ବାରାଣସୀ ଜିଲ୍ଲା ଅନେଇ ଗାଁର ସୁଦାମା ଆଦିବାସୀ କହନ୍ତି, ‘‘ଯଦି ମୋ ପାଖରେ ବିକଳ୍ପ ଥାଆନ୍ତା, ତେବେ ମୁଁ କେବେ ବି ହସ୍ପିଟାଲ ଯାଇ ନ ଥାନ୍ତି ।’’ ସେ ଖୁବ୍‌ ସ୍ପଷ୍ଟ ଭାବେ କହିଲେ । ‘‘ଆମ ସହ ସେଠାରେ ପଶୁତୁଲ୍ୟ ବ୍ୟବହାର କରାଯାଏ । ଡାକ୍ତର ଆମକୁ ଦେଖିବାକୁ ଆସନ୍ତି ନାହିଁ ଏବଂ ନର୍ସମାନେ ଏମିତି କଥା କୁହନ୍ତି, ‘ସେମାନେ କେମିତି ରହନ୍ତି ! ଏହି ଦୁର୍ଗନ୍ଧପୂର୍ଣ୍ଣ ଲୋକମାନେ କେଉଁଠୁ ଆସନ୍ତି ?’’ ସୁଦାମା ମନେ ପକାନ୍ତି, କେମିତି, କେବେ ଓ କାହିଁକି ସେ ନିଜର ପ୍ରଥମ ପାଞ୍ଚଟି ପିଲାଙ୍କୁ ଘରେ ହିଁ ଜନ୍ମକଲେ ।

ଗତ ୧୯ ବର୍ଷରେ ସୁଦାମାଙ୍କର ନଅଟି ପିଲା ହୋଇଛନ୍ତି । ୪୯ ବର୍ଷ ବୟସରେ, ସେ ଏ ଯାଏଁ ରଜୋନିବୃତ୍ତି ଯାଏଁ ପହଞ୍ଚିନାହାନ୍ତି ।

ସେ ବାରାଗାଁଓ ବ୍ଲକ୍‌ରେ ଏକ ଗାଁର ପ୍ରାନ୍ତରେ ୫୭ଟି ପରିବାର ବାସ କରୁଥିବା ମୂଷାହାର ବସ୍ତିରେ ରହନ୍ତି, ଯାହା ନିକଟରେ ଉଚ୍ଚ ଜାତିର ଠାକୁର, ବ୍ରାହ୍ମଣ, ଗୁପ୍ତାମାନଙ୍କର ଘର ଅଛି । ସେଠାରେ କେତେକ ମୁସଲମାନ ପରିବାର ଏବଂ ଚମାର, ଢାରକର ଓ ପାସି ଭଳି ହରିଜନ ପରିବାର ମଧ୍ୟ ରହନ୍ତି । ବସ୍ତି ଏହି ସମ୍ପ୍ରଦାୟ ସହ ସଂପୃକ୍ତ ବିଭିନ୍ନ ଋଢ଼ିକୁ ପ୍ରମାଣିତ କରୁଥିବା ଦେଖାଯାଏ – ଅଧା ଲଙ୍ଗଳା, ଧୁଳି ଧୂସରିତ ପିଲା, ଅଇଁଠା ଲାଗିଥିବା ସେମାନଙ୍କର ପତଳା ମୁହଁରେ ମାଛି ବସୁଥାଆନ୍ତି ଏବଂ ସ୍ୱଚ୍ଛତାର ସମ୍ପୂର୍ଣ୍ଣ ଅଭାବ । କିନ୍ତୁ ନିକଟରୁ ଦେଖିଲେ ଏକ ଭିନ୍ନ କାହାଣୀ ସାମ୍ନାକୁ ଆସେ ।

ଉତ୍ତରପ୍ରଦେଶର ଅନୁସୂଚିତ ଜାତି ମଧ୍ୟରେ ତାଲିକାଭୁକ୍ତ ହୋଇଥିବା ମୁଷାହାରମାନେ ମୂଷାଙ୍କୁ ଧରିବାରେ ପାରଙ୍ଗମ ଥିଲେ ଯେଉଁମାନେ ଫସଲକୁ କ୍ଷତି କରୁଥିଲେ । ବର୍ଷ ବର୍ଷ ଧରି, ସେମାନଙ୍କର ବୃତ୍ତି କଳଙ୍କର ଉତ୍ସ ହୋଇଗଲା ଏବଂ ସେମାନେ ‘ମୂଷା ଭୋଜନକାରୀ’ ଭାବରେ ପରିଚିତ ହେଲେ - ତାହା ହେଉଛି ‘ମୂଷାହାର’ ଶବ୍ଦର ଅର୍ଥ। ଏହି ସମ୍ପ୍ରଦାୟ ଅନ୍ୟ ସାମାଜିକ ଗୋଷ୍ଠୀଙ୍କ ଦ୍ୱାରା ବହିଷ୍କାର ଏବଂ ଅପମାନର ସମ୍ମୁଖୀନ ହୁଏ, ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅବହେଳିତ ଏବଂ ସମ୍ପୂର୍ଣ୍ଣ ରୂପେ ବଞ୍ଚିତ ରହେ । ପଡ଼ୋଶୀ ବିହାରରେ, ସେମାନେ ‘ ମହାଦଳିତ ’ ଶ୍ରେଣୀଭୁକ୍ତ ହୋଇଛନ୍ତି - ଅନୁସୂଚିତ ଜାତିଙ୍କ ମଧ୍ୟରେ ଗରିବ ଏବଂ ସବୁଠାରୁ ଭେଦଭାବପୂର୍ଣ୍ଣ ବର୍ଗ ।

Sudama Adivasi and her children, on a cot outside their hut in Aneai village. 'We have seen times when our community was not supposed to have such cots in our huts. They were meant for the upper castes only,' says Sudama
PHOTO • Jigyasa Mishra

ଅନେଇ ଗ୍ରାମରେ ଥିବା ସେମାନଙ୍କ କୁଡ଼ିଆ ବାହାରେ ଏକ ଖଟ ଉପରେ ସୁଦାମା ଆଦିବାସୀ ଏବଂ ତାଙ୍କର ପିଲାମାନେ। ସୁଦାମା କୁହନ୍ତି, ‘ଏପରି ଏକ ସମୟ ଥିଲା ଯେତେବେଳେ ଆମ କୁଡ଼ିଆରେ ଏପରି ଖଟ ରଖିବାର ଅଧିକାର ଆମ ସମୁଦାୟ ନିକଟରେ ନଥିଲା। ଏଗୁଡ଼ିକ କେବଳ ଉଚ୍ଚଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା'

ଅନେଇ ଗାଁରେ ସେମାନଙ୍କର କୁପୋଷିତ ବସ୍ତିର ମଧ୍ୟ ଭାଗରେ- ବୋଧହୁଏ ଘେଟ୍ଟୋ ଅଧିକ ଉପଯୁକ୍ତ ଶବ୍ଦ ହେବ – ଏକ ଛଟାବାଡ଼ କାଦୁଅ କୁଡ଼ିଆ ବାହାରେ, ଏକ ଖଟିଆ ଉପରେ ସୁଦାମା ବସିଛନ୍ତି । ‘‘ଆମେ ଏମିତି ସମୟ ଦେଖିଛୁ ଯେତେବେଳେ ଆମ ସମ୍ପ୍ରଦାୟକୁ ଆମ କୁଡ଼ିଆରେ ଏମିତି ପ୍ରକାରର ଖଟିଆ ରଖୁ ନ ଥିଲେ,’’ ସେ ଯାହା ଉପରେ ବସିଛନ୍ତି ତା’ ଆଡ଼କୁ ଇସାରା କରି କହିଲେ । ‘‘ତାହା କେବଳ ଉଚ୍ଚ ଜାତିଙ୍କ ପାଇଁ ଥିଲା । ଗାଁରେ ବୁଲୁଥିବା ଅବସ୍ଥାରେ ଯଦି ଜଣେ ଠାକୁର ଆମକୁ ଏମିତି ଖଟିଆ ଉପରେ ବସିଥିବା ଦେଖିଥାଆନ୍ତେ, ସେ କ’ଣ ବୋଲି କ’ଣ କହିଥାଆନ୍ତେ !’’ ସେ କହିବା କଥା ଯାହାର ଅର୍ଥ ଅତ୍ୟନ୍ତ ଦୁର୍ବ୍ୟବହାର ।

ସେ ଆହୁରି ମଧ୍ୟ କହିଲେ ଯେ ଯଦିଓ ଆଜିକାଲି ଲୋକମାନେ ଜାତି ଉପରେ କମ୍ ବିଶ୍ୱାସ କରୁଥିବା ପରି ମନେହୁଏ, ତଥାପି ସେମାନଙ୍କ ଜୀବନ ଉପରେ ଏହାର ପ୍ରଭାବ ଜାରି ରହିଛି । “ବର୍ତ୍ତମାନ ପ୍ରତ୍ୟେକ ପରିବାରର (ଏଠାରେ) ଖଟିଆ ଅଛି, ଏବଂ ଲୋକମାନେ ମଧ୍ୟ ତା’ ଉପରେ ବସୁଛନ୍ତି।” ମହିଳାମାନଙ୍କୁ ଯଦିଓ ଏହି କଥିତ ବିଶେଷାଧିକାରରୁ ବଞ୍ଚିତ ରଖାଯାଇଛି: “ଏବେ ବି ମହିଳାମାନେ ବସିପାରିବେ ନାହିଁ - ଯେତେବେଳେ ଆମର ବଡ଼ମାନେ [ଶାଶୁ ଶ୍ୱଶୁର] ଉପସ୍ଥିତ ଥାଆନ୍ତି । ଖଟିଆ ଉପରେ ବସିଥିବାରୁ ମୋ ଶାଶୁ ଥରେ ଆମ ପଡ଼ୋଶୀମାନଙ୍କ ଆଗରେ ପାଟି କରିଥିଲେ।”

ସୁଦାମାଙ୍କର ତିନିଟି ପିଲା ଖଟିଆ ଚାରିପଟେ ଦୌଡୁଛନ୍ତି ଯେତେବେଳେକି ସେ କୋଳରେ ଚତୁର୍ଥ ପିଲାକୁ କୋଳରେ ଧରି ବସିଛନ୍ତି । ତାଙ୍କର ପିଲା କେତୋଟି ବୋଲି ମୁଁ ପ୍ରଶ୍ନ କରିବାରୁ ସେ ଟିକିଏ ଦ୍ୱନ୍ଦ୍ୱରେ ପଡ଼ିଗଲେ । ପ୍ରଥମେ, ସେ କହିଲେ ସାତୋଟି, ତା’ପରେ ନିଜକୁ ସଂଶୋଧନ କଲେ, ସେ ମନେ ପକାଇଲେ ତାଙ୍କ ଝିଅ ଆଞ୍ଚଲ ବିବାହିତା ଏବଂ ଏବେ ତା’ର ଶାଶୂଘରେ ରହୁଛି । ଆଉ ତା’ପରେ ଆଉଥରେ ସେ ଆଉ ଜଣଙ୍କ ବାବଦରେ ଭାବିଲେ, ଯାହାର ଗତ ବର୍ଷ ମୃତ୍ୟୁ ହୋଇଥିଲା। ଶେଷରେ, ସେ ଆଙ୍ଗୁଳିରେ ଗଣିବା ଆରମ୍ଭ କଲେ, ସାତ ଜଣ ଏବେ ତାଙ୍କ ପାଖରେ ଅଛନ୍ତି : ‘‘ରାମ ବାଲାକ ଯିଏ କି ୧୯ ବର୍ଷର, ସାଧନା, ୧୭, ବିକାଶ, ୧୩, ଶିବ ବାଲାକ, ୯, ଅର୍ପିତା, ୩, ଆଦିତ୍ୟ, ୪, ଏବଂ ଅନୁଜ ଦେଢ଼ ବର୍ଷର ।’’

‘‘ଆରେ ଯାଅ, ଆଉ ଯାଇ ଖୁଡ଼ୀମାନଙ୍କୁ ଡାକି ଆଣ’’, ପଡ଼ୋଶୀ କେତେଜଣ ମହିଳାଙ୍କୁ ଆମ ସହ ଯୋଗଦେବା ପାଇଁ ଡାକିବାକୁ ହାତ ହଲାଇ ସେ ତାଙ୍କର ଝିଅକୁ ନିର୍ଦ୍ଦେଶ ଦେଲେ । ‘‘ମୁଁ ବିବାହ କରିବା ବେଳକୁ ୨୦ ବର୍ଷର ହୋଇଥିବି,’’ ସୁଦାମା ଜାରି ରଖିଲେ, ‘‘କିନ୍ତୁ ମୋର ତିନି ବା ଚାରିଟି ପିଲା ହେବା ଯାଏଁ, ମୋର କଣ୍ଡୋମ ବା ଅସ୍ତ୍ରୋପଚାର (ବନ୍ଧ୍ୟାକରଣ ପ୍ରକ୍ରିୟା ଗୁଡ଼ିକ) ବାବଦରେ କୌଣସି ଜ୍ଞାନ ନ ଥିଲା । ଶେଷରେ, ମୁଁ ଯେତେବେଳେ ସେ ସବୁ ବାବଦରେ ଜାଣିବାକୁ ପାଇଲି, ତାକୁ କରିବା ପାଇଁ କେବେ ବି ସାହସ ଜୁଟାଇ ପାରିଲି ନାହିଁ । ଅସ୍ତ୍ରୋପଚାର ଫଳରେ ହେଉଥିବା ଯନ୍ତ୍ରଣା ନେଇ ମୁଁ ଭୟଭୀତ ଥିଲି।’’ ଏହି ଅସ୍ତ୍ରୋପଚାର କରାଇବା ପାଇଁ ତାଙ୍କୁ ଏଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ବାରାଗାଁଓ ବ୍ଲକ୍‌ ମୁଖ୍ୟାଳୟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)କୁ ଯିବାକୁ ହୋଇଥାଆନ୍ତା । ସ୍ଥାନୀୟ ପିଏଚ୍‌ସିରେ ଏହି ପ୍ରକାରର ଅସ୍ତ୍ରୋପଚାର କରିବାର ସୁବିଧା ନାହିଁ ।

Sudama with her youngest child, Anuj.
PHOTO • Jigyasa Mishra
She cooks on a mud chulha in her hut. Most of the family’s meals comprise of rice with some salt or oil
PHOTO • Jigyasa Mishra

ବାମ : ସୁଦାମା ତାଙ୍କର କନିଷ୍ଠ ସନ୍ତାନ ଅନୁଜଙ୍କ ସହ। ଡାହାଣ : ସେ ତାଙ୍କ କୁଡ଼ିଆରେ ଥିବା ମାଟି ଚୁଲିରେ ରୋଷେଇ କରନ୍ତି। ମୁଖ୍ୟତଃ ଚାଉଳ, କିଛି ଲୁଣ କିମ୍ବା ତେଲକୁ ନେଇ ତାଙ୍କ ପରିବାରର ଖାଦ୍ୟ ପ୍ରସ୍ତୁତ ହୋଇଥାଏ

ସୁଦାମା ଜଣେ ଗୃହିଣୀ ଏବଂ ତାଙ୍କର ସ୍ୱାମୀ, ୫୭ ବର୍ଷୀୟ ରାମବାହାଦୁର, ‘‘ଧାନ ବିଲରେ ଅଛନ୍ତି । ଏବେ ରୋଇବା  ଋତୁ ଚାଲିଛି,’’ ସେ କହିଲେ । ଅମଳ ପରେ, ସେ ଅନ୍ୟମାନଙ୍କ ଭଳି ନିକଟସ୍ଥ ସହରକୁ ଜଣେ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଯାଆନ୍ତି ।

ଏଠାକାର ମୂଷାହାର ସମ୍ପ୍ରଦାୟର ଅଧିକାଂଶ ପୁରୁଷ ଭୂମିହୀନ ଶ୍ରମିକ ଭାବେ କାମ କରନ୍ତି, ଯେତେବେଳେକି କେତେକ ପରିବାର ଅଧିଆ, ତିସରିଆ ବା ଚୌଥିଆ(ଭାଗ ଚାଷ ବ୍ୟବସ୍ଥା ଅନ୍ୟ ଜଣଙ୍କ ଚାଷ ଜମିରେ କାମ କରିବା ବଦଳରେ ଫସଲର ଅଧା, ଏକ ତୃତୀୟାଂଶ ବା ଏକ ଚତୁର୍ଥାଂଶ ପାଇବା) ଭାବେ ଚାଷ  କରନ୍ତି । ସୁଦାମାଙ୍କର ସ୍ୱାମୀ ତିସରିଆ ଭାବେ କାମ କରନ୍ତି ଏବଂ ସେ ଘରକୁ ଆଣୁଥିବା ଫସଲର କିଛି ଅଂଶ ପରିବାର ପାଇଁ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ବିକ୍ରି କରି ଦିଅନ୍ତି।

ଆଜି ସୁଦାମା ମଧ୍ୟାହ୍ନ ଭୋଜନରେ ଭାତ ରାନ୍ଧିଛନ୍ତି । କୁଡ଼ିଆ ଭିତରେ ଗୋଟିଏ କାଦୁଅ ଚୁଲି ଉପରେ ଭାତ ହାଣ୍ଡି ବସିଛି । ପରିବାରର ଅଧିକାଂଶ ଭୋଜନ ହୋଇଥାଏ ଭାତ ସହ କେବଳ କିଛି ଲୁଣ ବା ତେଲ । ଅତି ଭଲ ଦିନଗୁଡ଼ିକରେ, ଭାତ ସହ ମସୁର ଡାଲି, ତରକାରୀ ବା କୁକୁଡ଼ା ମାଂସ ଖାଆନ୍ତି । ରୁଟି ସପ୍ତାହକୁ ଥରେ ହୋଇପାରେ ।

ଭାଇ ଭଉଣୀମାନଙ୍କୁ ଷ୍ଟିଲ ଥାଳିରେ ଖାଦ୍ୟ ପରଷିବା ବେଳେ ତାଙ୍କ ଝିଅ ସାଧନା କହିଲେ ‘‘ଆମେ ଆମ୍ବ ଆଚାର ସହ ଭାତ ଖାଇବୁ ।’’ ସବାସାନ ଅନୁଜ ସାଧନା ସହ ଗୋଟିଏ ଖାଉଥିବା ବେଳେ ରାମ ବାଲାକ ଏବଂ ବିକାଶ ଗୋଟିଏ ଥାଳିରେ ଖାଉଛନ୍ତି ।

The caste system continues to have a hold on their lives, says Sudama.
PHOTO • Jigyasa Mishra
PHOTO • Jigyasa Mishra

ବାମ :  ସୁଦାମା କୁହନ୍ତି, ଏବେବି ସେମାନଙ୍କ ଜୀବନ ଉପରେ ଜାତିପ୍ରଥାର ପ୍ରଭାବ ରହିଛି। ଡାହାଣ : ଅନେଇର ମୁଷାହାର ବସ୍ତିରେ କାମ କରୁଥିବା ଜଣେ ମାନବାଧିକାର କର୍ମୀ ସନ୍ଧ୍ୟା କୁହନ୍ତି, ସେଠାରେ ପ୍ରତ୍ୟେକ ମହିଳା ରକ୍ତହୀନତାରେ ପୀଡ଼ିତ

ଏତିକି ବେଳକୁ ପଡ଼ୋଶୀରୁ କେତେଜଣ ମହିଳା ଆମ ସହ ଯୋଗ ଦେଲେ, ସେମାନଙ୍କ ଭିତରେ ଥିଲେ ୩୨ ବର୍ଷୀୟା ସନ୍ଧ୍ୟା, ଯିଏ ଗୋଟିଏ ମାନବାଧିକାର ଗ୍ରୁପ୍‌ ମାନବାଧିକାର ଜନ ନିଗ୍ରାନୀ ସମିତିର ଜଣେ ସଦସ୍ୟ ଭାବେ ଏହି ବସ୍ତିରେ ପ୍ରାୟ ପାଞ୍ଚ ବର୍ଷ ହେଲା କାମ କରିଆସୁଛନ୍ତି । ସନ୍ଧ୍ୟା ରକ୍ତହୀନତାର ବ୍ୟାପକ ସମସ୍ୟା ବାବଦରେ କହିବା ଆରମ୍ଭ କଲେ । ଯଦିଓ ୨୦୧୫-୧୬ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( NFHS-୪ ) ଦର୍ଶାଉଛି ଯେ ଉତ୍ତରପ୍ରଦେଶରେ ୫୨ ପ୍ରତିଶତ ମହିଳା ରକ୍ତହୀନତାରେ ପୀଡ଼ିତ, ସେ କହିଲେ, ଅନେଇରେ ସେମାନଙ୍କ ମଧ୍ୟରୁ ୧୦୦ ପ୍ରତିଶତ ମଧ୍ୟମ ବା ଗୁରୁତର ରକ୍ତହୀନତାରେ ପୀଡ଼ିତ ।

‘‘ଆମେ ନିକଟରେ ଗାଁର ସମସ୍ତ ମହିଳାଙ୍କର ପୋଷଣ-ମ୍ୟାପିଂ କରିଥିଲୁ [ଗୋଟିଏ ପୋଷକ ଆକଳନ],’’ ସନ୍ଧ୍ୟା କହିଲେ, ‘‘ଏବଂ ପାଇଲୁ ଯେ କେବଳ ସେମାନଙ୍କ ମଧ୍ୟରୁ ଜଣଙ୍କର ହିଁ ହିମୋଗ୍ଲୋବିନ୍‌ ୧୦ଗ୍ରାମ୍/ଡେସିଲିଟର । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ରକ୍ତହୀନତାରେ ପୀଡ଼ିତ । ଏହାଛଡ଼ା, ଲ୍ୟୁକୋରିଆ ଏବଂ କ୍ୟାଲସିୟମ ଅଭାବ ହେଉଛି ମହିଳାମାନଙ୍କଠାରେ ଅନ୍ୟ ସାଧାରଣ ସମସ୍ୟା।’’

ଏହି ସ୍ୱାସ୍ଥ୍ୟ ସମସ୍ୟା ଏବଂ ଅଭାବଗୁଡ଼ିକ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ ଅବିଶ୍ୱାସ ସହିତ ଆସିଥାଏ, ଯେଉଁଠାରେ ସେମାନଙ୍କୁ ନାଁରେ ଡକାଯାଏ ଏବଂ ବହୁତ ଖରାପ ଧ୍ୟାନ ଦିଆଯାଏ । ତେଣୁ ଏହା ଜରୁରୀକାଳୀନ ପରିସ୍ଥିତି ନହେବା ପର୍ଯ୍ୟନ୍ତ ମହିଳାମାନେ ଡାକ୍ତରଖାନା ଯାଆନ୍ତି ନାହିଁ । ତାଙ୍କର ଚିକିତ୍ସାଳୟର ଭୟ ବିଷୟରେ ସୁଦାମା କୁହନ୍ତି “ମୋର ପ୍ରଥମ ପାଞ୍ଚଟି ପ୍ରସବ ଘରେ ହୋଇଥିଲା। ତା’ପରେ ଆଶା [ସ୍ୱୀକୃତପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା] ମୋତେ ଡାକ୍ତରଖାନା ନେବା ଆରମ୍ଭ କଲେ”।

୪୭ ବର୍ଷୀୟା ଦୁର୍ଗାମତୀ ଆଦିବାସୀ କୁହନ୍ତି, ‘‘ଆମ ସହ ଡାକ୍ତରମାନେ ଭେଦଭାବ କରନ୍ତି । କିନ୍ତୁ ଏହା କିଛି ନୂଆ କଥା ନୁହେଁ, ପ୍ରକୃତ ଚ୍ୟାଲେଞ୍ଜ ଘରୁ ହିଁ ଆରମ୍ଭ ହୁଏ।’’ ‘‘ଆମକୁ ସରକାର, ଡାକ୍ତର ଏବଂ ଆମର ଲୋକମାନେ ସମାନ ଭାବେ ନିଚ୍ଚା ଦେଖାନ୍ତି । ସେମାନେ (ପୁରୁଷ) କେବଳ ମାଂସର ସୁଖରେ ଲିପ୍ତ ହେବା ଜାଣନ୍ତି, ତା’ପରେ ନୁହେଁ। ସେମାନଙ୍କୁ ଲାଗେ ସେମାନଙ୍କର ଏକମାତ୍ର ଦାୟିତ୍ୱ ହେଲା ପରିବାରକୁ ଖୁଆଇବା। ବାକି ସବୁକିଛି ଆମ ମହିଳାଙ୍କ ପାଇଁ ଅଛି,’’ ଦୁର୍ଗାମତୀ କହନ୍ତି, ତାଙ୍କ ସ୍ୱରରେ ବିଦ୍ରୋହର ଏକ ଆଭାସ ମିଳୁଥିଲା ।

The lead illustration by Jigyasa Mishra is inspired by the Patachitra painting tradition.

ଏଠାରେ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଅବିଶ୍ୱାସ ମଧ୍ୟ ରହିଛି, ଯେଉଁଠି ସେମାନଙ୍କୁ ଅସମ୍ମାନିତ କରାଯାଏ ଏବଂ ଅତି କମ୍‌ ଧ୍ୟାନ ଦିଆଯାଇଥାଏ। ତେଣୁ ଜରୁରି ପରିସ୍ଥିତି ନଥିଲେ, ମହିଳାମାନେ ଡାକ୍ତରଖାନାକୁ ଯାଆନ୍ତି ନାହିଁ

ଆଇରନ୍‌ ଟାବଲେଟ୍‌ ବଣ୍ଟନ ପାଇଁ ଅନେଇରେ ଥିବା ୪୫ ବର୍ଷୀୟା ଆଶା କର୍ମୀ ମନୋରମା ସିଂହ କହନ୍ତି, ‘‘ସବୁ ସମ୍ପ୍ରଦାୟରେ ମହିଳା ହିଁ ଅସ୍ତ୍ରୋପଚାର କରାନ୍ତି’’। ସେ ଆହୁରି କହିଲେ, ‘‘ଗାଁରେ ବୁଲି ଆସ ତୁମକୁ ଜଣେ ବି ପୁରୁଷ ମିଳିବ ନାହିଁ ଯାହାଙ୍କର ନସବନ୍ଦୀ ହୋଇଛି । ଭଗବାନ ଜାଣନ୍ତି କାହିଁକି କେବଳ ମହିଳାଙ୍କର କାମ ହେଲା ପିଲାଙ୍କୁ ଜନ୍ମ ଦେବା ଏବଂ ଅସ୍ତ୍ରୋପଚାର ବି କରାଇବା’’। ୨୦୧୯-୨୧ NFHS-୫ ରୁ ଜଣାପଡୁଛି ଯେ ବାରାଣାସୀରେ କେବଳ ୦.୧ ପ୍ରତିଶତ ପୁରୁଷଙ୍କର ନସବନ୍ଦୀ କରାଯାଇଛି, ଯେତେବେଳେକି ମହିଳାଙ୍କ ସଂଖ୍ୟା ୨୩.୯ ପ୍ରତିଶତ ।

ଏପରିକି NFHS-୪ ଏହା ନିଶ୍ଚିତ କରିଥଲା: “ଉତ୍ତରପ୍ରଦେଶରେ ୧୫-୪୯ ବର୍ଷ ବୟସର ପ୍ରାୟ ଦୁଇ-ପଞ୍ଚମାଂଶ (୩୮ ପ୍ରତିଶତ) ଏକମତ ହୁଅନ୍ତି ଯେ ଗର୍ଭନିରୋଧକ କେବଳ ମହିଳାମାନଙ୍କର କାମ, ଏବଂ ଜଣେ ପୁରୁଷ ଏହା ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ ।”

ସନ୍ଧ୍ୟା ଗାଁରେ ସେ କରୁଥିବା କାମକୁ ଆଧାର କରି ଏମିତି ହିଁ ଅନୁଧ୍ୟାନ କରିଛନ୍ତି। “ଆମେ ସେମାନଙ୍କୁ [ପୁରୁଷମାନଙ୍କୁ] ପରିବାର ନିୟୋଜନ ଏବଂ କଣ୍ଡୋମ ବିତରଣର ଗୁରୁତ୍ୱ ବିଷୟରେ ସକ୍ରିୟ ଭାବରେ କହୁଛୁ। ଅଧିକାଂଶ କ୍ଷେତ୍ରରେ, ପୁରୁଷ ସାଥୀମାନେ ସେମାନଙ୍କର ପତ୍ନୀ ସେମାନଙ୍କୁ କହିବା ସତ୍ୱେ ମଧ୍ୟ କଣ୍ଡୋମ ବ୍ୟବହାର କରିବାକୁ ରାଜି ହୁଅନ୍ତି ନାହିଁ। ଏଥିସହ ଗର୍ଭଧାରଣ ସେତେବେଳେ ବନ୍ଦ ହୁଏ ଯେତେବେଳେ ପରିବାର ଏବଂ ସ୍ୱାମୀ ଚାହାଁନ୍ତି।”

ଉତ୍ତରପ୍ରଦେଶରେ ୧୫-୪୯ ବର୍ଷ ଆୟୁ ବର୍ଗର ବିବାହିତା ମହିଳାଙ୍କ ମଧ୍ୟରେ ଗର୍ଭନିରୋଧକ ପ୍ରସାର ହାର (ସିପିଆର୍‌) ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ୪୬ ପ୍ରତିଶତ ଥିଲା, ଯାହା ଏନ୍‌ଏଫ୍‌ଏଚ୍‌ଏସ୍‌-୩ଠାରୁ ଟିକିଏ ଅଧିକ ଥିଲା, ସେତେବେଳେ ଏହା ୪୪ ପ୍ରତିଶତ ଥିଲା । ସର୍ଭେରେ କୁହାଯାଇଛି ଯେ ଉତ୍ତରପ୍ରଦେଶରେ ମହିଳା ଗର୍ଭନିରୋଧକର ବ୍ୟବହାର କରିବାର ସମ୍ଭାବନା ଅଧିକ, ଯଦି ତାଙ୍କର ପୂର୍ବରୁ ଗୋଟିଏ ପୁଅ ଥାଏ। ‘‘ସେମାନଙ୍କ ମଧ୍ୟରୁ କାହାରିକୁ ବି ପରିବାର ନିୟୋଜନ ବାବଦରେ କିଛି ପରବାୟ ନାହିଁ, ଖାସ୍‌ କରି ପୁରୁଷଙ୍କର’’ ତାରା ଦେବୀ, ଜଣେ ଆଶା କର୍ମ, ଯିଏ ମନୋରମାଙ୍କ ସହ ଯାଆନ୍ତି ଏବଂ ନିକଟସ୍ଥ ଅନ୍ୟ ଏକ ଗାଁରେ କାମ କରନ୍ତି, ସେ କହନ୍ତି। ‘‘ଏଠାକାର ପରିବାରଗୁଡ଼ିକରେ ପିଲାମାନଙ୍କର ହାରାହାରି ସଂଖ୍ୟା ଛଅ । ଅଧିକାଂଶ ସମୟରେ ଏହା ବୟସ କାରଣରୁ ବନ୍ଦ ହୋଇଯାଏ । ଏବଂ ପୁରୁଷ, ସେମାନେ କହନ୍ତି ଯେ ଯଦି ଆପଣ ସେମାନଙ୍କୁ ପଚାରିବେ ତେବେ ଗୋଟିଏ ନସବନ୍ଦୀର ଯନ୍ତ୍ରଣା ଏବଂ ଜଟିଳତାକୁ ସହିପାରିବେ ନାହିଁ।’’

‘‘ତାଙ୍କୁ ପରିବାର ପାଇଁ ରୋଜଗାର କରିବାକୁ ଥାଏ ଏବଂ ପରିବାରର ଯତ୍ନ ନେବାକୁ ଥାଏ,’’ ସୁଦାମା କୁହନ୍ତି, ‘‘ତାଙ୍କର ଅସ୍ତ୍ରୋପଚାର ହେବା କଥା ମୁଁ କେବେ ଭାବି ବି କେମିତି ପାରିବି ? ଏହା ଗୋଟିଏ ବିକଳ୍ପ ହିଁ ନୁହେଁ ।’’

ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆଙ୍କର ସହାୟତାପ୍ରାପ୍ତ ପ୍ରୟାସର ଅଂଶ ଭାବରେ ପରୀ ଓ କାଉଣ୍ଟର ମେଡିଆ ଟ୍ରଷ୍ଟ ସାରା ଭାରତର  ଗ୍ରାମୀଣ ଭାରତର କିଶୋର ବାଳିକା ଓ ଯୁବତୀ ମହିଳାମାନଙ୍କ ଉପରେ ଗବେଷଣା ଭିତ୍ତିକ ବିବରଣୀ ପ୍ରସ୍ତୁତ କରିବା ସାଧାରଣ ଜନତାଙ୍କର ଅଙ୍ଗେଲିଭା କଥା ତଥା ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଅବହେଳିତ ବର୍ଗର ସ୍ୱରକୁ ଲୋକଲୋଚନକୁ ଆଣିବା।

ଏହି ଲେଖାକୁ  ପୁନଃପ୍ରକାଶ କରିବା କୁ ଚାହୁଁଛନ୍ତି କି? ଦୟାକରି [email protected] କୁ cc ସହିତ [email protected] କୁ ଲେଖନ୍ତୁ |

ଜିଜ୍ଞାସା ମିଶ୍ର ଠାକୁର ଫ୍ୟାମିଲି ଫାଉଣ୍ଡେସନର ଅନୁମତି କ୍ରମେ ଜଣେ ସ୍ୱାଧିନ ସାମ୍ବାଦିକ ଭାବରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ନାଗରିକ ଅଧିକାର ଉପରେ ରିପୋର୍ଟ କରୁଛନ୍ତି। ଠାକୁର ଫ୍ୟାମିଲି ଫାଉଣ୍ଡେସନ ଏହି ରିପୋର୍ଟ ବିଷୟ ବସ୍ତୁ ଉପରେ କୌଣସି ପ୍ରକାର ସମ୍ପାଦନା ନିୟନ୍ତ୍ରଣ ରଖିନାହାଁନ୍ତି।

ଜିଜ୍ଞାସା ମିଶ୍ରଙ୍କ ଲିଡ୍ ଚିତ୍ରନାଟ୍ୟ ଚିତ୍ରକଳା ପରମ୍ପରା ଦ୍ୱାରା ଅନୁପ୍ରାଣିତ।

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE