଣି ନପାରିବା କାରଣରୁ ଆଉ ଜଣେ ମୁସହାର ରାମବୃକ୍ଷ ମାଞ୍ଝୀଙ୍କୁ ମଧ୍ୟ ଗମ୍ଭୀର ଆଇନଗତ ବିବାଦରେ ଫସିବାକୁ ପଡ଼ିଥିଲା। ଜହାନାବଦା ଜିଲ୍ଲାର ଘୋସୀ ବ୍ଲକ୍‌ ଅନ୍ତର୍ଗତ କାଣ୍ଟା ଗ୍ରାମରେ ଟୋଲା ସେବକ ଭାବେ କାର୍ଯ୍ୟରତ ରାମବୃକ୍ଷ (ଛଦ୍ମନାମ) ମହାଦଳିତ ପିଲାମାନଙ୍କୁ ନେଇ ଗାଁ ସ୍କୁଲକୁ ଯାଉଥିଲେ।

୪୫ ବର୍ଷ ବୟସ୍କ ରାମବୃକ୍ଷ ରାଜ୍ୟର ଶିକ୍ଷା ବିଭାଗ ଅଧୀନରେ ଟୋଲା ସେବକ ଭାବେ କାମ କରିଥାନ୍ତି ଏବଂ ତାଙ୍କର ଦାୟିତ୍ୱ ହେଉଛି ନିଜ ପଡ଼ାର ଛୋଟ ପିଲାମାନଙ୍କୁ ସେମାନଙ୍କ ଘରୁ କାଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ନେବା ଏବଂ ସେଠାରେ ପାଠ ପଢ଼ାଇବା।

ରାମବୃକ୍ଷ ସ୍କୁଲ ପାଖରେ ପ୍ରାୟ ପହଞ୍ଚିବାକୁ ଯାଉଥିଲେ, ବ୍ୟସ୍ତବହୁଳ ରାସ୍ତା ପାର୍‌ ହେବା ସମୟରେ ତାଙ୍କୁ ଗିରଫ କରି ନିଆଗଲା। ୨୯ ମାର୍ଚ୍ଚ ୨୦୧୯ରେ ଘଟିଥିବା ଏହି ଘଟଣା ବିଷୟରେ ସୂଚନା ଦେଇ ସେ କହିଥାନ୍ତି, ‘‘ଅଚାନକ ପାଖାପାଖି ଏକ ଡଜନ ପୁଲିସ କର୍ମଚାରୀ ଆସିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ପଛପଟୁ ମୋର କଲର୍‌ ଧରି ନେଲା।’’ ପୁଲିସ ଗୋଟିଏ ଗ୍ୟାଲନ ଦେଖାଇ କହିଲା ଯେ ତାଙ୍କ ଘରୁ ୬ ଲିଟର ମଦ ମିଳିଛି ଏବଂ ଏହା କହି ତାଙ୍କୁ ଥାନାକୁ ନିଆଗଲା। (ପୁଲିସ କେବେ ବି ତାଙ୍କ ଘରକୁ ଆସିନଥିଲା ବୋଲି ପରିବାର ଲୋକମାନେ କହିଥାନ୍ତି)

ଏହାପରେ, ତାଙ୍କୁ ଶକୁରାବାଦ ପୁଲିସ ଷ୍ଟେସନ ନିଆଗଲା ଓ ତାଙ୍କ ବିରୋଧରେ ମଦ ନିଷେଧ ଆଇନ ଅଧୀନରେ ମାମଲା ରୁଜୁ କରାଗଲା।

ରାମବୃକ୍ଷ ନିଜର ଗିରଫଦାରୀ ପାଇଁ କିଛି ସମୟ ପୂର୍ବରୁ ଘଟିଥିବା ଏକ ଘଟଣାକୁ ଦାୟୀ କରିଥାନ୍ତି। ସେ ସ୍କୁଲକୁ ଯାଉଥିବା ସମୟରେ ପୁଲିସ ରାସ୍ତାରୋକ କରି ଛିଡ଼ା ହୋଇଥିବା ଦେଖିଥିଲେ। ସେ ରାସ୍ତା ଦେବା ପାଇଁ ପୁଲିସକୁ ଅନୁରୋଧ କରିଥିଲେ କିନ୍ତୁ ଏହା ପରିବର୍ତ୍ତେ ‘‘ପୁଲିସ ମୋତେ ଗାଳି କଲା ଓ ମାଡ଼ ମାରିଲା।’’ ଏହି ଘଟଣା ଘଟିବାର ଠିକ୍‌ ଅଧ ଘଣ୍ଟା ପରେ ତାଙ୍କୁ ଗିରଫ କରି ନିଆଗଲା।

Left: Ramvriksha Manjhi, 45, is working as a tola sevak in his village
PHOTO • Umesh Kumar Ray
Right: Ramvriksha says that he never made liquor in his house. He claimed that during the raid, he had asked the police to make way for him to go to school, on which the police got infuriated and took this action.
PHOTO • Umesh Kumar Ray

ବାମ : ରାମବୃକ୍ଷ ମାଞ୍ଝୀ (୪୫) କାଣ୍ଟାରେ ଜଣେ ଟୋଲା ସେବକ ଭାବେ କାମ କରିଥାନ୍ତି ଡାହାଣ : ରାମବୃକ୍ଷ କୁହନ୍ତି, ସେ ତାଙ୍କ ଘରେ କେବେ ବି ମଦ ତିଆରି କରିନଥିଲେ ସେ କୁହନ୍ତି, ଚଢ଼ାଉ ସମୟରେ, ପୁଲିସ ରାସ୍ତା ରୋକ କରି ଛିଡ଼ା ହୋଇଥିବା ସେ ଦେଖିଥିଲେ ଏବଂ ରାସ୍ତା ଛାଡ଼ିବାକୁ କହିଥିଲା। ଏଥିରେ ପ୍ରତିହିଂସା ପରାୟଣ ହୋଇ ପୁଲିସ ତାଙ୍କୁ ଗିରଫ କଲା

ପୁଲିସକୁ ଦେଖି ଭିଡ଼ ଏକାଠି ହୋଇଥିଲା। ସେ କୁହନ୍ତି, ‘‘ମୋତେ ଯେତେବେଳେ ଗିରଫ କରାଗଲା ସେ ସମୟରେ ଯଥେଷ୍ଟ ଭିଡ଼ ଥିଲା। କିନ୍ତୁ ପୁଲିସ କାହାକୁ ସାକ୍ଷୀ ଭାବେ ଉପସ୍ଥାପନ କଲା ନାହିଁ, ଜବତ ତାଲିକାରେ କୌଣସି ନିରପେକ୍ଷ ବ୍ୟକ୍ତିଙ୍କ ସ୍ୱାକ୍ଷର ମଧ୍ୟ ନଥିଲା।’’ ଓଲଟା ଏଫଆଇଆରରେ ଲେଖାଗଲା ଯେ ଗିରଫଦାରୀ ସମୟରେ ଗାଁ ଲୋକମାନେ ପଳାୟନ କରିଥିଲେ।

‘‘ଓକିଲ ଜିତେନ୍ଦ୍ର କୁମାର କୁହନ୍ତି, ‘‘ନିରପେକ୍ଷ ସାକ୍ଷୀଙ୍କ ବୟାନ ଜରୁରି, କାରଣ ପୋଲିସ କର୍ମଚାରୀ ସାକ୍ଷ୍ୟ ଦେଲେ ତାହା ପକ୍ଷପାତପୂର୍ଣ୍ଣ ବୟାନ ହେବାର ଆଶଙ୍କା ଥାଏ।’’ ଜିତେନ୍ଦ୍ର, ଜହାନାବାଦ କୋର୍ଟରେ ଓକିଲାତି କରୁଛନ୍ତି ଏବଂ ମଦ ନିଷେଧ ସହ ଜଡ଼ିତ ଅନେକ ମାମଲା ଲଢ଼ିସାରିଛନ୍ତି।

ଜିତେନ୍ଦ୍ର କୁହନ୍ତି ଯେ ମଦ ନିଷେଧ ମାମଲାରେ ଚଢ଼ାଉ ସମୟରେ, ଚଢ଼ାଉ ଦଳରେ ସାମିଲ ପୁଲିସ କର୍ମଚାରୀଙ୍କୁ ସାକ୍ଷ୍ୟ ଭାବେ ଉପସ୍ଥାପନ କରାଯାଇଥାଏ। ଏହା ନ୍ୟାୟର ସିଦ୍ଧାନ୍ତ ବିରୋଧୀ ବୋଲି ସେ କୁହନ୍ତି।

ପୁଲିସ ଚଢ଼ାଉ କରିବା ସମୟରେ ଘଟଣାସ୍ଥଳରେ ଅନେକ ଲୋକଙ୍କ ଭିଡ଼ ଥାଏ। କିନ୍ତୁ ସେ କୁହନ୍ତି, ଏହା ସତ୍ତ୍ୱେ ‘‘ଚଢ଼ାଉ ଦଳର ସଦସ୍ୟ (ଚଢ଼ାଉ ଦଳରେ ଥିବା ପୁଲିସ କର୍ମଚାରୀ)ଙ୍କୁ ସାକ୍ଷ୍ୟ କରି ଦିଆଯାଏ। ଏହା ଗିରଫ ହୋଇଥିବା ବ୍ୟକ୍ତିଙ୍କ ପାଖରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାର ସୁଯୋଗକୁ କମାଇ ଦେଇଥାଏ।’’

ସେ କୁହନ୍ତି, ‘‘ଚଢ଼ାଉ ସମୟରେ ଭିଡ଼ିଓଗ୍ରାଫୀ ହେବା ଆବଶ୍ୟକ ବୋଲି ଆମେ କୋର୍ଟଙ୍କୁ ବହୁବାର ମୌଖିକ ଭାବେ ଅନୁରୋଧ କରିଛୁ। ଦୁର୍ଭାଗ୍ୟବଶତଃ ଆମ କଥାକୁ କେବେ ବି ଗୁରୁତ୍ୱ ଦିଆଯାଇ ନାହିଁ।’’

ଏପ୍ରିଲ ୨୦୧୬ ଠାରୁ ବିହାରରେ ମଦ ନିଷେଧ ଆଇନ ଲାଗୁ ହୋଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମଦ ନିଷେଧ ସହ ଜଡ଼ିତ ମାମଲାର ଶୁଣାଣି ପାଇଁ ପୃଥକ ଅବକାରୀ ଅଦାଲତ ରହିଛି, ଯାହାଫଳରେ ଏସବୁ ମାମଲାର ତ୍ୱରିତ ସମାଧାନ ହୋଇପାରିବ।

ଓକିଲ ଓ ସେମାନେ ପ୍ରତିନିଧିତ୍ୱ କରୁଥିବା ଲୋକମାନେ କୁହନ୍ତି ଯେ ମଦ ସହ ଜଡ଼ିତ ମାମଲାଗୁଡ଼ିକୁ ସମାଧାନ କରିବା ପାଇଁ ଅତିରିକ୍ତ ଗୁରୁତ୍ୱ ଦିଆଯାଉଥିବା କାରଣରୁ ପୁଲିସ ଅଧିକାଂଶ ସମୟରେ ତଦନ୍ତ ନିୟମକୁ ଉଲ୍ଲଙ୍ଘନ କରିଥାଏ।

Left: Jitendra says that when the police arrive on the scene at a raid, bystanders throng the area. Despite that, members of the raid party [raiding squad composed of police-people] are made witnesses. This greatly reduces the chances of the accused to prove their innocence.
PHOTO • Umesh Kumar Ray
Right: Sanjeev Kumar says that due to the prohibition law, there has been a huge increase in the number of cases in the Jehanabad court
PHOTO • Umesh Kumar Ray

