କିଷନ ଯାଦବ ଗୋଟିଏ ପେଡାଲ ଥିବା ଗୋଟିଏ ବାଇସାଇକେଲ ପାଇଁ ଟ. ୧୨୦୦ ଟଙ୍କା ଦିଅନ୍ତି। ଏହି ଅସ୍ୱାଭାବିକ ନେଣଦେଣ ଶେଷ ହେବା ପରେ ଏହାର ବାର୍‌ଗୁଡ଼ିକ ଲଗାଇବା ପାଇଁ ଟ. ୨୦୦ ଖର୍ଚ୍ଚ କରନ୍ତି। ଏହା ପରେ ସେ ଚେନ୍‌ଗୁଡ଼ିକ କାଢ଼ିଦେବେ କିମ୍ବା ଏହାକୁ ଢ଼ିଲା ଓହଳାଇ ଦିଅନ୍ତି ଏବଂ ସିଟ୍‌କୁ ଉପରକୁ ଅତି ଉଚ୍ଚକୁ ଉଠାଇ ଦିଅନ୍ତି।

ବର୍ତ୍ତମାନ ଯାଦବ ତାଙ୍କ ବାଇସାଇକେଲ ବ୍ୟବହାର କରିବା ପାଇଁ ପ୍ରସ୍ତୁତ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସାଇକେଲ ଚଳାଇବା ପାଇଁ ନୁହେଁ- ବିନା ଚେନ୍‌ରେ ଏହା କଷ୍ଟକର ହୋଇପାରେ। କିନ୍ତୁ ୪୦ରୁ ୬୦ କିଲୋମିଟର ଦୂରତା ପାଇଁ ୨୫୦ କିଲୋଗ୍ରାମ କୋଇଲା ବୋହିବା ନିମନ୍ତେ ଟ୍ରଲି ଭଳି। ଏହାକୁ ବ୍ୟବହାର କରାଯାଇପାରେ। ଏହି ବିପଜ୍ଜନକ ପରିଶ୍ରମ ପାଇଁ ସେ ଦିନକୁ ଟ. ୧୦ ପର୍ଯ୍ୟନ୍ତ ରୋଜଗାର କରନ୍ତି। ଯାହାକି ବିହାରରେ ସର୍ବନିମ୍ନ ମଜୁରୀର ମାତ୍ର ଏକ ତୃତୀୟାଂଶ।

ଯାଦବ ଲାଲମାଟିଆରୁ ଗୋଡ଼ାକୁ ଯିବେ ଏବଂ ଫେରିବେ। ପୁରା ତିନିଦିନ ଚାଲିବା, ବିଶ୍ରାମ ନେବା ଏବଂ ବୁଲି ବିକ୍ରି କରିବାରେ କଟାଇବେ। ଆତ୍ମନିଯୁକ୍ତିର ଏହି ଅଧିକ ଚାପଗ୍ରସ୍ତ ରୂପ ବିଷୟରେ ଚିନ୍ତା କରିବା କଷ୍ଟ ତଥାପି ଗୋଡାରେ ପ୍ରାୟ ୩୦୦୦ ପରିବାର ଏହା ଉପରେ ନିର୍ଭର କରନ୍ତି।

କୋଇଲାବାଲା ବା ସାଇକେଲ ବାଲା ଭାବରେ ଜଣାଶୁଣା ଏମାନଙ୍କ ମଧ୍ୟରୁ ସମସ୍ତେ ଗୋଟିଏ ପେଡାଲ ବା ଚେନ୍‌ ଅପସାରଣ କରିବେ ନାହିଁ। କିନ୍ତୁ ସେମାନେ  ବାର୍‌ଗୁଡ଼ିକ ଲଗାଇବେ ଏବଂ ସିଟ୍‌କୁ ଉପର ଆଡ଼କୁ ନେବେ। ଯାଦବ କୁହନ୍ତି, କଷ୍ଟକର ଭାବରେ ଏହି ଛୋଟ କୌଶଳ ‘‘ସେମାନେ ଶିଖିବେ’’। ‘‘ଡାହାଣ ପାଖର ପେଡାଲ ଭାଙ୍ଗିଯିବ ଏବଂ ଯଦି ଚେନ୍‌ ଢ଼ିଲା ହୋଇନଥାଏ ଅସୁବିଧା କରିବ।’’

ଯାଦବ ନିଜର କୋଇଲା ବିକ୍ରି କରିସାରିବା ପରେ ହିଁ ପେଡାଲ ଏବଂ ଚେନ୍‌ ଲଗାଇବେ ଓ ଲାଲମାଟିଆ, ଯେଉଁଠାରୁ ସେ ନିଜର ଜିନିଷ କିଣନ୍ତି ସେଠାକୁ ସାଇକେଲ ଚଲାଇ ଫେରିବେ। ସେ ତାଙ୍କର ଏହି କଷ୍ଟକର ଯାତ୍ରା ସପ୍ତାହରେ ଦୁଇଥରଠାରୁ ଅଧିକ କରିପାରିବେ ନାହିଁ। କେତେକ ସମୟରେ କୋଇଲାବାଲାମାନେ ୬୦ କିଲୋମିଟର ଦୂରରେ ଥିବା ବାଙ୍କା ଜିଲ୍ଲାର ବାଉଁଶିକୁ ଯାଆନ୍ତି କିମ୍ବା ୮୦ କିଲୋମିଟର ଦୂରରେ ଥିବା ବାଙ୍କାର ରାଜାଉନଙ୍କୁ ଯାଆନ୍ତି। ଏମାନେ ପ୍ରତ୍ୟେକ ସମୟରେ ନିଜର ବିଶାଳ ବୋଝକୁ ପାଦରେ ଚାଲିଚାଲି ଠେଲନ୍ତି। ସାଧାରଣତଃ କୋଇଲାବାଲାମାନେ ୨୦୦ରୁ ୨୫୦ କିଲୋ ପର୍ଯ୍ୟନ୍ତ ବୁହନ୍ତି। କିନ୍ତୁ କେଇଜଣ କୁହନ୍ତି ସେମାନେ ବେଳେ ବେଳେ ଆହୁରି ଅଧିକ ଓଜନ ମଧ୍ୟ ଟାଣନ୍ତି। ଏଥିସହିତ ଆଦ୍ୟକୈଶୋରରେ ଥିବା କେତେକ କିଶୋର ମଧ୍ୟ ଛୋଟ ଛୋଟ ପରିମାଣର ବୋଝ ଟାଣନ୍ତି।

ଅଧିକାରୀମାନେ ସେମାନଙ୍କର ବ୍ୟବସାୟକୁ ଏକ ‘‘ବେଆଇନ’’ କାର୍ଯ୍ୟକଳାପର ଆଖ୍ୟା ଦିଅନ୍ତି। କାହିଁକି? କାରଣ ସେମାନେ ଗୋଟାଳିମାନଙ୍କଠାରୁ କୋଇଲା କିଣନ୍ତି। ଯେଉଁମାନେକି ଲାଲମାଟିଆର ରାଜମହଲ କୋଇଲା ଖନନ ପରିଯୋଜନାର ବର୍ଜ୍ୟଗଦାରୁ ଗୋଟାନ୍ତି। ଏହି ପରିଯୋଜନାରୁ ସୃଷ୍ଟି ହେଉଥିବା ବର୍ଜ୍ୟମାଟିର ପାହାଡ଼ ପରି ଗଦାରେ ପ୍ରାୟ ତିନି ପ୍ରତିଶତ ନିମ୍ନମାନର କୋଇଲା ଥାଏ।

ଜଣେ ବରିଷ୍ଠ ରାଜମହଲ ପ୍ରକଳ୍ପ ଅଧିକାରୀ ସ୍ୱୀକାର କରନ୍ତି, ‘‘ବାସ୍ତବରେ ଯଦି ଏହି ଗୋଟାଳିମାନେ ନଥାନ୍ତେ ତେବେ କୋଇଲା ବର୍ଜ୍ୟଗଦା ମଧ୍ୟରେ ଅବ୍ୟବହୃତ ଭାବରେ ପଡ଼ି ରହୁଥାନ୍ତା, ସାଇକେଲବାଲାଙ୍କ ବ୍ୟତୀତ ଏହା କେବେ ବି ଗୋଡ଼ାରେ ଏକ ଅତ୍ୟନ୍ତ ଶସ୍ତା ଶକ୍ତି ଉତ୍ସ ଭାବରେ ପହଞ୍ଚୁନଥାନ୍ତା ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଗ୍ରାହକ। ଏହା ଏକ ଜାତୀୟ ସଂଚୟ।’’

ପ୍ରସଙ୍ଗଗୁଡ଼ିକ ଅଧିକ ବିଭ୍ରାନ୍ତ ହୋଇଯାଏ କାରଣ କୋଇଲା ଖଣି ସହ ସମ୍ପର୍କିତ ଅନେକ ବେଆଇନ କାର୍ଯ୍ୟକଳାପ ରହିଛି। ତଥାପି ତିନୋଟି ମୁଖ୍ୟ ଅବୈଧ ରୂପ କୋଇଲା ଖନନ ଓ ବିକ୍ରୟରେ ରହିଛି:

  • କୋଇଲା ଚାଲାଣ ସମୟରେ ରାଜମହଲ ପ୍ରକଳ୍ପର ଡିପୋଗୁଡ଼ିକରୁ ଚୋରି ଏବଂ ଡକାୟତି। କିନ୍ତୁ କେହି ଏପର୍ଯ୍ୟନ୍ତ ସେଥିପାଇଁ ସାଇକେଲବାଲାଙ୍କୁ ଦୋଷୀ କରିନାହାଁନ୍ତି।
  • ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସାହାଯ୍ୟରେ କ୍ଷମତାଶାଳୀ କୋଇଲା ମାଫିଆମାନଙ୍କ ଦ୍ୱାରା ନିୟନ୍ତ୍ରିତ ବେଆଇନ ଖନନ। ଏହା ମଧ୍ୟ ନିଶ୍ଚିତ ଭାବରେ ଦିନକୁ ଟ. ୧୨ରୁ କମ୍‌ ରୋଜଗାର କରୁଥିବା ଯାଦବ କିମ୍ବା ପ୍ରହ୍ଲାଦ ପ୍ରସାଦ ଶାହାଙ୍କ ପରି ସାଇକେଲ ବାଲାଙ୍କ ଦ୍ୱାରା ଚାଲୁନାହିଁ।
  • ଅତ୍ୟନ୍ତ ଗରିବ ଲୋକଙ୍କ ଦ୍ୱାରା ଆବର୍ଜନା ମଧ୍ୟରୁ କୋଇଲା ସଂଗ୍ରହ। ସେମାନଙ୍କଠାରୁ ହିଁ (କିମ୍ବା ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ଦାଦାମାନଙ୍କ ଠାରୁ) ଏହି ସାଇକେଲ ବାଲାମାନେ ମୁଖ୍ୟତଃ ସେମାନଙ୍କର କୋଇଲା ପାଇଥାନ୍ତି। ଏହିମାନେ ହେଉଛନ୍ତି ସେହି ଲୋକ ମୁଖ୍ୟତଃ ମହିଳା, ଯାହାଙ୍କୁ କି ଏହି ଅଧିକାରୀ ଏକ ‘‘ଜାତୀୟ ସଞ୍ଚୟ’’ ପାଇଁ ମୁଖ୍ୟତଃ ଦାୟୀ ବୋଲି କହିଥାନ୍ତି।
ଜଣେ ବରିଷ୍ଠ ରାଜମହଲ ଅଧିକାରୀ ସ୍ୱୀକାର କରନ୍ତି: ‘‘ପ୍ରାୟ ୧୦୦୦ ସାଇକେଲ ବାଲା ପ୍ରତିଦିନ କାମ କରନ୍ତି। କେହି ସପ୍ତାହରେ ଦୁଇଟି ଟ୍ରିପରୁ ଅଧିକ କରିପାରନ୍ତି ନାହିଁ। ଯଦି ଆମେ ଗୋଟିଏ ସମ୍ପୂର୍ଣ୍ଣ ବର୍ଷରେ କୋଇଲାବାଲାଙ୍କ ଦ୍ୱାରା ବେଆଇନ ଭାବରେ ବିକ୍ରି ହେଉଥିବା କୋଇଲାକୁ ହିସାବ କରିବା ତେବେ ଏହା ଲାଲମାଟିଆରେ ଦୁଇଦିନର ଉତ୍ପାଦନ ସହ ସମାନ ହେବ ନାହିଁ’’।

ଲାଲମାଟିଆ ବାହାରେ, ୪୦ କିଲୋମିଟର ଦୂରରେ ଥିବା ଗୋଡ଼ାକୁ ଯିବା ରାସ୍ତାରେ ମୁଁ ସାଇକେଲବାଲାମାନଙ୍କୁ ଠାବ କଲି। ଯଦିଓ ଏହି ଦୂରତା ଅଧିକ ନୁହେଁ, ସେମାନେ ରାତିରେ ବିଶ୍ରାମ ନେବା ଆବଶ୍ୟକ କରନ୍ତି। ସବୁଠାରୁ ଭଲ ସମୟରେ ଏହି ଶାରୀରିକ ଭାବରେ ଅସହନୀୟ ଯାତ୍ରା ସେପ୍ଟେମ୍ବର ମାସର ପାଗରେ ବି କଷ୍ଟକର ମନେ ହେଉଥିଲା। ସେମାନେ ଧୀରେ ଧୀରେ କଦର୍ଯ୍ୟ ରାସ୍ତାରେ ଆଗଉଥିଲେ ଯେଉଁଠି ସେମାନେ ଅନେକ ସମୟରେ ସେମାନଙ୍କ  ପିଠି ଭାଙ୍ଗି ଦେବା ପରି ବୋଝକୁ ଉଠାଣିଆ ରାସ୍ତାରେ ଠେଲିବାକୁ ହେଉଥିଲା।

କୋଇଲାବାଲାମାନେ ଧାଡ଼ି କରି ପ୍ରାୟ ୨୦ଜଣ ଲେଖାଏଁ ଯାଉଥିଲେ। ‘‘ସହ ଯାତ୍ରୀ’’ ଖୁବ୍‌ ଜରୁରୀ, କାରଣ ସେମାନଙ୍କ ମଧ୍ୟରୁ କେହି ପଡ଼ିଯାଆନ୍ତି, ସେ ବିନା ସହାୟତାରେ ଆରମ୍ଭ କରିପାରିବେ ନାହିଁ। ଏହା ବ୍ୟତୀତ ପ୍ରତ୍ୟେକ ଲମ୍ବା କାଦୁଅ ରାସ୍ତା ଦେଇଯିବା ବେଳେ କିମ୍ବା ତୀଖ ଉଠାଣି ଉଠିବା ସମୟରେ ସାହାଯ୍ୟ ଆବଶ୍ୟକ କରନ୍ତି। ମୁଁ ଦେଖିଲି ଯାଦବ ଏପରି ଗୋଟିଏ ରାସ୍ତା ତାଙ୍କର ସାଙ୍ଗମାନଙ୍କ ସହାୟତାରେ ଅତିକ୍ରମ କଲେ। ଏହା ପରେ ସେ ତାଙ୍କ ସାଇକେଲକୁ ଅଖାତଳେ ଥିବା ଏକ ମୋଟାବାଡିରେ ଲଗାଇ ‘‘ରଖିଦେଲେ’’ ଏବଂ ପଛରେ ଥିବା ବ୍ୟକ୍ତିଙ୍କୁ ପାର୍‌ କରାଇବା ପାଇଁ ପଛକୁ ଗଲେ।

Group of men from different castes eating lunch beside their coal laden cycles
PHOTO • P. Sainath

କୋଇଲାବାଲାମାନେ ସେମାନଙ୍କ ସହ ଦୁଇଟି ଭୋଜନ ନେଇଯାଆନ୍ତି। କେବଳ କିଛି ଭାତ ସହ ସିଝା ଯାଇଥିବା କିଛି ପରିବା-ବିନା ଡାଲିରେ। ପ୍ରତ୍ୟେକ ସେମାନଙ୍କ ଜିନିଷ ବିକ୍ରି ହେବା ପାଇଁ ଆବଶ୍ୟକ ହେଉଥିବା ଏବଂ ଫେରିବା ପାଇଁ ତିନିଦିନ ମଧ୍ୟରେ ଖାଇବା ବାବଦରେ ଆଉ ଟ. ୧୫ ଖର୍ଚ୍ଚ କରିବେ

ଗୋଡ଼ା ନିକଟରେ ଭୋଜନ ପାଇଁ ଅଟକିଥିବା ଗୋଟିଏ ଗୋଷ୍ଠୀରୁ ମୁଁ ଜାଣିଲି ଏହା ଏକ ବହୁଜାତୀୟ କାର୍ଯ୍ୟ। କେବଳ ବ୍ରାହ୍ମଣ ଏବଂ ରାଜପୁତକୁ ଛାଡ଼ିଦେଲେ ଗୋଡ଼ାରେ ଥିବା ପ୍ରାୟ ସମସ୍ତ ଜାତି ଏହି କୋଇଲା ‘‘ପୁନଃ-ଚକ୍ରଣ’’ରେ ମିଳିପାରିବେ। ମଣ୍ଟୋ ମାନ୍‌ଝି ଜଣେ ଦଳିତ ଯିଏକି ଜାତିରେ ବଣିଆ ହୋଇଥିବା ପ୍ରହ୍ଲାଦ ଏବଂ ଅରୁଣ ଶାହଙ୍କ ସହ ଯାତ୍ରା କରୁଛନ୍ତି। ସେମାନଙ୍କ ସହ ଯାଦବ, କୋଏରିସ, ଶାନ୍ତାଳ ଏବଂ ଆଉ କେତେଜଣ ମଧ୍ୟ ଅଛନ୍ତି। ଅର୍ଥନୀତି କେତେକ ସାମାଜିକ କଟକଣାକୁ କିଛି ପରିମାଣରେ ଭାଙ୍ଗି ଦେବା ପରି ମନେହେଉଛି।

ଯେତେବେଳେ ସରକାରୀ ବିକାଶ ପରିଯୋଜନାଗୁଡ଼ିକରେ କାମ ଅଧିକ ପାଉଣା ଦେଉଛି ସେତେବେଳେ ଏହି  କଷ୍ଟକର ବ୍ୟବସାୟରେ ସେମାନେ କାହିଁକି ସମ୍ପୃକ୍ତ? ସେମାନେ ଜାଣିନାହାନ୍ତି କି ବିହାରରେ ବର୍ତ୍ତମାନ ଦୈନିକ ସର୍ବନିମ୍ନ ମଜୁରୀ ଟ. ୩୦.୫୦ ? ଏହା ହସର ରୋଳ ଖେଳାଇ ଦେଲା। ମାନଝି କହିଲେ, ‘‘ଏହା ଠିକାଦାରମାନଙ୍କ ପାଇଁ’’। ‘‘ସରକାରୀ ପ୍ରକଳ୍ପଗୁଡ଼ିକରେ କାମ କରିବା ପାଇଁ ସେମାନେ କେଉଁଠି ଆମକୁ ଏତେ ଦେବେ? ଏପରିକି ଆମେ ଟ. ୨୦ରେ ଅନ୍ୟ କାମ କରିବୁ।’’

ସେମାନଙ୍କ ନିଜ ବ୍ୟବସାୟର ଅର୍ଥନୀତି ଚକିତ କରିଦେବା ପରି ଏବଂ ଏକ ହାଲକା ଦୃଷ୍ଟି ସବୁଠାରୁ  ବାଟବଣା କରିଦେଇପାରେ। ଯେତେବେଳେ ମୁଁ ପ୍ରଥମେ କିଶେନ ଯାଦବଙ୍କ ପାଖକୁ ଗଲି, ସେତେବେଳେ ସେ ଗୋଡ଼ା ସହରରେ ଜଣେ ମହିଳାଙ୍କଠାରୁ ତାଙ୍କ ଘରେ ଟ.୧୦୫ ସଂଗ୍ରହ କରୁଥିଲେ। ଏହା ଗୋଟିଏ ଥର ବିକ୍ରୟ ପାଇଁ ଗୋଟିଏ ଭଲ ପରିମାଣର ଅର୍ଥ ବୋଲି ମନେ ହେବ। କିଛିଦିନ ସେମାନଙ୍କ ସହ କାମ କରିବା ପରେ ହିଁ ଏହି କାମରେ ସମ୍ପୃକ୍ତ ମୂଲ୍ୟ ସ୍ପଷ୍ଟ ହୋଇଥିଲା।

କୋଇଲାବାଲାମାନେ ଲାଲମାଟିଆରେ ଟ. ୩୦ରେ  ପ୍ରାୟ ୨୫୦-୩୦୦ କିଲୋମିଟର ପର୍ଯ୍ୟନ୍ତ କୋଇଲା କିଣନ୍ତି। ଏହା ପରେ ସେମାନେ ପ୍ରତ୍ୟେକ ଟ. ୫ ରଙ୍ଗଦାରି (ଦାଦା ବଟି) ଭାବରେ ସ୍ଥାନୀୟ ଗୁଣ୍ଡାଙ୍କୁ ଦିଅନ୍ତି। ଏହା ପରେ ଟ. ୧୦ ଯାଏ ହପ୍ତା (ନିୟମିତ ‘ଦେୟ’ କିମ୍ବା ଲାଞ୍ଚ ପାଉଣା) ଭାବରେ  ପୋଲିସ ପାଖକୁ ଯାଏ। ଏହା ଲାଲମାଟିଆରୁ ଗୋଡ଼ା ମଧ୍ୟରେ ୫ଟି ପୋଲିସ ପୋଷ୍ଟ ପାଇଁ ସାଇକେଲ ପିଛା ଟ. ୨ ହିସାବରେ ପ୍ରତ୍ୟେକ ତିନିଦିନିଆ ରହଣି ସମୟରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଟ. ୧୫ ଖର୍ଚ୍ଚ କରନ୍ତି।

ଅରୁଣ ଶାହା କୁହନ୍ତି, ‘‘ପ୍ରାୟ ପ୍ରତ୍ୟେକ ଥର ପାଇଁ ସାଇକେଲ ରକ୍ଷଣାବେକ୍ଷଣରେ ଟ. ୧୦-୧୫ ଯାଏ। ବଲ ବିୟରିଂ ଜଲଦି ନଷ୍ଟ ହୋଇଯାଏ ଏବଂ ଆମକୁ ପ୍ରତି ତିନିମାସରେ ଟ୍ୟୁବ ବଦଳାଇବାକୁ ପଡ଼େ, ବେଳେ ବେଳେ ଟାୟାର ମଧ୍ୟ।’’ ଟ.୭୫ ଖର୍ଚ୍ଚ କରିବା ପରେ ସେମାନେ ଗୋଡ଼ାରେ ସମୁଦାୟ ବୋଝ ପାଇଁ ଟ.୧୦୦ରୁ ୧୦୫ ପର୍ଯ୍ୟନ୍ତ ପାଆନ୍ତି (ପାଟନାରେ ସେମାନେ ଟ. ୩୦୦ରୁ ଅଧିକ ପାଇପାରିବେ)। ଏହା ଫଳରେ ସେମାନେ ତିନିଦିନରେ ଟ. ୩୦ ହିଁ ପାଇପାରନ୍ତି। ଯେହେତୁ ସେମାନେ ସପ୍ତାହରେ ଦୁଇଥର ମାତ୍ର ଏହା କରିପାରିବେ, ତେଣୁ ତାଙ୍କର ସାପ୍ତାହିକ ଆୟ ଟ. ୬୦-୭୦ କିମ୍ବା ଦୈନିକ ୮ରୁ ୧୦ଟଙ୍କା ଅତିକ୍ରମ କରିବ ନାହିଁ। ସେମାନେ ଏହାଠାରୁ ଦୂରରେ ଥିବା ରାଜାଉନରେ ସେମାନଙ୍କ ବୋଝ ପାଇଁ ଟ. ୧୫୦ କିମ୍ବା ଅଧିକ ପାଇପାରିବେ। କିନ୍ତୁ ଏହି କଷ୍ଟକର ଯାତ୍ରା, ସପ୍ତାହରେ ଥରେ ରୁ ଅଧିକ କରିବା କଷ୍ଟ।

ଗୋଡ଼ାର ଡ. ପି.କେ. ଦାରାଧିୟାର କୁହନ୍ତି, ସାଇକେଲବାଲାମାନେ ‘‘ଯକ୍ଷ୍ମା, ଭୀଷଣ ଛାତି ଯନ୍ତ୍ରଣା, ମାଂସପେଶୀ ଚିରିବା, ଶ୍ୱାସ ରୋଗ ଏବଂ ଆଉ ଅନ୍ୟ ପ୍ରକାର ଅସୁସ୍ଥତା ନିମନ୍ତେ ମୁଖ୍ୟ ପ୍ରାର୍ଥୀ’’। ସେ ସାଧାରଣତଃ ସେମାନଙ୍କୁ ନିଜର ରୋଗୀମାନଙ୍କ ମଧ୍ୟରେ ହିସାବ କରନ୍ତି। ପ୍ରହଲାଦ ଶାହ କୋଇଲାବାଲାମାନଙ୍କ ମଧ୍ୟରେ ଖୁବ୍‌ ସାଧାରଣ ମନେ ହେଉଥିବା ଅସୁସ୍ଥତା ପାଇଁ ଗୋଟିଏ ମାସ ହରାଇଲେ। ସେ ମଧ୍ୟ ଗୋଟିଏ ବାଇସାଇକେଲ ହରାଇଲେ ଯେତେବେଳେ ପୋଲିସ ଏହାକୁ ଜବତ କରିବା ପାଇଁ ସ୍ଥିର କଲା।

ଜିଲ୍ଲା ଅଧିକାରୀମାନେ ଟ୍ରକ ଦ୍ୱାରା ଗୋଡ଼ା ସହରକୁ କୋଇଲା ଆଣିବାର ବ୍ୟବସ୍ଥା ସୃଷ୍ଟି କରିବାକୁ ଆଶା କରୁଛନ୍ତି। ସେମାନେ କୁହନ୍ତି, ଏହି ସାଇକେଲବାଲାମାନେ ଏହା ପରେ ସହର ମଧ୍ୟରେ ସେଗୁଡ଼ିକ ଚଳାଇପାରିବେ। କୋଇଲାବାଲାମାନେ ଏହାକୁ ନେଇ ସନ୍ଦେହରେ, ସେମାନେ ଭୟ କରନ୍ତି ଏହା କେବଳ ସେମାନଙ୍କୁ ସେମାନଙ୍କର ଆତ୍ମନିଯୁକ୍ତିର ଏହି ଅନନ୍ୟ ସ୍ୱରୂପ ଛଡ଼ାଇ ନେବା ଆଡ଼କୁ ଯିବ। ଏହା ସେମାନଙ୍କର ବଞ୍ଚିବାର କୌଶଳ ଏବଂ ସେମାନେ ଏହା ସହ ସଂଯୁକ୍ତ ରହିବାକୁ ଚାହାନ୍ତି। ଯଦିଓ ଏହାର ଅର୍ଥ ଚକକୁ ପୁନଃ ଉଦ୍ଭାବନ କରିବା, ଗୋଡ଼ା ଶୈଳୀରେ।

ଗୋଡ଼ାର କୋଇଲାବାଲାମାନଙ୍କ ଉପରେ ପି.ସାଇନାଥଙ୍କ କଥାକୁହା ଆଲବମ ନିମନ୍ତେ ଏଠାରେ କ୍ଲିକ୍‌ କରନ୍ତୁ

ମୁଁ ପ୍ରଥମେ ୧୯୯୩ ମସିହା ସେପ୍ଟେମ୍ବର ମାସରେ ଏହି ଜିଲ୍ଲା ଗସ୍ତ କରିଥିଲି, ସେତେବେଳେ ଏହା ବିହାରର ଏକ ଜିଲ୍ଲା ଥିଲା।। ୨୦୦୦ରେ ଏହା ନୂତନ ଭାବରେ ଗଠିତ ଝାଡଖଣ୍ଡ ରାଜ୍ୟର ଅଂଶ ହେଲା)

ଏହି କାହାଣୀ ଲେଖକଙ୍କ ବହି ‘ଏଭ୍ରିଓ୍ୱାନ ଲଭ୍‌ସ ଏ ଗୁଡ୍‌ ଡ୍ରଟ’ (ପେଙ୍ଗୁଇନ ବୁକ୍‌ସ)ରେ ସ୍ଥାନ ପାଇଥିଲା। ଏହାର ଗୋଟିଏ ସ୍ୱରୂପ ପ୍ରଥମେ ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ହୋଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath