html ଭାତେରିଙ୍କ ପାକୁଆ ପାଟିର ହସ ଛଡେଇ ନେଇ ପାରିନି ଜାତି

"ଆଜି ପର୍ଯ୍ୟନ୍ତ କେହି ମୋର ସାକ୍ଷାତକାର ନେଇନାହାନ୍ତି। ମୁଁ ସବୁ କିଛି କହିବି ........।" 

'ସବୁକିଛି' ଭିତରେ ଅଛି ବଞ୍ଚିବା ପାଇଁ ମୁମ୍ବାଇର ଖାର୍ ପଶ୍ଚିମ ସହରତଳରେ ଏକାଧିକ ଘରେ ପ୍ରାୟ ୭୦ ବର୍ଷର ପାଇଖାନା ସଫା, ଓଳେଇବା, ସଫା କରିବା ଓ ଘରପୋଛିବା। ୧୯୮୦ ଦଶକର ଶେଷ ଭାଗରେ ଓ ୧୯୯୦ ଦଶକର ଆଦ୍ୟଭାଗରେ ଭାତେରି ସରବ୍ଜିତ୍ ଲୋହାତ ଗୋଟିଏ ସମୁଦାୟ ଅଟ୍ଟାଳିକାର ୧୫-୧୬ ଘର ସଫାକରିବା ପାଇଁ ମାସକୁ ୫୦ ଟଙ୍କା ପାଉଥିଲେ। ଏଥିସହ ବଳକା ଖାଦ୍ୟ ଓ ରୋଷେଇ ଘରେ ନଷ୍ଟ ହୋଇ ଯାଇଥିବା ସାମଗ୍ରୀ। 

"ମୋର ନାମ ଭାତେରି ଦେବୀ। ମୁଁ ପ୍ରକୃତରେ ହରିଆଣାର ରୋହତକ ଜିଲ୍ଲାର ସାଂଘି ଗ୍ରାମରୁ ଆସିଛି। ମୁଁ ମୁମ୍ବାଇ କେଉଁ ବର୍ଷ ଆସିଲି ତାହା ମୋର ମନେ ନାହିଁ। କିନ୍ତୁ ସେତେବେଳେ ମୋର ନୂଆ ନୂଆ ବିବାହ ହୋଇଥିଲା। ଆମର ଜଣେ ସମ୍ପର୍କିୟଙ୍କ ବଦଳରେ ମୋ ଶାଶୁ ମୋ ପାଇଁ ଏହି କାମ ବୁଝିଦେଇଥିଲେ। ମୋ ସ୍ୱାମୀ (ସେ ମଧ୍ୟ ଜଣେ ସଫେଇ କର୍ମଚାରୀ ଥିଲେ ) ଏଠାକୁ ଆସିବାର ଅଳ୍ପ କେଇ ବର୍ଷ ପରେ ମୃତ୍ୟୁବରଣ କଲେ। ସେତେବେଳେ ମୋ ପୁଅ ମାତ୍ର ଦୁଇ/ତିନି ବର୍ଷର। ସେ ଦାଦରରେ କାମ କରୁଥିଲେ। ଲୋକାଲ ଟ୍ରେନ୍ରେ ଘରକୁ ଫେରିବା ସମୟରେ ସେ ଟ୍ରେନ୍ର ଦ୍ୱାରରେ ଠିଆ ହୋଇଥିଲେ ଓ ଗୋଟିଏ ବିଦ୍ୟୁତ୍ ଖୁଣ୍ଟ  ତାଙ୍କ ଦେହରେ ବାଜିଲା ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା।"

ଏହା କେଇ ଦଶକ ତଳର କଥା, କିନ୍ତୁ ଯେତେବେଳେ ସେ ଏହା ବର୍ଣ୍ଣନା କରୁଥିଲେ, ମନେ ହେଉଥିଲା ସେ ଯନ୍ତ୍ରଣା ଏବେ ବି ଅଛି। ଭାତେରି ଦେବୀ ଖୁବ୍ ଜୋରସୋରରେ ବିଶ୍ୱାସ ଦେଉଥିଲେ। ମେ ମୁମ୍ବାଇ ବାନ୍ଦ୍ରା ଇଷ୍ଟର ବାଲ୍ମୀକି ନଗରରେ ବାସ କରନ୍ତି। ଆଧାରକାର୍ଡରେ ତାଙ୍କର ଜନ୍ମ ୧୯୩୨ ମସିହାରେ ବୋଲି ସୂଚିତ କରାଯାଇଛି। ଯାହାର ଅର୍ଥ ତାଙ୍କ ବୟସ ୮୬। କିନ୍ତୁ ତାଙ୍କୁ ମୁହଁର ଗାର ଓ କୁଞ୍ଚନ ଦେଖିଲେ ମନେହେଉଥିଲା ତାଙ୍କ ବୟସ ୯୦ରୁ ଅଧିକ। ସେ ମଧ୍ୟ ତାହା କୁହନ୍ତି। ତାଙ୍କ ପୁଅ ହରିଶ ଚଳିତ ବର୍ଷ ଜୁନ୍ ୩୦ ତାରିଖରେ ମୃତ୍ୟୁ ବରଣ କଲା। ତା’ର ବୟସ ୭୦ ପାର କରିଥିଲା। ବିବାହ ବେଳକୁ ଭାତେରିଙ୍କ ବୟସ ଥିଲା ମାତ୍ର ୧୨ ବା ୧୩। ଏହାପରେ ସେ ତାଙ୍କ ସ୍ୱାମୀ ସରବଜିତ୍ ଲୋହାତଙ୍କ ସହ ମୁମ୍ବାଇ ଆସିଥିଲେ। 

ତାଙ୍କର ସମଗ୍ର ପରିବାର (ଏବଂ ସ୍ୱାମୀଙ୍କର ଅଧିକାଂଶ ସମ୍ପର୍କୀୟ) ହରିଆଣାରୁ ଆସି ମୁମ୍ବାଇରେ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରୋଇ ସଫେଇ କର୍ମଚାରୀ। ଏହି ଅଞ୍ଚଳରେ ରହୁଥିବା ଅଧିକାଂଶ ଲୋକ ଭାତେରିଙ୍କ ପରି ବାଲ୍ମୀକି ସମୁଦାୟର ଦଳିତ, ଯେଉଁମାନେ କି ବିଭିନ୍ନ ସମୟରେ କାମର ସନ୍ଧାନରେ ହରିଆଣାରୁ ମୁମ୍ବାଇ ଚାଲିଆସିଥିଲେ। ଭାତେରିଙ୍କ ପରି ସେମାନେ ସମସ୍ତେ ଘରେ ହରିଆଣି ଭାଷାରେ କଥାବାର୍ତ୍ତା କରନ୍ତି। ମୁମ୍ବାଇର ଅନେକ ବାଲ୍ମୀକି ବସ୍ତିରେ ହରିଆଣାର ଲୋକମାନେ ରହନ୍ତି। ବିଶେଷକରି ଭନ୍ଦୁପ୍ ଟ୍ୟାଙ୍କ୍ ରୋଡ୍, ଜାମ୍ବିଭିଲ୍ଲି, ମାଟୁଙ୍ଗା, ଲେବର୍ କ୍ୟାମ୍ପ, ବିଖ୍ରୋଲି ଓ ଚେମ୍ବୁର୍ରେ। 

ଏହି ଜାତି ସଫେଇ କାମ ସହ ସଂଯୁକ୍ତ କାହିଁକିଭାତେରି ଦେବୀ କୁହନ୍ତି, 'ଏହା ଭାଗ୍ୟର ଡୋରୀ। ଏହା ଆମ ସମୁଦାୟ ପାଇଁ ଏକମାତ୍ର କାମ। ସମେସ୍ତ ଏହି କାମ କରନ୍ତି।'

ଭିଡ଼ିଓ ଦେଖନ୍ତୁ: ଭାତେରି ଦେବୀ ନିଜ ଜୀବନ କାହାଣୀ ମନେ ପକାଉଛନ୍ତି

ଏହି ନିର୍ଦ୍ଧିଷ୍ଟ ଜାତି ସମୁହର ଲୋକମାନଙ୍କର ରୋଜଗାର ସନ୍ଧାନରେ ଭିଟାମାଟି ଛଡ଼ିବା ଏବଂ ଶିବିର ପରି ବସତି ଦେଶବ୍ୟାପୀ ସମାନ। ସେମିତି ଜାତି ଆଧାରିତ ଏହି ଗୋଲାମି ଏବଂ ସମୁଦାୟ ମଧ୍ୟରେ ପିଢ଼ି ପରେ ପିଢ଼ି ଏହାକୁ ଜାବୁଡି ଧରିବା – ମୁମ୍ବାଇ ଏବଂ ସବୁଠାରେ ସମାନ। ଏହା ସହରୀ ଜୀବନର ବାହ୍ୟ ଚମକ୍ ତଳର ଅଦେଖା ଓ ଗୋପନ ଜୀବନ। 

ଭାତେରି, ବର୍ଷ ବର୍ଷ ଧରି କଠିନ ତଥା ବିରକ୍ତିକର କାମ କରି କରି ଯାହାଙ୍କର ପିଠି ବଙ୍କା ହୋଇଯାଇଛି ନିଜ ଜୀବନ ଅବସ୍ଥା ନେଇ ସେମିତି ବିଶେଷ ଭାବରେ ଚିନ୍ତିତ ଥିବା ଦେଖାଯାଉ ନଥିଲେ। ଆମେ ଯେତେବେଳେ ମୁମ୍ବାଇସ୍ଥ ତାଙ୍କ ଘରେ ତାଙ୍କୁ ଭେଟିଲୁ, ସେତେବେଳେ ସେ ଖୁବ୍ ଉତ୍ସାହର ସହ ନିଜ ଜୀବନର କାହାଣୀ ବର୍ଣ୍ଣନା କରିବା ଆରମ୍ଭ କଲେ। ଘରେ ସମସ୍ତେ ମଧ୍ୟ ଚକିତ ହୋଇଗଲେ। ସେମାନେ କେବେ ବି ତାଙ୍କୁ ନିଜ ବିଷୟରେ ଅନ୍ୟ କାହା ସହ ଏତେ ଖୋଲାଖୋଲି ଭାବେ ଆଲୋଚନା କରିବା ଦେଖିନଥିଲେ। ସେତେବେଳେ ଭାତେରି ସେମାନଙ୍କୁ କହିଲେ ଆଜି ପର୍ଯ୍ୟନ୍ତ କେହି ତାଙ୍କୁ କିଛି ପଚାରିନଥିଲେ। ତେଣୁ ଏବେ ସେ କହିବାକୁ ଚାହୁଁଛନ୍ତି। 

ଏହାପରେ ସେ କହିବା ଆରମ୍ଭ କଲେ। ନିଜ ସ୍ୱାମୀଙ୍କ ମୃତ୍ୟୁ ସମ୍ପର୍କରେ , "ଏହା ମୋ ଜୀବନର ସବୁଠାରୁ କଷ୍ଟକର ସମୟ ଥିଲା। ମୋ ଦେଢ଼ଶୁର ଓ ଦିଅରମାନେ ମଧ୍ୟ ସେହି ଘରେ ରହୁଥିଲେ। ସେତେବେଳେ ବି ମୁଁ ରୋଜଗାର କରୁଥିଲି। ମୋ ଶାଶୁଘରର ଲୋକଙ୍କଠାରୁ ଅନେକ ଥର ମାଡ଼ ଖାଇଛି। ମୋର ଜଣେ ଦିଅର ସହ ପୁନର୍ବିବାହ ଲାଗି ସେମାନେ ମୋ ଉପରେ ଚାପ ପକାଉଥିଲେ। ମୁଁ ମନାକଲି। ମୋର ପୁଅଟିଏ ଅଛି। ତା’ ସହ ମୋର ସମୟ କଟିଯିବ। ମୁଁ ଜାଣିଥିଲି ଯଦି ସେମାନଙ୍କ ମଧ୍ୟରୁ କାହାକୁ ବିବାହ କରେ ତେବେ ମୋତେ କେହି ଆଉ ସମ୍ମାନ ଦେବେନି। ମୁଁ ନିଜପାଇଁ ରୋଜଗାର କଲି, ପୁଅକୁ ବଡ଼ କଲି ଏବଂ ନିଜ ସମ୍ମାନ ରଖିଲି। ମୁଁ ମୋ ଜୀବନକୁ ନେଇ ଖୁସି।" (କେତେକ ଜାତି ବା ସମୁଦାୟରେ ବିଧବା ମହିଳା ସ୍ୱାମୀର ବଡ଼ କିମ୍ବା ସାନ ଭାଇକୁ ବିବାହ କରିବା ବାଞ୍ଛନୀୟ)। 

"ମୋର ବିବାହ ପରେ ମୁଁ ଏଠାକୁ ମୋ ସ୍ୱାମୀ, ତାଙ୍କ ପିତାମାତା ଓ ଜଣେ ସାନ ଦିଅର ସହ ଏଠାକୁ ଆସିଥିଲି। ପ୍ରଥମେ ଆମେ ଖାର୍ରେ ଖାତିକ୍ ଲୋକ (ଅନ୍ୟ ଏକ ଦଲିତ ସମୁଦାୟ) ଯେଉଁଠାରେ ରହୁଥିଲେ ସେଠାରେ ରହୁଥିଲୁ।"

Bhateri Devi standing outside
PHOTO • Bhasha Singh
The entrance to Valmiki Nagar where Bhateri Devi Lives
PHOTO • Bhasha Singh

ବିବାହ ପରେ ଭାତେରି ଦେବୀ ମୁମ୍ବାଇର ବାଲ୍ମିକୀ ନଗର (ଡାହାଣ)କୁ ଆସିଲେ। ୧୫-୧୬ଟି ଘର ସଫା କରିବାପାଇଁ ତାଙ୍କୁ ମାସକୁ ୫୦ ଟଙ୍କା ମିଳୁଥିଲା। 

"ମୁଁ ଖାର୍ରେ ସାରା ଜୀବନ କାମ କରିଛି। ସେ ସମୟରେ (କେଇ ଦଶକ ପୂର୍ବେ) ଏଠାରେ ଖୁବ୍ କମ୍ ଅଟ୍ଟାଳିକା ଥିଲା। ମୁମ୍ବାଇ ଖୁବ୍ ଖୋଲା ଓ ଖାଲିଥିଲା।" ସେ କାମ କରିବା ଆରମ୍ଭ କଲାବେଳେ କେତେ ପାଉଥିଲେ ତାହା ମନେ ପକାଇ ପାରୁନାହାନ୍ତି। ଯେତେବେଳେ ସେ ପ୍ରଥମ କରି ସହରକୁ ଆସିଲେ ସେତେବେଳେ ଆଳୁ ପିଆଜ କିମ୍ବା ଲୁଗାପଟାର ଦାମ୍ କେତେ ଥିଲା ତାହା ମଧ୍ୟ ସେ ମନେପକାଇ ପାରିନଥିଲେ। ତାଙ୍କ ଶାଶୁଙ୍କ ନିୟନ୍ତ୍ରଣରେ ସବୁ କିଛି ଥିଲା। ଘର ଚଳେଇବା ପାଇଁ କିଣାକିଣି ଠାରୁ ତାଙ୍କ ରୋଜଗାର ପର୍ଯ୍ୟନ୍ତ। ଭାତେରିଙ୍କ ହାତରେ ଗୋଟିଏ ବି ଟଙ୍କା ପଡୁନଥିଲା। 

ମୁମ୍ବାଇରେ ତାଙ୍କ ଜୀବନକାଳରେ ଭାତେରି ଦକ୍ଷିଣ ଖାର୍ର ଅଟ୍ଟାଳିକା ଆଖପାଖରେ ହିଁ ଘୁରି ବୁଲିଛନ୍ତି। ସେହିଠାରେ ହିଁ ସେ ପାଇଖାନା ସଫା କରିବା, ଓଳେଇବା ଓ ପୋଛିବା କାମ ପାଇଲେ। ୮୦ ବର୍ଷ ହେବା ପର୍ଯ୍ୟନ୍ତ ମଧ୍ୟ ସେ କାମ କରିବା ଛାଡି ନଥିଲେ। ତାଙ୍କ ନାତୁଣୀ ବୋହୁ ତଥା ନାତି ସଞ୍ଜୟ ହରିଶ ଲୋହାତଙ୍କ ପତ୍ନୀ ୩୭ ବର୍ଷ ବୟସ୍କା ତନୁ ଲୋହାତ କୁହନ୍ତି , "ଅନେକ ଯୁକ୍ତିଯୁକ୍ତ ଓ ଝଗଡ଼ାପରେ ଏବେ ମୋ ଜେଜେଶାଶୁଙ୍କ କାମ ଅନ୍ୟ ଜଣଙ୍କୁ ବଦଳାଇ ଦିଆଯାଇଛି। ଆଜି ଦିନରେ ମଧ୍ୟ ଆମେ ଯେତେ ମନା କଲେ ବି ସେ ପଶ୍ଚିମ ଖାର୍ଙ୍କୁ ଯାଆନ୍ତି ସେଠାରେ ଲୋକମାନଙ୍କୁ ଭେଟିବା ପାଇଁ।"

ସଞ୍ଜୟ କିଛି ଦିନ ନର୍ଦ୍ଦମା ସଫା କରିବା କାମରେ ନିୟୋଜିତ ଥିଲେ କିନ୍ତୁ ଯକୃତ ରୋଗ ହେବା କାରଣରୁ ଏହି କାମ କରିବା ବନ୍ଦ କରିଦେଇଥିଲେ। ଏହି ଲେଖକ ଯେତେବେଳେ ଭାତେରିଙ୍କୁ ଭେଟିବାକୁ ଯାଇଥିଲେ ସେତେବେଳେ ସେ ଚିକିତ୍ସା ପରେ ଡାକ୍ତରଖାନାରୁ ଫେରିଥିଲେ। ଅବଶ୍ୟ ଦୁଇମାସ ପରେ ଯକୃତ ଅଚଳ ହେବା ଯୋଗୁଁ ୪୦ ବର୍ଷ ବୟସରେ ସେ ପ୍ରାଣ ହରାଇଥିଲେ। ସଞ୍ଜୟ ଖୁବ୍ ହସଖୁସିଆ ମଣିଷ ଥିଲେ। ମୃତ୍ୟୁର କିଛିଦିନ ପୂର୍ବରୁ ସେ କହିଥିଲେ,  "ମୁଁ ପିଲାଟି ଦିନରୁ ଜେଜେମା’ ନାଳନର୍ଦ୍ଦମା ସଫା କରୁଥିବା ଦେଖି ଆସିଛି। ଆଜି ଆମେ କେବଳ ତା’  ପାଇଁ ବଞ୍ଚିଛୁ। ସେ ଆମକୁ ବଡ଼ କରିଛି ଏବଂ ଏହି ଅଳିଆ ଅସନା ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିଆସୁଥିଲା। ସେ ପ୍ରଥମରୁ ଖୁବ୍ ପରିଶ୍ରମୀ।"

Granddaughter-in-law Tanu, wife of Bhateri Devi's deceased grandson Sanjay, with Sachi 11, Sara 8 and Saina 5. They are standing underneath the a garlanded poster of Bhateri Devi’s son, Sanjay’s father.
PHOTO • Bhasha Singh

ଭାତେରି ଦେବୀଙ୍କ ନାତୁଣୀ ବୋହୁ ତନୁ ଲୋହାତ ସ୍ୱର୍ଗତ ଶ୍ୱଶୁରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏକ ହୋର୍ଡିଂ ତଳେ। ସାଥିରେ ଅଛନ୍ତି ସାଚି (୧୧), ସାରା (୮), ସାଇନା(୫)। 

"ମୋ ବାପା ପ୍ରଥମେ ଅଟୋରିକ୍ସା ଚଳାଉଥିଲେ। ଏହା ପରେ ସେ କାମଛାଡି ଘରେ ରହିଲେ। ଏହାପରେ ସେ ସଚିବାୟଳୟରେ ସଫେଇ କର୍ମଚାରୀ ଭାବରେ ଚାକିରୀ ପାଇଲେ। ମାତ୍ର ଜାତି ଯୋଗୁଁ ସମସ୍ୟା ହେଲା। କେହି ଜଣେ ଆପତ୍ତିଜନକ ମନ୍ତବ୍ୟ ଦେଲେ, ଗଣ୍ଡଗୋଳ ହେଲା ଓ ତାଙ୍କୁ ଚାକିରୀରୁ ବିତାଡିତ କରିଦିଆଗଲା। ସେବେଠାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଘରେ ଥିଲେ।"

"ମୁଁ ଯେତେବେଳେ ଛୋଟ ପିଲାଥିଲି, ଜେଜେମା କହୁଥିଲେ ଗୋଟିଏ ସାତମହଲା ଅଟ୍ଟାଳିକାର ସଫେଇ କାମ ପାଇଁ ତାଙ୍କୁ ୫୦ ଟଙ୍କା ମିଳୁଥିଲା। ଅଟ୍ଟାଳିକାରେ ଥିବା ୧୫-୧୬ଟି ଘରୁ ଏତିକି ପାଉଣା ମିଳୁଥିଲା। ଘର ଖର୍ଚ୍ଚ କେମିତି ଚଳୁଥିଲେ ସେଇଟା ବି ମୁଁ ଆପଣମାନଙ୍କୁ କହିବା ଉଚିତ୍। ଯେଉଁ ସବୁ ଘରେ ଜେଜେ ମା’ କାମ କରୁଥିଲେ  ସେ ଘରର ଲୋକମାନେ ତାଙ୍କୁ ବଳକା ଖାଦ୍ୟ ଦେଉଥିଲେ। ଅଧିକାଂଶ ଦିନରେ କେବଳ ସେ ସବୁ ଖାଦ୍ୟ ହିଁ ଆମେ ଖାଉଥିଲୁ। ଏଇ ଅଳ୍ପଦିନ ହେବ ଜେଜେ ମା’  ମାସକୁ ୪୦୦୦ ଟଙ୍କା ପାଉଛନ୍ତି।"

ଚଳିତ ବର୍ଷଟି ହିଁ ଭାତେରିଙ୍କ ପାଇଁ ସବୁଠାରୁ ଦୁଃଖର ବର୍ଷ। ସଞ୍ଜୟଙ୍କର ମୃତ୍ୟୁ ଘଟିଲା। ଏହା ପୂର୍ବରୁ ସଞ୍ଜୟର ପିତା ତଥା ତାଙ୍କ ପୁତ୍ର ମଧ୍ୟ ପ୍ରାଣ ହରାଇଥିଲେ। ଏହି ଆଘାତ ଭାତେରିଙ୍କ ପାଇଁ ଖୁବ୍ ବଡ଼ ଥିଲା।

ଭାତେରି ନିଜର କଷ୍ଟ ଓ ପରିଶ୍ରମର ଦିନ ସମ୍ପର୍କରେ କହି ଖୁସି ହେଉଥିଲେ। "ମୋ ମୁଣ୍ଡରେ ସବୁବେଳେ କାମର ଚିନ୍ତା ଥିଲା। ଆମେ ଯେଉଁମାନେ କାମ କରୁଥିଲୁ, ଏକାଠି ଯାଉଥିଲୁ, ଗପସପ କରୁଥିଲୁ, ନିଜର ଦୁଃଖ ଓ ସୁଖ ପରସ୍ପର ସହ ଭାଗ କରୁଥିଲୁ। ଘରୋଇ ବିବାଦ ଠାରୁ ଦୂରେଇ ଥିଲୁ। କାମ ଏମିତି ଯେ ଦିନେ ବି ଛୁଟି ମିଳେନି। ଫଳରେ ମୁଁ କେବେ ବି ମୋ ଗାଁକୁ ଫେରିଯାଇପାରିଲିନି। କିନ୍ତୁ ସାରାଜୀବନ ମୁଁ ମୋ ସହ ସେଠାରୁ ଆଣିଥିବା ଲୁଗା ହିଁ ପିନ୍ଧିଛି।" ଏବେ ବି ସେ ତାଙ୍କର କଥାବାର୍ତ୍ତା ଓ ପୋଷାକରେ ସମ୍ପୂର୍ଣ୍ଣ ଭାବରେ ହରିଆଣାର ମହିଳା। 

ସାରାଜୀବନ ଘରୋଇ ଚାକରାଣୀ ଭାବରେ କାମ କରିବା ପରେ ଭାତେରି ଦେବୀ ଜାଣନ୍ତିନି କିଏ ଦୋଷୀ। ତାଙ୍କର କାହା ପ୍ରତି ରାଗରୋଷ ନାହିଁ। "ଏହା ମୋ ଭାଗ୍ୟର ଡୋରୀ। ଏହା ଆମ ଜାତିର ଏକମାତ୍ର କାମ , ସମସ୍ତେ ଏହା କରନ୍ତି।" ଏହି ମନୁଷ୍ୟତ୍ତ୍ୱହୀନ ଛୋଟ କାମ ଭାତେରିଙ୍କ ପରି ଲକ୍ଷ ଲକ୍ଷ ମହିଳାଙ୍କର ଜୀବିକା ପାଲଟିଛି। ଏକ ଅଦୃଶ୍ୟ ପ୍ରାଚୀର ପରି ଜାତି ସେମାନଙ୍କୁ ସବୁବେଳେ ଦଳି ହେଉଛି। 

ତା’ହେଲେ ତାଙ୍କ ଜାତିର ଲୋକମାନେ ଏହି ଘୃଣ୍ୟ ବୃତ୍ତିର ଜାଲରେ ପଡ଼ିଯାଉଛନ୍ତି କାହିଁକି? ଖୁବ୍ ନିରୀହ ଭାବରେ ଭାତେରି କୁହନ୍ତି, "ମୁଁ ଏହାର ଉତ୍ତର ଜାଣିନି। ଆମର ସବୁ ଲୋକ ଏହା ହିଁ କରନ୍ତି, ତେଣୁ ମୁଁ ବି କରେ। ମୋ କଚଟି ଝାଡ଼ୁ ଧରି ଧରି ମୋଡ଼ି ହୋଇଗଲାଣି। ମୁଁ କୌଣସି ପେନ୍ସନ୍ ପାଏନି। ଆମର ଗରିବ (ବିପିଏଲ୍)ଙ୍କ ରାସନ କାର୍ଡ଼ ମଧ୍ୟ ନାହିଁ।"

"କିନ୍ତୁ ମୁଁ ସୁଖୀ। ମୁଁ ଭଲ ଖାଇବାକୁ ପାଏ। ହଁ, ମୁଁ ଗୋଟିଏ ଜିନିଷରେ ସନ୍ତୁଷ୍ଟ-ମୁଁ ସାରା ଜୀବନ ମୋ ନିଜ କଠିନ ପରିଶ୍ରମର ଖାଦ୍ୟ ହିଁ ଖାଇଛି ଏବଂ ଘର ବାହାରେ ମୁଁ ସ୍ୱାଧୀନ ଭାବରେ ନିଶ୍ୱାସ ନିଏ। ମୁଁ ବାହାରେ ବୁଲିବାକୁ ଚାହେଁ। ମୁଁ କେବେ କାମ କରିବା ବନ୍ଦ କରିନି ଏବଂ ମୋ ମନ ଭରିବା ଯାଏଁ ବିଡ଼ି ଫୁଙ୍କେ।"

ସେ ହସିଲେ ଏବଂ ତାଙ୍କର ପାକୁଆ ପାଟିର ହସ ତାଙ୍କର ସବୁ ଦୁଃଖ ଧୋଇ ନେଇଗଲା ପରି ମନେ ହେଲା। 

ନମିତା ୱାଇକରଙ୍କ ଦ୍ୱାରା ହିନ୍ଦିରୁ ଅନୁବାଦିତ 

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Bhasha Singh

Bhasha Singh is an independent journalist and writer, and 2017 PARI Fellow. Her book on manual scavenging, ‘Adrishya Bharat’, (Hindi) was published in 2012 (‘Unseen’ in English, 2014) by Penguin. Her journalism has focused on agrarian distress in north India, the politics and ground realities of nuclear plants, and the Dalit, gender and minority rights.

Other stories by Bhasha Singh