ଫଟୋ : ବାମ : ପୁଲିସ ଚଢ଼ାଉ କରିବା ସମୟରେ ଘଟଣାସ୍ଥଳରେ ଅନେକ ଲୋକଙ୍କ ଭିଡ଼ ଥାଏ। ଏହା ସତ୍ତ୍ୱେ ଚଢ଼ାଉ ଦଳର ସଦସ୍ୟ (ଚଢ଼ାଉ ଦଳରେ ଥିବା ପୁଲିସ କର୍ମଚାରୀ)ଙ୍କୁ ସାକ୍ଷ୍ୟ କରି ଦିଆଯାଏ। ଏହା ଗିରଫ ହୋଇଥିବା ବ୍ୟକ୍ତିଙ୍କ ପାଖରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାର ସୁଯୋଗକୁ କମାଇ ଦେଇଥାଏ ।  ଡାହାଣ : ସଞ୍ଜୀବ କୁମାର କୁହନ୍ତି, ମଦ ନିଷେଧ ଆଇନ କାରଣରୁ ଜହାନାବାଦ ଅଦାଲତରେ ବହୁ ସଂଖ୍ୟାରେ ମାମଲାର ବୋଝ ବଢ଼ିଯାଇଛି

ନ୍ୟାୟିକ କାର୍ଯ୍ୟ ଉପରେ ରିପୋର୍ଟିଂ କରୁଥିବା ଲାଇଭ୍‌ ଲ’ ଠାରୁ ୨୪ ଜାନୁୟାରୀ ୨୦୨୩ରେ ମିଳିଥିବା ତଥ୍ୟ ଅନୁଯାୟୀ, ୧୧ ମେ ୨୦୨୨ ସୁଦ୍ଧା ମଦ ନିଷେଧ ଆଇନ ଅଧୀନରେ ୩,୭୮,୧୮୬ ମାମଲା ଦାୟର ହୋଇଥିଲା। ଏଥିମଧ୍ୟରୁ ୧,୧୬,୧୦୩ ମାମଲାରେ ଶୁଣାଣି ଆରମ୍ଭ ହୋଇଛି କିନ୍ତୁ ମାତ୍ର ୪୭୩ ମାମଲାରେ ଶୁଣାଣି ଶେଷ ହୋଇଛି।

ମାର୍ଚ୍ଚ ୨୦୨୨ରେ ସର୍ବୋଚ୍ଚ ନ୍ୟାୟାଳୟର ତତ୍କାଳୀନ ପ୍ରଧାନ ବିଚାରପପତି ଏନ. ଭି. ରମନ୍ନା କହିଥିଲେ, ସବୁ ନ୍ୟାୟାଳୟରେ ମଦନିଷେଧ ସହ ଜଡ଼ିତ ଜାମିନ ମାମଲା ପଡ଼ି ରହିଛି, ଯାହାଫଳରେ ଅନ୍ୟ ମାମଲା ଶୁଣାଣି ପ୍ରକ୍ରିୟା ଅତ୍ୟନ୍ତ ଧିମେଇ ଯାଇଛି।

ଜହାନାବାଦ ଅଦାଲତରେ ଓକିଲାତି କରୁଥିବା ଆଇନଜୀବୀ ସଞ୍ଜୀବ କୁମାର କୁହନ୍ତି, ‘‘ସରକାର ଅବକାରୀ ମାମଲା ସମାଧାନ ଦିଗରେ ବହୁ ପରିମାଣରେ ସମ୍ବଳ ଯୋଗାଇ ଦେଇଛନ୍ତି ଏବଂ ଅନ୍ୟ ମାମଲାକୁ କମ୍‌ ଗୁରୁତ୍ୱ ଦେଉଛନ୍ତି।’’

*****

୨୨ ଦିନ ପରେ ଜହାନାବାଦ କୋର୍ଟରେ ରାମବୃକ୍ଷ ମାଞ୍ଝୀଙ୍କୁ ଜାମିନ ମିଳିଥିଲା। ଏହି ସମୟ ମଧ୍ୟରେ, ତାଙ୍କ ପରିବାରକୁ ଏଣେତେଣେ ଦୌଡ଼ି ସବୁ ବ୍ୟବସ୍ଥା କରିବାକୁ ହୋଇଥିଲା ଏବଂ ଅଦାଲତି ମାମଲାରେ ୬୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏହା ରାମବୃକ୍ଷଙ୍କ ମାସିକ ଦରମାର ଛଅ ଗୁଣ ଥିଲା। ଏବେ ସେ ଜେଲରୁ ମୁକ୍ତି ପାଇଯାଇଛନ୍ତି, ଅଗଷ୍ଟରେ ତାଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ‘‘ଚାରି ବର୍ଷ ଧରି ମାମଲା ପଡ଼ି ରହିଛି। ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି,’’ ସେ କୁହନ୍ତି।

