ସାତଟି ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ ତାରିଖରେ ଗଡ଼ଚିରୌଲି ଲୋକସଭା କ୍ଷେତ୍ରରେ ମତଦାନର ଗୋଟିଏ ଦିନ ପୂର୍ବରୁ ଜିଲ୍ଲାର ୧୨ଟି ତହସିଲର ପ୍ରାୟ ୧୪୫୦ ଗ୍ରାମ ସଭାରେ କଂଗ୍ରେସ ପ୍ରାର୍ଥୀ ଡକ୍ଟର ନାମଦେବ କିରସନଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବାକୁ ଘୋଷଣା କରାଯାଇଥିଲା ଯାହାକି ଏକ ଅପ୍ରତ୍ୟାଶିତ ପଦକ୍ଷେପ ଥିଲା।

ଅପ୍ରତ୍ୟାଶିତ ଏଥିପାଇଁ ଥିଲା ଯେ ଏହି ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସାଧାରଣତଃ ଖୋଲାଖୋଲି ଭାବେ କୌଣସି ରାଜନୈତିକ ପକ୍ଷ ଗ୍ରହଣ କରିନଥା’ନ୍ତି। ଏଭଳି ସ୍ଥିତିରେ ନିଜର ଜିଲ୍ଲା ୱାରୀ ସଂଘ ଜରିଆରେ ଗ୍ରାମ ସଭାର ସମର୍ଥନ କଂଗ୍ରେସକୁ ଆଚମ୍ବିତ କରି ଦେଇଥିଲା ଏବଂ ଭାରତୀୟ ଜନତା ପାର୍ଟିକୁ ଚିନ୍ତାରେ ପକାଇ ଦେଇଥିଲା। ବିଜେପିର ବର୍ତ୍ତମାନର ସାଂସଦ ଅଶୋକ ନେତେ ଏଠାରୁ ତୃତୀୟ ଥର ପାଇଁ ନିର୍ବାଚିତ ହେବା ଲକ୍ଷ୍ୟରେ ରହିଛନ୍ତି ।

ଗ୍ରାମ ସଭାର ଏକ ହଜାରରୁ ଅଧିକ ପଦାଧିକାରୀ ଏବଂ ପ୍ରତିନିଧି ୧୨ ଏପ୍ରିଲରେ ଦିନ ସାରା ଗଡ଼ଚିରୋଲି ସହରର ଏକ ବିବାହ ମଣ୍ଡପ ସୁପ୍ରଭାତ ମଙ୍ଗଳ କାର୍ଯ୍ୟାଳୟରେ କଂଗ୍ରେସ ପ୍ରାର୍ଥୀ ଏବଂ ନେତାଙ୍କ ଖୋଲା ବୈଠକ ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରି ରହିଥିଲେ। ସନ୍ଧ୍ୟାରେ ଜିଲ୍ଲାର ଦକ୍ଷିଣ-ପୂର୍ବ ବ୍ଲକ ଭମ୍ରାଗଡ଼ର ଦୁର୍ବଳ ଆଦିବାସୀ ସମ୍ପ୍ରଦାୟ ମିଡ଼ିଆର ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଲାଲସୁ ନୋଗୋଟି ଶାନ୍ତ ଭାବେ କିର୍ସାନ୍‌ଙ୍କ ଆଗରେ ସର୍ତ୍ତଗୁଡ଼ିକ ପଢ଼ିଥିଲେ, ସେ ସମର୍ଥନପତ୍ରକୁ ସ୍ୱୀକାର କରି ନେଇଥିଲେ ଏବଂ ସାଂସଦ ଭାବେ ନିର୍ବାଚିତ ହେଲେ ଦାବିଗୁଡ଼ିକୁ ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।

ସର୍ତ୍ତାବଳୀ ମଧ୍ୟରେ ଜିଲ୍ଲାର ବନାଞ୍ଚଳରେ ବେଧଡ଼କ ଏବଂ ବେପରୁଆ ଖଣି ଖନନକୁ ରୋକିବା; ଜଙ୍ଗଲ ଅଧିକାର ଆଇନ ଅଧୀନରେ ନିୟମଗୁଡ଼ିକୁ କୋହଳ କରିବା; ପଡ଼ି ରହିଥିବା ଦାବି ସହିତ ଗୋଷ୍ଠୀ ଜଙ୍ଗଲ ଅଧିକାର (ସିଏଫଆର) ପ୍ରଦାନ କରିବା; ଏବଂ ଭାରତର ସମ୍ବିଧାନକୁ କଡ଼ାକଡ଼ି ପାଳନ କରିବା ବ୍ୟତୀତ ଅନ୍ୟାନ୍ୟ ସର୍ତ୍ତ ସାମିଲ ରହିଥିଲା।

‘‘ଆମର ସମର୍ଥନ କେବଳ ଚଳିତ ନିର୍ବାଚନ ପାଇଁ,’’ ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା, ‘‘ପ୍ରତିଶ୍ରୁତି ପୂରଣ କରିବାରେ ପ୍ରତାରଣା କରାଗଲେ ଆମ ଲୋକମାନେ ଭବିଷ୍ୟତରେ ଭିନ୍ନ ଆଭିମୁଖ୍ୟ ପୋଷଣ କରିବେ।’’

ଗ୍ରାମସଭାଗୁଡ଼ିକ ଏଭଳି ପଦକ୍ଷେପ କାହିଁକି ନେଲେ?

ଅଭିଜ୍ଞ ଆଦିବାସୀ କର୍ମୀ ଏବଂ କଂଗ୍ରେସ ଦଳର ପୂର୍ବତନ ନେତା ସୋନୁ ଗୋଟା କୁହନ୍ତି, ‘‘ଆମେ ସରକାରଙ୍କୁ ଖଣି ତୁଳନାରେ ଅଧିକ ରୟାଲିଟି ପ୍ରଦାନ କରିବୁ। ଏହି ଅଞ୍ଚଳରୁ ଜଙ୍ଗଲ ପଦା କରିବା ଏବଂ ଖଣି ଖୋଳିବା ବଡ଼ ଭୁଲ ହେବ।’’

PHOTO • Jaideep Hardikar
PHOTO • Jaideep Hardikar

ବାମ : ଲାଲସୁ ନୋଗୋଟି ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଏବଂ ସେ ଗଡ଼ଚିରୋଲିରେ ପ୍ରମୁଖ ଗ୍ରାମ ସଭା ମହାସଂଘ ନେତାମାନଙ୍କ ମଧ୍ୟରୁ ଅନ୍ୟତମ। ଡାହାଣ : ଦକ୍ଷିଣ ମଧ୍ୟ ଗଡ଼ଚିରୋଲିର ଅଭିଜ୍ଞ ଆଦିବାସୀ କର୍ମୀ ଓ ନେତା ସୈନୁ ଗୋଟା ଏବଂ ତାଙ୍କ ପତ୍ନୀ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶିଲା ଗୋଟା ତୋଡଗଟ୍ଟା ନିକଟରେ ଥିବା ସେମାନଙ୍କ ଘରେ ଛିଡ଼ା ହୋଇଛନ୍ତି

ଗୋଟା ସବୁକିଛି ଦେଖିଛନ୍ତି - ହତ୍ୟା, ନିର୍ଯାତନା, ଜଙ୍ଗଲ ଅଧିକାର ପାଇବା ଲାଗି ଦୀର୍ଘ ପ୍ରତିକ୍ଷା ଏବଂ ତାଙ୍କ ଗୋଣ୍ଡ ଜନଜାତିକୁ କ୍ରମାଗତ ଭାବେ ପରାଧିନ କରି ରଖିବା। କଳା ମୁନିଆ ନିଶ ଥିବା ୬୦ ବର୍ଷ ବୟସ୍କ ଡେଙ୍ଗା ଓ ମଜବୁତ ବ୍ୟକ୍ତି ଗୋଟା କୁହନ୍ତି ଯେ ଗଡ଼ଚିରୌଲିର ଅନୁସୂଚିତ କ୍ଷେତ୍ର (ପେସା) ଅଧୀନରେ ଆସୁଥିବା ଗ୍ରାମସଭାଗୁଡ଼ିକ ଦୁଇଟି କାରଣ ପାଇଁ ବିଜେପି ସାଂସଦଙ୍କ ବିରୋଧରେ ଏକାଠି ହୋଇ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମତଃ, ଏଫଆରଏ ଦୁର୍ବଳ ହେବା ଏବଂ ଦ୍ୱିତୀୟତଃ ବନାଞ୍ଚଳରେ ଖଣି ଖନନର ବିପଦ ଯାହାଦ୍ୱାରା ସେମାନଙ୍କ ସଂସ୍କୃତି ଓ ବାସସ୍ଥଳୀ ନଷ୍ଟ ହୋଇଯିବ। ସେ କୁହନ୍ତି, ‘‘ଜନସାଧାରଣଙ୍କୁ ପୁଲିସ ଦେଉଥିବା ନିର୍ଯାତନା କ୍ରମାଗତ ଭାବେ ଚାଲିପାରିବ ନାହିଁ, ଏହା ବନ୍ଦ ହେବା ଉଚିତ୍‌।’’

ଆଦିବାସୀ ଗ୍ରାମସଭା ପ୍ରତିନିଧିମାନେ ଆପୋଷ ସହମତିରେ ପହଞ୍ଚିବା ଓ ସମର୍ଥନ କରିବା ଲାଗି ନିଜର ସର୍ତ୍ତ ନିର୍ଦ୍ଧାରଣ କରିବା ପୂର୍ବରୁ ତିନି ବର୍ଷ ବିଚାରବିମର୍ଶ କରିଥିଲେ।

୨୦୧୭ରେ ଜିଲ୍ଲା ପରିଷଦକୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ନୋଗୋଟି କୁହନ୍ତି, ‘‘ଏହା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ।’’ ଜିଲ୍ଲାରେ ସେ ଓକିଲ୍‌-ସାହେବ ନାମରେ ପରିଚିତ। ‘‘ଲୋକମାନେ ଏକ ସଚେତନ ସ୍ଥିତିରେ ପହଞ୍ଚିବା ଲାଗି ନିଷ୍ପତ୍ତି ନେଇଥିଲେ।’’

ବିନା କାରଣରେ କାର୍ଯ୍ୟାନୁଷ୍ଠାନର ଏକ ଉଦାହରଣ ସ୍ୱରୂପ, ଲୁହା ପଥର ସମୃଦ୍ଧ ଏହି ଅଞ୍ଚଳରେ ଆଉ ଏକ ପ୍ରସ୍ତାବିତ ଖଣି ଖୋଳିବାକୁ ବିରୋଧ କରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଚଳାଇଥିବା ୨୫୩ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଗଡ଼ଚିରୋଲି ପୁଲିସ ଗତ ନଭେମ୍ବର ମାସରେ ବଳପୂର୍ବକ ବନ୍ଦ କରି ଦେଇଥିଲା।

ସୁରକ୍ଷା କର୍ମୀଙ୍କ ଉପରେ ଆନ୍ଦୋଳନକାରୀମାନେ ଆକ୍ରମଣ କରିଥିବା ମିଥ୍ୟା ଅଭିଯୋଗ ଆଣି ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ଏକ ବଡ଼ ଦଳ ତୋଡ଼ଗଟ୍ଟା ଗାଁରେ ଥିବା ସେହି ଆନ୍ଦୋଳନସ୍ଥଳୀକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥିଲା, ଯେଉଁଠି ପ୍ରାୟ ୭୦ଟି ଗାଁର ଆନ୍ଦୋଳନକାରୀ ସୁରଜାଗଡ଼ କ୍ଷେତ୍ରରେ ଛଅଟି ପ୍ରସ୍ତାବିତ ଏବଂ ନିଲାମ ହୋଇଥିବା ଖଣି ବିରୋଧରେ ଆନ୍ଦୋଳନ କରୁଥିଲେ। ସେମାନଙ୍କର ସଂଘର୍ଷକୁ ନିଷ୍ଠୁରତାପୂର୍ବକ ନଷ୍ଟ କରି ଦିଆଯାଇଥିଲା।

PHOTO • Jaideep Hardikar
PHOTO • Jaideep Hardikar

ବାମ : ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ପାଇଁ ପବିତ୍ର ବୋଲି ମନେ କରାଯାଉଥିବା ପାହାଡ଼ ଉପରେ ପ୍ରାୟ ୪୫୦ ହେକ୍ଟର ଜମି ଉପରେ ବ୍ୟାପି ରହିଥିବା ସୁରଜାଗଡ଼ ଲୁହା ପଥର ଖଣି, ଏକଦା ଜଙ୍ଗଲ ସମୃଦ୍ଧ କ୍ଷେତ୍ର ଥିଲା, ହେଲେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଅଳିଆ ଗଦାରେ ପରିଣତ ହୋଇଛି। ସଡ଼କ ଲାଲ୍‌ ହୋଇଯାଇଛି ଏବଂ ନଦୀରେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଡାହାଣ : ସରକାର ଖଣି ଖୋଳିବା ପାଇଁ   ଅନୁମତି ଦେଲେ ତୋଡ଼ଗଟ୍ଟା ଗାଁର ଜଙ୍ଗଲକୁ ଲୁହା ପଥର ପାଇଁ କାଟି ଦିଆଯିବ। ଏହାଦ୍ୱାରା ସେମାନଙ୍କ ଜଙ୍ଗଲ, ଘର ଏବଂ ସଂସ୍କୃତି ସ୍ଥାୟୀ ଭାବେ ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ଲୋକମାନେ ଆଶଙ୍କା କରୁଛନ୍ତି । ଏହି କାରଣରୁ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରାୟ ୧୪୫୦ ଗ୍ରାମ ସଭା ଖୋଲାଖୋଲି ଭାବେ କଂଗ୍ରେସ ପ୍ରାର୍ଥୀ ଡକ୍ଟର ନାମଦେବ କିରସନଙ୍କୁ ସମର୍ଥନ କରିଛନ୍ତି

ବର୍ତ୍ତମାନ ଲଏଡକ୍ସ ମେଟାଲ୍‌ ଏଣ୍ଡ ଏନର୍ଜି ଲିମିଟେଡ୍‌ ନାମକ କମ୍ପାନୀ ଦ୍ୱାରା ପରିଚାଳିତ ସୁରଜାଗଡ଼ ଖଣିରେ ହେଉଥିବା ପରିବେଶ ବିନାଶକୁ ଦେଖିବା ପରେ ଛୋଟ, ଗାଁ ଏବଂ ବସ୍ତିର ଲୋକମାନେ ପାଳି କରି; ପ୍ରାୟ ଆଠ ମାସ ଧରି ଧାରଣା ସ୍ଥଳରେ ବସିଥିଲେ। ପ୍ରତି ଚାରି ଦିନରେ ଥରେ ୧୦-୧୫ ଲୋକ ଆସି ଏଥିରେ ଯୋଗ ଦେଉଥିଲେ। ସେମାନଙ୍କର ଦାବି ସରଳ ଥିଲା : ସ୍ଥାନୀୟ ଅଞ୍ଚଳରେ କୌଣସି ଖଣି ଖୋଳାଯିବ ନାହିଁ। ଏହା କେବଳ ସେମାନଙ୍କ ଜଙ୍ଗଲକୁ ସୁରକ୍ଷିତ ରଖିବ ନାହିଁ। ଏହା ସେମାନଙ୍କ ସାଂସ୍କୃତିକ ପରମ୍ପରା ପାଇଁ ମଧ୍ୟ ଜରୁରି ଥିଲା - ଏହି କ୍ଷେତ୍ରରେ ଅନେକ ଧାର୍ମିକ ପୀଠ ରହିଛି।

ପୁଲିସ ପ୍ରାୟ ଆଠ ଜଣ ନେତାଙ୍କୁ ଗିରଫ କଲା ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ କଲା, ଯାହାକୁ ସ୍ଥାନୀୟ ଲୋକମାନେ ନିନ୍ଦା କରିବା ସହିତ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲା। ଏହି ଘଟଣା ଏକ ସଦ୍ୟତମ ମୋଡ଼ ଆଣିଥିଲା।

ବର୍ତ୍ତମାନ ସେଠାରେ ଶାନ୍ତି ରହିଛି।

ଗଡ଼ଚିରୋଲି ଜିଲ୍ଲା ସିଏଫଆର୍‌ ର ସ୍ୱୀକୃତି ମାମଲାରେ ଦେଶରେ ଅଗ୍ରଣୀ ରହିଛି, ଏଠାରେ ପେସା ଅଧୀନରେ ଆସୁଥିବା ଅଞ୍ଚଳ ଭିତରେ ଓ ବାହାରେ ପ୍ରାୟ ୧୫୦୦ ଗ୍ରାମ ସଭା ରହିଛି।

ସ୍ଥାନୀୟ ସମ୍ପ୍ରଦାୟର ଲୋକମାନେ ନିଜ ଜଙ୍ଗଲ ପରିଚାଳନା କରିବା, ଲଘୁ ବନ୍ୟଜାତ ଉତ୍ପାଦ ଅମଳ କରିବା ଏବଂ ଉନ୍ନତ ମୂଲ୍ୟ ପାଇବା ଲାଗି ନିଲାମି ଆୟୋଜନ କରିବା ଆରମ୍ଭ କରି ଦେଇଛନ୍ତି, ଯାହାଦ୍ୱାରା ସେମାନଙ୍କର ଆୟ ବୃଦ୍ଧି ପାଇଛି। ସିଏଫ୍‌ଆର୍‌ ସାମାଜିକ ଏବଂ ଆର୍ଥିକ ସ୍ଥିରତା ପ୍ରଦାନ କରିଛି ଏବଂ ବହୁ ଦଶନ୍ଧି ଧରି ଚାଲିଥିବା ବିବାଦ ଓ ସଂଘର୍ଷରେ ପରିବର୍ତ୍ତନ ଆସିଛି।

ସୁରଜାଗଡ଼ ଖଣି ସମସ୍ୟା ସୃଷ୍ଟି କରିଛି : ପାହାଡ଼ ଖନନ କରାଯାଇଛି; ପାହାଡ଼ରୁ ବୋହୁଥିବା ନଦୀ ଓ ନାଳରେ ଲାଲ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି । ଭାରୀ ସୁରକ୍ଷା ଏବଂ ବାଡ଼ ଘେରା କ୍ଷେତ୍ରରେ ଆବଦ୍ଧ ଖଣି କ୍ଷେତ୍ରରୁ ଲୁହା ପଥର ବୋହି ନେଇ ଆସୁଥିବା ବହୁସଂଖ୍ୟାରେ ଟ୍ରକଗୁଡ଼ିକ ଧାଡ଼ି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖିପାରିବେ। ଖଣି ଚାରିପାଖରେ ଥିବା ଜଙ୍ଗଲ ଘେରା ଗାଁ ଏବେ ସଂକୁଚିତ ହୋଇଗଲାଣି ଏବଂ ସେମାନଙ୍କ ମୂଳ ପରିଚୟ ଅସ୍ପଷ୍ଟ ହୋଇଯାଇଛି।

PHOTO • Jaideep Hardikar
PHOTO • Jaideep Hardikar

ହ୍ରଦରୁ ସୁରଜାଗଡ଼ ଖଣି ପର୍ଯ୍ୟନ୍ତ ପାଣି ନେବା ଲାଗି ବଡ଼ ବଡ଼ ପାଇପଲାଇନ (ବାମ) ବିଛା ହୋଇଥିବା ବେଳେ ବଡ଼ ବଡ଼ ଟ୍ରକ୍‌ (ଡାହାଣ) ଅନ୍ୟତ୍ର ରହିଥିବା ଷ୍ଟିଲ୍‌ ପ୍ଲାଣ୍ଟକୁ ଜିଲ୍ଲାରୁ ଲୁହା ପଥର ନେଇ ଯାଉଛନ୍ତି

PHOTO • Jaideep Hardikar
PHOTO • Jaideep Hardikar

ବାମ : ତୋଡ଼ଗଟ୍ଟାରେ ପ୍ରସ୍ତାବିତ ଲୁହାପଥର ଖଣିକୁ ବିରୋଧ କରି ପ୍ରାୟ ୭୦ଟି ଗାଁର ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି । ଡାହାଣ : ସୁରଜାଗଡ଼ ଖଣି ପଛରେ ରହିଛି ଶାନ୍ତ ଓ ସ୍ଥିର ମାଲ୍ଲମପାଡ଼ ଗ୍ରାମ ରହିଛି। ଏଠାରେ ଓରାଓଁ ଜନଜାତିର ଲୋକମାନେ ରୁହନ୍ତି, ସେମାନେ ନିଜ ଜଙ୍ଗଲ ଓ ଜମି ନଷ୍ଟ ହେବା ଦେଖିଛନ୍ତି

ମାଲ୍ଲମପାଡ଼ ଗ୍ରାମକୁ ଉଦାହରଣ ଭାବେ ନିଅନ୍ତୁ। ସ୍ଥାନୀୟ ଅଞ୍ଚଳରେ ମାଲମପାଡ଼ି ନାମରେ ପରିଚିତ ଏହି ଛୋଟ ପଡ଼ା ଚାମୋର୍ଶି ବ୍ଲକ୍‌ ଅଧୀନରେ ଆସିଥାଏ ଏବଂ ସୁରଜାଗଡ଼ ଖଣି ପଛରେ ଥିବା ଏହି ଗାଁରେ ଓରାଓଁ ସମ୍ପ୍ରଦାୟ ରୁହନ୍ତି। ଖଣିରୁ ହେଉଥିବା ପ୍ରଦୂଷଣ କାରଣରୁ କୃଷି କାର୍ଯ୍ୟ କିଭଳି ପ୍ରଭାବିତ ହୋଇଛି ସେ ବିଷୟରେ ସ୍ଥାନୀୟ ଯୁବବର୍ଗ ଆଲୋଚନା କରିଥା’ନ୍ତି। ସେମାନେ ବିନାଶ, ବିଧ୍ୱଂସ ଏବଂ ବର୍ତ୍ତମାନର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦିଅନ୍ତି। କେତେକ ଛୋଟ ପଡ଼ାର ଲୋକମାନେ ଶାନ୍ତି ନଷ୍ଟ ହେବା ଦେଖିଛନ୍ତି ଯାହାକୁ ବାହାର ଲୋକମାନେ ‘ବିକାଶ’ ବୋଲି କହିଥାନ୍ତି।

ରାଜ୍ୟ ସୁରକ୍ଷା ବାହିନୀ ଏବଂ ସିପିଆଇ (ମାଓବାଦୀ)ର ସଶସ୍ତ୍ର ଗରିଲାଙ୍କ ମଧ୍ୟରେ ହିଂସା ଓ ସଂଘର୍ଷର ଏକ ଲମ୍ବା ଇତିହାସ ଗଢ଼ଚିରୋଲିରେ ରହିଥିଲା, ଯାହା ବିଶେଷ କରି ଜିଲ୍ଲାର ଦକ୍ଷିଣ, ପୂର୍ବ ଏବଂ ଉତ୍ତର ଭାଗରେ ଅତ୍ୟନ୍ତ ଭୟଙ୍କର ସ୍ଥିତିରେ ଥିଲା।

ରକ୍ତପାତ ହୋଇଥିଲା। ଗିରଫଦାରୀ ହୋଇଥିଲା। ହତ୍ୟା, ଫସାଇବା, ଘେରିଯାଇ ଆକ୍ରମଣ କରିବା, ମାଡ଼ପିଟ୍‌ ତିନି ଦଶନ୍ଧି ଧରି ଚାଲିଥିଲା। ସେହିପରି କ୍ଷୁଧା ଓ ଅଭାବ, ମାଲେରିଆ ଏବଂ ଅଧିକ ମାତୃ ଓ ଶିଶୁ ମୃତ୍ୟୁହାର ଭଳି ସମସ୍ୟା ଥିଲା। ଲୋକମାନେ ପ୍ରାଣ ହରାଇଥିଲେ।

ନିଜ ସମ୍ପ୍ରଦାୟର ପ୍ରଥମ ପିଢ଼ିର ଶିକ୍ଷିତ ଯୁବକମାନଙ୍କ ମଧ୍ୟରୁ ଅନ୍ୟତମ ନୋଗୋଟି ସର୍ବଦା ହସ ହସ ମୁହଁରେ ପଚାରନ୍ତି ‘‘ଆମେ କ’ଣ ଚାହୁଁଛୁ ଓ ଆମର କ’ଣ ଦରକାର ଥରେ ଆମକୁ ପଚାରନ୍ତୁ। ଆମର ନିଜସ୍ୱ ପରମ୍ପରା ରହିଛି; ଗଣତାନ୍ତ୍ରିକ ବ୍ୟବସ୍ଥା ଅଛି; ଏବଂ ଆମେ ନିଜ କଥା ଚିନ୍ତା କରିପାରିବୁ।’’

ଅନୁସୂଚିତ ଜନଜାତି (ଏସଟି) ପାଇଁ ସଂରକ୍ଷିତ ଏହି ବଡ଼ ନିର୍ବାଚନ ମଣ୍ଡଳୀରେ ୧୯ ଏପ୍ରିଲରେ ୭୧ ପ୍ରତିଶତରୁ ଅଧିକ ମତଦାନ ରେକର୍ଡ ହୋଇଥିଲା। ୪ ଜୁନ୍‌ରେ ଭୋଟ୍‌ ଗଣତି ପରେ, ଯେତେବେଳେ ଦେଶରେ ନୂଆ ସରକାର ଗଠନ ହେବ, ଗ୍ରାମସଭାର ରଣନୀତି ଦ୍ୱାରା କୌଣସି ଫରକ ପଡ଼ିଛି କି ନାହିଁ ଆମକୁ ଜଣାପଡ଼ିବ।

ଅନୁବାଦ : ଓଡ଼ିଶାଲାଇଭ୍‍

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar
Editor : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE