ସେରା ବାଡ଼ୋଲିରେ ଅଗଷ୍ଟ ଆରମ୍ଭର ଏକ ଉଷ୍ମ ଅପରାହ୍‌ଣ । ରାସ୍ତାଘାଟ ପ୍ରାୟତଃ ଜନଶୂନ୍ୟ । ଉତ୍ତରାଖଣ୍ଡର ଆଲମୋଡ଼ା ଓ ପିଥୋରାଗଡ଼ ମଝିରେ ସୀମା ସାଜିଥିବା ସରଜୁ ନଦୀର ପୋଲ ଉପରୁ ପ୍ରାୟ ଏକ କିଲୋମିଟର ଦୂରରେ ସୂର୍ଯ୍ୟକିରଣରେ ଚମକୁଥିବା ଏକ ନାଲି ରଙ୍ଗର ଡାକ ବାକ୍‌ସ ଆମ ନଜରରେ ପଡ଼େ।

ଏ ଅଞ୍ଚଳର ସେଇ ଏକମାତ୍ର ନାଲି ରଙ୍ଗର ଡାକ ବାକ୍‌ସଟି, ହୁଏତ ଅନ୍ୟ କୌଣସି ସ୍ଥାନରେ ଏତେ ମହତ୍ତ୍ଵପୂର୍ଣ୍ଣ ମନେ ହୋଇ ନପାରେ । କିନ୍ତୁ ଏଠାରେ ତାହା ଅଗ୍ରଗତିର ଏକ ବଡ଼ ପଦକ୍ଷେପ । ୨୦୧୬ ଜୁନ୍‌ ୨୩ରେ ସେରା ବାଡ଼ୋଲିରେ ଉଦ୍‌ଘାଟିତ ହୋଇଥିଲା ଏକ ନୂତନ ଶାଖା ଡାକଘର କୁମାଓଁର ଏହି ଭାଗରେ ପ୍ରଥମ । ଏହା ଏବେ ଛଅଟି ଗାଁକୁ ଡାକସେବା ଦେଉଛି-ଭାନୋଲି ସେରା ଗୁନ୍ଥ, ସେରା (ଉର୍ଫ) ବାଡ଼ୋଲି, ଚୌନାପାତାଲ, ନାଇଲି, ବାଡ଼ୋଲି ସେରା ଗୁନ୍ଥ, ଏବଂ ସାର୍ତୋଲା । ଏହି ସବୁ ଗାଁର ଅଧିକାଂଶ ଲୋକ କୃଷକ ।

ସ୍ଥାନୀୟ ଡାକଘର ନ ଥିବାରୁ ଏ ଅଞ୍ଚଳର ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ PARIରେ ମୋର ଲେଖା ‘ଶେଷ ଶିବିର-ଏବଂ ବହୁ ଦୂରରେ ଏକ ପୋଲ’ ପ୍ରକାଶ ପାଇବାର ଦୁଇ ଦିନ ପରେ ଏହା ଘଟିଥିଲା । ଏବେ ଗର୍ବର ସହ ସେରା ବାଡ଼ୋଲିର ରହିଛି ଏହି ପିନ୍‌କୋଡ୍‌ ୨୬୨୫୩୨ ।

ପିଥୋରାଗଡ଼ର ଗଙ୍ଗୋଲିହାଟ ବ୍ଲକ୍‌ରେ ରହିଛି ଏହି ସବୁ ଗାଁ । କିନ୍ତୁ  ସେମାନଙ୍କ ଡାକଘର ରହିଥିଲା ପୋଲ ଆରପଟେ, ପାଞ୍ଚ କିଲୋମିଟର ଦୂର ଆଲମୋଡ଼ା ଜିଲ୍ଲାର ଭାସିୟାଚାନା ବ୍ଲକ୍‌ରେ । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଯାଇଥିଲି, ଭାନୋଲିଗୁନ୍ଥ ଗାଁର ମଦନ ସିଂହ କହିଥିଲେ, “ବିଡ଼ମ୍ବନାର ବିଷୟ ଯେ'', "ସେମାନେ ଏ ପର୍ଯ୍ୟନ୍ତ ଆମକୁ ପିଥୋରାଗଡ଼ ଜିଲ୍ଲାର ଅଂଶ ବୋଲି ଗ୍ରହଣ କରନ୍ତି ନାହିଁ । ଏ କଥା ଏମିତି, ଯେ ଆମେ ପିଥୋରାଗଡ଼ରେ ରହୁ, କିନ୍ତୁ ଆମ ଠିକଣା ଅଛି ଆଲମୋଡ଼ାରେ ।”

PARIରେ ରିପୋର୍ଟ ପ୍ରକାଶ ପାଇବାର କିଛି ସପ୍ତାହ ପରେ, ମୁଁ ନୂଆ ଡାକଘର ଦେଖିବାକୁ ପୁଣି ଯାଇଥିଲି । ଏ ପର୍ଯ୍ୟନ୍ତ ଭାସିୟାଚାନାରେ ଥିବା ନିକଟତମ ଡାକଘରୁ ଡାକ ପାଇବାକୁ ୧୦ ଦିନ ଯାଏ ଏବଂ ଜିଲ୍ଲା ସଦର ମହକୁମା ପିଥୋରାଗଡ଼ ସହରରୁ ଚିଠିଟିଏ କି ମନି ଅର୍ଡର ପାଇବାକୁ ମାସେ ଯାଏ ଅପେକ୍ଷା କରିବାକୁ ପଡୁଥିବା ଗାଁ ଲୋକଙ୍କ ସ୍ଥିତି କେତେ ଦୂର ବଦଳିଛି ? ଏଭଳି ବିଳମ୍ବ ଯୋଗୁଁ ସେମାନେ ଗୁରୁତ୍ଵପୂର୍ଣ୍ଣ ସାକ୍ଷାତ୍‌କାର ଏବଂ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁ ନଥିଲେ । ବେଳେବେଳେ, ଗୁରୁତ୍ଵପୂର୍ଣ୍ଣ  ଚିଠିପତ୍ର ଆଣିବାକୁ ସେମାନଙ୍କୁ ୭୦ କିଲୋମିଟର ଦୂର ଆଲମୋଡ଼ାର ଡାକଘରକୁ ଯିବାକୁ ପଡୁଥିଲା ।

ନୂଆ ଡାକଘର ଦ୍ଵାରା ଯେଉଁ  ଛଅଟି ଗାଁ ଉପକୃତ ହେବେ ସେଠାକାର ବାସିନ୍ଦାମାନେ ମୋତେ କହିଲେ ଯେ ସେମାନେ ମିଠା ବାଣ୍ଟି ଏହାର ଉଦ୍‌ଘାଟନ ଉତ୍ସବ ପାଳନ କରିଥିଲେ । ହସହସ ମୁହଁରେ ସେରା ବାଡ଼ୋଲି ଗାଁର ମୋହନ ଚନ୍ଦ୍ର ଯୋଶୀ କହନ୍ତି, “ଅନ୍ୟ କେଉଁ ସ୍ଥାନରେ ଲୋକେ ନୂଆ ପଦବୀ କିମ୍ବା ନିଯୁକ୍ତିର ଆଗମନକୁ ପାଳନ କରନ୍ତି । ଆମ କ୍ଷେତ୍ରରେ ଆମେ ଡାକ ବାକ୍‌ସର ଆଗମନକୁ ପାଳନ କରିଲୁ!'' "ଏଣିକି ଆମ ଜୀବନ ଆଉ ଆଗଭଳି ହୋଇ ରହିବ ନାହିଁ ।”