ତାଙ୍କର ଚାରି ପିଲା ଅଛନ୍ତି - ତିନି ଝିଅ ଓ ଗୋଟିଏ ପୁଅ - ଯେଉଁମାନଙ୍କ ବୟସ ୭ରୁ ୨୦ ବର୍ଷ ମଧ୍ୟରେ। ସବୁଠୁ ବଡ଼ ଝିଅର ବୟସ ୨୦ ବର୍ଷ ଏବଂ ମାମଲା ନସରିବା ପର୍ଯ୍ୟନ୍ତ ତା’ର ବାହାଘର ବିଷୟରେ ପରିବାର ଚିନ୍ତା କରିପାରିବ ନାହିଁ। ରାମବୃକ୍ଷ କୁହନ୍ତି, ‘‘ସ୍କୁଲ ଯିବା ଓ ପାଠ ପଢ଼ାଇବା ଲାଗି ମୋର ଇଚ୍ଛା ହେଉ ନାହିଁ। ମୁଁ ମାନସିକ ଚାପ ମଧ୍ୟରେ ରହିଛି… ପାଞ୍ଚ ଘଣ୍ଟା ପରିବର୍ତ୍ତେ ମାତ୍ର ଦୁଇ ଘଣ୍ଟା ଶୋଇ ପାରୁଛି।’’

ଗୁନା ଦେବୀ ଅଦାଲତରେ ମୁନସୀଙ୍କୁ ୨୫,୦୦୦ ଟଙ୍କା ଦେଇଥିଲେ। ‘‘ମୁଁ ଥରେ କିମ୍ବା ଦୁଇଥର ଅଦାଲତକୁ ଯାଇ ସେଠାରେ ମୁନସୀଙ୍କୁ ଭେଟିଥିଲି, କୌଣସି ଓକିଲଙ୍କ ସହ ମୋର ଦେଖା ହୋଇନାହିଁ,’’ ସେ କୁହନ୍ତି। ତାଙ୍କ ସାମ୍ନାରେ ଥିବା ଖଣ୍ଡେ ହେଲେ କାଗଜ ପଢ଼ିବା ଲାଗି ଗୁନା ଦେବୀ ସମର୍ଥ ନୁହନ୍ତି।

Left: Guna Devi says that her husband Tempu Manjhi has been implicated by the police in a made-up case.
PHOTO • Umesh Kumar Ray
Right: After his father was sentenced to five years of imprisonment, 15-year-old Rajkumar had to work as a labourer to feed the family
PHOTO • Umesh Kumar Ray

ବାମ : ଗୁନାଦେବୀ କୁହନ୍ତି, ତାଙ୍କ ସ୍ୱାମୀ ଟେମ୍ପୁ ମାଞ୍ଝୀଙ୍କୁ ପୁଲିସ ମିଛ ମାମଲାରେ ଫସେଇ ଦେଇଛି ଡାହାଣ : ବାପାଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ହେବା ପରେ, ୧୫ ବର୍ଷୀୟ ରାଜକୁମାରଙ୍କ ପରିବାର ଭରଣପୋଷଣ ପାଇଁ ମଜୁରି କାମ କରିବାକୁ ପଡ଼ୁଛି

ଟେମ୍ପୁ ଜେଲ୍‌ ଚାଲିଯିବା ପରେ, ଏହି ଭୂମିହୀନ ପରିବାର ପାଇଁ ପେଟ ପୋଷିବା କଷ୍ଟକର ହୋଇପଡ଼ିଛି। ସେମାନଙ୍କ ପାଖରେ କୌଣସି ଜମି ନାହିଁ ଏବଂ ଗୁନା ଦେବୀ କୃଷି ଶ୍ରମିକ ଭାବେ ଫସଲ ରୋଇବା ଓ କାଟିବା କାମ କରୁଛନ୍ତି। କିନ୍ତୁ ଏହି କାମ ତାଙ୍କୁ କେବଳ ଫସଲ ଋତୁରେ ମିଳିପାରୁଛି। ତାଙ୍କର ଚାରି ପିଲା - ଦୁଇ ପୁଅ ଏବଂ ଦୁଇ ଝିଅ - ଯେଉଁମାନଙ୍କର ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ ହେବ।

ତାଙ୍କର ଦୁର୍ବଳ ଓ ପତଳା ୧୫ ବର୍ଷର ପୁଅ ରାଜକୁମାରଙ୍କ ଆଡ଼କୁ ଇସାରା କରି ସେ ନିଜର ମାତୃଭାଷା ମଗହୀରେ କୁହନ୍ତି, ‘‘ବଉଆତନି -ମନି କମା ହୟି (ମୋ ପୁଅ କିଛି ରୋଜଗାର କରି ନେଉଛି)।’’ ୨୦୧୯ରେ ବାପ ଜେଲ୍‌ ଯିବା ସମୟରେ ରାଜକୁମାର ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା, କିନ୍ତୁ ଏବେ ତା’ର ପାଠପଢ଼ା ବନ୍ଦ ହୋଇଯାଇଛି। ବର୍ତ୍ତମାନ ସେ ବଜାରରେ ବସ୍ତା ଉଠାଇବା କାମ କରୁଛି, ଏଥିପାଇଁ ଦିନକୁ ୩୦୦ ଟଙ୍କା ମଜୁରି ମିଳୁଛି। କିନ୍ତୁ ଜଣେ ନାବାଳକ ହୋଇଥିବାରୁ ଏହି କାମ ମଧ୍ୟ ତାଙ୍କୁ ଅତି କଷ୍ଟରେ ମିଳୁଛି।

ଅନ୍ୟପଟେ, ପୁଲିସ ଆଉ ଏକ ମଦ ନିଷେଧ ମାମଲାରେ ଗୁନା ଦେବୀଙ୍କୁ ଅଭିଯୁକ୍ତ ସଜାଇ ଦେଇଛି ଏବଂ ତାଙ୍କୁ ‘ଫେରାର୍‌’ ବୋଲି ଦର୍ଶାଇ ଦେଇଛି।

‘‘ଗିରଫଦାରୀ ଏଡ଼ାଇବା ପାଇଁ ରାତିରେ ସେ ପିଲାମାନଙ୍କୁ ଧରି ଅନ୍ୟ କେହି ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥାନ୍ତି। ଯଦି ପୁଲିସ ମୋତେ ଧରିନେବ ତା’ହେଲେ ମୋ ଚାରି ପିଲାଙ୍କ ଅବସ୍ଥା କ’ଣ ହେବ?’’

କିଛି ସ୍ଥାନ ଓ ଲୋକଙ୍କ ର ଛଦ୍ମନାମ ବ୍ୟବହାର କରାଯାଇଛି

ବିହାରରେ ବଞ୍ଚିତ ସମୁଦାୟଙ୍କ ସଂଘର୍ଷର ନେତୃତ୍ୱ ନେଇଥିବା ରାଜ୍ୟର ଜଣେ ଶ୍ରମିକ ନେତାଙ୍କ ସ୍ମୃତିରେ ଏକ ଫେଲୋଶିପ୍‌ର ସହଯୋଗ ମାଧ୍ୟମରେ ଏହି ଷ୍ଟୋରୀ ପ୍ରସ୍ତୁତ କରାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

Umesh Kumar Ray

Umesh Kumar Ray is a PARI Fellow (2022). A freelance journalist, he is based in Bihar and covers marginalised communities.

Other stories by Umesh Kumar Ray
Editor : Devesh

Devesh is a poet, journalist, filmmaker and translator. He is the Translations Editor, Hindi, at the People’s Archive of Rural India.

Other stories by Devesh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE