ପୁନମ୍ ରାନୀଙ୍କ କେଶକୁ ଦୁଇ ଭାଗରେ ବିଭକ୍ତ କରନ୍ତି, ତା’ପରେ ତେଲ ଲଗାନ୍ତି ଏବଂ ଏହାକୁ ଟାଣି ବେଣୀ କରନ୍ତି। କିନ୍ତୁ ସେ ଏହାକୁ ଏକ ରବର ବ୍ୟାଣ୍ଡରେ ବାନ୍ଧିବା ପୂର୍ବରୁ ପିଲାଟି ନିଜ ଭାଇଭଉଣୀ ଏବଂ ସାଙ୍ଗମାନଙ୍କ ସହିତ ଖେଳିବାକୁ ବାହାରକୁ ଦୌଡ଼ି ପଳାଏ। ପୁନମ୍ ଦେବୀ ରାତ୍ରି ପାଇଁ ରୋଷେଇ କରିବା ସମୟରେ ତାଙ୍କ ପିଲାମାନଙ୍କ ବିଷୟରେ କହନ୍ତି, “ଦୋସ୍ତ ସବ୍‍ କେଇବିତୈ, ସାଞ୍ଜ ହୋତେ ଘରସେ ଭାଗଯାଇ ଚାଇ ଖେଲଲେ[ସେମାନଙ୍କ ସାଙ୍ଗମାନେ ଆସିବା ମାତ୍ରେ ସେମାନେ ସମସ୍ତେ ସନ୍ଧ୍ୟାରେ ଖେଳିବାକୁ ଦୌଡ଼ନ୍ତି]।" ଆଠ ବର୍ଷର ରାନୀ ତାଙ୍କର ଦ୍ୱିତୀୟ ଝିଅ ।

ପୁନମଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। କିନ୍ତୁ ତାଙ୍କର ଚାରି ପିଲାଙ୍କ ମଧ୍ୟରୁ ସବୁଠାରୁ ସାନ  ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ଅଛି। ସେ କୁହନ୍ତି, "ହମ୍ରା ଲାଗ ମେ ଏତେପାଇରହିତେ ତ ବନବାଇଲେତେୟେ ସବକେ [(ଯଦି ମୋ ପାଖରେ ଟଙ୍କା ଥାଆନ୍ତା, ତେବେ ମୁଁ ଅନ୍ୟ ତିନି ଜଣକ ପାଇଁ ଏହା ଆଣି ପାରିଥାନ୍ତି)]।

ବିହାରର ଗ୍ରାମାଞ୍ଚଳର ଅନେକ ଘର ପରି ତାଙ୍କ କଚ୍ଚା ଘର ଚାରିପଟେ ବାଉଁଶ ବାଡ଼ ରହିଛି । ଦୈନିକ ମଜୁରିଆ ଭାବରେ କାମ କରୁଥିବା ୩୮ ବର୍ଷୀୟ ମନୋଜଙ୍କୁ ବିବାହ କରି ସେ ବିହାରର ମଧୁବନୀ ଜିଲ୍ଲାର ବେନିପାଟୀ ବ୍ଲକର ଏକତାରା ଗ୍ରାମରେ ରୁହନ୍ତି। ମନୋଜ ପ୍ରାୟ ମାସକୁ ୬,୦୦୦ ଟଙ୍କା ରୋଜଗାର କରନ୍ତି।

ପୁନମ କୁହନ୍ତି, “ମୋତେ ବୟସ ବର୍ତ୍ତମାନ ୨୫ ବର୍ଷ ଏବଂ କିଛି ମାସ ହୋଇଛି (କାହାଣୀରେ ସମସ୍ତ ନାମ ପରିବର୍ତ୍ତନ କରାଯାଇଛି)। “ମୋର ଆଧାର କାର୍ଡ ମୋ ସ୍ୱାମୀଙ୍କ ପାଖରେ ଅଛି ଏବଂ ସେ ବର୍ତ୍ତମାନ ଘରେ ନାହାଁନ୍ତି। ମୁଁ ବିବାହ କରିବା ସମୟରେ ମୋର ବୟସ କେତେ ଥିଲା ତାହା ମୋର ଠିକରେ ମନେ ନାହିଁ। ଯଦି ସେ ବର୍ତ୍ତମାନ ୨୫ ବର୍ଷର, ବିବାହ ସମୟରେ ସେ ବୋଧହୁଏ ୧୪ ବର୍ଷ ବୟସର ହୋଇଥିଲେ।

ପୁନମଙ୍କର ସମସ୍ତ ପିଲାଙ୍କୁ ଘରେ ପ୍ରସବ କରାଯାଇଥିଲା। “ଧାଈ [ପାରମ୍ପରିକ ଜନ୍ମ ସେବିକା] ପ୍ରତ୍ୟେକ ଥର ସାହାଯ୍ୟ କରିଥିଲେ। ମନୋଜଙ୍କ ମାଉସୀ ୫୭ ବର୍ଷୀୟା ଶାନ୍ତି ଦେବୀ କୁହନ୍ତି ଯଦି ପରିସ୍ଥିତି ଗୁରୁତର ମନେହୁଏ ତେବେ ଆମେ ଡାକ୍ତରଖାନା ଯିବାକୁ ବିଚାର କରୁ।" ସେ ସେହି ମହୋଲାରେ ସେମାନଙ୍କ ଘର ନିକଟରେ ରୁହନ୍ତି ଏବଂ ପୁନମଙ୍କୁ ତାଙ୍କ ନିଜ ବୋହୂ ବୋଲି ଭାବନ୍ତି।

PHOTO • Jigyasa Mishra

ପୁନମଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। କିନ୍ତୁ ତାଙ୍କ ପିଲାମାନଙ୍କ ମଧ୍ୟରୁ ସବୁଠାରୁ ସାନ ପୁଅର କେବଳ ଜନ୍ମ ପ୍ରମାଣପତ୍ର ରହିଛି

ଶାନ୍ତି ଦେବୀ କୁହନ୍ତି, "ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପରି ପୁନମ ଜନ୍ମ ପ୍ରମାଣପତ୍ର ପାଇବା ପ୍ରକ୍ରିୟା ବିଷୟରେ ଜାଣି ନଥିଲେ।" “ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଜିଲ୍ଲା ଡାକ୍ତରଖାନା ଯାଇ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦେବାକୁ ପଡ଼ିବ। ମୁଁ ଜାଣେ ନାହିଁ କେତେ ଟଙ୍କା।"

ଜନ୍ମ ପ୍ରମାଣପତ୍ର ପାଇଁ ଦେୟ ?

ତାଖାନ୍ କି [ଅବଶ୍ୟ]! ସେମାନେ ଏହାକୁ ମାଗଣାରେ [ସାର୍ଟିଫିକେଟ୍] ଦିଅନ୍ତି ନାହିଁ। ସେମାନେ ଅନ୍ୟ କେଉଁଠି ଦିଅନ୍ତି କି?" ‘ଏଠାରେ ପୁନମ ଆଶା (ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା) ଓ ଡାକ୍ତରଖାନା କର୍ମଚାରୀମାନଙ୍କ ପାଇଁ ସେମାନେ ଶବ୍ଦ ବ୍ୟବାହାର କରିଛନ୍ତି। ଶାନ୍ତି କୁହନ୍ତି "ପାଇଲାଇଚଚ୍ଚାଇ, ଓହିଦୁଆରେଁନାଇବନବାଇଚ୍ଚାଇ [ସେମାନେ ସମସ୍ତେ ଅର୍ଥ ଦାବି କରନ୍ତି, ଏଥିପାଇଁ ଆମେ ଝିଅମାନଙ୍କର ଜନ୍ମ ପ୍ରମାଣପତ୍ର କରାଇପାରିଲୁ ନାହିଁ]"

ଉଭୟ ପୁନମ ଏବଂ ଶାନ୍ତି ଦେବୀ - ଏବଂ ପ୍ରକୃତରେ ଏହି ମୋହଲାରେ ସମସ୍ତେ - ମୈଥିଲି ଭାଷାରେ କଥା ହୁଅନ୍ତି । ଏହି ଭାଷା ଦେଶର ୧.୩ ମିଲିୟନରୁ ଅଧିକ ଲୋକ କୁହନ୍ତି, ମୁଖ୍ୟତଃ ବିହାରର ମଧୁବନୀ, ଦରଭଙ୍ଗା ଏବଂ ସାହର୍ସ ଜିଲ୍ଲାରେ ଅଧିକ ଲୋକ ଏହି ଭାଷା କୁହନ୍ତି। ପଡ଼ୋଶୀ ନେପାଳରେ ଏହା ଦ୍ୱିତୀୟ ସର୍ବାଧିକ କଥିତ ଭାଷା।

କୌତୂହଳର ବିଷୟ ହେଉଛି, ଏକତାରାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର) ପୁନମଙ୍କ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ। ସ୍ଥାନୀୟ ଲୋକ କୁହନ୍ତି, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାୟତଃ ବନ୍ଦ ରହିଥାଏ, ବେଳେ ବେଳେ କମ୍ପାଉଣ୍ଡର ସେଠାକୁ ଆସିଥାନ୍ତି। ୫୦ ଦଶକରେ ଥିବା ପୁନମଙ୍କ ପଡୋଶୀ ରାଜଲକ୍ଷ୍ମୀ ମହାତୋ କୁହନ୍ତି,"ଶେଷ ଥର ପାଇଁ  ସେ ଏଠାକୁ ତିନି ଦିନ ପୂର୍ବରୁ ଆସିଥିଲେ। ସେ ସାଧାରଣତଃ ସପ୍ତାହରେ ଦୁଇଥର ଡାକ୍ତରଖାନା ଖୋଲନ୍ତି, କିନ୍ତୁ ଡାକ୍ତର ମଧ୍ୟ କ୍ୱଚିତ୍ ଆସନ୍ତି ଏବଂ ଆମେ ତାଙ୍କୁ ମଧ୍ୟ କିଛି ମାସ ହେଲା ଦେଖିନାହୁଁ।" “ଦୁଲାର ଚନ୍ଦ୍ରଙ୍କ ପତ୍ନୀ ହେଉଛନ୍ତି ଧାଈ ଯାହାଙ୍କୁ ଆମେ ସମସ୍ତେ ପ୍ରସବ କରାଇବା ପାଇଁ ଡାକିଥାଉ। ସେ ନିକଟସ୍ଥ ଏକ ବସ୍ତିରେ ରୁହନ୍ତି। ସେ ଜଣେ ବିଶ୍ୱସ୍ତ ମହିଳା।”

PHOTO • Jigyasa Mishra

ପୁନମଙ୍କ ଘର ନିକଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଯାହାକି ଅଧିକାଂଶ ଦିନ ବନ୍ଦ ରହିଥାଏ

ରିସର୍ଚ୍ଚ ରିଭ୍ୟୁ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ୨୦୧୯ ରିପୋର୍ଟରେ ଦର୍ଶାଯାଇଛି: “ନୀତି ଆୟୋଗଙ୍କ ଅନୁଯାୟୀ ଭାରତରେ ୬ ଲକ୍ଷ ଡାକ୍ତର, ୨୦ ଲକ୍ଷ ନର୍ସ ଏବଂ ୨ ଲକ୍ଷ ଡେଣ୍ଟାଲ ସର୍ଜନଙ୍କ ଅଭାବ ରହିଛି। ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଡାକ୍ତର ଓ ରୋଗୀ ଅନୁପାତ ୧:୧୦୦୦ ରହିବାର ପରାମର୍ଶ ଦେଉଛନ୍ତି, ଭାରତର ଗ୍ରାମାଞ୍ଚଳରେ ଏହା ୧:୧୧,୦୮୨ ଏବଂ ବିହାର ଭଳି କେତେକ ରାଜ୍ୟରେ ଏହା ୧:୨୮,୩୯୧ ଏବଂ ଉତ୍ତରପ୍ରଦେଶରେ ଏହା ୧:୧୯,୯୬୨ ଅଟେ।"

ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଭାରତର ୧.୧୪ ନିୟୁତ ପଞ୍ଜୀକୃତ [ଏଲୋପାଥିକ] ଡାକ୍ତରମାନଙ୍କ ମଧ୍ୟରୁ ପ୍ରାୟ ୮୦%  ସହରରେ କାମ କରନ୍ତି ଯେଉଁସ୍ଥାନରେ ଦେଶର ଜନସଂଖ୍ୟାର ମାତ୍ର ୩୧% ଲୋକ ବାସ କରନ୍ତି।" ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଡାକ୍ତରଖାନା ପରି ମୌଳିକ ଭିତ୍ତିଭୂମିର  ମଧ୍ୟ ସମାନ କାହାଣୀ। ପୁନମଙ୍କ ଘର ପାଖରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଆହୁରି ଅଧିକ ଖରାପ।

ପୁନମଙ୍କ ଦଲାନରେ ଠିଆ ହୋଇ ଆମେ କଥା ହେଉଥିଲୁ - ବିହାରରେ ବାରଣ୍ଡା ଏବଂ ଏକ ଘରର କୋଠରୀ ମଧ୍ୟରେ ଥିବା ଅର୍ଦ୍ଧ ଖୋଲା ସ୍ଥାନଟି ହେଲା ଦଲାନ, ଯାହାକୁ ପ୍ରାୟତଃ ପୁରୁଷ କିମ୍ବା ବୟସ୍କମାନେ ବାସସ୍ଥାନ ଭାବରେ ବ୍ୟବହାର କରନ୍ତି। କିଛି ସମୟ ପରେ, ପଡ଼ିଶା ଘରୁ ଆଉ କିଛି ମହିଳା ଆମ ସହିତ ଯୋଗ ଦିଅନ୍ତି। ଆମେ କୋଠରୀ ଭିତରେ ବାର୍ତ୍ତାଳାପ କରିବାକୁ  ସେମାନେ ଚାହୁଁଥିଲେ କିନ୍ତୁ ଆମେ ଦଲାନରେ ବାର୍ତ୍ତାଳାପ ଜାରି ରଖିଥିଲୁ।

ରାଜଲକ୍ଷ୍ମୀ କୁହନ୍ତି, “ଯେତେବେଳେ ମୋ ଝିଅର ପ୍ରସବ ସମୟ ଆସିଲା, ଆମେ ବେନିପଟ୍ଟି ଅସପ ତାଳ [ଡାକ୍ତରଖାନା] କୁ ଶିଘ୍ର ଯାଇଥିଲୁ। ପୂର୍ବରୁ ପ୍ରସବ ଘରେ କରାଯିବାର ଯୋଜନା କରାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଆମେ ଜାଣିବାକୁ ପାଇଲୁ ଯେ ଧାଈ ଗାଁ ବାହାରକୁ ଯାଇଛନ୍ତି। ତେଣୁ ମୁଁ ଏବଂ ମୋ ପୁଅ ତାଙ୍କୁ ଏକ ଅଟୋରିକ୍ସାରେ ଡାକ୍ତରଖାନା ନେଇଗଲୁ। ପ୍ରସବ ପରେ ଡ୍ୟୁଟିରେ ଥିବା ନର୍ସ ଆମଠାରୁ ୫୦୦ ଟଙ୍କା ଦାବି କରିଥିଲେ। ମୁଁ ତାଙ୍କୁ କହିଥିଲି ଯେ ଆମେ ସେହି ଟଙ୍କା ଦେଇପାରିବୁ ନାହିଁ ଏବଂ ଫଳସ୍ୱରୂପ ସେ ଜନ୍ମ ପ୍ରମାଣପତ୍ର ପାଇବାରେ ଆମକୁ ବହୁତ ହଇରାଣ କରିଥିଲେ।"

ଏବଂ ସେହି ଅନୁଭୁତି, ସ୍ୱାସ୍ଥ୍ୟ ଶୃଙ୍ଖଳାର ସର୍ବନିମ୍ନ ସ୍ତରରେ, ଗରିବ ମହିଳାମାନେ ସମ୍ମୁଖୀନ ହେଉଥିବା ମାନସିକ ଯନ୍ତ୍ରଣା, ବିଡ଼ମ୍ବନା ଏବଂ ଦ୍ୱନ୍ଦ୍ୱର କାହାଣୀକୁ ପ୍ରକାଶ କରିଥାଏ।

PHOTO • Jigyasa Mishra

ପୁନମଙ୍କ ସ୍ୱାମୀଙ୍କ ମାଉସୀ ଶାନ୍ତି ଦେବୀ କୁହନ୍ତି , ' ସେମାନେ ସମସ୍ତେ ଟଙ୍କା ଦା ବି କରନ୍ତି ସେଥିପାଇଁ ଆମେ ଆମ ଝିଅମାନଙ୍କର ଜନ୍ମ ପ୍ରମାଣପତ୍ର ପାଇପାରିଲୁ ନାହିଁ

ଭିତ୍ତିଭୂମିର ଅଭାବରୁ, ଡାକ୍ତରମାନେ ଏଠାକୁ ଆସୁ ନାହାନ୍ତି, ବେସରକାରୀ ସ୍ୱାସ୍ଥ୍ୟ ସେବା ପାଇବା ହେଉଛି ସେମାନଙ୍କର ସାମର୍ଥ୍ୟ ବାହାରେ ବା ସେଗୁଡ଼ିକ ଭୟଙ୍କର ଭାବରେ ଅପାରଗ - ଗରିବ ମହିଳାମାନେ ଆଶାକର୍ମୀମାନଙ୍କର ସାହାଯ୍ୟ ଉପରେ ବହୁତ ନିର୍ଭର କରନ୍ତି। ଯଦି କେହି ଗ୍ରାମ ସ୍ତରରେ କୋଭିଡ ବିରୋଧରେ ଲଢ଼େଇରେ ଆଗରେ ଅଛନ୍ତି, ତେବେ ସେମାନେ ହେଉଛନ୍ତି ଆଶାକର୍ମୀ।

ସେମାନେ ଘରକୁ ଘର ବୁଲୁଥିବା ବେଳେ ଅନ୍ୟ ସମସ୍ତେ ନିରାପତ୍ତା ପାଇଁ କ୍ୱାରେଣ୍ଟାଇନରେ ରହୁଥିଲେ, ଆଶାକର୍ମୀମାନେ ଟୀକାକରଣ, ଔଷଧ ବଣ୍ଟନ, ପ୍ରସବ ପୂର୍ବରୁ ଏବଂ ପ୍ରସବ ପରବର୍ତ୍ତୀ ଯତ୍ନ ପାଇଁ ନିଜ ଜୀବନକୁ ବିପଦରେ ପକାଉଥିଲେ, ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସେମାନଙ୍କୁ ଦିଆଯାଉଥିଲା।

ତେଣୁ ଯେତେବେଳେ ଛୋଟ ଛୋଟ ଦୁର୍ନୀତି ସ୍ଥାନୀୟ  ସ୍ୱାସ୍ଥ୍ୟକର୍ମୀ (ଏଏନ୍‍ଏମ୍‍), ଆଶା ଏବଂ ଅଙ୍ଗନୱାଡି କର୍ମୀମାନଙ୍କ ସ୍ତରରେ ଦେଖା ଦିଏ, ପୁନମ ଏବଂ ରାଜଲକ୍ଷ୍ମୀଙ୍କ ପରି ମହିଳାମାନେ ଅସହାୟ ହୋଇଯାଆନ୍ତି। ଦାବି କରାଯାଉଥିବା ପରିମାଣ ଅଳ୍ପ ହୋଇପାରେ କିନ୍ତୁ ତାହା ଏଠାର ଗରିବ ମହିଳାମାନଙ୍କ ସାମର୍ଥ୍ୟଠାରୁ ଯଥେଷ୍ଟ ଅଧିକ।

ଆଶାମାନଙ୍କ ପରି ଏହି ବିଧିର ଆଶ୍ରୟ ନେଉଥିବା ଅନେକ ଏବେ ପ୍ରବଳ ଚାପରେ ଅଛନ୍ତି। ସମଗ୍ର ଦେଶରେ ଏକ ନିୟୁତରୁ ଅଧିକ ଆଶା କର୍ମୀ ଅଛନ୍ତି ଯେଉଁମାନେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ ସଂଯୋଗ କରନ୍ତି। ସେମାନେ ନିଜ ଜୀବନକୁ ବିପଦରେ ପକାଇ ଏକ ଅବିଶ୍ୱସନୀୟ ଶୃଙ୍ଖଳାରେ କାର୍ଯ୍ୟଗୁଡ଼ିକୁ କରିଥାନ୍ତି। ଦେଶର ଅନେକ ସ୍ଥାନରେ, ସେମାନେ ଗତ ବର୍ଷ ଏପ୍ରିଲରୁ ପ୍ରତିଦିନ ୨୫ ଟି ପରିବାରକୁ ପରିଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ, ପ୍ରତ୍ୟେକ ମାସରେ ଅତି କମ୍‌ରେ ଚାରିଥର, କରୋନା ଭାଇରସ୍ ପାଇଁ ସର୍ଭେ କରିଥିଲେ। ଏବଂ ତାହା ବି ବହୁତ କମ୍ ସୁରକ୍ଷା ସହିତ

୨୦୧୮ ମସିହା ମହାମାରୀର ବହୁ ପୂର୍ବରୁ, ବିହାରର ଆଶାକର୍ମୀମାନଙ୍କ ସଂଖ୍ୟା ୯୩,୬୮୭ ରହିଥିଲା ଯାହାକି ଭାରତରେ ଏମାନଙ୍କର ସଂଖ୍ୟାର  ଦ୍ୱିତୀୟ ବୃହତ୍ତମ ଅଟେ- ଯେଉଁମାନେ ଉତ୍ତମ ବେତନ ଦାବିରେ ଏକ ବିରାଟ ଧର୍ମଘଟ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରତିଶ୍ରୁତି ଦିଆଯିବା ପରେ ଏହି ଧର୍ମଘଟକୁ ବନ୍ଦ କରାଯାଇଥିଲା। କିନ୍ତୁ କିଛି ଫଳ ମିଳିନଥିଲା।

ଦାରବଙ୍ଗାରୁ ଆସିଥିବା ମୀନା ଦେବୀ କୁହନ୍ତି: 'ଆପଣ ଜାଣନ୍ତି ଯେ ଆମେ କେତେ କମ୍‍ ବେତନ ପାଉଛୁ। ଯଦି ସେମାନେ [ନବଜାତ ଶିଶୁଙ୍କ ପରିବାର] ଆମକୁ ଖୁସିରେ ଦେଉଥିବା ଟଙ୍କା ନନେବୁଇତେବେ ଆମେ କିପରି ବଞ୍ଚିବୁ?'

ଚଳିତ ବର୍ଷ ମାର୍ଚ୍ଚରେ ଆଶା ସଂୟୁକ୍ତ ସଙ୍ଘର୍ଷ ମଞ୍ଚ ନେତୃତ୍ୱରେ ସେମାନେ ପୁନର୍ବାର କାମ ବନ୍ଦ କରିଥିଲେ ଏବଂ ସ୍ଲୋଗାନ ଦେଇ କହିଥିଲେ: "ଏକହଜାରୋମେ ଦମ୍‍ ନେହିଁ, ଏକିଶହଜାରମାସିକମଣ୍ଡାଇ ସେ କମ୍‍ ନେହିଁ [୧୦୦୦ ଟଙ୍କା ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ, ମାସିକ୨୧,୦୦୦ ରୁ କମ୍ ମୂଲ୍ୟର ପାରିତୋଷିକ ପ୍ରଦାନ କରନ୍ତୁ ନାହିଁ)।" ସେମାନେ ମଧ୍ୟ ଆଶା କର୍ମଚାରୀଙ୍କ ପାଇଁ ସରକାରୀ କର୍ମଚାରୀଙ୍କ ମାନ୍ୟତା ଦାବି କରିଥିଲେ। ବର୍ତ୍ତମାନ, ବିହାରରେ ଆଶା କର୍ମୀମାନଙ୍କୁ ମାସିକ ହାରାହାରି ୩୦୦୦ ଟଙ୍କା ପ୍ରଦାନ କରାଯାଉଛି -  ଏପରିକି ସେମାନଙ୍କର ଏକାଧିକ କାର୍ଯ୍ୟ ପାଇଁ ଏହି ‘ପାରିତୋଷିକ’ ମଧ୍ୟ ଅସ୍ଥିର ଅଟେ।

ପ୍ରତ୍ୟେକ ଥର ସେମାନେ ଆନ୍ଦୋଳନ କରିଥିବା ସମୟରେ ସରକାର କେବଳ ସେମାନଙ୍କୁ କିଛି ପ୍ରତିଶ୍ରୁତି ଦିଅନ୍ତି - ତା’ପରେ ସେମାନଙ୍କ ପ୍ରତିଶ୍ରୁତିରୁ ଓହରି ଯାଇଥାନ୍ତି। ସରକାରୀ ଦରମା, ପେନସନ୍‍ କିମ୍ବା ଅନ୍ୟାନ୍ୟ ଚାକିରି ସୁବିଧା ପାଇବା ପାଇଁ ସେମାନେ ଆଜି ବି ଯୋଗ୍ୟ ହୋଇନାହାନ୍ତି। ଆଶା ଭାବରେ ବଞ୍ଚିବା ଏବଂ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟକର, ତାହା ଅଙ୍ଗନବାଡି କର୍ମୀଙ୍କ କ୍ଷେତ୍ରରେ ମଧ୍ୟ ସମାନ।

ଦରଭଙ୍ଗାରୁ ଆସିଥିବା ଆଶା କର୍ମୀ ମୀନା ଦେବୀ କୁହନ୍ତି: “ଆପଣ ଜାଣନ୍ତି ଯେ ଆମେ କେତେ କମ୍‍ ବେତନ ପାଉଛୁ। ଯଦି ସେମାନେ [ନବଜାତ ଶିଶୁମାନଙ୍କ ପରିବାର] ଆମକୁ ଖୁସିରେ ଦେଉଥିବା ଟଙ୍କା ନନେବୁ ତେବେ ଆମେ କିପରି ବଞ୍ଚିବୁ? ଆମେ କଦାପି କାହାକୁ ବାଧ୍ୟ କରୁନାହୁଁ କିମ୍ବା ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦାବି କରୁନାହିଁ। ପ୍ରସବ ହେଉ କିମ୍ବା ଜନ୍ମ ପ୍ରମାଣପତ୍ର ତିଆରି ପାଇଁ ହେଉ ସେମାନେ ଖୁସିରେ ଯାହା ଦିଅନ୍ତି ତାହା ଆମମାନଙ୍କ ପାଇଁ ଯଥେଷ୍ଟ।"

ଏବଂ ତାହା ହୁଏତ ସେମାନଙ୍କ ଏବଂ ଅନ୍ୟମାନଙ୍କ ପାଇଁ ସତ ହୋଇପାରେ - ସମଗ୍ର ଦେଶରେ ଲକ୍ଷ ଲକ୍ଷ ଆଶାକର୍ମୀ ଅଛନ୍ତି ଯେଉଁମାନଙ୍କର ସେପରି ଅଭ୍ୟାସ ଆଦୌ ନାହିଁ। କିନ୍ତୁ ମଧୁବନୀ ଏବଂ ବିହାରର ଅନ୍ୟ କେତେକ ଅଞ୍ଚଳରେ ରହୁଥିବା ବହୁତ ଗରିବ ମହିଳାଙ୍କର ସେପରି ଅନୁଭୂତି ନାହିଁ ଯେଉଁମାନେ ବଳପୂର୍ବକ ଅର୍ଥ ଦାବିର କଥା କହିଥାନ୍ତି।

ମନୋଜଙ୍କ ପିତାମାତା ଓ ପୁନମଙ୍କ ସହ ସେମାନଙ୍କର  ପ୍ରଥମ ତିନି ସନ୍ତାନ ରହୁଥିଲେ - ୧୦ ବର୍ଷର ଅଞ୍ଜଳି, ୮ ବର୍ଷର ରାନୀ, ଏବଂ ୫ ବର୍ଷର ସୋନାକ୍ଷୀ।  କିନ୍ତୁ ତାଙ୍କ ପିତାମାତା ଆଉ ଜୀବିତ ନାହାଁନ୍ତି। ସେମାନଙ୍କର ଚତୁର୍ଥ ସନ୍ତାନ ଏବଂ ଏକମାତ୍ର ପୁଅ ରାଜା -ଯିଏକି ସେମାନଙ୍କର ଦେହାନ୍ତ ପରେ ଜନ୍ମ ହୋଇଥିଲା ବର୍ତ୍ତମାନ ଅଢେଇ ବର୍ଷର। ପୁନମ କୁହନ୍ତି “ମୋ ଶାଶୁ କର୍କଟ ରୋଗରେ ପୀଡିତ ଥିଲେ। ଯଦିଓ ମୁଁ ଜାଣେ ନାହିଁ କେଉଁ ପ୍ରକାର। ସେ ପ୍ରାୟ ୪ ରୁ ୫ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ତା’ପରେ ତିନି ବର୍ଷ ପୂର୍ବେ ମୋ ଶ୍ୱଶୂରଙ୍କର ଦେହାନ୍ତ ହୋଇଥିଲା, ଏବେ ଆମେ ଛଅ ଜଣ ଅଛୁ। ସେ ସର୍ବଦା ନାତିଟିଏ ପାଇଁ ଇଚ୍ଛା କରୁଥିଲେ, ମୁଁ ଭାବୁଚି ସେ ରାଜାଙ୍କୁ ଟିକିଏ ଦେଖିପାରିଥାନ୍ତେ ହେଲେ।

PHOTO • Jigyasa Mishra

' ମୋର ତୃତୀୟ ପ୍ରସବ ପରେ , ଯେତେବେଳେ ଆଶାକର୍ମୀ ମୋତେ ଟଙ୍କା ମାଗିଲା , ସେତେବେଳେ ମୁଁ ଜାଣିଲି ଯେ ଜନ୍ମ ପ୍ରମାଣପତ୍ର ନାମକ ଏକ ଜିନିଷ ଅଛି’

କେବଳ ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଥିବା ପୁନମ କୁହନ୍ତି, “ଦେଖ, ଏହା ପୂର୍ବରୁ ମୁଁ ଏହି ଜନମପତ୍ରୀ [ଜନ୍ମ ପ୍ରମାଣପତ୍ର] ବିଷୟରେ ଜାଣି ନ ଥିଲି।” ତାଙ୍କର ସ୍ୱାମୀ ମନୋଜ ୧୦ମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି। “ମୋର ତୃତୀୟ ପ୍ରସବ ପରେ, ଯେତେବେଳେ ଆଶାକର୍ମୀ ମୋତେ ଟଙ୍କା ମାଗିଥିଲେ, ମୁଁ ଜାଣିବାକୁ ପାଇଲି କି ଜନ୍ମ ପ୍ରମାଣପତ୍ର ନାମକ ଏକ ଜିନିଷ ଅଛି। ମୋର ମନେ ଅଛି, ସେ ପ୍ରାୟ ୩୦୦ ଟଙ୍କା ମାଗିଥିଲେ। ମୁଁ ଭାବିଲି ଏହା ଏକ ସାଧାରଣ ଫି ଅଟେ। କିନ୍ତୁ ତା’ପରେ ମୋ ସ୍ୱାମୀ ମୋତେ କହିଥିଲେ ଯେ ସାର୍ଟିଫିକେଟ୍ ପାଇଁ ଆମର କାହାକୁ ଟଙ୍କା ଦେବାର ଆବଶ୍ୟକତା ନାହିଁ। ଡାକ୍ତରଖାନାରୁ ଏହାକୁ ମାଗଣାରେ ପାଇବା ଆମର ଅଧିକାର ଅଟେ। ”

ପୁନମ ମୋତେ କୁହନ୍ତି, "କାହଲକାୟାଦାୟାଇସୌରୁପିଆଡିଆଉଟାଉହାନଜାନମ୍ପାତ୍ରୀବନବା ଦେବ [ସେ କହିଲେ ଯଦି ତୁମେ ମୋତେ ୨୫୦ ଟଙ୍କା ଦେବ ତେବେ ମୁଁ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରିଦେବି]।" ସେ ନିଜ ଦାବି ଟଙ୍କା ଠାରୁ ୫୦ ଟଙ୍କା କମାଇବାରୁ ଆମେ ସାନ ପୁଅର ଏହା ପ୍ରସ୍ତୁତ କରିପାରିଛୁ। କିନ୍ତୁ ସେ ଝିଅମାନଙ୍କ ପାଇଁ ଏହି ସାର୍ଟିଫିକେଟ୍‍ ପ୍ରସ୍ତୁତ କରିବା ପାଇଁ ଆମକୁ ୭୫୦ ଟଙ୍କା ଦାବି କରିଥିଲେ କିନ୍ତୁ ଆମେ ଏହା ଦେବାକୁ ସମର୍ଥ ହୋଇପାରିଲୁ ନାହିଁ।"

“ଯଦି ଆମେ ଏହାକୁ ସିଧାସଳଖ ତିଆରି କରିବାକୁ ଚେଷ୍ଟା କରୁ, ତେବେ ଆମକୁ ବେନିପଟ୍ଟୀ [ବ୍ଲକ ମୁଖ୍ୟାଳୟ] ଡାକ୍ତରଖାନା ଯିବାକୁ ପଡ଼ିବ। ସେଠାରେ, ଆମକୁ ସଫାଇୱାଲି [ସୁଇପର] କୁ କିଛି ଦେବାକୁ ପଡ଼ିବ। ତେଣୁ ଯେକୌଣସି ଉପାୟରେ ହେଲେବି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ - ଆମେ ଏଠାରେ ଆଶାକର୍ମୀଙ୍କୁ ଟଙ୍କା ଦେବୁ ନା ବେନିପଟ୍ଟୀ ପର୍ଯ୍ୟନ୍ତ ଯାତ୍ରା କରିବୁ,” ପୁନମ ଦର୍ଶାଇଛନ୍ତି। ପୁନମ କୁହନ୍ତି, “ଆମେ ଏହା ନକରିବାକୁ ସ୍ଥିର କଲୁ। ଭବିଷ୍ୟତରେ ଯେକୌଣସି ସମୟରେ ଏହାର [ସାର୍ଟିଫିକେଟ୍] ଆବଶ୍ୟକତା ପଡ଼ିଲେ ଆମେ ଦେଖିବା। ମୋ ସ୍ୱାମୀ ଦିନକୁ ମାତ୍ର ୨୦୦ ଟଙ୍କା ରୋଜଗାର କରନ୍ତି। ତାଙ୍କର ଚାରି ଦିନର ରୋଜଗାର ଆମେ କିପରି ସେଥିରେ ଖର୍ଚ୍ଚ କରିପାରିବୁ?"

ଶାନ୍ତି କୁହନ୍ତି, “ମୋର ଥରେ ଜଣେ ଆଶାକର୍ମୀଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ମୁଁ ତାଙ୍କୁ ସ୍ପଷ୍ଟ ଭାବରେ କହିଥିଲି ଯେ ଯଦି ଆମକୁ ଦେବାକୁ ପଡ଼ିବ, ତେବେ ଆମେ ସାର୍ଟିଫିକେଟ୍ ପାଇବାକୁ ପସନ୍ଦ କରିବୁ ନାହିଁ।’’

ସେତେବେଳକୁ ପୁନମଙ୍କ ଅଧିକାଂଶ ପଡ଼ୋଶୀ ଗାଁର ସାପ୍ତାହିକ ହାଟ (ଗ୍ରାମୀଣ ବଜାର) କୁ ଯାଇ ଅନ୍ଧାର ହେବା ପୂର୍ବରୁ ସେଠାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କୁହନ୍ତି, "ମୁଁ ସୋନାକ୍ଷୀଙ୍କ ପିତାଙ୍କୁ ଅପେକ୍ଷା କରିଛି [ଯେହେତୁ ପୁନମ ତାଙ୍କ ସ୍ୱାମୀଙ୍କୁ ଏହା ସମ୍ଭୋଧନ କରି ସୂଚିତ କରନ୍ତି]" ଯାହା ଦ୍ୱାରା କି ଆମେ ଯାଇ କିଛି ପନିପରିବା କିମ୍ବା ମାଛ କିଣିପାରିବୁ। ମୁଁ କ୍ରମାଗତ ଭାବରେ ତିନି ଦିନ ହେଲା ଡାଲି ଏବଂ ଭାତ ରାନ୍ଧୁଛି। ସୋନାକ୍ଷୀ ରୋହି [ମାଛ] ଖାଇବାକୁ ଭଲ ପାଆନ୍ତି।"

ଏଥିରୁ ଜଣାପଡ଼େ ଯେ ଝିଅମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ପାଇବା ଅପେକ୍ଷା ଅନେକ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଗମ୍ଭୀର ବିଷୟ ରହିଛି।

ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆଙ୍କର ସହାୟତାପ୍ରାପ୍ତ ପ୍ରୟାସର ଅଂଶ ଭାବରେ ପରୀ ଓ କାଉଣ୍ଟର ମେଡିଆ ଟ୍ରଷ୍ଟ ସାରା ଭାରତର  ଗ୍ରାମୀଣ ଭାରତର କିଶୋର ବାଳିକା ଓ ଯୁବତୀ ମହିଳାମାନଙ୍କ ଉପରେ ଗବେଷଣା ଭିତ୍ତିକ ବିବରଣୀ ପ୍ରସ୍ତୁତ କରିବା ସାଧାରଣ ଜନତାଙ୍କର ଅଙ୍ଗେଲିଭା କଥା ତଥା ସମାଜ ନିର୍ମାଣରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ଅବହେଳିତ ବର୍ଗର ସ୍ୱରକୁ ଲୋକଲୋଚନକୁ ଆଣିବା।

ଏହି ଲେଖାକୁ  ପୁନଃପ୍ରକାଶ କରିବା କୁ ଚାହୁଁଛନ୍ତି କି? write to [email protected] with a cc to [email protected]

ଜିଜ୍ଞାସା ମିଶ୍ର ଠାକୁର ଫ୍ୟାମିଲି ଫାଉଣ୍ଡେସନର ଅନୁମତି କ୍ରମେ ଜଣେ ସ୍ୱାଧିନ ସାମ୍ବାଦିକ ଭାବରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ନାଗରିକ ଅଧିକାର ଉପରେ ରିପୋର୍ଟ କରୁଛନ୍ତି। ଠାକୁର ଫ୍ୟାମିଲି ଫାଉଣ୍ଡେସନ ଏହି ରିପୋର୍ଟ ବିଷୟ ବସ୍ତୁ ଉପରେ କୌଣସି ପ୍ରକାର ସମ୍ପାଦନା ନିୟନ୍ତ୍ରଣ ରଖିନାହାଁନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Illustration : Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE