ପୁତୁଲ୍ ଦଲୋଇଙ୍କ ସ୍ୱାମୀ ଚନ୍ଦନ ମୃତ୍ୟୁବରଣ କରିବା ଏ ମଧ୍ୟରେ ଛ’ ମାସ ବିତି ଗଲାଣି  । ନୂଆ ଦିଲ୍ଲୀର ବସନ୍ତ କୁଞ୍ଜ ସ୍ଥିତ ବେଙ୍ଗଲି ମୋହଲାରେ ଥିବା ତାଙ୍କ ଛୋଟ ଘରକୁ ଯିବା ପାଇଁ ଯେଉଁ ରାସ୍ତା ଅଛି ତାହା ଗାଈ ଓ ମଇଁଷୀଙ୍କ ଦ୍ୱାରା ଭର୍ତ୍ତି ।  ଏହ ଦୁଗ୍ଧ ବ୍ୟବସାୟର କେନ୍ଦ୍ରସ୍ଥଳ । ବାୟୁ ମଣ୍ଡଳରେ ଗୋବରର ଗନ୍ଧ ମିଶି ଯାଇଛି । ଏହି ମୋହଲାର ଅଧିକାଂଶ ବାସିନ୍ଦା ପ୍ରବାସୀ ବଙ୍ଗୀୟ।

୨୬ ବର୍ଷ ବୟସ୍କା ପୁତୁଲଙ୍କ ଘରର ଗୋଟିଏ କାନ୍ଥରେ ଦୁର୍ଗାଙ୍କର କାଳୀ ଅବତାରର ଛବିଟିଏ ଅଛି  ।  ଏହା କଡ଼ରେ ତାଙ୍କ ସ୍ୱାମୀଙ୍କର ଏକ ପୁରୁଣା ଫଟୋ ।  ତାଙ୍କର ଅଳ୍ପ ଦିନ ପୂର୍ବର ଏକ ଫଟୋ ଟେବୁଲ୍ ଉପରେ ରଖାଯାଇ ତା’ ପାଖରେ ଧୂପ କାଠି ଲଗାଯାଇଛି ।

PHOTO • Bhasha Singh

ପୁତୁଲ୍ ଦଲୋଇ ନୂଆ ଦିଲ୍ଲୀର ବେଙ୍ଗଲି ମୋହଲାରେ ବାସ କରନ୍ତି ( ବାମ ) , ଏହା ତାଙ୍କ ସ୍ୱାମୀ ଯେଉଁ ମଲ୍‌ରେ କାମ କରୁଥିଲେ ତା’ ଠାରୁ ଅଧିକ ଦୂରରେ ନୁହେଁ

୩୦ ବର୍ଷ ବୟସ୍କ ଚନ୍ଦନ ଦଲୋଇ ବସନ୍ତ ସ୍କୋୟାର ମଲ୍‌ରେ ୭ ବର୍ଷ କାମ କରିଥିଲେ । ପରିମଳ ସେବା ପ୍ରଦାନ ପାଇଁ ୱାର୍ଲ୍ଡ କ୍ଲାସ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିଯୁକ୍ତି ପାଇଥିବା ହାଉସ୍‌କିପିଂ ଟିମ୍‌ର ସେ ଅଂଶ ଥିଲେ ।  ୨୦୧୬ ନଭେମ୍ବର ୧୧ ତାରିଖରେ ଚନ୍ଦନ ଓ ଅନ୍ୟ କର୍ମଚାରୀମାନଙ୍କୁ ମଲ୍ ପରିସରରେ ଥିବା ଏକ ସେପ୍ଟିକ୍ ଟ୍ୟାଙ୍କି ସଫା କରିବାକୁ କୁହାଗଲା ।  ଚନ୍ଦନ କୌଣସି ସୁରକ୍ଷା ଉପକରଣ ବିନା ଟ୍ୟାଙ୍କି ଭିତରକୁ ଓହ୍ଲାଇଲେ – ଏବଂ ବିଷାକ୍ତ ବାଷ୍ପରେ ଶ୍ୱାସରୁଦ୍ଧ ହୋଇଗଲେ । ତାଙ୍କ ସହକର୍ମୀ ଇସ୍ରାଏଲ୍ ତାଙ୍କୁ ସାହାଯ୍ୟ କରିବାକୁ ଭିତରକୁ ଡେଇଁ ପଡ଼ିଲେ, କିନ୍ତୁ ସେ ମଧ୍ୟ ଅଚେତ ହୋଇଗଲେ । ସମ୍ବାଦରୁ ମିଳିଥିବା ସୂଚନା ଅନୁଯାୟୀ, ନିୟମିତ ପହରାରେ ଯାଉଥିବା ଜଣେ କନ୍‌ଷ୍ଟେବଲ୍ ଗୋଟିଏ ଦଉଡ଼ି ବ୍ୟବହାର କରି ସେମାନଙ୍କୁ ଟାଙ୍କି ବାହାରକୁ ଟାଣି ଆଣିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ । ପହଞ୍ଚିବା ମାତ୍ରେ ଚନ୍ଦନଙ୍କୁ ମୃତ ଘୋଷଣା କରାଗଲା ।  ଇସ୍ରାଏଲ୍ ବଞ୍ଚିଗଲେ ।

ପୁତୁଲ୍ ମନେ ପକାଇଲେ, “ଯେତେବେଳେ ମୁଁ ଏ ଖବର ଶୁଣିଲି, ମଲ୍‌କୁ ଧାଇଁଲି , କିନ୍ତୁ ମତେ ଭିତରକୁ ଯିବାକୁ ଅନୁମତି ଦିଆଗଲା ନାହିଁ।  ମତେ କୁହାଗଲା ଚନ୍ଦନଙ୍କୁ ଫୋର୍ଟିସ୍ ହସ୍ପିଟାଲ୍‌କୁ ପଠାଯାଇଛି ।  ବେଙ୍ଗଲି ମୋହଲାରୁ ଶହ ଶହ ଲୋକ ହସ୍ପିଟାଲ୍ ଠାରେ ଜମା ହୋଇଗଲେ, କିନ୍ତୁ ଆମକୁ ଘଉଡ଼ାଇ ଦିଆଗଲା । ମୁଁ ବିନତୀ କଲି ସେ ମୋ ସ୍ୱାମୀ , ମୁଁ ତାଙ୍କୁ ଦେଖିବି ।  ଏପରିକି ମୋ ପୁଅକୁ ମଧ୍ୟ ଭିତରୁ ଯିବାକୁ ଦିଆଗଲାନି ।  ସେମାନେ ଆମକୁ ଘଉଡ଼ାଇଲେ  ଯେମିତି ଆମେ ଅପରାଧି ।”

ଭିଡ଼ିଓ ଦେଖନ୍ତୁ : ‘ ମୁଁ ଯାହା ହରାଇଲି ହରାଇଲି , ସେ ଚାଲିଗଲେ ....’

“ତାଙ୍କ ଶେଷ ସମୟରେ ତାଙ୍କୁ ଦେଖି ନପାରିବାର ଯନ୍ତ୍ରଣା ଏବେ ବି ମତେ ଖାଉଛି ।” କହିବା ବେଳେ ପୁତୁଲ୍‌ଙ୍କ ଆଖି ଲୁହ ଛଳଛଳ ହୋଇ ଯାଉଥାଏ ।  ସେ କୁହନ୍ତି, “ମୋ ସ୍ୱାମୀଙ୍କୁ ଏହି ବେଆଇନ୍ କାମ କରିବା ପାଇଁ ବାଧ୍ୟ କରାଯାଇଥିଲା।” ଯେତେବେଳେ ପୁତୁଲ୍ ଜାଣିଲେ ଯେ ତାଙ୍କୁ ମଝିରେ ମଝିରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାକୁ ପଡ଼ୁଛି ସେତେବେଳେ ସେ ତାଙ୍କୁ ଏହି କାମ ଛାଡ଼ିବାକୁ କହୁଥିଲେ। କିନ୍ତୁ ଯଦି ଟାଙ୍କି ସଫା କରିବାକୁ ମନା କରି ଦେବେ ତା’ ହେଲେ ସେ କାମ ହରାଇ ପାରନ୍ତି ଚିନ୍ତା କରି ଚନ୍ଦନ ପୁତୁଲ୍‌ଙ୍କ କଥା ଶୁଣିଲେନି । କାରଣ ସେ ଜାଣିଥିଲେ ଆଉ ଏକ କାମ ପାଇବା ତାଙ୍କ ପାଇଁ ସହଜ ହେବନି ।

“ଯେଉଁମାନେ ତାଙ୍କୁ ଏହି କାମ ପାଇଁ ବାଧ୍ୟ କରି ଥିଲେ ସେମାନେ ଧରାଯିବା ଦରକାର । ସମସ୍ତେ ଜାଣନ୍ତି ଟାଙ୍କି ମଧ୍ୟରେ ଘାତକ ବାଷ୍ପ ଥାଏ ତଥାପି ମୋ ସ୍ୱାମୀଙ୍କୁ ଏହା ଭିତରକୁ ଓହ୍ଳାଇବାକୁ କୁହାଗଲା । କାହିଁକି? କାହିଁକି କେବଳ ମୋ ଜାତିର ଲୋକମାନଙ୍କୁ ନାଳ ନର୍ଦ୍ଦମା ସଫା କରିବାକୁ ନିଯୁକ୍ତି ଦିଆଯାଏ?  ଭାରତରେ “ବିକାଶ” ବିଷୟରେ ଏତେ ଚର୍ଚ୍ଚା କିନ୍ତୁ ଏବେ ବି ମଣିଷଙ୍କୁ ମଲ୍ ମାନଙ୍କରେ ନର୍ଦ୍ଦମାରୁ ମଇଳା କାଢ଼ିବାକୁ ବାଧ୍ୟ କରାଯାଉଛି ? କାହିଁକି ଏବେ ବି ଲୋକ ମାନେ ସେହି ନର୍ଦ୍ଦମା ଭିତରେ ପ୍ରାଣ ହରାଉଛନ୍ତି? ମୁଁ ମୋ ପ୍ରଶ୍ନଗୁଡ଼ିକର ଉତ୍ତର ଚାହୁଁଛି ।”

PHOTO • Bhasha Singh

ଚନ୍ଦନ ଦଲୋଇ ( ଡାହାଣ ) କିପରି ପ୍ରାଣ ହରାଇଲେ ସେ ସମ୍ପର୍କରେ ପୁତୁଲ୍ କୁହନ୍ତି , ‘ ସମସ୍ତେ ଜାଣନ୍ତି ଟାଙ୍କି ମଧ୍ୟରେ ଘାତକ ବାଷ୍ପ ଥାଏ ତଥାପି ମୋ ସ୍ୱାମୀଙ୍କୁ ଏହା ଭିତରକୁ ଓହ୍ଳାଇବାକୁ କୁହାଗଲା

ତେବେ ସୌଭାଗ୍ୟବଶତଃ ନ୍ୟାୟ ପାଇଁ ନିଜ ସଂଗ୍ରାମରେ ପୁତୁଲ୍ ଏକୁଟିଆ ନୁହଁନ୍ତି । ସେ ଚାପ ଆଗରେ ହାରି ଯାଇ ନାହାଁନ୍ତି । ଯେଉଁ  ଆଇଟି ପ୍ରଫେସନାଲ୍‌ଙ୍କ ଘରେ ପୁତୁଲ୍ ଘରୋଇ ସହାୟିକା ଭାବରେ କାମ କରୁଥିଲେ ସେ ପୋଲିସ୍‌ରେ ପ୍ରାଥମିକ ସୂଚନା ରିପୋର୍ଟ (FIR/ଏଫ୍‌ଆଇଆର୍ ) ଦେବାପାଇଁ ସାହାଯ୍ୟ କଲେ  । ବିଭିନ୍ନ ଏନ୍‌ଜିଓ ଏବଂ ମୋହଲାରେ ରହୁଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ନିଯୁକ୍ତିଦାତା ମଧ୍ୟ ସହଯୋଗ ଦେଲେ  ।

“ଶବ ବ୍ୟବଚ୍ଛେଦ ରିପୋର୍ଟ ସତ୍ୟ ଦର୍ଶାଇଥିଲା – ମୃତ୍ୟୁର କାରଣ ବିଷାକ୍ତ ବାଷ୍ଫଜନିତ ଶ୍ୱାସରୁଦ୍ଧତା”। ପୁତୁଲ୍‌ଙ୍କ ସମ୍ପର୍କୀୟା ଦିପାଲୀ ଦଲୋଇ କହିଥିଲେ, “ବିଦ୍ୟୁତ୍ ଆଘାତ କାରଣରୁ ମୃତ୍ୟୁ ହୋଇଛି ଦର୍ଶାଇ କମ୍ପାନୀ ରିପୋର୍ଟ ବଦଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ସମସ୍ତେ ସତ କ’ଣ ଜାଣନ୍ତି। ଯେତେବେଳେ ହାଉସିଂ କଲୋନୀର ବାବୁମାନେ କମ୍ପାନୀ ବିରୋଧରେ ଏକ କେସ୍ ଫାଇଲ୍ କରିବାକୁ ଧମକ ଦେଲେ ସେତେବେଳେ ସେମାନେ ରିପୋର୍ଟ ସୁଧାରିଲେ।” ଏଥିସହ ଦିପାଲୀ କହିଥିଲେ, “ବ୍ୟବସ୍ଥା ଆମ ପ୍ରତି ଭେଦଭାବ କରୁଛି। ଯଦି ଦିଲ୍ଲୀରେ ଅବସ୍ଥା ଏପରି ତେବେ ଦୂରଦୁରାନ୍ତ ଗାଁଗୁଡ଼ିକରେ ଅବସ୍ଥା କ’ଣ ହୋଇଥିବ ଏକଥା ଆପଣ ଅନୁମାନ କରିପାରୁଥିବେ?”

କେଇ ମାସ ଦୌଡ଼ିବା ପରେ ଚନ୍ଦନଙ୍କ ନିଯୁକ୍ତିଦାତା ପୁତୁଲ୍‌ଙ୍କୁ ୧୦ ଲକ୍ଷ ଟଙ୍କା ଦେଲେ (୨୦୧୪ ମସିହା ମାର୍ଚ୍ଚ ୨୭ ତାରିଖର ଏକ ରାୟରେ ସୁପ୍ରିମ୍ କୋର୍ଟ ୧୯୯୩ ମସିହାଠାରୁ ଯେଉଁମାନେ ନର୍ଦ୍ଦମା କିମ୍ବା ସେପ୍ଟିକ୍ ଟ୍ୟାଙ୍କ ସଫା କରିବା ସମୟରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ପାଇଁ କ୍ଷତିପୁରଣ ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ କରିଥିଲେ ) ଏବଂ ପୁତୁଲ୍‌ଙ୍କୁ ଏକ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେଲେ  ।

ତେବେ ବିଦ୍ରୁପଜନକ ଭାବରେ ଯେଉଁ କାମ ତାଙ୍କ ସ୍ୱାମୀଙ୍କ ଜୀବନ ନେଇଥିଲା ସେମାନେ ସେହି ହାଉସ୍‌କିପିଂ କାମ ତାଙ୍କୁ ଯାଚିଲେ ।

ପୁତୁଲ୍ ବ୍ୟସ୍ତ ହୋଇ କହିଲେ , “ଶେଷରେ ଜାତି ହିଁ ସବୁକିଛି । ମୁଁ ମୋ ସ୍ୱାମୀଙ୍କୁ ଫେରି ପାଇବିନି । କିନ୍ତୁ ମୁଁ କେବଳ ଚାହୁଁଛି ଆଉ କେହି ଏଭଳି ପରିସ୍ଥିତିକୁ ସାମ୍ନା କରିବା ଉଚିତ୍ ନୁହେଁ ।  କୌଣସି ଜୀବନ ନର୍ଦ୍ଦମାରେ ଶେଷ ହେବା ଉଚିତ ନୁହେଁ ।”

ପୁତୁଲ୍  ଓ ଚନ୍ଦନ ଅନୁସୂଚିତ ବାଗାଡି ଜାତି଼ର । ସେମାନେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୁନ୍ଦରବନରେ ଥିବା କାନ୍ଦିକପୁର ଗ୍ରାମରୁ ଦିଲ୍ଲୀ ଆସିଛନ୍ତି। ଗ୍ରାମରେ କାମ ନଥିଲା। ମଲ୍‌ରେ ଚନ୍ଦନ ୯୮୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ସେମାନେ ୩୫୦୦ ଟଙ୍କା ସେମାନଙ୍କ ରୁମ୍‌ର ଭଡ଼ା ବାବଦରେ ଦେଉଥିଲେ  ।

ବର୍ତ୍ତମାନ ଅବସାଦ ଗ୍ରସ୍ତ ହୋଇଥିବା ଏବଂ ନିକଟସ୍ଥ ବଂଲୋରେ ରୋଷେୟା ଭାବରେ ନିଜ କାମକୁ ଯାଇପାରୁ ନଥିବା ପୁତୁଲ୍ ଜାଣନ୍ତି ସେ ସୁନ୍ଦରବନକୁ ଫେରି ପାରିବେନି ।  ଫେରିବା ପାଇଁ ସେଠାରେ କିଛି ନାହିଁ । ତାଙ୍କ ଶାଶୁ, ଦିଅର ଏବଂ ତାଙ୍କ ପରିବାର ସେମାନଙ୍କ ୨-୨.୫ ବିଘା (ପ୍ରାୟ ୦.୬ ଏକର) ଚାଷ ଜମିରେ କୌଣସି ମତେ ଚଳୁଛନ୍ତି ।

ଏକଥା ଭାବିବାକୁ ଘୃଣା ଲାଗୁଥିଲେ ବି ପୁତୁଲ୍ ଜାଣନ୍ତି, ସେ ବୋଧହୁଏ ସଫେଇ କାମ ପାଇଁ ତାଙ୍କୁ ମିଳିଥିବା ପ୍ରସ୍ତାବକୁ ସେ ଗ୍ରହଣ କରିନେବେ । “ବର୍ତ୍ତମାନ ଏହା ବାଧ୍ୟତାମୂଳକ । ସମସ୍ତେ କହୁଛନ୍ତି ଏହି କାମ ଦ୍ୱାରା ମୁଁ ମୋ ସନ୍ତାନକୁ ଭଲଭାବରେ ଏବଂ ଅଧିକ ସୁରକ୍ଷିତ ଭାବରେ ବଡ଼ କରିପାରିବି ।”

ପୁତୁଲ୍ ଙ୍କ ନ’ ବର୍ଷର ପୁଅ ଅମିତ୍ ଏକ ଷ୍ଟ୍ର-ବେରୀ ଆଇସ୍‌କ୍ରୀମ୍ ସହ ସ୍କୁଲ୍‌ରୁ ଘରକୁ ଫେରିଲା  । ସେ ବସନ୍ତ ପବ୍ଳିକ୍ ସ୍କୁଲ୍‌ର ଅପର୍ କେଜିରେ ପଢ଼ୁଛି ।  ତା’ର ବାପା ପିଜା ଏବଂ ବର୍ଗର୍ ପାଇଁ ସେମାନଙ୍କୁ ମଲ୍‌କୁ ନେଉଥିବା ସେ ମନେ ରଖିଛି । ଏଥିସହ ନଭେମ୍ବର ମାସର ସେହି ଦିନ ବି ମନେ ଅଛି , ଶରୀରର ମୁଣ୍ଡରୁ ନାଭି ପର୍ଯ୍ୟନ୍ତ ସିଲେଇ କରାଯାଇ ବାପାଙ୍କୁ ଘରକୁ ଆଣିଥିବା ସେ ଦେଖିଥିଲା ।

PHOTO • Bhasha Singh

ସେମାନଙ୍କ ପୁଅ ବର୍ଷର ଅମିତ୍ ପିତାଙ୍କ ଫଟୋ ସହ : ‘ ମୁଁ ଇଞ୍ଜିନିୟର୍ ହେବି ଏପରି କୌଶଳ ବିକାଶ କରିବି ଯାହା ମଣିଷକୁ ନର୍ଦ୍ଦମା ସଫା କରିବାକୁ ଦେବନାହିଁ

ଅମିତ୍ ଉଚ୍ଚ ସ୍ୱରରେ କହିଲେ , “ସେମାନେ ତାଙ୍କୁ ଅସନା ନର୍ଦ୍ଦମାରେ ପଶିବାକୁ ବାଧ୍ୟ କଲେ ଏବଂ ସେ ସେଠାରେ ପ୍ରାଣ ହରାଇଲେ ।” ଏଥିସହ ସେ କହିଥିଲେ , “ପରେ ସେମାନେ ଲୋକଙ୍କୁ ଦେଖାଇବା ପାଇଁ ସେଫ୍ଟି ବେଲ୍ଟ  ଳଗାଇଦେଲେ । ଯଦି ସେହି ବେଲ୍ଟ ଆଗରୁ ଲଗା ଯାଇଥା’ନ୍ତା ତେବେ ବାପା ନର୍ଦ୍ଦମା ଭିତରକୁ ଓହ୍ଲାଇବା ବେଳେ ମଇଳା ହୋଇ ଯାଇନଥାନ୍ତା । କିନ୍ତୁ ସେ ବେଲ୍ଟ ଏକଦମ୍ ସଫା ଥିଲା।”

ଅମିତ୍ ଖୁବ୍ ଶୀଘ୍ର ଜାତିଗତ ପକ୍ଷପାତିତା ଭିତରକୁ ଚାଲିଗଲେ ।  “ଯେତେବେଳେ ସ୍କୁଲ୍‌ରେ ମୋ ସାଙ୍ଗମାନେ ବାପାଙ୍କ ମୃତ୍ୟୁ ବିଷୟରେ ଜାଣିଲେ , ସେତେବେଳେ ସେମାନେ ମତେ ପଚାରିଲେ ସେ କାହିଁକି ନର୍ଦ୍ଦମା ଭିତରେ ପଶିଥିଲେ , ସେ ଏହି ଅସନା କାମ କାହିଁକି କରନ୍ତି? ମୁଁ ଜାଣି ନଥିଲି ମୋ ବାପା ଏହି କାମ କରନ୍ତି ବୋଲି, ତେଣୁ ମୁଁ ଚୁପ୍ ରହିଲି ।”

ଅମିତ୍ ଗୋଟେ ମୋବାଇଲ୍ ଫୋନ୍ ଆଣି ମତେ ତା’ ବାପାଙ୍କର ଫଟୋ ଦେଖାଇଲା ।  ପ୍ରତି ଫଟୋଗ୍ରାଫ୍ ସହ ତା’ର ଗୋଟେ କାହାଣୀ ଥାଏ । ସେ କହିଲା ,” ଯେତେବେଳେ ବାପା ନର୍ଦ୍ଦମା ଭିତରକୁ ଓହ୍ଳାଇଲେ ସେତେବେଳେ ସେ ତାଙ୍କର ପୋଷାକ ଓହ୍ଲାଇ ଦେଇଥିଲେ  ଏବଂ ଫୋନ୍‌କୁ ସେସବୁ ସହ ରଖି ଦେଇଥିଲେ  । ତାଙ୍କ ମୃତ୍ୟୁ ପରେ ମୁଁ ତାଙ୍କ ଫୋନ୍ ନେଇଗଲି ।  ପ୍ରତିଦିନ ସ୍କୁଲ୍ ପରେ ମୁଁ ତାଙ୍କ ଫଟୋ ଦେଖେ ଏବଂ ଫୋନ୍‌ରେ କିଛି ସମୟ ଖେଳେ ।”

ଭିଡ଼ିଓ ଦେଖନ୍ତୁ ; ‘ବାପା ଏମିତି ଯିବା ଠିକ୍ ହେଲାନି’

ଅମିତ ଉପରକୁ ଡେଇଁଲା ଓ କାନ୍ଥରେ ଲଗା ଯାଇଥିବା ଲାଲ୍ ପାଦଚିହ୍ନ ଆଡ଼କୁ ଆଙ୍ଗୁଠି ଦେଖାଇଲା ।  ଏହା ମୃତ୍ୟୁ ପରେ ନିଆଯାଇଥିବା ଚନ୍ଦନଙ୍କ ପାଦଚିହ୍ନ । ଶୁଭ ଅବସରରେ ହାତ ପାଦ ସଜେଇବା ପାଇଁ ବ୍ୟବହାର କରାଯାଉଥିବା ଅଳତାର ଲାଲ୍ ରଙ୍ଗ ଏହା । ସେମାନଙ୍କ ସମୂହର ବିଶ୍ୱାସ ଏହି ପାଦଚିହ୍ନ ସୁନିଶ୍ଚିତ କରେ ଯେ ଆତ୍ମା କେବେ ଚାଲିଯିବନି । ଅମିତ୍ କହିଲା , “ଦେଖ, ମୋ ବାପା ଏଇଠି ।”

ସେମାନଙ୍କ ପରିବର୍ଦ୍ଧିତ ପରିବାରର ପ୍ରାୟ ୫୦-୬୦ ସଦସ୍ୟ ଦିଲ୍ଲୀରେ ଅଛନ୍ତି ବୋଲି ପୁତୁଲ୍ ଆମକୁ ସୂଚନା ଦେଇଥିଲେ। ସବୁ ଗାଁଗୁଡ଼ିକ ସହରକୁ ଆସିଯାଇଥିବା ପରି ମନେ ହେଉଥିଲା । ସେମାନଙ୍କ ମଧ୍ୟରୁ ସମସ୍ତେ କୌଣସି ନା କୌଣସି ପ୍ରକାରର ସଫେଇ କାମରେ ସଂଶ୍ଲିଷ୍ଟ ଅଛନ୍ତି ପ୍ରାୟତଃ ଠିକା କର୍ମଚାରୀ ଭାବରେ। ସେମାନେ ଗାଁରୁ ବର୍ତ୍ତିଗଲେ କିନ୍ତୁ ସେମାନଙ୍କ ଜୀବନ ଓ ଜୀବିକାକୁ ସୀମିତ କରିଦେଇ ଥିବା ଜାତିଗତ ପରିଚୟରୁ ମୁକୁଳି ପାରିଲେନି । “ହାଉସ୍‌କିପିଂ” କେବଳ ଏକ ଗୌର ଚନ୍ଦ୍ରିକା, ଏହା ସେମାନଙ୍କ କାମର ସ୍ଥିତି ବଦଳେଇ ଦେଇନି ।

ପୁତୁଲ୍‌ଙ୍କ ବାପା ବହୁ ବର୍ଷ ହେବ ଦିଲ୍ଲୀର ଚିତ୍ତରଞ୍ଜନ ପାର୍କରେ ଝାଡ଼ୁ ଓ ସଫା କରୁଛନ୍ତି । ଚନ୍ଦନଙ୍କ ବଡ଼ ଭାଇ ନିର୍ମଲ୍ ଏବଂ ଭଉଣି ସୁମିତ୍ରା ସେମାନଙ୍କ ପୂର୍ବରୁ ଦିଲ୍ଲୀକୁ ଆସିଛନ୍ତି। ସେମାନଙ୍କ ସମୂହର ପୁରୁଷମାନେ ସାଧାରଣତଃ ହାଉସ୍‌କିପିଂ ଏବଂ ବଗିଚା କାମ ପାଆନ୍ତି ଏବଂ ମହିଳାମାନେ ଘରୋଇ ସହାୟିକା ଭାବରେ କାମ କରନ୍ତି ।

ଚନ୍ଦନଙ୍କ ମାମୁଁ ଦୀପକ ସେହି ଗାଁ କାନ୍ଦିକପୁରରୁ ୨୦ ବର୍ଷ ତଳେ ଦିଲ୍ଲୀ ଆସିଥିଲେ ।  ଅନେକ ବର୍ଷ ପର୍ଯ୍ୟନ୍ତ ଅସ୍ଥାୟୀ କର୍ମଚାରୀ ଭାବରେ ଝାଡ଼ୁ ଓ ସଫେଇ କାମ ପରେ ସେ ଏବେ ଏକ ମାଛ ଓ ମାଂସ ଦୋକାନ ଚଳାଉଛନ୍ତି । ଦୀପକ କୁହନ୍ତି, “ହାତରେ ମଇଳା ସଫା କରିବା କାମ ଏବେ ବି ନିଶ୍ଚିତରେ ଚାଲିଛି । ଏହା ବନ୍ଦ ହେବା ଉଚିତ ।  ବେଳେବେଳେ ଯେତେବେଳେ କାହାର ମୃତ୍ୟୁ ହୁଏ ସେତେବେଳେ ଏହି ପ୍ରସଙ୍ଗ ଖବରକୁ ଆସେ ।  ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରିବା ପାଇଁ କ’ଣ ଆମେ କାହାର ମୃତ୍ୟୁକୁ ଅପେକ୍ଷା କରିବା ଉଚିତ?”

PHOTO • Bhasha Singh

ଜାତି ହିଁ କାରଣ ’, ପୁତୁଲ୍ କୁହନ୍ତି , ‘ ମୁଁ ମୋ ସ୍ୱାମୀଙ୍କୁ ଫେରି ପାଇବିନି କିନ୍ତୁ ମୁଁ କେବଳ ଚାହୁଁଛି ଆଉ କେହି ଏଭଳି ପରିସ୍ଥିତିକୁ ସାମ୍ନା କରିବା ଉଚିତ୍ ନୁହେଁ ’’

ବେଙ୍ଗଲି ମାଧ୍ୟମରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ପୁତୁଲ୍ ଦିଲ୍ଲୀରେ ରହି ଓ ପୁଅକୁ “ବଡ଼ ମଣିଷ” କରିବାକୁ ଦୃଢ଼ ସଂକଳ୍ପ ହୋଇଛନ୍ତି। ସେ ତାକୁ ଝାଡ଼ୁ କରିବା ଓ ସଫେଇ ଠାରୁ ଦୁରରେ ରଖିବେ । ସେ କହିଲେ, “ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଜାତିର ଶୃଙ୍ଖଳ ଭାଙ୍ଗିବାକୁ ଚେଷ୍ଟା କରିବି ।”

ଅମିତ୍ ତା’ ମା’ଙ୍କୁ ଜାବୁଡ଼ି ଧରିଲା ଏବଂ କହିଲା, ‘ମୁଁ ଇଞ୍ଜିନିୟର୍ ହେବି ଓ ଏପରି କୌଶଳ ବିକାଶ କରିବି ଯାହା ମଣିଷକୁ ନର୍ଦ୍ଦମା ସଫା କରିବାକୁ ଦେବ ନାହିଁ  ।’

ପୋଷ୍ଟସ୍କ୍ରିପ୍ଟ ; ଲେଖିକା ଏହି ଶୋକସନ୍ତପ୍ତ ପରିବାରକୁ ଭେଟିବାର କିଛି ଦିନ ପରେ , ପୁତୁଲ୍ ମଲ୍‌ରେ ସ୍ୱାମୀଙ୍କ ଚାକିରୀ ଗ୍ରହଣ କଲେ । ସେ କହିଲେ, ଯଦିଓ ସେ ଏହି ବିଷୟକୁ ଘୃଣା କରନ୍ତି, ତଥାପି ନିଜର ଏବଂ ପୁଅର ଭରଣପୋଷଣ ପାଇଁ ସେ ଏହା କରିବାକୁ ବାଧ୍ୟ ମନେ କରୁଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Bhasha Singh

Bhasha Singh is an independent journalist and writer, and 2017 PARI Fellow. Her book on manual scavenging, ‘Adrishya Bharat’, (Hindi) was published in 2012 (‘Unseen’ in English, 2014) by Penguin. Her journalism has focused on agrarian distress in north India, the politics and ground realities of nuclear plants, and the Dalit, gender and minority rights.

Other stories by Bhasha Singh