ଗତ ବର୍ଷ ନଭେମ୍ବର ୮ରେ ପ୍ରଚଳିତ ୫୦୦ ଓ ୧୦୦୦ ମୂଲ୍ୟ ଯୁକ୍ତ ଟଙ୍କା ରଦ୍ଦ କରାଯିବାର ଦୀର୍ଘ ଦିନ ପରେ ଆଜି ମଧ୍ୟ ବିମୁଦ୍ରାକରଣ ଭୂତ ଦୀପକ ବଡାଭ୍‌ନେଙ୍କୁ ଡରଉଛି ।

ନଭେମ୍ବର ପ୍ରାରମ୍ଭରେ, ବଡାଭ୍‌ନେ ତାଙ୍କର ୨.୫ ଏକର ଜମିରେ ୩୧କ୍ୱିଣ୍ଟାଲ୍‌ କାର୍ପାସ୍‌ ଆଦାୟ କରିଥିଲେ । ସେ ଏଥିରୁ ଭଲ ଲାଭ ଆଶା କରିଥିଲେ । “ବେପାରୀ ଟ୍ରକ୍‌ର ବ୍ୟବସ୍ଥା କରିସାରିଥିଲେ ଓ ମୋ ଘରୁ କାର୍ପାସ୍‌ ନେଇ ସେଥିରେ ଲୋଡ୍‌ ମଧ୍ୟ କରିସାରିଥିଲେ,’’ ବୋଲି ସେ କୁହନ୍ତି । କିନ୍ତୁ ଠିକ୍‌ ତାପରେ, କୃଷି କ୍ଷେତ୍ରରେ ବିମୁଦ୍ରାକରଣ ଜନିତ ନଗଦ ସଙ୍କଟ ଦେଖା ଦେଇଥିଲା। ଦୀପକଙ୍କ କାର୍ପାସ୍‌ ପାଇଁ ଅର୍ଥ ପ୍ରଦାନ କରିବା ଆଉ ସମ୍ଭବ ହୋଇପାରିଲା ନାହିଁ । ‘‘ବେପାରୀମାନେ ଦୀପାବଳି ସୁଦ୍ଧା ଦେୟ ପ୍ରଦାନ କରିବେ ବୋଲି ଏବେ କହୁଛନ୍ତି [ଅକ୍ଟୋବର – ୨୦୧୭ର ମଧ୍ୟଭାଗ]” ବୋଲି ଦୀପକ କୁହନ୍ତି ।

ଆଦାୟ ହୋଇଥିବା ତାଙ୍କ କାର୍ପାସ୍‌ ପାଇଁ ବେପାରୀ ବଡାଭ୍‌ନେଙ୍କୁ  ୧୭୮,୪୮୩ ଟଙ୍କା ଦେୟ ପ୍ରଦାନ କରିବାକୁ ଅଛି । ଏହି ପରିମାଣ ଅର୍ଥ ପାଇଁ ସେ ଗ୍ରହଣ କରିଥିବା ଏକ ଚେକ୍‌ ମାର୍ଚ୍ଚ ୨୪ରେ ବାଉନ୍‌ସ ହୋଇଗଲା – ତିନଥର । “ମୁଁ ଏକଲା ନୁହେଁ,’’ ବୋଲି ଦୀପକ, ୩୧, ମହାରାଷ୍ଟ୍ରର ମରାଠ୍‌ୱାଡା ସହରର ଉପାନ୍ତ ଅଞ୍ଚଳରେ ଅବସ୍ଥିତ ନିଜ ଗ୍ରାମ କରଜ୍‌ଗାଓଁରେ ଏକ ଗଛ ତଳେ ବସି କୁହନ୍ତି । “ମୋ ଗ୍ରାମରେ ମୋ ଭଳି ଠକେଇର ଶିକାର ହୋଇଥିବା ଅନ୍ୟମାନେ ମଧ୍ୟ ଅଛନ୍ତି’’।

ବଡାଭ୍‌ନେ, ଯିଏ ଏକ ଯୌଥ ପରିବାରରେ ନିଜର ଦୁଇ ସନ୍ତାନଙ୍କ ସହିତ ରହନ୍ତି, ୧୩୦୦ଗ୍ରାମବାସୀଙ୍କ ମଧ୍ୟରୁ ତାଙ୍କପରି କିଛି ଲୋକଙ୍କୁ ଏକତ୍ରିତ କରିଛନ୍ତି- ସେହି ଲୋକ ଯେଉଁମାନେ ସେମାନଙ୍କ ବାକି ଦେୟ ସବୁ ପାଇବା ପାଇଁ ଅପେକ୍ଷା କରିଛନ୍ତି ବା ଯେଉଁମାନଙ୍କ ଚେକ୍‌ ବାଉନ୍‌ସ ହୋଇଯାଇଛି । ଏପ୍ରିଲରେ, ବିମୁଦ୍ରାକରଣର ପ୍ରାୟ ଛଅ ମାସ ପରେ, ଦୀପକଙ୍କ ଭାଇ ଜିତେନ୍ଦ୍ର, ୩୮, ତାଙ୍କର ୩୪ କ୍ୱିଣ୍ଟାଲ୍‌ କାର୍ପାସ୍‌ ପାଇଁ ଦୁଇ ଲକ୍ଷ ଟଙ୍କା ପାଇଥିଲେ । ତେବେ ତାହା ମଧ୍ୟ ବାଉନ୍‌ସ ହୋଇଗଲା । "ଯଦି ମୋ ହାତକୁ ନଗଦ ଟଙ୍କା ଆସୁନି, ତେବେ ଏସବୁକୁ ମୋ ପାଖରେ ରଖି ମୁଁ କଣ କରିବି?” ବୋଲି ସେ ପଚାରନ୍ତି । “ଫସଲ ଋତୁ ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ମୋର ନଗଦ ଟଙ୍କା ଆବଶ୍ୟକ ଅଛି [ଯାହା ଜୁନ୍‌ର ମଧ୍ୟଭାଗରେ ଆରମ୍ଭ ହୋଇଥାଏ]” ।

PHOTO • Parth M. N.

କାର୍ପାସ୍‌ ବଦଳେ ଦୀପକ ବଡାଭ୍‌ନେ ପାଇଥିବା ଚେକ୍‌ ଦେଖାଉଛନ୍ତି – ଏହା ତିନିଥର ବାଉନ୍‌ସ ହୋଇଛି

ଆମେ ଯେଉଁଦିନ ସେଠାକୁ ଯାଇଥିଲୁ, ସେଦିନ ଯେଉଁ ବେପାରୀଙ୍କ ବିଷୟରେ କୁହାଯାଇଛି, ସେ ରିପୋର୍ଟର୍‌ଙ୍କ ସାମନା ନକରିବା ପାଇଁ ଗ୍ରାମ ଛାଡି ଚାଲିଯାଇଥିଲେ । ଏଣୁ ଆମେମାନେ ଏଠାରେ ଘଟଣା ସମ୍ବନ୍ଧୀୟ ତାଙ୍କର ମତାମତ ଉଲ୍ଲେଖ କରିପାରୁନୁ ଓ ଏଣୁ ତାଙ୍କ ନାମ ମଧ୍ୟ ଏହି କାହାଣୀରେ ଉଲ୍ଲେଖ କରାଯାଇ ନାହିଁ ।

ଉତ୍ୟକ୍ତ ଲୋକମାନେ ଯେତେବେଳେ ତାଙ୍କ ଘର ଭିତରକୁ ଅନଧିକାର ପ୍ରବେଶ କରିବାକୁ ଚାହିଁଲେ, ସେତେବେଳେ ତାଙ୍କ ମା’ ଧମକ ଦେଇ କହିଲେ ଯେ ଯଦି ତାଙ୍କ ପୁଅ ଆତ୍ମହତ୍ୟା କରନ୍ତି, ତେବେ ସେଥିପାଇଁ ସେମାନେ ସମସ୍ତେ ଉତ୍ତରଦାୟୀ ରହିବେ । “ଦେୟ ପ୍ରଦାନରେ ହେଉଥିବା ବିଳମ୍ବ ପାଇଁ ନଗଦ ସଂକଟ ଦାୟୀ ବୋଲି ବେପାରୀ ଜଣକ, କହୁଥିବା’’ ଦୀପକ କୁହନ୍ତି, “କିନ୍ତୁ ବୁଣିବା ଋତୁ ଆମ ପାଇଁ ଅପେକ୍ଷା କରିବନି । ମୁଁ ଏକ ଏଫ୍‌ଆଇଆର୍‌ ଦାଏର୍‌ କରିଛି [ଠକେଇ ଅଭିଯୋଗରେ, ଏଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଥିବା କର୍ମଦ୍‌ ପୋଲିସ୍‌ ଷ୍ଟେସନ୍‌ରେ] ।’’

ବିମୁଦ୍ରାକରଣର ଦୀର୍ଘଦିନ ପରେ ମଧ୍ୟ ଅଉରଙ୍ଗାବାଦ-ଜଲ୍‌ନା ରାଜପଥରେ ଥିବା ହାସନାବାଦ୍‌ୱାଦି ଗ୍ରାମର, ଅତୁଲ ଅନ୍ତରୀ, ୨୮, ଙ୍କୁ ଜୁନ୍‌ ମାସରେ ମଧ୍ୟ ସଂଘର୍ଷ କରିବାକୁ ପଡୁଛି । ପାଞ୍ଚ ଏକର ଜମିରେ ତାଙ୍କର ୧୦୦୦ଟି ମୋସମ୍ବି ଗଛ ଅଛି । “ମୋର ଏକ ବ୍ୟକ୍ତିଗତ କୂଅ ଓ ନଳକୂପ ମଧ୍ୟ ଅଛି,” ବୋଲି ସେ କୁହନ୍ତି ଓ “ଏଥିଯୋଗୁ ମୁଁ ମୋର ଫଳ ବଗିଚାକୁ ମୋସମ୍ବି ଚାଷ କରୁଥିବା ଅନ୍ୟ କୃଷକମାନଙ୍କ ତୁଳନାରେ ଅଧିକ ପାଣି ମଡେଇବାକୁ ସମର୍ଥ ହୋଇପାରୁଛି ।’’

ନଭେମ୍ବର ମାସର ପ୍ରଥମ ସପ୍ତାହରେ.ଜଣେ ବେପାରୀ ଅନ୍ତରୀ ପାଖକୁ ଆସିଥିଲେ ଓ ତାଙ୍କର ସମଗ୍ର ଉତ୍ପାଦନ ବଦଳରେ ତାଙ୍କୁ ୬.୫ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ । “ଫେବୃୟାରୀ ମାସ ଆଡକୁ ଆଦାୟ କରିବାକୁ ମୁଁ ଯୋଜନା କରିଥିଲି,” ବୋଲି ସେ କୁହନ୍ତି । “ଓ କିଲୋ ପିଛା ମୂଲ୍ୟ ୩୦- ୩୫ ହୋଇଥିବାରୁ, ମୁଁ ଏହି ଫସଲରୁ ପ୍ରାୟ ୧୦ ପର୍ଯ୍ୟନ୍ତ ଉପାର୍ଜନ କରିପାରିବି ବୋଲି ଆଶା କରିଥିଲି । ମୁଁ ସେହି ବେପାରୀଙ୍କ ପାଖରୁ ପୁଣି ଥରେ ଆସିବି ବୋଲି କହିଥିଲି।’’

ତେବେ, ନଭେମ୍ବର ୮ରେ, ସରକାର ‘ନୋଟ୍‌ବନ୍ଦୀ’ ନିର୍ଦ୍ଦେଶ ଜାରି କରିବା ପରେ, ସେହି ବେପାରୀଙ୍କ ପାଖରେ ଆଉ ନଗଦ ଟଙ୍କା ରହିଲା ନାହିଁ ଓ ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା । “ପରିଶେଷରେ ମୁଁ ମୋର ସମସ୍ତ ଫସଲ ପାଇଁ କେବଳ ୧.୨୫ଲକ୍ଷ ଟଙ୍କା ପାଇଲି’’, ବୋଲି ଅତୁଲ କୁହନ୍ତି । “ମୁଁ କିଲୋ ପ୍ରତି ୩୦- ୩୫ଟଙ୍କା ପାଇବା ପାଇଁ ଆଶା ରଖିଥିବା ବେଳେ, ମୋତେ ଶେଷରେ କିଲୋ ପ୍ରତି କେବଳ ୩ଟଙ୍କା ମୂଲ୍ୟରେ ଫଳ ବିକ୍ରି କରିବାକୁ ପଡିଲା’’ ।

ଭିଡିଓ ଦେଖନ୍ତୁ : “ଗତ ବର୍ଷ ନଭେମ୍ବରରେ ହୋଇଥିବା ବିମୁଦ୍ରାକରଣ ପରେ ମୋସମ୍ବି ପାଇଁ କିଲୋ ପ୍ରତି ୩୦- ୩୫ ଟଙ୍କା ପାଇବା ପରିବର୍ତ୍ତେ ମାତ୍ର ୩ ଟଙ୍କା ପାଇଲି, ବୋଲି ହାସନାବାଦ୍‌ୱାଦି ଗ୍ରାମର ଅତୁଲ ଅନ୍ତରାଇ କୁହନ୍ତି ।

ପ୍ରତି ବର୍ଷ, ମରାଠ୍‌ୱାଡାରେ ଫସଲ ପାଇଁ ନଗଦ ଜରିଆରେ କାରବାର ହୋଇଥାଏ । ଖାଦ୍ୟ ଶସ୍ୟ ତୁଳନାରେ କାର୍ପାସ୍‌ ଓ ମୋସାମ୍ବି ପାଇଁ ଅପେକ୍ଷାକୃତ ଅଧିକ ମୂଲ୍ୟ ମିଳିଥାଏ – ଏଣୁ ବିମୁଦ୍ରାକରଣ ପରେ, ଯେତେବେଳେ ନଗଦ ଯୋଗାଣ ହାର କମ୍‌ ହୋଇଗଲା, ସେତେବେଳେ କାର୍ପାସ୍‌ ଓ ମୋସାମ୍ବି କୃଷକମାନଙ୍କ ଉପରେ ଏହାର ଗମ୍ଭୀର ପ୍ରଭାବ ପଡିଥିଲା । ନଭେମ୍ବର ହେଉଛି ସେହି ସମୟ, ଯେତେବେଳେ ମରାଠ୍‌ୱାଡାର କୃଷକମାନେ କାର୍ପାସ୍‌ ଆଦାୟ କରିଥାନ୍ତି ଓ ଏହାର ମାତ୍ର କିଛି ମାସ ପରେ ଫେବୃୟାରୀ –ମାର୍ଚ୍ଚରେ ବର୍ଷରେ ପ୍ରଥମଥର ମୋସାମ୍ବି ଆଦାୟ କରାଯାଏ (ଦ୍ୱିତୀୟ ଥର ସାଧାରଣତଃ ଅଗଷ୍ଟ – ସେପ୍ଟେମ୍ବରରେ କରାଯାଏ) ।

ଦର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ଓ ବେପାରୀମାନଙ୍କ ପାଖରେ କୃଷକମାନଙ୍କ ପାଖରୁ ଗଚ୍ଛିତ ମାଲ୍‌ କ୍ରୟ କରିବା ପାଇଁ ନଗଦ ଟଙ୍କା ଅର୍ଥ ନାହିଁ । ଏକ ନଗଦଶୂନ୍ୟ ଭବିଷ୍ୟତ, ଯାହାର ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କେବ ମଧ୍ୟ ଆସିଲା ନାହିଁ ଓ ଗ୍ରାମୀଣ ମରାଠାୱାଡାରେ ଅନେକ ଏହି ଧାରଣାକୁ ବିଦ୍ରୁପ କରନ୍ତି । “ସହରରେ ବହୁ ସଂଖ୍ୟକ ଏଟିଏମ୍‌ ରହିଛି” ବୋଲି ସୋୟାବିନ୍‌ ଓ ଜଅ ଚାଷ କରୁଥିବା ବିଡ୍‌ ଜିଲ୍ଲା ଅନ୍ତର୍ଗତ ଅଞ୍ଜନବାଟି ଗ୍ରାମର କୃଷକ ଅଶୋକ ୟେଧେ କୁହନ୍ତି । “କେବଳ ବ୍ୟାଙ୍କ ବା ଏଟିମ୍‌କୁ ଯିବା ପାଇଁ ଆମକୁ ଅନେକ କିଲୋମିଟର ବାଟ ଯାତ୍ରା କରିବାକୁ ହୋଇଥାଏ ।’’

ଗ୍ରାମୀଣ ଅଞ୍ଚଳରେ ଅତି ଅଳ୍ପ ସଂଖ୍ୟକ ଏଟିମ୍‌ କେଉଁଠି କେଉଁଠି ରହିଛି । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ତଥ୍ୟ ମୁତାବକ ସମ୍ପୂର୍ଣ୍ଣ ଦେଶରେ ୨୨୨,୭୬୨ଟି ଏଟିଏମ୍‌ ଥିବାବେଳେ ଗ୍ରାମାଞ୍ଚଳରେ ମାତ୍ର ୪୦,୯୯୭ଟି ରହିଛି (୨୦୧୭ ପର୍ଯ୍ୟନ୍ତ)  - ଏହାର ଅର୍ଥ ହେଉଛି ଭାରତର ୬୯ ପ୍ରତିଶତ ଜନସଂଖ୍ୟା, ଯେଉଁମାନଙ୍କୁ ଗ୍ରାମୀଣ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି, ସେମାନଙ୍କ ପାଇଁ କେବଳ ୨୦ ପ୍ରତିଶତ ଏଟିଏମ୍‌ ଉପଲବ୍ଧ ଅଛି ।

ଦେବୀଦାସ ତୁଲ୍‌ଜାପୁର୍କାର, ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକଙ୍କ ମତରେ ଏହି ଏଟିଏମ୍‌ଗୁଡିକ କେତେ ସମୟ କାମ କରିଥାନ୍ତି, ତାହା ମଧ୍ୟ ଅନୁଧ୍ୟାନ କରାଯିବା ଉଚିତ୍‌ । “ସହରଗୁଡିକରେ, ପ୍ରାୟ ସବୁଦିନ ନଗଦ ଭର୍ତ୍ତି କରାଯାଏ’’ ବୋଲି ସେ କୁହନ୍ତି । “ତେବେ ଗ୍ରାମାଞ୍ଚଳରେ ଏପରି ହୁଏନାହିଁ, ଯେତେବେଳେକି ସହରରେ ଯେତେ ସମୟ ଏଟିଏମ୍‌ ସକ୍ରିୟ ରହିଥାଏ, ଗ୍ରାମାଞ୍ଚଳରେ ତାହାର ମାତ୍ର ୨୦ ପ୍ରତିଶତ ସମୟ ପର୍ଯ୍ୟନ୍ତ ଏହା ସକ୍ରିୟ ରହିଥାଏ ।’’

ଆହୁରି ମଧ୍ୟ, ୟେଧେଙ୍କ ମତରେ, ଅନ୍‌ଲାଇନ୍‌ ନେଣଦେଣ ପ୍ରକ୍ରିୟା ଅଧିକ ବ୍ୟୟବହୁଳ ଓ ପ୍ରତ୍ୟେକ ନେଣଦେଣ ପାଇଁ କିଛି ଅଧିକ ଅର୍ଥ ବ୍ୟୟ କରିବା ସମସ୍ତ କୃଷକଙ୍କ ପକ୍ଷରେ ସମ୍ଭବ ନୁହେଁ । ସେ ଯାହା ହେଉନା କାହିଁକି, ଗ୍ରାମୀଣ ଅର୍ଥନୀତିରେ ଯେକୌଣସି ନେଣଦେଣର କେନ୍ଦ୍ରରେ ନଗଦ ରହିଥିବା ସେ ବର୍ଣ୍ଣନା କରିକୁହନ୍ତି । “ଆମେ ଜଣେ କୃଷି ଶ୍ରମିକକୁ ପେଟିଏମ୍‌ ଜରିଆରେ ୨୫୦ ଟଙ୍କା ଦେଇପାରିବା ନାହିଁ”, ସେ ହସନ୍ତି । “ଅଧିକାଂଶ ସମୟରେ, ଜଣେ କୃଷକ ନଗଦ ରାଶି ଗ୍ରହଣ କରିଥାଏ ଓ ତତ୍‌କ୍ଷଣାତ୍‌ ଏହାକୁ ଆବଶ୍ୟକ ଜିନିଷ, ରାସନ୍‌ ବା ପଶୁଖାଦ୍ୟ କିଣିବା ପାଇଁ ବ୍ୟବହାର କରିଥାଏ । ଗ୍ରାମୀଣ ଭାରତରେ ସମୂର୍ଣ୍ଣ ବେପାର ଶୃଙ୍ଖଳ ନଗଦ ରାଶି ଉପରେ ଆଧାରିତ ।’’

ନଭେମ୍ବର ୨୦୧୬ ପରେ ଗ୍ରାମାଞ୍ଚଳରେ ଯେଉଁ ନଗଦ ରାଶିର ସଂକଟ ଦେଖାଯାଇଥିଲା. ତାହା ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କଗୁଡିକରେ ସବୁଠାରୁ ଶେଷରେ କରେନ୍ସି ନୋଟ୍‌ ପହଞ୍ଚିବା ଯୋଗୁଁ ଅଧିକ ଗମ୍ଭୀର ହୋଇଯାଯାଇଥିଲା । ଜିଲ୍ଲା ସମବାୟ ବ୍ୟାଙ୍କଗୁଡିକ ଯେଉଁଠାରେ ଅଧିକାଂଶ କୃଷକଙ୍କ ଆକାଉଣ୍ଟ ରହିଛି, ସେଠାରେ ଜମା କରାଯାଇଥିବା ପୁରୂଣା ନୋଟ୍‌ଗୁଡିକୁ ଆର୍‌ବିଆଇ ମାସ ମାସ ପର୍ଯ୍ୟନ୍ତ ଗ୍ରହଣ କରିନଥିଲେ । ଲାଟୁର୍‌ସ୍ଥିତ ଜିଲ୍ଲା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ, ହନୁମନ୍ତ ଯାଦବଙ୍କ ମତରେ, “ଯେତେବେଳେ ଜିଲ୍ଲା ବ୍ୟାଙ୍କଗୁଡିକୁ ପୁନଃମୁଦ୍ରାକରଣ କରାଗଲା ନାହିଁ ଓ ଆମର ସମସ୍ତ ଏଟିଏମ୍‌ରୁ ଟଙ୍କା ସରିଗଲା, ସେତେବେଳେ  ୭ – ୮ମାସ ପର୍ଯ୍ୟନ୍ତ ଆମକୁ ନିରନ୍ତର ସଂଘର୍ଷ କରିବାକୁ ହେଲା ।’’

ଭିଡିଓ ଦେଖନ୍ତୁ : ‘ଜଣେ କୃଷକ କେବେ ମଧ୍ୟ ନଗଦ ଶୂନ୍ୟ ହୋଇ ରହିପାରିବ ନାହିଁ’, ବୋଲି କରଜ୍‌ଗାଓଁ ଗ୍ରାମର ଦୀପକ ବଡାଭ୍‌ନେ ଜୋର୍‌ ଦେଇ କହିଛନ୍ତି ।

କରଜ୍‌ଗାଓଁରେ ମଧ୍ୟ, ଗ୍ରାମଗୁଡିକରେ ବସବାସ କରୁଥିବା ଏକ ବଡ ଭାଗକୁ ଅଣଦେଖା କରି ନଗଦଶୂନ୍ୟ ଅର୍ଥନୀତି ଆଡକୁ ଅଗ୍ରଗତି କରିବା ସହର-କୈନ୍ଦ୍ରୀକ ନୀତି ବୋଲି କୃଷକମାନେ କହୁଛନ୍ତି । “ଆମେ ସାଧାରଣତଃ କୌଣସି ସୁତ୍ରରୁ କିଛି ନଗଦ ରାଶି ପାଇଲେ, ତାହା ସେହିଦିନ ବ୍ୟବହାର କରିଥାଉ,” ବୋଲି ଦୀପକ କୁହନ୍ତି । “ଯଦି ଆମେ ପ୍ରତ୍ୟେକ ଥର ନେଣଦେଣ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯିବି, ତେବେ ଏଥିପାଇଁ ଆମକୁ କେତେ ପରିମାଣର ଅର୍ଥ ଓ ସମୟ ବ୍ୟୟ କରିବାକୁ ପଡିବ, ସେ କଥା ଆପଣ କଳ୍ପନା କରନ୍ତୁ? ନଗଦଶୂନ୍ୟ ହେବା ମୁମ୍ବାଇ ଓ ଦିଲ୍ଲୀ ପାଇଁ ଭଲ ହୋଇପାରେ, କନ୍ତୁ ଗ୍ରାମୀଣ ଭାରତରେ ଏହା ଏକ ଫାର୍ସ ମାତ୍ର।’’

ଦୀପକ ୨୦୧୬ – ୨୦୧୭ କୃଷି ଋତୁ ପାଇଁ ନେଇଥିବା ଋଣ ପରିଶୋଧ କରିପାରିନାହାନ୍ତି । “କର୍ମାଦ୍‌ରେ ଥିବା ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ମୋର ୧.୫ଲକ୍ଷ ଦେୟ ପଇଠ କରିବାକୁ ଅଛି,” ବୋଲି ସେ କୁହନ୍ତି । “ମୁଁ ପ୍ରତିବର୍ଷ ପଇଠ କରିଆସୁଛି, ଏଣୁ ମୁଁ ଏକ ନୂଆ ଶସ୍ୟ ଋଣ ପାଇଁ ଯୋଗ୍ୟ ହୋଇଥାଏ। କିନ୍ତୁ ଏହି ବର୍ଷ, ମୁଁ ପଇଠ କରିପାରିନି’’ ।

ବର୍ତ୍ତମାନ ଦୀପକ, ଜଣେ ବେସରକାରୀ ଋଣଦାତାଙ୍କଠାରୁ ମାସିକ ୩ ପ୍ରତିଶତ ସୁଧ ହାରରେ ୨୪୦,୦୦୦ ଟଙ୍କା ଋଣ କରିଛନ୍ତି । ପୂର୍ବରୁ ତାଙ୍କ ଉପରେ ଅନ୍ୟ ଜଣେ ବସରକାରୀ ଋଣଦାତାଙ୍କର ୨ଲକ୍ଷ ଟଙ୍କାର ଋଣବୋଝ ଅଛି । ସେ ଏହି ନୂଆ ଋଣ ଟଙ୍କାକୁ ଚାଲିଥିବା ଖରିଫ୍‌ ଋତୁପାଇଁ ଓ ବ୍ୟାଙ୍କ ଋଣର କିଛି ଅଂଶ ପରିଶୋଧ କରିବା ପାଇଁ ବ୍ୟବହାର କରିଛନ୍ତି । କିନ୍ତୁ ସେ ଏବେ ମଧ୍ୟ ଦୁଃଖି ଅଛନ୍ତି । “ବର୍ଷାରେ ଅନିୟମିତତା ଯୋଗୁଁ ଏଥର ଆଦାୟ ଭଲ ହେବନାହିଁ ଜଣାପଡୁଛି,” ବୋଲି ସେ କୁହନ୍ତି ।

ଓ ହାସନାବାଦ୍‌ୱାଦି ଗ୍ରାମରେ, ନିଜର ମୋସାମ୍ବି ବଗିଚା ନିଶ୍ଚିହ୍ନ କରିବାକୁ ପଡିପାରେ ବୋଲି ଅତୁଲ ଭାବୁଛନ୍ତି । “କୂଅ ଶୁଖି ଯାଇଛି। ଭଲ ବର୍ଷା ମଧ୍ୟ ହୋଇନାହିଁ । ଆଦାୟ ମଧ୍ୟମ ହୋଇପାରେ [ବର୍ଷର ଦ୍ୱିତୀୟ, ଅଗଷ୍ଟ – ସେପ୍ଟେମ୍ବରର]। ଓ ଯେହେତୁ ମୁଁ ବିମୁଦ୍ରାକରଣ ପରେ ବହୁ ଅର୍ଥ ହରେଇଛି। ଏଣୁ ବର୍ତ୍ତମାନ ଏହି ଗଛଗୁଡିକୁ ବଞ୍ଚେଇ ରଖିବା ପାଇଁ ଆବଶ୍ୟକ ପାଣି କିଣିବା ମୋ ପକ୍ଷେ ସମ୍ଭବ ନୁହେଁ ।’’

ଫଟୋ: ଶ୍ରୀରଙ୍ଗ ସ୍ୱର୍ଗେ

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE