ପେରୁଭେମ୍ବା, ପ୍ରଥମେ ଦେଖିଲେ ଚମଡ଼ା କାରଖାନା ଭଳି ଲାଗିଥାଏ। ଗାଈ, ମଈଁଷି ଏବଂ ଛେଳି ଭଳି ପଶୁଙ୍କ ଚମଡ଼ା ଗାଁର ଅଗଣାଗୁଡ଼ିକରେ ଶୁଖୁଥାଏ, ଯାହା ଦର୍ଶାଇଥାଏ ଯେ ଚମଡ଼ାକୁ ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଛି। କିନ୍ତୁ ଅଗଣାର ଆଗରେ ଓ ଘର ଭିତରକୁ ଗଲେ ଜଣାପଡ଼ିଥାଏ ଯେ କଡ଼ଚୀ କୋଲ୍ଲନ ସମୁଦାୟର କାରୀଗରମାନେ ଏହି କଞ୍ଚା ଚମଡ଼ାରେ ଉଚ୍ଚ ଗୁଣବତ୍ତାଯୁକ୍ତ ମୃଦଙ୍ଗ ପ୍ରସ୍ତୁତ କରିଥାନ୍ତି।

ସମ୍ପୂର୍ଣ୍ଣ ଦକ୍ଷିଣ ଭାରତର ମୃଦଙ୍ଗ ବାଦକମାନେ, କେରଳର ପଲକ୍କଡ଼ ସହରଠାରୁ ୧୪ କିମି ଦୂରରେ ଥିବା ପେରୁଭେମ୍ବାରୁ ହିଁ ଚମଡ଼ାରେ ତିଆରି ହୋଇଥିବା ବାଦ୍ୟଯନ୍ତ୍ର ଆଣିଥାନ୍ତି। “ଆମେ ସଙ୍ଗୀତକାର ନୋହୁଁ ଯେ ବାଦ୍ୟଯନ୍ତ୍ର ବଜାଇପାରିବୁ, କିନ୍ତୁ ଆମେ ଭଲ ଗୁଣବତ୍ତାଯୁକ୍ତ ବାଦ୍ୟଯନ୍ତ୍ର ତିଆରି କରିବାର ଶ୍ରୁତିଗୁଡ଼ିକୁ (ମାଇକ୍ରୋଟୋନାଲ୍ ୟୁନିଟ୍) ଜାଣୁ”, ମୃଦଙ୍ଗମ ତିଆରି କରୁଥିବା ଜଣେ ୪୪ ବର୍ଷୀୟ କଡ଼ଚୀ କୋଲ୍ଲନ କେ.ମଣିକନ୍ଦନ କୁହନ୍ତି। “ଆମେ ଅର୍ଡର ମିଳିବା ପରେ ହିଁ ବାଦ୍ୟଯନ୍ତ୍ର ତିଆରି କରିଥାଉ। ଆମେ ଏହାକୁ ଗ୍ରାହକମାନଙ୍କର ଆବଶ୍ୟକତା ଅନୁଯାୟୀ ବାଦ୍ୟ ପ୍ରସ୍ତୁତ କରିଥାଉ। ଆମେ ଦୋକାନ କିମ୍ବା ବ୍ୟବସାୟିକ ଖୁଚୁରା ବିକ୍ରେତାମାନଙ୍କୁ ବିକ୍ରି କରିନଥାଉ।

ପେରୁଭେମ୍ବାର କଡ଼ଚୀ କୋଲ୍ଲନମାନେ ମୃଦଙ୍ଗ, ମର୍ଦ୍ଦଳ, ତବଲା, ଢୋଲ, ଚେଣ୍ଡା, ଗଞ୍ଜିରା ଓ ଅନ୍ୟ ବାଦ୍ୟଯନ୍ତ୍ର ତିଆରି କରିଥାନ୍ତି ଯାହାର ଉପଯୋଗ ଅଧିକାଂଶ ମନ୍ଦିରର ସଙ୍ଗୀତ ଓ କର୍ଣ୍ଣାଟକ ସଙ୍ଗୀତରେ ହୋଇଥାଏ। ଏହି ସମୁଦାୟ ୨୦୦ ବର୍ଷରୁ ଅଧିକ ବର୍ଷ ହେବ ଏହି ବାଦ୍ୟଯନ୍ତ୍ର ତିଆରି କରି ଆସୁଛନ୍ତି। ଏଥିପୂର୍ବରୁ ସେମାନେ କମାର ଥିଲେ ଏବଂ କୃଷି ଉପକରଣ ତିଆରି କରୁଥିଲେ, ମଣିକନ୍ଦନ କହିଥିଲେ। କର୍ଣ୍ଣାଟକୀ ସଙ୍ଗୀତର କେନ୍ଦ୍ର ରୂପରେ ପଲକ୍କଡ଼ର ପରିଚୟ ପେରୁଭେମ୍ବା ଗ୍ରାମରୁ ମିଳିଥାଏ ଯାହା ଏବେ ପଲକ୍କଡ଼ ଜିଲ୍ଲାର ପେରୁଭେମ୍ବା ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି। ଏହା କଡ଼ଚି କୋଲ୍ଲନମାନଙ୍କୁ ଉନ୍ନତ ଆୟ ଲାଗି ବାଦ୍ୟଯନ୍ତ୍ର ପ୍ରସ୍ତୁତ କରିବା ଲାଗି ପ୍ରୋତ୍ସାହିତ କରିଥିଲା।

ପରବର୍ତ୍ତୀ ସମୟରେ ମୃଦଙ୍ଗ ଉସ୍ତାଦ ପାଲଘଟ ଟି.ଏସ. ମଣି ଆୟାର (୧୯୧୨-୧୯୮୧) ଏଠାରେ ତିଆରି ହେଉଥିବା ବାଦ୍ୟଯନ୍ତ୍ର ବଜାଇ ଖ୍ୟାତି ଅର୍ଜନ କରିବା ପରେ ଏଠାକାର ପରିଚୟ କେରଳ ବାହାରେ କର୍ଣ୍ଣାଟକୀ ସଙ୍ଗୀତ ଜଗତରେ ବିସ୍ତାରିତ ହୋଇଥିଲା। ସେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରୁ ବହୁ ସଂଖ୍ୟକ ସଙ୍ଗୀତଜ୍ଞଙ୍କୁ ଆମନ୍ତ୍ରଣ କରି ଏଠାକୁ ଆଣୁଥିଲେ, ଯେଉଁମାନେ ପରବର୍ତ୍ତୀ କାଳରେ କଡ଼ଚି କୋଲ୍ଲନ କାରୀଗରମାନଙ୍କର ସ୍ଥାୟୀ ଗ୍ରାହକ ପାଲଟିଗଲେ। ଆୟାରଙ୍କ ନିଜ ମୃଦଙ୍ଗକୁ ମଣିକନ୍ଦନଙ୍କ ପିତା କୃଷ୍ଣନ ମରୁଥଲପରମ୍ବୁ ତିଆରି କରୁଥିଲେ, ଯିଏକି ତାଙ୍କର ଘନିଷ୍ଠ ମିତ୍ର ଥିଲେ।

The Kadachi Kollan wash and dry the animal skins in their courtyards in Peruvemba village
PHOTO • P. V. Sujith

ପେରୁଭେମ୍ବା ଗ୍ରାମରେ କଡ଼ଚୀ କୋଲ୍ଲନମାନେ ନିଜ ଘର ଅଗଣାରେ ପଶୁଙ୍କ ଚମଡ଼ା ଧୋଇଥାନ୍ତି ଏବଂ ଶୁଖାଇଥାନ୍ତି।

ପେରୁଭେମ୍ବା ଗ୍ରାମରେ ରହୁଥିବା ୩୨୦ଟି ପରିବାର ମଧ୍ୟରୁ ୮୦ଟି ପରିବାର କଡ଼ଚୀ କୋଲ୍ଲନ ସମୁଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି (ଗ୍ରାମପଞ୍ଚାୟତ ରେକର୍ଡ ଅନୁସାରେ)। ୨୦୦୭ରେ, ଏହି ଗ୍ରାମର କାରୀଗରମାନେ ଏକ ରାଜ୍ୟସ୍ତରୀୟ ଚମଡ଼ା ଆଧାରିତ ବାଦ୍ୟଯନ୍ତ୍ର-କେରଳ ରାଜ୍ୟ ଥୁକଲ ବାଦ୍ୟୋପକରଣ ନିର୍ମାଣ ସଂଘମ ଗଠନ କରିଥିଲେ। ସେବେଠାରୁ, ବାଦ୍ୟଯନ୍ତ୍ରର ଦର ଏବଂ ଏହାର ମରାମତି ଓ ପୁନଃନିର୍ମାଣ ଦର ମିଳିତ ଭାବେ ସଂଘର ସଦସ୍ୟମାନଙ୍କ ଦ୍ୱାରା ମିଳିତ ଭାବରେ ନିର୍ଦ୍ଧାରଣ କରାଯାଇଥାଏ। ସେମାନେ ମଧ୍ୟ ସଦସ୍ୟମାନଙ୍କ ମଧ୍ୟରେ ସମାନ ଭାବେ କାମ ବାଣ୍ଟିଥାନ୍ତି। ମଣିକନ୍ଦନ ହେଉଛନ୍ତି ଏହି ସଂଘର ସମ୍ପାଦକ, ଯେଉଁଥିରେ ଗ୍ରାମର ୬୫ ସଦସ୍ୟ ଓ ୧୧୪ଜଣ ପ୍ରଶିକ୍ଷାର୍ଥୀ ରହିଛନ୍ତି।

ପେରୁଭେମ୍ବାର କାରୀଗରମାନେ ବହୁବର୍ଷ ଧରି କଳାକାର ଏବଂ ବିଭିନ୍ନ ସଂସ୍ଥା ପାଇଁ ବାଦ୍ୟଯନ୍ତ୍ର ଡିଜାଇନ ଓ ପ୍ରସ୍ତୁତ କରି ସ୍ଥିର ଆୟ କରି ଆସୁଥିଲେ। କିନ୍ତୁ କୋଭିଡ-୧୯ ତାହାକୁ ବଦଳାଇ ଦେଲା।

ଭାରତର ପ୍ରଥମ ତିନି ଜଣ କରୋନା ସଂକ୍ରମିତଙ୍କୁ କେରଳରେ ଚିହ୍ନଟ କରାଯିବା ପରେ ଜାନୁଆରୀ ୨୦୨୦ରେ କେରଳ ସରକାର କଠୋର ଲକଡାଉନ ଜାରି କରିଥିଲେ। ଫେବୃଆରୀ ପରେ ପେରୁଭେମ୍ବାକୁ କେହି ଗ୍ରାହକ ଆସି ପାରୁନଥିଲେ, ତେଣୁ ଅଧିକ ବିକ୍ରି ହେଉଥିବା ସମୟ ଗ୍ରୀଷ୍ମ ଋତୁରେ କୌଣସି ଅର୍ଡର ମିଳିଲା ନାହିଁ।

“ଫେବୃଆରୀ ଏବଂ ଜୁନ ମଧ୍ୟରେ କେରଳରେ ପାର୍ବଣ ଋତୁ ଚାଲିଥାଏ। ଏହି ସମୟ ମଧ୍ୟରେ କେହି ଜଣେ ହେଲେ ଗୋଟିଏ ଜିନିଷ କିଣିଲେ ନାହିଁ। ମରାମତି ପାଇଁ ମଧ୍ୟ କେହି ଆସିଲେ ନାହିଁ”, ମଣିକନ୍ଦନ କହିଛନ୍ତି। ଗ୍ରୀଷ୍ମ ଋତୁରେ କେରଳର ମନ୍ଦିର ଓ ଗୀର୍ଜାଘରଗୁଡ଼ିକରେ ବାର୍ଷିକୋତ୍ସବ ଆୟୋଜନ କରାଯାଇଥାଏ ଯେଉଁଠିକୁ ବହୁସଂଖ୍ୟାରେ ବାଦକମାନେ ଆସିଥାନ୍ତି-ବେଳେବେଳେ ପାଖାପାଖି ୫୦୦ ବାଦକ ଆସିଥାନ୍ତି। ସେମାନେ ବେଳେ ବେଳେ ଘଣ୍ଟା ଘଣ୍ଟା ଧରି ପାଞ୍ଚାଡ଼ି ମେଲମ ଓ ପଞ୍ଚବାଦ୍ୟମ ଭଳି ପାରମ୍ପରିକ ଅର୍କେଷ୍ଟ୍ରା ବଜାଇଥାନ୍ତି।

ଲକଡାଉନ ସମୟରେ ବାଦ୍ୟଯନ୍ତ୍ର ବିକ୍ରି ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଥିଲା। ୨୦୨୦ରେ ପେରୁଭେମ୍ବାରେ ମାତ୍ର ୨୩ଟି ବାଦ୍ୟଯନ୍ତ୍ର ବିକ୍ରି ହୋଇଥିଲା ତାହା ପୁଣି ଲକଡାଉନ ପୂର୍ବରୁ। “ସେଗୁଡ଼ିକ କେବଳ ମୃଦଙ୍ଗ ଓ ତବଲା ଥିଲା, ଚେଣ୍ଡା ବିକ୍ରି ହୋଇନଥିଲା,” ମଣିକନ୍ଦନ କହିଥିଲେ। ତୁଳନାତ୍ମକ ଭାବେ ଦେଖିଲେ, ୨୦୧୯ରେ ୩୮୦ଟି ବାଦ୍ୟ ବିକ୍ରି ହୋଇଥିଲା-ସେଥିମଧ୍ୟରୁ ୧୧୨ଟି ଚେଣ୍ଡା ଥିଲା, ଯାହାକି ପଞ୍ଚଡ଼ି ମେଲମ ଅର୍କେଷ୍ଟ୍ରାର ମୁଖ୍ୟ ବାଦ୍ୟ।

Left: K. Manikandan fastens the leather straps of a mridangam. Right: Ramesh and Rajeevan Lakshmanan finish a maddalam
PHOTO • P. V. Sujith
Left: K. Manikandan fastens the leather straps of a mridangam. Right: Ramesh and Rajeevan Lakshmanan finish a maddalam
PHOTO • P. V. Sujith

ବାମ : କେ ମଣିକନ୍ଦନ ମୃଦଙ୍ଗର ରଶିଗୁଡ଼ିକୁ ଦୃଢ଼ ଭାବେ ବାନ୍ଧୁଛନ୍ତି। ଡାହାଣ: ରମେଶ ଓ ରାଜୀବନ ଲକ୍ଷ୍ମଣନ ମଦ୍ଦଳମକୁ ଅନ୍ତିମ ରୂପ ଦେବାରେ ବ୍ୟସ୍ତ ରହିଛନ୍ତି

ଚେଣ୍ଡା ଓ ଶୁଦ୍ଧ ମର୍ଦ୍ଦଳ, ଯାହା କଥକଲୀ ନୃତ୍ୟ ନାଟକରେ ବାଦ୍ୟ ସଙ୍ଗୀତ ପ୍ରଦାନ କରିଥାଏ, ପେରୁଭେମ୍ବାର ସବୁଠୁ ଲୋକପ୍ରିୟ ଉତ୍ପାଦ ଅଟେ। ନୂଆ ମର୍ଦ୍ଦଳ ସାଧାରଣତଃ ୨୫,୦୦୦ ଟଙ୍କାରେ ଏବଂ ଚେଣ୍ଡା ୧୨,୦୦୦-୧୫,୦୦୦ ଟଙ୍କାରେ ବିକ୍ରି ହୋଇଥାଏ, ୩୬ ବର୍ଷୀୟ ରାଜୀବନ ଲକ୍ଷ୍ମଣନ କହିଥାନ୍ତି, ଯିଏକି ମର୍ଦ୍ଦଳ ତିଆରି କରିବାରେ ସିଦ୍ଧହସ୍ତ। କାରୀଗରମାନେ ପୁରୁଣା ମର୍ଦ୍ଦଳର ଚମଡ଼ାକୁ ବଦଳାଇବାକୁ ୧୨,୦୦୦ ଟଙ୍କା ଓ ରଶିକୁ ଦୃଢ଼ ଭାବେ ବାନ୍ଧିବା ଓ ସେଗୁଡ଼ିକୁ ବଦଳାଇବା ନିମନ୍ତେ ୮୦୦ ଟଙ୍କା ନେଇଥାନ୍ତି। ପ୍ରତ୍ୟେକ ବାଦ୍ୟଯନ୍ତ୍ରର ବିକ୍ରି ଉପରେ ଆଠ ପ୍ରତିଶତ ଲାଭ ହୋଇଥାଏ।

“କୋଭିଡ ଲକଡାଉନ ପୂର୍ବରୁ, ଗ୍ରାମର ପ୍ରତ୍ୟେକ ପରିବାର ମାସକୁ ୧୭,୦୦୦-୪୦,୦୦୦ ଟଙ୍କା ଆୟ କରୁଥିଲେ”, ୬୪ ବର୍ଷୀୟ ମଣି ପେରୁଭେମ୍ବା କହିଥାନ୍ତି।

“ଏହି ସଙ୍କଟ ଅତ୍ୟନ୍ତ ଗମ୍ଭୀର ଥିଲା କାରଣ ଆମ ପାଖରେ ଜୀବିକା ନିର୍ବାହ ପାଇଁ ଅନ୍ୟ କୌଣସି ସ୍ଥିର ଆୟ ନଥିଲା,” ରାଜୀବନ କହିଥିଲେ। କିନ୍ତୁ ଚାଷରୁ ପେରୁଭେମ୍ବାର କଡ଼ଚୀ କୋଲ୍ଲନ ପରିବାରଗୁଡ଼ିକୁ ଲକଡାଉନ ସମୟରେ କିଛି ଟଙ୍କା ଆୟ କରିବାରେ ସହାୟତା ମିଳିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିକଟବର୍ତ୍ତୀ ଗ୍ରାମର ଅଧା ଏକରରୁ ଗୋଟିଏ ଏକର ଜମିରେ କଦଳୀ ଏବଂ ନଡ଼ିଆ ଚାଷ କରୁଥିଲେ। ସ୍ଥାନୀୟ ବଜାରରେ କଦଳୀ କିଲୋ ପ୍ରତି ୧୪ଟଙ୍କା ଏବଂ ନଡ଼ିଆ କିଲୋ ପ୍ରତି ୫୪ ଟଙ୍କାରେ ବିକ୍ରି ହୋଇଥାଏ। କିଛି ଲୋକ ନିଜର ବ୍ୟବହାର ପାଇଁ ଧାନ ଚାଷ କରିଥିଲେ।

ମହାମାରୀ ପୂର୍ବରୁ ମଧ୍ୟ, ବାଦ୍ୟଯନ୍ତ୍ର ନିର୍ମାତାମାନଙ୍କୁ ପଶୁଙ୍କ ଚମଡ଼ା ମିଳିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କେନ୍ଦ୍ର ସରକାର ପଶୁଙ୍କ ପ୍ରତି କ୍ରୁରତା ନିବାରଣ (ପଶୁସମ୍ପଦ ବଜାର ନିୟାମକ) ନିୟମ, ୨୦୧୭ ଲାଗୁ କରିବା କାରଣରୁ ଗୋରୁଙ୍କ ଚମଡ଼ା ମିଳିବା ହ୍ରାସ ପାଇଲା। ଏହି ନିୟମ କାରଣରୁ ଗୋରୁମାନଙ୍କର ଅନ୍ତର୍ଜାତୀୟ ପରିବହନ ପ୍ରଭାବିତ ହୋଇଥିଲା, ଏବଂ ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲାର କଂସେଇଖାନାରୁ ପଶୁଙ୍କ ଚମଡ଼ା ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା।

ପେରୁଭେମ୍ବାର କାରୀଗରମାନେ ଏବେ ତିନି କିଲୋମିଟର ଦୂରରେ ଥିବା ପୃଥୁନଗରମର ମାଂସ ବଜାର ଉପରେ ନିର୍ଭର କରିଥାନ୍ତି। “ଚମଡ଼ା ବିକ୍ରେତାମାନେ ମଧ୍ୟ ସଙ୍କଟରେ ଅଛନ୍ତି। ଯଦି ଏପରି ସ୍ଥିତି ଲାଗି ରହିବ, ତା’ହେଲେ ଆମେ ସଙ୍ଗୀତର ଏହି ବାଦ୍ୟଯନ୍ତ୍ର ଉତ୍ପାଦନ ବନ୍ଦ କରିବା ଲାଗି ବାଧ୍ୟ ହେବୁ” ରାଜୀବନଙ୍କ ଭାଇ ୨୫ ବର୍ଷୀୟ ରମେଶ ଲକ୍ଷ୍ମଣନ କହିଥିଲେ।

Left: The men of a family work together at home. Right: Applying the black paste on a drumhead requires precision
PHOTO • P. V. Sujith
Left: The men of a family work together at home. Right: Applying the black paste on a drumhead requires precision
PHOTO • P. V. Sujith

ବାମ : ପରିବାରର ପୁରୁଷମାନେ ସାଥୀ ହୋଇ କାମ କରିଥାନ୍ତି ଡାହାଣ : ଢୋଲ ଉପରେ କଳା ପେଷ୍ଟ ଲଗାଇବା ଲାଗି ସଠିକତାର ଆବଶ୍ୟକତା ରହିଥାଏ।

“ପେରୁଭେମ୍ବାର ଯେକୌଣସି ବାଦ୍ୟଯନ୍ତ୍ର ଗାଈ ଚମଡ଼ା ବିନା ତିଆରି କରିହେବ ନାହିଁ”, ୩୮ ବର୍ଷୀୟ କାରୀଗର, ସୁମୋଦ କନ୍ନନ କହିଥାନ୍ତି। ଗୋଟିଏ ଗାଈର ଚମଡ଼ା ପାଖାପାଖି ୪,୦୦୦ ଟଙ୍କା। ସବୁ ଚମଡ଼ାଗୁଡ଼ିକ ମଧ୍ୟରେ ଗାଈ ଚମଡ଼ା ବାଦ୍ୟଯନ୍ତ୍ର ତିଆରି କରିବା ଲାଗି ଜରୁରି ହୋଇଥାଏ। ମୃଦଙ୍ଗମରେ କମ କିନ୍ତୁ ମର୍ଦ୍ଦଳରେ ଗାଈ ଚମଡ଼ାର ଅଧିକ ଆବଶ୍ୟକତା ପଡ଼ିଥାଏ।” ମଈଁଷି କିମ୍ବା ଛେଳି ଚମଡ଼ା ସହିତ ମିଶାଇ ଗାଈ ଚମଡ଼ାର ଉପଯୋଗ କରାଯାଇଥାଏ ଏବଂ ପ୍ରତ୍ୟେକର ମାତ୍ରା ଭିନ୍ନ ଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ପାଇଁ ଭିନ୍ନ ଭିନ୍ନ ହୋଇଥାଏ। “ଗାଈ ଚମଡ଼ାର ଉପଯୋଗ ମୁଖ୍ୟତଃ ଚେଣ୍ଡା ଏବଂ ମର୍ଦ୍ଦଳରେ କରାଯାଇଥାଏ, ଅନ୍ୟପଟେ ଛେଳି ଚମଡ଼ାର ଉପଯୋଗ ମୃଦଙ୍ଗରେ କରାଯାଇଥାଏ। ଗାଈର ଅନ୍ତଃତନ୍ତ୍ରର ଉପଯୋଗ ଏଡ଼କ୍କା ତିଆରିରେ କରାଯାଇଥାଏ”, ୪୭ ବର୍ଷୀୟ କେଭି ବିଜୟନ କହିଥାନ୍ତି।

କଡ଼ଚି କୋଲ୍ଲନର ପରିବାରର ସବୁ ଲୋକମାନେ ଏହି ଶିଳ୍ପର ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ମହିଳାମାନେ ଚମଡ଼ା ଧୋଇ ସଫା କରିଥାନ୍ତି ଏବଂ ଶୁଖାଇବା ପରେ ସେଗୁଡ଼ିକୁ କୋମଳ କରିଥାନ୍ତି। ପୁରୁଷମାନେ ଚମଡ଼ାକୁ ପ୍ରସ୍ତୁତ କରିଥାନ୍ତି, କାଠକୁ ଆକାର ଦେଇଥାନ୍ତି ଓ ବାଦ୍ୟଯନ୍ତ୍ର ତିଆରି କରିଥାନ୍ତି। ସେମାନେ ନିଜ ଉପକରଣ ନିଜେ ପ୍ରସ୍ତୁତ କରିଥାନ୍ତି, ଯେପରିକି ବଟାଳି, ଛୁରୀ, ବ୍ଲେଡ଼, ରୀମର ଓ କ୍ଲାମ୍ପ। ପିଲାମାନଙ୍କୁ ଅଳ୍ପ ବୟସରୁ ହିଁ ଶିକ୍ଷା ଦିଆଯାଇଥାଏ। ଏପରିକି ସେମାନଙ୍କୁ ଢୋଲ ଉପରେ ଥିବା କଳା ରିଙ୍ଗ, ଯାହାକୁ ମଶୀୟୀଡଲ କୁହାଯାଇଥାଏ, ରେ ପେଷ୍ଟ ଲଗାଇବା ଶିକ୍ଷା ଦିଆଯାଇଥାଏ। ଏହି ପେଷ୍ଟ ସ୍ଥାନୀୟ ସ୍ତରରେ ଉପଲବ୍ଧ କଳାପଥର, ପୁରନକଲ୍ଲୁ ଚୂର୍ଣ୍ଣରେ ଫୁଟା ହୋଇଥିବା ଭାତରେ ମିଶାଇ ତିଆରି କରାଯାଇଥାଏ। “ଏହାକୁ ଲଗାଇବାରେ ଖୁବ୍ ଅଧିକ ସଠିକତାର ଆବଶ୍ୟକତା ରହିଥାଏ”, ସୁନୋଦ କୃଷ୍ଣନ କହିଥାନ୍ତି।

ପେରୁଭେମ୍ବାରେ ତିଆରି ହୋଇଥିବା ସମସ୍ତ ଉପକରଣ ପଣସ ଗଛ କାଠରେ ତିଆରି ହୋଇଥାଏ। ଏହି ଗଛ ପଲକ୍କଡ଼ ଜିଲ୍ଲାରେ ବହୁ ପରିମାଣରେ ଦେଖିବାକୁ ମିଳିଥାଏ। କାରୀଗରମାନେ ଏହି କାଠ ସ୍ଥାନୀୟ କୃଷକ ଓ ବ୍ୟବସାୟୀମାନଙ୍କ ଠାରୁ ଘନ ମିଟର ପ୍ରତି ୨,୭୦୦ ଟଙ୍କାରେ କିଣିଥାନ୍ତି।

ରାଜୀବନ କହିଥାନ୍ତି ଯେ ଉତ୍ତରପୂର୍ବ ମୌସୁମୀ (ଅକ୍ଟୋବର-ଡିସେମ୍ବର) ଆସିବାରେ ବିଳମ୍ବ ହେବା କାରରରୁ ପଣସ କାଠର ଗୁଣବତ୍ତା ପ୍ରଭାବିତ ହେଉଛି। “ଏହା ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଛି। ପଶୁମାନଙ୍କର ଚମଡ଼ା ଶୁଖାଇବା ପାଇଁ ପାରମ୍ପରିକ ପ୍ରକ୍ରିୟା ମଧ୍ୟ ବିପଦରେ ରହିଛି”, ସେ କହିଥିଲେ। କେରଳ କୃଷି ବିଶ୍ୱବିଦ୍ୟାଳୟ, ତ୍ରିଶୁରରେ ଜଳବାୟୁ ପରିବର୍ତ୍ତନ ଶିକ୍ଷା ଓ ଗବେଷଣା ଏକାଡେମୀର ବୈଜ୍ଞାନିକ ଅଧିକାରୀ, ଡକ୍ଟର ଗୋପାକୁମାର ଚୋଲାୟିଲ କହିଥାନ୍ତି ଯେ ଡିସେମ୍ବର ୨୦୨୦ ଠାରୁ ଜାନୁଆରୀ ୨୦୨୧ ମଧ୍ୟରେ କେରଳରେ ଏତେ ବର୍ଷା ହୋଇଛି ଯେ ଏହା ଗତ ୧୦୦ ବର୍ଷ ମଧ୍ୟରେ ସର୍ବାଧିକ।

“ଆମେ ବିକଳ୍ପର ଉପଯୋଗ କରିବା ବିଷୟରେ କେବେ ଚିନ୍ତା କରିନାହୁଁ। ଆମ ପାଇଁ ପଣସ କାଠ ଏବଂ ପଶୁମାନଙ୍କର ଚମଡ଼ା ଜରୁରି ଅଟେ”, ମଣିକନ୍ଦନ କୁହନ୍ତି। “ଯଦି ସରକାର ସାରା ଦେଶରେ ଗୋହତ୍ୟା ଉପରେ ଅଙ୍କୁଶ ଲଗାଇ ଦିଅନ୍ତି, ତା’ହେଲେ ଆମକୁ କମାର ପେସାକୁ ପୁଣିଥରେ ଆପଣାଇବାକୁ ପଡ଼ିବ”। ରାଜ୍ୟର ଅନ୍ୟ ଭାଗ-ପଲକ୍କଡ଼ ଜିଲ୍ଲା ଲକ୍କିଡ଼ି-ପେରୁର, ଏବଂ ତ୍ରିଶୁର ଜିଲ୍ଲାର ଭେଲ୍ଲରକ୍କଡ଼ ଏବଂ ବେଲପ୍ପୟା-ରେ ରହୁଥିବା କଡ଼ଚୀ କୋଲ୍ଲନ ସମୁଦାୟର ଲୋକମାନେ ଆଜି ମଧ୍ୟ କୃଷି ଉପକରଣ ତିଆରି କରୁଛନ୍ତି।

Kadachi Kollan craftsmen start learning the craft in their childhood
PHOTO • P. V. Sujith

କଡ଼ଚୀ କୋଲ୍ଲନ କାରୀଗରମାନଙ୍କୁ ପିଲାଦିନରୁ ହିଁ ବାଦ୍ୟଯନ୍ତ୍ର ତିଆରି କରିବା ଲାଗି ପ୍ରଶିକ୍ଷଣ ଦିଆଯିବା ଆରମ୍ଭ ହୋଇଥାଏ

କେରଳ ସରକାର ୨୦୧୯ରେ କଡ଼ଚୀ କୋଲ୍ଲନ ଜାତିକୁ ଅନୁସୂଚିତ ଜନଜାତି (ଏସଟି)ତାଲିକାରୁ ବାହାର କରି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ସାମିଲ କରି ଦେଇଥିଲା। ସେବେଠାରୁ ଏହି ସମ୍ପ୍ରଦାୟର ଲୋକମାନଙ୍କୁ ରାଜ୍ୟରୁ ସହାୟତା ଏବଂ ଅନ୍ୟ ଲାଭ ମିଳିବା ବନ୍ଦ ହୋଇଯାଇଛି। “ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ କଡ଼ଚୀ କୋଲ୍ଲନ ଓବିସି ସମ୍ପ୍ରଦାୟର। କୌଣସି କାଗଜପତ୍ରରେ ଜାଲିଆତି କରି ଆମକୁ ଏସଟି ମାନ୍ୟତା ଦିଆଯାଇଥିଲା। କିନ୍ତୁ ଏବେ ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା କିମ୍ବା ସାହାଯ୍ୟ ମିଳୁନାହିଁ”, ମଣିକନ୍ଦନ କହିଥାନ୍ତି।

ପଲକ୍କଡ଼ର ପ୍ରସିଦ୍ଧ ସାଂସ୍କୃତିକ ସଂଗଠନ, ସ୍ୱରାଲୟର ସମ୍ପାଦକ, ଟିଆର ଅଜୟନ କହିଥାନ୍ତି, କର୍ଣ୍ଣାଟକୀ ସଙ୍ଗୀତର କେନ୍ଦ୍ର ରୂପରେ ପଲକ୍କଡ଼ର ପ୍ରତିଷ୍ଠା ନିମନ୍ତେ ପେରୁଭେମ୍ବାର କାରୀଗର ଏବଂ ସେମାନଙ୍କର ପରମ୍ପରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।“ରାଜ୍ୟ ଓ ବାହାରର ମନ୍ଦିର ତଥା ସଙ୍ଗୀତ କାର୍ଯ୍ୟକ୍ରମ ଏହି ଗ୍ରାମ ଉପରେ ନିର୍ଭରଶୀଳ। କୌଣସି ଅନ୍ୟସ୍ଥାନରେ ଏପରି ସଙ୍ଗୀତ ବାଦ୍ୟଯନ୍ତ୍ର ତିଆରି ହୋଇନଥାଏ।”

କିନ୍ତୁ ପେରୁଭେମ୍ବାର ଯୁବକମାନେ ଅନ୍ୟ ପେସା ସନ୍ଧାନ କରିବା ଆରମ୍ଭ କରି ଦେଇଛନ୍ତି। “ଏହି କାମ (ବାଦ୍ୟଯନ୍ତ୍ର ତିଆରି କରିବା)ରେ ବହୁତ ପରିଶ୍ରମ ଓ ଧୈର୍ଯ୍ୟର ଆବଶ୍ୟକତା ରହିଛି। କଠୋର ପରିଶ୍ରମ ପ୍ରଥମ ସର୍ତ୍ତ ହୋଇଥାଏ। ସେଥିପାଇଁ ନୂଆ ପିଢ଼ି ଅନ୍ୟ ବିକଳ୍ପ ସନ୍ଧାନ କରୁଛନ୍ତି”, ୨୯ ବର୍ଷୀୟ ଏମ ରବିଚନ୍ଦ୍ରନ କହିଥାନ୍ତି, ଯାହାଙ୍କ ୨୧ବର୍ଷୀୟ ଭାଇ ପଲକ୍କଡ଼ରେ ଏକ କଲେଜରେ ଇତିହାସ ସ୍ନାତୋକୋତ୍ତର ବିଭାଗର ଛାତ୍ର ଅଟନ୍ତି। “ଏକ ପରମ୍ପରା ରୂପରେ, ଆମେ ଆମ ପରିବାରରେ ପ୍ଲସ ଟୁ (ଶ୍ରେଣୀ ୧୨) ପର୍ଯ୍ୟନ୍ତ ଅଧ୍ୟୟନ କଲୁ, ଏବଂ ଏହାପରେ ପୂର୍ଣ୍ଣକାଳୀନ ଭାବେ ଏହି ପେସାକୁ ଆପଣାଇ ନେଲୁ। ଯୁବ ପିଢ଼ି ପ୍ରାୟ ଉଦାସୀନ ଅଛନ୍ତି, ଏବଂ ଗ୍ରାମ ନିଜର ଅଭିନବ ଅସ୍ତିତ୍ୱ ବଜାୟ ରଖିବା ଲାଗି ବେଶ ସଂଘର୍ଷ କରୁଛି।”

ମଣିକନ୍ଦନ କୁହନ୍ତି ଯେ ଲକଡାଉନ ସମୟରେ ପେରୁଭେମ୍ବର କଡ଼ଚୀ କୋଲ୍ଲନ ପରିବାରଗୁଡ଼ିକୁ ଅଭୂତପୂର୍ବ ସଙ୍କଟର ସାମ୍ନା କରିବାକୁ ପଡ଼ିଥିଲା, କିନ୍ତୁ ଆଗକୁ ଭଲ ଦିନ ଆସିବ ବୋଲି ସେ ଆଶାବାଦୀ ରହିଛନ୍ତି। ଡିସେମ୍ବରରେ ତାଙ୍କ ସଂଗଠନ ପାଖକୁ ମରାମତି ପାଇଁ ୧୨ଟି ବାଦ୍ୟଯନ୍ତ୍ର ଆସିଥିଲା, ଏବଂ ଜାନୁଆରୀରେ ନୂଆ ବାଦ୍ୟଯନ୍ତ୍ର ତିଆରି କରିବା ଲାଗି ପଚରାଉଚରା ଆରମ୍ଭ ହୋଇଥିଲା। “ଲାଗୁଛି ଫେବୃଆରୀ ଶେଷ ଆଡ଼କୁ ଆମେ ଅତିକମରେ ଅଳ୍ପ ପରିମାଣରେ ସ୍ୱାଭାବିକ ସ୍ଥିତିକୁ ଫେରିଆସିବୁ”, ସେ କହିଥିଲେ। “୨୦୨୧ ବର୍ଷ ୨୦୨୦ ଭଳି ହେବ ନାହିଁ ବୋଲି ଆମେ ଭାବୁଛୁ।”

ଅନୁବାଦ - ଓଡ଼ିଶାଲାଇଭ୍‍

K.A. Shaji

K.A. Shaji is a journalist based in Kerala. He writes on human rights, environment, caste, marginalised communities and livelihoods.

Other stories by K.A. Shaji
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE