“ଏସବୁ ମେସିନ୍‌ ଯଦି ଆଗରୁ ଅଣା ଯାଇଥାଆନ୍ତା, ତେବେ ମୋ ପିଲାମାନଙ୍କ ବାପା ସେମାନଙ୍କୁ ଛାଡ଼ି ଯାଇ ନ ଥାଆନ୍ତେ। ଏବେ ଏସବୁ ମୋର କୋଉ କାମରେ ଲାଗିବନି, କିନ୍ତୁ ଅତି କମ୍‌ରେ ଅନ୍ୟ ମହିଳାମାନଙ୍କ ପାଇଁ ତ କାମ ଦେବ। ସେମାନଙ୍କ ସ୍ଵାମୀମାନେ ନର୍ଦ୍ଦମାରେ ତ ମରିବେ ନାହିଁ। ମୋ ଭଳି ଆଉ କାହାରିକୁ ଦୁଃଖ ଭୋଗିବାକୁ ନ ପଡୁ।” ଏତିକି କହି ନିରବ ରହିଲେ ବ୍ୟଥା ଜର୍ଜରିତ ରାନୀ କୁମାରୀ।

ଗତ ବର୍ଷ ଶେଷ ଆଡ଼କୁ ମୁଁ ଯେତେବେଳେ ପ୍ରଥମେ ରାନୀଙ୍କୁ ଭେଟିଥିଲି ସେ ଦିଲ୍ଲୀର ଏକ ସମ୍ମିଳନୀ କକ୍ଷର ପାହାଚ ଉପରେ ବସିଥିଲେ। ମଣିଷ ଦ୍ଵାରା ମଣିଷର ମଳମୂତ୍ର ସଫା ବନ୍ଦ କରିବା ଏବଂ ଭୂତଳ ନର୍ଦ୍ଦମା ଓ ସେପ୍‌ଟିକ୍‌ ଟାଙ୍କିରେ ସଫେଇ କର୍ମଚାରୀଙ୍କ ମୃତ୍ୟୁକୁ ରୋକିବା ପାଇଁ ଦେଶବ୍ୟାପୀ ଚାଲିଥିବା ସଫେଇ କର୍ମଚାରୀ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ସେଠାକୁ ଆସିଥିଲେ। ବୈଷୟିକ ଜ୍ଞାନକୌଶଳ ବଳରେ କିପରି ହାତରେ ମଇଳା ସଫା କରିବା ସମସ୍ୟାର ସମାଧାନ ହୋଇପାରିବ ତାହା ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେଉଥିଲା ।

ପାହାଚ ଉପରେ ବସିଥିବା ବେଳେ ୩୬ ବର୍ଷ ବୟସ୍କା ରାନୀ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ଫଟୋଟିଏ ବାହାର କଲେ । ଏହା ଥିଲା ତାଙ୍କ ସାଥୀ ୩୦ ବର୍ଷୀୟ ଅନୀଲଙ୍କର । ନିଜର ଅସଜଡ଼ା ଓଢ଼ଣିରେ ଏହାକୁ ପୋଛିଦେଲେ ଏବଂ ଅସ୍ଥିର ହୋଇଉଠିଲେ । ସାତ ବର୍ଷର ଲକ୍ଷ୍ମୀ ଏବଂ ୧୧ ବର୍ଷର ଗୌରବ ସହିତ ଅଢ଼େଇ ବର୍ଷର ସୋନମ୍‌ଙ୍କୁ କାଖେଇ ପାହାଚରେ ତଳ ଉପର ହେବାରେ ଲାଗିଲେ।

ଯେତେବେଳେ ଜଣେ ମହିଳା ଭାରତ ବର୍ଷର ଭୂତଳ ନର୍ଦ୍ଦମାରେ କିମ୍ବା ସେପ୍‌ଟିକ୍‌ ଟାଙ୍କିରେ ପରିବାରର ଜଣେ ସଦସ୍ୟଙ୍କୁ ହରାନ୍ତି, ସେହି ଦୁଃଖଦ ସ୍ଥିତିର ମୁକାବିଲା କରିବା ସହିତ ତାଙ୍କୁ ନ୍ୟାୟ ଏବଂ କ୍ଷତିପୂରଣ ପାଇବା ପାଇଁ ଲଢ଼ିବାକୁ ହୁଏ, ତାଙ୍କ ପରିବାରକୁ ବଞ୍ଚାଇ ରଖିବା କଥାଚିନ୍ତା କରିବାକୁ ପଡ଼େ। ରାନୀଙ୍କର ସ୍ଥିତି ତ ଆହୁରି କଷ୍ଟଦାୟକ। ଦକ୍ଷିଣ-ପଶ୍ଟିମ ଦିଲ୍ଲୀର ଡାବଡ଼ି କଲୋନିରେ ତାଙ୍କ ଘରକୁ ଯାଇ ଆମେ ଆଉ ଟିକେ ଅଧିକ କଥା ହେବା ।

Rani holds her son in one hand and a frame of her and her husband on the other.
PHOTO • Bhasha Singh
PHOTO • Bhasha Singh

ଯେତେବେଳେ ଜଣେ ମହିଳା ଭାରତ ବର୍ଷର ଭୂତଳ ନର୍ଦ୍ଦମାରେ ପରିବାରର ଜଣେ ସଦସ୍ୟଙ୍କୁ ହରାନ୍ତି, ଦୁଃଖଦ ସ୍ଥିତିର ମୁକାବିଲା ସହିତ ତାଙ୍କୁ ନ୍ୟାୟ ଏବଂ କ୍ଷତିପୂରଣ ପାଇବା ପାଇଁ ଲଢ଼ିବାକୁ ହୁଏ, ତାଙ୍କ ପରିବାରକୁ ବଞ୍ଚାଇ ରଖିବା ବିଷୟରେ ଚିନ୍ତା କରିବାକୁ ପଡ଼େ ରାନୀ ଆଇନତଃ ଅନୀଲଙ୍କୁ ବାହା ହୋଇ ନଥିଲେ । ତେଣୁ ତାଙ୍କ ସ୍ଥିତି ତ ଆହୁରି କଷ୍ଟଦାୟକ।

ସେ କହନ୍ତି, “ମୁଁ ତାଙ୍କର ବିବାହିତା ସ୍ତ୍ରୀ ନୁହେଁ, କିନ୍ତୁ ମୁଁ ତାଙ୍କ ପାଇଁ ସବୁ କିଛି ଥିଲି। ଏବଂ ସେ ଥିଲେ ମୋର ଅତିପ୍ରିୟ। ସେ ମତେ ଭଲ ପାଉଥିଲେ, ସମ୍ମାନ ଦେଉଥିଲେ ଏବଂ ମୋ ପିଲାମାନଙ୍କୁ ନିଜ ପିଲା ଭଳି ଦେଖୁଥିଲେ।” ତାଙ୍କର ପୂର୍ବତନ ସ୍ଵାମୀ ଏବଂ ପିଲାମାନଙ୍କ ବାପାଙ୍କ ବିଷୟରେ ବେଶି କିଛି କହିବାକୁ ରାନୀ ଅନିଚ୍ଛୁକ ଥିଲେ। ରାନୀଙ୍କ କଥାରୁ ଜଣାପଡୁଥିଲା ଯେ ତାଙ୍କ ସ୍ଵାମୀ ପ୍ରଚଣ୍ଡ ରାଗୀ ଥିଲେ ଯାହାକି ତାଙ୍କ ହାତ ଓ ଗୋଡ଼ରେ ରହିଥିବା ପୋଡ଼ା ଦାଗରୁ ବୁଝି ହେଉଥିଲା। ତେଣୁ ସେ ଶେଷରେ ଅନ୍ୟ ଏକ ସହରକୁ ପଳାଇ ଆସିଲେ। “ଅନୀଲ ଏବଂ ମୁଁ ଏକାଠି ରହୁଥିଲୁ (ଗତ ୩-୪ ବର୍ଷ ହେଲା)। ଆମର ମନ ଏକ ଥିଲା, କିନ୍ତୁ ଆମେ ବିବାହ କରିନଥିଲୁ। ପୂର୍ବରୁ ମୁଁ ଅନ୍ୟ ଜଣଙ୍କୁ ବାହା ହୋଇଥିଲି କିନ୍ତୁ ଅନୀଲ ଏକୁଟିଆ ଥିଲେ। ଆମ ସଂପର୍କରେ କିଛି ଲୁଚାଚୋରା ନ ଥିଲା। ଆମେ ସ୍ଵାମୀ-ସ୍ତ୍ରୀ ଭଳି ରହୁଥିଲୁ ବୋଲି ସମସ୍ତେ ଜାଣିଥିଲେ । ପ୍ରଥମ ଥର ପାଇଁ ମୋ ପିଲାମାନେ ବାପାଙ୍କ ସ୍ନେହ ପାଇଲେ। ଆମେ ଦାରିଦ୍ର୍ୟରେ ଦିନ କାଟୁଥିଲୁ, କିନ୍ତୁ ଖୁସିରେ ଥିଲୁ।”

୨୦୧୮ ସେପ୍ଟେମ୍ବର ୧୪ ତାରିଖ ଦିନ ଡାବ୍‌ରିରେ ଥିବା ତାଙ୍କ ଘରଠାରୁ ଅଳ୍ପ ଦୂର ମୁଖ୍ୟ ରାସ୍ତାରେ ମ୍ୟୁନିସିପାଲିଟିର ଭୂତଳ ନର୍ଦ୍ଦମାରେ ପ୍ରାଣ ହରାଇଥିଲେ ଦଳିତ ବାଲ୍ମିକୀ ସଂପ୍ରଦାୟର ଅନୀଲ କୁମାର। ସ୍ଥାନୀୟ ପୋଲିସ ଥାନାରେ ଦାୟର FIR (ଏତଲା) ଅନୁସାରେ ସେତେବେଳର ସମୟ ଥିଲା ସନ୍ଧ୍ୟା ୭ଟା । ରାନୀ ଓ ପଡ଼ୋଶୀମାନେ କହିଥିଲେ ଯେ, ଅପରାହ୍‌ଣ ୫.୩୦ ପରେ ଅନୀଲ ଏକ ଫୋନ୍‌ କଲ୍‌ ପାଇଥିଲେ ଏବଂ ସେ କାମ ପାଇଁ ବାହାରି ଯାଇଥିଲେ। ଏତଲାରେ ଉଲ୍ଲେଖ ଥିବା ଜଣେ ସାକ୍ଷୀଙ୍କ ବୟାନ ଅନୁସାରେ ସ୍ଥାନୀୟ ଜଣେ ଠିକାଦାର ଅନୀଲଙ୍କୁ ଭୂତଳ ନର୍ଦ୍ଦମା ଭିତରକୁ କାମ କରିବାକୁ ପଠାଇଥିଲେ । ତାହା ବି କେବଳ ଏକ ସରୁ ଦଉଡ଼ି ସାହାଯ୍ୟରେ। ଦଉଡ଼ିଟି ଛିଣ୍ଡି ଯାଇଥିଲା ।

ସେହି ସନ୍ଧ୍ୟାରେ ଘରେ ଅପେକ୍ଷା କରିଥିବା ରାନୀଙ୍କ ଚିନ୍ତା ବଢ଼ିବାରେ ଲାଗିଥିଲା, କାରଣ ଅନୀଲ ଫୋନ୍‌ ଉଠାଉ ନ ଥିଲେ। ବିଭିନ୍ନ ରାସ୍ତାରେ ତାଙ୍କୁ ଖୋଜିବା ପାଇଁ ରାନୀ ବାହାରି ପଡ଼ିଲେ। ସେତେବେଳେ କେହି ଜଣେ କହିଲେ ସେ ନର୍ଦ୍ଦମାରେ ଜଣେ ବ୍ୟକ୍ତି ପଡ଼ିଯାଇଛି । ରାନୀ ସେଠାରୁ ଧାଇଁଗଲେ ଏବଂ ସେଠାରେ ଅନୀଲଙ୍କ ଜୋତା ପଡ଼ିଥିବା ଦେଖିଲେ। ଅନୀଲଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

୧୫ ବର୍ଷରୁ ଅଧିକ ସମୟ ଧରି ସେ ନାଳନର୍ଦ୍ଦମା ସଫା କରିଆସୁଥିଲେ। ନାଳ ଓ ଭୂତଳ ନର୍ଦ୍ଦମା ସଫା ପାଇଁ ତାଙ୍କୁ ଯୋଗାଯୋଗ କରିବା ଲାଗି ତାଙ୍କ ଘରକୁ ରାସ୍ତା ଦେଖାଉଥିବା ଏକ ବୋର୍ଡ ସେ ସେହି ଗଳିରେ ଲଗାଇଥିଲେ। ଏଥିରେ ତାଙ୍କ ଫୋନ୍‌ ନମ୍ବର ଥିଲା । ତାଙ୍କ ମୃତ୍ୟୁ ପରେ ପୋଲିସ ସେହି ବୋର୍ଡକୁ କାଢ଼ି ଦେଇଥିଲା।

ଏତଲାରେ ଉଲ୍ଲେଖ ଥିବା ଜଣେ ସାକ୍ଷୀଙ୍କ ବୟାନ ଅନୁସାରେ ସ୍ଥାନୀୟ ଜଣେ ଠିକାଦାର ଅନୀଲଙ୍କୁ କେବଳ ଏକ ସରୁ ଦଉଡ଼ି ସାହାଯ୍ୟରେ ଭୂତଳ ନର୍ଦ୍ଦମା ଭିତରକୁ କାମ କରିବାକୁ ପଠାଇଥିଲେ । ଦଉଡ଼ିଟି ଛିଣ୍ଡି ଯାଇଥିଲା ।

ଭିଡିଓ ଦେଖନ୍ତୁ: ‘ନର୍ଦ୍ଦମାରୁ ପାଣିଫୋଟକା ବାହାରୁଥିଲା । ଅନୀଲ ତା’ରି ଭିତରେ ପଡ଼ିଯାଇଥିଲେ’

ଏହି ସବୁ କାମ ବଦଳରେ ତାଙ୍କୁ ଛୋଟ ନର୍ଦ୍ଦମା ପାଇଁ ୨୦୦ରୁ ୩୦୦ ଟଙ୍କା ଏବଂ ବଡ଼ ଭୂତଳ ନର୍ଦ୍ଦମା ପାଇଁ ୫୦୦ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ମିଳୁଥିଲା। ଅନୀଲ ମାସକୁ ୭,୦୦୦ ଟଙ୍କା ରୋଜଗାର କରୁଥିଲେ। ସାଧାରଣତଃ ବର୍ଷା ପୂର୍ବରୁ ତାଙ୍କ କାମ ବଢୁଥିଲା ଏବଂ ତା ସହ ତାଙ୍କ ମାମୁଲି ରୋଜଗାର ବି । ରାନୀ ୩-୪ଟି ଘରେ ଚଟାଣ ସଫା କରୁଥିଲେ ଏବଂ ମାସକୁ ମୋଟ ପ୍ରାୟ ୨,୫୦୦ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ସେ ନିୟମିତ କାମକୁ ଯାଇପାରୁ ନ ଥିଲେ। ସେ କହନ୍ତି ଯେ ପିଲାମାନଙ୍କ ଦେଖାରଖା ପାଇଁ ତାଙ୍କୁ ଘରେ ରହିବାକୁ ପଡୁଥିଲା । ସମ୍ଭବତଃ ଗୁରୁତର ଅପପୁଷ୍ଟି ଯୋଗୁଁ ତାଙ୍କ ବଡ଼ ଝିଅ ଲକ୍ଷ୍ମୀର ଦୁଇଟି ଯାକ ଗୋଡ଼ ବିକୃତ ହୋଇଯାଇଥିଲା ଏବଂ ସେ ଠିକ୍‌ ଭାବେ କଥା କହିପାରେ ନାହିଁ । ଛୋଟ ଝିଅ ସୋନମ୍‌ ବିନା ସହାୟତାରେ ଚାଲି ବି ପାରେ ନାହିଁ । ତେଣୁ ଅନୀଲ ସହ ରହିବା ପରଠାରୁ ରାନୀ ଘରକାମ ଲାଗି ଯିବା ବନ୍ଦ କରିଦେଇଥିଲେ ।

ମୂଳତଃ ରାନୀ ଏବଂ ଅନୀଲ ଉଭୟ ଉତ୍ତରାଖଣ୍ଡ ହରିଦ୍ଵାରର ସହରତଳି ଅଞ୍ଚଳ କନଖଲର ବାସିନ୍ଦା। ରାନୀଙ୍କ ବାପାମାଆ ନାହାନ୍ତି। ସେ କହନ୍ତି, ପରିବାର ବୋଲି କେବଳ ତାଙ୍କର ପିଲାମାନେ । ଅନୀଲଙ୍କ ମୃତ୍ୟୁର ପ୍ରାୟ ୧୦ ଦିନ ପୂର୍ବରୁ ରାନୀ ଓ ଅନୀଲଙ୍କ ଚାରି ମାସର ପୁଅ ନିମୋନିଆରେ ପ୍ରାଣ ହରାଇଥିଲା ।

ଯେତେବେଳେ ଅନୀଲଙ୍କର ମୃତ୍ୟୁ ହେଲା ରାନୀ ଏତେ ବିବ୍ରତ ହୋଇପଡ଼ିଲେ ଯେ ସେ ତାଙ୍କ ନିଜ ଜୀବନ ଶେଷ କରିବାକୁ ଚାହୁଁଥିଲେ। ସେ କହନ୍ତି, “ଦିନେ, ମୁଁ ଭାବିଲି ଯେ ଏହି କାହାଣୀକୁ ମୁଁ ଏତିକିରେ ସାରିଦେବି''। ""ଆଉ କେତେ ଜାଗାରେ ମୁଁ ଲଢ଼ି ପାରିବି ? ମୋର ରାଗ ବଢ଼ିବାରେ ଲାଗିଲା। ମୁଁ ଘରେ ଥିବା ସବୁ ଲୁଗାପଟା ଏକାଠି କରି ନିଆଁ ଲଗାଇଦେଲି... ଘରମାଲିକ ଦୌଡ଼ି ଆସିଲେ ଏବଂ ନିଆଁ ଲିଭାଇଲେ । ମୁଁ କାନ୍ଦୁଥିଲି, ମୁଁ ରାଗୁଥିଲି, ମତେ କଷ୍ଟ ହେଉଥିଲା।”

ଅନୀଲଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କୁ ଧରିବା ବଦଳରେ ପୋଲିସ ରାନୀଙ୍କ ସହ ତାଙ୍କର ଜୀବନଯାପନ ଉପରେ ଟିପ୍ପଣୀ କରୁଥିଲା । ରାନୀ କହନ୍ତି, “ସେମାନେ ଅଭଦ୍ର ଭାବରେ ହସିଲେ ଏବଂ କହିଲେ ‘କିଏ ଜାଣେ କେତେ ଲୋକଙ୍କ ସାଙ୍ଗରେ ସେ ଶୋଇଥିବ, ତା’ର କେତେ ଜଣ ସ୍ଵାମୀ ଥିବେ । କିଏ କହିପାରିବ ଯେ କାଲି ସେ କାହା ସାଙ୍ଗରେ ରହିବ ? କିଏ ତା କଥା ଶୁଣିବ?’ ଏବେ ମତେ କହନ୍ତୁ କି ମୁଁ କ’ଣ କରିବା କଥା ?”

Children on bed
PHOTO • Bhasha Singh

ଅନୀଲଙ୍କ ମୃତ୍ୟୁ ପରେ ଅତି ଦୁଃଖକଷ୍ଟରେ ଡାବ ରିର ଏକ ଛୋଟ ଅନ୍ଧାରୁଆ ଏବଂ ସନ୍ତସନ୍ତିଆ କୋଠରିରେ ରହୁଥିବା ରାନୀ ଏବଂ ତାଙ୍କର ତିନି ପିଲା, ଦୁଇ ଝିଅ ଏମିତି ଅପପୁଷ୍ଟିରେ ଆକ୍ରାନ୍ତ ଯେ ଅତି କଷ୍ଟରେ ଚାଲନ୍ତି।

ଅନୀଲଙ୍କ ମୃତ୍ୟୁ ପରେ କିଛି ସପ୍ତାହ ହେଲା ଅତି ଦୁଃଖକଷ୍ଟରେ ଡାବରିର ଏକ ଛୋଟ ଅନ୍ଧାରୁଆ ଏବଂ ସନ୍ତସନ୍ତିଆ କୋଠରିରେ ରହିଲେ ରାନୀ ଏବଂ ତାଙ୍କର ତିନି ପିଲା । ଘରଭଡ଼ା ଦେବାକୁ ବି ସେ ସମର୍ଥ ନ ଥିଲେ । କିଛି ଦିନ ହେଲା ରାନୀ ଓ ଅନୀଲ କରଜ କରିଥିଲେ ଏବଂ କରଜଦାତାମାନେ ରାନୀଙ୍କୁ ହଇରାଣ କରିବା ଆରମ୍ଭ କଲେ। ଭୂତଳ ନର୍ଦ୍ଦମାର ସେହି ଦୁର୍ଘଟଣା ପରେ ସାଙ୍ଗସାଥୀଙ୍କ ସାମନା କରି ନପାରି ଗୌରବ ସ୍କୁଲ ଯିବା ବନ୍ଦ କରିଦେଲା ।

୨୦୦୩ରେ ସଫେଇ କର୍ମଚାରୀ ଆନ୍ଦୋଳନ ପକ୍ଷରୁ ଦାୟର ଏକ ଜନସ୍ଵାର୍ଥ ସମ୍ବଳିତ ମାମଲାରେ ୨୦୧୪ରେ ସୁପ୍ରିମ କୋର୍ଟ ଦେଇଥିବା ଏକ ନିର୍ଦ୍ଦେଶ ଅନୁସାରେ ଭୂତଳ ନର୍ଦ୍ଦମା ସଫା କରିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ।  ଜଣେ ‘ନିର୍ଭରଶୀଳ’ ଏବଂ ଲିଭ୍‌-ଇନ୍‌ ସାଥୀ ହିସାବରେ ରାନୀ ଏହି କ୍ଷତିପୂରଣ ପାଇବାକୁ ଆଇନତଃ ହକଦାର । ସେ କହନ୍ତି, “ପ୍ରଥମେ ସମସ୍ତେ କହିଲେ ଯେ ୧୦ ଲକ୍ଷ ଟଙ୍କା ପାଇବା ଦିଗରେ ସେମାନେ ସାହାଯ୍ୟ କରିବେ । କିନ୍ତୁ କୌଣସି ନା କୌଣସି ବାହାନା ଦେଖାଇ ସେମାନେ ସେମାନଙ୍କ କଥାରୁ ଓହରି ଯାଇଛନ୍ତି । ଏହି ବ୍ୟବସ୍ଥା ଭିତରେ ମୁଁ ଓ ମୋ ପିଲାମାନଙ୍କର ଅସ୍ତିତ୍ଵ ନାହିଁ ।”

ଯେହେତୁ ଉଭୟ ଏକାଠି ରହୁଥିଲେ ଏବଂ ରାନୀ ଏ ସଂପର୍କରେ ଖୋଲାଖୋଲି କହୁଥିଲେ, ସେ କହନ୍ତି “ସମସ୍ତେ ଆମଠାରୁ ଦୂରେଇ ଗଲେ ।” ପ୍ରଥମେ ପ୍ରଥମେ ଏହି ପରିବାରକୁ ସାହାଯ୍ୟ କରିବେ ବୋଲି ଯେଉଁ କେତେକ ସଂଗଠନ କହିଥିଲେ, ସେମାନେ ଅମଙ୍ଗ ହେଲେ । ଯଦିଓ ତା’ ପରଠାରୁ କେତେକ ଦାତବ୍ୟ ଅନୁଷ୍ଠାନ ସାଧାରଣ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲେ, ଯାହା ୫୦ ଲକ୍ଷ ଟଙ୍କା ( ଠିକ୍‌ କେତେ ଟଙ୍କା ତାହା ମୁଁ କହିପାରିବିନାହିଁ ) ବୋଲି କୁହାଯାଏ । ଏହି ଟଙ୍କାକୁ ଗୌରବ ନାଁରେ  ୧୦ ବର୍ଷ ପାଇଁ ଫିକ୍‌ସଡ ଡିପୋଜିଟ୍‌ କରାଯାଇଛି । ଯେହେତୁ ସେ ନାବାଳକ ରାନୀ ଏହି ଜମାଖାତାର ପରିଚାଳନା କରିପାରିବେ ଏବଂ ଏହାର ସୁଧରେ ଘରଖର୍ଚ୍ଚ ଚଳାଇ ପାରିବେ । ଅନୀଲଙ୍କ ମୃତ୍ୟୁର ଠିକ୍‌ ପରେ ଅନ୍ୟ କେତେକ ବ୍ୟକ୍ତିଙ୍କ ଦାନରୁ ସଂଗୃହୀତ ପ୍ରାୟ ୫୦,୦୦୦ ଟଙ୍କା ମଧ୍ୟ ଏହି ଆକାଉଣ୍ଟରେ ଜମା କରାଯାଇଛି ।

PHOTO • Bhasha Singh
At the India SaniTech Forum, women who have lost family members
PHOTO • Bhasha Singh

ବାମ : ସାଙ୍ଗସାଥୀମାନଙ୍କ ସାମନା କରି ନପାରି ରାନୀଙ୍କ ପୁଅ ଗୌରବ ସ୍କୁଲ ଯିବା ବନ୍ଦ କରିଦେଇଛି । ଡାହାଣ: ଇଣ୍ଡିଆ ସାନିଟେକ୍‌ ଫୋରମ୍‌ରେ, ଭୂତଳ ନର୍ଦ୍ଦମା ସଫା କରିବା ପାଇଁ ମେସିନ୍‌ ଆଣିବାକୁ ଦାବି କରିଥିଲେ ନିଜ ପରିବାର ସଦସ୍ୟଙ୍କୁ ହରାଇଥିବା ମହିଳାମାନେ

ସଫାଇ କର୍ମଚାରୀ ଆନ୍ଦୋଳନ ସହିତ ସଂପ୍ରଦାୟର ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ । ଅନୀଲଙ୍କ ଜଣେ ସାଥୀ କର୍ମୀ ବୀରେନ୍ଦ୍ର ସିଂହ ବ୍ୟାଙ୍କ କାଗଜପତ୍ର କାମରେ ରାନୀଙ୍କ ସହାୟତା କରନ୍ତି ଏବଂ ଆନ୍ଦୋଳନର ସଭାକୁ ତାଙ୍କ ସାଙ୍ଗରେ ଯାଆନ୍ତି । ସେ କହନ୍ତି ଯେ, ଅନୀଲଙ୍କ ଭଳି ସେମାନଙ୍କ ବାଲ୍ମିକୀ ସଂପ୍ରଦାୟର ଅନେକ ଅବିବାହିତ ପୁରୁଷ ଦିଲ୍ଲୀରେ ଅଛନ୍ତି । “ଯେହେତୁ ଆମର ଏକ ସ୍ଥାୟୀ ଚାକିରି ନାହିଁ, ଗାଁରେ ମଧ୍ୟ ଆମେ ବିବାହ କରୁନାହିଁ । ମତେ ବି ୩୦ ବର୍ଷରୁ ଅଧିକ ହେଲାଣି କିନ୍ତୁ ବାହା ହେବାର ଆଶା ନାହିଁ । ମୁଁ ରାନୀ ଏବଂ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି, କାରଣ ସମାଜ ଓ ପୋଲିସ ତାଙ୍କୁ ଶେଷ କରିଦେବାକୁ ଚାହୁଁଛନ୍ତି।”

ଆମ କଥାବାର୍ତ୍ତା ପରେ, ରାନୀ ତାଙ୍କ ପିଲାମାନଙ୍କୁ ସାଙ୍ଗରେ ଧରି ମୋ ସହ ଡାବରିର ସେହି ଗଳି ଶେଷମୁଣ୍ଡ ପର୍ଯ୍ୟନ୍ତ ଚାଲି ଚାଲି ଯାଆନ୍ତି । “ଖୁବ କମ୍‌ ବୟସରେ ମୁଁ ବହୁତ ଦୁଃଖକଷ୍ଟ ସହିଛି । ମତେ ମାଡ଼ ମରାଯାଇଛି । କିନ୍ତୁ ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସୁଖ ପାଇଥିଲି । ଏମିତି ସୁଖର ଅନୁଭବ ପାଇବା ପରେ ଏବେ ପୁଣି ଦୁଃଖଭରା ଜୀବନ ବିତାଇବା କଷ୍ଟକର । ଏକାକୀ ରହୁଥିବା ଜଣେ ମହିଳା ସମାଜରେ ଥିବା ଶାଗୁଣାମାନଙ୍କ ଆକ୍ରମଣର ଶିକାର ହେବା ଆଶଙ୍କା ରହିଛି । ମୁଁ ଏହି ପିଲାମାନଙ୍କ ପାଇଁ ବଞ୍ଚୁଛି ଏବଂ ମୋର ଯାହା ହେଉ ପଛେ ମୁଁ ବଞ୍ଚି ରହିବି । ଆମେ ଯେତେବେଳେ ମେସିନ୍‌ (ଭୂତଳ ନର୍ଦ୍ଦମା ସଫା କରିବାକୁ) ଚଳାଇବା, ସେତେବେଳେ ଲୋକେ ଆମର ଦକ୍ଷତା ବୁଝିପାରିବେ । ଆପଣ ଏହି ମେସିନ୍‌ଗୁଡ଼ିକୁ ଶୀଘ୍ର ଆଣିବା ଦରକାର...”

ଇଣ୍ଡିଆ ସାନିଟେକ୍‌ ଫୋରମ୍‌ରେ ପାହାଚ ଉପରେ ବସିଥିବା ରାନୀଙ୍କୁ ମୁଁ ପ୍ରଥମେ ଭେଟିଥିଲି। ସେଠାରେ ବିଭିନ୍ନ ମେସିନ୍‌ ପ୍ରଦର୍ଶିତ ହେଉଥିଲା। ସେଗୁଡ଼ିକ ମଧ୍ୟରେ ଥିଲା ‘ବ୍ୟାଣ୍ଡିକୁଟ୍‌’ ନାମକ ଏକ କ୍ଲିନିଂ ରୋବୋଟ୍, ଯାହାକି ପ୍ରଥମ ଥର ପାଇଁ କେରଳରେ ବ୍ୟବହାର କରାଯାଉଥିବା କୁହାଯାଇଛି। ଆଉ ଏକ ନୂଆ ମେସିନ୍‌ର ନାଁ ହେଲା ‘ସିୱେରକ୍ରକ୍‌’। ଏହା ଜେଟ୍‌ ପ୍ରେସର ଏବଂ କଟର୍‌ ବଳରେ କାଦୁଅ ମିଶା ଅଳିଆକୁ କାଟିପାରିବ । ସେଥିରେ ଏକ ୩୬୦-ଡିଗ୍ରୀରେ ଘୂରି ବୁଲୁଥିବା କ୍ୟାମେରା ଲାଗିଛି, ଯାହା ଭୂତଳ ନର୍ଦ୍ଦମା ଭିତରର ଦୃଶ୍ୟକୁ ବାହାରେ ଥିବା କମ୍ପ୍ୟୁଟରକୁ ପଠାଇ ପାରିବ। ଏକ ‘ଗ୍ୟାସ୍‌-ଟେଷ୍ଟର’ ମଧ୍ୟ ପ୍ରଦର୍ଶିତ ହେଉଥିଲା ଯାହା ଭିତରେ ଥିବା ବିଷାକ୍ତ ଗ୍ୟାସ୍‌ ସଂପର୍କରେ ସତର୍କ କରାଇପାରିବ। ବିଷାକ୍ତ ଗ୍ୟାସ୍‌ ହିଁ ଟାଙ୍କି ଓ ଭୂତଳ ନର୍ଦ୍ଦମାରେ ବହୁସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ । ମଣିଷ ନର୍ଦ୍ଦମା ଭିତରକୁ ଯିବା ନିହାତି ଅପରିହାର୍ଯ୍ୟ ହେଉଥିଲେ ସେମାନଙ୍କ ସୁରକ୍ଷା ପାଇଁ ଥିବା ଏକ ‘ସିୱେର୍‌-ସୁଟ୍‌’ ସେଠାରେ ପ୍ରଦର୍ଶିତ ହେଉଥିଲା । ଏହି ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ବ୍ୟବସ୍ଥା ପ୍ରଚଳନ ସକାଶେ ଦିଲ୍ଲୀ ପ୍ରଶାସନ ସମେତ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଥିବା କୁହାଯାଉଛି ।

ଏହି ସମ୍ମିଳନୀରେ ରାନୀଙ୍କ ସହିତ ଦିଲ୍ଲୀ, ହରିଆଣା, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ଅନ୍ୟ ପ୍ରାୟ ୧୦ ଜଣ ମହିଳା ସେମାନଙ୍କ ବକ୍ତବ୍ୟ ରଖିଥିଲେ । ସେମାନେ ସମସ୍ତେ ସେହି ସବୁ ଦୁଃଖଦ ଘଟଣାକୁ ମନେ ପକାଇଲେ ଯେଉଁଥିରେ ସେମାନଙ୍କ ସ୍ଵାମୀ ବା ପରିବାରର ଅନ୍ୟ ସଦସ୍ୟ ପ୍ରାଣ ହରାଇଥିଲେ । ସେମାନେ ସେମାନଙ୍କ କ୍ଷୋଭ ଓ ଚିନ୍ତା ବ୍ୟକ୍ତ କଲେ। ସେମାନେ ଅନେକ ଭାଷାରେ କହିଲେ। କିନ୍ତୁ ସମସ୍ତେ ସେଇ ଗୋଟିଏ ସଂକଟର ସମାଧାନ ଚାହୁଁଥିଲେ। ପ୍ରାୟ ସମସ୍ତେ ବୈଷୟିକ ସମାଧାନକୁ ସମର୍ଥନ କଲେ ଏବଂ କହିଲେ ଯେ, ସେମାନେ ଏହି ସବୁ ଯନ୍ତ୍ରପାତି କେମିତି ଚଳାଇବାକୁ ହେବ ତାହା ଶିଖିବାକୁ ଚାହୁଁଛନ୍ତି, ଯାହା ବଳରେ ମଣିଷ ବଦଳରେ ମେସିନ୍‌ ଦ୍ଵାରା ଦେଶର ଭୂତଳ ନର୍ଦ୍ଦମାଗୁଡ଼ିକୁ ସଫା କରିହେବ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Bhasha Singh

Bhasha Singh is an independent journalist and writer, and 2017 PARI Fellow. Her book on manual scavenging, ‘Adrishya Bharat’, (Hindi) was published in 2012 (‘Unseen’ in English, 2014) by Penguin. Her journalism has focused on agrarian distress in north India, the politics and ground realities of nuclear plants, and the Dalit, gender and minority rights.

Other stories by Bhasha Singh