ଦିଲ୍ଲୀ ନିକଟବର୍ତ୍ତୀ ଲାଲ୍ କୁଆଁ ଅଞ୍ଚଳରେ ଥିବା ପୁଲ ପେହଲାଦ୍ ମୋହଲ୍ଲାରେ, ସମସ୍ତେ “ଠେଲା ଗାଡି ନେଇ ଆସୁଥିବା ପିଲା” ବା “ଚିଲ୍ଲି-ପଟାଟୋ ବାଳକ”କୁ ଜାଣିଛନ୍ତି। ସେ ସେହି ଅଞ୍ଚଳର ସବୁଠାରୁ କମ ବୟସର ବୁଲା ବିକାଳି।

ଖୋଲା ନାଳ ଦ୍ୱାରା ଘେରି ହୋଇଥିବା ଗୋଟିଏ ବସ୍ତିର ଏକ ଅଣ ଓସାରିଆ ଗଳିରେ ଦୌଡୁଥିବା ଅବସ୍ଥାରେ ମୁଁ ତାକୁ ଦେଖିଲି। ସେଠାରେ ଥିବା ଖୋଲା ସ୍ଥାନ ଯେଉଁଠି ସେ ତାର ଠେଲା ଗାଡି ରଖେ ସେଠାକୁ ଯାଉଥିଲା। ଗଳିର ଶେଷ ଭାଗକୁ ସେ ଠେଲାକୁ ଗଡାଇ ନେଲା, ଗାଡି ନ ଗଡିବା ପାଇଁ ଚକରେ ପଥର ଦେଲା ଏବଂ ଗୋଟିଏ ଘର ଭିତରକୁ ପଶିଗଲା। ଆଳୁ ଚିପ୍ସ ଓ ମୋମୋ ବିକ୍ରି ପାଇଁ ଏବେ ବାହାରିବାକୁ ଥିବା ୧୪ ବର୍ଷର ଅର୍ଜୁନ ସିଂ ପାଇଁ ଏହା ହେଉଛି ନିତିଦିନିଆ କାମ।

ଲାଜକୁଳା କିନ୍ତୁ ହସ ହସ ସ୍ୱଭାବର ଏହି ପିଲାଟି ତାର ବିଧବା ମା ଲକ୍ଷ୍ମୀ ସିଂଙ୍କ ସହିତ ସେମାନଙ୍କର ଛୋଟିଆ ଘରେ ରହେ, ଯେଉଁଠି କୌଣସି ଆସବାବପତ୍ର ନାହିଁ। କାନ୍ଥରେ ଗୋଟିଏ ଆଇନା ଝୁଲା ହୋଇଛି, ଯାହାର ଗୋଟିଏ କୋଣରେ ବାଦାମି ରଙ୍ଗର ଫିତାରେ ତିଆରି ହୋଇଥିବା ଗୋଟିଏ ହୃଦୟ ଆକୃତିର ଚିହ୍ନ ରହିଛି। ସେଥିରେ ଲେଖା ଅଛି ‘ଲକ୍ଷ୍ମୀ+ଅର୍ଜୁନ’। ଅର୍ଜୁନ କହିଲା “ତାକୁ ମୁଁ ଲେଖିଛି, ତେଣୁ ଆମ ଘରକୁ ଯିଏ ଆସିବ ସେ ଆମ ଦୁନିଆକୁ ଦେଖିପାରିବ।”

ଏହା ଏକ ଏକୁଟିଆ ଏବଂ କଷ୍ଟକର ଦୁନିଆ।

୨୦୧୩, ଜୁଲାଇ ୧୪ ତାରିଖରେ ଅର୍ଜୁନଙ୍କର ବାପା ରାଜେଶ୍ୱର ସିଂ, ଇନ୍ଦିରା ଗାନ୍ଧି ନ୍ୟାସନାଲ୍ ସେଣ୍ଟର ଫର୍ ଆର୍ଟସର ନାଳ ସଫା କରୁ କରୁ ପ୍ରାଣ ହରାଇଥିଲେ। ୨୦୧୧ରୁ ସେ ସେଠାରେ ଚାକିରି କରୁଥିଲେ। ସେ ସେହି ତିନି ଜଣ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁ ଦିନ ବିଷାକ୍ତ ଗ୍ୟାସ ଫଳରେ ଅଟ୍ଟାଳିକାର ବେସମେଣ୍ଟରେ ପ୍ରାଣ ହରାଇଲେ। ଅନ୍ୟ ଦୁଇ ଜଣ ଥିଲେ ଅଶୋକ କୁମାର ଓ ସତୀଶ ସିଂ, ସମସ୍ତେ ସରକାରଙ୍କ ଦ୍ୱାରା ପରିଚାଳିତ ସେଣ୍ଟର ଫର୍ ପରଫର୍ମିଂ ଆର୍ଟ୍ସରେ କାମ କରୁଥିବା ଠିକା କର୍ମଚାରୀ। ସମସ୍ତେ ଥିଲେ ବାଲ୍ମିକୀ ଦଳିତ ସଂପ୍ରଦାୟର ଏବଂ ସମସ୍ତେ ତ୍ରିଲୋକପୁରୀର ବାଲ୍ମିକୀ ବସ୍ତିରେ ସେମାନଙ୍କର ପରିବାର ସହ ରହୁଥିଲେ (ପରେ ଲକ୍ଷ୍ମୀ ଅର୍ଜୁନକୁ ନେଇ ତାଙ୍କର ବିବାହିତ ଝିଅ ମିନୁ ରହୁଥିବା ଲାଲ୍ କୁଆଁ ଅଞ୍ଚଳକୁ ଚାଲିଆସିଲେ)।  

ଭିଡିଓ ଦେଖନ୍ତୁ – ଲକ୍ଷ୍ମୀ କହିଲେ, “ମୁଁ ଟଙ୍କା ଚାହେଁ ନାହିଁ। ଦୟାକରି ମୋତେ କାମ ପାଇବା ପାଇଁ ସାହାଯ୍ୟ କରନ୍ତୁ। ”

ସେବେଠାରୁ ଅଶୋକ କୁମାର ଓ ସତୀଶ ସିଂଙ୍କର ପରିବାର ମିରଟ ସ୍ଥିତ ସେମାନଙ୍କ ଘରକୁ ଫେରି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ କେହି ବି ୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିପଦପୂର୍ଣ ଓ ଅମାନବୀୟ କାମ କରିବା ବେଳେ ପ୍ରାଣ ହରାଇଥିବା ସଫେଇ କର୍ମଚାରୀଙ୍କୁ ମିଳିବାକୁ ଥିବା ୧୦ ଲକ୍ଷର  କ୍ଷତିପୂରଣ ରାଶି ପାଇନାହାନ୍ତି। ରାଜେଶ୍ୱର ସିଂଙ୍କ ମୃତ୍ୟୁର ୪ ବର୍ଷରୁ ଅଧିକ ସମୟ ପରେ ଲକ୍ଷ୍ମୀ ମାତ୍ର ୪ ଲକ୍ଷ ଟଙ୍କା ପାଇଛନ୍ତି। କାରଣ ତାଙ୍କ ସ୍ୱାମୀ ଠିକାରେ କାମ କରୁଥିଲେ, ସ୍ଥାୟୀ କର୍ମଚାରୀ ନ ଥିଲେ।

ପ୍ରାୟ ୪୦ ପାଖାପାଖି ହୋଇଥିବା ଲକ୍ଷ୍ମୀ ମଧ୍ୟ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ସେହି ସମାନ ସଂସ୍ଥା ନ୍ୟାସନାଲ୍ ସେଣ୍ଟର ଫର୍ ଆର୍ଟସରେ ସେ ଝାଡୁ କରିବା, ଅଳିଆ ଉଠାଇବା ଓ ଅନ୍ୟାନ୍ୟ ସଫେଇ କାମ କରୁଥିଲେ। ସେ ଓ ତାଙ୍କ ସ୍ୱାମୀ ପ୍ରତ୍ୟେକ ମାସକୁ  ୩,୫୦୦ ଟଙ୍କା ଲେଖାଏଁ ପାଉଥିଲେ। ୨୦୧୧ରେ ସେମାନଙ୍କର ଝିଅ ମିନୁର ବାହାଘର ପରେ ସେ ଆଉ କାମ କରିବାକୁ ଆଗ୍ରହୀ ହେଲେ ନାହିଁ, ଅନିୟମିତ ହେଲେ। ଏବଂ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ, ସେ ସଫେଇ ଓ ମଇଳା ଉଠାଇବା କାମ କରିବାକୁ ମନା କରିଦେଲେ।

ଲକ୍ଷ୍ମୀ କହନ୍ତି, “ଆମେ ଦଳିତ ସଂପ୍ରଦାୟର, ଆମେ ବାଲ୍ମିକୀ, ମୋର ପିଲାଦିନ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ କଟିଛି। ମୋ ବାପା ରୋଶନ ଲାଲ୍ କୃଷି ଶ୍ରମିକ ଭାବେ କାମ କରୁଥିଲେ। ମା ରାମକାଳୀ ଗାଁରେ ଝାଡୁ କରିବା, ସଫା କରିବା, ଅଳିଆ ଉଠାଇବା, ମଇଳା ଓ ଗୋବର ଉଠାଇବା ଭଳି ସଫେଇ କାମ କରୁଥିଲେ। ସେତେବେଳେ ଗାଁରେ କୌଣସି ପାଇଖାନା ନ ଥିଲା। ଚମାର ଜାତିର ଲୋକମାନେ ମୃତ ପଶୁମାନଙ୍କୁ ଉଠାଉଥିଲେ। ”

୧୩ ବା ୧୪ବର୍ଷ ବୟସରେ ଲକ୍ଷ୍ମୀ ବିବାହ କରିଥିଲେ, ସେତେବେଳେ ରାଜେଶ୍ୱରଙ୍କୁ ୧୭ ବା ୧୮ ବର୍ଷ ହୋଇଥିଲା। ତାଙ୍କ ନିଜ ଘର ଥିଲା ହରିୟାଣାର ରୋହତକରେ, କିନ୍ତୁ ସେ ଦିଲ୍ଲୀରେ ପାଇଖାନା ଓ ନାଳ ସଫା କାମ କରୁଥିଲେ। ତାଙ୍କ ଘରେ ସମସ୍ତେ ଥିଲେ ସଫେଇ କର୍ମୀ। ଲକ୍ଷ୍ମୀ କହିଲେ, “ମୋ ଶାଶୁ ଦିଲ୍ଲୀର ପୋଲିସ୍ ମୁଖ୍ୟାଳୟରେ କାମ କରୁଥିଲେ, ତାଙ୍କର ମୃତ୍ୟୁ ପରେ ମୁଁ ସେହି କାମ ପାଇବା ପାଇଁ ବହୁତ ଉଦ୍ୟମ କଲି, କିନ୍ତୁ ଅଧିକାରୀମାନେ ତାହା ଦେବାକୁ ମନା କଲେ, ନିୟମ ବଦଳିଯାଇଛି ବୋଲି କହିଲେ। ମୋ ସ୍ୱାମୀ ପୂର୍ବରୁ ନେହେରୁ ଷ୍ଟାଡିୟମରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ଏବଂ ପରେ ନିର୍ମଳ ଭବନରେ କାମ କଲେ। ପ୍ରାଥମିକ ଭାବେ ସେ ଜଣେ ଠିକା କର୍ମଚାରୀ ଭାବେ ମାସକୁ  ୪୦୦ ଟଙ୍କା ହିସାବରେ ପାଇଲେ। କିନ୍ତୁ ସେଥିପାଇଁ ତାଙ୍କର ପରବାୟ ନ ଥିଲା। ସେ କିଛି ପାଇଁ ଚିନ୍ତା କରୁ ନ ଥିଲେ, ବା ଆମକୁ ଚିନ୍ତା କରିବାକୁ ଦେଉ ନ ଥିଲେ। ”
a boy with his family getting his pushcart ready
PHOTO • Bhasha Singh

ଲକ୍ଷ୍ମୀଙ୍କ ପୁଅ ଅର୍ଜୁନ ଏକ ବର୍ଷରୁ ଅଧିକ ସମୟ ହେଲା ଠେଲା ଗାଡିରେ ସ୍ନାକ୍ସ ବିକ୍ରି କରି ଆସୁଛି

ଲାଲକୁଆଁ ସ୍ଥିତ ସେମାନଙ୍କର ଘରେ କାନ୍ଥରେ ଗୋଟିଏ ଆଇନା ଝୁଲା ହୋଇଛି, ଯାହାର ଗୋଟିଏ କୋଣରେ ବାଦାମି ରଙ୍ଗର ଫିତାରେ ତିଆରି ହୋଇଥିବା ଗୋଟିଏ ହୃଦୟ ଆକୃତିର ଚିହ୍ନ ରହିଛି। ସେଥିରେ ଲେଖା ଅଛି ‘ଲକ୍ଷ୍ମୀ+ଅର୍ଜୁନ’ ।ଅର୍ଜୁନ କହିଲା “ତାକୁ ମୁଁ ଲେଖିଛି, ତେଣୁ ଆମ ଘରକୁ ଯିଏ ଆସିବ ସେ ଆମ ଦୁନିଆକୁ ଦେଖି ପାରିବ। ” ଏହା ଏକୁଟିଆ ଓ କଷ୍ଟକର ଦୁନିଆ।

ରାଜେଶ୍ୱରଙ୍କ ମୃତ୍ୟୁ ବେଳକୁ ସେମାନଙ୍କ ପୁଅ ଅର୍ଜୁନକୁ ମାତ୍ର ୧୦ ବର୍ଷ ହୋଇଥିଲା। ଅର୍ଜୁନ ମନେ ପକାଏ, “ମୋ ବାପା ଦେଖିବାକୁ ଖୁବ୍ ସୁନ୍ଦର ଥିଲେ, ମୁଁ ପ୍ରାୟ ସେହିଭଳି ଦେଖାଯାଉଥିଲି। ମୋ ଭୃଲତା ଗୁଡିକ ସେହିଭଳି। ମୁଁ ତାଙ୍କ ଭଳି ଗେଡା। ସେ ଭେଣ୍ଡି ଭଲପାଉଥିଲେ ଆଉ ମୁଁ ବି। ସେ ରୋଷେଇ କରିବାକୁ ଭଲ ପାଉଥିଲେ ଏବଂ ଏବେ ମୁଁ ବି ରୋଷେଇ କରୁଛି କିନ୍ତୁ ଆବଶ୍ୟକତା ପଡିଲେ। ସେ ଖୁବ୍ ସ୍ନେହୀ ଥିଲେ, ଏବଂ ମୋତେ ଚିଣ୍ଟୁ ଡାକୁଥିଲେ। ”

ଅର୍ଜୁନ ଯାହା ତା ବାପା ବାବଦରେ ସବୁଠାରୁ ଅଧିକ ମନେ ରଖିଛି, ତାହା ହେଲା ସେହି ଗୀତ ଯାହାକୁ ସେ ସବୁବେଳେ ଗାଉଥିଲେ, ‘ତୁମ୍ ମୁଝେ ୟୁଁ ଭୁଲା ନା ପାଓଗେ’(‘ତୁମେ ମୋତେ ସହଜରେ ଭୁଲି ପାରିବ ନାହିଁ’)ା ଅର୍ଜୁନ କହେ, “ମୋର ସବୁଠାରୁ ବଡ ଅସୁବିଧା ହେଲା, ମୁଁ ଆଉ କାହାକୁ ବାପା ଡାକିପାରୁନାହିଁ। ମୁଁ ୧୦ ବର୍ଷର ବି ହୋଇନଥିଲି, ଯେତେବେଳେ ବାପା ଚାଲିଗଲେ। ମୋ ମା ଖୁବ୍ ଅବସାଦରେ ଥିଲା, ସେ ଖାଲି କାନ୍ଦୁଥିଲେ, ଆଉ କାନ୍ଦୁଥିଲେ। କେହି ଆମକୁ ସାହାଯ୍ୟ କଲେ ନାହିଁ। ସବୁ ସମ୍ପର୍କୀୟ ଆମକୁ ପରିତ୍ୟାଗ କଲେ। ତେଣୁ ମୁଁ ଭାବିଲି ମୋତେ ଖୁବ୍ ଶୀଘ୍ର ବଡ ହେବାକୁ ପଡିବ, ଫଳରେ ମୁଁ ମୋ ମାକୁ ଟିକିଏ ଆରାମ ଦେଇପାରିବି। ”

ଆମେ କଥା ହେଉ ହେଉ ୩ଟା ବାଜି ସାରିଥିଲା, ଅର୍ଜୁନ ତାର ବିକ୍ରି ଜିନିଷ  ସବୁ ପ୍ରସ୍ତୁତ କରିବାର ସମୟ ହୋଇଯାଇଥିଲା। ସେ ଗୋଟିଏ ଅଖାରୁ କିଛି ଆଳୁ ବାହାର କରି, କାଟିବା ଆରମ୍ଭ କଲା। ଚିପ୍ସକୁ ଧୋଇ ସାରିବା ପରେ, ସେଥିରେ ଅଳ୍ପ ମସଲା ମିଶାଇଲା, ପୁରା ପ୍ରକ୍ରିୟା ବାବଦରେ ସେ ଏମିତି କହିଲା, ଯେମିତି ଗୋଟିଏ ଟିଭି ସୋର ମାଷ୍ଟର ସେଫ୍। ତା ପରେ ସେ ମୋମୋ ତିଆରି କରିବା ଆରମ୍ଭ କଲା। ଶେଷରେ, ଗ୍ୟାସ୍ ସିଲିଣ୍ଡର, ଷ୍ଟୋଭ୍, କଡାଇ, ଚାମଚ, ପ୍ଲେଟ, ଚଟଣି ଭଳି ସବୁକିଛି ଠେଲା ଗାଡିରେ ରଖିଲା। ଏଥିରେ ତା ମା ତାକୁ ସାହାଯ୍ୟ କଲେ।  

ସ୍କୁଲରୁ ଫେରିବା ପରେ ଅର୍ଜୁନ ସବୁଦିନ ମୋହଲ୍ଲାରେ ସ୍ନାକ୍ସ ବିକ୍ରି କରେ, ଭଲ ଦିନରେ ସେ ୧୦୦ରୁ ୧୫୦ ଟଙ୍କା ଲାଭ କରେ, ଅବଶ୍ୟ ବେଳେ ବେଳେ ୫୦ ଟଙ୍କା ବି ହୁଏ। ଅନେକ ସମୟରେ ଲୋକେ ସେ ପ୍ଲେଟ୍ ପିଛା ନେଉଥିବା ୧୦-୧୫ ଟଙ୍କା ବି ଦିଅନ୍ତି ନାହିଁ ଏବଂ ବାକି ନିଅନ୍ତି। ସପ୍ତାହନ୍ତ ଓ ପର୍ବପର୍ବାଣି ଦିନ ଗୁଡିକରେ ସାଧାରଣତଃ ଅଧିକ ବିକ୍ରି ହୁଏ।

ଏହା ଏକ ଅନିଶ୍ଚିତ ଜୀବିକା, କିନ୍ତୁ ଏହାକୁ ଜାରି ରଖିବା ଜରୁରୀ କାରଣ ସେମାନଙ୍କର ଅନ୍ୟ ରୋଜଗାର ହେଲା ଲକ୍ଷ୍ମୀ ଯାହା ୨,୦୦୦ ଟଙ୍କା ସରକାରଙ୍କ ନିକଟରୁ ବିଧବା ଭତ୍ତା ପାଆନ୍ତି। ସେ କହନ୍ତି, “ନିକଟସ୍ଥ ଲୋକେ, ମୁଖ୍ୟତଃ ପୁରୁଷ ଲୋକମାନେ ସେମାନଙ୍କର ଏହି ଛୋଟିଆ ସଫଳତାରେ ଈର୍ଷାନ୍ୱିତ, ରାସ୍ତା କଡରେ ଖାଦ୍ୟ ଜିନିଷ ବିକ୍ରି କରିବା ଦ୍ୱାରା ସେ ସ୍ଥାନ ଅଳିଆ ହେଉଛି ବୋଲି ସେମାନେ ଅଭିଯୋଗ କରନ୍ତି।” ଜଣେ ପଡୋଶୀ ମେହେରୁନିଶା ଖାତୁନ କହନ୍ତି, “ଜଣେ ଏକୁଟିଆ ସ୍ତ୍ରୀ ଲୋକ ଉନ୍ନତି କରିବା ଏହି ପୁରୁଷ ମାନେ ସହିପାରନ୍ତି ନାହିଁ। ବିଶେଷ କରି ମହିଳା ଜଣକ ଯଦି ବାଲ୍ମିକୀ ଜାତିର ହୋଇଥାଆନ୍ତି। ସେମାନେ କେବଳ ଏହି ଠେଲାଗାଡିକୁ ହଟାଇ ଦେବାକୁ ଗୋଟିଏ ସୁଯୋଗ ଖୋଜୁଛନ୍ତି।”

a boy besides his mother
PHOTO • Bhasha Singh

ହଳଦିଆ ଶାଢୀ ପିନ୍ଧିଥିବା ଲକ୍ଷ୍ମୀ, ତାଙ୍କ ଝିଅ ମିନୁ ଓ ଅର୍ଜୁନ। ଅର୍ଜୁନ କହେ, ‘ତାର ସବୁଠାରୁ ବଡ ସମସ୍ୟା ହେଲା ସେ କାହାକୁ ଆଉ ବାପା ଡାକି ପାରୁନାହିଁ।’

ଲକ୍ଷ୍ମୀ ଓ ଅର୍ଜୁନ ସେମାନଙ୍କର ଭବିଷ୍ୟତକୁ ନେଇ ଛୋଟ ସ୍ୱପ୍ନ ଦେଖନ୍ତି। ସିଝା ଅଣ୍ଡା ବିକ୍ରି କରିବା, ନିତିଦିନିଆ ଜରୁରୀ ଜିନିଷପତ୍ର ବିକ୍ରି ହେଉଥିବା ଏକ ଛୋଟ ଦୋକାନ ଖୋଲି ସେମାନଙ୍କର ରୋଜଗାର ବଢାଇବା। କିନ୍ତୁ ଏହି ଛୋଟ ସ୍ୱପ୍ନ ପାଇଁ ବି ପୁଞ୍ଜି ଦରକାର। ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସେହି ମୂଳଧନ ହୋଇପାରିଥାନ୍ତା। ହାତରେ ମଇଳା ଉଠାଇବା କାମକୁ ବନ୍ଦ କରିବା ପାଇଁ ଅଭିଯାନ ଚଳାଇଥିବା ସଫେଇ କର୍ମଚାରୀ ଆନେ୍ଦାଳନ ନାମକ ଏକ ଗୋÂୀ ଭିତ୍ତିକ ସଂସ୍ଥା ଲକ୍ଷ୍ମୀଙ୍କୁ  କ୍ଷତିପୂରଣ ପାଇବା ନେଇ ତାଙ୍କର ଲଢେଇରେ ସାହାଯ୍ୟ କରୁଛି। କିନ୍ତୁ ରାଜେଶ୍ୱର ସିଂ ଥିଲେ ସ୍ଥାୟୀ ନୁହେଁ, ଜଣେ ଠିକା କର୍ମଚାରୀ ଥିଲେ, ଏଥିପାଇଁ ତାଙ୍କର ନିଯୁକ୍ତିଦାତାମାନେ ସମ୍ପୂର୍ଣ କ୍ଷତିପୂରଣ ଦେବାକୁ ମନା କରିଦେଇପାରନ୍ତି।

ଏହି ସଂସ୍ଥା ମଧ୍ୟ ଅର୍ଜୁନଙ୍କୁ ତୋଗଲକାବାଦରେ ଥିବା ସର୍ବୋଦୟ ବାଲ ବିଦ୍ୟାଳୟରେ ଷÂ ଶ୍ରେଣୀରେ ନାମ ଲେଖାଇବାକୁ ସାହାଯ୍ୟ କରିଛି। ନାମ ଲେଖାଇବା ପାଇଁ ଆବଶ୍ୟକ ଠିକଣା ପ୍ରମାଣପତ୍ର ଏହି ପରିବାର ପାଖରେ ନ ଥିଲା ଏବଂ ତ୍ରିଲୋକପୁରୀରେ ଥିବା ଅର୍ଜୁନର ପୂର୍ବତନ ସ୍କୁଲ ବଦଳି ପ୍ରମାଣପତ୍ର ଦେବାରେ ବିଳମ୍ବ କଲା। ଏବେ  ଯେହେତୁ ଅର୍ଜୁନ ପୁଣି ଥରେ ସ୍କୁଲ ଯାଉଛି, ତେଣୁ ସେ ବଡ ସ୍ୱପ୍ନ ଦେଖିପାରିବ। ସେ ଜଣେ ବ୍ୟାଙ୍କ ମ୍ୟାନେଜର ଓ ଜଣେ ସେଫ୍ ହେବାକୁ ସ୍ୱପ୍ନ ଦେଖୁଛି।  

ଲକ୍ଷ୍ମୀ କହନ୍ତି,  ପୁରା କ୍ଷତିପୂରଣ ପାଇଯିବା ପରେ ବି ସେ ରହିଯିବେ ନାହିଁ। ହାତରେ ମଇଳା ଉଠାଇବା କାମକୁ ସମ୍ପୂର୍ଣ ଭାବେ ଉଚ୍ଛେଦ କରିବା ଆନେ୍ଦାଳନ ପାଇଁ ସେ ଦୃଢ ନିଶ୍ଚିତ। ସେ କହନ୍ତି, “ମୁଁ ଯେମିତି ମୋ ସ୍ୱାମୀଙ୍କୁ ହରାଇଲି ଆଉ କେହି ମହିଳା ତାଙ୍କ ସ୍ୱାମୀଙ୍କୁ ସେମିତି ହରାଇବା କଥା ନୁହେଁ। ଏ ସମ୍ପର୍କରେ କହିବା ପାଇଁ ମୁଁ ଯେ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ। ମୁଁ ଭୀମ ଯାତ୍ରା(ନାଳରେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ବିରୋଧରେ ପ୍ରତିବାଦ ଏବଂ ଅନ୍ୟ ଦାବି ଗୁଡିକ ନେଇ ୨୦୧୫-୧୬ରେ ହୋଇଥିବା ଦେଶବ୍ୟାପୀ ବସ୍ ଯାତ୍ରା)ଯୋଗ ଦେଇଥିଲି।   କିନ୍ତୁ ସରକାର ଶୁଣିବାକୁ ପ୍ରସ୍ତୁତ ନୁହେଁ। ଯଦି ଆମ ଲୋକେ ମରୁଛନ୍ତି, ଏ ଦୁନିଆରେ କାହାରି କିଛି ହେଉନାହିଁ। ଏହା ହେଉଛି କାରଣ  ଆମ ଜାତି ଆମ ମୁଣ୍ଡରେ ଲେଖାଯାଇଛି। ଯେତେବେଳ ଯାଏଁ ହାତରେ ମଇଳା  ସଫେଇ ଏବଂ ଆମ ଜାତି ପରସ୍ପର ସମ୍ପର୍କିତ ରହିବେ, ଆମେ ଏହି ନର୍କରୁ ମୁକୁଳି ପାରିବୁ ନାହିଁ। ”

ୠକ୍ଷ୍ମୀ ଆହୁରି କହିଲେ, “ମୋତେ ରାଗ ଆସେ ଯେତେବେଳେ ମୁଁ ଭାବେ ଏହିଭଳି ବହୁ ଲୋକ ପ୍ରାଣ ହରାଉଛନ୍ତି, ଏବଂ ସରକାର ଏ ନେଇ କିଛି କରୁନାହାନ୍ତି। ମଇଳା ସଫା କରିବା ପାଇଁ ଆମ ଦେଶରେ କୌଣସି ଟେକନିକ(ଜ୍ଞାନକୌଶଳ) ନାହିଁ ? ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ନେଇ ବହୁତ ହଙ୍ଗାମା ହେଉଛି, କିନ୍ତୁ ଯଦି ଏବେ ବି ଲୋକମାନେ ମଇଳା ସଫା କରିବା ନର୍ଦ୍ଧମାକୁ ଯାଉଛନ୍ତି, ତେବେ ଏ ଦେଶ କେମିତି ସ୍ୱଚ୍ଛ ?”

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Bhasha Singh

ଲେଖକ ପରିଚୟ: ଭାଷା ସିଂହ ଜଣେ ସ୍ୱାଧୀନ ସାମ୍ବାଦିକ , ଲେଖକ ଏବଂ ୨୦୦୭ ପରି ବ୍ୟକ୍ତିତ୍ୱ। ହାତରେ ମଇଳା ସଫାକୁ ନେଇ ହିନ୍ଦିରେ ଲିଖିତ ତାଙ୍କର ପୁସ୍ତକ ‘ଅଦୃଶ୍ୟ ଭାରତ’ ୨୦୧୨ ମସିହାରେ ପ୍ରକାଶିତ ହୋଇଥିଲା। ୨୦୧୪ରେ ପେଙ୍ଗୁଇନ୍ ଦ୍ୱାରା ଏହାର ଇଂରାଜୀ ଅନୁବାଦ ‘ଅନସିନ୍’ ପ୍ରକାଶ ପାଇଥିଲା। ତାଙ୍କ ସାମ୍ବାଦିକତା ଉତ୍ତର ଭାରତରେ କୃଷକମାନଙ୍କ ଦୂରବସ୍ଥା ଏ ନ୍ୟୁକ୍ଲିୟର୍ ପ୍ଲାଣ୍ଟର ରାଜନୈତିକ ଓ ଭୂ-ବାସ୍ତବିକତା ଏବଂ ଦଳିତ, ଲିଙ୍ଗଗତ ଓ ସଂଖ୍ୟାଲଘୁ ଅଧିକାର ଉପରେ ପର୍ଯ୍ୟବେସିତ।

Other stories by Bhasha Singh