ଦଙ୍ଗଲ ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ କରିବା ସହିତ କେବଳ ହରିୟାଣାରେ ନୁହେଁ, ବରଂ କୁସ୍ତି ପ୍ରତି ଆଗ୍ରହୀ ଥିବା ଅନ୍ୟ ଅଞ୍ଚଳର ଝିଅମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଛି । ଏହା ଉତ୍ସାହ ଏବଂ ଊର୍ଜାର ଏକ ନୂତନ ତରଙ୍ଗ ଆଣିଛି। ଦୁଇ ଜଣ ଉତ୍ସାହୀ ପ୍ରତିଯୋଗୀ ଶିବାଙ୍ଗୀ (୧୯) ଏବଂ ଅଞ୍ଜଳି ( ୨୦ )ଙ୍କ ସହିତ କଥା ହୋଇ ଫୈଜାବାଦରେ ଆମେ ଏହାକୁ ଖୁବ ନିକଟରୁ ଅନୁଭବ କରିଥିଲୁ।

ଉତ୍ତର ପ୍ରଦେଶର ଫୈଜାବାଦସ୍ଥିତ ଗୋସାଇଗଞ୍ଜରେ ପ୍ରତିବର୍ଷ ଜାନୁଆରୀ ଏବଂ ଫେବୃଆରୀ ମାସ ମଧ୍ୟରେ ସାଧାରଣତଃ ବାର୍ଷିକ କୁସ୍ତି ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏହାର ନାମକରଣ ମଧ୍ୟ ଯଥୋଚିତ ଭାବେ ‘ମହାଦଙ୍ଗଲ’ (ବିଶାଳ କୁସ୍ତି ପ୍ରତିଯୋଗିତା) କରାଯାଇଥିଲା। ତେବେ ସାମାନ୍ୟ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଚାରିବର୍ଷ ତଳେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଝିଅମାନଙ୍କୁ ଭାଗ ନେବାର ସୁଯୋଗ ମିଳିଥିଲା। ଗୋରଖପୁରର ଶିବାଙ୍ଗୀ ଏବଂ ଲକ୍ଷ୍ନୌର ଅଞ୍ଜଳୀ ଏଥିରେ ଅଂଶଗ୍ରହଣ କରିଥିଲେ।

ଆମେ ପ୍ରଥମ ଥର ପାଇଁ ସେମାନଙ୍କୁ ଶୂନ୍ୟରେ କଳାକୌଶଳ ପ୍ରଦର୍ଶନ କରୁଥିବା ଦେଖିଲୁ। ସେମାନେ ପ୍ରାୟତଃ ଅସମ୍ଭବ ଲାଗୁଥିବା କୌଶଳ ଦେଖାଉଥିଲେ। କାହାର ଜିତିବାର ଅଧିକ ସୁଯୋଗ ରହିଛି ଏବଂ କିଏ ତାଙ୍କ ଖେଳରେ ସୁଧାର ଆଣିପାରିବେ ସେ ବିଷୟରେ ଆମେ ସେମାନଙ୍କ ସହ କଥା ହୋଇଥିଲୁ।

ଜାତୀୟସ୍ତରର ଖେଳାଳୀ ଶିବାଙ୍ଗୀଙ୍କଠାରେ ଆତ୍ମବିଶ୍ୱାସ ଖୁବ୍‌ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥାଏ। ସେ ଆମକୁ କହିଥିଲେ ଯେ, ଜଣେ ପେସାଦାର କୁସ୍ତିଯୋଦ୍ଧା ଭାବେ ସେ ୭୦ରୁ ଅଧିକ ପଦକ ହାସଲ କରିଛନ୍ତି। ସ୍ମିତହାସ୍ୟ ସହିତ ସେ କହିଥିଲେ, ‘‘ମୁଁ କେବେହେଲେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପରାଜିତ ହୋଇନାହିଁ। ମୁଁ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗିତାରେ ଜିତିଛି।’’ ଗୋରଖପୁରରେ କୁସ୍ତି ଅଭ୍ୟାସ ପାଇଁ ଏକ ଭଲ କୁସ୍ତି ଆଖଡ଼ା ନାହିଁ, ତଥାପି ଶିବାଙ୍ଗୀ ଅନେକ ବର୍ଷ ଏଠାରେ ଅଭ୍ୟାସ କରିଛନ୍ତି। ଏ ସମ୍ପର୍କରେ ସେ ଆମକୁ କୁହନ୍ତି, ‘‘ତେବେ ସବୁବେଳେ ମ୍ୟାଟ୍‌ରେ ଅଭ୍ୟାସ କରିବାର ସୁଯୋଗ ମିଳିଛି।’’  ପ୍ରଥମେ ତାଙ୍କୁ ରାଜ୍ୟସ୍ତରୀୟ ମୁକାବିଲା ପାଇଁ ଚୟନ କରାଯାଇଥିଲା ଏବଂ ବର୍ତ୍ତମାନ ସେ ଅଧିକ ଔପଚାରିକ ପ୍ରଶିକ୍ଷଣ ନେଉଛନ୍ତି। ପ୍ରାରମ୍ଭିକ ଅବସ୍ଥାରେ, ତାଙ୍କୁ ପରିବାର ଲୋକଙ୍କ ସମର୍ଥନ ମିଳୁନଥିଲା, କିନ୍ତୁ ଧୀରେ ଧୀରେ ସେମାନେ ରାଜି ହେଲେ-ଏମିତି ଭାବେ ସେ ୭୦ଟି ପଦକ ଜିତିବାରେ ସକ୍ଷମ ହେଲେ। ଶିବାଙ୍ଗୀ ଏବେ ଛୋଟ ଛୋଟ ଝିଅମାନଙ୍କୁ କୁସ୍ତି ଏବଂ ଆଥଲେଟିକ୍ସ ପ୍ରଶିକ୍ଷଣ ଦେଉଛନ୍ତି, ଏହାକୁ ମଧ୍ୟ ସେ ଖୁବ୍‌ ଭଲ ପାଆନ୍ତି।

ଭିଡିଓ ଦେଖନ୍ତୁ : ଦୁଇ କୁସ୍ତି ପ୍ରତିଯୋଗୀ , ଶିବାଙ୍ଗୀ ଓ ଅଞ୍ଜଳି ଜିତିବାକୁ ନେଇ ଖୁବ ଆତ୍ମବିଶ୍ୱାସୀ ରହିଛନ୍ତି

ଅଞ୍ଜଳୀ ବଡ଼ ସହରର ଝିଅ; ଘର ଲୋକଙ୍କଠାରୁ ତାଙ୍କୁ ତୁଳନାତ୍ମକ ଭାବେ ଅଧିକ ସମର୍ଥନ ମିଳିଥିବା ସେ କୁହନ୍ତି, କିନ୍ତୁ ସେ କୁହନ୍ତି, ପୁରସ୍କାର ମିଳିଲେ ହିଁ ଯାଇ ତାଙ୍କୁ ପ୍ରଶଂସା ମିଳିଥାଏ। ଶିବାଙ୍ଗୀଙ୍କ ଭଳି ସେ ମଧ୍ୟ ନିଜର କୁସ୍ତି କ୍ୟାରିୟରକୁ ନେଇ ଖୁବ୍‌ ଦୃଢ଼ ବିଶ୍ୱାସୀ ରହିଛନ୍ତି। ଏ ସମ୍ପର୍କରେ ସେ କୁହନ୍ତି: ‘‘ମୁଁ ଏବେ ଖୁବ୍‌ ଭଲ କରୁଛି। ମୋର ବିଶ୍ୱାସ ରହିଛି ଯେ ଆଗକୁ ମଧ୍ୟ ଯଦି ମୁଁ ଏପରି ପ୍ରଦର୍ଶନ ଜାରି ରଖିବି ତା ହେଲେ ଭବିଷ୍ୟତରେ ମୋତେ ଆହୁରି ଅଧିକ ଓ ଭଲ ସୁଯୋଗ ମିଳିବ। ’’ ( ଅଞ୍ଜଳୀ ଚଳିତ ବର୍ଷ ଗୋସାଇଗଞ୍ଜ ମହାଦଙ୍ଗଲ ମହିଳା ପ୍ରତିଯୋଗିତାର ଟାଇଟଲ ହାସଲ କରିଛନ୍ତି। )

ମହାଦଙ୍ଗଲର ଆୟୋଜକମାନେ, ହନୁମାନ ପ୍ରସାଦ ସୋନି ଏବଂ ସୁରଜଭାନ ସିଂ, ଚଳିତ ବର୍ଷର ପ୍ରତିଯୋଗିତା ଉପରେ ‘ଆମିର ଖାନଙ୍କ ପ୍ରଭାବ’କୁ ସ୍ପଷ୍ଟ ଭାବେ ସ୍ୱୀକାର କରିଥାନ୍ତି। ଆମେ ଟିକେଟର ଆକର୍ଷଣୀୟ ମୂଲ୍ୟ ଏବଂ 'ଯୁବ ଉତ୍ସାହର ସକାରାତ୍ମକ ପ୍ରବାହ’ ବିଷୟରେ ଶୁଣିଥିଲୁ। ଦଙ୍ଗଲ ସମୟରେ ଜୀବନ୍ତ ହେଉଥିବା ସାମାଜିକ ସମ୍ପର୍କ ବିଷୟରେ ସିଂ ସୂଚନା ଦେଇ କୁହନ୍ତି : ‘‘ଆଜିର ଯୁବକମାନଙ୍କ ମଧ୍ୟରେ ଖୁବ୍‌ ଅଧିକ ମାତ୍ରାରେ ନିଶା ରହିଛି। ଆମେ ଆଶା କରୁଛୁ ଯେ ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଜୀବନ ପ୍ରତି ଏକ ସୁସ୍ଥ ଦୃଷ୍ଟିକୋଣ ବିକଶିତ ହେବ।’’

ସୋନି କହିଥିଲେ, ‘‘କୁସ୍ତିକୁ ଅଧିକ ଉଚ୍ଚତାକୁ ନେଇ ଯିବା ଲାଗି ସେ ଫୈଜାବାଦ ଏବଂ ଏହାର ବାହାରେ ଥିବା ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ଲାଗି ଚାହୁଁଛନ୍ତି… ଏହା ଆମର ପାରମ୍ପରିକ କ୍ରୀଡ଼ା ଏବଂ ଏଥିପାଇଁ ଅଧିକ କିଛି କରିବା ଲାଗି ଆମ ଭିତରେ ଆଗ୍ରହ ରହିଛି।’’

ମହିଳାଙ୍କ ଅଂଶଗ୍ରହଣ ବିଷୟରେ ପଚାରିବାରୁ ସେ ହଁ ଭରିଥିଲେ ଏବଂ କହିଥିଲେ, ‘‘ମହିଳାମାନେ ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଆମ ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ଦେଶର ସୀମାକୁ ସୁରକ୍ଷା ଦେଉଛନ୍ତି। ତେଣୁ ଏଠାରେ କାହିଁକି ନୁହେଁ? ଏହି କାରଣରୁ ସେମାନଙ୍କୁ ଏଥିରେ ଅଂଶଗ୍ରହଣ କରିବା ଏବଂ କୁସ୍ତି ଲଢ଼ିବା ପାଇଁ ସୁଯୋଗ ଦେବାକୁ ଆମେ ଚିନ୍ତା କଲୁ। ମହିଳାମାନେ ସବୁଠି ରହିବା ଉଚିତ୍‌।’’

ଫେବୃଆରୀ ୧ , ୨୦୧୭ରେ ଏହି ଷ୍ଟୋରୀର ସାମାନ୍ୟ ଭିନ୍ନ ସଂସ୍କରଣ ଖବର ଲହରିୟାରେ ହିନ୍ଦୀରେ ପ୍ରକାଶ ପାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Khabar Lahariya

Khabar Lahariya is a rural digital news organisation, with an all-women network of reporters in eight districts of Uttar Pradesh.

Other stories by Khabar Lahariya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE