PHOTO • Parth M.N.

ଦାଧ୍‌ରେ ଗାଁର ହଲ୍ ଯେଉଁଠାରେ ଅନୌପଚାରିକ ସ୍କୁଲର କ୍ଲାସ୍ ଚାଲେ

ସକାଳ ସମୟ ଧୁଆଁଳିଆ ଏବଂ ଥଣ୍ଡା, ତା’ସହ ହାଲୁକା ଝିପି ଝିପି ବର୍ଷା ହେଉଛି। କିଛି ଗଛର ଛାୟା ଏକ ଶ୍ରେଣୀଗୃହ ଉପରେ ପଡୁଛି ଯେଉଁଠାରେ ଛାତ୍ରଛାତ୍ରୀ ବିଦ୍ୟୁତ୍ - ବ୍ୟବହାରିକ ଉପାୟ ବିଷୟରେ ଶିକ୍ଷା କରୁଛନ୍ତି ।

ଚାରିଜଣ ୧୫ ବର୍ଷୀୟା ଆଦିବାସୀ ଝିଅ ପ୍ରାୟ ୩୫ ଜଣ ଅନ୍ୟ ଛାତ୍ରଛାତ୍ରୀଙ୍କ ସାମ୍ନାରେ କଳା ଏବଂ ନାଲି ତାରରେ ପରୀକ୍ଷା କରୁଛନ୍ତି । ଜଣେ ଝିଅ ତାରର ଆବରଣକୁ କାଟୁଛି, ଆଉ ଜଣେ ପ୍ଲଗ୍-ଇନ୍ ମାଧ୍ୟମରେ ଖୋଲା ଅଂଶକୁ ସଂଯୋଗ କରୁଛି । ତୃତୀୟ ଜଣକ ବଲ୍‌ ହୋଲ୍‌ଡର ଲଗାଇବା ଦାୟିତ୍ୱରେ ଅଛି ଏବଂ ଚତୁର୍ଥ ଜଣକ ନିଶ୍ଚିତ କରୁଛି ଯେ ଯୁକ୍ତାତ୍ମକ ଏବଂ ବିଯୁକ୍ତାତ୍ମକ ଚିହ୍ନଗୁଡ଼ିକ ସଠିକ୍‌ ସ୍ଥାନରେ ଅଛି । ତୁରନ୍ତ, ସେହି ଦଳ ସୁନ୍ଦର ଭାବରେ ନିର୍ମିତ ବିଦ୍ୟୁତ୍‌ ତା’ରକୁ ଏକାଠି କଲେ ।

PHOTO • Parth M.N.

କିପରି ଏକ ବିଦ୍ୟୁତ୍‌ ତାର ତିଆରି ହୁଏ ଆଦିବାସୀ ଛାତ୍ରମାନେ ତାହା ପ୍ରଦର୍ଶନ କରୁଛନ୍ତି

ମହାରାଷ୍ଟ୍ରର ୱାଡା ତାଲୁକା ଅଧୀନ ଦାଧ୍‌ରେ ଗାଁରେ ଥିବା ଏହି “ଅନୌପଚାରିକ” ଉଚ୍ଚ ମାଧ୍ୟମିକ ସ୍କୁଲଟି ମାତ୍ର ଦୁଇ ବର୍ଷ ପୁରୁଣା, କିନ୍ତୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ଶିକ୍ଷା ଉତ୍ସ ଅଟେ । ଛାତ୍ରଛାତ୍ରୀଙ୍କର ପାଠପଢ଼ା ଜାରି ରଖିବା ପାଇଁ ଏହା ୨୦୧୩ରେ ଜଣେ ୩୭ ବର୍ଷୀୟ ଶିକ୍ଷକ ପ୍ରହ୍ଲାଦ କାଥୋଲେ ଏବଂ ଅନ୍ୟ ଚାରି ଜଣଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।

ଦାଧ୍‌ରେର ଏକମାତ୍ର ଜିଲ୍ଲା ପରିଷଦ ସ୍କୁଲରେ (ଯେଉଁଠାରେ କାଥୋଲେ କାମ କରନ୍ତି) ସପ୍ତମ ଶ୍ରେଣୀ ପରେ ପିଲାଙ୍କୁ ନିକଟସ୍ଥ ହାଇସ୍କୁଲ ଯିବା ପାଇଁ ୧୫ କିଲୋମିଟର ଯାତ୍ରା କରିବାକୁ ପଡୁଥିଲା (ଯଦିଓ ନିକଟରେ ଜିଲ୍ଲା ପରିଷଦ ସ୍କୁଲରେ ଅଷ୍ଟମ ଶ୍ରେଣୀ ଆରମ୍ଭ ହୋଇଛି) । ଖରାପ ପରିବହନ ବ୍ୟବସ୍ଥା ଏବଂ ଆବୁଡ଼ାଖାବୁଡ଼ା ରାସ୍ତା ଯୋଗୁଁ ଅନେକ ଛାତ୍ରଛାତ୍ରୀ ବିଶେଷ କରି ଛାତ୍ରୀମାନେ ସ୍କୁଲ ଯିବାରୁ ବଞ୍ଚିତ ହେଉଥିଲେ ।

ବର୍ତ୍ତମାନ, ସେମାନଙ୍କ ପାଖରେ ଆଉ ଏକ ବିକଳ୍ପ ଅଛି: ଅନୌପଚାରିକ ସ୍କୁଲ, ଯେଉଁଥିପାଇଁ ସେମାନଙ୍କୁ ୟୁନିଫର୍ମ ପିନ୍ଧିବାକୁ ପଡ଼ିବ ନାହିଁ ଏବଂ ଯେଉଁଠାରେ ସରକାରୀ ଅନୁମୋଦିତ ପାଠ୍ୟକ୍ରମକୁ ଏକ ସ୍ୱତନ୍ତ୍ର ବ୍ୟବହାରିକ ଢଙ୍ଗରେ ଶିକ୍ଷା ଦିଆଯାଏ ।

ମୁମ୍ବାଇଠାରୁ ୯୦ କିଲୋମିଟର ଦୂରରେ ଥିବା ଏହି ଦୁର୍ଗମ ଗାଁରେ ଛାତ୍ରଛାତ୍ରୀ ଏକ କୃଷିକ୍ଷେତରେ ଏକ ସମକୋଣୀ ତ୍ରିଭୂଜକୁ ଚିହ୍ନିତ କରି ପାଇଥାଗୋରସ୍‌ ଥିଓରମ୍‌ର ଅଧ୍ୟୟନ କରିଛନ୍ତି; ସେମାନେ ୱେଲଡିଂ ଅଭ୍ୟାସ ମାଧ୍ୟମରେ ସମନ୍ୱିତ କୋଣ ଏବଂ ଜ୍ୟାମିତିକ ଅନୁପାତ ଅଧ୍ୟୟନ କରିଛନ୍ତି । ସେମାନଙ୍କୁ ଏକ ଆସାଇନ୍‌ମେଣ୍ଟ ମାଧ୍ୟମରେ ଚାଷ ଜମିରେ ମାତ୍ରାର ସୂତ୍ର ବୁଝାଯାଇଥିଲା: ୧,୦୦୦ ଲିଟର ଜଳ ଧାରଣ କରିବା ପାଇଁ ଆବଶ୍ୟକ ଗର୍ତ୍ତର ଦୈର୍ଘ୍ୟ, ପ୍ରସ୍ଥ ଏବଂ ଗଭୀରତା ହିସାବ କର। କାଥୋଲେ କହନ୍ତି, ‘‘ଗ୍ରୀଷ୍ମ ଋତୁରେ ଆମେ ଏକ ଗଛ ତଳେ ବସି ପାଠପଢୁ ।’’

PHOTO • Parth M.N.

ଜଣେ ଅତିଥିଙ୍କ ସହ ଶିକ୍ଷକ ପ୍ରହ୍ଲାଦ କାଥୋଲେ (ଡାହାଣ)

ଦାଧ୍‌ରେରେ କୃଷି ହେଉଛି ଆୟର ମୁଖ୍ୟ ଉତ୍ସ । କାଥୋଲେ କହନ୍ତି, “ଯେଉଁମାନେ ପାଠପଢ଼ା ଜାରି ରଖନ୍ତି ସେମାନେ ଚାଷ କାମକୁ ଅବହେଳା କରନ୍ତି ଏବଂ ଯେଉଁମାନେ ଚାଷ ଜମିରେ କାମ କରିବାକୁ ପସନ୍ଦ କରନ୍ତି ସେମାନେ ସ୍କୁଲ ଛାଡ଼ିଥାଆନ୍ତି । ଏହି ଦୁଇ ପ୍ରକାରର ପିଲାଙ୍କୁ ମିଶାଇବା ଆମର ଲକ୍ଷ୍ୟ ।” ଛାତ୍ରଛାତ୍ରୀଙ୍କ ପାଇଁ ଚାଷ ସହ ସମ୍ପର୍କ ରଖିବା କେତେ ମହତ୍ୱପୂର୍ଣ୍ଣ ସେ ତା’ ଉପରେ ଗୁରୁତ୍ୱାରୋପ କରିଛନ୍ତି: “ଅନେକ ସହରକୁ ଯାଇପାରିବେ ନାହିଁ । ଯଦି ସେମାନଙ୍କ ପାଖରେ କୃଷି ନାହିଁ, ତେବେ ସେମାନେ କେବଳ ଛୋଟ ମୋଟ କାମ ହିଁ କରନ୍ତି ।”

ଛାତ୍ରମାନେ ଜିଲ୍ଲା ପରିଷଦ ସ୍କୁଲରୁ ପାସ୍‌ କରିବା ପରେ, କାଥୋଲେ ଏବଂ ତାଙ୍କର ଚାରିଜଣ ସହକର୍ମୀ ସେମାନଙ୍କ ସହ କାମ କରନ୍ତି । ଗାଁର ଗୋଟିଏ ହଲ୍‌ରେ କ୍ଲାସ୍ ଅନୁଷ୍ଠିତ ହୁଏ । ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା, ଯାହାକି ସେମାନେ ଘରୋଇ ଭାବେ ଦିଅନ୍ତି ।

ଏହା ଆରମ୍ଭ ହେବାର ଦୁଇ ବର୍ଷ ପରେ, ୯୨ ଜଣ ଛାତ୍ରଛାତ୍ରୀ – ୪୮ ଜଣ ବାଳିକା ଏବଂ ୪୪ ଜଣ ବାଳକ - ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଏହି ଅନୌପଚାରିକ ଅନୁଷ୍ଠାନରେ ପାଠ ପଢୁଛନ୍ତି । ସ୍କୁଲ ଚଳାଇବାକୁ ବର୍ଷକୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ - ଯାହା ମଧ୍ୟରୁ ଅଧିକାଂଶ ବନ୍ଧୁ ଏବଂ ପରିଚିତମାନଙ୍କ ଦାନରୁ ଆସିଥାଏ । ଏହି ପାଞ୍ଚଜଣ ଶିକ୍ଷକ ଅନ୍ୟାନ୍ୟ ଖର୍ଚ୍ଚ ଯେପରିକି କ୍ଷେତ୍ର ପରିଦର୍ଶନ ଖର୍ଚ୍ଚ ବହନ କରନ୍ତି ଏବଂ ଜିଲ୍ଲାର ଅନ୍ୟ ସ୍କୁଲରେ ଶିକ୍ଷାଦାନ କରି ଜୀବିକା ଉପାର୍ଜନ କରନ୍ତି ।

ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଏକ ସହଜ ପ୍ରକ୍ରିୟା ନୁହେଁ । ଯଦିଓ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହେବା କଥା, ଏମାନଙ୍କ ମଧ୍ୟରୁ ଅନେକଙ୍କ ପକ୍ଷରେ ଏକ ଅର୍ଥପୂର୍ଣ୍ଣ ବାକ୍ୟ ଗଠନ କରିବା ମଧ୍ୟ କଷ୍ଟକର । କାଥୋଲେ କହନ୍ତି, “ଆମେ ୧୩ ବର୍ଷୀୟଙ୍କ ମଧ୍ୟରୁ କେତେକଙ୍କ ସହିତ କରୁଥିବା କାମ ସେମାନଙ୍କ ସହ ସାତ କିମ୍ବା ଆଠ ବର୍ଷ ବୟସରେ ହେବା ଉଚିତ୍ । ଅନେକ ମୌଳିକ ଗଣନା ମଧ୍ୟ କରିପାରନ୍ତି ନାହିଁ । ପ୍ରାୟ ସମସ୍ତେ ବ୍ୟକ୍ତିଗତ ଧ୍ୟାନ ଆବଶ୍ୟକ କରନ୍ତି।”

ଗାଁର ଜିଲ୍ଲା ପରିଷଦ ସ୍କୁଲରେ ପାଠାଗାର ଭଳି ସୁବିଧା ନାହିଁ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ତାଲିମପ୍ରାପ୍ତ ଶିକ୍ଷକ ମଧ୍ୟ ନାହାନ୍ତି। ଛାତ୍ରଛାତ୍ରୀ ଏହାର ମୂଲ୍ୟ ଦିଅନ୍ତି: ଏକ ଖରାପ ଶିକ୍ଷା । କାଥୋଲେ କହନ୍ତି, ‘‘ପିଲାଙ୍କୁ କୌଣସି ପ୍ରସଙ୍ଗ ବୁଝାଇବା ପରିବର୍ତ୍ତେ ଘୋଷି ମନେରଖିବା ଉପରେ ଗୁରୁତ୍ୱ ଦିଆଯାଏ । ଫଳସ୍ୱରୂପ, ସମସ୍ତଙ୍କର ଲେଖା ସମାନ ହୋଇଥାଏ; ଦାଧ୍‌ରେର ଅନ୍ୟ ଜଣେ ଶିକ୍ଷକ ଏବଂ ପ୍ରହଲ୍ଲାଦଙ୍କ ଭାଇ ବୋହୂ ରୋଶନା କାଥୋଲେ କହନ୍ତି, “ସମସ୍ତଙ୍କ ମା’ ସର୍ବଦା ନୀଳ ରଙ୍ଗର ଶାଢ଼ୀ ପିନ୍ଧନ୍ତି।’’

କାଥୋଲେଙ୍କ ପ୍ରଥମ ପଦକ୍ଷେପ ମଧ୍ୟରୁ ଗୋଟିଏ ଥିଲା ପାଠାଗାର ନିର୍ମାଣ । ଏହି ଅନୌପଚାରିକ ଶ୍ରେଣୀଗୃହର ଏକ କୋଣରେ ଏବେ ମରାଠୀ, ହିନ୍ଦୀ ଏବଂ ଇଂରାଜୀର ବିଭିନ୍ନ ପୁସ୍ତକ ରଖାଯାଇଛି: ଏଥିରେ ହାନାର ସୁଟକେସ୍‌ଠାରୁ ଆରମ୍ଭ କରି ବ୍ୟୋମକେଶ ବକ୍ସିଙ୍କ କାହାଣୀ ପର୍ଯ୍ୟନ୍ତ ବହିସବୁ ରହିଛି । ପଢ଼ିବା ଛାତ୍ରମାନଙ୍କୁ ସ୍ୱାଧୀନ ଭାବରେ ଚିନ୍ତା କରିବା ଆରମ୍ଭ କରିବାରେ ସାହାଯ୍ୟ କରେ । କାଥୋଲେ କୁହନ୍ତି, ‘‘ପାଠ୍ୟକ୍ରମ ବାହାରେ ପଢ଼ିବା ହେଉଛି ଏକମାତ୍ର ଉପାୟ ଯାହା ଛାତ୍ରଛାତ୍ରୀଙ୍କୁ ନିଜକୁ ମୁକ୍ତ ଭାବରେ ପ୍ରକାଶ କରିବାକୁ ଶିଖାଇପାରେ’’।

ଫଳାଫଳଗୁଡ଼ିକ ସ୍ପଷ୍ଟ: ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ କେତେକ ପ୍ରବନ୍ଧ, ଯେଉଁମାନେ ଖୁବ୍‌ କଷ୍ଟରେ ଲେଖିପାରୁଥିଲେ, ଏବେ ସେଗୁଡ଼ିକ ଗଭୀର ଭାବରେ ବର୍ଣ୍ଣିତ ହୋଇଛି ଏବଂ ସେମାନଙ୍କର ଜଟିଳ ବାସ୍ତବତାକୁ ପ୍ରତିଫଳିତ କରୁଛି । ଦାହରଣ ସ୍ୱରୂପ, ଯେତେବେଳେ ସେମାନଙ୍କ ଗାଁ ବାବଦରେ ବର୍ଣ୍ଣନା କରିବାକୁ କୁହାଗଲା, ୧୪ ବର୍ଷୀୟ ବୈଶାଳୀ କାଭତେ ଯୌତୁକ ପ୍ରଥା ବିଷୟରେ ଲେଖି ବ୍ୟୟବହୁଳ ବିବାହ ଉପରେ ପ୍ରଶ୍ନ କରିଥିଲେ । ସେ ଲେଖିଲେ ‘‘ମଧ୍ୟମ ଆୟ ଥିବା ପିତାମାତାମାନେ କିପରି ନିଜ ଝିଅମାନଙ୍କୁ ବିବାହ କରାଇବେ ? ଜଣଙ୍କର କ୍ଷମତାଠାରୁ ଅଧିକ ଖର୍ଚ୍ଚ କରିବାର ବ୍ୟବସ୍ଥା ଶେଷ ହେବା ଆବଶ୍ୟକ।”

PHOTO • Parth M.N.

ଗ୍ରୀଷ୍ମ ଛୁଟି ଉପରେ ମରାଠୀରେ ଏକ ପ୍ରବନ୍ଧ, ନବମ ଶ୍ରେଣୀ ଛାତ୍ରୀ ରୋହିଣୀ ୱାଙ୍ଗଲଙ୍କ ଦ୍ୱାରା

ଅନ୍ୟ ଜଣେ ଛାତ୍ର ସାଗର ଡାଭଲେ, ଗୋଟିଏ ମନ୍ଦିରରେ କେତେ ଟଙ୍କା ଥିଲା ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଅଳ୍ପ କିଛି ଛାତ୍ର ସେମାନଙ୍କର ପ୍ରବନ୍ଧଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରିଥିଲେ: ପ୍ରଥମ ଭାଗରେ ତଥ୍ୟ ଏବଂ ପର୍ଯ୍ୟବେକ୍ଷଣ ଉପସ୍ଥାପନ ଥିଲା, ଦ୍ୱିତୀୟ ଭାଗରେ ଥିଲା ମତାମତ । ୧୫ ବର୍ଷୀୟ ରୂପେଶ ରାଭେତେଙ୍କ ଭଳି ଅନ୍ୟମାନେ କହିଲେ, ଅତୀତରେ ସେମାନେ ଏକ ପ୍ରବନ୍ଧ ଲିଖନ କଥା ଆସିଲେ ଚିନ୍ତାରେ ଥରୁଥିଲେ କିନ୍ତୁ ବର୍ତ୍ତମାନ ଲେଖିବାକୁ ଉପଭୋଗ କରୁଛନ୍ତି ।

ଅନେକ ଛାତ୍ର ଯେପରି ପରୀକ୍ଷାରେ ସହଜରେ ଉତ୍ତୀର୍ଣ୍ଣ ହେବେ ବିଦ୍ୟାଳୟ ନିଶ୍ଚିତ କରିଛି – ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ୧୪ ଜଣଙ୍କ ମଧ୍ୟରୁ ୧୨ ଜଣ ପାସ୍ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ ଡିପ୍ଲୋମା ପଢୁଛନ୍ତି ।

ଏହି ସ୍କୁଲ ମଧ୍ୟ ସେମାନଙ୍କ ବାପାମା’ଙ୍କର ବାଲ୍ୟ ବିବାହ ପ୍ରତି ଥିବା ଦୃଷ୍ଟିକୋଣ ବଦଳାଇଦେଇଛି, ଉଚ୍ଚ ମାଧ୍ୟମିକ ସ୍କୁଲର ଅଭାବକୁ ଦର୍ଶାଇ ବାପାମା’ମାନେ ବାଲ୍ୟବିବାହ କରାଇ ଦେଉଥିଲେ । ଏହି ଗାଁରେ ଏବେ ବି କମ୍ ବୟସରେ ବିବାହ କରାଯାଉଥିବାବେଳେ ଏକ ଉଦାହରଣ ସ୍ଥାପନ ହୋଇଛି: ୧୪ ବର୍ଷର ରୁପାଲି ବାରଫ, କାଥୋଲେ ହସ୍ତକ୍ଷେପ କରିବା ପୂର୍ବରୁ ଗତବର୍ଷ ପ୍ରାୟ ବିବାହ କରିସାରିଥିଲେ । ସେ ହସି କହିଲେ, “ବରର ପିତାମାତା ଆମକୁ ଏକ ଶାଢ଼ି ପ୍ରଦାନ କରିଥିଲେ କିନ୍ତୁ ମୁଁ ସେମାନଙ୍କୁ ତାକୁ ଫେରାଇ ନେବାକୁ କହିଥିଲି।’’

କିନ୍ତୁ ଦାଧ୍‌ରେରେ ଅନେକ ଲୋକ ଏଯାଏଁ ଏହି ଅଣପାରମ୍ପରିକ ସ୍କୁଲକୁ ଗ୍ରହଣ କରିନାହାନ୍ତି । ଗାଁରେ କୁନବି ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ, ଏଠାରେ ଅନ୍ୟ ମୁଖ୍ୟ ଜନଜାତିଗୁଡ଼ିକ ହେଲା କାଟକାରି ଏବଂ ୱର୍ଲି । କୁନବିମାନେ ସେମାନଙ୍କ ପିଲାମାନଙ୍କୁ ଏହି ଅନୌପଚାରିକ ସ୍କୁଲକୁ ପଠାନ୍ତି ନାହିଁ । କିନ୍ତୁ କାଥୋଲେ ନିଶ୍ଚିତ ଯେ ସେମାନେ ଧୀରେ ଧୀରେ ସହମତ ହେବେ ଏବଂ ଏହି ଅନୌପଚାରିକ ସ୍କୁଲର ପ୍ରଭାବ ପରି ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE