ଏବେ ଆମେ ପହଞ୍ଚି ଯାଇଛୁ ଲତାବୁଦାରେ ପରିପୂର୍ଣ୍ଣ ଏକ ଜଙ୍ଗଲରେ, ଆଉ ଏଠାରେ ଖୋଜିବାରେ ଲାଗିଛୁ ‘ଦାନବର ମେରୁଦଣ୍ଡ’। ହଁ, ଏଠାରେ ପିରାନ୍ଦାଇ ବା ଉଦ୍ଭିଦ ବିଜ୍ଞାନ ଭାଷାରେ ସାଇସସ୍ କ୍ୱାଡ୍ରାଙ୍ଗୁଲାରିସ୍ ( Cissus quadrangularis )କୁ ତାହା ହିଁ କହନ୍ତି। ରଥୀ ଓ ମୁଁ ଖୋଜୁଥିବା ଏହି ବର୍ଗାକାର ବୃନ୍ତ ବିଶିଷ୍ଟ ଲତାର ଅନେକ ଉତ୍କୃଷ୍ଟ ଓ ଉପକାରୀ ଗୁଣ ରହିଛି। ହେଲେ, ସାଧାରଣତଃ ଏହି କୋମଳ ଲତାକୁ ତୋଳି, ସଫା କରିବା ପରେ ଏଥିରେ ନାଲି ଲଙ୍କା ଗୁଣ୍ଡ, ଲୁଣ ଓ ରାଶି ତେଲ ଦେଇ ସାଇତି ରଖାଯାଏ। ଉପଯୁକ୍ତ ଢଙ୍ଗରେ ପ୍ରସ୍ତୁତ ହୋଇଥିଲେ ଏହି ଆଚାର ନଷ୍ଟ ନ ହୋଇ ଗୋଟିଏ ବର୍ଷ ରହିପାରେ। ଆଉ ଭାତ ସାଙ୍ଗରେ ଏହା ଖୁବ୍ ବଢ଼ିଆ ଲାଗେ।

ଜାନୁଆରୀ ମାସର ଏକ ଉଷ୍ମ ଅପରାହ୍ଣରେ, ଏକ ଶୁଷ୍କ ପାହାଡ଼ିଆ ଝରଣା କୂଳେ କୂଳେ ଆଗକୁ ବଢ଼ିଥିବା ରାସ୍ତା ଦେଇ ଆମେ ଜଙ୍ଗଲ ଅଭିମୁଖେ ବାହାରିଥାଉ। ତାମିଲ ଭାଷାରେ ଏହି ଝରଣାର ନାଁ ଏଲ୍ଲାଇଆଥାଆମ୍ମାନ ଓଡ଼ାଇ । ଏହାର ଆକ୍ଷରିକ ଅର୍ଥ ହେଉଛି ‘ସୀମା ବିହୀନ ଠାକୁରାଣୀ’। ଏହି ପଦକରେ ହିଁ ଦେହରେ ଶିହରଣ ଖେଳିଯାଏ। ଏବଂ ବାଲି ଓ ପଥରର ଏହି ରାସ୍ତା- କେଉଁଠି ଓସାରିଆ ତ ଆଉ କେଉଁଠି ଓଦାଳିଆ – ଦେଇ ଯିବା ବେଳେ ମୋ ଦେହ ଆହୁରି ଶୀତେଇ ଉଠେ।

ଆମେ ଚାଲି ଚାଲି ଯାଉଥିବା ବେଳେ ରଥୀ ମୋତେ କେତେକ କାହାଣୀ ଶୁଣାନ୍ତି। ସେଥିରୁ ଅଳ୍ପ କେତେକ କାଳ୍ପନିକ ଓ ମଜାଦାର – ଯେମିତି କି କମଳା ଓ ପ୍ରଜାପତି ସଂପର୍କିତ କାହାଣୀ। ହେଲେ, ଅନେକଟା ବାସ୍ତବିକ ଏବଂ ଲୋମଟାଙ୍କୁରା – ଖାଦ୍ୟକୁ ନେଇ ରାଜନୀତି, ନବେ ଦଶକରେ ସଂଘଟିତ ଜାତିଆଣ ସଂଘର୍ଷର କାହାଣୀ, ତାଙ୍କ ହାଇସ୍କୁଲ ପଢ଼ା ବେଳର କାହାଣୀ। “ମୋ ପରିବାର ତୁତୁକୁଡ଼ିକୁ ପଳାଇ ଗଲେ...”

ଦୁଇ ଦଶନ୍ଧି ପରେ, ଜଣେ ପେସାଦାର କଥାବାଚକ, ପାଠାଗାର ପରାମର୍ଶଦାତା ଏବଂ କଣ୍ଢେଇ ନୃତ୍ୟଶିଳ୍ପୀ ଭାବରେ ରଥୀ ତାଙ୍କ ଗାଁକୁ ଫେରିଛନ୍ତି। ସେ ଧୀରେ ଧୀରେ କଥା କହନ୍ତି; ଶୀଘ୍ର ଶୀଘ୍ର ପଢ଼ନ୍ତି। “କୋଭିଡ୍ ବିଶ୍ୱ ମହାମାରୀ ସମୟରେ, ସାତ ମାସ ଭିତରେ ମୁଁ ଛୋଟବଡ଼ କରି ପିଲାମାନଙ୍କର ୨୨,୦୦୦ ବହି ପଢ଼ିଥିଲି। ସବୁଦିନ, କୌଣସି ନା କୌଣସି ସମୟରେ ବହିପଢ଼ା ବନ୍ଦ କରିବା ଲାଗି ମୋ ସହକାରୀ ମୋତେ ଅନୁରୋଧ କରନ୍ତି। ଅନ୍ୟଥା, ମୁଁ ତ ସଂଳାପ ଭଳି କଥା କହିବା ଆରମ୍ଭ କରିଦେଇଥିଲି।” ଏତିକି କହି ସେ ହସନ୍ତି।

ତାଙ୍କ ହସ ବି ସେଇ ନଈର କୁଳୁକୁଳୁ ନାଦ ଭଳି, ଯାହା ଅନୁସାରେ ତାଙ୍କର ନାମକରଣ ହୋଇଛି: ଭାଗୀରଥୀ। ଏହି ନାଁର ସଂକ୍ଷିପ୍ତ ରୂପରେ ତାଙ୍କର ପରିଚୟ: ରଥୀ। ଏବଂ ସେ ରହନ୍ତି, ସେହି ହିମାଳୟ ପର୍ବତମାଳାରୁ ୩,୦୦୦ କିଲୋମିଟର ଦକ୍ଷିଣରେ, ଯେଉଁଠି ତାଙ୍କ ନାଁର ସେହି ନଦୀଟି ଗଙ୍ଗା ନାମରେ ପରିଚିତ। ତାଙ୍କ ଗାଁ, ତାମିଲନାଡୁର ତିରୁନେଲବେଲି ଜିଲ୍ଲାର ତେଙ୍କଳମକୁ ଚାରିପଟୁ ଘେରି ରହିଛି ପାହାଡ଼ ଓ ବୁଦୁବୁଦୁକିଆ ଜଙ୍ଗଲ। ସେ ସେହି ସବୁ ପାହାଡ଼ ଓ ଜଙ୍ଗଲକୁ ଭଲ ଭାବରେ ଜାଣନ୍ତି, ଠିକ୍ ସେମିତି, ଯେମିତି ତାଙ୍କ ଗାଁର ସବୁ ଲୋକେ ତାଙ୍କୁ ଜାଣନ୍ତି।

“ତୁମେମାନେ ଜଙ୍ଗଲକୁ କାହିଁକି ଯାଉଛ?” କେତେକ ମହିଳା ଶ୍ରମିକ ପଚାରନ୍ତି। “ଆମେ ପିରାନ୍ଦାଇ ଖୋଜିବାକୁ ଯାଉଛୁ,” ରଥୀ ଉତ୍ତର ଦିଅନ୍ତି। “ତୁମ ସାଙ୍ଗରେ ସେହି ମହିଳା ଜଣକ କିଏ ? ତୁମ ସାଙ୍ଗ?”, ଗାଈ ଚରାଳି ଜଣକ ଜାଣିବାକୁ ଚାହାନ୍ତି। “ହଁ ହଁ”, ରଥୀ ହସି ହସି କହନ୍ତି। ମୁଁ ସେମାନଙ୍କ ଆଡ଼କୁ ଚାହିଁ ହାତ ହଲାଏ ଏବଂ ଆମେ ଆଗକୁ ଆଗେଇ ଯାଉ....

Pirandai grows in the scrub forests of Tirunelveli, Tamil Nadu
PHOTO • Courtesy: Bhagirathy
The tender new stem is picked, cleaned and preserved with red chilli powder, salt and sesame oil and will remain unspoilt for a year
PHOTO • Courtesy: Bhagirathy

ତାମିଲନାଡୁ ତିରୁନେଲବେଲିର ବୁଦୁବୁଦୁକିଆ ଜଙ୍ଗଲରେ ଥାଏ ପିରାନ୍ଦାଇ। ରଥୀ ଗୋଟିଏ ପିରାନ୍ଦାଇ ଗଛ ପାଆନ୍ତି (ଡାହାଣ) ଏହାର ନରମ କାଣ୍ଡକୁ ତୋଳି ନେଇ ସଫା କରାହୁଏ ଏବଂ ଲାଲ ଲଙ୍କା ଗୁଣ୍ଡ, ଲୁଣ ଓ ରାଶି ତେଲ ସହିତ ସାଇତି ରଖାଯାଏ ଏବଂ ଏହା ନଷ୍ଟ ନ ହୋଇ ବର୍ଷେ ପର୍ଯ୍ୟନ୍ତ ରହିପାରେ

*****

ବିଭିନ୍ନ ସଂସ୍କୃତି ଓ ମହାଦେଶରେ ଔଷଧୀୟ ଗଛର ସନ୍ଧାନ ପାଇଁ ଘୂରିବୁଲିବା ଏକ ବ୍ୟାପକ ଏବଂ ପାରମ୍ପରିକ ଚଳଣି ରୂପେ ପରିଗଣିତ। ‘ସାଧାରଣ ଲୋକଙ୍କର’ ବୋଲି ପ୍ରଚଳିତ ଅବଧାରଣା ସହିତ ଏହାର ଘନିଷ୍ଠ ସଂପର୍କ ରହିଛି ଏବଂ କୌଣସି ସମାଜର ସମସ୍ତ ସଦସ୍ୟଙ୍କ ପାଇଁ ଉପଲବଧ ଶାରୀରିକ, ପ୍ରାକୃତିକ ଏବଂ ଅନ୍ୟ ସମ୍ବଳ ରୂପରେ ଏହା ଅନୁମୋଦିତ। ଯେ କୌଣସି ଅଞ୍ଚଳରେ, ସ୍ଥାନୀୟ, ସାମୟିକ ବା ଋତୁଭିତ୍ତିକ ଏବଂ ଦୀର୍ଘସ୍ଥାୟୀ ଭାବରେ ଏହି ବନ୍ୟ ଉତ୍ପାଦର ବ୍ୟବହାର କରାଯାଇଥାଏ।

ବେଙ୍ଗାଲୁରୁ ନଗରୀରେ ସହରୀ ବୃକ୍ଷଲତା ଅନ୍ୱେଷଣ କାର୍ଯ୍ୟକ୍ରମର ସାଫଲ୍ୟ ପ୍ରତିପାଦନ ପୂର୍ବକ ଲିଖିତ ଚେଜିଂ ସୋପ୍ପୁ , ନାମକ ପୁସ୍ତକରେ ଲେଖକମାନେ ବର୍ଣ୍ଣନା କରିଛନ୍ତି ଯେ, “ବନ୍ୟ ବୃକ୍ଷଲତା ସଂଗ୍ରହ ଓ ଉପଯୋଗ ଫଳରେ ସ୍ଥାନୀୟ ସାଂସ୍କୃତିକ-ପରିବେଶଗତ ଏବଂ ସାଂସ୍କୃତିକ-ଉଦ୍ଭିଦ ବିଜ୍ଞାନ ଭିତ୍ତିକ ଜ୍ଞାନ ସଂରକ୍ଷିତ ହୋଇଥାଏ।” ସେମାନେ ଉଲ୍ଲେଖ କରିଛନ୍ତି ଯେ- ତାମିଲନାଡୁର ତେଙ୍କଳମ ସଦୃଶ- ସାଧାରଣତଃ ମହିଳାମାନେ ହିଁ ବଣୁଆ ଗଛଲତା ସଂଗ୍ରହ କରିଥାଆନ୍ତି। “ସେମାନଙ୍କ ଆଖପାଖରେ ଏବଂ ସ୍ଥାନୀୟ ଅଞ୍ଚଳରେ ରହିଥିବା ବଣୁଆ ଗଛଲତା ସଂପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେମାନଙ୍କୁ ଜଣାଥାଏ। ସେମାନେ ଜାଣନ୍ତି ଯେ, କୌଣସି ଗଛର କେଉଁ ଅଂଶ ଖାଦ୍ୟ ରୂପେ ଗ୍ରହଣ କରାଯାଏ, କେଉଁ ଅଂଶ ଔଷଧ ତିଆରିରେ ଲାଗେ କିମ୍ବା ସାଂସ୍କୃତିକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ଏବଂ ଏଭଳି ଗଛଲତା ଅନ୍ୱେଷଣ ଲାଗି କେଉଁ ଋତୁ ସର୍ବୋତ୍ତମ।

ସେମାନେ ମଧ୍ୟ ଏଥିରୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି ଏବଂ ଏହାର ପ୍ରସ୍ତୁତି ବିଧି ଗୋଟିଏ ପିଢ଼ିରୁ ଆଉ ଏକ ପିଢ଼ିକୁ ହସ୍ତାନ୍ତରିତ ହୋଇଥାଏ।”

ନିର୍ଦ୍ଦିଷ୍ଟ ଋତୁରେ ଉପଲବଧ ଉତ୍ପାଦକୁ ସାରା ବର୍ଷ ପାଇଁ ସାଇତି ରଖିବାର ଉପାୟ ମଧ୍ୟରୁ ସହଜ ଓ ଆକର୍ଷକ ଉପାୟ ହେଉଛି ଏହାକୁ ଶୁଖାଇ ରଖିବା କିମ୍ବା ଆଚାର କରି ରଖିବା। ସାଧାରଣତଃ ଏଥିପାଇଁ ଭିନେଗାର ବ୍ୟବହାର କରାଯାଉଥିବା ବେଳେ ଦକ୍ଷିଣ ଭାରତରେ, ନିର୍ଦ୍ଦିଷ୍ଟ ଭାବରେ ତାମିଲନାଡୁରେ, ରାଶି (ତିଳ) ତେଲ ବ୍ୟବହାର କରାଯାଏ।

ଖାଦ୍ୟ ଜ୍ଞାନକୌଶଳରେ ଏମ୍.ଟେକ୍ ଡିଗ୍ରୀ ହାସଲ କରି ଆଝି (ମହାସାଗର) ନାମକ ବ୍ରାଣ୍ଡରେ ନିଜର ଏକ ମାଛ ଆଚାର ବ୍ୟବସାୟ କରୁଥିବା ମେରୀ ସନ୍ଧ୍ୟା ଜେ କହନ୍ତି, “ରାଶି ତେଲରେ ସେସାମିନ୍ ଏବଂ ସେସାନଲ ନାମକ ଉପାଦାନ ଥାଏ। ଏହି ଉପାଦାନଗୁଡ଼ିକ ପ୍ରାକୃତିକ ରୋଗ ପ୍ରତିରୋଧକ ଏବଂ ଏହା ଏକ ସଂରକ୍ଷଣକାରୀ ରୂପରେ କାମ କରେ।” “ମୁଖ୍ୟତଃ ସଂରକ୍ଷଣ ସମୟସୀମା ସଂପ୍ରସାରଣ, ପୁଷ୍ଟିକାରକ ଗୁଣ, ସ୍ୱା ଦ ଏବଂ ରଙ୍ଗ” ନିମନ୍ତେ ସେ ତାଙ୍କ ମାଛ ଆଚାର ଲାଗି କୋଲଡ୍ ପ୍ରେସଡ ରାଶି ତେଲ ବ୍ୟବହାର କରନ୍ତି।

PHOTO • Aparna Karthikeyan

ବିଭିନ୍ନ ସଂସ୍କୃତି ଓ ମହାଦେଶରେ ଔଷଧୀୟ ବୃକ୍ଷଲତାର ସନ୍ଧାନ ଏକ ବ୍ୟାପକ ଏବଂ ପାରମ୍ପରିକ ଚଳଣି ରୂପେ ପରିଗଣିତ। ସ୍ଥାନୀୟ, ଋତୁଭିତ୍ତିକ ଏବଂ ଦୀର୍ଘସ୍ଥାୟୀ ଭାବରେ ଏହି ବନ୍ୟ ଉତ୍ପାଦର ବ୍ୟବହାର କରାଯାଇଥାଏ। ଥରେ ଗଛଲତାର ସନ୍ଧାନ ନେବାକୁ ବାହାରିଲେ ରଥୀ ଚାରି ଘଣ୍ଟା କାଳ ଚାଲି ଚାଲି ୧୦ କିଲୋମିଟର ଯାଏ ଯାଆନ୍ତି। ‘କିନ୍ତୁ ମୁଁ ସେଗୁଡ଼ିକୁ ଘରକୁ ଆଣିବା ପରେ’, ହସି ହସି ସେ କହନ୍ତି, ‘ସେଗୁଡ଼ିକରୁ କ’ଣ ହେବ ବୋଲି ମୁଁ ଜାଣି ନଥାଏ’

ରଥୀଙ୍କ ପରିବାରରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଲାଗି ରାଶି ତେଲ ବ୍ୟବହୃତ ହୁଏ –ପରିବାପତ୍ର କିମ୍ବା ମାଂସର ଝୋଳ କିମ୍ବା ଆଚାର। କିନ୍ତୁ ଖାଦ୍ୟ ଆବଣ୍ଟନରେ ଉଚ୍ଚନୀଚ୍ଚ ଭେଦଭାବ ତାଙ୍କ ପାଇଁ କଷ୍ଟକର ହୋଇଥାଏ। “ଗାଁରେ କୌଣସି ପଶୁକୁ ମରାଗଲେ, ଭଲ ଅଂଶର ମାଂସ ଉଚ୍ଚ ଜାତିର ଲୋକଙ୍କ ପାଖକୁ ଯାଏ। ଏବଂ ଆଭ୍ୟନ୍ତରୀଣ ଅଂଶ (ପଶୁ ଶରୀରର ଅନ୍ତ୍ର ଏବଂ ଅନ୍ୟାନ୍ୟ ଅଙ୍ଗ) ଆମକୁ ମିଳେ। ମାଂସରେ ପ୍ରସ୍ତୁତ ବ୍ୟଞ୍ଜନ ପ୍ରସ୍ତୁତିରେ ଆମର ଅଭିଜ୍ଞତା ନାହିଁ କାରଣ, ଆମକୁ କେବେହେଲେ ଭଲ ମାଂସ ମିଳେ ନାହିଁ। ଆମକୁ କେବଳ ରକ୍ତ ମିଳିଥାଏ !” ସେ କହନ୍ତି।

ବ୍ଲଡ୍ ଫ୍ରାଏ ଆଣ୍ଡ ଅଦର ଦଲିତ ରେସିପିସ୍ ଫ୍ରମ୍ ମାଇଁ ଚାଇଲଡହୁଡ୍’ ଶୀର୍ଷକ ଏକ ପ୍ରବନ୍ଧରେ ବିନୟ କୁମାର ଲେଖିଛନ୍ତି, “ଶୋଷଣ, ଭୂଗୋଳ, ସ୍ଥାନୀୟ ଅଞ୍ଚଳରେ ଜୀବ ଓ ଉଦ୍ଭିଦର ବିଭିନ୍ନ ପ୍ରଜାତି ଓ ପ୍ରାଣୀଜଗତ, ଏବଂ ଜାତିଭିତ୍ତିକ ଉଚ୍ଚନୀଚ୍ଚ ସାମାଜିକ ସ୍ଥିତି ଭଳି କାରଣ ହିଁ ଦଳିତ, ବହୁଜନ ଏବଂ ଆଦିବାସୀ ସଂପ୍ରଦାୟର ଖାଦ୍ୟ ସଂସ୍କୃତିକୁ ଏଭଳି ଭାବରେ ପ୍ରଭାବିତ କରିଛି ଯେ ଏହାକୁ ଚିହ୍ନଟ କରିବା ଲାଗି ସମାଜ ବିଜ୍ଞାନୀମାନେ ଏବେ ବି ପ୍ରୟାସରତ।”

ରଥୀଙ୍କ ମାଆ ବାଡ଼ିବାମ୍ମାଲ “ରକ୍ତ, ଅନ୍ତ୍ର ଏବଂ ଅନ୍ୟାନ୍ୟ ଅଙ୍ଗ ପରିଷ୍କାର କରିବା ଲାଗି ଏକ ଚମତ୍କାର ପଦ୍ଧତି” ଜାଣିଛନ୍ତି ବୋଲି ସେ କହନ୍ତି। “ଗତ ରବିବାର ଦିନ ଆମ୍ମା ରକ୍ତ ରାନ୍ଧିଥିଲେ। ସହରରେ ଏହା ଏକ ସୁସ୍ୱାଦୁ ଖାଦ୍ୟ: ରକ୍ତର ସସେଜ୍ ଏବଂ ରକ୍ତ ପୁଡିଂ। ‘ବ୍ରେନ୍ ଫ୍ରାଏ’ ଏକ ଅତି ଉନ୍ନତ ଧରଣର ଖାଦ୍ୟ ରୂପେ ପରିଗଣିତ। ଯେତେବେଳେ ମୁଁ ସହରକୁ ଗଲି, ସେଠି ବିଚିତ୍ର ଢଙ୍ଗରେ ଏ ସବୁର ମୂଲ୍ୟ ନିର୍ଦ୍ଧାରିତ ହୋଇଥିବା ଦେଖିଲି। ଗାଁରେ ମୋତେ ଯାହା ୨୦ ଟଙ୍କାରେ ମିଳେ, ସହରରେ ସେଥିପାଇଁ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।

ଗଛଲତା ସଂପର୍କରେ ବି ତାଙ୍କ ମାଆଙ୍କର ଗଭୀର ଜ୍ଞାନ ରହିଛି। “ଆପଣ ଯଦି ପଛକୁ ବୁଲି ଦେଖିବେ, ସେ ସବୁ ବୋତଲରେ ଔଷଧୀୟ ଚେରମୂଳି ଏବଂ ତେଲ ରହିଛି,” ତାଙ୍କ ବୈଠକ ଘରେ ରଥୀ ମୋତେ କହନ୍ତି, “ମୋ ମାଆ ସେ ସବୁର ନାଁ ଓ ବ୍ୟବହାର ସଂପର୍କରେ ଜାଣିଛନ୍ତି। ପିରାନ୍ଦାଇ ରେ ଖୁବ୍ ଭଲ ପାଚକ ତତ୍ତ୍ୱ ରହିଛି ବୋଲି ବିଚାର କରାଯାଏ। ତାଙ୍କର ଦରକାର ହେଉଥିବା ଗଛ କି ଚେରମୂଳି ଆମ୍ମା ମୋତେ ଦେଖାଇ ଦିଅନ୍ତି। ମୁଁ ଜଙ୍ଗଲକୁ ଯାଇ ଖୋଜାଖୋଜି କରି ଆଣେ ଏବଂ ପରିଷ୍କାର କରି ତାଙ୍କୁ ଦିଏ।”

ଏଗୁଡ଼ିକ ନିର୍ଦ୍ଦିଷ୍ଟ ଋତୁରେ ଉପଲବଧ ଉତ୍ପାଦ ଏବଂ ବଜାରରେ ଏହା ମିଳେ ନାହିଁ। “ଥରେ ଗଛପତ୍ର ଖୋଜିବା ପାଇଁ ଘରୁ ବାହାରିଲେ ସେ ପ୍ରାୟ ଚାରି ଘଣ୍ଟା ଚାଲି ଚାଲି  ୧୦ କିଲୋମିଟର ଯାଏ ଯାଆନ୍ତି। “କିନ୍ତୁ ମୁଁ ସେଗୁଡ଼ିକୁ ଘରକୁ ଆଣିବା ପରେ,” ରଥୀ ହସି ହସି କହନ୍ତି, “ମୁଁ ଜାଣିନି ସେଗୁଡ଼ିକର କ’ଣ ହୁଏ।”

*****

Rathy in the forest plucking tamarind.
PHOTO • Aparna Karthikeyan
tamarind pods used in foods across the country
PHOTO • Aparna Karthikeyan

ଜଙ୍ଗଲରେ ରଥୀ (ବାମ) ତେନ୍ତୁଳି ତୋଳୁଛନ୍ତି। ଏହି ପେନ୍ଥାଗୁଡ଼ିକ (ଡାହାଣ ) ସାରା ଦେଶରେ ଖାଦ୍ୟ ଭାବରେ ବ୍ୟବହୃତ ହୁଏ

ଜଙ୍ଗଲକୁ ଚାଲି ଚାଲି ଯିବା ବେଶ୍ ମଜାଦାର ଥିଲା। ଠିକ୍ ଛୋଟ ପିଲାଙ୍କ ଚିତ୍ର ବହି ଭଳି। ପ୍ରତି ପୃଷ୍ଠା ଲେଉଟାଇଲେ ବିସ୍ମିତ ହେବାକୁ ପଡ଼େ: ଏଠି ପ୍ରଜାପତି, ସେଠି ପକ୍ଷୀ, ଏବଂ ବିରାଟକାୟ ଓ ମନଲୋଭା ଛାଇ ଦେଉଥିବା ଅନେକ ଗଛ। ରଥୀ ମୋତେ ଗୋଟିଏ ପ୍ରକାର କୋଳି ଦେଖାଇଲେ। ସେଗୁଡ଼ିକ ତୋଳିବା ଭଳି ପାଚି ନଥିଲା। “ଆଉ କିଛି ଦିନ ଭିତରେ ସେଗୁଡ଼ିକ ଖୁବ୍ ସୁଆଦିଆ ହୋଇଯିବେ,” ସେ କହନ୍ତି। ଆମେ ପିରାନ୍ଦାଇ ଖୋଜି ବୁଲୁ, କିନ୍ତୁ ତାହା ମିଳେ ନାହିଁ।”

“ଆମ ଆଗରୁ କେହି ସେଗୁଡ଼ିକୁ ତୋଳି ନେଇଛନ୍ତି,” ରଥୀ କହନ୍ତି। “କିନ୍ତୁ ଚିନ୍ତା କରନ୍ତୁ ନାହିଁ, ଆମେ ଫେରିବା ବାଟରେ କିଛିଟା ମିଳିଯିବ।”

ସେ ଗୋଟିଏ ବଡ଼ ତେନ୍ତୁଳି ଗଛ ତଳେ ଅଟକି ଯାଆନ୍ତି ଏବଂ କିଛି ହେଲେ ପାଇଯିବା ଭଳି ଗୋଟିଏ ବଡ଼ ଶାଖାକୁ ନୁଆଁଇ ଆଣି କେତେକ ତେନ୍ତୁଳି ଗୋଟି ତୋଳନ୍ତି। ବୁଢ଼ା ଆଙ୍ଗୁଠି ଓ ବିଶି ଆଙ୍ଗୁଠିରେ ବାଦାମୀ ରଙ୍ଗର ସେହି ଖୋଳପାଗୁଡ଼ିକୁ ଧରି ଆମେ ତାହାର ଖଟା-ମିଠା ଶଶକୁ ଖାଉ। ତାଙ୍କ ପାଠପଢ଼ା ବେଳର ସ୍ମୃତିରେ ଥାଏ ତେନ୍ତୁଳି। “ହାତରେ ବହି ଧରି, ମୁଁ ଗୋଟିଏ କୋଣରେ ଗୁଣ୍ଡୁଚି ମୂଷା ଭଳି ରହିଥାଏ, ଏବଂ ଏହି ସବୁଜ କଇଁଆକୁ ଚୋବେଇବାରେ ଲାଗିଥାଏ।”

ସେ ଆଉ ଟିକେ ବଡ଼ ହେବା ପରେ, ତାଙ୍କ ବାଡ଼ି ଅଗଣାରେ ଥିବା ଗୋଟିଏ କୋଡୁକ୍କାପୁଲି ମାରମ (ଝିଲ୍ଲି କଇଆଁ ଗଛ)ରେ ବସି ବହି ପଢୁଥିଲେ। “ ଆମ୍ମା ଏହାକୁ କାଟି ପକାଇଲେ, କାରଣ ୧୪ କି ୧୫ ବର୍ଷ ବୟସରେ ମୁଁ ଏହି ଗଛ ଚଢୁଥିଲି!” ଏବଂ ଖୁବ୍ ଜୋରରେ ହସି ପକାନ୍ତି ସେ।

ମଧ୍ୟାହ୍ନର ଖରା ବଢ଼ିବାରେ ଲାଗିଥିଲା ଏବଂ ଆମ ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ଉପସ୍ଥିତି ଅନୁଭୂତ ହେଉଥିଲା। ଜାନୁଆରୀ ମାସ ଦୃଷ୍ଟିରୁ ଏହା ଅସ୍ୱାଭାବିକ ଭାବେ ପ୍ରଖର ଏବଂ କଷ୍ଟଦାୟକ ଲାଗୁଥିଲା। ରଥୀ କହନ୍ତି, “ଆମେ ପୁଲିୟୁତୁ ପାଖରେ ପହଞ୍ଚି ଯିବା, ତାହା ହିଁ ଗାଁ ପାଇଁ ପାଣିର ଉତ୍ସ।” ଶୁଖି ଯାଇଥିବା ଝରଣା ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ଥିଲା। ମେଞ୍ଚା ମେଞ୍ଚା କାଦୁଅ ଉପରେ ନୃତ୍ୟରତ ଥିଲେ ପ୍ରଜାପତିମାନେ। ସେମାନେ ଡେଣା ମେଲୁଥିଲେ (ଭିତରେ, ଏହା ଥିଲା ଚିତ୍ରିତ ନୀଳରଙ୍ଗର) ଏବଂ ବନ୍ଦ କରୁଥିଲେ (ଉପରେ, ଏହା ଥିଲା ସାଧାରଣ ବାଦାମୀ ରଙ୍ଗର)। ଆଉ କିଛି ଏହାଠୁଁ ଅଧିକ ଆକର୍ଷଣୀୟ ହୋଇପାରିବ ନାହିଁ ବୋଲି ମୁଁ ଭାବିବା ବେଳକୁ ଏହା ଆହୁରି ଯାଦୁକରୀ ହୋଇଉଠୁଥିଲା।

ଗ୍ରାମ୍ୟ ଦେବୀଙ୍କର ଏକ ପୁରାତନ ମନ୍ଦିର ପାଖରେ ଥିଲା ପୁଲିୟୁତୁ , ପୋଖରୀଟିଏ। ଠିକ୍ ତା’ ଆରପଟେ, ଭଗବାନ ଗଣେଶଙ୍କର ଏକ ମନ୍ଦିର ଗଢ଼ା ହୋଇଛି ବୋଲି ରଥୀ ଦେଖାଇ ଦିଅନ୍ତି। ଆମେ ଗୋଟିଏ ପ୍ରକାଣ୍ଡ ବରଗଛ ତଳେ ବସି କମଳା ଖାଉ। ଆମ ଚାରିପଟେ ସବୁ କିଛି କୋମଳ – ଗଭୀର ଜଙ୍ଗଲ ଯାଏ ଲମ୍ବିଥିଲା ଅପରାହ୍ଣର ଆଲୋକ; କଞ୍ଚା ଲେମ୍ବୁର ମିଠା ମିଠା ବାସ୍ନା, କମଳା ଏବଂ କଳା କଳା ମାଛ। ଏବଂ କୋମଳ କଣ୍ଠରେ ମୋତେ କାହାଣୀଟିଏ ଶୁଣାନ୍ତି ରଥୀ। ‘ଏହି କାହାଣୀର  ଶୀର୍ଷକ ‘ଚୋପା, ମଞ୍ଜି ଦେଖ ଏବଂ ଚୋପା ଛଡ଼ାଅ’,” ସେ ଆରମ୍ଭ କରନ୍ତି। ମୁଁ ଶୁଣେ, ମନଦେଇ।

Rathy tells me stories as we sit under a big banyan tree near the temple
PHOTO • Aparna Karthikeyan
Rathy tells me stories as we sit under a big banyan tree near the temple
PHOTO • Aparna Karthikeyan

ମନ୍ଦିର ପାଖ ବରଗଛ ତଳେ (ଡାହାଣ) ଆମେ ବସୁ ଏବଂ ରଥୀ ମୋତେ କାହାଣୀ ଶୁଣାନ୍ତି

ସବୁବେଳେ ରଥୀ କାହାଣୀକୁ ଭଲ ପାଇଥାଆନ୍ତି। ତାଙ୍କ ସ୍ମୃତିରେ ସେହି ସବୁ ପୁରୁଣା ଦିନ ଏବେ ବି ରହିଛି, ତାଙ୍କ ବାପା ସମୁଦ୍ରମ ଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର ଏବଂ ତାଙ୍କ ପାଇଁ ମିକି ମାଉସ୍ କମିକ୍ ବହି ଆଣି ଦେଉଥିଲେ। “ମୋର ଭଲ ଭାବରେ ମନେ ଅଛି: ସେ ମୋ ଭାଇ ଗଙ୍ଗା ପାଇଁ ଗୋଟିଏ ଭିଡିଓ ଗେମ୍, ମୋ ଭଉଣୀ ନର୍ମଦା ପାଇଁ ଗୋଟିଏ କଣ୍ଢେଇ ଓ ମୋ ପାଇଁ ଗୋଟିଏ ବହି ଆଣିଦେଇଥିଲେ!”

ରଥୀ ତାଙ୍କ ବାପାଙ୍କ ପାଖରୁ ପଢ଼ିବା ଅଭ୍ୟାସ ଶିଖିଲେ। ତାଙ୍କ ପାଖରେ ବହୁତ ବହି ଥିଲା। ତା ସହିତ, ରଥୀଙ୍କ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଲାଇବ୍ରେରୀଟିଏ ଥିଲା। “ସେମାନେ ବହି ଉପରେ କଟକଣା ଲଗାଇ ନଥିଲେ ଏବଂ ମୋ ପାଇଁ ବିରଳ ବହିର ବିଭାଗ ବି ଖୋଲି ଦେଉଥିଲେ। କେବଳ ଏଥିପାଇଁ ଯେ ମୁଁ ବହିକୁ ଭଲ ପାଉଥିଲି ! ସାଧାରଣତଃ ନ୍ୟାସନାଲ ଜିଓଗ୍ରାଫିକ୍ ଏବଂ ଜ୍ଞାନକୋଷ ଭଳି ବିଭାଗରେ ତାଲା ପଡ଼ି ରହୁଥିଲା।”

ସେ ବହିକୁ ଏତେ ଭଲ ପାଉଥିଲେ ଯେ ବହି ପଢ଼ିବାରେ ହିଁ ତାଙ୍କ ପିଲାବେଳ କଟିଯାଇଥିଲା। “ରୁଷ୍ ଭାଷାରୁ ଅନୁବାଦିତ ଏହି ବହିଟିକୁ ଆମେ ହଜେଇ ଦେଇଥିଲୁ ବୋଲି ମୁଁ ଭାବୁଥିଲି। ବହିର ନାଁ ମୋର ମନେ ନଥିଲା, କେବଳ ଚିତ୍ର ଓ କାହାଣୀ ମନେ ଥିଲା। ଗତ ବର୍ଷ ମୁଁ ଏହାକୁ ଆମାଜନରେ ଦେଖିଲି। ଏହା ଥିଲା ସମୁଦ୍ର ସିଂହ ବା ସିଲ୍ ଏବଂ ଜଳଯାତ୍ରା ସଂପର୍କିତ ବହିଟିଏ। ଆପଣ ଶୁଣିବାକୁ ଚାହାଁନ୍ତି କି ?” ଏବଂ ସେ ସେହି ବହିର କାହାଣୀ କହିବା ଆରମ୍ଭ କରନ୍ତି। ତାଙ୍କ କଣ୍ଠସ୍ୱର ତଳଉପର ହେଉଥିଲା- ଠିକ୍ ସେ ବର୍ଣ୍ଣନା କରୁଥିବା ସମୁଦ୍ର ଓ ସମୁଦ୍ରର ଲହରି ଭଳି।

ସମୁଦ୍ର ଭଳି ତାଙ୍କ ପିଲାଦିନ ବି ଅସ୍ଥିର ଥିଲା। ସେ ହାଇସ୍କୁଲରେ ପଢୁଥିବା ବେଳେ ଆଖପାଖରେ ଘଟିଥିବା ହିଂସାକାଣ୍ଡ ସଂପର୍କରେ ସେ କହନ୍ତି। “ଛୁରୀମାଡ଼ ହେଉଥିଲା। ବସ୍ ପୋଡ଼ି ଦିଆଯାଉଥିଲା। ଆମେ ଲଗାତାର ଏ ସଂପର୍କରେ ଶୁଣୁଥିଲୁ। ଆମ ଗାଁ ସଂସ୍କୃତିରେ ଗୋଟିଏ କଥା ରହିଛି। କୌଣସି ପର୍ବ ଏବଂ କାର୍ଯ୍ୟକ୍ରମ ହେଲେ ସେମାନେ ସିନେମା ଦେଖାଉଥିଲେ। ତାହା ହିଁ ଥିଲା ହିଂସାର ମୂଳ ସ୍ରୋତ। ସେଠାରେ କେହି କାହାକୁ ଛୁରୀ ମାରି ଦେଇଥିଲା। ମୁଁ ୮ମ ଶ୍ରେଣୀରେ ପଢୁଥିବା ବେଳେ ହିଂସାକାଣ୍ଡ ଭୀଷଣ ରୂପ ନେଇଥିଲା। ଆପଣ କର୍ଣ୍ଣନ୍ ସିନେମା ଦେଖିଛନ୍ତି କି ? ଆମ ଜୀବନ ସେହିଭଳି ଥିଲା।” ୧୯୯୫ରେ କୋଦିୟାନକୁଲମରେ ସଂଗଠିତ ଜାତିଆଣ ହିଂସା ସଂପର୍କିତ ଏକ କାଳ୍ପନିକ କଥାବସ୍ତୁକୁ ନେଇ କର୍ଣ୍ଣନ୍ ସିନେମା ହୋଇଥିଲା ଏବଂ ତାରକା ଅଭିନେତା ଧନୁଷ ଏଥିରେ ମୁଖ୍ୟ ଭୂମିକାରେ ଥିଲେ। ‘ଏଥିରେ ଥିଲା କର୍ଣ୍ଣନ ନାମକ ଜଣେ ଦଳିତ ସଂପ୍ରଦାୟର ନିର୍ଭୀକ ଏବଂ ଦୟାବାନ ଯୁବକଙ୍କ କାହାଣୀ, ଯେ କି ଶୋଷଣ ବିରୋଧୀ ସଂଗ୍ରାମର ପ୍ରତୀକ ରୂପେ ଉଭା ହୋଇଥିଲେ।’ ‘ଗାଁରେ ଉଚ୍ଚ ଜାତିର ଲୋକେ ସବୁ ପ୍ରକାର ସୁବିଧା ଉପଭୋଗ କରନ୍ତି ଏବଂ ଦଳିତମାନେ ଭେଦଭାବର ଶିକାର ହୁଅନ୍ତି।’

ନବେ ଦଶକର ଶେଷ ଭାଗରେ, ଯେତେବେଳେ ଜାତିଆଣ ହିଂସା ତୀବ୍ରତର ହେଉଥିଲା, ରଥୀଙ୍କ ବାପା ଅନ୍ୟ ଏକ ସହରରେ ରହୁଥିଲେ। ସେଠାରେ ସେ କାମ କରୁଥିଲେ। ଏବଂ ସେ ଓ ତାଙ୍କ ଭାଇଭଉଣୀମାନେ ମାଆଙ୍କ ସହିତ ଗାଁରେ ରହୁଥିଲେ। କିନ୍ତୁ ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପଢ଼ିବା ପାଇଁ ତାଙ୍କୁ ପ୍ରତି ବର୍ଷ ଭିନ୍ନ ଭିନ୍ନ ସ୍କୁଲକୁ ଯିବାକୁ ପଡୁଥିଲା।

ତାଙ୍କ ଜୀବନ ଓ ଅନୁଭୂତିର ପ୍ରଭାବ ତାଙ୍କ ଭବିଷ୍ୟତ କର୍ମପନ୍ଥା ଉପରେ ପଡ଼ିଥିଲା। “ଦେଖନ୍ତୁ, ୩୦ ବର୍ଷ ତଳେ ତିରୁନେଲବେଲିରେ ମୁଁ ଜଣେ ପାଠକ ଥିଲି, ମୋ ପାଇଁ କେହି ବହି ଯୋଗାଡ଼ କରୁ ନଥିଲେ। ମୁଁ ପ୍ରାଥମିକ ସ୍କୁଲରେ ସେକସପିଅରଙ୍କ ରଚନା ପଢ଼ିଲି। ଆପଣ ଜାଣନ୍ତି, ମୋର ଗୋଟିଏ ପ୍ରିୟ ବହି ହେଲା (ଜର୍ଜ ଏଲିଅଟଙ୍କ ରଚିତ) ମିଲ୍ ଅନ୍ ଦି ଫ୍ଲସ୍ ? ଏହା ବର୍ଣ୍ଣଭେଦ ଓ ଶ୍ରେଣୀବାଦ ସଂପର୍କିତ। ଏହି ବହିର ମୁଖ୍ୟ ନାୟିକା ଜଣେ କୃଷ୍ଣାଙ୍ଗୀ। ଏହା ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ରହିଥିଲା। ହେଲେ ଏହି ବହିକୁ କେହି ଜଣେ ସ୍କୁଲକୁ ଦାନ କରିଥିବାରୁ ମୁଁ ୪ର୍ଥ ଶ୍ରେଣୀରେ ଏହା ପଢ଼ିଲି ଏବଂ ନିଜକୁ ଏହାର ମୁଖ୍ୟ ଚରିତ୍ର ସହିତ ଯୋଡ଼ି ଦେଖିଲି। ତାଙ୍କ ଜୀବନ କାହାଣୀ ମୋତେ ବି ଆଘାତ ଦେଇଥିଲା....।”

Rathy shows one of her favourite books
PHOTO • Aparna Karthikeyan
Rathy shows her puppets
PHOTO • Varun Vasudevan

ରଥୀ ମୋତେ ତାଙ୍କ ପ୍ରିୟ ବହି (ବାମ) ଏବଂ କଣ୍ଢେଇ (ଡାହାଣ) ଦେଖାନ୍ତି

ଅନେକ ବର୍ଷ ପରେ, ରଥୀ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବହି ସଂପର୍କରେ ଅବଗତ ହେଲେ ଏବଂ ଏହା ହିଁ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କଲା। “ଆପଣଙ୍କ ପାଖରେ ପିଲାମାନଙ୍କର ବହି ଅଛି ବୋଲି ମୁଁ ଜାଣି ନଥିଲି। ମୁଁ ଜାଣି ନଥିଲି ଯେ ଏଠି ହ୍ୱେୟାର ଦି ୱାଇଲଡ ଥିଙ୍ଗସ ଆର୍ ଏବଂ ଫର୍ଡିନାଣ୍ଡ ଭଳି ବହି ଅଛି ବୋଲି। ସେ ସବୁ ୮୦ କି ୯୦ ବର୍ଷ ହେଲା ରହିଛି ଏବଂ ଏ ସହରର ପିଲାମାନେ ସେ ସବୁ ବହିକୁ ପଢ଼ି ସାରିଛନ୍ତି। ମୁଁ ଭାବିଲି – ମୋ ପିଲାବେଳେ ମୋତେ ଏ ସବୁ ବହି ମିଳିଥାଆନ୍ତା କି ? ହୁଏତ ମୋ ଜୀବନର ଗତିପଥ ଭିନ୍ନ ହୋଇଥାଆନ୍ତା। ଆହୁରି ଭଲ ହୋଇଥାଆନ୍ତା ବୋଲି ମୁଁ କହୁନି, ମୁଁ କହୁଛି ଭିନ୍ନ ହୋଇଥାଆନ୍ତା।”

ହେଲେ ଏବେ, ବହି ପଢ଼ିବାର ଅର୍ଥ ଯେମିତି କି ଶିକ୍ଷାଲାଭ କାର୍ଯ୍ୟକ୍ରମରୁ ଦୂରେଇ ଯିବା ଭଳି। “ଏହାକୁ ମନୋରଞ୍ଜନ ବୋଲି ଧରି ନିଆଯାଉଛି,” ସେ ତାଙ୍କ ମୁଣ୍ଡ ହଲାନ୍ତି, “ଦକ୍ଷତା ବୃଦ୍ଧି ପ୍ରକ୍ରିୟା ନୁହେଁ। ବାପାମାଆମାନେ ବି କେବଳ ପଢ଼ାବହି ଏବଂ କାର୍ଯ୍ୟଧାରା ସଂପର୍କିତ ବହି କିଣୁଛନ୍ତି। ପିଲାମାନେ ଗପବହି ପଢ଼ି ମଜା ନେବା ସହିତ ବି ଶିକ୍ଷାଲାଭ କରିପାରିବେ ବୋଲି ସେମାନେ ଭାବିପାରୁ ନାହାନ୍ତି। ତା’ ସାଙ୍ଗକୁ ଗାଁ ଓ ସହର ଭିତରେ ବିରାଟ ବଡ଼ ଶୂନ୍ୟସ୍ଥାନ ରହିଛି। ସହରୀ ପିଲାମାନଙ୍କ ତୁଳନାରେ ଗାଁର ପିଲାମାନେ ଅତି କମ୍‌ରେ ଦୁଇରୁ ତିନିଟି ସୋପାନ (ପଢ଼ାପଢ଼ି କ୍ଷେତ୍ରରେ) ପଛରେ ରହିଛନ୍ତି।”

ଏଥିପାଇଁ ରଥୀ ଗାଁ ପିଲାମାନଙ୍କ ସହିତ କାମ କରିବାକୁ ଭଲ ପାଆନ୍ତି। ଗାଁରେ ପାଠାଗାର ପାଇଁ ବହି ଯୋଗାଡ଼ ଓ ରକ୍ଷଣାବେକ୍ଷଣ କରିବା ବ୍ୟତୀତ ଆଜିକୁ ଛଅ ବର୍ଷ ହେଲା ସେ ବିଭିନ୍ନ ସ୍ଥାନରେ ‘ଲିଟ୍-ଫେଷ୍ଟ; ଏବଂ ‘ବୁକ୍-ଫେଷ୍ଟ’ ବା ସାହିତ୍ୟ ସମାରୋହ ଏବଂ ପୁସ୍ତକ ମେଳା ଆୟୋଜନ କରିଆସୁଛନ୍ତି। ଅନେକ ସମୟରେ ଆପଣ ଦେଖିବେ ଯେ ଶିକ୍ଷିତ ପାଠାଗାର ରକ୍ଷକ ବା ଲାଇବ୍ରେରୀଆନମାନେ ବହିର ଖୁବ୍ ସୁନ୍ଦର ତାଲିକାକୁ ସଯତ୍ନେ ରଖିଥାଆନ୍ତି, କିନ୍ତୁ ବହି ଭିତରେ କ’ଣ ଅଛି ସେ ସଂପର୍କରେ ପ୍ରାୟତଃ ସେମାନେ ଜାଣନ୍ତି ନାହିଁ। “କେଉଁ ବହି ପଢ଼ିବା ଉଚିତ, ସେ କଥା ଯଦି ସେମାନେ କହି ପାରନ୍ତି ନାହିଁ, ତାହେଲେ ଏସବୁର କିଛି ମାନେ ନ ଥାଏ !”

ରଥୀ ତାଙ୍କ କଣ୍ଠସ୍ୱରକୁ ଚପାଇ ଦିଅନ୍ତି। “ଥରେ ଜଣେ ଲାଇବ୍ରେରୀଆନ ମୋତେ ପଚାରିଲେ, “ମ୍ୟାଡାମ୍, ଆପଣ ପିଲାମାନଙ୍କୁ କାହିଁକି ଲାଇବ୍ରେରୀ ଭିତରକୁ ଛାଡୁଛନ୍ତି ?” ଆପଣ ମୋ ପ୍ରତିକ୍ରିୟା ଦେଖିଥାଆନ୍ତେ !” ଏବଂ ତାଙ୍କ ମନଖୋଲା ହସରେ ଭରିଯାଏ ସେହି ଅପରାହ୍ନ।

*****

ଘରକୁ ଫେରିବା ବାଟରେ ଆମକୁ ପିରାନ୍ଦାଇ ମିଳିଗଲା। ସେଗୁଡ଼ିକ ଟାଣ ଏବଂ ଗଛ ଓ ବୁଦାରେ ଗୁଡ଼ାଇ ହୋଇ ରହିଥିଲେ। ଲତାର କେଉଁ ହାଲୁକା ସବୁଜ ରଙ୍ଗର ଅଂଶ ବା ପିଲ ନେବାକୁ ହେବ ରଥୀ ମୋତେ ତାହା ଦେଖାଇ ଦେଲେ। ହାତରେ ଟାଣିଲେ ଲତା ଛିଣ୍ଡିଯାଉଥିଲା। ସେ ଏହାକୁ ହାତରେ ଛିଣ୍ଡାଇ ପିରାନ୍ଦାଇ କୁ ସଜେଇ ରଖୁଥିଲେ। ‘ଦାନବର ମେରୁଦଣ୍ଡ’, ଏହି ନାଁ ମନେ ପକାଇ ଆମେ ପୁଣି ହସିଉଠିଲୁ।

Foraging and harvesting pirandai (Cissus quadrangularis), the creeper twisted over plants and shrubs
PHOTO • Aparna Karthikeyan
Foraging and harvesting pirandai (Cissus quadrangularis), the creeper twisted over plants and shrubs
PHOTO • Aparna Karthikeyan

ପିରାନ୍ଦାଇ (Cissus quadrangularis)ର ସନ୍ଧାନ ଓ ଅମଳ, ଗଛ ଓ ବୁଦାରେ ଗୁଡ଼ାଇ ହୋଇଥାଏ ଏହି ଲତା

ବର୍ଷା ହେଲେ ଗଛରୁ ନୂଆ ନୂଆ ପିଲ ବାହାରିବ, ଆଶ୍ୱାସନା ଦେବା ଭଳି ରଥୀ କହନ୍ତି। “ଆମେ ଏହାର ଗାଢ଼ ସବୁଜ ଅଂଶକୁ ନେଉନାହିଁ। ତାହା ଅଣ୍ଡାଦିଆ ମାଛକୁ ନେଇଯିବା ଭଳି ହେବ, ନୁହେଁ କି? ତାକୁ ନେଇଗଲେ ଛୋଟ ଛୋଟ ଛୁଆ କେଉଁଠୁ ମିଳିବେ ?”

ଚାଲି ଚାଲି ଗାଁକୁ ଫେରିବା ବାଟରେ ଦେହମୁଣ୍ଡ ପୋଡ଼ିଗଲା ଭଳି ଲାଗୁଥିଲା। ଖରା ଟାଣ ହୋଇଯାଇଥିଲା, ତାଳଗଛ ଓ ବୁଦୁବୁଦୁକିଆ ଜଙ୍ଗଲ ଶୁଖି ବାଦାମୀ ରଙ୍ଗର ଦିଶୁଥିଲେ। ଗରମରେ ମାଟି ଫାଟି ଯାଉଥିଲା। ଆମେ ପାଖେଇ ଆସିବାରୁ ଦଳେ ବିଦେଶାଗତ ପକ୍ଷୀ- କଳା ରଙ୍ଗର ବଗ ଭଳି ପକ୍ଷୀ- ଉଡ଼ିଗଲେ। ଗୋଡ଼କୁ ଦେହ ଭିତରେ ଜାକି ଦେଇ, ଡେଣା ମେଲାଇ ସେମାନଙ୍କର ଉଡ଼ିବା ଦୃଶ୍ୟ ବେଶ୍ ମନୋରମ ଥିଲା। ଆମେ ଗାଁ ଛକରେ ପହଞ୍ଚିଲୁ, ଯେଉଁଠି ମୁଣ୍ଡ ଟେକି ଠିଆ ହୋଇଥିଲେ ଡକ୍ଟର ଆମ୍ବେଦକର, ତାଙ୍କ ହାତରେ ଥିଲା ସମ୍ବିଧାନ। “ମୁଁ ଭାବୁଛି ହିଂସାକାଣ୍ଡ ପରେ ହିଁ ତାଙ୍କ ମୂର୍ତ୍ତିକୁ ସୁରକ୍ଷିତ ରଖିବା ଲାଗି ଚାରିପଟେ ଲୁହାବାଡ଼ ଦିଆହୋଇଛି।”

ଏହି ମୂର୍ତ୍ତି ପାଖରୁ କେଇ ମିନିଟର ବାଟ ଦୂରରେ ରଥୀଙ୍କ ଘର। ତାଙ୍କ ବୈଠକ ଘରେ, ସେ ମୋତେ କହନ୍ତି ଯେ ତାଙ୍କୁ କାହାଣୀଗୁଡ଼ିକ ଭାବାତ୍ମକ ଲାଗେ। “ ମଞ୍ଚରେ ମୁଁ ଜଣେ କଥାବାଚକ ଭୂମିକାରେ ଅଭିନୟ କରୁଥିବା ବେଳେ ସେଥିରେ ଭାବପ୍ରବଣତା ଭରି ରହିଥାଏ। ଯାହା କି ଅନ୍ୟ ସମୟରେ ନଥାଏ। ଏମିତି କି ହତାଶା ଏବଂ କ୍ଳାନ୍ତଶ୍ରାନ୍ତ ହେବା ଭଳି ଅତି ସାଧାରଣ ଭାବକୁ ବି ମନ ଭିତରେ ଚାପି ରଖି ଆଗେଇ ଯିବାକୁ ହୁଏ। କିନ୍ତୁ ମଞ୍ଚ ଉପରେ ଏହି ସବୁ ଭାବକୁ ମୁଁ ଫୁଟାଇ ପାରେ।”

ସେ କହନ୍ତି, ଦର୍ଶକ ରଥୀଙ୍କୁ ଦେଖନ୍ତିନି, ସେମାନେ ସେ ଯେଉଁ ଭୂମିକାରେ ଅଭିନୟ କରନ୍ତି, ସେହି ଚରିତ୍ରକୁ ଦେଖନ୍ତି। ମଞ୍ଚ ଉପରେ ଦୁଃଖର ପ୍ରସ୍ଥାନ ଲାଗି ବି ବାଟ ଥାଏ। “ମୁଁ ମିଛରେ ଏତେ ସୁନ୍ଦର ଭାବରେ କାନ୍ଦି ପାରେ ଯେ ଲୋକେ ଆମ ଘର ଆଡ଼କୁ ଦୌଡ଼ି ଆସନ୍ତି। କେହି ଜଣେ ଯନ୍ତ୍ରଣାରେ ଚିତ୍କାର କରି କାନ୍ଦୁଥିବା ସେମାନେ ଶୁଣିଛନ୍ତି ବୋଲି ଭାବି ନିଅନ୍ତି।”  ମୋ ଆଗରେ ସେ ସେହିଭଳି କାନ୍ଦି ପାରିବେ କି ବୋଲି ମୁଁ ପଚାରେ। ରଥୀ ହସନ୍ତି। “ଏଠି ନୁହେଁ, ଏଠି ଆଦୌ ନୁହେଁ, କ’ଣ ହେଲା ବୋଲି ପଚାରିବା ଲାଗି ଅତି କମ୍‌ରେ ମୋର ତିନି ଜଣ ସଂପର୍କୀୟ ଦୌଡ଼ି ଆସିବେ...।

ଏବେ ମୋର ଫେରିବାର ବେଳ। ଏବଂ ସହୃଦୟତାର ସହ ରଥୀ ମୋ ପାଇଁ କେତେକ ପିରାନ୍ଦାଇ ପିରାନ୍ଦାଇ ଆଚାର ପ୍ୟାକ୍ କରି ଦିଅନ୍ତି।  ତେଲରେ ଏହା ଚିକଚିକ୍ କରୁଥାଏ, ରସୁଣ ଭରି ରହିଥାଏ। ଏବଂ ଏହାର ସୁଗନ୍ଧ ସ୍ୱର୍ଗର ପାରିଜାତ ଭଳି ଏବଂ ରହି ରହି ଏହା ମୋତେ ମନେ ପକାଇ ଦେଉଥାଏ, ଗୋଟିଏ ଉତ୍ତପ୍ତ ଦିନରେ ଲମ୍ବା ରାସ୍ତାରେ ଚାଲି ଚାଲି ଯିବା କଥା, ସବୁଜ ପିଲ ଖୋଜିବା ଲାଗି ଏବଂ କାହାଣୀ ଖୋଜିବା ଲାଗି...।

Cleaning and cutting up the shoots for making pirandai pickle
PHOTO • Bhagirathy
Cleaning and cutting up the shoots for making pirandai pickle
PHOTO • Bhagirathy

ପିରାନ୍ଦାଇ ଆଚାର କରିବା ଲାଗି ଏହାର ପିଲଗୁଡ଼ିକୁ ସଫା କରି କଟାଯାଏ

Cooking with garlic
PHOTO • Bhagirathy
final dish: pirandai pickle
PHOTO • Bhagirathy

ରସୁଣରେ ରନ୍ଧା (ବାମ) ଏବଂ ଚୂଡ଼ାନ୍ତ ପ୍ରସ୍ତୁତି: ପିରାନ୍ଦାଇ ଆଚାର (ଡାହାଣ); ନିମ୍ନରେ ପ୍ରସ୍ତୁତି ପ୍ରଣାଳୀ

ରଥୀଙ୍କ ମାଆ ବାଡ଼ିବାମ୍ମାଲଙ୍କ ପିରାନ୍ଦାଇ ଆଚାର ପ୍ରସ୍ତୁତି ପ୍ରଣାଳୀ :

ପିରାନ୍ଦାଇ କୁ ପରିଷ୍କାର କରି ସରୁ ସରୁ କରି କାଟି ଦିଅନ୍ତୁ। ଭଲ ଭାବରେ ଧୋଇ ଚାଲୁଣି ଭଳି ପାତ୍ରରେ ରଖି ପାଣି ବାହାର କରି ଦିଅନ୍ତୁ। ଏଥିରେ ପାଣି ଦିଆଯିବ ନାହିଁ। ଗୋଟିଏ ପାତ୍ର ନେଇ ସେଥିରେ ପିରାନ୍ଦାଇ ପାଇଁ ପ୍ରଚୁର ରାଶି ତେଲ ରଖନ୍ତୁ। ଗରମ ହେଲା ପରେ, ସୋରିଷ ଦେଇ ଫୁଟାଇ ଦିଅନ୍ତୁ। ଆପଣ ଚାହିଁଲେ ମେଥି ଏବଂ ରସୁଣ କୋଲା ମିଶାଇ ପାରିବେ। ତମ୍ବା ଭଳି ରଙ୍ଗ ହେଲା ପର୍ଯ୍ୟନ୍ତ ଭଲ ଭାବେ ଭାଜି ରାନ୍ଧନ୍ତୁ। ପୂର୍ବରୁ ତେନ୍ତୁଳି ଗୁଳାକୁ ପାଣିରେ ଭିଜାଇ ରଖିଥାଆନ୍ତୁ ଏବଂ ଏହାକୁ ଚିପୁଡ଼ି ମଣ୍ଡ ବାହାର କରନ୍ତୁ – ତେନ୍ତୁଳି ଦେବା ଫଳରେ, ପିରାନ୍ଦାଇ ରୁ ବିରକ୍ତିକର ଗନ୍ଧ ବାହାରିଲେ ତାହା ହ୍ରାସ ପାଇବ। (ବେଳେବେଳେ ଏହାକୁ ଧୋଇବା ଏବଂ ସଫା କରିବା ସମୟରେ ବି ଏହା ଯୋଗୁଁ ଆପଣଙ୍କ ହାତ କୁଣ୍ଡେଇ ହୋଇପାରେ।)

ସେଥିରେ ତେନ୍ତୁଳି ପାଣି ମିଶାନ୍ତୁ, ତା’ପରେ ଲୁଣ ଓ ହଳଦୀ ଗୁଣ୍ଡ, ଲାଲ ଲଙ୍କା ଗୁଣ୍ଡ ଏବଂ ହେଙ୍ଗୁ ମିଶାନ୍ତୁ। ଧୀରେ ଧୀରେ ଘାଣ୍ଟି ପିରାନ୍ଦାଇ ଭଲ ଭାବରେ ଅନ୍ୟାନ୍ୟ ଦ୍ରବ୍ୟ ସହ ମିଶିଗଲା ପର୍ଯ୍ୟନ୍ତ ଏବଂ ରାଶି ତେଲ ଏହାର ଉପର ଭାଗରେ ଭାସିଲା ପର୍ଯ୍ୟନ୍ତ ରାନ୍ଧନ୍ତୁ। ଆଚାରକୁ ଥଣ୍ଡା କରିବା ପାଇଁ ଛାଡ଼ି ଦିଅନ୍ତୁ, ବୋତଲରେ ଭରି ଦିଅନ୍ତୁ। ଏହା ବର୍ଷେ କାଳ ରହିପାରିବ।


ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଫଣ୍ଡିଂ ପ୍ରୋଗ୍ରାମ-୨୦୨୦ ଅଧୀନରେ ଏହି ଗବେଷଣାମୂଳକ ଅନୁଶୀଳନକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE