କିଛି ମାସ ତଳେ ଯେତେବେଳେ ମୋହନ ଚନ୍ଦ୍ର ଯୋଶୀଙ୍କ ସାନଭାଇ ଭାରତୀୟ ସେନା ପାଇଁ ମନୋନୀତ ହେଲେ, ସେ ତୁରନ୍ତ ଆଲମୋଡ଼ା ଡାକଘରେ ଥିବା ଜଣେ ପରିଚିତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ସେହିଠାରେ ହିଁ ରଖିବାକୁ କହିଲେ । ସେ କହିଲେ, “ଏହାକୁ ଆମ ଘରକୁ ପଠାନ୍ତୁ ନାହିଁ ।” ତାଙ୍କ ଭାଇଙ୍କ ସେନାରେ ଯୋଗଦାନକୁ ମୋହନ ଚନ୍ଦ୍ର ଅଟକାଉ ନଥିଲେ । ସେ କେବଳ ଏଥିପାଇଁ ଚିନ୍ତିତ ଥିଲେ ଯେ ଚିଠିଟି ହୁଏତ ଡେରିରେ ପହଞ୍ଚିବ କିମ୍ବା ଆଦୌ ପହଞ୍ଚିବ ନାହିଁ । ଉତ୍ତରାଖଣ୍ଡ ପିଥୋରାଗଡ଼ର ଭାନୋଲି ଗୁନ୍ଥ ଗାଁ ଲୋକଙ୍କ କ୍ଷେତ୍ରରେ ପ୍ରାୟ ଏହା ହିଁ ଘଟେ । ସେମାନଙ୍କର ନିକଟତମ ଡାକଘର ରହିଛି ଅନ୍ୟ ଏକ ଜିଲ୍ଲାରେ ।

“ସାକ୍ଷାତ୍‌କାର ପାଇଁ ଚିଠି ବହୁ ବିଳମ୍ବରେ ପହଞ୍ଚୁଥିବାରୁ ଏଠାକାର ବହୁ ଲୋକ ଚାକିରି ହରାଇଛନ୍ତି । ଅନେକ  ସମୟରେ ସାକ୍ଷାତ୍‌କାର ତାରିଖ ଅତିବାହିତ ହେବା ପରେ ପୋଷ୍ଟ୍‌ମ୍ୟାନ୍‌ ଚିଠି ପହଞ୍ଚାଇ ଥାଆନ୍ତି । ଏମିତି ଏକ ଦୁର୍ଗମ ସ୍ଥାନରେ, ଯେଉଁଠି କୌଣସି ଚାକିରି ମିଳେନି, ଏଭଳି ଚିଠିଟିଏ ହରାଇବାକୁ କିଏ ବା ସହଜରେ ଗ୍ରହଣ କରିପାରିବ, ତା ବି ସରକାରୀ ନିଯୁକ୍ତି ସଂପର୍କିତ ଚିଠି ?” ପଚାରନ୍ତି ମୋହନ ଚନ୍ଦ୍ର, ଆଉ ତାଙ୍କ ଆଖି ହିଁ ଅଧିକାଂଶ କଥା କହୁଥାଏ ।

ନିଜ ହାତରେ ଏହି ଚିଠିଟି ଆଣିବାକୁ ମୋହନ ୭୦ କିଲୋମିଟର ଦୂର ଆଲମୋଡ଼ାର ପ୍ରଧାନ ଡାକଘରକୁ ଯାଇଥିଲେ । ସେ କହନ୍ତି, “ହଁ, ମୁଁ ଜାଣିଛି ଯେ ଆମେ ନିଜେ ନିଜେ ଡାକଘରୁ ଚିଠି ଆଣିବା କଥା ନୁହେଁ । ପୋଷ୍ଟମ୍ୟାନ୍‌ ଆମ ଘରେ ଚିଠି ଦେଇଯିବା କଥା । କିନ୍ତୁ ଆମେ ଏତେ ଆରାମରେ ବସି ରହିପାରିବୁ ନାହିଁ ।  ଯଦି ଆମେ ନିଜେ ନିଜେ ଚିଠି ଆଣିବୁ ନାହିଁ, ତାହେଲେ ତାକୁ ପାଇବାକୁ ଗୋଟିଏ ମାସ ଲାଗିଯାଇପାରେ (ତାହା ବି ଯଦି କେବେ ମିଳେ) । ସେତେବେଳକୁ ମୋ ଭାଇର ସେନାରେ ଯୋଗ ଦେବା ତାରିଖ ଚାଲି ଯାଇଥିବ ।’’

ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଭାନୋଲିଗୁନ୍ଥ (ଭାନୋଲି ସେରା ବି କହନ୍ତି) ଗାଁର ଗୋଟିଏ ଚା’ଦୋକାନରେ ମୋହନ ଚନ୍ଦ୍ର ଓ ଅନ୍ୟ କେତେ ଜଣ ଆମ ସହ କଥାବାର୍ତ୍ତା କରୁଥିଲେ । ଡାକସେବା କ୍ଷେତ୍ରରେ ଆଉ ପାଞ୍ଚ ଖଣ୍ଡ ଗାଁ ବି ଦୁର୍ଦ୍ଦଶା ଭୋଗନ୍ତି- ଚିଠି ବିଳମ୍ବରେ ଆସେ କିମ୍ବା ଆଦୌ ଆସେନାହିଁ । ଏଇ ଗାଁଗୁଡ଼ିକ ହେଲେ ସେରା ଉର୍ଫ ବାଡ଼ୋଲି, ସାର୍ତୋଲା, ଚୌନାପାତାଲ, ନାଇଲି ଏବଂ ଏକାଭଳି ଶୁଭୁଥିବା କିନ୍ତୁ ଭିନ୍ନ ଏକ ଗାଁ ବାଡ଼ୋଲି ସେରା ଗୁନ୍ଥ

PHOTO • Arpita Chakrabarty

ଭାନୋଲିଗୁନ୍ଥର ଚା’ ଦୋକାନରେ । ବାମରୁ ଡାହାଣ: ମଦନ ସିଂହ, ମଦନ ଧୁବାଲ ଏବଂ ମୋହନ ଚନ୍ଦ୍ର ଯୋଶୀ

ଆଲମୋଡ଼ା ଓ ପିଥୋରାଗଡ଼ ଜିଲ୍ଲାର ସୀମାରେ ଏହି ସବୁ ଗାଁ ଅବସ୍ଥିତ । ସେରାଘାଟ ନିକଟରେ ସରଯୂ ନଦୀ ଉପରେ ଥିବା ଲୁହାର ପୋଲ ହିଁ ଏହି ସୀମାକୁ ଚିହ୍ନିତ କରେ । ସମସ୍ତ ଛଅଟି ଯାକ ଗାଁ ପିଥୋରାଗଡ଼ର ଗଙ୍ଗୋଲିହାଟ ବ୍ଲକ୍‌ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ସେମାନଙ୍କ ଡାକଘର ରହିଛି ପୋଲ ଆରପଟେ । ଯାହା କି, ପାଞ୍ଚ କିଲୋମିଟର ଦୂର ଆଲମୋଡ଼ା ଜିଲ୍ଲାର ଭାସିୟାଚନା ବ୍ଲକ୍‌ରେ । ସେଠାରୁ ଚିଠିପତ୍ର ଆସି ପହଞ୍ଚିବାକୁ ୧୦ ଦିନ ଲାଗିଯାଏ । ସେଇଭଳି ସେମାନଙ୍କ ନିଜ ଜିଲ୍ଲା ସଦର ମହକୁମାରୁ ଚିଠିଟିଏ ଆସିବାକୁ ମାସେ ପର୍ଯ୍ୟନ୍ତ ଲାଗିଯାଇପାରେ । ଚା’ କପ୍‌କୁ ହାତରେ ଧରି ମଦନ ସିଂହ କହନ୍ତି, “ଏଭଳି ବିଡ଼ମ୍ବନା । ଏ ପର୍ଯ୍ୟନ୍ତ ସେମାନେ ଆମକୁ ପିଥୋରାଗଡ଼ ଜିଲ୍ଲାର ଅଂଶ ରୂପେ ଗ୍ରହଣ କରନ୍ତି ନାହିଁ । ଏହା ଏମିତିକା କଥା ଯେ, ଆମେ ଏଠାରେ ରହୁ, କିନ୍ତୁ ଆମ ଠିକଣା ଆଲମୋଡ଼ାରେ ।

ଆଲମୋଡ଼ାରୁ ଅଲଗା ହୋଇ ସ୍ଵତନ୍ତ୍ର ପିଥୋରାଗଡ଼ ଜିଲ୍ଲା ଗଠନର ପୂରା ୫୬ ବର୍ଷ ପରେ ମଧ୍ୟ ଏହି ସବୁ ଗାଁ ଓ ପଡ଼ା ଗାଁର ୨,୦୦୩ ଜଣ ବାସିନ୍ଦା ଏ ପର୍ଯ୍ୟନ୍ତ ନିଜକୁ ଆଲମୋଡ଼ାରୁ ବିଚ୍ଛିନ୍ନ କରିପାରିନାହାନ୍ତି । ଦିନେ ଆଲମୋଡ଼ାକୁ ସେମାନେ ନିଜଘର ବୋଲି କହୁଥିଲେ । ଆଲମୋଡ଼ା ଜିଲ୍ଲା ସଦର ମହକୁମାଠାରୁ ୭୦ କିଲୋମିଟର ଦୂରରେ ରହୁଛନ୍ତି, କିନ୍ତୁ ପିଥୋରାଗଡ଼ ସଦର ମହକୁମାରୁ ୧୩୦ କିଲୋମିଟର ଦୂରରେ । ସେମାନଙ୍କ ନିକଟତମ ଡାକଘର ରହିଛି ଆଲମୋଡ଼ାର ଭାସିୟାଚନା ।

୨୦୧୪ରେ ଗାଁ ଲୋକମାନଙ୍କର ନୂତନ ଆଧାର କାର୍ଡ୍‌ରେ ଥିବା ଠିକଣାରେ ଡାକଘର ଭାସିୟାଚନା, ପିଥୋରାଗଡ଼ ବୋଲି ଉଲ୍ଲେଖ କରାଯାଇଥିଲା । ସାର୍ତୋଲା ଗାଁ ନିବାସୀ ଚନ୍ଦନ ସିଂହ ନୁବାଲ କହନ୍ତି, “ଆମେ ଯେତେବେଳେ ଅଭିଯୋଗ କଲୁ ଏହାର ସଂଶୋଧନ କରାଗଲା ଏବଂ କାର୍ଡ୍‌ଗୁଡ଼ିକୁ ୧୨ କିଲୋମିଟର ଦୂର ଗନାଇ ଡାକଘରକୁ ପଠାଇ ଦିଆଗଲା । ହେଲେ ସେଠାରୁ ଆମ ଗାଁକୁ କୌଣସି ପୋଷ୍ଟମ୍ୟାନ୍‌ ଆସନ୍ତି ନାହିଁ । ଯିଏ ଚିଠିପତ୍ର ପହଞ୍ଚାନ୍ତି, ସେ ପୋଲ ଆରପଟେ ଥିବା ଭାସିୟାଚନାରୁ ଆସନ୍ତି । ସୁତରାଂ ଆଧାର କାର୍ଡ ଆଣିବା ଲାଗି ଆମକୁ ଗନାଇ ଯିବାକୁ ପଡ଼ିଲା ।”

PHOTO • Arpita Chakrabarty

ଚିଠିପତ୍ର ସଂଗ୍ରହ କରିବା ବେଶ୍‌ ଯନ୍ତ୍ରଣାଦାୟକ ବୋଲି କହନ୍ତି ଚନ୍ଦନ ସିଂହ ନୁବାଲ: ଏଠାରେ ସେ ପରିବାର ସହ ସାର୍ତୋଲାର ତାଙ୍କ ଘରେ ଅଛନ୍ତି । ଡାହାଣ: ନୁବାଲଙ୍କ ସହ ସମ୍ମତ ହୁଅନ୍ତି ଭାନୋଲିର ସୁରେଶ ନିୟୁଲିୟା ଏବଂ ମୋହନ ଯୋଶୀ

ବାଡ଼ୋଲି ସେରା ଗୁନ୍ଥରେ ପରିସ୍ଥିତି ଆହୁରି ଯନ୍ତ୍ରଣାଦାୟକ । ପ୍ରାୟ ୧୪ଟି ପରିବାର ରହୁଥିବା ଛୋଟ ଗାଁଟିଏ । ଗାଁର ଅଧିକାଂଶ ବାସିନ୍ଦା ମହିଳା ଓ ବୃଦ୍ଧ । ଏବଂ ଆମେ କଥାବାର୍ତ୍ତା କରୁଛୁ ଧାଡ଼ି ବାନ୍ଧିଥିବା ୧୦ ଜଣଙ୍କ ସହ – ସେଇ ଗାଁର ସବୁ ମହିଳା । ସେମାନଙ୍କ ପୁଅ ଏବଂ ସ୍ଵାମୀମାନେ ବାହାରେ ରହନ୍ତି । ଆଲମୋଡ଼ା, ହଲ୍‌ଦୱାନି, ପିଥୋରାଗଡ଼, ଲକ୍ଷ୍ମୌ କିମ୍ବା ଡେରାଡୁନ୍‌ ଭଳି ସହର ବା ନଗରରେ କାମ କରନ୍ତି । ସେମାନେ ବର୍ଷକୁ ଥରେ ଘରକୁ ଆସନ୍ତି । କିନ୍ତୁ ପ୍ରାୟ ସବୁ ମାସରେ ଟଙ୍କା ପଠାନ୍ତି । ଏଠାକାର  ଜଣେ ବାସିନ୍ଦା ଓ କୃଷକ କମଳା ଦେବୀ କହନ୍ତି, “ମନି ଅର୍ଡର ବି ଡେରିରେ ପହଞ୍ଚେ । ଏମିତି କି ଜରୁରୀ ସ୍ଥିତିରେ ଟଙ୍କା ଦରକାର ହେଉଥିଲେ ବି, ଆମକୁ ମନିଅର୍ଡର ଆଣି ଆସୁଥିବା ପୋଷ୍ଟମ୍ୟାନ୍‌ଙ୍କ ଆଗମନକୁ ହିଁ ଅପେକ୍ଷା କରିବାକୁ ପଡ଼େ।”

PHOTO • Arpita Chakrabarty

ବାଡ଼ୋଲି ସେରା ଗୁନ୍ଥ ଗାଁର ପାର୍ବତୀ ଦେବୀଙ୍କ ବୟସ ୭୦ରୁ ଅଧିକ ଏବଂ ସେ ତିନି ମାସରେ ଥରେ ଯାହା ଡାକଘରକୁ ଯାଇପାରନ୍ତି

ତାଙ୍କ ପଡ଼ୋଶୀ ସତୁରୀ ବର୍ଷରୁ ଅଧିକ ବୟସର ପାର୍ବତୀ ଦେବୀ ଅତି କଷ୍ଟରେ ଚାଲିପାରନ୍ତି । କିନ୍ତୁ ବିଧବା ଭତ୍ତା ବାବଦ ୮୦୦ ଟଙ୍କା ଆଣିବାକୁ ତାଙ୍କୁ ଗନାଇ ଡାକଘରକୁ ଯିବାକୁ ପଡ଼େ । ଯଦିଓ ଟଙ୍କା ତାଙ୍କର ନିହାତି ଦରକାର ହୁଏ, ତଥାପି ଅସୁସ୍ଥତା ଯୋଗୁଁ ସେ ପ୍ରତି ମାସରେ ଡାକଘରକୁ ଯାଇପାରନ୍ତି ନାହିଁ । ତେଣୁ ସେ ତିନି ମାସରେ ମାତ୍ର ଥରେ ଯାଆନ୍ତି- ତାହା ବି ଅନ୍ୟ ଦୁଇ ଜଣ ବୟସ୍କା ମହିଳାଙ୍କ ସହିତ । ପାର୍ବତୀ ଦେବୀ କହନ୍ତି, “ଜୀପ୍‌ରେ ଗନାଇ ଯିବାକୁ ୩୦ ଟଙ୍କା ଲାଗେ । ମୁଁ ଯଦି ଭତ୍ତା ଆଣିବାକୁ ପ୍ରତି ମାସରେ ୬୦ ଟଙ୍କା ଖର୍ଚ୍ଚ କରିବି, ମୋ ପାଖରେ ଆଉ କେତେ ରହିବ ?” ତାଙ୍କ ବୟସକୁ ଦେଖିଲେ ଲାଗେ, ବହୁ ବିଳମ୍ବରେ ଚିଠି ଓ ମନି ଅର୍ଡର ପାଇବା ତାଙ୍କର ଅଭ୍ୟାସ ହୋଇଗଲାଣି ଏବଂ ଡାକ ବିଭାଗକୁ ନେଇ ତାଙ୍କର ସହନଶୀଳତା ଢେର ଅଧିକ । କିନ୍ତୁ ଅନ୍ୟମାନେ ଧୈର୍ଯ୍ୟ ହରାଇ ବସନ୍ତି । ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁରେଶ ଚନ୍ଦ୍ର ନିୟୁଲିୟା ପଚାରନ୍ତି, “ଇଣ୍ଟରନେଟ୍‌ରେ ଚିଠିଟିଏ ଯିବାକୁ କେଇ ସେକେଣ୍ଡ ଲାଗୁଥିବା ବେଳେ ଆମେ ଘରେ ଏହା ପାଇବାକୁ ମାସେ କାଳ କାହିଁକି ଅପେକ୍ଷା କରିବୁ ?”

ଭାସିୟାଚନାରେ ରହୁଥିବା ଏହି ଛଅଟି ଗାଁର ପୋଷ୍ଟମ୍ୟାନ୍‌ ମେହରବାନ ସିଂହ କହନ୍ତି, “ସବୁ ଦିନ ଏହି ସବୁ ସ୍ଥାନକୁ ଯିବା ସମ୍ଭବ ନୁହେଁ ।” କେତେକ ଗାଁରେ ରାସ୍ତା ନାହିଁ ଏବଂ ସେଥିରେ ପ୍ରତିଦିନ ୧୦-୧୨ କିଲୋମିଟର ଯିବାଆସିବା କରିବାକୁ ପଡ଼ିବ । ୪୬ ବର୍ଷୀୟ ସିଂହ ୨୦୦୨ରୁ ପୋଷ୍ଟମ୍ୟାନ୍‌ ଭାବେ ଅଛନ୍ତି । ସେ କହନ୍ତି, “ପ୍ରତି ଗାଁକୁ ମୁଁ ସପ୍ତାହରେ ଥରେ ଯାଏ ।”

ସିଂହ ପ୍ରତିଦିନ ସକାଳ ୭ଟାରେ ନିଜ ଘରୁ କାମ ଆରମ୍ଭ କରନ୍ତି । ସେ କହନ୍ତି, “ଚିଠିଗୁଡ଼ିକ ବାଣ୍ଟି ସାରିବା ପରେ  ମଧ୍ୟାହ୍ନ ସୁଦ୍ଧା ମୁଁ ଡାକଘରେ ପହଞ୍ଚେ । ଅପରାହ୍‌ଣର ଡାକ ପହଞ୍ଚିବାକୁ ମୁଁ ଦିନ ୩ଟା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରେ । ନୂଆ ଡାକ ସଂଗ୍ରହ କରି ମୁଁ ମୋ ଘରକୁ ଯିବା ପାଇଁ ବାହାରି ଯାଏ ।” ସେ ତାଙ୍କ ସାଙ୍ଗରେ ଚିଠିପତ୍ର ସବୁ ଘରକୁ ନେଇଯାଆନ୍ତି, କାରଣ ଦିନ ୧୦ଟାରେ ଡାକଘର ଖୋଲିବାର ପ୍ରାୟ ତିନି ଘଣ୍ଟା ପୂର୍ବରୁ ସେ ଘରୁ ଚାଲି ଚାଲି ଯିବା ଆରମ୍ଭ କରନ୍ତି । ବହୁ ଦିନ ଧରି ସେ ଭାସିୟାଚନା ଡାକଘରର ଏକମାତ୍ର ପୋଷ୍ଟମ୍ୟାନ୍‌ ଥିଲେ । ଅର୍ଥାତ୍‌ ୧୬ଟି ଗାଁରେ ଡାକ ପହଞ୍ଚାଇବା ତାଙ୍କର କାମ । ଏଇ କିଛି ଦିନ ତଳେ ଆଉ ଜଣେ କର୍ମଚାରୀ ଏଠାରେ ଯୋଗ ଦେଇଛନ୍ତି । ଫଳରେ ସିଂହଙ୍କ କାର୍ଯ୍ୟଭାର କମ୍‌ ହୋଇଛି ।

PHOTO • Arpita Chakrabarty

ଗଙ୍ଗୋଲିହାଟ ବ୍ଲକ୍‌ର ସାର୍ତୋଲା ଗାଁରେ ଏକ ପରିତ୍ୟକ୍ତ କୁମାଓଁନୀ-ଧରଣର ଘର

ନିୟୁଲିୟା କହନ୍ତି ଯେ ଗାଁ ଲୋକେ ପିଥୋରାଗଡ଼ ପ୍ରଧାନ ଡାକଘରର ଅଧୀକ୍ଷକଙ୍କ ନିକଟରେ ବହୁତ ଥର ଅଭିଯୋଗ କରିଥିଲେ, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ନିୟୁଲିୟା କହନ୍ତି, “ଥରେ ବେରିନାଗ ଡାକଘର ସର୍ଭେ କରିଥିଲା, କିନ୍ତୁ ସେମାନଙ୍କ ଟିମ୍‌ ସବୁ ଗାଁକୁ ଗଲେନାହିଁ ।’’ “ଆମର ପିଇବା ପାଣି ନାହିଁ, ଚାକିରି ସୁବିଧା ନାହିଁ ଏବଂ ଡାକସେବା ବିପର୍ଯ୍ୟସ୍ତ ଅବସ୍ଥାରେ । ଆମ ଗାଁରେ ରହିବାକୁ କିଏ ବା କାହିଁକି ଇଚ୍ଛା କରିବ ?” କିଛି ବର୍ଷ ତଳେ ବାଡ଼ୋଲି ସେରାରେ ୨୨ଟି ପରିବାର ରହୁଥିଲେ । ଆଜି, ଦୈନନ୍ଦିନ ଜୀବନରେ କଠିନ ସମସ୍ୟାର ପ୍ରମାଣ ରୂପେ ଏଠାରେ ଏବଂ ସାର୍ତୋଲା ଗାଁରେ ଅନେକ ପରିତ୍ୟକ୍ତ ପାରମ୍ପରିକ କୁମାଓଁନୀ ଘର ରହିଛି ।

ଯେତେବେଳେ ଏସବୁ ସମସ୍ୟା ସଂପର୍କିତ ଏହି ଲେଖକଙ୍କ ରିପୋର୍ଟ ଦି ଟାଇମ୍‌ସ ଅଫ୍‌ ଇଣ୍ଡିଆର ଡେରାଡୁନ୍‌ ସଂସ୍କରଣରେ (୧୭ ଡିସେମ୍ବର, ୨୦୧୫) ପ୍ରକାଶ ପାଇଲା, ଉତ୍ତରାଖଣ୍ଡ ମାନବାଧିକାର କମିଶନ (ୟୁଏଚ୍‌ଆର୍‌ସି) ସେହି ଦିନ ହିଁ ନିଜ ଆଡୁ ଏହାକୁ ବିଚାରକୁ ନେଲେ । ଏ ସଂପର୍କରେ ଏକ ବାସ୍ତବଧର୍ମୀ ରିପୋର୍ଟ ଦାଖଲ କରିବା ସହିତ ସମସ୍ୟାର ସମାଧାନ ପାଇଁ ଡେରାଡୁନ୍‌ର ପୋଷ୍ଟମାଷ୍ଟର୍‌ ଜେନେରାଲଙ୍କୁ ପ୍ରସ୍ତାବ ପଠାଇବା ପାଇଁ କମିଶନ ପିଥୋରାଗଡ଼ ଓ ଆଲମୋଡ଼ାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ । ମାନବାଧିକାର କମିଶନ କହିଲେ, “ଏହି ଜିଲ୍ଲା ଗଠନ ହେବାର ୫୦ ବର୍ଷ ବିତିଗଲାଣି ।” ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ, ପ୍ରଶାସନ ବହୁ ପୂର୍ବରୁ ଏସବୁ ଅଭିଯୋଗ ଶୁଣାଣି କରି ସମାଧାନ କରିବା କଥା । କମିଶନ ସଦସ୍ୟା ହେମଲତା ଧୌଣ୍ଡିୟାଲଙ୍କ ସ୍ଵାକ୍ଷର ସମ୍ବଳିତ ଏହି ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା, “ପିଥୋରାଗଡ଼ କେବଳ ରାଜ୍ୟର ନୁହେଁ ବରଂ ରାଷ୍ଟ୍ରର ଏକ ସୀମାବର୍ତ୍ତୀ ଜିଲ୍ଲା ଏବଂ ଏଠାକାର ଲୋକେ ବହୁ ଦୁର୍ଗମ ଅଞ୍ଚଳରେ ରହୁଛନ୍ତି ଏବଂ ସେମାନଙ୍କ  ପାଇଁ ଯୋଗାଯୋଗର ଏକମାତ୍ର ମାଧ୍ୟମ ହେଉଛି ଡାକଘର । ଏଣୁ, ସେମାନଙ୍କ ଅଧିକାରକୁ ଅଗ୍ରାହ୍ୟ କରାଯାଇପାରିବ ନାହିଁ ।”

PHOTO • Arpita Chakrabarty

ବିଭିନ୍ନ ଗାଁ ଓ ବସ୍ତି ସମୂହର ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ଏକ ହାତଅଙ୍କା ମାନଚିତ୍ର । ଡାହାଣ: ଏଥିରୁ କେତେକ ସ୍ଥାନ, ସେଠାକାର ଲୋକସଂଖ୍ୟା ଏବଂ ଡାକଘରଠାରୁ ଦୂରତା ସମ୍ବଳିତ ଏକ ତାଲିକା

୨୦୧୬ ମେ ୩ ତାରିଖ ଦିନ ହୋଇଥିବା ୟୁଏଚ୍‌ଆର୍‌ସିର ପ୍ରଥମ ଶୁଣାଣିରେ ପିଥୋରାଗଡ଼ ଡାକଘର ଅଧୀକ୍ଷକ ଜି.ସି.ଭଟ୍ଟ ଜୋର ଦେଇ କହିଲେ ଯେ ପୂର୍ବରୁ କେବେହେଲେ ଗାଁ ଲୋକମାନେ ଏହି ସମସ୍ୟା କଥା ତାଙ୍କ ଆଗରେ ଉଠାଇ ନାହାନ୍ତି । ସେ କହିଲେ, “ଖୁବ୍‌ ଶୀଘ୍ର ବାଡ଼ୋଲି ସେରା ଗୁନ୍ଥରେ ଏକ ଶାଖା ଡାକଘର ଖୋଲାଯିବ।” ଯେତେ ଶୀଘ୍ର ସମ୍ଭବ ଏହି ସମସ୍ୟାର ସମାଧାନ କରିବାକୁ ମାନବାଧିକାର କମିଶନ ଡେରାଡୁନ୍‌ର ପୋଷ୍ଟ ମାଷ୍ଟର ଜେନେରାଲ୍‌ଙ୍କୁ ନିର୍ଦ୍ଦେଶ ଦେଲେ । ଅନ୍ୟଥା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇ ଦେଲେ ।

ମାସକରୁ କିଛି ଅଧିକ ସମୟ ପରେ ପିଥୋରାଗଡ଼ ପ୍ରଧାନ ଡାକଘରକୁ ଏକ ଅନୁମୋଦନ ପତ୍ର ପଠାଗଲା । ଏବଂ ଏହା ଫଳରେ ୨୦୧୬ ଜୁନ୍‌ ୩୦ ସୁଦ୍ଧା ବାଡ଼ୋଲି ସେରା ଗୁନ୍ଥରେ ଏକ ଶାଖା ଡାକଘର ଖୋଲିବ । ଜଣେ ପୋଷ୍ଟମାଷ୍ଟର ଏବଂ ଜଣେ ପୋଷ୍ଟମ୍ୟାନ୍‌, ଏଭଳି ଦୁଇଟି ପଦବୀକୁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି ।

ମେହରବାନ ସିଂହ ଖୁସି, କାରଣ, ସେ ଭାବନ୍ତି ଏଣିକି ଆଗକୁ ଆଉ ଅହେତୁକ ବିଳମ୍ବ ହେବ ନାହିଁ । କାନ୍ଧରେ ଚିଠି ଭର୍ତ୍ତି ବ୍ୟାଗ୍‌ ରଖି ହସହସ ମୁହଁରେ ସେ କହନ୍ତି, “ଜଣେ ନୂଆ ଲୋକ କାର୍ଯ୍ୟରେ ଯୋଗ ଦେଲା ଯାଏ ଭାସିୟାଚନାର ଦୁଇ ଜଣ ପୋଷ୍ଟମ୍ୟାନ୍‌ଙ୍କ ମଧ୍ୟରୁ ଜଣେ ଏହି ଛଅଟି ଗାଁରେ ଚିଠିପତ୍ର ପହଞ୍ଚାଇବେ ।”

ମୋହନ ଚନ୍ଦ୍ର, ମଦନ ସିଂହ, ନିୟୁଲିୟା ଏବଂ କମଳା ଦେବୀ ମଧ୍ୟ ଖୁସି, କାରଣ କେବଳ ସେମାନଙ୍କ ଗାଁର ଆବଶ୍ୟକତା ପୂରଣ ପାଇଁ ନୂଆ ଡାକଘରଟିଏ ଖୋଲିବ । କିନ୍ତୁ ସେମାନେ ଚିନ୍ତିତ ମଧ୍ୟ, ଏଇ ଆଶଙ୍କାରେ ଯେ ନୂଆ ଘୋଷଣାଟି ଅନ୍ୟ ସରକାରୀ ଯୋଜନା ଭଳି ହୋଇଯିବନି ତ: ଘୋଷଣା ହେଲା, କିନ୍ତୁ କାମ ହେଲାନି ।

PHOTO • Arpita Chakrabarty

ପିଥୋରାଗଡ଼ ଓ ଆଲମୋଡ଼ା ଜିଲ୍ଲାର ସୀମାକୁ ସୂଚାଉ ଥିବା ସେରାଘାଟରେ ସରଯୂ ନଦୀ ଉପରର ପୋଲ । ଡାହାଣ: ମେହରବାନ୍‌ ସିଂହ, ଦୀର୍ଘ ଦିନ ଧରି ଦୁଃସ୍ଥିତିରେ ରହିଥିବା ଭାସିୟାଚନାର ପୋଷ୍ଟମ୍ୟାନ୍‌

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Arpita Chakrabarty

Arpita Chakrabarty is a Kumaon-based freelance journalist and a 2017 PARI fellow.

Other stories by Arpita Chakrabarty