ଗୋଟିଏ ଛୋଟ କୋଠରିରେ ଗୋଟିଏ ଟେବୁଲ, ଚାରିଟି ଚଉକି ଏବଂ ଗୋଟିଏ ଷ୍ଚିଲ୍‌ ଆଲମାରିକୁ ନେଇ ଗଠିତ ନୂଆ ଡାକଘର । ଏକମାତ୍ର କର୍ମଚାରୀ କୈଳାସ ଚନ୍ଦ୍ର ଉପାଧ୍ୟାୟ, ଉଭୟ ପୋଷ୍ଟମ୍ୟାନ୍‌ ଓ ପୋଷ୍ଟମାଷ୍ଟରଙ୍କ ଦାୟିତ୍ଵ ତୁଲାଉଛନ୍ତି । ସେରା ବାଡ଼ୋଲିରୁ ପ୍ରାୟ ୧୨ କିଲୋମିଟର ଦୂର ଗନାଇ ଡାକଘରେ ସେ ନିଯୁକ୍ତି ପାଇଥିଲେ ଏବଂ ଅନ୍ୟ କେହି ନିଯୁକ୍ତି ପାଇବା ପର୍ଯ୍ୟନ୍ତ ନୂଆ ଶାଖାର ଦାୟିତ୍ଵ ନେବାକୁ ତାଙ୍କୁ କୁହାଯାଇଛି। ଉପାଧ୍ୟାୟ କହନ୍ତି, “ଡାକ ବିଭାଗ କହିବା ଅନୁସାରେ ମାସେ କି ଦି ମାସ ଭିତରେ ଜଣେ ପୋଷ୍ଟମାଷ୍ଟର  ଓ ପୋଷ୍ଟମ୍ୟାନ୍‌ଙ୍କୁ ନିଯୁକ୍ତି ଦିଆଯିବ ।” ପ୍ରତିଦିନ ସକାଳେ ସେ ଗନାଇରୁ ଡାକ ସଂଗ୍ରହ କରନ୍ତି ଏବଂ ସେରା ବାଡ଼ୋଲି ଡାକଘରକୁ ଆସିବା ବାଟରେ ପହଞ୍ଚାଇ ଦିଅନ୍ତି ।

PHOTO • Arpita Chakrabarty

ଏକମାତ୍ର କର୍ମଚାରୀ କୈଳାସ ଚନ୍ଦ୍ର ଉପାଧ୍ୟାୟ, ଉଭୟ ପୋଷ୍ଟମ୍ୟାନ୍‌ ଓ ପୋଷ୍ଟମାଷ୍ଟରଙ୍କ କାମ କରୁଛନ୍ତି

ଗାଁ ଲୋକେ କହନ୍ତି, ଡାକଘର ଖୋଲିବା ପରେ ଯେଉଁଥିରେ ସବୁଠୁ ବଡ଼ ପରିବର୍ତ୍ତନ ହୋଇଛି ତାହା ହେଲା ଠିକ୍‌ ଠିକଣା ଥିବା ଆଧାର କାର୍ଡ ମିଳୁଛି । ପୂର୍ବରୁ ଏହି କାର୍ଡଗୁଡ଼ିକରେ ପୋଷ୍ଟ ଅଫିସ୍‌ ଭାସିୟାଚାନା, ଜିଲ୍ଲା ଆଲମୋଡ଼ା ଠିକଣା ରହୁଥିଲା । ବାଡ଼ୋଲି ସେରା ଗୁନ୍ଥର ସୁରେଶ ଚନ୍ଦ୍ର କହନ୍ତି, “କିନ୍ତୁ ଆମେ ଆଲମୋଡ଼ା ଜିଲ୍ଲାରେ ରହୁନାହୁଁ, ଆମେ ପିଥୋରାଗଡ଼ରେ ରହୁ” । “ଯେତେବେଳେ ଆମେ ଆଧାର କାର୍ଡରେ ଠିକଣା ସଂଶୋଧନ କରିବାକୁ ଅନୁରୋଧ କଲୁ, କାର୍ଡଗୁଡ଼ିକ ଗନାଇ ଡାକଘରକୁ ଗଲା । ଯେହେତୁ ଗନାଇରୁ କେହି ପୋଷ୍ଟମ୍ୟାନ୍‌ ଆସୁ ନଥିଲେ, ଆମକୁ ନିଜେ ଯାଇ କାର୍ଡ ସଂଗ୍ରହ କରିବାକୁ ପଡ଼ିଲା । କିନ୍ତୁ ଏବେ ସବୁ ଆଧାର କାର୍ଡରେ ଠିକ୍‌ ଠିକଣା ରହିଛି ଏବଂ ଆମ ଘରେ ପହଞ୍ଚାଇ ଦିଆଯାଉଛି ।”

ନୂଆ ଡାକଘର ସଞ୍ଚୟ ବ୍ୟାଙ୍କ୍‌ ଜମା ଓ ରେକରିଂ ଜମା ସେବା ଦେବା ମଧ୍ୟ ଆରମ୍ଭ କରିଛି। ସେରା ବାଡ଼ୋଲିରେ ପଚିଶଟି ସଞ୍ଚୟ ବ୍ୟାଙ୍କ ଜମା ଆକାଉଣ୍ଟ ଏବଂ ପାଞ୍ଚଟି ରେକରିଂ ଜମା ଆକାଉଣ୍ଟ ଖୋଲାଯାଇଛି। କୈଳାସ ଚନ୍ଦ୍ର କହନ୍ତି, “ଜମାକାରୀମାନେ ଜମା କରୁଥିବା ନଗଦ ଟଙ୍କା ରଖିବାକୁ ମୋ ପାଖରେ ସୁରକ୍ଷିତ ବାକ୍‌ସ ନାହିଁ,” “ଏଥିପାଇଁ ମୁଁ ଏହାକୁ ପାଖରେ ରଖେ ।”

କୈଳାସ ଚନ୍ଦ୍ର ଆମକୁ କହନ୍ତି, ଡାକ ଜରିଆରେ ଭତ୍ତା ପାଇବା ବ୍ୟବସ୍ଥା ହାତକୁ ନିଆଯାଇଛି । ତାହା କାର୍ଯ୍ୟକାରୀ ନ ହେଲା ପର୍ଯ୍ୟନ୍ତ ପାର୍ବତୀ ଦେବୀଙ୍କ ଭଳି ବରିଷ୍ଠ ନାଗରିକମାନଙ୍କୁ ଗନାଇ ଯାଇ ସେମାନଙ୍କ ଭତ୍ତା ସଂଗ୍ରହ କରିବାକୁ ପଡ଼ିବ ।

ଏହା ସ୍ପଷ୍ଟ ଯେ, ଏହି ଡାକଘର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆଉ କିଛି ସମୟ ଲାଗିବ ।

ତଥାପି, ଚାକିରି ସଂପର୍କିତ ଚିଠି ବହୁ ବିଳମ୍ବରେ ପହଞ୍ଚୁଥିବାରୁ ଲୋକେ ନିର୍ଦ୍ଧାରିତ ତାରିଖରେ ସାକ୍ଷାତ୍‌କାର ଦେଇପାରୁନାହାନ୍ତି । ବାଡ଼ୋଲି ସେରା ଗୁନ୍ଥର ପଦ୍ମଦତ୍ତ ନିୟୁଲିଆ କହନ୍ତି, “ମୋ ପଡ଼ୋଶୀଙ୍କ ପୁଅ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍‌ରେ ଏକ ଚାକିରି ହରାଇ ବସିଲେ । ଜୁନ୍‌ ୨୯ରେ ଚାକିରି ପାଇଁ ସାକ୍ଷାତ୍‌କାର ଥିଲା, ଏବଂ ଚିଠି ପହଞ୍ଚିଲା ଜୁଲାଇ ୩ରେ” । “ବହୁ ଲୋକ ଏହା ଜାଣନ୍ତି ନାହିଁ ଯେ ଆମ ଠିକଣା ବଦଳି ଯାଇଛି । ସେମାନେ ଭାସିୟାଚାନା ଡାକଘରର ପିନ୍‌ କୋଡ୍‌ ଦେଇ ପୁରୁଣା ଠିକଣା ଲେଖି ଦିଅନ୍ତି । ତେଣୁ ଏବେ ବି ସେଇ ଚିଠିଗୁଡ଼ିକ ପହଞ୍ଚିବାକୁ ପାଖାପାଖି ମାସେ ଲାଗିଯାଏ । ଗାଁ ଲୋକେ ଧରି ନିଅନ୍ତି ଯେ ଡାକ ବିଭାଗ ହିଁ ନୂଆ ଡାକଘରକୁ ଚିଠିଗୁଡ଼ିକ ପଠାଇ ଦେବ । କିନ୍ତୁ ତାହା ହୁଏ ନାହିଁ । ଡାକ ବିଭାଗ ଆମକୁ ଏହି ପରିବର୍ତ୍ତନ (ପିନ୍‌ କୋଡ୍‌) ସଂପର୍କରେ କେବେ ବି ଜଣାଇନାହିଁ । ଆମକୁ ନିଜ ଉଦ୍ୟମରେ ଗାଁ ଲୋକଙ୍କୁ ଜଣାଇବାକୁ ପଡ଼ିବ ।”

ଏହି ଅବସରରେ ଭାସିୟାଚାନାର ପୋଷ୍ଟମ୍ୟାନ୍‌ ମେହେରବାନ ସିଂହ ଗରଗର ହୋଇ କହନ୍ତି, “ସେଇ ଛ’ଟି ଗାଁ ପାଇଁ ପ୍ରତିଦିନ ଆମେ ପ୍ରାୟ ପାଞ୍ଚ-ଛ’ଟି ଚିଠି ପାଉ । ଯଦିଓ ସେରା ବାଡ଼ୋଲିରେ ନୂଆ ଡାକଘର ଖୋଲିଛି, ତଥାପି ଲୋକେ ଭାସିୟାଚାନା ଡାକଘର ଠିକଣାରେ ଚିଠିପତ୍ର ପଠାନ୍ତି । ଚିଠି ସଂଖ୍ୟା ପାଞ୍ଚ ହେଉ କି ୧୫, ଚିଠି ବାଣ୍ଟିବା ପାଇଁ ମୋତେ ଗାଁରୁ ଗାଁ ଚାଲି ଚାଲି ଯିବାକୁ ପଡ଼େ । ଆମେ ତ ପାହାଡ଼ର ଗଧ ।”

ତଥାପି ବହୁତ କିଛି ବଦଳିଛି । ଚିଠିଟିଏ ପିଥୋରାଗଡ଼ରୁ ସେରା ବାଡ଼ୋଲି ଯିବାକୁ, ଆଗ ଭଳି ୨୦ ଦିନ ବଦଳରେ ଏବେ ମାତ୍ର ଚାରି ଦିନ ଲାଗୁଛି । ଜୁନ୍‌ ୨୧ରେ PARIରେ ପ୍ରକାଶିତ ଲେଖା ଲୋକଙ୍କ ଆଗ୍ରହ ସୃଷ୍ଟି କଲା ଏବଂ ବହୁ ପାଠକ ଏ ସଂପର୍କରେ ଟୁଇଟ୍‌ କଲେ । ଏ ସବୁ ଗାଁରେ ଯୋଗାଯୋଗ ସେବା ଯୋଗାଇ ଦେବାକୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରତିଶ୍ରୁତି ଦେଲେ । ମୋହନଙ୍କ ସମେତ ଯୁବପିଢ଼ିର ଅନ୍ୟମାନେ ଆଶା କରନ୍ତି ଯେ ଏହି ଶାଖା ଡାକଘରକୁ ଖୁବ୍‌ ଶୀଘ୍ର ଇଣ୍ଟରନେଟ୍‌ ଜରିଆରେ ଗନାଇ ଓ ଅନ୍ୟ ଡାକଘର ସହ ସଂଯୋଗ କରାଯିବ ।

ଫଟୋ : ଅର୍ପିତା ଚକ୍ରବର୍ତ୍ତୀ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Arpita Chakrabarty

Arpita Chakrabarty is a Kumaon-based freelance journalist and a 2017 PARI fellow.

Other stories by Arpita Chakrabarty