ନିଜ ଚାରି ପାଖରେ ବିଛା ହୋଇ ରହିଥିବା ବିଭିନ୍ନ ପ୍ରକାର କଣ୍ଢେଇ ଆଡ଼କୁ ଚାହିଁ ରାମଚନ୍ଦ୍ର ପୁଲୱର କୁହନ୍ତି, ‘‘ଆମ ପାଇଁ ଏଗୁଡ଼ିକ କେବଳ ସାଧାରଣ ଚମଡ଼ା ଆକୃତି ନୁହେଁ। ସେମାନେ ହେଉଛନ୍ତି ଦେବତା ଓ ଦେବୀ ଏବଂ ଦୈବିକ ଶକ୍ତିର ଅବତାର।’’ ତାଙ୍କ ସାମ୍ନାରେ ରଖାଯାଇଥିବା ନିଖୁଣ ଭାବେ ତିଆରି ପ୍ରତିକୃତିଗୁଡ଼ିକ ତୋଲପାୱକୁତୁ କଣ୍ଢେଇ ନାଚରେ ବ୍ୟବହୃତ ହୋଇଥାଏ। କେରଳର ଦକ୍ଷିଣ ଉପକୂଳ କ୍ଷେତ୍ର ମାଲାବାରରେ ଏହା ଏକ ମଞ୍ଚ ନାଟକ ଭାବେ ଲୋକପ୍ରିୟତା ହାସଲ କରିଛି ।

ପାରମ୍ପରିକ ଭାବେ ଏସବୁ ମୂର୍ତ୍ତିକୁ ଚକ୍କିଲିୟାନଙ୍କ ଭଳି ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ନିର୍ମାଣ କରାଯାଇଥାଏ। ବର୍ତ୍ତମାନ ଏହି କଳାର ଲୋକପ୍ରିୟତା ହ୍ରାସ ପାଉଥିବାରୁ ସମୁଦାୟର ଲୋକମାନେ ଏଥିରୁ ଦୂରେଇ ଯାଉଛନ୍ତି । ସେଥିପାଇଁ କ୍ରିଷ୍ଣନକୁଟ୍ଟୀ ପଲୱର ଏହି କଣ୍ଢେଇ ତିଆରି କଳା ଶିକ୍ଷା ଦେବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ଅନ୍ୟମାନଙ୍କ ସହାୟତାରେ ଏହି କଳାକୁ ଜୀବନ୍ତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତାଙ୍କ ପୁଅ, ରାମଚନ୍ଦ୍ର ଆଉ ପାଦେ ଆଗକୁ ଯାଇ ନିଜ ପରିବାର ଓ ପଡ଼ୋଶୀ ମହିଳାମାନଙ୍କୁ କଣ୍ଢେଇ ତିଆରି କଳା ଶିଖାଉଛନ୍ତି । ପାରମ୍ପରିକ ଭାବେ ମନ୍ଦିର ପରିସରରେ କାମ କରୁଥିବା ପୁରୁଷଙ୍କୁ ନେଇ ସୀମିତ ଏହି ବୃତ୍ତିରେ ରାଜଲକ୍ଷ୍ମୀ, ରଜିତା ଓ ଅଶ୍ୱତୀଙ୍କ ଭଳି ମହିଳା କଳାକାରମାନେ କାମ କରୁଛନ୍ତି।

ଏସବୁ କଣ୍ଢେଇକୁ କେବଳ କାରିଗର ନୁହଁନ୍ତି, ବରଂ ସମାରୋହରେ ଅଂଶଗ୍ରହଣ କରୁଥିବା ଭକ୍ତମାନେ ମଧ୍ୟ ଦିବ୍ୟ ପ୍ରତିମୂର୍ତ୍ତି ବୋଲି ଗ୍ରହଣ କରିଥାନ୍ତି। ମଈଁଷି ଓ ଛେଳି ଚମଡ଼ାରେ ଏସବୁ ଆକୃତି ତିଆରି କରାଯାଏ। କଣ୍ଢେଇ କାରିଗରମାନେ ଚମଡ଼ା ଉପରେ ଯତ୍ନର ସହକାରେ ଡିଜାଇନ ତିଆରି କରି ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥାନ୍ତି । ସେମାନେ ବଟାଳି ଏବଂ ଛେଦନ ଉପକରଣ ବ୍ୟବହାର କରି ଚମଡ଼ାରେ ଖୋଦେଇ କରିଥାନ୍ତି । ‘‘କୁଶଳୀ କମାର ମିଳୁନଥିବାରୁ ଏସବୁ ଉପକରଣ କିଣିବା ଏବେ ସମସ୍ୟାପୂର୍ଣ୍ଣ ହୋଇଗଲାଣି,’’ ରାମଚନ୍ଦ୍ରଙ୍କ ପୁଅ ରାଜୀବ୍‌ ପଲୱର କୁହନ୍ତି।

ଚଳଚ୍ଚିତ୍ର ଦେଖନ୍ତୁ : ପଲ୍ଲକଡ଼ର କଣ୍ଢେଇ ନିର୍ମାତାମାନେ

କଣ୍ଢେଇରେ ହୋଇଥିବା ଡିଜାଇନ୍‌ରେ ପ୍ରକୃତି ଓ ପୁରାଣର ମିଶ୍ରଣ ଦେଖିବାକୁ ମିଳିଥାଏ। ଏଥିରେ ତିଆରି ହୋଇଥିବା ଆକୃତିଗୁଡ଼ିକ ଧାନ ଶସ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଥାଏ। ସେହିପରି ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଆକୃତି ପ୍ରାକୃତିକ ଦୁନିଆର ସୌନ୍ଦର୍ଯ୍ୟକୁ ଦର୍ଶାଇଥାଏ। ଭଗବାନ ଶିବଙ୍କ ଡମ୍ବରୁ ଭଳି ରୂପାଙ୍କନ ଏବଂ ନିର୍ଦ୍ଦିଷ୍ଟ ପୋଷାକ ଆକୃତି ପୌରାଣିକ କଥାବସ୍ତୁ ଉପରେ ଆଧାରିତ ହୋଇଥାଏ। କଣ୍ଢେଇ ନାଚ ସମୟରେ ଏସବୁ କଥାବସ୍ତୁକୁ ନେଇ ଗୀତ ବୋଲାଯାଏ। ସମସ୍ତଙ୍କ ପାଇଁ ତୋଲପାୱକୁତୁ କଣ୍ଢେଇନାଚ ଦେଖନ୍ତୁ।

କଣ୍ଢେଇ କାରିଗରମାନେ ଏବେ ବି କଣ୍ଢେଇ ରଙ୍ଗ କରିବା ଲାଗି ପ୍ରାକୃତିକ ସାମଗ୍ରୀର ଉପଯୋଗ କରିଥାନ୍ତି, ଯଦିଓ ଏହି ପ୍ରକ୍ରିୟା ବେଶ୍‌ ଶ୍ରମସାଧ୍ୟ। ଆଧୁନିକ ଆବଶ୍ୟକତାକୁ ଗ୍ରହଣ କରିବା ଲାଗି ସେମାନେ ଏବେ ଏକ୍ରିଲିକ୍‌ ରଙ୍ଗ ବ୍ୟବହାର କରୁଛନ୍ତି, ବିଶେଷ କରି ଛେଳି ଚମଡ଼ା ଉପରେ ଯାହାକି ଡିଜାଇନ୍‌ ଓ ରଙ୍ଗୀନ ଆକୃତିକୁ ନେଇ ପରୀକ୍ଷାନିରୀକ୍ଷା କରିବାରେ ସେମାନଙ୍କୁ ସହାୟକ ହୋଇଥାଏ।

ତୋଲପାୱକୁତୁ ପରମ୍ପରା କେରଳର ମାଲାବାର କ୍ଷେତ୍ରରେ ବହୁ ସାଂସ୍କୃତିକ ଓ ସମକାଳୀନ ପରମ୍ପରାର ପ୍ରତୀକ ଅଟେ ଏବଂ ଏହା ମାଧ୍ୟମରେ ବିବିଧ କଣ୍ଢେଇ କଳାକାରଙ୍କ ଅଭିବୃଦ୍ଧି ଦେଖିବାକୁ ମିଳିବା ଅତ୍ୟନ୍ତ ଉତ୍ସାହଜନକ।

ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମଏମଏଫ) ଠାରୁ ମିଳିଥିବା ବୃତ୍ତି ମାଧ୍ୟମରେ ଏହି କାହାଣୀ ପ୍ରସ୍ତୁତ ହୋଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Sangeeth Sankar

Sangeeth Sankar is a research scholar at IDC School of Design. His ethnographic research investigates the transition in Kerala’s shadow puppetry. Sangeeth received the MMF-PARI fellowship in 2022.

Other stories by Sangeeth Sankar
Text Editor : Archana Shukla

Archana Shukla is a Content Editor at the People’s Archive of Rural India and works in the publishing team.

Other stories by Archana Shukla
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE