ହୁଏତ ଅଧିକାଂଶ ଭାରତୀୟଙ୍କ ପାଇଁ ୧୪ ଇଞ୍ଚର କଳା-ଧଳା ‘ପୋର୍ଟେବ୍‌ଲ’ ଟିଭି ବିଗତ ଯୁଗର ଏକ ସ୍ମୃତିଚିହ୍ନ । କିନ୍ତୁ ରବି ନାରୋଟି ଏବଂ ତାଙ୍କ କିଶୋର ପୁଅ ତୁଲସୀରାମଙ୍କ ପାଇଁ ଏହା ଏକ ଗୌରବମଣ୍ଡିତ ନୂତନ ସଂପତ୍ତି, ଯାହା ସେମାନଙ୍କ ଇଟାମାଟି ଘରର ଏକ କୋଣରେ, ସୌରଶକ୍ତିଚାଳିତ ଲ୍ୟାମ୍ପ ପାଖରେ ଏକ ପ୍ରମୁଖ ସ୍ଥାନ ଅଧିକାର କରେ ।

ଆଧୁନିକ ଉପକରଣ ସହ ଏହା ସେମାନଙ୍କର ପ୍ରଥମ ପରିଚୟ । ୪,୦୦୦ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ସାମଗ୍ରୀ, ଯାହାକୁ ସାଙ୍ଗରେ ନେଇ ଗତ ମାସରେ ଇଲେକ୍‌ଟ୍ରୋନିକ୍‌ସ ଦୁନିଆରେ ପ୍ରଥମ ଥର ପାଇଁ ପାଦ ଥାପିଛନ୍ତି ନାରୋଟି ପରିବାର । ତାଙ୍କର ଯୁବ ପଡ଼ୋଶୀ ସାଧୁ ଇଚାମି ବି ପାଖ ସହରରୁ ଏଥିରୁ ଗୋଟିଏ କିଣିଆଣିଛନ୍ତି ।

ସ୍ଵାଧୀନତାର ଛଅ ଦଶନ୍ଧି ପରେ, ଜୁଲାଇ ୧୪ ତାରିଖ ଦିନ ପ୍ରଥମ ଥର ପାଇଁ ନାରୋଟିଙ୍କ ଗାଁ ଗରାଞ୍ଜିକୁ ବିଦ୍ୟୁତ୍‌ ଆଲୋକ ଆସିଲା ।

ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ଗାଁଟି ୪୮ଟି ଗୋଣ୍ଡ ଆଦିବାସୀ ଏବଂ ଦୁଇଟି ବାଂଲାଦେଶୀ ଶରଣାର୍ଥୀ ପରିବାରଙ୍କ ବାସସ୍ଥଳୀ ।

ଶସ୍ୟଶ୍ୟାମଳା ଧାନକ୍ଷେତ ଏବଂ ଧାଡ଼ି ଧାଡ଼ି କୁଡ଼ିଆ ଘରକୁ ଅଲଗା କରି ଯେଉଁଦିନ ଗାଁର ମାଟି କାଦୁଅ ରାସ୍ତା ଉପରେ ରାସ୍ତା କଡ଼ ବତୀଖୁଣ୍ଟରୁ ପ୍ରଥମ ଥର ପାଇଁ ଆଲୋକର କିରଣ ପଡ଼ିଲା, ସେଦିନ ଗାଁ ଲୋକେ ଉତ୍ସବ ପାଳନରେ ମାତିଗଲେ । ସେମାନେ ମେଣ୍ଢା କାଟି ମିଳିତ ଭୋଜି କଲେ, ଘରଗୁଡ଼ିକୁ ସଜେଇଲେ ଏବଂ “ରେଲା” ଲୋକନୃତ୍ୟ ସହ ଗାଁକୁ ଆସିଥିବା ସରକାରୀ ଅଧିକାରୀମାନଙ୍କୁ ସ୍ଵାଗତ କଲେ ।

ହେଲେ, ସେ ଆନନ୍ଦ କ୍ଷଣସ୍ଥାୟୀ ଥିଲା, ତଥାପି ଏକ ଆଲୋକିତ ଜୀବନର ଆଶା ଏବେ ବି ଉଜ୍ଜୀବିତ ।

ଜୁଲାଇ ୧୬ ତାରିଖର ମୂଷଳଧାର ବର୍ଷାରେ ନୂଆ କରି ଟଣା ଯାଇଥିବା ସିଙ୍ଗଲ-ଫେଜ୍‌ ୧୧କେଭି ଲାଇନ୍‌ ଛିଣ୍ଡିଗଲା । ଦୁଃଖିତ ସ୍ଵରରେ ଏହା କହିଲେ ଗରାଞ୍ଜିରୁ ୪୫ କିଲୋମିଟର ଦୂର ଚାମୋର୍ଶୀ ବ୍ଲକ୍‌ ସଦର ମହକୁମାରେ ଥିବା ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍‌ ବିତରଣ ସଂସ୍ଥା (MSEDCL)ର ଜଣେ ସହକାରୀ ଯନ୍ତ୍ରୀ ଦିଲୀପକୁମ୍ଭାରେ । ତାର ଉପରେ ଗଛଟିଏ ପଡ଼ିଯିବାରୁ କେତେକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଗଲା ।

ଚାମୋର୍ଶୀ ଉପଖଣ୍ଡୀୟ ଅଧିକାରୀ ଦିଲୀପ ସାୱରକର କହିଲେ, “ଜୁନ୍‌ ୯ରୁ ଅବିରତ ବର୍ଷା ଲାଗି ରହିଛି ।”

ବର୍ଷା କମିଲେ ଲାଇନ୍‌ ଠିକ୍‌ କରାହେବ ବୋଲି କୁମ୍ଭାରେ କହିଲେ । “ଆମ ମରାମତି କାମ ପାଇଁ କିଛି ଦିନ ପାଇଁ ପାଗ ଶୁଖିଲା ରହିବା ଦରକାର ।”

ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଗାଁ ଲୋକେ। ଏଇଥିପାଇଁଯେ ସେମାନେ ଟିଭି ଦେଖିବାକୁ ଚାହାଁନ୍ତି ଏବଂ ଭିସିଡି ଆଣି ସିନେମା ଦେଖିବାକୁ ଯୋଜନା କରିଛନ୍ତି ।

ନାରୋଟି ଏବଂ ଇଚାମି ପରିବାର ଆରମ୍ଭ କରିଦେଇଛନ୍ତି; ପଛକୁ ପଛ ଅନ୍ୟମାନେ ଧାଡ଼ି ବାନ୍ଧିଛନ୍ତି । ବ୍ୟକ୍ତିଗତ ଭାବେ ବିଦ୍ୟୁତ୍‌ ସଂଯୋଗ ଲାଗି ୩୬ଟି ପରିବାର ଆବେଦନ କରିଛନ୍ତି ଏବଂ MSEDCL ପାଖରେ ଅମାନତ ରାଶି ଜମା କରିଛନ୍ତି ।

କୁମ୍ଭାରେ କହନ୍ତି, “ଗାଁ ଲୋକଙ୍କର ପ୍ରତିକ୍ରିୟା ଖୁବ୍‌ ଭଲ । ଆମେ ସପ୍ତାହକ ଭିତରେ ମିଟର ବସାଇ ଦେବୁ ।”

କଥା ମଝିରେ କଥା ପୂରାଇ ଗାଁର ଜଣେ ଯୁବକ ତୁକାରାମ କାଙ୍ଗାଲି କହିଲେ, “ହୁଏତ ଆସନ୍ତା ବର୍ଷ ସୁଦ୍ଧା ସମସ୍ତଙ୍କ ଘରେ ଆପଣ ଟିଭି ସେଟ୍‌ ଦେଖିପାରିବେ ।”

କାମ ଏତେ ସହଜ ନୁହେଁ ।

ଗଡ଼ଚିରୋଲି ଏବଂ ତତ୍‌ସଂଲଗ୍ନ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଥିବା ଶହ ଶହ ଗାଁରେ ବିଦ୍ୟୁତ୍‌ ଶକ୍ତି ନାହିଁ । ସତେ ଯେମିତିଏ ଅଞ୍ଚଳର ସଂପର୍କ ସେହି ଭାରତ ସହ ନାହିଁ, ଯାହାର ସୁରକ୍ଷା ସଂସ୍ଥା ଉପଗ୍ରହ ଚିତ୍ର ବ୍ୟବହାର କରେ ଏବଂ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଆକାଶକୁ ମାନବ ବିହୀନଯାନ ପଠାଏ ।

ଗାଁଗୁଡ଼ିକୁ ଆଲୋକିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ଓ MSEDCL ଏବେ ହାତ ମିଳାଇଛନ୍ତି । ହେଲେ ଏ କ୍ଷେତ୍ରରେ ଅନେକ ଅସୁବିଧା ରହିଛି ।

ଏକ: ଅଧିକାଂଶ ଗାଁ ବିକ୍ଷିପ୍ତ ଭାବେ ଏବଂ ବିଭିନ୍ନ ସୁରକ୍ଷିତ ଜଙ୍ଗଲର ବହୁ ଭିତରେ ରହିଛି । ସେଗୁଡ଼ିକର ଲୋକସଂଖ୍ୟା ବହୁତ କମ୍‌ ଏବଂ ସେମାନେ ଏତେ ଗରିବ ଯେ ହୁଏତ ବିଦ୍ୟୁତ୍‌ ଶକ୍ତି ବ୍ୟବହାର ବାବଦ ପଇସା ଦେବାକୁ ସମର୍ଥ ହେବେ ନାହିଁ । ବିଦ୍ୟୁତ୍‌ ଦର ବଢୁଥିବା ସମୟରେ ସେମାନଙ୍କୁ ଶସ୍ତାରେ ବିଦ୍ୟୁତ୍‌ ଯୋଗାଇ ଦେବାକୁ ପଡ଼ିବ ।

ଦୁଇ: ଜଙ୍ଗଲ ଏବଂ ଦୁର୍ଗମ ଅଞ୍ଚଳ ଦେଇ ବିଦ୍ୟୁତ ତାର ବିଛାଇବା ପାଇଁ କେବଳ ଯେ ବହୁ ପରିମାଣର ପୁଞ୍ଜି ବିନିଯୋଗ କରିବା ଆବଶ୍ୟକ, ତାହା ନୁହେଁ, ଏହା ସହିତ ଭିତ୍ତିଭୂମି ଗଠନ ପାଇଁ ବିଭିନ୍ନ ସଂସ୍ଥାରୁ ଅନୁମତି ଏବଂ ଜଙ୍ଗଲ ବିଭାଗର ସମ୍ମତି ଦରକାର, ଯାହାକି ସବୁବେଳେ ସହଜରେ ମିଳେ ନାହିଁ ।

ତିନି: ବିଦ୍ୟୁତ ନଥିବା ଅଧିକାଂଶ ଗାଁ ବାସ୍ତବରେ ମାଓବାଦୀଙ୍କ ଦୁର୍ଭେଦ୍ୟ ଗଡ଼ରେ ଅବସ୍ଥିତ । ଯେଉଁଠାରେ ଗତ କିଛି ବର୍ଷ ହେଲା ସୁରକ୍ଷା ସଂସ୍ଥା ଓ ମାଓ ବିଦ୍ରୋହୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିରହିଛି ।

ଚାରି: ଗଡ଼ଚିରୋଲିରେ MSEDCLର କର୍ମଚାରୀ ସଂଖ୍ୟା ଖୁବ୍‌ କମ୍‌ (ଗତ ବହୁ ବର୍ଷ ଧରି ସଂସ୍ଥାରେ କୌଣସି ନିଯୁକ୍ତି ଦିଆଯାଇ ନାହିଁ ଏବଂ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀମାନେ ଏହି ଅନୁନ୍ନତ ଜିଲ୍ଲାରେ କାମ କରିବା ପାଇଁ ଅନାଗ୍ରହୀ) ହୋଇଥିବାରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଜାରି ରଖିବା କଥା ବୟସ୍କ କର୍ମଚାରୀମାନଙ୍କର ଶାରୀରିକ ଦକ୍ଷତା ନିରୂପଣ କରିବା ଭଳି ।

ବାଧାବିଘ୍ନ ସତ୍ତ୍ଵେ, ଏହି କାର୍ଯ୍ୟ ନିଶ୍ଚିତ ଭାବେ ସାରିବାକୁ ପଡ଼ିବ ବୋଲି ପ୍ରଶାସନ କହେ।

ଜିଲ୍ଲାପାଳ ଅଭିଷେକ କ୍ରିଷ୍ଣା କହନ୍ତି, “ଏହା ଲଜ୍ଜାଜନକ କଥା ଯେ ଆମେ ଆମ ନିଜ ଲୋକଙ୍କୁ ବିଦ୍ୟୁତ ଯୋଗାଇବାରେ ସକ୍ଷମ ହୋଇନାହୁଁ । ସେମାନେ କେବେ ବି ଅଭିଯୋଗ କରିନାହାନ୍ତି, କାରଣ ଆମେ କେବେହେଲେ ସେମାନଙ୍କ ପାଖରେ ପହଞ୍ଚି ନାହୁଁ ।”

୨୦୧୨ ମଧ୍ୟ ଭାଗରେ, ଜିଲ୍ଲା ପ୍ରଶାସନ ଏବଂ MSEDCL ମିଳିତ ଭାବେ ଏକ ସର୍ଭେ କରିଥିଲେ ଏବଂ ଜଣାପଡ଼ିଥିଲା ଯେ ବିଦ୍ୟୁତ ନଥିବା ଗାଁଗୁଡ଼ିକ ଦୁଇଟି ବର୍ଗଭୁକ୍ତ: ଯେଉଁ ଗାଁଗୁଡ଼ିକର ଆଦୌ ବିଦ୍ୟୁତୀକରଣ ହୋଇନାହିଁ ଏବଂ ଆଉ କେତେକ ଗାଁ ଯେଉଁଗୁଡ଼ିକର ବିଦ୍ୟୁତୀକରଣ ପ୍ରାୟ ଦୁଇ ଦଶନ୍ଧି ତଳେ ହୋଇଥିଲା କିନ୍ତୁ ଲୋକେ ଦେୟ ଦେଇ ନପାରିବା କାରଣରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି ।

କ୍ରିଷ୍ଣା କହିଲେ, “ଆମେ ଜାଣିପାରିଲୁ ଯେ ଗଡ଼ଚିରୋଲି ଜିଲ୍ଲାର ୧,୬୦୦ ଗାଁ ଭିତରୁ ୩୦୦ରେ ବିଦ୍ୟୁତ୍‌ ନାହିଁ ।” ଏଗୁଡ଼ିକରୁ ଅନେକ ଗାଁକୁ ସବୁଦିନିଆ ରାସ୍ତା ବି ନାହିଁ ।

ଏହି ଗାଁଗୁଡ଼ିକର ବିଦ୍ୟୁତୀକରଣ ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ବର୍ଷର ପ୍ରଥମ ସାତ ମାସରେ ପ୍ରାୟ ୧୦୦ଟି ଗାଁକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁହାଇଲେ, ଏବେ ନିଜ ନିଜ ଘରକୁ ବିଦ୍ୟୁତ୍‌ ସଂଯୋଗ ନେବା ଗାଁ ଲୋକଙ୍କ ପରିବାର ଉପରେ ନିର୍ଭର କରେ ।

ମନ୍ଥର ଗତି

ବିଦ୍ୟୁତ୍‌ ଶକ୍ତିର ସର୍ବାଧିକ ବ୍ୟବହାର ଦିଗରେ ନୂତନ ଭାବେ ବିଦ୍ୟୁତୀକରଣ ହୋଇଥିବା ଗାଁଗୁଡ଼ିକ ମନ୍ଥର ଗତିରେ ଆଗେଇ ଯାଉଛନ୍ତି । କେତେକ ଲୋକ ଅଟାକଳ ବସାଇଛନ୍ତି; କେତେ ଜଣ କେବଳ ଟିଭି ଦେଖି ଆନନ୍ଦିତ ହେଉଛନ୍ତି; ଆଉ କେତେ ଜଣ କୃଷି ପାଇଁ ପମ୍ପ୍‌ ବସାଇବାକୁ ଦାବି କରୁଛନ୍ତି; ଅନ୍ୟ ବହୁ ଲୋକ ସାଧାରଣ ବିଦ୍ୟୁତ୍‌ ଉପକରଣ କିଣୁଛନ୍ତି ।

କ୍ରିଷ୍ଣା କହିଲେ, “ଏଠାରେ ଅନେକ କପୋଳକଳ୍ପିତ ଧାରଣାକୁ ଆମେ ଖଣ୍ଡନ କରିଛୁ: ଯେମିତି କି ଆଦିବାସୀମାନଙ୍କର ବିଦ୍ୟୁତ୍‌ ଦରକାର ନାହିଁ, ସେମାନେ କ୍ଷେତରେ ବିଦ୍ୟୁତ୍‌ଚାଳିତ ପମ୍ପ୍‌ ଦରକାର କରନ୍ତି ନାହିଁ, ସେମାନେ ଆଧୁନିକ ଉପକରଣ ବ୍ୟବହାର ଲାଗି ଅନିଚ୍ଛୁକ ।”

ଗତ ୨୦ ବର୍ଷରେ MSEDCL ପକ୍ଷରୁ ଜିଲ୍ଲାରେ କୃଷି ପାଇଁ ଆବଶ୍ୟକ ମାତ୍ର ୪,୦୦୦ପମ୍ପ୍‌ କାର୍ଯ୍ୟକ୍ଷମ କରାଯାଇଛି । ଏଥିରୁ ଅଧିକାଂଶ ଅପେକ୍ଷାକୃତ ଶାନ୍ତ ଉତ୍ତରପୂର୍ବ ଅଞ୍ଚଳରେ ।

କ୍ରିଷ୍ଣା କହିଲେ, “ଗତ ଛଅ ମାସର ବିଭିନ୍ନ ସମୟରେ ଆମର ସ୍ଵତନ୍ତ୍ର ଅଭିଯାନ ଅବସରରେ, କ୍ଷେତରେ ପମ୍ପ୍‌ ବସାଇବା ପାଇଁ ପ୍ରାୟ ୬,୬୦୦ ଆବେଦନ ମିଳିଛି । ସେଥିରୁ ଅଧିକାଂଶ ସମ୍ବେଦନଶୀଳ ଅଞ୍ଚଳର ଆଦିବାସୀ କୃଷକମାନଙ୍କଠାରୁ ମିଳିଛି । MSEDCL ପ୍ରାୟ ୫,୦୦୦ ଆବେଦନ ଅନୁମୋଦନ କରିବ ।” ଏହା ବର୍ଷକୁ ଦୁଇଟି ଫସଲ କରିବା କ୍ଷେତ୍ରରେ ଚାଷୀମାନଙ୍କୁ ସାହାଯ୍ୟ କରିବ ।

ପ୍ରତିକୂଳ ପରିସ୍ଥିତି

ଗରାଞ୍ଜି ଗାଁକୁ ବିଦ୍ୟୁତ୍‌ ଶକ୍ତି ନେବାକୁ ହେଲେ ବାଂଲାଦେଶରୁ ଆସିଥିବା ଲୋକମାନଙ୍କର ଏକ ବସ୍ତି ବିକାଶପଲ୍ଲୀରୁ ୧୦ କିଲୋମିଟର ଯାଏ ତାର ବିଛାଇବା ଆବଶ୍ୟକ ।  ଏଥିରେ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ବିଦ୍ୟୁତ୍‌ ଖୁଣ୍ଟି ବସାଇବା ପାଇଁ ଗାଁ ଲୋକେ ସ୍ଵେଚ୍ଛାରେ ଶ୍ରମଦାନ କରିବେ ବୋଲି ଠିକାଦାରଙ୍କୁ କହିଲେ ।

ଜଙ୍ଗଲ ଜମି ଦେଇ ତାର ଟାଣିବା ଏବଂ ଖୁଣ୍ଟି ବସାଇବା ପାଇଁ ଜଙ୍ଗଲ ବିଭାଗରୁ ବିଭିନ୍ନ ଅନୁମତି ନେବା ଦରକାର ହେଲା । ତାର ବିଛାଇବା ପାଇଁ ୨୦ ବର୍ଷ ତଳେ ହୋଇଥିବା ପ୍ରଥମ ଉଦ୍ୟମ ବିଫଳ ହେଲା କାରଣ, ଅନେକ ସ୍ଥାନରେ ତାର ଟାଣିବାକୁ ଆଦୌ ଅନୁମତି ମିଳିଲା ନାହିଁ । ପୋତା ହୋଇଥିବା ଖୁଣ୍ଟଗୁଡ଼ିକ ଅବ୍ୟବହୃତ ଭାବେ ପଡ଼ିରହିଲା।

ଏଥର, ଗ୍ରାମବାସୀ, ଜିଲ୍ଲା ପ୍ରଶାସନ ଏବଂ MSEDCLମିଶି ୨୦୦୬ର ଜଙ୍ଗଲ ଅଧିକାଇ ଆଇନରେ ଥିବା ଏକ ବିଧିବ୍ୟବସ୍ଥା ଅନୁସରଣ କଲେ । ଯେଉଁଥିରେ କୁହାଯାଇଛି ଯେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଅନୁମତିରେ ୧ ହେକ୍‌ଟର ପର୍ଯ୍ୟନ୍ତ ଜଙ୍ଗଲ ଜମିକୁ ଗାଁ ଲୋକଙ୍କ ଉପଯୋଗ ପାଇଁ ହସ୍ତାନ୍ତର କରାଯାଇପାରିବ ।

କ୍ରିଷ୍ଣା କହିଲେ, “ଖୁଣ୍ଟଗୁଡ଼ିକ ଗୋଟିଏ ଧାଡ଼ିରେ ରହିଛି; ଓସାର କମ୍‌; ତେଣୁ ଏକ ହେକ୍ଟର ଯଥେଷ୍ଟ ।”

ଉତ୍ତର ଗଡ଼ଚିରୋଲିର ଗଟ୍ଟା ସବ୍‌-ଷ୍ଟେସନ୍‌ରେ ଅବସ୍ଥାପିତ MSEDCLର ଜଣେ ଯୁବ ଉପ-ଯନ୍ତ୍ରୀ ଅମୋଲ ପାଟିଲ କହିଲେ, ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ଜାରି ରଖିବା ବଡ଼କଥା ।

ନୂତନ ଭାବେ ବିଦ୍ୟୁତୀକରଣ ହୋଇଥିବା ପ୍ରାୟ ୧୦୦ଟି ଗାଁ ମଧ୍ୟରୁ ୩,୦୦୦ ବର୍ଗକିଲୋମିଟରରୁ ଅଧିକ ଅଞ୍ଚଳରେ ଥିବା ୬୫ଟି ଗାଁ ପାଟିଲଙ୍କ କାର୍ଯ୍ୟ ପରିସରରେ ରହିଛି । ପ୍ରତିଦିନ ପାଟିଲ ଓ ତାଙ୍କର ଚାରି ଜଣ ଲାଇନ୍‌ମ୍ୟାନ୍‌ ବିଦ୍ୟୁତ ଲାଇନ୍‌ରେ ତ୍ରୁଟି ଖୋଜି ସୁଧାରିବା ନିମନ୍ତେ ବହୁ କିଲୋମିଟର ଯାଆନ୍ତି । ହେଲେ ଯଦି ବର୍ଷାରେ ରାସ୍ତା କଟି ଯାଇ ନଥାଏ ଏବଂ ପୋଲ ଏବଂ ଶଙ୍ଖ ଭାସି ଯାଇ ନଥାଏ ।

ବେଳେବେଳେ, ଗଟ୍ଟା ଓ ପୁସ୍ତୋଲା ମଧ୍ୟବର୍ତ୍ତୀ ଲାଇନ୍‌ରେ କୌଣସି ତ୍ରୁଟି ଦେଖାଦେଲେ, ଟିମ୍‌ରେ ଥିବା ୫୦ ବର୍ଷରୁ ଅଧିକ ବୟସର ଦୁଇ ଲାଇନ୍‌ମ୍ୟାନ୍‌ଙ୍କ ପାଇଁ ବର୍ଷାରେ ଖୁଣ୍ଟରେ ଚଢ଼ି ମରାମତି କରିବା ପ୍ରାୟତଃ ଅସମ୍ଭବ ହୋଇଯାଏ ।

ତାଙ୍କଠାରୁ ବରିଷ୍ଠ ଅଧିକାରୀମାନେ କହିଲେ, MSEDCLର ଅନ୍ୟତମ ଆଦର୍ଶବାଦୀ ଯନ୍ତ୍ରୀ ରୂପେ ପରିଚିତ ପାଟିଲ ଦୁର୍ଗମ ଗାଁଗୁଡ଼ିକର ସମସ୍ୟା ସମାଧାନ ଲାଗି କଠୋର ପରିଶ୍ରମ କରନ୍ତି ।

ଘରେ ୱାୟାରିଂ କରିବା ଏବଂ ଫ୍ୟୁଜ୍‌ ମରାମତି କରିବା ଭଳି ଜଣେ ଇଲେକ୍ଟ୍ରିସିଆନ୍‌ଙ୍କ ମୌଳିକ କାମକୁ ଗରାଞ୍ଜିର ଗାଁ ଲୋକେ ଧୀରେ ଧୀରେ ବୁଝିବାରେ ଲାଗିଛନ୍ତି ।

ଟିଭି ମାଲିକ ତଥା ଚାଷୀ ନାରୋଟି ହସହସ ଭାବରେ କହନ୍ତି, “ଏବେ ଆମେ ଟିଭି ମରାମତି କରି ଶିଖିବା ଦରକାର ।”

ସବୁଠୁ ପାଖରେ ରହୁଥିବା ଇଲେକ୍ଟ୍ରିସିଆନ୍‌ଙ୍କ ଘର ୨୫ କିଲୋମିଟର ଦୂରରେ ।

ଏହି ଲେଖା ପ୍ରଥମେ କୋଲକାତାରୁ ପ୍ରକାଶିତ ଦି ଟେଲିଗ୍ରାଫ୍‌ର ୧୧ ଅଗଷ୍ଟ,୨୦୧୩ ସଂଖ୍ୟାରେ ପ୍ରକାଶିତ ହୋଇଥିଲା, ଏଠାରେ.

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar