କମଳା ଯେତେବେଳେ ଚଚୁର୍ଥ ଥର ପାଇଁ ଗର୍ଭବତୀ ହେଲା ଓ ନିଜର ଶିଶୁକୁ ଜନ୍ମ ନଦେବା ପାଇଁ ନିଷ୍ପତି ନେଲା, ସେତେବେଳେ ସେ ତାଙ୍କ ପଲ୍ଲୀଠାରୁ ୩୦ କିଲୋମିଟର୍‌ ଦୂରରେ ଅବସ୍ଥିତ ବେନୂର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇନଥିଲା । ସେ ଆଜି ପର୍ଯ୍ୟନ୍ତ କେବଳ ସପ୍ତାହିକ ହାଟ ପର୍ଯ୍ୟନ୍ତ ଯାତ୍ରା କରିଛି, ଯାହା ତାର ଘର ଠାରୁ ଅଳ୍ପ ଦୂରତାରେ ଅବସ୍ଥିତ ଓ ସେ କୁହେ, “ମୋତେ ଏହି ସ୍ଥାନ ବିଷୟରେ ଜାଣିନଥିଲି ମଧ୍ୟ” । ମୋର ସ୍ୱାମୀ ପରେ ଏହା ବିଷୟରେ ଜାଣିବାକୁ ପାଇଲେ ।

କମଳା, ଯାହାର ବୟସ ୩୦ରୁ ଟିକିଏ ଅଧିକ ହେବ ଓ ତା’ର ସ୍ୱାମୀ ରବି (ନାମ ପରିବର୍ତ୍ତନ କରାଯାଇଛି), ୩୫, ଉଭୟ ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର, ପ୍ରଥମେ ତାଙ୍କ ପଲ୍ଲୀଠାରୁ ଅଳ୍ପ ଦୂରରେ ଥିବା ସ୍ଥାନୀୟ ‘ଡାକ୍ତର’ଙ୍କ ପାଖକୁ ଯାଇଥିଲେ । “ଜଣେ ବନ୍ଧୁ ମୋତେ ତାଙ୍କ ବିଷୟରେ ଜଣାଇଥିଲେ” ବୋଲି ସେ କୁହନ୍ତି । କମଳା ତାଙ୍କ ଘର ପାଖରେ ଥିବା ଖଣ୍ଡେ ଜମିରେ ପରିବା ଚାଷ କରନ୍ତି ଯାହା ସେ ହାଟ (ବଜାର)ରେ ବିକିଥାନ୍ତି, ଯେତେବେଳେକି ରବି ସ୍ଥାନୀୟ ମଣ୍ଡିରେ ଜଣେ ମଜୁରିଆ ଭାବେ କାମ କରନ୍ତି ଓ ତାଙ୍କର ଦୁଇ ଭାଇଙ୍କ ସହିତ ମିଶି ତିନି ଏକର ଜମିରେ ଗହମ ଓ ମକା ଚାଷ କରନ୍ତି। ସେ ଯେଉଁ କ୍ଲିନିକ୍‌ ବିଷୟରେ କହୁଛନ୍ତି ତାହା ରାଜପଥରୁ ସହଜରେ ଚିହ୍ନଟ କରାଯାଇପାରିବ । ଏହାକୁ ଏକ ଡାକ୍ତରଖାନା ଭାବେ ସମସ୍ତ ଜାଣନ୍ତି ଓ ଏହାର ପ୍ରବେଶଦ୍ୱାରରେ ଥିବା ନାମଫଳକରେ ‘ଡାକ୍ତର’ ବୋଲି ଉଲ୍ଲେଖ କରାଯାଇ ନଥିବାବେଳେ ପାଚେରୀ କାନ୍ଥରେ ଲାଗିଥିବା ଫ୍ଲେକ୍ସ ପାନେଲ୍‌ରେ ତାଙ୍କ ନାମ ପୂର୍ବରୁ ଏହି ଟାଇଟେଲ୍‌ ଲେଖାଯାଇଛି ।

‘ଡାକ୍ତର’ ତାଙ୍କୁ ପାଞ୍ଚଟି ବଟିକା ତିନିଦିନ ଖାଇବାକୁ ଦେଲେ, ଏଥିପାଇଁ ତାଙ୍କଠାରୁ ୫୦୦ଟଙ୍କା ଫି ନେଲେ ଓ ପରବର୍ତ୍ତୀ ରୋଗୀକୁ ଡାକିଲେ ବୋଲି କମଳା କୁହନ୍ତି । ବଟିକା ସମ୍ବନ୍ଧରେ କୌଣସି ସୂଚନା ଦିଆଯାଇନାହିଁ, ଯେପରିକି କ’ଣ ସବୁ ପ୍ରତିକ୍ରିୟା ପ୍ରକାଶ ପାଇବା ସମ୍ଭାବନା ରହିଛି ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି, କେତେବେଳେ ଓ କିପରି ଗର୍ଭପାତ ହେବ ବୋଲି ସେ ପ୍ରତ୍ୟାଶା କରିପାରିବେ ଆଦି ।

ଔଷଧ ଖାଇବାର କିଛି ଘଣ୍ଟା ପରେ କମଳାର ରକ୍ତସ୍ରାବ ହେବା ଆରମ୍ଭ ହୋଇଗଲା । “ମୁଁ କିଛି ଦିନ ପାଇଁ ଅପେକ୍ଷା କଲି କିନ୍ତୁ ଏହା ବନ୍ଦ ହେଲା ନାହିଁ, ଏଣୁ ମୁଁ ପୁଣିଥରେ ସେହି ଡାକ୍ତରଙ୍କ ପାଖକୁ ଗଲି ଯିଏ ମୋତେ ଔଷଧ ଦେଇଥିଲେ । ସେ ଆମକୁ ପିଏଚ୍‌ସି ଯିବାକୁ କହିଲେ ଓ ସେଠାରେ ସଫାଇ କରିବାକୁ କହିଲେ’’ । ଏହା ‘ସଫା କରିବା’କୁ ବୁଝାଏ ଯାହା ହେଉଛି ଜରାୟୁରୁ ଶୋଷକ ଯନ୍ତ୍ର ସାହାଯ୍ୟରେ ତରଳ ପଦାର୍ଥ ନିଷ୍କାସନ କରିବା ପ୍ରକ୍ରିୟା ।

ଶୀତ ଦିନର ଆରାମଦାୟକ ସୂର୍ଯ୍ୟ କିରଣରେ ବେନୂର୍‌ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ବାହାରେ ଏକ ବେଞ୍ଚ ଉପରେ ବସି କମଳା ଡାକ୍ତରୀ ଟର୍ମିନେସନ୍‌ ଅଫ୍‌ ପ୍ରେଗ୍‌ନାନ୍ସି (ଏମ୍‌ଟିପି) ପ୍ରକ୍ରିୟା ପାଇଁ ତାର ପାଳି ପାଇଁ ଅପେକ୍ଷା କରି ବସିଛି, ଯାହା କରିବା ପାଇଁ ପ୍ରାୟ ୩୦ମିନିଟ୍‌ ସମୟ ଲାଗିବ କିନ୍ତୁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଓ ପରେ ତାକୁ ପ୍ରାୟ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ହେବ । ପୂର୍ବଦିନ ଏହାପାଇଁ ବାଧ୍ୟତାମୂଳକ ଥିବା ରକ୍ତ ଓ ମୂତ୍ର ପରୀକ୍ଷା କରାଯାଇଛି ।

ଏହି ପିଏଚ୍‌ସି ଯାହା ହେଉଛି ଛତିଶଗଡର ନାରାୟଣପୁର ଜିଲ୍ଲାର ସବୁଠାରୁ ବଡ ପିଏଚ୍‌ସି, ୨୦୧୯ର ଶେଷ ଭାଗରେ ଏହାକୁ ପୁଣି ସଜାଯାଇଛି। ଏଥିରେ ହସୁଥିବା ମା ଓ ସୁସ୍ଥ ପିଲାଙ୍କ ଉଜ୍ଜ୍ୱଳ ପେଟିଂ ଲାଗିଥିବା ସ୍ୱତନ୍ତ୍ର ପ୍ରସୂତି କକ୍ଷ, ୧୦-ଶଯ୍ୟା ବିଶିଷ୍ଟ ୱାର୍ଡ, ୩-ଶଯ୍ୟା ବିଶିଷ୍ଟ ଲେବର୍‌ ରୁମ୍‌, ଅଟୋକ୍ଲେଭ୍‌ ମେସିନ୍‌, ଅପେକ୍ଷା କରୁଥିବା ଆସନ୍ନ ପ୍ରସବାଙ୍କ ପାଇଁ ଆବସିକ ସୁବିଧା ଓ ଏପରିକି ଏକ ରୋଷେଇ ବଗିଚା ମଧ୍ୟ ରହିଛି । ଏହା ବସ୍ତରର ଏକ ଆଦିବାସୀ ବହୁଳ ଅଞ୍ଚଳରେ ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପନ୍ନ ଛବି ପ୍ରଦର୍ଶିତ କରୁଛି ।

Clinics such as this, with unqualified practitioners, are the first stop for many Adiasvi women in Narayanpur, while the Benoor PHC often remains out of reach
PHOTO • Priti David
Clinics such as this, with unqualified practitioners, are the first stop for many Adiasvi women in Narayanpur, while the Benoor PHC often remains out of reach
PHOTO • Priti David

ଯୋଗ୍ୟତାହୀନ ଡାକ୍ତର ଥିବା ଏହିପରି କ୍ଲିନିକ୍‌ଗୁଡିକକୁ ନାରାୟଣପୁରର ଆଦିବାସୀ ମହିଳାମାନେ ପ୍ରଥମେ ପହଞ୍ଚିଥାନ୍ତି ଯେତେବେଳେକି ବେନୂର୍‌ ପିଏଚ୍‌ସି ପ୍ରାୟତଃ ଏମାନଙ୍କ ପାଇଁ ଅପହଞ୍ଚ ଅଟେ

“ବେନୂର୍‌ ପିଏଚ୍‌ସି [ନାରାୟଣପୁର ବ୍ଲକ୍‌ରେ] ହେଉଛି ଜିଲ୍ଲାର ଏକ ଗୁଣବତ୍ତା ସମ୍ପନ୍ନ ଓ ଉତ୍ତମ ସେବା ପ୍ରଦାନ କରୁଥିବା ପିଏଚ୍‌ସି,” ବୋଲି ଡ.ରୋହିତ୍‌ ବାଘେଲ୍‌, ରାଜ୍ୟର ପୂର୍ବତନ ମାତୃ ସ୍ୱାସ୍ଥ୍ୟ ପରାମର୍ଶଦାତା କୁହନ୍ତି । ‘‘ଏହାର ମୋଟ କର୍ମଚାରୀଙ୍କ ସଂଖ୍ୟା ୨୨ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଡାକ୍ତର, ଜଣେ ଆୟୁଷ [ଦେଶୀୟ ଚିକିତ୍ସା ବ୍ୟବସ୍ଥା] ମେଡିକାଲ୍‌ ଅଫିସର୍‌, ପାଞ୍ଚ ଜଣ ନର୍ସ, ଦୁଇଜଣ ଲାବ୍‌ ଟେକ୍‌ନିସିଆନ୍‌ ଓ ଏପରିକି ଜଣେ ସ୍ମାର୍ଟକାର୍ଡ କମ୍ପ୍ୟୁଟର୍‌ ଅପରେଟର୍‌ ଅଛନ୍ତି’’।

ଏହି ପିଏଚ୍‌ସିକୁ ଏହାର ଚାରିପାଖରେ ୩୦କିଲୋମିଟର୍‌ ବ୍ୟାସାର୍ଦ୍ଧ ମଧ୍ୟରେ ରହୁଥିବା ରୋଗୀମାନେ ଆସିଥାନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଅଟନ୍ତି । ଏହି ଜିଲ୍ଲାର ମୋଟ ଜନସଂଖ୍ୟାର ୭୭.୩୬ ପ୍ରତିଶତ ଅନୁସୂଚିତ ଜନଜାତିର ଅଟନ୍ତି, ମୁଖ୍ୟତଃ ଗୋଣ୍ଡ, ହଲ୍‌ବା, ଧୁର୍ବ, ମୂରିଆ ଓ ମାରିଆ ସମ୍ପ୍ରଦାୟର ।

ଏକ ପତଳା ପୋଲ୍‌କା ଧଡି ଥିବା ସାଲ୍‌ରେ ନିଜ ମୁହଁକୁ ଘୋଡାଇ କମଳା କିନ୍ତୁ କୁହନ୍ତି ଯେ “ଏପରି ଜିନିଷ ଏଠାରେ ଆମେ କରାଇପାରିବୁ ବୋଲି ଆମେ ଜାଣିନଥିଲୁ ।’’ ତାର ତିନିଟି ସନ୍ତାନ – ଦୁଇଟି ଝିଅ, ୧୨ ଓ ୯ ବର୍ଷ ବୟସ୍କ ଓ ଗୋଟିଏ ୧୦ବର୍ଷର ପୁଅ – ସମସ୍ତେ ଗୋଣ୍ଡ ଆଦିବାସୀ ଧାୟୀଙ୍କ ସହାୟତାରେ ଘରେ ଜନ୍ମ ହୋଇଛନ୍ତି । କମଳାର ପ୍ରସବ ପୂର୍ବରୁ ବା ପରେ କୌଣସି ପ୍ରକାରର ଯତ୍ନ ନିଆଯାଇନାହିଁ । ଏହା ହେଉଛି କୌଣସି ପ୍ରଜନନ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନରେ ତାଙ୍କର ସର୍ବପ୍ରଥମ ଅନୁଭୂତି । “ମୁଁ ଏହି ଡାକ୍ତରଖାନାକୁ ପ୍ରଥମ ଥର ପାଇଁ ଆସିଛି,” ବୋଲି ସେ କୁହନ୍ତି । ‘‘ସେମାନେ ଅଙ୍ଗନାୱାଡି କେନ୍ଦ୍ରରେ ବଟିକା ଦେଉଥିବା ବିଷୟରେ ମୁଁ ଜାଣିଛି କିନ୍ତୁ ମୁଁ କେବେ ମଧ୍ୟ ସେଠାକୁ ଯାଇନି ।’’ କମଳା ଏଠାରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ସଂଗଠକଙ୍କ (ଆର୍‌ଏଚ୍‌ଓ) ବିଷୟରେ କହୁଥିଲେ ଯେଉଁମାନେ ଗ୍ରାମ ଓ ପଲ୍ଲୀଗୁଡିକରେ ବୁଲି ବୁଲି ଫୋଲିକ୍‌ ଏସିଡ୍‌ ବଟିକା ବାଣ୍ଟନ୍ତି ଓ ପ୍ରସବ ପୂର୍ବ ସ୍ୱାସ୍ଥ୍ୟ ଯାଞ୍ଚ କରିଥାନ୍ତି ।

ସର୍ବସାଧାରଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଠାରୁ କମଳା ଏଭଳି ଦୂରେଇ ରହିଥିବା ବିଷୟ ଏଠାରେ କିଛି ଅସାଧାରଣ କଥା ନୁହେଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ – ୪ (୨୦୧୫- ୧୬) ମୁତାବକ ଛତିଶଗଡର ବିଭିନ୍ନ ଗ୍ରାମାଞ୍ଚଳରେ ୩୩.୨ ପ୍ରତିଶତ ମହିଳା ପ୍ରସବ ପାଇଁ କୌଣସି ଅନୁଷ୍ଠାନକୁ ଯାଆନ୍ତି ନାହିଁ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ କମଳା ଭଳି ଏହି ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନେ, ଯେଉଁମାନେ ଜନ୍ମ ନିୟନ୍ତ୍ରଣ ବଟିକା ଖାଆନ୍ତି ନାହିଁ, ସେମାନଙ୍କ  ମଧ୍ୟରୁ ମାତ୍ର ୨୮ପ୍ରତିଶତ ମହିଳା ସେମାନଙ୍କ ପରିବାର ନିୟୋଜନ ଯୋଜନା ବିଷୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କହିଛନ୍ତି । ଏନ୍‌ଏଫ୍‌ଏଚ୍‌ଏସ୍‌ -୪ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ‘ଅନିଚ୍ଛାକୃତ ଗର୍ଭଧାରଣ ଏଠାରେ ଅତି ସାଧାରଣ କଥା’ ଓ ‘ଗର୍ଭପାତ କରାଉଥିବା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ଏକ-ଚତୁର୍ଥାଂଶ ମହିଳା ଗର୍ଭପାତ ଜନିତ ସମସ୍ୟା ଭୋଗୁଥିବା ବିଷୟରେ ଜଣାଇଥାନ୍ତି।

Left: Dr. Rohit Baghel, former state maternal health consultant, explaining delivery procedures to staff nurses and RMAs at a PHC. 'The Benoor PHC [is the best-equipped and serviced in the district', he says. Right: Dr. Paramjeet Kaur says she has seen many botched abortion cases in the nearly two years she has been posted in this part of Bastar
PHOTO • Priti David
Left: Dr. Rohit Baghel, former state maternal health consultant, explaining delivery procedures to staff nurses and RMAs at a PHC. 'The Benoor PHC [is the best-equipped and serviced in the district', he says. Right: Dr. Paramjeet Kaur says she has seen many botched abortion cases in the nearly two years she has been posted in this part of Bastar
PHOTO • Priti David

ବାମ : ଡ. ରୋହିତ୍‌ ବାଘେଲ୍‌, ରାଜ୍ୟର ପୂର୍ବତନ ମାତୃ ସ୍ୱାସ୍ଥ୍ୟ ପରାମର୍ଶଦାତା, ଷ୍ଟାଫ୍‌ ନର୍ସ ଓ ଆର୍‌ଏମ୍‌ଏମାନଙ୍କୁ ପିଏଚ୍‌ସିରେ ପ୍ରସବ ପ୍ରକ୍ରିୟା ବିଷୟରେ ବର୍ଣ୍ଣନା କରୁଛନ୍ତି । ‘ବେନୂର୍‌ ପିଏଚ୍‌ସି ହେଉଛି ଜିଲ୍ଲାର ଅନ୍ୟତମ ଗୁଣବତ୍ତା ସମ୍ପନ୍ନ ଓ ସେବା ଯୋଗାଉଥିବା ପିଏଚ୍‌ସି’ ବୋଲି ସେ କୁହନ୍ତି । ଡାହାଣ: ଡ. ପରମ୍‌ଜିତ୍‌ କୌର ଏଠାରେ ଅନେକ ତ୍ରୁଟିପୂର୍ଣ୍ଣ ଗର୍ଭପାତ ଘଟଣା ଦେଖିଥିବା କଥା କୁହନ୍ତି

ନାରାୟଣପୁରର ସମୁଦାୟ ଜନସଂଖ୍ୟାର ପ୍ରାୟ ୯୦ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଥିବାବେଳେ ନିମ୍ନମାନର ରାସ୍ତା ବା ବେଳେବେଳେ ଏଠାକୁ ଯିବାକୁ ରାସ୍ତା ନଥିବାରୁ ପ୍ରଜନନ ସ୍ୱାସ୍ଥ୍ୟସେବା ଆଜି ମଧ୍ୟ ଏଠାରେ ନିମ୍ନସ୍ତରରେ ରହିଛି। ଯଦିଓ ନାରାୟଣପୁର ଜିଲ୍ଲାର ଜନସ୍ୱାସ୍ଥ୍ୟ ନେଟୱାର୍କରେ ଆଠଟି ପିଏଚସି (PHC), ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଏବଂ ୬୦ ଟି ଉପ-ସ୍ୱାସ୍ଥ୍ୟକେନ୍ଦ୍ର ରହିଛି, ତଥାପି ଡାକ୍ତରଙ୍କ ଅଭାବ ରହିଛି । “(ଜିଲ୍ଲାରେ) ୬୦ପ୍ରତିଶତରୁ ଅଧିକ ବିଶେଷଜ୍ଞ ଡାକ୍ତରଙ୍କ ପଦବୀ ଖାଲି ପଡିଛି। ଜିଲ୍ଲା ଡାକ୍ତରଖାନାକୁ ଛାଡିଦେଲେ ଆଉ କେଉଁଠାରେ ମଧ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ ନାହନ୍ତି’’ ବୋଲି ଡ. ବାଘେଲ୍‌ ସୂଚିତ କରିଛନ୍ତି। କେବଳ ଏତିକି ନୁହେଁ, ଅର୍ଚ୍ଚା ବ୍ଲକ୍‌ର ଦୁଇଟି ପିଏଚ୍‌ସି -ଗର୍ପା ଓ ହଣ୍ଡାୱାଡା- କେବଳ ଗୋଟିଏ ବଖରାରେ ଚାଲିଛି। ଏହାପାଇଁ କୌଣସି କୋଠା ନାହିଁ ଓ ଏଠାକୁ କେହି ଡାକ୍ତର ଏବେ ଆସିବାର ନାହିଁ, ବୋଲି ସେ କୁହନ୍ତି ।

ଏହି କାରଣରୁ କମଳା ଓ ତାଙ୍କ ପରି ଅନେକ ମହିଳା ସେମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟଗତ ଆବଶ୍ୟକତା ପୂରଣ ପାଇଁ ଯୋଗ୍ୟତାହୀନ ଚିକିତ୍ସକଙ୍କ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି, ଯେପିରି ଜଣେ ଡାକ୍ତରଙ୍କ ସହିତ କମଳା ପରାମର୍ଶ କରିଥିଲେ। “ଆମ ଆଦିବାସୀ ଲୋକମାନଙ୍କ ମଧ୍ୟରୁ ଅନେକ କିଏ ଆଲୋପାଥି ଡାକ୍ତର ଓ କିଏ ନୁହେଁ ତାହା ଜାଣନ୍ତି ପାରନ୍ତିନି। ଏଠାରେ ‘ଝୋଲା ଛାପ୍‌ ଡାକ୍ତରମାନେ’ ଅଛନ୍ତି, ଯେଉଁମାନେ ମୂଳତ ‘‘କ୍ୱାକସ୍’’ ଅଟନ୍ତି [ସମ୍ପୂର୍ଣ୍ଣ ଭାବେ ଯୋଗ୍ୟତାହୀନ ଔଷଧ ବିତରକ] କିନ୍ତୁ ଇଂଜେକ୍ସନ୍‌, ଡ୍ରିପ୍‌ ଓ ଔଷଧ ଦେଇଥାନ୍ତି ଓ କେହି ତାଙ୍କୁ କିଛି ପ୍ରଶ୍ନ କରନ୍ତି ନାହିଁ,” ବୋଲି ବସ୍ତରରେ କାର୍ଯ୍ୟ କରୁଥିବା ଏନ୍‌ଜିଓ ସାଥୀ ସମାଜସେବୀ ସଂସ୍ଥାରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ କୋର୍ଡିନେଟର୍‌ ଭାବେ କାର୍ଯ୍ୟରତ ପ୍ରମୋଦ ପଟୋଇ, ଜଣେ ଗଣ୍ଡ ଆଦିବାସୀ, କୁହନ୍ତି । ଏହି ଏନ୍‌ଜିଓ ୟୁନିସେଫ୍‌ ସହାୟତାରେ ଜିଲ୍ଲାରେ ଚାଲିଥିବା ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧିତ କାର୍ଯ୍ୟକ୍ରମ ପାଇଁ କାମ କରୁଛି ।

ଅଭାବ ପୂରଣ କରିବା ପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳ ଚିକିତ୍ସା ସହାୟକ (ଆର୍‌ଏମ୍‌ଏ) ପଦବୀ ସୃଷ୍ଟି କରିଛନ୍ତି । ୨୦୦୧ରେ ଯେତେବେଳେ ଛତିଶଗଡ ସୃଷ୍ଟି ହୋଇଥିଲା, ସେତେବେଳେ ସେଠାରେ ପିଏଚ୍‌ସି ସ୍ତରରେ ୧୪୫୫ଟି ଅନୁମୋଦିତ ପଦବୀ ପାଇଁ କେବଳ ୫୧୬ ମେଡିକାଲ୍‌ ଅଫିସର୍‌ ଥିଲେ । ଗ୍ରାମାଞ୍ଚଳ ପାଇଁ ହେଲଥକେୟାର୍‌ ପ୍ରାକ୍ଟିସନର୍‌ମାନଙ୍କୁ ପ୍ରଶିକ୍ଷିତ କରିବା ଛତିଶଗଡ ଚିକିତ୍ସା ମଣ୍ଡଳ ଆକ୍ଟ, ୨୦୦୧ର ଲକ୍ଷ୍ୟ ଥିଲା । ତିନି ବର୍ଷୀୟ ପାଠ୍ୟକ୍ରମ ଯାହାକୁ ସର୍ବପ୍ରଥମେ ‘ପ୍ରାକ୍ଟିସନର୍‌ ଇନ୍‌ ମଡର୍ଣ୍ଣ ମେଡିସିନ୍‌ ଓ ସର୍ଜରୀ’ ବୋଲି ନାମକରଣ କରାଯାଇଥିଲା, ତିନିମାସ ମଧ୍ୟରେ ପୁନଃ-ନାମକରଣ କରାଯାଇ ଏହାକୁ ‘ଡିପ୍ଲୋମା ଇନ୍‌ ଅଲ୍‌ଟରନେଟିଭ୍‌ ମେଡିସିନ୍‌’ ରଖାଗଲା । ଏଥିପାଇଁ ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ) ସହିତ କୌଣସି ପରାମର୍ଶ କରାଯାଇ ନଥିଲା ଓ ‘ମଡର୍ଣ୍ଣ ମେଡିସିନ୍‌’ ଓ ‘ସର୍ଜରୀ’ ଶବ୍ଦର ବ୍ୟବହାର ନେଇ ଆଇନ୍‌ଗତ ଦିଗ ମଧ୍ୟ ରହିଥିଲା । ଏହି ପାଠ୍ୟକ୍ରମ ଅଧିନରେ ବାୟୋକେମିକ୍‌ ମେଡିସିନ୍‌, ହର୍ବୋ-ମିନେରାଲ୍‌ ମେଡିସିନ୍‌, ଆକ୍ୟୁପ୍ରେସର୍‌, ଫିଜିଓଥେରାପି, ମାଗ୍ନେଟୋଥେରାପି, ଯୋଗ ଓ ଫୁଲ ଚିକିତ୍ସା ଆଦି ସାମିଲ୍‌ ହୋଇଥିଲା । ଆର୍‌ଏମ୍‌ଏ ଯୋଗ୍ୟତା ପ୍ରାପ୍ତ କରୁଥିବା ବ୍ୟକ୍ତିମାନଙ୍କୁ ମୁଖ୍ୟତଃ ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରେ ‘ଆସିଷ୍ଟାଣ୍ଟ ମେଡିକାଲ୍‌ ଅଫିସର’ ପଦରେ ନିଯୁକ୍ତ କରାଯିବା ପ୍ରସ୍ତାବ ରହିଥିଲା ।

Although the Benoor PHC maternity room (left) is well equipped, Pramod Potai, a Gond Adivasi and NGO health worker says many in his community seek healthcare from unqualified practitioners who 'give injections, drips and medicines, and no one questions them'
PHOTO • Priti David
Although the Benoor PHC maternity room (left) is well equipped, Pramod Potai, a Gond Adivasi and NGO health worker says many in his community seek healthcare from unqualified practitioners who 'give injections, drips and medicines, and no one questions them'
PHOTO • Avinash Awasthi

ଯଦିଓ ବେନୂର ପିଏଚ୍‌ସିର ପ୍ରସୂତି କକ୍ଷ (ବାମ)ରେ ସମସ୍ତ ସୁବିଧା ଉପଲବ୍ଧ ଅଛି, ତଥାପି ପ୍ରମୋଦ ପଟାଇ (ଡାହାଣରେ, ନୋଟ୍‌ବୁକ୍‌ ସହିତ), ଜଣେ ଗଣ୍ଡ ଆଦିବାସୀ ଓ ଏନ୍‌ଜିଓ ସ୍ୱାସ୍ଥ୍ୟ କର୍ମୀ କୁହନ୍ତି ଯେ ତାଙ୍କ ସମ୍ପ୍ରଦାୟର ଅନେକ ଲୋକ ନକଲି ଚିକିତ୍ସକଙ୍କ ପାଖକୁ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଯାଉଛନ୍ତି, ଯିଏ ସେମାନଙ୍କୁ ଇଂଞ୍ଜେକ୍ସନ୍‌, ଡ୍ରିପ୍‌ ଓ ଔଷଧ ଦେଇଥାଏ ଓ କେହି ମଧ୍ୟ ତାକୁ ପ୍ରଶ୍ନ କରନ୍ତି ନାହିଁ ’

ସେ ଯାହାହେଉ, ଏହି ଡିପ୍ଲୋମା ପାଠ୍ୟକ୍ରମ ଦ୍ୱାରା ଚିକିତ୍ସା ପେସାର ମାନ କମିବା ଆଶଙ୍କା ରହିଥିବା ଦର୍ଶାଇ ଏମ୍‌ସିଆଇ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ବିଳାସପୁରରେ ଥିବା ଛତିଶଗଡର ଉଚ୍ଚ ନ୍ୟାୟାଳୟରେ ତିନୋଟି ରିଟ୍‌ ପିଟିସନ୍‌ (ପ୍ରଥମଟି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ର ଛତିଶଗଡର ରାଜ୍ୟ ଶାଖା ଦ୍ୱାରା ୨୦୦୧ରେ ଓ ଅନ୍ୟଗୁଡିକ ସ୍ୱାସ୍ଥ୍ୟ କର୍ମୀଙ୍କ ୟୁନିୟନ, ନର୍ସ ଆସୋସିଏସନ୍‌ ଓ ଅନ୍ୟ ସଂଗଠନ ଦ୍ୱାରା) ଦାଏର୍‌ କରାଯାଇଛି । ୨୦୨୦ ଫେବୃଆରୀ ୪ରେ କୋର୍ଟ ଲିପିବଦ୍ଧ କରିଥିଲେ ଯେ ରାଜ୍ୟ  ଆର୍‌ଏମ୍‌ଏଙ୍କ ପାଇଁ ‘ଆସିଷ୍ଟାଣ୍ଟ ମେଡିକାଲ୍‌ ଅଫିସର୍‌’ ପଦବୀ ପ୍ରତ୍ୟାହାର କରି ଏକ ‘ନୀତିଗତ ନିଷ୍ପତ୍ତି’ ଗ୍ରହଣ କରଛି । କୋର୍ଟ କହିଥିଲେ ଯେ ଆର୍‌ଏମ୍‌ଏସ୍‌ମାନେ ‘ଡ.’ଶିରୋନାମା (ଟାଇଟେଲ୍‌) ବ୍ୟବହାର କରିପାରିବେ ନାହିଁ, ସେମାନେ ସ୍ୱାଧୀନ ଭାବେ କାମ କରିପାରିବେ ନାହିଁ କିନ୍ତୁ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କ ତଦାରଖରେ କାମ କରିପାରିବେ ଓ ରୋଗ/ଗମ୍ଭୀର ପରିସ୍ଥିତି/ଜରୁରୀ ପରିସ୍ଥିତିରେ କେବଳ ‘ପ୍ରାଥମିକ ଚିକିତ୍ସା କରିପାରିବେ/ ସ୍ଥିତି ସମ୍ଭାଳିବା ପାଇଁ ଆବଶ୍ୟକ ପଦକ୍ଷେପ’ ନେଇ ପାରିବେ ।

ଆର୍‌ଏମ୍‌ଏମାନେ ନିଶ୍ଚିତ ଭାବେ ଏକ ସଙ୍କଟାପନ୍ନ ସ୍ଥିତି ସମ୍ଭାଳିଦେଇଛନ୍ତି । “ଡାକ୍ତରଙ୍କ ବହୁଳ ଅଭାବ ଥିବାବେଳେ କିଛି ନହେଲେ ଯେଉଁମାନେ ‘ଅଜ୍ଞ ଚିକିତ୍ସକଙ୍କ ପାଖକୁ ଯାଉଥିଲେ ସେମାନେ ବର୍ତ୍ତମାନ ଜଣେ ଆର୍‌ଏମ୍‌ଏଙ୍କ ପାଖକୁ ଯାଇପାରିବେ,’’ ବୋଲି ବାଘେଲ୍‌ କୁହନ୍ତି । “ସେମାନେ କିଛି ପରିମାଣର ମେଡିକାଲ୍‌ ଟ୍ରେନିଂ ଗ୍ରହଣ କରିଛନ୍ତି ଓ ଗର୍ଭନିରୋଧ ସମ୍ବନ୍ଧରେ ସରଳ ପରାମର୍ଶ ଦେଇପାରିବେ କିନ୍ତୁ ସେମାନେ ତାଠାରୁ ଅଧିକ କିଛି କରିପାରିବେ ନାହିଁ । କେବଳ ଜଣେ ଏମ୍‌ବିବିଏସ୍‌ ଯୋଗ୍ୟତା ଥିବା ଡାକ୍ତର ଗର୍ଭପାତ ସମ୍ବନ୍ଧିତ ଔଷଧ ବ୍ୟବହାର ନିର୍ଦ୍ଧାରଣ କରିପାରିବେ ତଥା ପରାମର୍ଶ ଦେଇପାରିବେ ।’'

୨୦୧୯-୨୦ରେ, ବାଘେଲ୍‌ ଉଲ୍ଲେଖ କରନ୍ତି ଯେ, ରାଜ୍ୟରେ ୧,୪୧୧ଜଣ ଆର୍‌ଏମ୍‌ଏ ଚିକିତ୍ସା କାମ କରୁଥିଲେ । “ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇବା ପାଇଁ ଆମେ ନିଶ୍ଚିତ ଭାବେ ସେମାନଙ୍କ ପ୍ରଶଂସା କରିବା ଉଚିତ,” ବୋଲି ସେ କୁହନ୍ତି। ଛତିଶଗଡରେ ଶିଶୁ ମୃତ୍ୟୁହାର ୨୦୦୫–୦୬ ରୁ ୨୦୧୫- ୧୬ ମଧ୍ୟରେ ପ୍ରତି ହଜାରରେ ୭୧ କମିଥିବା ବେଳେ ପବ୍ଲିକ୍‌ ଫ୍ୟାସିଲିଟିରେ ଏକ ସର୍ବସାଧାରଣ ସୁବିଧା ପ୍ରଦାନ କ୍ଷେତ୍ରରେ ଅନୁଷ୍ଠାନଗୁଡିକରେ ଜନ୍ମ ହାର ୨୦୦୫- ୦୬ ରେ ୬. ୯ରୁ ବୃଦ୍ଧି ପାଇ ୫୫. ୯ରେ ପହଞ୍ଚିଛି (ଏନ୍‌ଏଫ୍‌ଏଚ୍‌ଏସ୍‌- ୪) ।

କମଳା ଯେଉଁ ‘ଡାକ୍ତର’ଙ୍କ ସହିତ ପ୍ରାଥମିକ ପର୍ଯ୍ୟାୟରେ ପରାମର୍ଶ କରିଥିଲା ସେ ଜଣେ ଆର୍‌ଏମ୍‌ଏ ନା ଜଣେ ସମ୍ପୂର୍ଣ୍ଣ ଅଜ୍ଞ ଚିକିତ୍ସକ ସେ ବିଷୟରେ ସେ କିଛି ଜାଣେ ନାହିଁ । ଏମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ମେସୋପ୍ରିଷ୍ଟଲ୍‌ ଓ ମିଫିପ୍ରିଟୋନ୍‌ – ଯାହା ଗର୍ଭପାତ ପାଇଁ ବ୍ୟବହାର କରାଯାଏ - ପ୍ରେସ୍‌କ୍ରାଇବ୍‌ କରିବାକୁ ସ୍ୱିକୃତି ପ୍ରାପ୍ତ ନୁହନ୍ତି । “ଏପରିକି ଏହି ଔଷଧଗୁଡିକୁ ପ୍ରେସ୍‌କ୍ରାଇବ୍‌ କରିବା ପାଇଁ ଯୋଗ୍ୟତା ହାସଲ କରିବାକୁ ଏମ୍‌ବିବିଏସ୍‌ ଡାକ୍ତରମାନଙ୍କୁ ମଧ୍ୟ ସରକାରୀ ଡାକ୍ତରଖାନାରେ ଏମ୍‌ଟିପି ସମ୍ବନ୍ଧରେ ଦିଆଯାଉଥିବା ୧୫ଦିନିଆ ପ୍ରଶିକ୍ଷଣ କ୍ୟାମ୍ପରେ ପ୍ରଶିକ୍ଷିତ ହେବାକୁ ହୋଇଥାଏ,” ବୋଲି ଡ. ପରମ୍‌ଜିତ୍‌ କୌର, ୨୬-ବର୍ଷ-ବୟସ୍କ ଏଲୋପାଥିକ୍‌ ଡାକ୍ତର ଯିଏ ବେନୂର୍‌ ପିଏଚ୍‌ସିର ମୁଖ୍ୟ ଅଟନ୍ତି କୁହନ୍ତି । “ରୋଗୀଙ୍କ ଶରୀରରୁ ଯେପରି ଅତ୍ୟଧିକ ମାତ୍ରାରେ ରକ୍ତ ସ୍ରାବ ନହୁଏ ସେଥିପାଇଁ ରୋଗୀଙ୍କୁ ନିରୀକ୍ଷଣ କରିବାକୁ ପଡେ ଓ ଗର୍ଭପାତ ଯେପରି ଅସମ୍ପୂର୍ଣ୍ଣ ରହିନଯିବ ସେଥିପାଇଁ ଯାଞ୍ଚ କରିବାକୁ ପଡେ । ଅନ୍ୟଥା ଏହା ମରଣାନ୍ତକ ହୋଇପାରେ ।

Left: 'The Dhodai PHC covers 47 villages, of which 25 have no approach road', says L. K. Harjpal (standing in the centre), the RMA at Dhodai. Right: To enable more women to approach public health services, the stage government introduced bike ambulances in 2014
PHOTO • Priti David
Left: 'The Dhodai PHC covers 47 villages, of which 25 have no approach road', says L. K. Harjpal (standing in the centre), the RMA at Dhodai. Right: To enable more women to approach public health services, the stage government introduced bike ambulances in 2014
PHOTO • Priti David

ବାମ: ‘ ଦୋଧାଇ ପିଏଚ୍‌ସି ଅଧିନରେ ୪୭ଟି ଗ୍ରାମ ଅଛି, ଯାହା ମଧ୍ୟରୁ ୪୦ଟି ଗ୍ରାମକୁ ଯିବା ପାଇଁ ସଡକ ପଥ ନାହିଁ, ବୋଲି ଆର୍‌ଏମ୍‌ଏ ଏଲ୍‌.କେ ହରଜପାଲ୍‌ (କେନ୍ଦ୍ରରେ ଠିଆ ହୋଇଛନ୍ତି) କୁହନ୍ତି । ଡାହାଣ: ଅଧିକରୁ ଅଧିକ ମହିଳା ‘ଜନ ସ୍ୱାସ୍ଥ୍ୟ ସେବା’ର ଲାଭ ଉଠାଇବା ପାଇଁ ସମର୍ଥ ହେବାପାଇଁ ରାଜ୍ୟ ସରକାର ୨୦୧୪ରେ ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ

କୌର କୁହନ୍ତି ଯେ ବସ୍ତରର ଏହି ଅଂଶରେ ସେ ନିଯୁକ୍ତ ହେବାଠାରୁ ପ୍ରାୟ ଦୁଇ ବର୍ଷରେ ସେ କମଳାର ଘଟଣା ପରି ଅନେକ  ଅନେକ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଦେଖିଛନ୍ତି । ତାଙ୍କର ବହିଃରୋଗୀ ବା ଆଉଟ୍‌ପେସେଣ୍ଟ ରେଜିଷ୍ଟର୍‌ରେ ଦିନକୁ ହାରାହାରି ୬୦ଜଣ ରୋଗୀ ତାଲିକାଭୁକ୍ତ ହୋଇଥାନ୍ତି ଯେଉଁମାନଙ୍କର ବିଭିନ୍ନ ଶାରୀରିକ ଅସୁସ୍ଥତା ରହିଥାଏ ଓ ଏହି ସଂଖ୍ୟା ଶନିବାର ଦିନ (ଏହି ଅଞ୍ଚଳର ବଜାର ବସିବା ଦିନ) ବୃଦ୍ଧି ପାଇଁ ୧୦୦ରେ ପହଞ୍ଚି ଯାଏ । “ଏହି ‘ରିପେୟାର୍‌’ କେସ୍‌ ପରି ଅନେକ କେସ୍‌ (ପ୍ରଜନନ ସ୍ୱାସ୍ଥ୍ୟ) ମୁଁ ଓପିଡିରେ ଦେଖେ, ଯାହା ଯୋଗ୍ୟତା ନଥିବା ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିତ ହେବାର ପରିଣାମ ଅଟେ । ଯଦି ପ୍ରେରିତ ଗର୍ଭପାତରେ ତ୍ରୁଟି ରହିଯାଏ ତେବେ ସଂକ୍ରମଣ ହେବାଠାରୁ ଆରମ୍ଭ କରି ସନ୍ତାନହୀନତା, ଗମ୍ଭୀର ଭାବେ ରୋଗଗ୍ରସ୍ତ ହେବା ବା ମୃତ୍ୟୁ ହେବା ସମ୍ଭାବନା ମଧ୍ୟ ରହିଛି,” ବୋଲି ସେ କୁହନ୍ତି । ସେ ଆହୁରି କୁହନ୍ତି ଯେ “ଅଧିକାଂଶ ମହିଳା ଯେଉଁମାନେ ଆସନ୍ତି ସେମାନେ ଏସବୁ ବିଷୟରେ କିଛି ଜାଣନ୍ତି ନାହିଁ’’ । ‘‘ସେମାନଙ୍କୁ କେବଳ ଗୋଟିଏ ବଟିକା ଦିଆଯାଏ ଓ ପଠାଇ ଦିଆଯାଏ, ଯେତେବେଳେକି ଏହି ଔଷଧ ପ୍ରେସ୍‌କ୍ରାଇବ୍‌ କରାଯିବା ପୂର୍ବରୁ ସେମାନଙ୍କୁ ରକ୍ତହୀନତା ହୋଇଛି କି ନାହିଁ ଓ ସେମାନଙ୍କ ରକ୍ତ ଶର୍କରା ସ୍ତର ଯାଞ୍ଚ କରାଯିବା ଉଚିତ’’।

ବେନୂର୍‌ ଠାରୁ ପ୍ରାୟ ୫୭କିଲୋମିଟର ଦୂରରେ ଧୋଦାଇ ଠାରେ ଅବସ୍ଥିତ ଅନ୍ୟ ଏକ ପିଏଚ୍‌ସିରେ ସୀତା (ନାମ ବଦଳା ଯାଇଛି) ନାମକ ଜଣେ ୧୯ ବର୍ଷୀୟ ହଲ୍‌ବି ଆଦିବାସୀ ତାର ଦୁଇ ବର୍ଷର ପିଲାକୁ ଧରି ଆସିଛି । “ମୋର ପିଲା ଘରେ ଜନ୍ମ ହୋଇଥିଲା ଓ ମୁଁ ଗର୍ଭଧାରଣ କରିବା ପରେ ବା ପୂର୍ବରୁ କେବେ ମଧ୍ୟ କାହାସହିତ ପରାମର୍ଶ କରିନାହାନ୍ତି,” ବୋଲି ସେ କୁହନ୍ତି । ଥେକ୍ଲୋସେଷ୍ଟ ଅଙ୍ଗନାୱାଡି ଯେଉଁଠାରେ ପ୍ରସବ ପୂର୍ବ ଓ ପର ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ରୁହନ୍ତି, ତାଙ୍କ ଘରଠାରୁ ସେଠାରେ ପହଞ୍ଚିବାକୁ ମାତ୍ର ୧୫ମିନିଟ୍‌ ଚାଲିବାକୁ ହୋଇଥାଏ । “ସେମାନେ କଣ କୁହନ୍ତି ମୁଁ ତାହା ବୁଝିପାରେ ନାହିଁ,” ବୋଲି ସେ କୁହନ୍ତି ।

ଅଧିକାଂଶ ସ୍ୱାସ୍ଥ୍ୟ କର୍ମଚାରୀ ଯେଉଁମାନଙ୍କ ସହିତ ମୋର ସାକ୍ଷାତ ହୋଇଛି ସେମାନେ କୁହନ୍ତି ଯେ ସ୍ୱାସ୍ଥ୍ୟଭିତ୍ତିକ ଉପଦେଶ ବିତରଣ କରିବାରେ ଭାଷା ପ୍ରମୂଖ ପ୍ରତିବନ୍ଧକ ଅଟେ । ବସ୍ତରର ଗ୍ରାମାଞ୍ଚଳରେ ରହୁଥିବା ଅଧିକାଂଶ ଆଦିବାସୀ ଗୋଣ୍ଡି ବା ହଲ୍‌ବି ଭାଷା କୁହନ୍ତି ଓ ସେମାନେ ଛତିଶଗଡି ଭାଷା ଅଳ୍ପ ଅଳ୍ପ ବୁଝିପାରନ୍ତି । ସ୍ୱାସ୍ଥ୍ୟ କର୍ମଚାରୀ ଜଣକ ସ୍ଥାନୀୟ ବାସିନ୍ଦା ନହୋଇ ପାରନ୍ତି ବା ତାଙ୍କୁ କେବଳ ଗୋଟିଏ ଭାଷା ଜଣାଥାଇପାରେ । ବିଭିନ୍ନ ସ୍ଥାନକୁ ସଡକ ପଥରେ ସଂଯୋଗୀକରଣ  ଅନ୍ୟ ଏକ ସମସ୍ୟା ଅଟେ । ଧୋଦାଇ ପିଏଚ୍‌ସି ଅଧିନରେ ୪୭ଟି ଗ୍ରାମ ଅଛି ଯାହା ମଧ୍ୟରୁ ୨୫ଟି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ, ବୋଲି ଏଲ୍‌.କେ. ହରଜପାଲ୍‌, ୩୮, ଧୋଦାଇର ଆର୍‌ଏମ୍‌ଏ କୁହନ୍ତି । “ଅଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ ଓ ଭାଷା ମଧ୍ୟ ଏକ ସମସ୍ୟା ଅଟେ, ଏଣୁ ଆମେ ଆମର କାମ ସଠିକ୍‌ ଭାବେ କରିପାରୁନାହୁଁ [ଗର୍ଭବତୀଙ୍କ ନିରୀକ୍ଷଣ କରିବା],” ବୋଲି ସେ କୁହନ୍ତି । “ଗୋଟିଏ ଘର ଅନ୍ୟଠାରୁ ବହୁତ ଦୂରରେ ଅବସ୍ଥିତ ଥିବାରୁ ଆମର ସହାୟକ ନର୍ସ ଧାତ୍ରୀମାନେ (ଏଏନ୍‌ଏମ୍‌) ବା ସହାୟକ ନର୍ସ ମିଡ୍‌ୱାଇଭ୍‌ମାନଙ୍କ ପାଇଁ ସମସ୍ତ ଘର ବୁଲିବା ଅତ୍ୟନ୍ତ କଷ୍ଟକର।’’ ଅଧିକରୁ ଅଧିକ ମହିଳା ସର୍ବସାଧାରଣ ସ୍ୱାସ୍ଥ୍ୟ ସେବାର ଫାଇଦା ଉଠାଇବାକୁ ସମର୍ଥ ହେବା ପାଇଁ ୨୦୧୪ରେ ରାଜ୍ୟ ସରକାର ବାଇକ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା ପ୍ରଚଳନ କରିଥିଲେ ଓ ବର୍ତ୍ତମାନ ଜିଲ୍ଲାରେ ପାଞ୍ଚଟି ଆମ୍ବୁଲାନ୍ସ ସକ୍ରିୟ ଅଛି ।

ଦଶମତି ଯାଦବ, ୨୨, ହେଉଛି ଏହି ଆମ୍ବୁଲାନ୍ସ ସେବା ବ୍ୟବହାରକାରୀମାନଙ୍କ ମଧ୍ୟରୁ ଜଣେ । ସେ ଓ ତାଙ୍କ ସ୍ୱାମୀ ପ୍ରକାଶଙ୍କର ଏକ ମାସର ଏକ ଝିଅ ଅଛି, ସେମାନେ କୃଷକ ଅଟନ୍ତି ଯେଉଁମାନେ ପାଞ୍ଚ ଏକର ଜମିରେ ଚାଷ କାମ କରୁଛନ୍ତି । “ମୁଁ ଯେତେବେଳେ ପ୍ରଥମଥର ପାଇଁ ଗର୍ଭବତୀ ହୋଇଥିଲି, ସେତେବେଳେ ଗ୍ରାମର ଶୀର୍‌ହା (ପାରମ୍ପରିକ ରୋଗ ଉପଶମକରୀ ବ୍ୟକ୍ତି) ମୋତେ କୌଣସି ଅଙ୍ଗନୱାଡି ବା ଡାକ୍ତରଖାନା ଯିବାକୁ ମନାକରିଥିଲେ । ସେ କହିଥିଲେ ଯେ ସେ ମୋର ଯତ୍ନ ନେବେ । କିନ୍ତୁ ଘରେ ଜନ୍ମ ହେବା ସଙ୍ଗେସଙ୍ଗେ ମୋର କୁନି ପୁଅ ମରିଗଲା,’’ବୋଲି ଦଶମତି କୁହନ୍ତି । “ତେଣୁ ଏଥର ମୋର ସ୍ୱାମୀ ଆମ୍ବୂଲାନ୍ସ ଡାକିଲେ ଓ ମୋତେ ପ୍ରସବ ପାଇଁ ବେନୂର୍‌ ନିଆଗଲା ।’’ ଏହି ପିଏଚ୍‌ସି ଯାହା ତାଙ୍କ ଗ୍ରାମଠାରୁ ୧୭ କିଲୋମିଟର୍‌ ଦୂରରେ ଅବସ୍ଥିତ, ସେଠାରେ ମହାତରୀ ଏକ୍ସପ୍ରେସ୍‌ ନାମରେ ଏକ ଆମ୍ବୂଲାନ୍ସ ଅଛି (ଛତିଶଗଡି ଭାଷାରେ ‘ମହାତରି’ ଶବ୍ଦର ଅର୍ଥ ହେଉଛି ‘ମା’) ଯାହାକୁ ୧୦୨ ଡାଏଲ୍‌ କରି ବୁକ୍‌ କରିହେବ । ଦଶମତିର ଛୋଟ ଝିଅ ଭଲ ଅଛି ଓ ମା’ ମଧ୍ୟ କହିବା ବେଳେ ହସୁଥିଲା ।

Left: Dr. Meenal Indurkar, district consultant for health in Narayanpur, speaking to young mothers about malnutrition. Right: Dashmati Yadav (with her husband Prakash and their baby girl), says, '...my baby boy died after birth at home. So this time my husband called the ambulance and I was taken to Benoor for my delivery'
PHOTO • Priti David
Left: Dr. Meenal Indurkar, district consultant for health in Narayanpur, speaking to young mothers about malnutrition. Right: Dashmati Yadav (with her husband Prakash and their baby girl), says, '...my baby boy died after birth at home. So this time my husband called the ambulance and I was taken to Benoor for my delivery'
PHOTO • Avinash Awasthi

ବାମ : ଡ. ମୀନଲ୍‌ ଇନ୍ଦୁର୍‌କର୍‌, ନାରାୟଣପୁରର ଜିଲ୍ଲା ସ୍ୱାସ୍ଥ୍ୟ ପରାମର୍ଶଦାତା, ନୂଆ ମାଆମାନଙ୍କୁ କୁପୋଷଣ ବିଷୟରେ କହୁଛନ୍ତି। ଡାହାଣ: ଦଶମତି ଯାଦବ (ତାଙ୍କ ସ୍ୱାମୀ ପ୍ରକାଶ ଓ କୁନି ଝିଅ ସହିତ), କୁହନ୍ତି ଯେ ‘… ମୋର ପୁଅ ଘରେ ଜନ୍ମ ହେବାପରେ ମରିଗଲା । ଏଣୁ ଏଥର ମୋର ସ୍ୱାମୀ ଆମ୍ବୁଲାନ୍ସ ଡାକିଲେ ଓ ମୋତେ ମୋର ପ୍ରସବ ପାଇଁ ବେନୂର୍‌ ନିଆଗଲା ’

“ଡାକ୍ତରଖାନାକୁ ଆସି ପ୍ରସବ କରାଇବା ପାଇଁ ଅଧିକରୁ ଅଧିକ ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୧ରେ ରାଜ୍ୟ ସରକାର ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଯାହା ଅନ୍ତର୍ଗତ ଡାକ୍ତରଖାନାକୁ ଯାତ୍ରା ଖର୍ଚ୍ଚ, ଡାକ୍ତରଖାନାରେ ନିଃଶୁଳ୍କ ଭାବେ ରହିବା, ମାଗଣା ଖାଦ୍ୟ ଓ ଆବଶ୍ୟକ ମୁତାବକ ଔଷଧ ପ୍ରଦାନ କରାଯାଉଛି,” ବୋଲି ଡ. ମୀନଲ୍‌ ଇନ୍ଦୁକର୍‌, ନାରାୟଣପୁରର ଜିଲ୍ଲା ସ୍ୱାସ୍ଥ୍ୟ ପରାମର୍ଶଦାତା କୁହନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅନ୍ତର୍ଗତ ଯେଉଁ ମାଆ ମାନେ ସେମାନଙ୍କ ପ୍ରସବ ପରବର୍ତ୍ତୀ ଚାରିଟି ଯାଞ୍ଚ ସମ୍ପୂର୍ଣ୍ଣ କରୁଛନ୍ତି, କୌଣସି ଅନୁଷ୍ଠାନରେ ପ୍ରସବ କରାଉଛନ୍ତି ଓ ନବଜାତ ଶିଶୁର ଟୀକାକରଣ କରୁଛନ୍ତି, ସେମାନଙ୍କୁ ୫୦୦୦ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଉଛି ବୋଲି” ସେ କୁହନ୍ତି ।

ବିନୂର୍‌ ପିଏଚ୍‌ସିରେ କମଳା ତାର ଏମ୍‌ଟିପି ପାଳି ପାଇଁ ଅପେକ୍ଷା କରିଥିବା ବେଳେ ରବି ତାର ସ୍ତ୍ରୀ ପାଇଁ ଏକ କପ୍‌ ଚା ନେଇ ଆସିଛି । ଲମ୍ବା ହାତ ଥିବା ଏକ ସାର୍ଟ ଓ ବ୍ଲୁ ଜିନ୍ସ ପିନ୍ଧିଥିବା ରବି କୁହନ୍ତି ଯେ ସେମାନେ କାହିଁକି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛନ୍ତି ସେ ବିଷୟରେ ନିଜ ପରିବାରକୁ ଜଣାଇ ନାହାନ୍ତି । “ଆମେ ପରେ ସେମାନଙ୍କୁ ଜଣାଇବୁ,” ବୋଲି ସେ କୁହନ୍ତି । “ଆମକୁ ତିନିଟି ପିଲାଙ୍କ ଲାଳନପାଳନ କରିବାକୁ ଅଛି; ଆଉଗୋଟେର ଭାର ଆମେ ଆଉ ବହନ କରିପାରିବୁ ନାହିଁ ’’।

କମଳା ଛୋଟ ବେଳେ ଅନାଥ ହୋଇଯାଇଥିଲା ଓ ତାକୁ ତାର ଦାଦା ପାଳିଛନ୍ତି ଓ ସେ ତାର ବାହାଘର ମଧ୍ୟ କରିଛନ୍ତି । ସେ ବିବାହ ପୂର୍ବରୁ ତାର ସ୍ୱାମୀକୁ ଦେଖିନଥିଲା । “ମୋର ଋତୁଚକ୍ର ଆରମ୍ଭ ହେବା ପରେ ପରେ ମୋର ବିବାହ କରିଦଆଗଲା । ଆମ ସମ୍ପ୍ରଦାୟରେ ଏପରି ହୁଏ । ବାହଘର ପରେ କ’ଣ ହୁଏ, ସେ ବିଷୟରେ ମୋର କୌଣସି ଧାରଣା ନଥିଲା । ମୋର ଋତୁଚକ୍ର ବିଷୟରେ ମୋର ଖୁଡି କେବଳ ଏତିକି କୁହନ୍ତି ଯେ ଡେଟ୍‌ ଆୟେଗା  [‘ଡେଟ୍‌’ ବା ପିରିୟଡ୍‌ ଆସିବ] । ମୁଁ କେବେ ମଧ୍ୟ ବିଦ୍ୟାଳୟକୁ ଯାଇନି ଓ ମୁଁ ପଢି ପାରିଲି ନାହିଁ କିନ୍ତୁ ମୋର ତିନି ସନ୍ତାନ ବିଦ୍ୟାଳୟକୁ ଯାଉଛନ୍ତି,” ବୋଲି ସେ ଗର୍ବର ସହିତ କୁହନ୍ତି।

କମଳା କିଛି ମାସ ପରେ ଡିମ୍ବପ୍ରଣାଳୀକୁ ବାନ୍ଧିବା (ବନ୍ଧ୍ୟାକରଣ) ପ୍ରକ୍ରିୟା ପାଇଁ ପୁଣିଥରେ ପିଏଚ୍‌ସିକୁ ଆସିବ ବୋଲି ଭାବୁଛି । ତାର ସ୍ୱାମୀ ଭାସେକ୍ଟୋମୀ ପାଇଁ ରାଜି ହେବନାହିଁ କାରଣ ଏହା ଦ୍ୱାରା ତାର ପୌରୁଷତ୍ୱ ନଷ୍ଚ ହୋଇଯିବ ବୋଲି ସେ ଭାବୁଛି । କମଳା ଏଠାକୁ ଆସିବା ପରେ ଏବେ ଏବେ ଜନ୍ମନିୟନ୍ତ୍ରଣ ଓ ବନ୍ଧ୍ୟାକରଣ ଭଳି ଧାରଣା ବିଷୟରେ ଜାଣିପାରିଛି କିନ୍ତୁ ସେ ଏହାକୁ ଖୁବ୍‌ ଶୀଘ୍ର ଗ୍ରହଣ କରିଛି । "ଯଦି ମୁଁ ବାରମ୍ବାର ଗର୍ଭବତୀ ହେବାକୁ ଚାହୁଁନି ତେବେ ଏହା ହେଉଛି ଏକ ବିକଳ୍ପ ବୋଲି ଡାକ୍ତର ମୋତେ କହିଥିଲେ,” ବୋଲି ସେ କୁହନ୍ତି । କମଳାକୁ ପ୍ରାୟ ୩୫ବର୍ଷ ପାଖାପାଖି ହେବା ବେଳକୁ, ତିନିଟି ସନ୍ତାନ ଜନ୍ମ ହୋଇସାରିବା ପରେ, ସେ ପରିବାର ନିୟୋଜନ କୌଶଳଗୁଡିକ ବିଷୟରେ ଓ ଗୋଟିଏ ଅସ୍ତ୍ରୋପଚାର ଦ୍ୱାରା ତାର ପ୍ରଜନନ ଚକ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ଜାଣିପାରିଲା ।

ରିପୋର୍ଟର ଜଣକ ଭୂପେଶ ତିୱାରୀ, ଅବିନାଶ ଅୱସ୍ଥି ଓ ବିଦୁଶୀ କୌଶିକଙ୍କୁ ଏହି କାହାଣୀ ପାଇଁ ସେମାନଙ୍କ ସହାୟତା ଓ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଁଛନ୍ତି ।

କଭର୍‌ ଇଲୁଷ୍ଟ୍ରେସନ୍‌ : ପ୍ରିୟଙ୍କା ବୋରାର୍‌ ହେଉଛନ୍ତି ଜଣେ ନିଉ ମିଡିଆ କଳାକାର ଯିଏ ବିଭିନ୍ନ କୌଶଳ ମାଧ୍ୟମରେ ଅର୍ଥ ଓ ଭାବ ପ୍ରକାଶର ନୂଆ ରୂପ ଆବିଷ୍କାର କରିବାକୁ ବିଭିନ୍ନ ପ୍ରୟୋଗ କରୁଛନ୍ତି । ସେ ଶିଖିବା ପାଇଁ ଓ ଖେଳିବା ପାଇଁ ବିଭିନ୍ନ ଅନୁଭୂତିକୁ ଡିଜାଇନ୍‌ କରିଥାନ୍ତି ଓ ଇଣ୍ଟର୍‌ଆକ୍ଟିଭ୍‌ ମିଡିଆରେ କାମ କରନ୍ତି ଓ ସେ ପାରମ୍ପରିକ ପେନ୍‌ ଓ କାଗଜରେ ମଧ୍ୟ ସହଜରେ କାମ କରିପାରନ୍ତି ।

ସାଧାରଣ ଲୋକଙ୍କ ସ୍ୱର ଏବଂ ଜୀବନ୍ତ ଅଭିଜ୍ଞତା ଜରିଆରେ ପପୁଲେସନ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ-ସମର୍ଥିତ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ଗ୍ରାମାଞ୍ଚଳର କିଶୋରୀ ଏବଂ କମ୍‌ ବୟସର ମହିଳା, ଏହା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ନାମମାତ୍ର ଗୋଷ୍ଠୀର ପରିସ୍ଥିତି ଅନ୍ୱେଷଣ କରିବାର ଉପକ୍ରମ ଉପରେ ରିପୋର୍ଟିଂ ପ୍ରୋଜେକ୍ଟର ଏକ ଅଂଶ।

ଏହି ଆଲେଖର ପୁନଃ ପ୍ରକାଶନ ଚାହୁଁଚନ୍ତି? ଦୟାକରି [email protected]ରେ ଏସିସି କରିବା ସହିତ [email protected]କୁ ଲେଖନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Priti David

ପ୍ରୀତି ଡେଭିଡ୍‌ ଜଣେ ସାମ୍ବାଦିକା ଏବଂ ଆମର ଶିକ୍ଷା ସଂପାଦିକା । ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ସେ ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହ କାର୍ଯ୍ୟରତ ।

Other stories by Priti David