ସୂଚନା ଅଧିକାର (ଆର୍ଟିଆଇ)ଆଇନ ଅନୁସାରେ ଏକ ଆବେଦନର ଉତ୍ତରରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିୱାଇ)ରୁ ସାରା ଦେଶରେ ଥିବା ବୀମା କମ୍ପାନୀଗୁଡ଼ିକ ୨ ବର୍ଷ ମଧ୍ୟରେ ୧୫,୭୯୫ କୋଟି ଟଙ୍କା ଲାଭ କରିଛନ୍ତି ।

ରୋଜଗାର ବୃଦ୍ଧି ପାଇଁ ଚାଷୀମାନଙ୍କର ଅପେକ୍ଷା ଜାରି ଥିବାବେଳେ ପିଏମ୍ଏଫ୍ବିୱାଇ ଆରମ୍ଭ ହେବାର ମାତ୍ର ବର୍ଷକ ମଧ୍ୟରେ ବୀମା କମ୍ପାନୀଗୁଡ଼ିକର ଲାଭ ପ୍ରାୟ ଦେଢ଼ଗୁଣ ବଢ଼ିଛି ।

ସାରା ଦେଶରେ ଥିବା ବୀମା କମ୍ପାନୀଗୁଡ଼ିକ ୨୦୧୭-୧୮ରେ ୯,୩୩୫.୬୨ କୋଟି ଟଙ୍କା ଲାଭ କରିଛନ୍ତି । ପୂର୍ବବର୍ଷ(୨୦୧୬-୧୭)ରେ ସେମାନେ ୬,୪୫୯.୬୪ କୋଟି ଟଙ୍କା ଲାଭ କରିଥିବା ବେଳେ ସେ ତୁଳନାରେ ୨୦୧୭-୧୮ରେ ଲାଭ ୪୪.୫୨ ପ୍ରତିଶତ ବୃଦ୍ଧି ହୋଇଛି ।

ଆରଟିଆଇ କାର୍ଯ୍ୟକର୍ତ୍ତା ପି.ପି କପୁର କେନ୍ଦ୍ର କୃଷି ମନ୍ତ୍ରାଳୟ ନିକଟରୁ ହାସଲ କରିଥିବା ତଥ୍ୟ ଅନୁସାରେ ପିଏମ୍ଏଫ୍ବିୱାଇର ପ୍ରଥମ ଦୁଇ ବର୍ଷରେ ସରକାରୀ ମାଲିକାନାରେ ଥିବା  ଏଗ୍ରିକଲଚର ଇନ୍ସ୍ୟୁରାନ୍ସ କମ୍ପାନୀ ଅଫ୍ ଇଣ୍ଡିଆ (ଏଆଇସି)କୁ ମିଶାଇ ୧୧ଟି ବୀମା କଂପାନି  ମୋଟ ୧୫, ୭୯୫.୨୬ କୋଟି ଟଙ୍କା ଲାଭ କରିଛନ୍ତି ।  ଆରଟିଆଇ ଆବେଦନରୁ ଜଣାପଡ଼ିଛି ଯେ ବୀମା କଂପାନିଗୁଡ଼ିକ ୨୦୧୬-୧୭ରେ  ମୋଟ ୨୨,୩୬୨.୧୧ କୋଟି ଟଙ୍କାର ପ୍ରିମିୟମ୍ ପାଇଥିଲେ । ସେମାନେ ୩,୦୧,୨୬, ୪୦୩ ଜଣ ଚାଷୀଙ୍କୁ ୧୫,୯୦୨.୪୭ କୋଟି ଟଙ୍କାର ବୀମା ପ୍ରଦାନ କରିଥିଲେ ।

ସେହିପରି ଏହି କମ୍ପାନୀଗୁଡ଼ିକ ପରେ ୨୫,୦୪୫.୮୭ କୋଟି ଟଙ୍କାର ପ୍ରିମିୟମ୍ ପାଇଥିବା ବେଳେ ୧,୨୬,୦୧,୦୪୮ ଜଣ ଚାଷୀଙ୍କୁ ୧୫, ୭୧୦.୨୫ କୋଟି ଟଙ୍କାର ବୀମା ପ୍ରଦାନ କରିଥିଲେ । ଆର୍ଟିଆଇ ଆବେଦନର ଜବାବରେ ଆହୁରି ଜଣାପଡ଼ିଛି ଯେ, ସ୍ୱୀକୃତି ମିଳିସାରିଥିବା ପ୍ରାୟ ୫୧୨ କୋଟି ଟଙ୍କାର ବୀମା ଦାବି ଏବେ ମଧ୍ୟ ପ୍ରଦାନ କରାଯାଇନାହିଁ । ଅନ୍ୟପଟେ ରବି ଫସଲ ପାଇଁ ହୋଇଥିବା ଅଧିକାଂଶ ଦାବି ସଂପର୍କରେ ଆକଳନ ହୋଇନାହିଁ/ସେଥିପାଇଁ ଅନୁମତି ମିଳିନାହିଁ ।

ଏହି ତଥ୍ୟକୁ ବିଶ୍ଳେଷଣ କରିଥିବା କପୁର କହନ୍ତି ୨୦୧୬-୧୭ରେ ବୀମା କମ୍ପାନୀଗୁଡ଼ିକ ମାସିକ ୫୩୦.୩୦ କୋଟି ଟଙ୍କା ଲାଭ କରିଥିଲେ । ତା’ ପରବର୍ଷ ଏହି ଟଙ୍କା ମାସିକ ପ୍ରାୟ ୭୭୮ କୋଟିକୁ ବୃଦ୍ଧି ହୋଇଥିଲା । କପୁର ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି ଯେ ବୀମାରେ ସାମିଲ ହୋଇଥିବା ଚାଷୀଙ୍କ ସଂଖ୍ୟା କମିଥିବା ବେଳେ ବୀମା କମ୍ପାନୀଗୁଡ଼ିକର ଲାଭ ଉଲ୍ଲେଖନୀୟ ଭାବେ ବୃଦ୍ଧି ହୋଇଛି । ସରକାରୀ ମାଲିକାନାରେ ଥିବା ଏଆଇସି ୨୦୧୬-୨୦୧୭ରେ  ୨,୬୧୦.୬୦ କୋଟି ଟଙ୍କା ରୋଜଗାର କରିଥିଲା। ପରବର୍ଷ ତାହା ୫୨୮ କୋଟି ଟଙ୍କାକୁ ଖସି ଆସିଥିଲା । ଆଶ୍ଚର୍ଯ୍ୟର କଥା ହେଲା ଏଆଇସି ୨୦୧୬-୧୭ରେ ୨୧ଟି ରାଜ୍ୟର ୨,୪୬,୮୩,୬୧୨ ଜଣ ଚାଷୀଙ୍କୁ ବୀମା ପ୍ରଦାନ କରିଥିବା ବେଳେ ପରବର୍ଷ ପ୍ରାୟ ୧ ଲକ୍ଷ  ଚାଷୀଙ୍କୁ ହରାଇଥିଲା । ପରବର୍ଷ କଂପାନି ମାତ୍ର ୧.୫ କୋଟି ଚାଷୀଙ୍କୁ ବୀମା ପ୍ରଦାନ କରିଥିଲା । କପୁରଙ୍କ ଅନୁସାରେ ସରକାରୀ ମାଲିକାନାରେ ଥିବା ବୀମା କମ୍ପାନୀରେ ଗ୍ରାହକ କମିବାର ଅର୍ଥ ଘରୋଇ ବୀମା କଂପାନିର ସଂଖ୍ୟାର ଅଭିବୃଦ୍ଧିକୁ ଦର୍ଶାଉଛି ।

ସେହି ତଥ୍ୟରୁ ଜଣାପଡ଼ିଛି ଯେ ଦ୍ୱିତୀୟ ବର୍ଷ ବୀମା ପାଇଁ ପଞ୍ଜିକରଣ କରାଇଥିବା ଚାଷୀଙ୍କ ସଂଖ୍ୟା ମଧ୍ୟ କମିଛି । ୨୦୧୬-୧୭ରେ ୫,୭୨,୧୭,୧୫୯ ଜଣ ଚାଷୀ ବୀମା କରାଇଥିବାବେଳେ ୨୦୧୭-୧୮ରେ ଏହି ସଂଖ୍ୟା ୪,୮୭,୭୦,୫୧୫ରେ ପହଞ୍ଚିଛି । ଅର୍ଥାତ୍ ୮୪,୪୬,୬୪୪ ଜଣ ଚାଷୀଙ୍କ ସଂଖ୍ୟା କମିଛି । କୃଷି ବିଶେଷଜ୍ଞ ଦେବେନ୍ଦର ଶର୍ମାଙ୍କ ଅନୁସାରେ ବୀମା କମ୍ପାନୀଗୁଡ଼ିକ ଲାଭ ପାଇବା ପାଇଁ ଏହା ଏକ ଉତ୍କୃଷ୍ଟ ଯୋଜନା । “ ଏମାନେ ହେଉଛନ୍ତି ନୂଆ ସାହୁକାର ଯେଉଁମାନଙ୍କୁ ଆର୍ଥିକ ବିନିଯୋଗ କରିବାର ଆବଶ୍ୟକତା ନାହିଁ ଏବଂ ସେମାନେ ପ୍ରଚୁର ପରିମାଣରେ ଲାଭ କମାଉଛନ୍ତି ।’’

ଭାରତୀୟ କୃଷକ ସଂଘର ନେତା ଗୁରନାମ ଚାରୁଣୀ ଅଭିଯୋଗ କରନ୍ତି ଯେ, ଚାଷୀଙ୍କ ବଦଳରେ ବୀମା କମ୍ପାନୀମାନେ କିଭଳି ଲାଭ ପାଇପାରିବେ ସେଥିଲାଗି ଏହି ‘‘ତ୍ରୁଟିଯୁକ୍ତ ନୀତି’’କୁ ଜାଣିଶୁଣି ଆରମ୍ଭ କରାଯାଇଛି । “ହିତାଧିକାରୀ ବୋଲି କୁହାଯାଉଥିବା ଚାଷୀମାନେ କେବେହେଲେ ବୀମା ପାଇନାହାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ଋଣ କରିଥିବାରୁ ବୀମା ବାବଦରେ ଚାଷୀଙ୍କ ଖାତାକୁ ଅର୍ଥ ଆସିବା ମାତ୍ରେ ବ୍ୟାଙ୍କଗୁଡ଼ିକ ଋଣ ପରିଶୋଧ ଆକାରରେ ସେହି ଟଙ୍କାକୁ କାଟି ନିଅନ୍ତି ।’’

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ଫସଲ ବୀମା ଯୋଜନା । ମୁଖ୍ୟତଃ ପ୍ରାକୃତିକ ଦୁର୍ବିପାକ, କୀଟ ପତଙ୍ଗ ଏବଂ ରୋଗ ଯୋଗୁ ଚାଷୀଙ୍କର ଫସଲନଷ୍ଟ ହେଲେ ସେମାନଙ୍କୁ ବୀମା ପ୍ରଦାନ କରିବା ଏବଂ ଆର୍ଥିକ ସହାୟତା ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ।

ଏହି ଆଲେଖ୍ୟ ଦ ଟ୍ରିବ୍ୟୁନ୍ରେ ନଭେମ୍ବର ୧୩, ୨୦୧୮ରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Deepender Deswal/ Tribune News Service