କାଶ୍ମୀରର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଚାରଣ ଭୂମି ସନ୍ଧାନରେ ରାଜୌରି ଜିଲ୍ଲାର ପରି ଗାଁ ଛାଡ଼ି ବାହାରିଲେ ଅବଦୁଲ ଲତିଫ ବଜରନ। ତାଙ୍କ ସାଙ୍ଗରେ ଥିଲେ ୧୫୦ଟି ପୋଷା ପ୍ରାଣୀ - ମେଣ୍ଢା, ଛେଳି, ଘୋଡ଼ା ଏବଂ ଗୋଟିଏ କୁକୁର। ସେ ତାଙ୍କ ପୁଅ ତାରିକ୍‌ ଏବଂ ଅନ୍ୟ କେତେ ଜଣଙ୍କୁ ସାଙ୍ଗରେ ନେଇଯାଇଥିଲେ। ଜମ୍ମୁର ଏହି ୬୫ ବର୍ଷୀୟ ପଶୁପାଳକ ଜଣକ କହନ୍ତି, “ମୁଁ ଗୋଟିଏ ମିନି-ଟ୍ରକ୍‌ରେ ମୋ ପରିବାର (ସ୍ତ୍ରୀ ଏବଂ ବୋହୂ) ସହିତ କେତେକ ଦୁର୍ବଳ ପୋଷା ପ୍ରାଣୀ, ଖାଦ୍ୟ, ଆଶ୍ରୟସ୍ଥଳୀ ନିମନ୍ତେ ସାମଗ୍ରୀ ଏବଂ ଅନ୍ୟ ଦରକାରୀ ଜିନିଷପତ୍ର ପଠାଇ ଦେଲି।”

କିନ୍ତୁ, ଦୁଇ ସପ୍ତାହ ପରେ, ସେ କହନ୍ତି, “ସେମାନଙ୍କୁ ରାସ୍ତାରେ (ୱେୟିଲ ଗାଁରେ) ଦେଖି ମୁଁ ଚମକି ପଡ଼ିଲି।” ସେମାନେ ନିଜ ଲକ୍ଷ୍ୟସ୍ଥଳ, (ଭାରତ-ପାକିସ୍ତାନ ସୀମା ନିକଟ) ମିନିମର୍ଗରେ ପହଞ୍ଚି ସେଠାରେ ଗ୍ରୀଷ୍ମକାଳୀନ ଶିବିର ସ୍ଥାପନ କରିସାରିଥିବେ ବୋଲି ସେ ଆଶା କରୁଥିଲେ।

ସେଠାରେ ପହଞ୍ଚିବା ପରିବର୍ତ୍ତେ, ସେମାନେ ସେହି ସ୍ଥାନଠାରୁ ଆହୁରି ୧୫ ଦିନର ରାସ୍ତା ଦୂରରେ ଥିଲେ। ସେ କହନ୍ତି ଯେ, ସେମାନେ ପାଣିପାଗ କାରଣରୁ ଅଟକି ଯାଇଥିଲେ। ମିନିମର୍ଗରେ ପହଞ୍ଚିବାକୁ ହେଲେ ଜୋଜିଲା ଘାଟି ଅତିକ୍ରମ କରିବାକୁ ପଡ଼ିବ ଏବଂ ସେହି ଘାଟିରେ ପଡ଼ିଥିବା ବରଫ ତରଳିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରୁଥିଲେ।

ପ୍ରତି ବର୍ଷ ଜମ୍ମୁ ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ପଡ଼ିଆରେ ଘାସର ଅଭାବ ଦେଖାଦିଏ ଏବଂ ଭଲ ଚାରଣ ଭୂମି ଖୋଜିବା ଲାଗି ଯାଯାବର ରୂପେ ଜୀବନଯାପନ କରୁଥିବା ବକରୱାଲ ଭଳି କେତେକ ପଶୁପାଳକ ସଂପ୍ରଦାୟର ଲୋକେ କାଶ୍ମୀର ଉପତ୍ୟକାକୁ ପଳାଇ ଯାଆନ୍ତି। ଅକ୍‌ଟୋବର ମାସ ବେଳକୁ ସେଠାରେ ଥଣ୍ଡା ପଡ଼ି ଆସିବା ସମୟରେ ସେମାନେ ପୁଣି ଜମ୍ମୁକୁ ଫେରି ଆସନ୍ତି।

କିନ୍ତୁ ଏଥର ବିଭିନ୍ନ ଉଚ୍ଚ ସ୍ଥାନରେ ଥିବା ଚାରଣ ଭୂମି ବରଫରେ ଢାଙ୍କି ହୋଇ ରହିଥିଲା ଏବଂ ଅବଦୁଲଙ୍କ ଭଳି ପଶୁପାଳକମାନେ ଏମିତି ଏକ ଦୋଛକିରେ ଅଟକି ରହିଥିଲେ। ସେମାନେ ତଳକୁ ଓହ୍ଲାଇ ନିଜ ଗାଁକୁ ଫେରିଆସି ପାରୁ ନଥିଲେ, କାରଣ, ସେଠାରେ ପଶୁମାନେ ଚରିବା ଲାଗି କିଛି ନଥିଲା ଏବଂ ଉପରେ ଥିବା ତୃଣଭୂମି ଆଡ଼କୁ ବି ଆଗେଇ ପାରୁ ନଥିଲେ।

Abdul Latief Bajran (left) migrated out of his village, Peri in Rajouri district, in early May with his 150 animals – sheep, goats, horses and a dog – in search of grazing grounds high up in the mountains of Kashmir. Seated with Mohammad Qasim (right) inside a tent in Wayil near Ganderbal district, waiting to continue his journey
PHOTO • Muzamil Bhat

ମେ ମାସ ପ୍ରଥମ ଭାଗରେ ଅବଦୁଲ ଲତିଫ ବଜରନ୍ (ବାମ) ତାଙ୍କ ଗାଁ, ରାଜୌରି ଜିଲ୍ଲାର ପେରି ଗାଁ ଛାଡ଼ି କାଶ୍ମୀରର ପାର୍ବତ୍ୟାଞ୍ଚଳରେ ଚାରଣ ଭୂମି ଖୋଜିବାକୁ ବାହାରି ପଡ଼ିଥିଲେ। ତାଙ୍କ ସାଙ୍ଗରେ ଥିଲେ ୧୫୦ଟି ଗୃହପାଳିତ ପ୍ରାଣୀ- ମେଣ୍ଢା, ଛେଳି, ଘୋଡ଼ା ଏବଂ ଗୋଟିଏ କୁକୁର। ଆଗକୁ ପୁଣି ଯାତ୍ରାରମ୍ଭ କରିବା ଅପେକ୍ଷାରେ ସେ ଗନ୍ଦେରବଲ ଜିଲ୍ଲା ନିକଟ ୱେୟିଲ ଗାଁରେ, ଏକ ତମ୍ବୁ ଭିତରେ ମହମ୍ମଦ କାସିମ୍‌ଙ୍କ (ଡାହାଣ) ସହିତ ବସିଛନ୍ତି

Left: Women from the Bakarwal community sewing tents out of polythene sheets to use in Minimarg.
PHOTO • Muzamil Bhat
Right: Zabaida Begum, Abdul Latief's wife is resting in the tent.
PHOTO • Muzamil Bhat

ବାମ: ବକରୱାଲ ସଂପ୍ରଦାୟର ମହିଳାମାନେ ମିନିମର୍ଗରେ ନିଜ ବ୍ୟବହାର ନିମନ୍ତେ ପଲିଥିନ୍‌ ଶିଟ୍‌ରେ ତମ୍ବୁ ସିଲାଇ କରୁଛନ୍ତି। ଡାହାଣ: ତମ୍ବୁ ଭିତରେ ବିଶ୍ରାମ ନେଉଛନ୍ତି ଅବଦୁଲ ଲତିଫଙ୍କ ସ୍ତ୍ରୀ ଜାବୈଦା ବେଗମ

ସେହି ଏକାଭଳି ଧର୍ମସଂକଟର ସମ୍ମୁଖୀନ ହୋଇଛନ୍ତି ମହମ୍ମଦ କାସିମ୍‌। ଅଧିକନ୍ତୁ, ଅଦିନିଆ ଗରମ ଯୋଗୁଁ ଉଚ୍ଚ ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ହିଁ ସେ କେତେକ ଗୃହପାଳିତ ପ୍ରାଣୀଙ୍କୁ ହରାଇଛନ୍ତି। ୬୫ ବର୍ଷୀୟ କାସିମ୍‌ କହନ୍ତି, “ସାଧାରଣତଃ ଅଧିକ ଗରମ ହେଲେ ଆମ ମେଣ୍ଢା ଓ ଛେଳିମାନେ ଜ୍ୱର ଏବଂ ଝାଡ଼ା ରୋଗରେ ପଡ଼ି ଦୁର୍ବଳ ହୋଇଯାଆନ୍ତି। ଏହି ରୋଗରେ ସେମାନେ ପ୍ରାଣ  ବି ହରାଇପାରନ୍ତି।”

ଜମ୍ମୁର ରାଜୌରି ଜିଲ୍ଲା ଅନ୍ତର୍ଗତ ଆନ୍ଧ ଗାଁ ନିବାସୀ ବକରୱାଲ ସଂପ୍ରଦାୟର କାସିମ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲେ। ସ୍ୱାଭାବିକ ସମୟ ପୂର୍ବରୁ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯିବାରୁ ଅପ୍ରତ୍ୟାଶିତ ଗରମରେ ତାଙ୍କର ଅନେକ ଗୃହପାଳିତ ପ୍ରାଣୀ ମୃତ୍ୟୁମୁଖରେ ପଡ଼ିଥିଲେ ଏବଂ ଗରମ ଯୋଗୁଁ ସେ ୫୦ଟି ଛେଳି ଓ ମେଣ୍ଢା ହରାଇଥିଲେ।

ସେ କହନ୍ତି ଯେ, ଉଚ୍ଚ ସ୍ଥାନକୁ ଯିବା ପାଇଁ ରାସ୍ତାରେ ଅପେକ୍ଷା କରିଥିବା ବେଳେ ପାଣିପାଗ ସଂପର୍କରେ ସେ ଫୋନ୍‌ ଯୋଗେ ଲିଆକତଙ୍କ ସହିତ ସଂପର୍କ ରଖିଥିଲେ। ତାଙ୍କର ଯାଯାବର ସାଥୀ ଲିଆକତ ପୂର୍ବରୁ ଯାଇ କାଶ୍ମୀର ଉପତ୍ୟକାରେ ପହଞ୍ଚି ସାରିଥିଲେ। “ସବୁବେଳେ ସେଇ ଗୋଟିଏ ଉତ୍ତର ମିଳୁଥିଲା ଯେ ପାଗ ଖରାପ।” କଦବା କେମିତି ମୋବାଇଲ ନେଟ୍‌ୱର୍କ ରହୁଥିବାରୁ ଲିଆକତଙ୍କ ସହିତ ଯୋଗାଯୋଗ ବି କଷ୍ଟକର କାମ ଥିଲା।

କାଶ୍ମୀର ଉପତ୍ୟକାରେ ଏବେ ବି ବରଫ ପଡ଼ି ରହିଥିବା ଶୁଣିବା ପରେ ଗାଁ ଛାଡ଼ି ଯିବେ କି ନାହିଁ ବୋଲି ଦ୍ୱିଧାରେ ପଡ଼ିଥିଲେ କାସିମ। ବିଶେଷତଃ ଗରମ ଯୋଗୁଁ ତାଙ୍କ ପୋଷା ପ୍ରାଣୀମାନେ ଦୁର୍ବଳ ହୋଇପଡୁଥିବାରୁ ସେ ଏଭଳି ଅନିଶ୍ଚିତ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ସେ କହନ୍ତି ଯେ, ଅତ୍ୟଧିକ ଥଣ୍ଡା ପାଗରେ ଛେଳିମାନେ ବଞ୍ଚିପାରିବେନି। କିନ୍ତୁ ମେଣ୍ଢାମାନଙ୍କ ଶରୀରରେ ଉଲ୍‌ ରହିଥିବାରୁ ସେମାନେ ହୁଏତ ଥଣ୍ଡାପାଗକୁ କିଛି ମାତ୍ରାରେ ସହିପାରନ୍ତି।

କିନ୍ତୁ ବହୁତ ଦିନ ଧରି ଅପେକ୍ଷା କରି ରହିବା ପରେ ଅନନ୍ୟୋପାୟ ହୋଇ ୱେୟିଲର ଅନ୍ୟ ବକରୱାଲ ପରିବାରଙ୍କ ସହିତ ନିଜ ପୋଷା ପ୍ରାଣୀମାନଙ୍କୁ ଟ୍ରକ୍‌ରେ ବୋଝେଇ କରିବାକୁ ସେ ବାଧ୍ୟ ହେଲେ। ଜମ୍ମୁରେ ଗରମ ବଢ଼ିବା ସହିତ ତାଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଥିଲା। ସେତେବେଳର କଥାକୁ ସେ ମନେ ପକାନ୍ତି। ସେ ଭାବିଲେ, “ସେମାନଙ୍କୁ ଯଦି ମୁଁ ତୁରନ୍ତ ଏଠାରୁ ନେଇ ନଯିବି ତେବେ ହୁଏତ ସମସ୍ତଙ୍କୁ ହରାଇବି।”

ସବୁ ବର୍ଷ ଯେଉଁ ସମୟରେ ସେମାନେ ଯାତ୍ରା କରନ୍ତି ସେହି ସମୟ ତୁଳନାରେ ସେ ଦୁଇ ସପ୍ତାହ ପଛରେ ପଡ଼ିଥିଲେ। ହେଲେ କାସିମ ଆଉ ଅଧିକ ସମୟ ହାତଛଡ଼ା କରିବାକୁ ଚାହୁଁ ନଥିଲେ। “କାଲାକୋଟରୁ ଗନ୍ଦେରବାଲ ପର୍ଯ୍ୟନ୍ତ (୨୨୯ କିଲୋମିଟର) ମୋର ପୋଷା ପ୍ରାଣୀମାନଙ୍କୁ ନେଇ ଯିବା ପାଇଁ ମୁଁ ୩୫,୦୦୦ ଟଙ୍କା ଦେଇଥିଲି।”

A herd of sheep and goat climbing up towards Lidwas peak in Srinagar for grazing.
PHOTO • Muzamil Bhat
Imran (right) is one of the youngest herders who will travel with his family to Lidwas.
PHOTO • Muzamil Bhat

ଶ୍ରୀନଗରର ଲିଡୱାସ୍‌ ପର୍ବତ ଶିଖରରେ ଘାସ ଚରିବା ପାଇଁ ପଲେ ମେଣ୍ଢା ଓ ଛେଳି ପାହାଡ଼ ଚଢ଼ି ଯାଉଛନ୍ତି। ନିଜ ପରିବାର ସହିତ ଲିଡୱାସ୍‌କୁ ଯାତ୍ରା କରିବେ ସବୁଠାରୁ ସାନ ପଶୁପାଳକମାନଙ୍କ ମଧ୍ୟରୁ ଜଣେ ଇମ୍ରାନ (ଡାହାଣ)

ତାଙ୍କ ପୋଷା ଜୀବମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦେଇଆସୁଥିବା ଅବଦୁଲ ମାସେ ବିଳମ୍ବରେ ମିନମର୍ଗରେ ପହଞ୍ଚିଥିଲେ। “ଏ ବର୍ଷ କାଶ୍ମୀରର ବିଭିନ୍ନ ଉଚ୍ଚ ସ୍ଥାନରେ ଏବେ ବି ବରଫ ପଡ଼ି ରହିଛି।” ଶେଷରେ, ଏହି ପରିବାର ଓ ସେମାନଙ୍କ ପୋଷା ପ୍ରାଣୀମାନେ ଜୁନ ୧୨ରେ ସେଠାରେ ପହଞ୍ଚିଲେ।

ପାହାଡ଼ ଚଢ଼ିବା ରାସ୍ତାରେ କେବଳ ବରଫ ନୁହେଁ, ତା ସହିତ ପ୍ରବଳ ବର୍ଷା ମଧ୍ୟ ଅବଦୁଲଙ୍କ ପୋଷା ପ୍ରାଣୀମାନଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା। ସେ କହିଲେ, “ଦକ୍ଷିଣ କାଶ୍ମୀରର ଶୋପିୟାଁ ଅଞ୍ଚଳରେ ଅଚାନକ ବନ୍ୟା ଯୋଗୁଁ ମୁଁ ୩୦ଟି ମେଣ୍ଢା ହରାଇଥିଲି।” ଏ ବର୍ଷ ମିନିମର୍ଗ ଯିବା ରାସ୍ତାରେ ଏହି ଅଘଟଣ ଘଟିଥିଲା। “ଆମେମାନେ ଶୋପିୟାଁ ଜିଲ୍ଲାର ମୁଗଲ ରୋଡ୍‌ରୁ ଆସୁଥିଲୁ ଏବଂ ହଠାତ୍‌ ବର୍ଷା ଆରମ୍ଭ ହୋଇଗଲା ଏବଂ ପାଞ୍ଚ ଦିନ ଧରି ଲାଗି ରହିଲା।”

ପିଲାଦିନରୁ ହିଁ ଅବଦୁଲ ଜମ୍ମୁରୁ ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ କାଶ୍ମୀରକୁ ଆସୁଛନ୍ତି ଏବଂ ସେ କହନ୍ତି ଯେ, ମେ ମାସର ଶେଷ ଭାଗ ଏବଂ ଜୁନ୍‌ ପ୍ରଥମ ଭାଗରେ ପାଣିପାଗର ଏଭଳି ଉଗ୍ର ରୂପ ଆଗରୁ କେବେ ଦେଖାଯାଇ ନଥିଲା। ସେ କହନ୍ତି ଯେ, ତରବର ହୋଇ ପାହାଡ଼ ଉପରକୁ ନ ଯାଇ ତାଙ୍କ ପରିବାର ଆଉ କିଛି ଦିନ ପାଇଁ ୱେୟିଲରେ ରହିବାକୁ ସ୍ଥିର କରିଥିବାରୁ ସେ ଖୁସି। ସେ କହନ୍ତି, “ବିଶାଳ ଜୋଜିଲା ଘାଟି (ମିନିମର୍ଗ ରାସ୍ତାରେ) ଅତିକ୍ରମ କରିବା ସମୟରେ ଆଉ ଅଧିକ ମେଣ୍ଢା ହରାଇବାକୁ ମୁଁ ଚାହୁଁ ନଥିଲି।”

ଶୋପିୟାଁର ଏହି ପୁରୁଣା ମୁଗଲ ବାଟ ଦେଇ ଯାଯାବର ପଶୁପାଳକ ସଂପ୍ରଦାୟର ପାରମ୍ପରିକ ରାସ୍ତା ଯାଇଅଛି।

ସେମାନେ ଯେତେବେଳେ ତୃଣଭୂମି ବଦଳରେ ବରଫ ଦେଖନ୍ତି, “ଆମେ ଆଶ୍ରୟ ନେବାକୁ କିମ୍ବା ଆମ ତମ୍ବୁ ପକାଇବାକୁ ସ୍ଥାନ ଖୋଜୁ।” ଅବଦୁଲ କହନ୍ତି, “ସାଧାରଣତଃ ଆମେ ଆଖପାଖରେ ଥିବା ବଡ଼ ବଡ଼ ଗଛ କିମ୍ବା ଡୋକା (ମାଟି ଘର) ଖୋଜିଥାଉ। ଯଦି ଆପଣଙ୍କର ଭାଗ୍ୟରେ ଥାଏ, ତେବେ କିଛି ଗୋଟିଏ ମିଳିଯିବ। ଅନ୍ୟଥା ଆପଣଙ୍କୁ ଖୋଲା ଜାଗାରେ ତମ୍ବୁ ଟାଣିବାକୁ ଏବଂ ବର୍ଷାରେ ଭିଜିବାକୁ ପଡ଼ିବ।” ଯେତେ ସମ୍ଭବ ସେତେ ପ୍ରାଣୀମାନଙ୍କୁ ବଞ୍ଚାଇବା ହିଁ ଗୁରୁତ୍ୱପୂର୍ଣ୍ଣ କଥା। ସେ କହନ୍ତି, “ସବ୍‌କୋ ଅପନି ଜୀନ୍ଦଗି ପ୍ୟାରୀ ହୈ (ସମସ୍ତେ ନିଜ ଜୀବନକୁ ଭଲ ପାଆନ୍ତି)।”

ସାଧାରଣତଃ ପଶୁପାଳକମାନେ କେଇ ସପ୍ତାହ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ସାଙ୍ଗରେ ନେଇଯାଆନ୍ତି। କିନ୍ତୁ ପ୍ରତିକୂଳ ପାଣିପାଗରେ ପରିଷ୍କାର ପାଣି ମିଳିବା କଷ୍ଟକର ହୋଇପଡ଼େ। ତାରିକ ଅହମଦ କହନ୍ତି, “ପ୍ରତିକୂଳ ପାଣିପାଗରେ ଆମେ ଯଦି କୌଣସି ସ୍ଥାନରେ ଅଟକି ଯାଉ, ତେବେ ପାଣିର ଅଭାବ ହିଁ ଆମ ଆଗରେ ସବୁଠାରୁ ବଡ଼ ସମସ୍ୟା ହୋଇ ଉଭା ହୁଏ। ବରଫ ପଡୁଥିଲେ ପାଣି ଖୋଜିବା ଆମ ପାଇଁ କଷ୍ଟକର ହୋଇପଡ଼େ ଏବଂ ସେତେବେଳେ ଆମେ ଯେ କୌଣସି ପ୍ରକାର ପାଣି, ଭଲ ହେଉ କି ଗୋଳିଆ, ଆଣି ଫୁଟାଇ ବ୍ୟବହାରଯୋଗ୍ୟ କରୁ।”

Shakeel Ahmad (left) enjoying lunch on a sunny afternoon in Wayil, Ganderbal with his wife Tazeeb Bano, and daughters Nazia and Rutba. The wait is finally over and the family are packing up to move into the higher Himalayas
PHOTO • Muzamil Bhat
Shakeel Ahmad (left) enjoying lunch on a sunny afternoon in Wayil, Ganderbal with his wife Tazeeb Bano, and daughters Nazia and Rutba. The wait is finally over and the family are packing up to move into the higher Himalayas.
PHOTO • Muzamil Bhat

ଗନ୍ଦେରବଲ ଜିଲ୍ଲାର ୱେୟିଲରେ ସୂର୍ଯ୍ୟାଲୋକିତ ଏକ ଅପରାହ୍‌ଣରେ ସ୍ତ୍ରୀ ତାଜିବ ବାନୋ ଏବଂ ଦୁଇ ଝିଅ ନାଜିଆ ଓ ରୁତ୍‌ବାଙ୍କ ସହିତ ମଧ୍ୟାହ୍ନ ଭୋଜନ କରୁଛନ୍ତି ଶକିଲ ଅହମଦ (ବାମ)। ଶେଷରେ ଅପେକ୍ଷାର ଅନ୍ତ ଘଟିଛି ଏବଂ ହିମାଳୟର ଉଚ୍ଚ ପାର୍ବତ୍ୟାଞ୍ଚଳକୁ ଯିବା ଲାଗି ତାଙ୍କ ପରିବାର ଜିନିଷପତ୍ର ବାନ୍ଧୁଛନ୍ତି

The family of Shakeel are taking along their household items to set up a new home in Baltal before the final destination at Zero point, Zojilla.
PHOTO • Muzamil Bhat
Right: A Bakerwal hut ( dok ) in Lidwas is still under snow even in late summer. Lidwas is a grazing ground and also base camp for climbing to Mahadev peak –Srinagar’s highest mountain at 3,966 metres
PHOTO • Muzamil Bhat

ଚୂଡ଼ାନ୍ତ ଲକ୍ଷ୍ୟସ୍ଥଳ ଜୋଜିଲାର ଜୀରୋ ପଏଣ୍ଟରେ ପହଞ୍ଚିବା ପୂର୍ବରୁ ବଲତାଲରେ ଏକ ନୂଆ ଘର ଗଢ଼ିବା ଲାଗି ଶକିଲଙ୍କ ପରିବାର ଲୋକେ ଘରକରଣା ଜିନିଷପତ୍ର ସାଙ୍ଗରେ ନେଇ ଯାଉଛନ୍ତି। ଡାହାଣ: ବିଳମ୍ବିତ ଗ୍ରୀଷ୍ମରେ ବି ଲିଡୱାସରେ ବକରୱାଲଙ୍କର ଏକ କୁଡ଼ିଆ ଘର (ଡୋକ) ବରଫରେ ଢାଙ୍କି ହୋଇ ରହିଛି। ଲିଡୱାସ ଏକ ଚାରଣ ଭୂମି ଏବଂ ୩,୯୬୬  ମିଟର ଉଚ୍ଚତା ବିଶିଷ୍ଟ ଶ୍ରୀନଗରର ସର୍ବବୃହତ୍‌ ପର୍ବତ- ମହାଦେବ ପର୍ବତ ଶିଖରକୁ ଚଢ଼ିବା ପାଇଁ ବେସ୍‌ କ୍ୟାମ୍ପ ମଧ୍ୟ

ଏବର୍ଷ ସେମାନେ ମଧ୍ୟ ବିଳମ୍ବରେ କାଶ୍ମୀର ଉପତ୍ୟକା ଉପରକୁ ଯାଉଛନ୍ତି ବୋଲି ଅନ୍ୟ ବକରୱାଲମାନେ କହନ୍ତି। ଅବଦୁଲ ୱାହିଦ କହନ୍ତି, “ଏ ବର୍ଷ (୨୦୨୩) ମେ ପହିଲାରେ ଆମେ ରାଜୌରିରୁ ଆମ ଯାତ୍ରା ଆରମ୍ଭ କରିଥିଲୁ ଏବଂ ବରଫ ତରଳିବା ଅପେକ୍ଷାରେ ପହଲଗାମରେ ୨୦ ଦିନ ଅଟକି ଗଲୁ।” ଏହି ୩୫ ବର୍ଷୀୟ ବକରୱାଲ ଜଣକ ତାଙ୍କ ସଂପ୍ରଦାୟର ଦଳେ ପଶୁପାଳକଙ୍କ ନେତୃତ୍ୱ ନିଅନ୍ତି ଏବଂ ସେମାନେ ଲିଡ୍ଡର ଉପତ୍ୟକା ଦେଇ କୋଲାହୋଇ ହିମସ୍ରୋତ ବା ଗ୍ଲାସିୟର ଅଭିମୁଖେ ଯାଉଥିଲେ।

ସାଧାରଣତଃ ଏହି ବାଟରେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସେମାନଙ୍କୁ ୨୦ରୁ ୩୦ ଦିନ ଲାଗିଥାଏ। ହେଲେ ଏହି ସମୟସୀମା ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରେ। ୨୮ ବର୍ଷୀୟ ଶକିଲ ଅହମଦ ବରଗଡ଼ କହନ୍ତି, “ମୁଁ ମୋ ସାଙ୍ଗରେ ଆଣିଥିବା ୪୦ଟି ମେଣ୍ଢାରୁ ଆଠଟିକୁ ହରାଇ ସାରିଲିଣି।” ସେ ସୋନାମାର୍ଗର ବଲତାଲକୁ ଯାଉଥିଲେ କିନ୍ତୁ ସେଠାରେ ବରଫ ତରଳି ନଥିବାରୁ ମେ ମାସ ୭ ତାରିଖରୁ ତମ୍ବୁ ପକାଇ ୱେୟିଲରେ ରହୁଥିଲେ। ବଲତାଲରୁ ସେ ଜୋଜିଲାର ଜୀରୋ ପଏଣ୍ଟକୁ ଯିବେ ଏବଂ ସେଠାରେ ସେ ଓ ଅନ୍ୟ ବକରୱାଲ ପରିବାର ଲୋକେ ପରବର୍ତ୍ତୀ ତିନି ମାସ ଏକାଠି ରହି ପଶୁ ଚରାଇବେ। ଶକିଲଙ୍କ କହିବା କଥା, “ଯେଉଁ ଅଞ୍ଚଳକୁ ଆମେ ଯାଉଛୁ ସେଠାରେ ହିମସ୍ଖଳନ ହେବାର ସମ୍ଭାବନା ରହିଛି” ଏବଂ ତେଣୁ ସେ ଆହୁରି କେତେକ ପଶୁ ହରାଇବେ ବୋଲି ଆଶଙ୍କା କରନ୍ତି।

କିଛି ଦିନ ତଳର ଘଟଣା ମନେ ପକାନ୍ତି ଶକିଲ। କେମିତି ତାଙ୍କର ବନ୍ଧୁ ଫାରୁକ, ଏ ବର୍ଷର ଅଚାନକ ବନ୍ୟାରେ ନିଜ ପରିବାର ଏବଂ ସବୁ ପୋଷା ପ୍ରାଣୀଙ୍କୁ ହରାଇଲେ, ସେ କଥା କହନ୍ତି ସେ।

ବକରୱାଲମାନଙ୍କ ପାଇଁ ଅଦିନିଆ ବର୍ଷା ଏବଂ ବରଫପାତ କିଛି ନୂଆ କଥା ନୁହେଁ। ୨୦୧୮ର ଏକ ଘଟଣା ମନେ ପକାନ୍ତି ତାରିକ। ସେଦିନ ହଠାତ ମିନିମର୍ଗରେ ବରଫ ପଡ଼ିବା ଆରମ୍ଭ ହୋଇଗଲା। ସେ ସଂପର୍କରେ ଏହି ୩୭ ବର୍ଷୀୟ ପଶୁପାଳକ ଜଣକ କହନ୍ତି, “ଆମେ ସକାଳେ ଉଠିବା ବେଳକୁ ଆମ ତମ୍ବୁ ଚାରିପଟେ ୨ ଫୁଟ୍‌ ଉଚ୍ଚର ବରଫ ଜମିଥିବା ଏବଂ ତମ୍ବୁ ଭିତରକୁ ପଶିବା ବାଟ ସବୁ ବନ୍ଦ ହୋଇଯାଇଥିବା ଦେଖି ଚକିତ ହୋଇଗଲୁ।” ବରଫ ବାହାର କରିବାକୁ କୌଣସି ଉପକରଣ ନଥିବାରୁ, “ଆମ ପାଖରେ ଯେଉଁ ସବୁ ବାସନକୁସନ ଥିଲା ସେଥିରେ ଆମେ ବରଫ ହଟାଇବାରେ ଲାଗିଲୁ” ବୋଲି ସେ କହନ୍ତି।

ବରଫ ହଟାଇ ବାହାରକୁ ଆସି ସେମାନଙ୍କ ପୋଷା ପ୍ରାଣୀମାନଙ୍କ ଅବସ୍ଥା ଦେଖିବାରେ ସମର୍ଥ ହେବା ବେଳକୁ ଅନେକ ପ୍ରାଣୀ ମରିଯାଇଥିଲେ। ସେଦିନର କଥା ମନେ ପକାଇ ତାରିକ କହନ୍ତି, “ଆମ ମେଣ୍ଢା, ଛେଳି, ଘୋଡ଼ା ଏବଂ ଏମିତି କି ଆମ କୁକୁର ମରିଯାଇଥିଲେ। କାରଣ ସେମାନେ ବାହାରେ ଥିଲେ ଏବଂ (ତମ୍ବୁ) ବାହାରେ ରହିଯାଇଥିବାରୁ ପ୍ରବଳ ବରଫପାତର ପ୍ରଭାବ ସହି ପାରିଲେ ନାହିଁ।”

ଅନୁବାଦ : ଓଡ଼ିଶାଲାଇଭ୍‍

Muzamil Bhat

Muzamil Bhat is a Srinagar-based freelance photojournalist and filmmaker, and was a PARI Fellow in 2022.

Other stories by Muzamil Bhat
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

Other stories by Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE