‘‘ଦିନେ ମୁଁ ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ଜିତିବାକୁ ଆଶା ରଖିଛି,’’ ସେ କୁହନ୍ତି । ତାଙ୍କ କ୍ରୀଡ଼ା ଏକାଡେମୀ ଦେଇ ଯାଇଥିବା ପିଚୁ ସଡ଼କ ଉପରେ ଲମ୍ବା ଦୌଡ଼ ଅଭ୍ୟାସ କରିସାରିବା ପରେ ତଥାପି ଧଇଁସଇଁ ହୋଇ ସେ ଏହି କଥା କହିଥାନ୍ତି। ଚାରି ଘଣ୍ଟାର କଠିନ ତାଲିମ ପରେ ତାଙ୍କର ଦୁଇଟି ଖାଲି ପାଦ ଥକିଯାଇ ଏବଂ ଆଘାତପ୍ରାପ୍ତ ହୋଇ ଶେଷରେ ଭୂମି ଉପରେ ବିଶ୍ରାମ ନେଇଛି।

୧୩ ବର୍ଷର ଏହି ଲମ୍ବା ଦୂରଗାମୀ ଧାବିକା କୌଣସି ଆଧୁନିକ ଚଳଣି ଅନୁସାରେ ଖାଲି ପାଦରେ ଦୌଡ଼ୁନାହାନ୍ତି। ସେ କୁହନ୍ତି, ‘‘ମୋ ବାପା ଓ ମା’ ବ୍ୟୟବହୁଳ ଦୌଡ଼ ଜୋତା କିଣିବା ପାଇଁ ସକ୍ଷମ ହୋଇନଥିବାରୁ ମୁଁ ଏମିତି ଦୌଡ଼ୁଛି ।

ମରୁଡ଼ି ପ୍ରବଣ ମରାଠୱାଡ଼ାରେ ଥିବା ରାଜ୍ୟର ସବୁଠୁ ଗରିବ ଜିଲ୍ଲା ମଧ୍ୟରୁ ଅନ୍ୟତମ ପରଭଣୀର କୃଷି ଶ୍ରମିକ ବିଷ୍ଣୁ ଏବଂ ଦେବଶାଳାଙ୍କ ଝିଅ ହେଉଛନ୍ତି ବର୍ଷା କଦମ। ତାଙ୍କ ପରିବାର ମହାରାଷ୍ଟ୍ରରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ମତଙ୍ଗ ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି।

‘‘ମୁଁ ଦୌଡ଼ିବାକୁ ଭଲପାଏ,’’ ଏହା କହିବା ସମୟରେ ତାଙ୍କର ଆଖି ଚମକି ଉଠେ। ‘‘ପାଞ୍ଚ କିଲୋମିଟର ଦୂରତା ବିଶିଷ୍ଟ ବୁଲଦାନା ଅର୍ବାନ ଫରେଷ୍ଟ ମାରାଥନ ୨୦୨୧ରେ ମୋର ପ୍ରଥମ ଦୌଡ଼ ପ୍ରତିଯୋଗିତା ଥିଲା। ଦ୍ୱିତୀୟ ସ୍ଥାନ ହାସଲ କରିବା ଯୋଗୁ ମୁଁ ଖୁବ୍‌ ଭଲ ଅନୁଭବ କରିଥିଲି। ସେଠାରେ ମୁଁ ନିଜର ପ୍ରଥମ ପଦକ ମଧ୍ୟ ଜିତିଥିଲି। ମୁଁ ଅଧିକ ପ୍ରତିଯୋଗିତାରେ ବିଜୟୀ ହେବାକୁ ଚାହୁଁଛି,’’ ଏହି ସଂକଳ୍ପବଦ୍ଧ କିଶୋରୀ ଜଣଙ୍କ କହିଥାନ୍ତି।

ସେ ମାତ୍ର ୮ ବର୍ଷର ହୋଇଥିବା ସମୟରେ ତାଙ୍କ ମାତାପିତା ତାଙ୍କର ଏହି ରୁଚି ବିଷୟରେ ଜାଣିପାରିଥିଲେ। ‘‘ମୋ ମାମା (ମାମୁଁ) ପାରାଜୀ ଗାୟକୱାଡ଼ ଜଣେ ରାଜ୍ୟସ୍ତରୀୟ କ୍ରୀଡ଼ାବିତ୍‌ ଥିଲେ। ସେ ଏବେ ସେନାବାହିନୀରେ ଚାକିରି କରୁଛନ୍ତି। ତାଙ୍କୁ ଦେଖି ମୁଁ ମଧ୍ୟ ଦୌଡ଼ିବା ଆରମ୍ଭ କରିଥିଲି,’’ ସେ କୁହନ୍ତି। ୨୦୧୯ରେ ସେ ରାଜ୍ୟସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ଚାରି କିଲୋମିଟର କ୍ରସ୍‌ କଣ୍ଟ୍ରି ଦୌଡ଼ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ଏବଂ, ‘‘ତାହା ମୋତେ ଦୌଡ଼ କ୍ରୀଡ଼ାକୁ ଗ୍ରହଣ କରିବା ପାଇଁ ଅଧିକ ଆତ୍ମବିଶ୍ୱାସ ଦେଇଥିଲା।’’

arsha Kadam practicing on the tar road outside her village. This road used was her regular practice track before she joined the academy.
PHOTO • Jyoti Shinoli
Right: Varsha and her younger brother Shivam along with their parents Vishnu and Devshala
PHOTO • Jyoti Shinoli

ବାମ : ବର୍ଷା କଦମ ତାଙ୍କ ଗାଁ ବାହାରେ ଥିବା ପିଚୁ ସଡ଼କ ଉପରେ ଦୌଡ଼ ଅଭ୍ୟାସ କରୁଛନ୍ତି। ସେ ଏକାଡେମୀରେ ଯୋଗ ଦେବା ପୂର୍ବରୁ ଏହା ତାଙ୍କର ନିୟମିତ ଅଭ୍ୟାସ କ୍ଷେତ୍ର ଥିଲା। ଡାହାଣ : ବର୍ଷା ଓ ତାଙ୍କର ସାନ ଭାଇ ଶିବମଙ୍କ ସହିତ ସେମାନଙ୍କ ମାତାପିତା ବିଷ୍ଣୁ ଓ ଦେବଶାଳା

ମାର୍ଚ୍ଚ ୨୦୨୦ରେ ସ୍କୁଲ୍‌ ବନ୍ଦ ହୋଇଗଲା। ‘‘ଅନଲାଇନ ପାଠପଢ଼ା ପାଇଁ ମୋ ବାପା-ମା’ଙ୍କ ପାଖେ ଫୋନ (ସ୍ମାର୍ଟଫୋନ) ନଥିଲା,’’ ବର୍ଷା କୁହନ୍ତି। ଏହି ସମୟରେ ସେ ସକାଳୁ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରେ ଦୁଇ ଘଣ୍ଟା ଦୌଡ଼ିବାରେ ବିତାଇଲେ ।

ଅକ୍ଟୋବର ୨୦୨୦ରେ, ୧୩ ବର୍ଷ ବୟସରେ ସେ ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରେ ଅନ୍ତର୍ଗତ ପିମ୍ପଲଗାଓଁ ଥୋମ୍ବାରେ ଗ୍ରାମ ବାହାରେ ଥିବା ଶ୍ରୀ ସମର୍ଥ ଆଥଲେଟିକ୍ସ ସ୍ପୋର୍ଟସ୍‌ ରେସିଡେନ୍ସିଆଲ୍‌ ଏକାଡେମୀରେ ଯୋଗ ଦେଇଥିଲେ।

ବଞ୍ଚିତ ସମୁଦାୟରୁ ଆଉ ୧୩ ଜଣ କ୍ରୀଡ଼ାବିତ୍‌ ସେଠାରେ ତାଲିମ ନେଉଥିଲେ। ସେମାନଙ୍କ ମଧ୍ୟରେ ଆଠ ଜଣ ପୁଅ ଏବଂ ପାଞ୍ଚ ଜଣ ଝିଅ ଥିଲେ। ଆହୁରି କେତେଜଣ ଅତି ପଛୁଆ ଜନଜାତି ସମୂହ (ପିଭିଟିଜି)ର ଥିଲେ। ସେମାନଙ୍କ ବାପା-ମା’ ଗମ୍ଭୀର ମରୁଡ଼ି ଗ୍ରସ୍ତ ମରାଠାୱାଡ଼ା କ୍ଷେତ୍ରରେ ଚାଷୀ, ଆଖୁ କଟାଳି, କୃଷି ଶ୍ରମିକ ଏବଂ ପ୍ରବାସୀ ମଜୁରି ଶ୍ରମିକ ଭାବେ କାମ କରିଥାନ୍ତି ।

ଏଠାରେ ତାଲିମ ନେଉଥିବା, ଏହି ଯୁବ କ୍ରୀଡ଼ାବିତମାନେ ରାଜ୍ୟ ଓ ଜାତୀୟ ସ୍ତରର ଦୌଡ଼ରେ ଆଗୁଆ ରହିବା ସହିତ, କେତେଜଣ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

ଏହି ତାରକା କ୍ରୀଡ଼ାବିତମାନେ ବର୍ଷ ସାରା ଏକାଡେମୀରେ ରୁହନ୍ତି ଏବଂ ଏଠାରୁ ୩୯ କିଲୋମିଟର ଦୂରରେ ଥିବା ପରଭଣୀର ସ୍କୁଲ/କଲେଜରେ ପଢ଼ନ୍ତି । ସେମାନେ ଛୁଟି ସମୟରେ କେବଳ ଘରକୁ ଆସନ୍ତି । ‘‘ସେମାନଙ୍କ ମଧ୍ୟରୁ କେତେ ଜଣ ସକାଳୁଆ ଏବଂ ଆଉ କେତେଜଣଙ୍କ ଅପରାହ୍ଣରେ ସ୍କୁଲ୍‌ ଯାଆନ୍ତି । ସେହି ଅନୁଯାୟୀ ଆମେ ଅଭ୍ୟାସ ସୂଚୀ ପ୍ରସ୍ତୁତ କରିଥାଉ,’’ ଏକାଡେମୀର ପ୍ରତିଷ୍ଠାତା ରବୀ ରସକଟଲା କୁହନ୍ତି।

‘‘ଏଠାକାର ପିଲାମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି, କିନ୍ତୁ ସେମାନଙ୍କ ପରିବାର ଦୁଇ ଓଳା ଖାଦ୍ୟ ଯୋଗାଡ଼ କରିବା ଲାଗି ସଂଘର୍ଷ କରୁଥିବାରୁ ଏହାକୁ ପେସା ଭାବେ ଗ୍ରହଣ କରିବା ସେମାନଙ୍କ ପାଇଁ କଷ୍ଟକର ହେଉଛି,’’ ରବି କୁହନ୍ତି । ୨୦୧୬ରେ ଏକାଡେମୀ ଆରମ୍ଭ କରିବା ପୂର୍ବରୁ ସେ ଜିଲ୍ଲା ପରିଷଦ ବିଦ୍ୟାଳୟଗୁଡ଼ିକରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ‘‘ମାଗଣାରେ ଶ୍ରେଷ୍ଠ ତାଲିମ ଦେଇ ମୁଁ ଅତି ଛୋଟ ବେଳୁ ଏଭଳି ଗ୍ରାମାଞ୍ଚଳ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଲି,’’ ୪୯ ବର୍ଷ ବୟସ୍କ ପ୍ରଶିକ୍ଷକ ରବି କୁହନ୍ତି । ସେ ସବୁବେଳେ ପ୍ରଶିକ୍ଷଣ, ତାଲିମ, ଖାଦ୍ୟ ଓ ଜୋତା ପାଇଁ ପ୍ରାୟୋଜକଙ୍କ ସନ୍ଧାନରେ ରହିଥାନ୍ତି।

Left: Five female athletes share a small tin room with three beds in the Shri Samarth Athletics Sports Residential Academy.
PHOTO • Jyoti Shinoli
Right: Eight male athletes share another room
PHOTO • Jyoti Shinoli

ବାମ : ଶ୍ରୀ ସମର୍ଥ ଆଥଲେଟିକ୍ସ ସ୍ପୋର୍ଟ ରେସିଡେନ୍ସିଆଲ ଏକାଡେମୀ ଠାରେ ଗୋଟିଏ ଛୋଟିଆ କୋଠରୀରେ ପଡ଼ିଥିବା ତିନୋଟି ଶଯ୍ୟାରେ ପାଞ୍ଚ ଜଣ ଝିଅ ଖେଳାଳୀ ସାଙ୍ଗ ହୋଇ ରହୁଛନ୍ତି । ଡାହାଣ : ଆଉ ଗୋଟିଏ କୋଠରୀରେ ଆଠ ଜଣ ପୁଅ ଖେଳାଳୀ ରହୁଛନ୍ତି

The tin structure of the academy stands in the middle of fields, adjacent to the Beed bypass road. Athletes from marginalised communities reside, study, and train here
PHOTO • Jyoti Shinoli

ବୀଡ଼ ବାଇପାସ ସଡ଼କ ନିକଟରେ ଲାଗିଥିବା ଏକ କ୍ଷେତ ମଝିରେ ନୀଳ ରଙ୍ଗ ଦିଆଯାଇଥିବା ଗୋଟିଏ ଅସ୍ଥାୟୀ ଘରେ ଏକାଡେମୀ ଚାଲୁଛି । ବଞ୍ଚିତ ସମୁଦାୟର କ୍ରୀଡ଼ାବିତମାନେ ଏଠାରେ ରୁହନ୍ତି, ପାଠ ପଢ଼ନ୍ତି ଏବଂ ତାଲିମ ନିଅନ୍ତି

ବୀଡ଼ ବାଇପାସ ସଡ଼କ ନିକଟରେ ଲାଗିଥିବା ଏକ କ୍ଷେତ ମଝିରେ ନୀଳ ରଙ୍ଗ ଦିଆଯାଇଥିବା ଗୋଟିଏ ଅସ୍ଥାୟୀ ଘରେ ଏକାଡେମୀ ଚାଲୁଛି । ପରଭଣୀର ଜଣେ ଖେଳାଳୀ ଜ୍ୟୋତି ଗାଭାଟେଙ୍କ ପିତା ଶଙ୍କରରାଓଙ୍କ ମାଲିକାନାରେ ଥିବା ଜମିର ଦେଢ଼ ଏକର ପରିମିତ ସ୍ଥାନରେ ଏହା ରହିଛି । ସେ ରାଜ୍ୟ ପରିବହନ କାର୍ଯ୍ୟାଳୟରେ ପିଅନ ଅଛନ୍ତି। ଜ୍ୟୋତିଙ୍କ ମା’ ଜଣେ ରୋଷେୟା ଭାବେ କାମ କରନ୍ତି।

‘‘ଆମେ ଟିଣ ଛାତ ଥିବା ଏକ ଘରେ ରହୁଥିଲୁ। ମୁଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ସମର୍ଥ ଥିଲି ଏବଂ ଆମେ ନିଜ ଚେଷ୍ଟାରେ ଗୋଟିଏ ବଖରା ଘର ତିଆରି କରିବାରେ ସକ୍ଷମ ହୋଇପାରିଲୁ। ମୋ ଭାଇ (ମହାରାଷ୍ଟ୍ର ପୁଲିସରେ କନେଷ୍ଟବଳ) ମଧ୍ୟ ପୂର୍ବାପେକ୍ଷା ଅଧିକ ରୋଜଗାର କରୁଛି। ଜ୍ୟୋତି ନିଜ ଜୀବନକୁ ଦୌଡ଼ ପାଇଁ ସମର୍ପି ଦେଇଛନ୍ତି। ତାଙ୍କ ପରିବାର ‘ରବିସାର’ଙ୍କୁ ନିଜ ଚାଷଜମି ଦେଇପାରିବ ବୋଲି ସେ ଅନୁଭବ କଲେ ଏବଂ ଏଥିପାଇଁ ତାଙ୍କୁ ନିଜ ବାପା-ମା’ ଓ ଭାଇଙ୍କ ସମର୍ଥନ ମିଳିଲା। ‘‘ଏହା ଏକ ଆପୋସ ବୁଝାମଣା,’’ ସେ କୁହନ୍ତି।

ଏକାଡେମୀ ଠାରେ, ଟିଣ ଚାଦର ଦେଇ ରହିବା ସ୍ଥାନକୁ ଦୁଇଟି କୋଠରୀରେ ବିଭାଜିତ କରାଯାଇଛି, ପ୍ରତ୍ୟେକର ଆକାର ୧୫ x ୨୦ଫୁଟ ହେବ । ଗୋଟିଏ ଝିଅଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଦାତାଙ୍କ ଠାରୁ ମିଳିଥିବା ତିନୋଟି ଖଟ ଉପରେ ସେମାନେ ପାଞ୍ଚ ଜଣ ସାଙ୍ଗ ହୋଇ ରହୁଛନ୍ତି। ଅନ୍ୟ କୋଠରୀଟି ପୁଅଙ୍କ ପାଇଁ ଅଛି ଏବଂ କଂକ୍ରିଟ୍‌ ଚଟାଣ ଉପରେ ଗଦିଗୁଡ଼ିକ ଧାଡ଼ି କରି ରଖାଯାଇଛି।

ଉଭୟ କୋଠରୀରେ ଗୋଟିଏ ଲେଖାଏଁ ଟ୍ୟୁବ ଲାଇଟ୍‌ ଓ ପଙ୍ଖା ଲାଗିଛି। ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ସେଗୁଡ଼ିକ ଖୁବ୍‌ କମ୍‌ ସମୟ ଚାଲିଥାଏ। ଖରାଦିନେ ସ୍ଥାନୀୟ ଅଞ୍ଚଳର ତାପମାତ୍ର ୪୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ଏବଂ ଶୀତଦିନେ ତାପମାତ୍ରା ୧୪ ଡିଗ୍ରୀକୁ ଖସିଯାଏ।

ମହାରାଷ୍ଟ୍ର ରାଜ୍ୟ କ୍ରୀଡ଼ା ନୀତି ୨୦୧୨ ଅନୁଯାୟୀ, ଖେଳାଳୀଙ୍କ ପ୍ରଦର୍ଶନରେ ସୁଧାର ଆଣିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଆବଶ୍ୟକ କ୍ରୀଡ଼ା ପରିସର, ଏକାଡେମୀ, ଶିବିର ଓ କ୍ରୀଡ଼ା ଉପକରଣ ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ କରାଯାଇଛି ।

କିନ୍ତୁ ରବି କୁହନ୍ତି, ‘‘ଦଶବର୍ଷ ହେବ ଏହି ନୀତି କେବଳ କାଗଜପତ୍ରରେ ରହିଛି। ତୃଣମୂଳସ୍ତରରେ ବାସ୍ତବରେ କିଛି କାର୍ଯ୍ୟକାରୀ ହେଉ ନାହିଁ। ସରକାର ଏପରି ପ୍ରତିଭାଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି। କ୍ରୀଡ଼ା ଅଧିକାରୀମାନେ ଏଥିପ୍ରତି ଅତି ଉଦାସୀନ ହୋଇପଡ଼ିଛନ୍ତି।’’

ଏପରିକି ୨୦୧୭ରେ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଡିଟ ରିପୋର୍ଟ ରେ ମଧ୍ୟ ସ୍ୱୀକାର କରାଯାଇଛି ଯେ, ତାଲୁକା ସ୍ତର ଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମି ବିକାଶ କରିବା ଲାଗି କ୍ରୀଡ଼ା ନୀତିର ଲକ୍ଷ୍ୟ ପୂରଣ ହେବା ଠାରୁ ବହୁ ଦୂରରେ ରହିଯାଇଛି ।

Left: Boys showing the only strength training equipments that are available to them at the academy.
PHOTO • Jyoti Shinoli
Right: Many athletes cannot afford shoes and run the races barefoot. 'I bought my first pair in 2019. When I started, I had no shoes, but when I earned some prize money by winning marathons, I got these,' says Chhagan
PHOTO • Jyoti Shinoli

ବାମ : ଏକାଡେମୀ ଠାରେ ଥିବା ଏକମାତ୍ର ଶକ୍ତି ବର୍ଦ୍ଧକ ସରଞ୍ଜାମକୁ ପୁଅମାନେ ଦେଖାଉଛନ୍ତି। ଡାହାଣ : ଅଧିକାଂଶ କ୍ରୀଡ଼ାବିତ୍‌ ଜୋତା ମଧ୍ୟ କିଣିନପାରି ଖାଲି ପାଦରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନିଅନ୍ତି। ‘୨୦୧୯ରେ ମୁଁ ମୋର ପ୍ରଥମ ହଳ ଜୋତା କିଣିଥିଲି। ମୁଁ ଯେତେବେଳେ ଆରମ୍ଭ କଲି, ମୋ ପାଖରେ ଜୋତା ନଥିଲା, କିନ୍ତୁ ମାରାଥନ ଦୌଡ଼ିବା ପରେ ମୋତେ କିଛି ପୁରସ୍କାର ରାଶି ମିଳିବାରୁ ମୁଁ ଜୋତା କିଣିପାରିଥିଲି,' ଛଗନ କୁହନ୍ତି

Athletes practicing on the Beed bypass road. 'This road is not that busy but while running we still have to be careful of vehicles passing by,' says coach Ravi
PHOTO • Jyoti Shinoli

ଖେଳାଳୀମାନେ ବୀଡ଼ ବାଇପାସ ସଡ଼କରେ ଅଭ୍ୟାସ କରିଥାନ୍ତି।  ‘ଏହି ସଡ଼କ ସେତେ ବ୍ୟସ୍ତ ନଥାଏ, ତଥାପି ଦୌଡ଼ିବା ସମୟରେ ଯାତାୟାତ କରୁଥିବା ଗାଡ଼ି ପ୍ରତି ଆମେ ଧ୍ୟାନ ଦେଇଥାଉ,’ ପ୍ରଶିକ୍ଷକ ରବି କୁହନ୍ତି

ଘରୋଇ ପ୍ରଶିକ୍ଷଣ ମାଧ୍ୟମରେ ସେ ଏକାଡେମୀର ଦୈନିକ ଖର୍ଚ୍ଚ ଚଳାଇଥାନ୍ତି ବୋଲି ରବି କୁହନ୍ତି । ‘‘ମୋର ଅଧିକାଂଶ ଛାତ୍ରଛାତ୍ରୀ ଏବେ ଶୀର୍ଷ ମାରାଥନ ଦୌଡ଼ାଳି ହୋଇପାରିଛନ୍ତି । ସେମାନେ ନିଜ ପୁରସ୍କାର ରାଶି ଦାନ କରିଥାନ୍ତି।’’

ସୀମିତ ଆର୍ଥିକ ସମ୍ବଳ ଓ ସୁବିଧାର ଅଭାବ ସତ୍ତ୍ୱେ ଏକାଡେମୀ ଖେଳାଳୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିଥାଏ। ସପ୍ତାହକୁ ତିନିରୁ ଚାରି ଥର କୁକୁଡ଼ା ମାଂସ କିମ୍ବା ମାଛ ଦିଆଯାଏ। ଅନ୍ୟ ଦିନରେ, ସବୁଜ ପନିପରିବା, କଦଳୀ, ଜ୍ୱାରୀ, ବାଜରୀଭାକରୀ, ଗଜା ହୋଇଥିବା ମଟକୀ, ମୁଗ, ଚଣା ଏବଂ ଅଣ୍ଡା ଦିଆଯାଏ।

ଖେଳାଳୀମାନେ ସକାଳ ୬ଟାରୁ ପିଚୁ ରାସ୍ତା ଉପରେ ଅଭ୍ୟାସ ଆରମ୍ଭ କରିଥାନ୍ତି ଯାହା ୧୦ଟା ବେଳେ ଶେଷ ହୋଇଥାଏ। ସେମାନେ ସନ୍ଧ୍ୟା ୫ଟା ପରେ ସେହି ରାସ୍ତା ଉପରେ ଦ୍ରୁତ ଗତିରେ ଦୌଡ଼ିବା ଅଭ୍ୟାସ କରନ୍ତି। ‘‘ଏହି ସଡ଼କ ସେତେ ବ୍ୟସ୍ତ ନଥାଏ, ତଥାପି ଦୌଡ଼ିବା ସମୟରେ ଯାତାୟାତ କରୁଥିବା ଗାଡ଼ି ପ୍ରତି ଆମେ ଧ୍ୟାନ ଦେଇଥାଉ । ସେମାନଙ୍କ ସୁରକ୍ଷା ପାଇଁ ମୁଁ ଅଧିକ ସତର୍କ ହୋଇଥାଏ,’’ ସେମାନଙ୍କ ପ୍ରଶିକ୍ଷକ କୁହନ୍ତି । ‘‘ଦ୍ରୁତ ଗତିରେ ଦୌଡ଼ିବା ଅଭ୍ୟାସର ଅର୍ଥ ହେଉଛି ଅତି କମ ସମୟରେ ଅଧିକ ଦୂରତା ଅତିକ୍ରମ କରିବା । ଯଥା ୨ ମିନିଟ୍‌ ୩୦ ସେକେଣ୍ଡ ମଧ୍ୟରେ ଗୋଟିଏ କିଲୋମିଟର ଦୂର ଅତିକ୍ରମ କରିବା ଆବଶ୍ୟକ।’’

ବର୍ଷାଙ୍କ ବାପା ଓ ମା’ ସେହିଦିନକୁ ଅପେକ୍ଷା କରିଛନ୍ତି ଯେତେବେଳେ ସେମାନଙ୍କ ଖେଳାଳୀ ଝିଅ ଜଣେ ଜାତୀୟ ସ୍ତରର କ୍ରୀଡ଼ାବିତ୍‌ ହେବା ଲାଗି ନିଜର ସ୍ୱପ୍ନ ପୂରଣ କରିପାରିବ। ୨୦୨୧ ପରଠାରୁ ସେ ସାରା ମହାରାଷ୍ଟ୍ରର ବିଭିନ୍ନ ମାରାଥନରେ ଅଂଶଗ୍ରହଣ କରୁଛନ୍ତି । ‘‘ସେ ଦୌଡ଼ରେ ଶୀର୍ଷ ସଫଳତା ହାସଲ କରୁ ବୋଲି ଆମେ ଚାହୁଁଛୁ । ଆମେ ସବୁପ୍ରକାର ସମର୍ଥନ ଯୋଗାଇ ଦେଉଛୁ । ସେ ଆମକୁ ଓ ଦେଶକୁ ଗୌରାବାନ୍ୱିତ କରିବ,’’ ତାଙ୍କ ମା’ ଖୁସିର ସହକାରେ କୁହନ୍ତି। ‘‘ଆମେ ତା’କୁ ବିଭିନ୍ନ ପ୍ରତିଯୋଗିତାରେ ଦୌଡ଼ିବାର ଦେଖିବାକୁ ଚାହୁଁଛୁ । ସେ କେମିତି ଏହା କରିବ ତା’କୁ ନେଇ ମୋର ଚିନ୍ତା ରହିଛି,’’ ତାଙ୍କ ବାପା ବିଷ୍ଣୁ କୁହନ୍ତି।

୨୦୦୯ରେ ସେମାନଙ୍କ ବାହାଘର ହେବା ପରେ ଏହି ଦମ୍ପତିଙ୍କୁ ନିୟମିତ ପ୍ରବାସ କରିବାକୁ ପଡ଼ୁଥିଲା। ସେମାନଙ୍କ ବଡ଼ ଝିଅ ବର୍ଷା ତିନି ବର୍ଷର ହୋଇଥିବା ସମୟରେ, ସେମାନଙ୍କୁ ଆଖୁ କାଟିବାର ମଜୁରି କାମ ଲାଗି ଗାଁରୁ ଦୂରକୁ ଯିବାକୁ ହୋଇଥିଲା। ଏହି ପରିବାର ତମ୍ବୁ ଟାଣି ରହୁଥିଲା ଏବଂ ସବୁବେଳେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାତ୍ରା କରୁଥିଲା। ‘‘ଟ୍ରକରେ ବାରମ୍ବାର ଯାତ୍ରା କରିବା ଫଳରେ ବର୍ଷା ଅସୁସ୍ଥ ହୋଇପଡ଼ିଲା ଏବଂ ଆମେ ଯିବା ବନ୍ଦ କରିଦେଲୁ,’’ ଦେବଶାଳା କୁହନ୍ତି। ଏହା ପରିବର୍ତ୍ତେ ସେମାନେ ଗାଁ ପାଖରେ କାମ ଖୋଜିବା ଆରମ୍ଭ କଲେ ଯେଉଁଠି, ‘‘ମହିଳାଙ୍କୁ ୧୦୦ ଟଙ୍କା ଏବଂ ପୁରୁଷଙ୍କୁ ୨୦୦ ଟଙ୍କା ଲେଖାଏଁ ଦିନ ମଜୁରି ମିଳୁଥିଲା,’’ ବିଷ୍ଣୁ କୁହନ୍ତି। ସେ ବର୍ଷକୁ ଛଅ ମାସ କାମ ସନ୍ଧାନରେ ସହରକୁ ଯାଇଥାନ୍ତି। ‘‘ମୁଁ ସୁରକ୍ଷାକର୍ମୀ ଭାବେ, କିମ୍ବା କୌଣସି ନିର୍ମାଣ ସ୍ଥଳୀରେ କିମ୍ବା ବେଳେବେଳେ ନର୍ସରୀରେ କାମ କରିବା ପାଇଁ ନାସିକ, ପୁଣେ ଯାଇଥାଏ।’’ ୫ ରୁ ୬ ମାସ କାମ କରିବା ପରେ ବିଷ୍ଣୁ ୨୦,୦୦୦ ହଜାରରୁ ୩୦,୦୦୦ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥାନ୍ତି। ଦେବଶାଳା ଘରେ ରହି ଅନ୍ୟ ସନ୍ତାନ, ଗୋଟିଏ ଝିଅ ଓ ଗୋଟିଏ ପୁଅର ଦେଖାଶୁଣା କରିଥାନ୍ତି। ସେମାନଙ୍କର ଯେମିତି ସ୍କୁଲ ବନ୍ଦ ନହେବ ତାହା ସୁନିଶ୍ଚିତ କରିଥାନ୍ତି।

ଯଥାସମ୍ଭବ ପ୍ରୟାସ ସତ୍ତ୍ୱେ ବର୍ଷାଙ୍କ ମାତାପିତା ତାଙ୍କ ପାଇଁ ଭଲ ଜୋତା ହଳେ କିଣିବା ପାଇଁ ସକ୍ଷମ ହୋଇପାରିନାହାନ୍ତି। କିନ୍ତୁ ଏହି ଯୁବ ଖେଳାଳୀ ଏହାକୁ ଏଡ଼ାଇ ଦେଇ କୁହନ୍ତି, ‘‘ମୁଁ ନିଜ ଦୌଡ଼ର ଗତି ଓ କୌଶଳ ବଢ଼ାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚେଷ୍ଟା କରୁଛି ।’’

Devshala’s eyes fills with tears as her daughter Varsha is ready to go back to the academy after her holidays.
PHOTO • Jyoti Shinoli
Varsha with her father. 'We would really like to see her running in competitions. I wonder how she does it,' he says
PHOTO • Jyoti Shinoli

ବାମ : ଛୁଟି ପରେ ଏକାଡେମୀକୁ ଫେରିବା ପାଇଁ ବର୍ଷା ପ୍ରସ୍ତୁତ ହେଉଥିବା ଦେଖି ତାଙ୍କ ମା’ ଦେବଶାଳାଙ୍କ ଆଖିରେ ଲୁହ ଭରିଯାଇଥାଏ। ଡାହାଣ : ବର୍ଷା ତାଙ୍କ ବାପାଙ୍କ ସହିତ । ‘ଆମେ ତା’କୁ ବିଭିନ୍ନ ପ୍ରତିଯୋଗିତାରେ ଦୌଡ଼ିବାର ଦେଖିବାକୁ ଚାହୁଁଛୁ। ସେ ଏହା କେମିତି କରିବ ତା’କୁ ନେଇ ମୋର ଚିନ୍ତା ରହିଛି,’ ସେ କୁହନ୍ତି

*****

ଛଗନ ବୋମ୍ବଲେ ଜଣେ ମାରାଥନ ଧାବକ ଯିଏକି ନିଜର ପ୍ରଥମ ମାରାଥନ ଜିତିବା ପରେ ଯାଇ ନିଜ ପାଇଁ ଜୋତା ହଳେ କିଣିପାରିଥିଲେ। ‘‘୨୦୧୯ରେ ମୁଁ ମୋର ପ୍ରଥମ ଜୋତା ହଳକ କିଣିଥିଲି । ବର୍ତ୍ତମାନ ସେ ପିନ୍ଧିଥିବା ଏକ ଫଟା ପୁରୁଣା ଜୋତାକୁ ଦେଖାଇ ସେ ମୋତେ କୁହନ୍ତି, ‘‘ମୁଁ ଯେତେବେଳେ ଆରମ୍ଭ କଲି, ମୋ ପାଖରେ ଜୋତା ନଥିଲା, କିନ୍ତୁ ମାରାଥନ ଦୌଡ଼ିବା ପରେ ମୋତେ କିଛି ପୁରସ୍କାର ରାଶି ମିଳିବାରୁ ମୁଁ ଜୋତା କିଣିପାରିଥିଲି।’’

ଏହି ୨୨ ବର୍ଷ ବୟସ୍କ ଖେଳାଳୀ ଜଣଙ୍କ ଅନ୍ଧ ଜନଜାତିର କୃଷି ଶ୍ରମିକଙ୍କ ପୁଅ ଏବଂ ତାଙ୍କ ପରିବାର ହିଙ୍ଗୋଲି ଜିଲ୍ଲାର ଖମ୍ବାଲା ଗ୍ରାମରେ ରୁହନ୍ତି ।

ତାଙ୍କ ପାଖରେ ବର୍ତ୍ତମାନ ଜୋତା ଅଛି, କିନ୍ତୁ ସକ୍ସ ନାହିଁ କାରଣ ଏହାକୁ ସେ କିଣିପାରିବେ ନାହିଁ । ଜୋତା ସୋଲ୍‌ ଛିଣ୍ଡି ଯାଇଥିବାରୁ ଖଦଡ଼ା ସଡ଼କର ଆଘାତ ସେ ନିଜ ପାଦରେ ଅନୁଭବ କରିଥାନ୍ତି । ‘‘ନିଶ୍ଚିତ ଭାବେ ଏଥିରେ କଷ୍ଟ ହୋଇଥାଏ। ଉଭୟ ସିନ୍ଥେଟିକ୍‌ ଟ୍ରାକ ଏବଂ ଭଲ ଜୋତା ସୁରକ୍ଷା ଦେବା ସହିତ କମ୍‌ ଆଘାତ ଦେବ,’’ ସେ ଏହି ରିପୋର୍ଟରଙ୍କୁ ସେହି ବାସ୍ତବତାପୂର୍ଣ୍ଣ କଥା କହିଥାନ୍ତି। ‘‘ବିନା ଚପଲରେ ବୁଲିବା, ଚାରିଆଡ଼େ ଦୌଡ଼ିବା, ଖେଳିବା, ପାହାଡ଼ ଚଢ଼ିବା, ବାପା-ମା’ଙ୍କ ସହିତ ଚାଷ ଜମିରେ କାମ କରିବା ଆମର ଅଭ୍ୟାସ ହୋଇଗଲାଣି। ତେଣୁ ଏହା ଏକ ବଡ଼ କଥା ନୁହେଁ,’’ ନିୟମିତ ଘା’ ଓ କଟା ଆଘାତକୁ ଏଡ଼ାଇ ଯାଇ ସେ କୁହନ୍ତି।

ଛଗନଙ୍କ ମାତାପିତା, ମାରୁତୀ ଏବଂ ଭଗିରତ ଭୂମିହୀନ ଏବଂ କୃଷି ଶ୍ରମିକ ଭାବେ କରୁଥିବା ଆୟ ଉପରେ ନିର୍ଭର କରିଥାନ୍ତି। ‘‘ବେଳେବେଳେ ଆମେ ଚାଷ ଜମିରେ କାମ କରିଥାଉ। ଆଉ କେବେ ଚାଷୀଙ୍କ ବଳଦ ଚରେଇବାକୁ ନେଉ। ଯାହା ମିଳିଲା ସେହି କାମ କରିଥାଉ,’’ ମାରୁତୀ କୁହନ୍ତି । ଉଭୟ ମିଶି ଦିନକୁ ୨୫୦ ଟଙ୍କା ରୋଜଗାର କରନ୍ତି । ସେମାନଙ୍କୁ ମାସିକ ୧୦ରୁ ୧୫ ଦିନ କାମ ମିଳିଥାଏ।

ସେମାନଙ୍କ ଧାବକ ପୁଅ ଛଗନ ପରିବାରକୁ ସହାୟତା ଦେବା ପାଇଁ ସହର, ତାଲୁକା, ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଛୋଟ ଓ ବଡ଼ ମାରାଥନରେ ଅଂଶଗ୍ରହଣ କରିଥାଏ। ‘‘ପ୍ରଥମ ତିନି ଜଣ ବିଜେତାଙ୍କୁ ପୁରସ୍କାର ରାଶି ମିଳିଥାଏ। ବେଳେବେଳେ ୧୦,୦୦୦ ଟଙ୍କା, ଆଉ କେବେ ୧୫,୦୦୦ ଟଙ୍କା,’’ ସେ କୁହନ୍ତି । ‘‘ଗୋଟିଏ ବର୍ଷରେ ମୁଁ ୮ରୁ ୧୦ଟି ମାରାଥନରେ ଅଂଶଗ୍ରହଣ କରିଥାଏ। ପ୍ରତ୍ୟେକ ମାରାଥନ ଜିତିବା କଷ୍ଟକର । ୨୦୨୨ରେ ମୁଁ ଦୁଇଟି ଜିତିଥିଲି ଏବଂ ଅନ୍ୟ ତିନୋଟିରେ ଦ୍ୱିତୀୟ ସ୍ଥାନରେ ରହିଥିଲି । ସେଥିରୁ ମୁଁ ୪୨,୦୦୦ ଟଙ୍କା ରୋଜଗାର କରିଥିଲି।’’

Left: 22-year-old marathon runner Chhagan Bomble from Andh tribe in Maharashra
PHOTO • Jyoti Shinoli
Right: Chhagan’s house in Khambala village in Hingoli district. His parents depend on their earnings from agriculture labour to survive
PHOTO • Jyoti Shinoli

ବାମ : ମହାରାଷ୍ଟ୍ରର ଅନ୍ଧ ଜନଜାତି ସମ୍ପ୍ରଦାୟର ୨୨ ବର୍ଷୀୟ ଧାବକ ଛଗନ ବୋମ୍ବଲେ  ଡାହାଣ : ହିଙ୍ଗୋଲି ଜିଲ୍ଲା ଖମ୍ବାଲା ଗ୍ରାମରେ ଥିବା ଛଗନଙ୍କ ଘର । ତାଙ୍କ ମାତାପିତା ପେଟ ପୋଷିବା ପାଇଁ କୃଷି ଶ୍ରମିକ ଭାବେ କାମ କରନ୍ତି

ସେଠି ଖମ୍ବାଲା ଗ୍ରାମରେ ଥିବା ଛଗନଙ୍କ ଗୋଟିଏ ବଖୁରିକିଆ ଘରେ ପଦକ ଓ ଟ୍ରଫି ଭର୍ତ୍ତି ହୋଇ ରହିଛି । ତାଙ୍କର ପଦକ ଓ ପ୍ରମାଣପତ୍ର ଦେଖି ତାଙ୍କ ମାତାପିତା ଗର୍ବ ଅନୁଭବ କରିଥାନ୍ତି । ‘‘ଆମେ ଅନାଡ଼ି (ଅଶିକ୍ଷିତ) ଲୋକ। ଦୌଡ଼ିବା ଦ୍ୱାରା ମୋ ପୁଅ ଜୀବନରେ କିଛି କରିବ,’’ ୬୦ ବର୍ଷ ବୟସ୍କ ମାରୁତୀ କୁହନ୍ତି । ସେମାନଙ୍କ ମାଟି ଘର ଚଟାଣରେ ବିଛାଇ ହୋଇ ରହିଥିବା ପଦକ ଓ ପ୍ରମାଣପତ୍ର ଦେଖାଇ ଛଗନଙ୍କ ମା’ ଭଗିରତ (୫୬) ସ୍ମିତହାସ୍ୟ ସହ କୁହନ୍ତି, ‘‘ଏହା କୌଣସି ସୁନା ଠାରୁ ଅଧିକ ମୂଲ୍ୟବାନ।’’

ଛଗନ କୁହନ୍ତି, ‘‘ମୁଁ ବଡ଼ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛି । ମୁଁ ଜଣେ ଅଲିମ୍ପିଆନ ହେବାକୁ ଚାହୁଁଛି।’’ ତାଙ୍କ ସ୍ୱରରେ ସଂକଳ୍ପର ଏକ ସ୍ପଷ୍ଟ ଭାବନା ଦେଖିବାକୁ ମିଳିଥାଏ। କିନ୍ତୁ ଅସୁବିଧା ବିଷୟରେ ସେ ସଚେତନ ଅଛନ୍ତି। ‘‘ଆମକୁ ଅତିକମ୍‌ରେ ମୌଳିକ କ୍ରୀଡ଼ା ସୁବିଧା ଆବଶ୍ୟକ। ଧାବକଙ୍କ ପାଇଁ କମ ସମୟରେ ଅଧିକ ଦୂରତା ଅତିକ୍ରମ କରିବା ଶ୍ରେଷ୍ଠ ପ୍ରଦର୍ଶନ ହୋଇଥାଏ। କାଦୁଅ କିମ୍ବା ପିଚୁ ରାସ୍ତାରେ ଟାଇମିଂ ହାସଲ କରିବା ସିନ୍ଥେଟିକ୍‌ ଟ୍ରାକ୍‌ ତୁଳନାରେ ଭିନ୍ନ । ଯାହାଫଳରେ, ଜାତୀୟ ଏବଂ ଅନ୍ତର୍ଜାତୀୟ ଦୌଡ଼ ପ୍ରତିଯୋଗିତା କିମ୍ବା ଅଲିମ୍ପିକ୍ସ ପାଇଁ ଚୟନିତ ହେବା କଷ୍ଟକର ହୋଇପଡ଼େ,’’ ସେ କୁହନ୍ତି ।

ଶକ୍ତିବର୍ଦ୍ଧକ ତାଲିମ ପାଇଁ ପରଭଣୀର ଯୁବ ଖେଳାଳୀମାନେ ଦୁଇଟି ଡମ୍ବବେଲ ଏବଂ ଗୋଟିଏ ରଡରେ ଲାଗିଥିବା ଚାରିଟି ପିଭିସି ଜିମ୍‌ ପ୍ଲେଟ୍‌ରେ ଅଭ୍ୟାସ କରିଥାନ୍ତି । ‘‘ପରଭଣୀରେ କିମ୍ବା ସମ୍ପୂର୍ଣ୍ଣ ମରାଠାୱାଡ଼ାରେ ଗୋଟିଏ ହେଲେ ରାଜ୍ୟ ଏକାଡେମୀ ନାହିଁ,’’ ରବି ସ୍ପଷ୍ଟ ଭାବେ କୁହନ୍ତି ।

ପ୍ରତିଶ୍ରୁତି ଓ ନୀତି ବହୁଳ ମାତ୍ରାରେ ରହିଛି । ୨୦୧୨ର ରାଜ୍ୟ କ୍ରୀଡ଼ା ନୀତି ଏବେ ୧୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି, ଏଥିରେ ତାଲୁକା ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଖେଲୋ ଇଣ୍ଡିଆ ପରେ ମଧ୍ୟ କିଛି ପରିବର୍ତ୍ତନ ଆସିନାହିଁ । ଏହି ଅଭିଯାନ ଅଧୀନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୩୬ଟି ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ୩.୬ କୋଟି ଟଙ୍କା ପାଇଛନ୍ତି ।

Left: Chhagan participates in big and small marathons at city, taluka, state and country level. His prize money supports the family. Pointing at his trophies his mother Bhagirata says, 'this is more precious than any gold.'
PHOTO • Jyoti Shinoli
Right: Chhagan with his elder brother Balu (pink shirt) on the left and Chhagan's mother Bhagirata and father Maruti on the right
PHOTO • Jyoti Shinoli

ଛଗନ ସହର, ତାଲୁକା, ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଛୋଟ ଓ ବଡ଼ ମାରାଥନରେ ଅଂଶଗ୍ରହଣ କରିଥାଏ। ତାଙ୍କର ପୁରସ୍କାର ରାଶି ପରିବାରକୁ ସହାୟକ ହୋଇଥାଏ। ତାଙ୍କର ପଦକ ଓ ପ୍ରମାଣପତ୍ର ଦେଖାଇ ଛଗନଙ୍କ ମା’ ଭଗିରତ କୁହନ୍ତି, ‘ଏହା କୌଣସି ସୁନା ଠାରୁ ଅଧିକ ମୂଲ୍ୟବାନ।’ ଡାହାଣ : ବଡ଼ ଭାଇ ବାଲୁଙ୍କ ବାମ ପଟେ ଛଗନ ଏବଂ ତାଙ୍କ ମା’ ଭଗିରତଙ୍କ ବାମ ପଟେ ବାପା ମାରୁତୀ ଅଛନ୍ତି

ଜାନୁଆରୀ ୨୦୨୩ରେ ମହାରାଷ୍ଟ୍ର ରାଜ୍ୟ ଅଲିମ୍ପିକ୍ସ କ୍ରୀଡ଼ାର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଥିଲେ ଯେ, ଭାରତର ‘କ୍ରୀଡ଼ା ମହାଶକ୍ତି’ ଗ୍ରାମୀଣ ମହାରାଷ୍ଟ୍ରରେ ଅନ୍ତର୍ଜାତୀୟ ମାନର ୧୨୨ଟି ନୂଆ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କରାଯିବ ଯାହା ଏବେ ସୁଦ୍ଧା ଘୋଷଣାରେ ରହିଯାଇଛି ।

ପରଭଣୀର ଜିଲ୍ଲା କ୍ରୀଡ଼ା ଅଧିକାରୀ ନରେନ୍ଦ୍ର ପାୱାର ଫୋନ ଯୋଗେ କଥା ହୋଇ କହିଛନ୍ତି, ‘‘ଆମେ ଏକ ଏକାଡେମୀ ତିଆରି କରିବା ପାଇଁ ଜାଗା ଖୋଜୁଛୁ । ତାଲୁକା ସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ  ନିର୍ମାଣ କାମ ଜାରି ରହିଛି ।’’

କାହା କଥା ବିଶ୍ୱାସ କରିବେ ତାହା ଏକାଡେମୀରେ ଥିବା ଖେଳାଳୀମାନେ ଜାଣନ୍ତି ନାହିଁ । ‘‘ଆମେ ଅଲିମ୍ପିକ୍ସରେ ପଦକ ଜିତିଲେ ଯାଇ ରାଜନେତା, ଏପରିକି ନାଗରିକମାନେ ଆମର ଉପସ୍ଥିତିକୁ ଅନୁଭବ କରିଥାନ୍ତି, ଏହା ଅତି ଦୁଃଖର ବିଷୟ,’’ ଛଗନ କୁହନ୍ତି । ‘‘କିନ୍ତୁ ସେ ପର୍ଯ୍ୟନ୍ତ ଆମେ ଅଦୃଶ୍ୟ ରହିଥାଉ; ମୌଳିକ କ୍ରୀଡ଼ା ଭିତ୍ତିଭୂମି ପାଇଁ ଆମ ସଂଘର୍ଷକୁ କେହି ଦେଖନ୍ତି ନାହିଁ । ଆମର ଅଲିମ୍ପିଆନ କୁସ୍ତିଯୋଦ୍ଧାମାନେ ନ୍ୟାୟ ପାଇଁ ଲଢ଼େଇ କରିବା ଏବଂ ସମର୍ଥନ ପାଇବା ବଦଳରେ ନିଷ୍ଠୁର ବ୍ୟବହାରର ଶିକାର ହେବା ଦେଖି ମୁଁ ଏହା ଅନୁଭବ କରିପାରିଛି ।

‘‘କିନ୍ତୁ ଖେଳାଳୀମାନେ ଲଢ଼ୁଆ। ସିନ୍ଥେଟିକ ଦୌଡ଼ ଟ୍ରାକ୍‌ ପାଇଁ ହେଉ କିମ୍ବା ଅପରାଧ ବିରୋଧରେ ନ୍ୟାୟ ପାଇଁ ହେଉ, ଆମେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବୁ,’’ ସେ ସ୍ମିତହାସ୍ୟର ସହିତ କହିଥାନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli is a Senior Reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli
Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE