ଦ୍ରୌପଦୀ ଶବର ଲୁଗା କାନିରେ ତାଙ୍କର ଆଖି ପୋଛୁଛନ୍ତି, ସେ ନିଜ ଲୁହ ରୋକିପାରୁନାହାନ୍ତି । ତାଙ୍କର ନାତିମାନେ, ତିନି ବର୍ଷର ଗିରୀଶ ଏବଂ ନଅ ମାସର ବିରାଜ ଓଡ଼ିଶାର ଗୁଡ଼ଭେଲି ଗାଁରେ ଥିବା ତାଙ୍କ ଘର ବାହାରେ ତାଙ୍କ ପାଖରେ ଚୁପ୍‌ଚାପ୍‌ ଖେଳୁଛନ୍ତି । ନିଜ ନାତୁଣୀ ତୁଲ୍‌ସାର ମୃତ୍ୟୁରେ ଶୋକଗ୍ରସ୍ତ ୬୫ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ପରିବାର ସଦସ୍ୟମାନେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି ।

‘‘ଆମେ ଏବେ କାହାକୁ ‘ଆମ ଝିଅ’ ବୋଲି କହିବୁ ? ’’ ସେ କାହାରିକୁ ନିର୍ଦ୍ଦିଷ୍ଟ ଭାବେ ପଚାରୁ ନ ଥିଲେ ।

ନୂଆପଡ଼ା ଜିଲ୍ଲା ଖରିଆର ବ୍ଲକ୍‌ରେ ନିଜ ଅର୍ଦ୍ଧନିର୍ମିତ ଇଟା ଘର ସାମ୍ନାରେ ପ୍ଲାଷ୍ଟିକ୍‌ର ଏକ ମସିଣା ଉପରେ ବସି ଶବର ଆଦିବାସୀ ସମ୍ପ୍ରଦାୟର ତୁଲ୍‌ସାଙ୍କ ପରିବାର ସେମାନଙ୍କର ହୋଇଥିବା ଅଚାନକ କ୍ଷତିରୁ ବାହାରିବାକୁ ଉଦ୍ୟମ କରୁଛନ୍ତି । ତାଙ୍କର ବାପା ମା – ମା’ ପଦ୍ମିନୀ ଏବଂ ବାପା ଦେବାନନ୍ଦ – ନିଜ ଝିଅର ଛୋଟ ପିଲା, ଖାସ୍‌ କରି ବିରାଜ ବାବଦରେ ଚିନ୍ତିତ ଅଛନ୍ତି, ମୃତ୍ୟୁ ବେଳକୁ ବି ତୁଲସା ଯାହାର ଯତ୍ନ ନେଉଥିଲେ । ଦ୍ରୌପଦୀ କହିଲେ, ‘‘ମୋ ବୋହୂ ପଦ୍ମିନୀ ଏବଂ ମୁଁ ପାଳିକରି ଏହି ପିଲାମାନଙ୍କର ଦେଖାଶୁଣା କରୁଛୁ । ’’

ପିଲାମାନଙ୍କର ବାପା, ତୁଲସାଙ୍କର ସ୍ୱାମୀ ଭୋସିନ୍ଧୁ, ସେଠାରେ ନାହାନ୍ତି । ସେ ପାଞ୍ଚ ଶହ କିଲୋମିଟର ଦକ୍ଷିଣରେ ତେଲେଙ୍ଗାନାର ପେଦାପଲ୍ଲି ଜିଲ୍ଲାର ରଙ୍ଗାପୁର ଗାଁରେ ଥିବା ଗୋଟିଏ ଇଟାଭାଟିରେ କାମ କରୁଛନ୍ତି । ସେ ଡିସେମ୍ବର ୨୦୨୧ରେ ତାଙ୍କ ମା’, ଏବଂ ତୁଲସାଙ୍କର ସାନ ଭଉଣୀ ଦୀପାଞ୍ଜଳିଙ୍କ ସହ ଗୋଟିଏ ଇଟାଭାଟିରେ ଛଅ ମାସ ପାଇଁ କାମ କରିବାକୁ ଯାଇଥିଲେ । ସେମାନେ ଦିନକୁ ପ୍ରାୟ ୨୦୦ ଟଙ୍କା ରୋଜଗାର କରୁଥିଲେ।

୨୦୨୨ ମସିହାର ଜାନୁଆରୀ ୨୪ତାରିଖ ରାତିରେ ୨୫ ବର୍ଷୀୟା ତୁଲସା ଶବର ତାଙ୍କ ବାପ ଘର ଗୁଡଭେଲିଠାରୁ ୨୦ କିଲୋମିଟର ଦୂରରେ ଚନୁଟମାଲଗାଁରେ ଥିବା ଘରେ ଥିଲେ । ରାତି ପ୍ରାୟ ୮ଟା ବେଳେ ତାଙ୍କର ଜୋରରେ ପେଟ ଯନ୍ତ୍ରଣା ହେଉଥିବା ସେ କହିଲେ । ତାଙ୍କ ଶ୍ୱଶୁର ୫୭ ବର୍ଷୀୟ ଦଶମୁଶବର କହନ୍ତି, ‘‘ମୁଁ ତାଙ୍କୁ ଖରିଆର[ସହର]ରେ ଥିବା ଉପଖଣ୍ଡ ଚିକିତ୍ସାଳୟକୁ ନେଇଗଲି । ସେଠାରେ ଡାକ୍ତର କହିଲେ ଯେ ସ୍ଥିତି ଗୁରୁତର ଅଛି ଏବଂ ଆମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ କହିଲେ । କିନ୍ତୁ ଆମେ ସେଠାରେ ପହଞ୍ଚିବାବେଳକୁ ତୁଲସା ପ୍ରାଣ ହରାଇ ସାରିଥିଲେ।"

Draupadi Sabar wipes her tears, talking about her late granddaughter Tulsa. Next to her are Tulsa's infant sons Girish and Viraj
PHOTO • Purusottam Thakur

ଦ୍ରୌପଦୀ ଶବର ନିଜର ଦିବଂଗତ ନାତୁଣୀ ତୁଲସା ବାବଦରେ କହୁ କହୁ ଲୁହ ପୋଛୁଛନ୍ତି । ତାଙ୍କ ପାଖରେ ଅଛନ୍ତି ତୁଲସାଙ୍କର ଛୋଟ ଦୁଇ ପୁଅ ଗିରୀଶ ଓ ବିରାଜ

ଗୋଟିଏ ହସ୍ପିଟାଲରେ ପହଞ୍ଚିବା ପାଇଁ ଦୀର୍ଘ ରାସ୍ତା ଯାତ୍ରା କରିବାରେ ଏହି ପରିବାରର ଅଭିଜ୍ଞତା-ଖରିଆରକୁ ୨୦ କିଲୋମିଟର ଏବଂ ନୂଆପଡ଼ାକୁ ଆଉ ୬୮ କିଲୋମିଟର – ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ସର୍ବସାଧାରଣ ସ୍ୱାସ୍ଥ୍ୟ ସୁବିଧା ପାଇବା ପାଇଁ ଲୋକଙ୍କ କ୍ଷେତ୍ରରେ କିଛି ଅସାଧାରଣ କଥା ନୁହେଁ । ଗ୍ରାମୀଣ ଓଡ଼ିଶାର ଏହି ଅଂଶରେ ୧୩୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ, ଜରୁରୀକାଳୀନ ସ୍ଥିତିରେ ବ୍ଲକ୍‌ ବା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ଯାତ୍ରା କରିବା ପାଇଁ ଲୋକଙ୍କୁ ବାଧ୍ୟ କରେ ।

୨୦୧୯-୨୦ ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ଅନୁସାରେ, ଅତିକମ୍‌ରେ ୫୩୬ ଜଣ ବିଶେଷଜ୍ଞ ଡାକ୍ତର – ଫିଜିସିଆନ୍‌, ଶଲ୍ୟ ବିଶେଷଜ୍ଞ, ସ୍ତ୍ରୀରୋଗ ବିଶେଷଜ୍ଞ ଏବଂ ଶିଶୁରୋଗ ବିଶେଷଜ୍ଞ- ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳର ସିଏଚ୍‌ସିଗୁଡ଼ିକରେ ଆବଶ୍ୟକ, କିନ୍ତୁ ୪୬୧ ଟି ପଦବୀ ଖାଲି ପଡ଼ିଛି। ଗୋଟିଏ ସିଏଚ୍‌ସି –ତ୍ରିସ୍ତରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସର୍ବୋଚ୍ଚ ସ୍ୱାସ୍ଥ୍ୟକେନ୍ଦ୍ର – ଏହିସବୁ ଅଞ୍ଚଳରେ ହାରାହାରି ପ୍ରାୟ ଏକ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରେ ।

ଏହି ଶୋକସନ୍ତପ୍ତ ପରିବାର ପାଇଁ, ସେମାନଙ୍କର ଅଚାନକ କ୍ଷତି ଆହୁରି ବଢ଼ିଯାଇଥିଲା କାରଣ ତାଙ୍କ ସ୍ୱାମୀ ଦୂରରେ ତେଲଙ୍ଗାନାରେ ଥିଲେ ।

୨୭ ବର୍ଷୀୟ ଭୋସିନ୍ଧୁ, ତାଙ୍କ ପତ୍ନୀଙ୍କର ଅନ୍ତିମ ସଂସ୍କାର କରିବାକୁ ଆସିପାରିଲେ ନାହିଁ । ଦଶମୁ କହିଲେ, ‘‘ମୁଁ ଯେତେବେଳେ ତାକୁ ତା’ ସ୍ତ୍ରୀର ପରଲୋକ ବିଷୟରେ କହିଲି, ମୋ ପୁଅ ମାଲିକଙ୍କୁ ଛୁଟି ମାଗିଲା, କିନ୍ତୁ ତାକୁ ମିଳିଲା ନାହିଁ । ’’ ପେଡ଼ାପାଲ୍ଲିରୁ ତାଙ୍କ ପରିବାର ଫେରିବା ପାଇଁ ବ୍ୟବସ୍ଥା କରିବା ଲାଗି ସ୍ଥାନୀୟ ଶ୍ରମିକ ଠିକାଦାର(ବା ସର୍ଦ୍ଦାର)ଙ୍କୁ ସେ କରିଥିବା ଅନୁରୋଧ ମଧ୍ୟ ବିଫଳ ହେଲା ।

ଭୋସିନ୍ଧୁଙ୍କୁ ଗାଁର ୬୦ ଜଣ ଅନ୍ୟ ଲୋକଙ୍କ ସହ ତେଲଙ୍ଗାନାର ଇଟାଭାଟିରେ କାମ କରିବାକୁ ପଠାଇଥିବା ସର୍ଦ୍ଦାର ପରିବାରକୁ ସେ ଦେଇଥିବା ୧,୧୧,୦୦୦ ଟଙ୍କା ଫେରାଇବାକୁ କହିଲା । ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ସେ କହିଲେ, ଇଟାଭାଟି ମାଲିକ ଏହା ମାଗିବେ ।

*****

ଭୋସିନ୍ଧୁଙ୍କ ଭଳି, ନୂଆପଡ଼ାର ଶବର ସମ୍ପ୍ରଦାୟର ଅନେକ କାମ ପାଇଁ ବିସ୍ଥାପିତ ହୁଅନ୍ତି, ସ୍ୱଳ୍ପ ବା ଦୀର୍ଘ ସମୟ ପାଇଁ ବା ଋତୁକାଳୀନ ଭାବେ, ଖାସ୍‌କରି ଯେତେବେଳେ ସେମାନଙ୍କୁ ବଡ଼ ଖର୍ଚ୍ଚ ତୁଲାଇବାକୁ ଥାଏ । ଜିଲ୍ଲାର ପ୍ରାୟ ଅର୍ଦ୍ଧେକ ଜଙ୍ଗଲରେ ପରିବେଷ୍ଟିତ, ଏବଂ ପାରମ୍ପରିକଭାବେ ଏଠାକାର ଆଦିବାସୀ ସମ୍ପ୍ରଦାୟ ଅଣକାଠ ଜଙ୍ଗଲଜାତ ଦ୍ରବ୍ୟ(ଏନ୍‌ଟିଏଫ୍‌ପି) ଯେମିତିକି ମହୁଆ ଫୁଲ ଏବଂ ଚାର ମଞ୍ଜି(ଚିରୋଞ୍ଜି) ଆଦି ବିକ୍ରି କରିବା ଉପରେ ନିର୍ଭର କରିଆସିଛନ୍ତି । ସେମାନେ ବର୍ଷା ଆଧାରିତ ଫସଲର ସହାୟକ କୃଷି ମଧ୍ୟ କରନ୍ତି । ତେବେ, ଜଙ୍ଗଲ ଉତ୍ପାଦ ପାରିଶ୍ରମିକ ପ୍ରଦାନ କରେ ନାହିଁ ଏବଂ ମରୁଡ଼ି ଏବଂ ଅପର୍ଯ୍ୟାପ୍ତ ବୃଷ୍ଟିପାତ ଫଳରେ ବର୍ଷା ଉପରେ ନିର୍ଭରଶୀଳ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହି ଜିଲ୍ଲାରେ ଜଳସେଚନ ନାହିଁ କହିଲେ ଚଳେ ।

A framed photo of Bhosindhu and Tulsa
PHOTO • Purusottam Thakur
Dasmu Sabar at his home in Chanatamal
PHOTO • Purusottam Thakur

ବାମ:ଭୋସିନ୍ଧୁ ଏବଂ ତୁଲସାଙ୍କର ଏକ ବନ୍ଧେଇ ଫଟୋ । ତୁଲସାଙ୍କ ପରଲୋକ ସମୟରେ ଭୋସିନ୍ଧୁ ଦୂରରେ ଥିଲେ, ତେଲଙ୍ଗାନାର ଏକ ଇଟାଭାଟିରେ କାମ କରୁଥିଲେ । ଡାହାଣ : ଚନୁଟମାଲ ରେ ଥିବା ତାଙ୍କ ଘରେ ଦଶମୁ ଶବର

ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ଯୋଜନା ସମ୍ପର୍କରେ ତାଙ୍କ ପରିବାରର ଅନୁଭୂତି ବାବଦରେ ଦଶମୁ କହିଲେ, ‘‘ଖରିଫ ଋତୁ ପରେ ଯେତେବେଳେ ନିୟମିତ ଚାଷ କାମ ମିଳେନାହିଁ, ଏମ୍‌ଜିଏନ୍‌ଆର୍‌ଇଜିଏ ହିଁ ଆମର ଏକମାତ୍ର ଆଶା, କିନ୍ତୁ ବିଳମ୍ବିତ ଦେୟ ଆମକୁ ଅନ୍ୟ ବିକଳ୍ପ ସନ୍ଧାନ କରିବାକୁ ବାଧ୍ୟ କରେ । ମୋ ପୁଅ ଏବଂ ମୋ ସ୍ତ୍ରୀ ଏକ ରାସ୍ତା ତିଆରି ପ୍ରକଳ୍ପରେ କାମ କରୁଥିଲେ, କିନ୍ତୁ ସେମାନଙ୍କର ମଜୁରୀ ଏବେ ବି ମିଳିନାହିଁ । ବକେୟା ଥିବା ରାଶି ହେଲା ପ୍ରାୟ ୪,୦୦୦ ଟଙ୍କା । ’’

ଦଶମୁଙ୍କ ପଡ଼ୋଶୀ ରବୀନ୍ଦ୍ର ଶଗରିଆ କହନ୍ତି, ଖରିଫ ଋତୁ ସମୟରେ ମଧ୍ୟ ନିଯୁକ୍ତି ବିକଳ୍ପ ଖୁବ୍‌ କମ୍‌ । ସେ ଆହୁରି କହିଲେ, ‘‘ସେଥିପାଇଁ ଯୁବବର୍ଗ ପ୍ରତିବର୍ଷ ନଭେମ୍ବର ମାସରେ ଏହି ଅଞ୍ଚଳରୁ ବିସ୍ଥାପିତ ହୁଅନ୍ତି । ’’ ସେ କହିଲେ, ଏହି ସମୟରେ କାମ ପାଇଁ ଦୂରକୁ ଯାଇଥିବା ୬୦ ଜଣଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ହେଉଛନ୍ତି ଯୁବକ ।

ନୂଆପଡ଼ା ଶବର ସମ୍ପ୍ରଦାୟର ମାତ୍ର ୫୩ ପ୍ରତିଶତ ସାକ୍ଷର, ଯାହାକି ଗ୍ରାମୀଣ ଓଡ଼ିଶାର ହାରାହାରି ସାକ୍ଷରତା ହାର ୭୦ ପ୍ରତିଶତଠାରୁ ବହୁ କମ୍‌ । ଯେଉଁ ମାନେ କିଛି ସ୍କୁଲ ଶିକ୍ଷା ଗ୍ରହଣ କରିଛନ୍ତି, ସେମାନେ ମୁମ୍ବାଇକୁ ଯାଆନ୍ତି, କିନ୍ତୁ ଅନ୍ୟମାନେ ଇଟା ଭାଟିରେ ଦିନ ମଜୁରୀ ପାଇଁ ପରିବାରର ମିଶ୍ରିତ ଶ୍ରମକୁ ବନ୍ଧା ପକାନ୍ତି, ଯେଉଁଠାରେ ସେମାନେ ଅମାନବୀୟ ପରିସ୍ଥିତିରେ ଦିନକୁ ୧୨ ଘଣ୍ଟା ଧରି ମୁଣ୍ଡରେ ଗରମ ଇଟା ବୁହନ୍ତି ।

ସ୍ଥାନୀୟ ସର୍ଦ୍ଦାରମାନେ ଅଣକୁଶଳୀ ଶ୍ରମିକମାନଙ୍କୁ ପ୍ରାୟ ୬ ମାସର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଇଟା ଭାଟି କାମ ଦେବାର ବ୍ୟବସ୍ଥା କରନ୍ତି, ସେମାନଙ୍କୁ ମୋଟ ମଜୁରୀର କିଛି ଅଂଶ ଅଗ୍ରୀମ ଆକାରରେ ଦିଅନ୍ତି । ଭୋସିନ୍ଧୁଙ୍କ ପରିବାର ସେମାନଙ୍କ ଘର କାମ ସମ୍ପୂର୍ଣ୍ଣ କରିବାକୁ ଟଙ୍କା ଦରକାର କରୁଥିଲେ, ତେଣୁ ସେମାନେ କାମ ପାଇଁ ତାଲିକାଭୁକ୍ତ ହେଲେ ।

ଦଶମୁ କହନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧୀନରେ ସେମାନଙ୍କୁ ଏକ ଘର ମିଳିଥିଲା, ‘‘କିନ୍ତୁ ଏହାକୁ ସମ୍ପୂର୍ଣ୍ଣ କରିବାକୁ ମଞ୍ଜୁର ହୋଇଥିବା ୧.୩ ଲକ୍ଷ ଟଙ୍କାର ସହାୟତା ରାଶି ଯଥେଷ୍ଟ ନ ଥିଲା । ’’ ପରିବାର ସେମାନଙ୍କର ୧୯,୭୫୨ ଟଙ୍କାର ଏମ୍‌ଜିଏନ୍‌ଆର୍‌ଇଜିଏ ମଜୁରୀକୁ ସଞ୍ଚୟ କରିଥିଲେ, ଯାହା ସେମାନଙ୍କୁ ୨୦୨୦ ଜୁନ୍‌ ଯାଏଁ ମିଳିଥିଲା, କିନ୍ତୁ ସେମାନଙ୍କୁ ଆହୁରି ଏକ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ସେ କହନ୍ତି, ‘‘ଆମେ ଏକ ଋଣ ନେଲୁ ଏବଂ ଏହାକୁ ପରିଶୋଧ କରିବାକୁ ଆମେ ସର୍ଦ୍ଦାରଠାରୁ ଟଙ୍କା ଚାହିଁଲୁ ।"

Grandmother Draupadi have been taking care of her two children after her sudden death
PHOTO • Purusottam Thakur
Tulsa's mother Padmini (holding the baby)
PHOTO • Purusottam Thakur

ତୁଲସାଙ୍କ ମା’ ପଦ୍ମିନୀ(ଶିଶୁକୁ ଧରିଛନ୍ତି) ଏବଂ ଜେଜେ ମା’ ଦ୍ରୌପଦୀ ତାଙ୍କର ଅଚାନକ ବିୟୋଗ ପରେ ତାଙ୍କ ଦୁଇ ପିଲାଙ୍କର ଦେଖାଶୁଣା କରୁଛନ୍ତି

୨୦୨୧ରେ ଏହା ପରିବାରର ପ୍ରଥମ ଋଣ ନ ଥିଲା । ତୁଲସାଙ୍କ ଗର୍ଭାବସ୍ଥା ଖୁବ୍‌ ଜଟିଳ ଥିଲା, ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ବିରାଜ ସମୟ ପୂର୍ବରୁ ଜନ୍ମ ହୋଇଥିଲା । ତା’ର ଜନ୍ମର ତିନି ମାସ ପର ଯାଏଁ, ମା’ ଏବଂ ପିଲା ଦୁଇଟି ହସ୍ପିଟାଲ – ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ୨୦୦ କିଲୋମିଟର ଦୂରରେ ସମ୍ବଲପୁରରେ ଥିବା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚରେ ଚିକିତ୍ସିତ ହେଲେ ।

ଦଶମୁ କହିଲେ, ‘‘ମେଡିକାଲ୍‌ ଖର୍ଚ୍ଚ ପାଇଁ ଆମେ ଆମର ଦେଢ଼ ଏକର ଜମିକୁ ୩୫ ହଜାର ଟଙ୍କାରେ ବନ୍ଧା ପକାଇଲୁ ଏବଂ ତୁଲସା ତାଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ମାଧ୍ୟମରେ ୩୦,୦୦୦ ଟଙ୍କାର ବ୍ୟାଙ୍କ ଋଣ ନେଲେ । ’’ ଏହି ସବୁ ଋଣ ସୁଝିବାକୁ ଥିଲା ଯାହାକୁ ପରିବାର ଠିକାଦାର ପାଖରୁ ଅଗ୍ରୀମ ଆକାରରେ ନେଇଥିଲା ଏବଂ ଗତବର୍ଷ ଡିସେମ୍ବର ମାସରେ ପରିବାରକୁ ତେଲେଙ୍ଗାନା ଯିବାକୁ ହେଲା ।

ନୂଆପଡ଼ା ଓଡ଼ିଶାର ଗରିବତମ ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ । ଭାରତରେ ଅନ୍ତରୀଣ ବିସ୍ଥାପନ ଉପରେ ଏକ ଗବେଷଣାରେ କୁହାଯାଇଛି ଯେ ଏଠାରୁ ଏବଂ ରାଜ୍ୟର ଅନ୍ୟ ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରୁ ଲୋକେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ ଓ କର୍ଣ୍ଣାଟକକୁ କାମ କରିବାକୁ ଯାଆନ୍ତି । ଓଡ଼ିଶାରୁ ପ୍ରାୟ ପାଞ୍ଚ ଲକ୍ଷ ଲୋକ ବିସ୍ଥାପିତ ହୁଅନ୍ତି, ଯେଉଁମାନଙ୍କ ମଧ୍ୟରୁ ଦୁଇ ଲକ୍ଷ ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ବୌଦ, ସୁବର୍ଣ୍ଣପୁର ଏବଂ ବରଗଡ଼ ଜିଲ୍ଲାର, ଏକ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱା ରା ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ଗବେଷଣାରେ ଏହା ଦର୍ଶାଯାଇଛି ।

ସମ୍ବଲପୁର ସହରରେ ଥିବା ୱାଟର ଇନିସିଏଟିଭ୍‌ ଓଡ଼ିଶାର ପ୍ରତିଷ୍ଠାତା ପ୍ରସିଦ୍ଧ ସାମାଜିକ କାର୍ଯ୍ୟକର୍ତ୍ତା ରଞ୍ଜନ ପଣ୍ଡା ଦେଶାନ୍ତର ହେଉଥିବା ଶ୍ରମିକଙ୍କ ସମସ୍ୟାକୁ ନିକଟରୁ ଅନୁଶୀଳନ କରିଛନ୍ତି । ସେ କହନ୍ତି, ‘‘ଅନେକଗୁଡ଼ିଏ ପରସ୍ପର ଉପରେ ନିର୍ଭରଶୀଳ କାରଣ ବିଶେଷ କରି ଜଳବାୟୁ ପରିବର୍ତ୍ତନ ଫଳରେ ଏହି ଅଞ୍ଚଳର ଲୋକମାନେ ବିପଦ ଏବଂ ଅସ୍ଥିରତାର ସାମ୍ନା କରୁଛନ୍ତି । ପ୍ରାକୃତିକ ସଂପଦର ନିରନ୍ତର ଅବକ୍ଷୟ ସହିତ ସ୍ଥାନୀୟ ନିଯୁକ୍ତି ଯୋଜନାଗୁଡ଼ିକ ବିଫଳ ହୋଇଚାଲିଛି । ’’

*****

ଲୋତକପୂର୍ଣ୍ଣ ଆଖିରେ ଦ୍ରୌପଦୀ ତାଙ୍କର ନାତୁଣୀଙ୍କ ସମ୍ପର୍କରେ କହିଲେ, ‘’‘ତୁମେ ତାଙ୍କୁ ଦେଖିଥାଇପାର । ସେ ଖୁବ୍‌ ସୁନ୍ଦର ଥିଲା ।’’

ତାଙ୍କର ମୃତ୍ୟୁ ପୂର୍ବରୁ ତୁଲସା ରାଜ୍ୟରେ ୨୦୨୨ ପଞ୍ଚାୟତ ନିର୍ବାଚନ(ଫେବ୍ରୁଆରୀ ୧୬ରୁ ୨୪ ମଧ୍ୟରେ ଅନୁଷ୍ଠିତ ହୋଇଥିବା) ପାଇଁ ପ୍ରଚାର କରିବାକୁ ଅରଡ଼ ଗ୍ରାମପଞ୍ଚାୟତର ଗୋଟିଏ ପରେ ଆଉ ଗୋଟିଏ ଗାଁକୁ ଯାଉଥିଲେ ।  ଚନୁଟମାଲ, ଏକ ଆଦିବାସୀ ବହୁଳ ଗାଁ ଅରଡ଼ା ପଞ୍ଚାୟତରେ ଅବସ୍ଥିତ ଏବଂ ସେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଥିଲେ । ଆସନଟି ଅନୁସୂଚିତ ଜାତିର ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା ଏବଂ ଯେହେତୁ ତୁଲସା ସ୍କୁଲ ଶିକ୍ଷା ଶେଷ କରିଥିବା ତାଙ୍କ ଗାଁର ଜଣେମାତ୍ର ଆଦିବାସୀ ମହିଳା ଥିଲେ, ତେଣୁ ସେ ଲୋକପ୍ରିୟ ପସନ୍ଦ ଥିଲେ ଏବଂ ସେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ନେଉଥିଲେ । ଦଶମୁ କହିଲେ, ‘‘ଆମର ସମ୍ପର୍କୀୟ ମାନେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଉତ୍ସାହିତ କଲେ ।’’

Tulsa's father Debanand at the doorstep of the family's home in Gudabheli. He and the others are yet to come to terms with their loss
PHOTO • Purusottam Thakur

ତୁଲସାଙ୍କ ବାପା ଦେବାନନ୍ଦ ଗୁଡାଭେଲିରେ ଥିବା ପରିବାରର ଘର ସାମ୍ନାରେ ଛିଡା ହୋଇଛନ୍ତି  । ସେ ଏବଂ ଅନ୍ୟମାନେ ସେମାନଙ୍କର କ୍ଷତିକୁ ଭୁଲିପାରିନାହାନ୍ତି

ଦ୍ରୋପଦୀ ତୁଲସାଙ୍କୁ ନିର୍ବାଚନରେ ଛିଡା ନ ହେବାକୁ ପରାମର୍ଶ ଦେଇଥିଲେ । ଦୁଃଖିତ ଜେଜେମା କହିଲେ, ‘‘ ମାତ୍ର ଛଅମାସ ପୂର୍ବରୁ ସେ ତା’ର ସ୍ୱାସ୍ଥ୍ୟ ଫେରିପାଇଥିଲା, ତେଣୁ ମୁଁ ଏହାର ବିରୋଧରେ ଥିଲି । ସେ ସେଥିପାଇଁ ମରିଗଲା ।’’

ଖରିଆର ବ୍ଲକ୍ ବରଗାଁ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ତଥା ସ୍ଥାନୀୟ ନେତା ସଞ୍ଜୟ ତିୱାରୀ କହନ୍ତି, ବିସ୍ଥାପନ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରେ । ଭୋଟରଙ୍କ ସଂଖ୍ୟା, ବିଶେଷକରି ଗରିବ ଶ୍ରେଣୀର ଲୋକଙ୍କ ସଂଖ୍ୟା କମିଯାଏ, ସେ କହିଲେ । ସେ ଆହୁରି କହିଲେ, ନୂଆପଡ଼ା ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ବିସ୍ଥାପିତ ଭୋଟ୍‌ ଦେଇପାରିନାହାନ୍ତି । ବରଗାଁରେ ଏହି ସଂଖ୍ୟା ୩୦୦ ହେବ ବୋଲି ସେ ଆକଳନ କରନ୍ତି ।

ତିୱାରୀ କହିଲେ, ‘‘ଆମେ ଦାବିକରୁ ଯେ ଭାରତରେ ନିର୍ବାଚନକୁ ଏକ ପର୍ବ ଭଳି ପାଳନ କରାଯାଏ, କିନ୍ତୁ ଭୋସିନ୍ଧୁ ଏବଂ ତାଙ୍କ ମା’ଙ୍କ ଭଳି ବିସ୍ଥାପିତ ଶ୍ରମିକ, ଯେଉଁମାନେ ନିଜର ନିକଟ ଓ ପରିଜନଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଘରକୁ ଫେରିବାକୁ ଅନୁମତି ପାଆନ୍ତି ନାହିଁ, ସେମାନଙ୍କ ପାଇଁ ଏହାର ଅର୍ଥ କିଛି ନୁହେଁ । ’’

ଭୋସିନ୍ଧୁଙ୍କ ପଡ଼ୋଶୀ ସୁବାସ ବେହେରା କହନ୍ତି କୋଭିଡ୍‌ - ୧୯ ଲକ୍‌ଡାଉନ୍‌ ଯାହା ଜିଲ୍ଲାରେ ନିଯୁକ୍ତି ସୁଯୋଗ କମାଇ ଦେଇଛି, ତାହା ତାଙ୍କୁ ବିସ୍ଥାପିତ ହେବାକୁ ବାଧ୍ୟ କଲା । ସେ କହନ୍ତି, ‘‘ଏଠାରେ ନିଯୁକ୍ତି ସୁଯୋଗ ଥିଲେ ନିଜ ସ୍ତ୍ରୀକୁ ଏକୁଟିଆ ନିର୍ବାଚନ ଲଢ଼ିବା ପାଇଁ ଛାଡ଼ିଦେଇ ସେ ଇଟାଭାଟିକୁ ଯାଇନଥାନ୍ତେ । ’’

‘‘ତୁ କୁଆଡ଼େ ଗଲୁ ମୋ ମା’ ? ତୁ ଆମକୁ ଛାଡ଼ି କାହିଁକି ଗଲୁ ?’’

ତୁଲସାଙ୍କ ଉଦ୍ଦେଶ୍ୟରେ ଦ୍ରୌପଦୀଙ୍କର ସ୍ୱର ସେହି ବଡ଼ ସମ୍ପ୍ରଦାୟରେ ପ୍ରତିଧ୍ୱନିତ ହେଉଥିଲା ।

*****

ତୁଲସାଙ୍କ ମୃତ୍ୟୁର ଗୋଟିଏ ସପ୍ତାହ ପରେ , ସାମ୍ବାଦିକ ଅଜିତ ପଣ୍ଡା ପରିବାରର ଅବସ୍ଥା ବାବଦରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ନୂଆପଡ଼ା ଜିଲ୍ଲାପାଳ ଏବଂ ରାମନାଗୁଡ଼ାର ପୋଲିସ କମିଶନରଙ୍କ ସରକାରୀ ହ୍ୟାଣ୍ଡେଲ୍‌କୁ ଟ୍ୟାଗ୍‌ କରି ଟ୍ୱିଟ୍‌ କଲେ  । ପୋଲିସ ୨୪ ଘଣ୍ଟା ମଧ୍ୟରେ ଭୋସିନ୍ଧୁ, ତାଙ୍କ ମା’ ଓ ଦୀପାଞ୍ଜଳିଙ୍କୁ ଠାବ କଲା ଏବଂ ଇଟାଭାଟିର ମାଲିକଙ୍କୁ ସେମାନଙ୍କୁ ଛତିଶଗଡ଼ର ରାୟପୁରକୁ ପଠାଇବାକୁ କୁହାଗଲା । ଇଟାଭାଟିର ମାଲିକ ବାଧ୍ୟ କଲେ ଯେ ଅନ୍ୟ ଦୁଇ ଜଣ ପୁଣି ଥରେ ଫେରିବେ ଏକଥା ନିଶ୍ଚିତ କରିବାକୁ ଦୀପାଞ୍ଜଳି ସେଠାରେ ରହିବେ, କିନ୍ତୁ ଶେଷରେ ସରକାରୀ ଚାପ ଆଗରେ ସେ ନଇଁଲେ ଏବଂ ସେମାନଙ୍କୁ ଛାଡ଼ିଲେ ।

ଯେଉଁ ସର୍ଦ୍ଦାର ସେମାନଙ୍କୁ ପଠାଇଥିଲେ, ସେ ତୁଲସାଙ୍କ ପରିବାରର ତିନି ଜଣ ସଦସ୍ୟଙ୍କୁ ରାୟପୁରରୁ ନେଲେ ଏବଂ ସେମାନଙ୍କୁ ଚନୁଟମାଲରେ ଥିବା ଘରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଝି ଷ୍ଟେସନ୍‌କୁ ଟ୍ରେନ୍‌ ଦ୍ୱାରା ଆଣିଲେ । ଦଶମୁ କହିଲେ, ସେମାନଙ୍କୁ ରେଲୱେ ଷ୍ଟେସନ୍‌ରେ ଏକ ସାଦା କାଗଜରେ ଦସ୍ତଖତ କରିବାକୁ କୁହାଗଲା, ଯେଉଁଥିରେ ସେମାନେ ଅଗ୍ରୀମ ଆକାରରେ ନେଇଥିବା ଟଙ୍କା ସୁଝିବା ପାଇଁ ସମାନ ଇଟାଭାଟିକୁ ଫେରିବେ ବୋଲି ସହମତ ହୋଇଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur
Ajit Panda

Ajit Panda is based in Khariar town, Odisha. He is the Nuapada district correspondent of the Bhubaneswar edition of ‘The Pioneer’, and has written for various other publications on sustainable agriculture, land and forest rights of Adivasis, folk songs and festivals.

Other stories by Ajit Panda
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE