html “ଡାକ୍ତର କୁହନ୍ତି ଯେ ମୋର ହାଡ଼ ପୋଲା ହୋଇଯାଇଛି”

“ମୁଁ ତୁମକୁ କ’ଣ କହିପାରିବି? ମୋର ପିଠି ହାଡ଼ ଭାଙ୍ଗିଯାଇଛି ଏବଂ ଅସ୍ଥି ପଞ୍ଜରା ବାହାରକୁ ବାହାରି ଆସିଛି”, ବିବାବାଇ ଲୋୟରେ କୁହନ୍ତି। “ମୋର ପେଟ ଭିତରକୁ ପଶିଯାଇଛି, ଗତ ଦୁଇ ତିନି ବର୍ଷ ହେବ ପେଟ ଓ ପିଠି ପରସ୍ପର ସହ ଲାଗିଯାଇଛନ୍ତି। ଏବେ ଡାକ୍ତର କହୁଛନ୍ତି ମୋର ହାଡ଼ଗୁଡ଼ିକ ପୋଲା ହୋଇଯାଇଛି।”

ଆମେ ମୁଲଶୀ ବ୍ଲକର ହଡ଼ଶୀ ଗ୍ରାମରେ ଥିବା ତାଙ୍କ ଘରକୁ ଲାଗି ରୋଷେଇ ଘରେ ବସିଥିଲୁ, ତାହା ଟିଣ ଚାଦରରେ ନିର୍ମିତ ଥିଲା ଏବଂ ସେଠି ଅଳ୍ପ ଅଳ୍ପ ଆଲୁଅ ପଡ଼ୁଥିଲା। ପାଖାପାଖି ୫୫ ବର୍ଷୀୟା ବିବାବାଇ, ମାଟି ଚୁଲିରେ ଏକ କଡ଼େଇରେ ବଳି ପଡ଼ିଥିବା ଭାତକୁ ଗରମ କରୁଥିଲେ। ସେ ମୋତେ ବସିବା ଲାଗି କାଠର ଏକ ପିଢ଼ା ଦେଲେ ଏବଂ ନିଜେ କାମରେ ଲାଗିଗଲେ। ଯେତେବେଳେ ସେ ବାସନ ଧୋଇବା ଲାଗି ଉଠିଲେ ମୁଁ ଦେଖିପାରିଲି ଯେ ତାଙ୍କର ଅଣ୍ଟା ଏତେ ନଇଁ ଯାଇଛି ଯେ ତାଙ୍କର ଥୋଡ଼ି ପାଖାପାଖି ତାଙ୍କର ଆଣ୍ଠୁକୁ ଛୁଉଁଥିଲା। ଆହୁରି ସେ ଯେତେବେଳେ ବସୁଥିଲେ ତାଙ୍କର ଆଣ୍ଠୁ ତାଙ୍କ କାନ ପାଖକୁ ଲାଗିଯାଉଥିଲା।

ବିଗତ ୨୫ ବର୍ଷରେ ଅଷ୍ଟିଓପୋରୋସିସ ରୋଗ ଏବଂ ଚାରିଟି ଅସ୍ତ୍ରୋପଚାର କାରଣରୁ ବିବାବାଇଙ୍କ ଅବସ୍ଥା ଏପରି ହୋଇଯାଇଛି। ପ୍ରଥମେ ତାଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହେଲା, ଏହାପରେ ହାର୍ଣ୍ଣିଆ ଅସ୍ତ୍ରୋପଚାର, ତା’ପରେ ଗର୍ଭାଶୟ ବାହାର କରିବାର ଅସ୍ତ୍ରୋପଚାର ଏବଂ ଏହାପରେ ଅସ୍ତ୍ରୋପଚାର କରାଯାଇ ପେଟ ଚର୍ବି ଏବଂ ମାଂସପେଶୀର କିଛି ଅଂଶକୁ ବାହାରକୁ ବାହାର କରାଗଲା।

“୧୨ କିମ୍ବା ୧୩ ବର୍ଷ ବୟସରେ (ଋତୁସ୍ରାବ ଆରମ୍ଭ ହେବା ପରେ ହିଁ) ମୋର ବାହାଘର କରି ଦିଆଯାଇଥିଲା। ପ୍ରଥମ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ କରିପାରିଲି ନାହିଁ”, ବିବାବାଇ କୁହନ୍ତି, ତାଙ୍କୁ ସ୍କୁଲ ଯିବା ଲାଗି କେବେହେଲେ ସୁଯୋଗ ମିଳିନଥିଲା। ତାଙ୍କର ସ୍ୱାମୀ ମହିପତି ଲୋୟରେ ଓରଫ ଅପ୍ପା ତାଙ୍କ ଠାରୁ ୨୦ ବର୍ଷ ବଡ଼ ଏବଂ ଜିଲ୍ଲା ପରିଷଦ ସ୍କୁଲରୁ ଅବସର ନେଇଥିବା ଜଣେ ଶିକ୍ଷକ। ସେ ପୁଣେ ଜିଲ୍ଲା ମୁଲଶୀ ବ୍ଲକର ବିଭିନ୍ନ ସ୍ଥାନରେ ପୋଷ୍ଟିଂ ହୋଇଥିଲେ। ଲୋୟରେ ପରିବାର ଚାଷ ଜମିରୁ ଧାନ, ଚଣା, ବିନ୍ସ ଓ ଛୁଇଁ ଚାଷ କରିଥାନ୍ତି। ସେମାନଙ୍କ ପାଖରେ ଗୋଟିଏ ହଳ ବଳଦ, ଗୋଟିଏ ମଇଁଷି ଓ ଗୋଟିଏ ଗାଈ ଓ ବାଛୁରୀ ଅଛନ୍ତି। କ୍ଷୀରରୁ ସେମାନେ ଅତିରିକ୍ତ ଆୟ କରିଥାନ୍ତି। ମହିପତିଙ୍କୁ ପେନସନ ମଧ୍ୟ ମିଳିଥାଏ।

“ମୋର ସବୁ ପିଲାମାନେ ଘରେ ହିଁ ଜନ୍ମ ନେଇଥିଲେ”, ବିବାବାଇ ନିଜ କଥା କହିବା ଜାରି ରଖନ୍ତି। ତାଙ୍କର ପ୍ରଥମ ପିଲା, ଏକ ପୁଅ, ଜନ୍ମ ନେବା ସମୟରେ ତାଙ୍କୁ ମାତ୍ର ୧୭ବର୍ଷ ହୋଇଥିଲା। “ମୁଁ ବଳଦ ଗାଡ଼ିରେ ନିଜ ବାପଘର (ପାହାଡ଼ର ଆର ପଟେ ଥିବା ଏକ ଗ୍ରାମ)କୁ ଯାଉଥିଲି କାରଣ ସେତେବେଳେ ଆମ ଗାଁରେ କୌଣସି ପକ୍କା ରାସ୍ତା ନଥିଲା କିମ୍ବା କୌଣସି ଗାଡ଼ି ମଧ୍ୟ ଚାଲୁନଥିଲା। ରାସ୍ତାରେ ପାଣି ଫାଟିଗଲା ଏବଂ ମୋର ପ୍ରସବ ଯନ୍ତ୍ରଣା ହେବାକୁ ଲାଗିଲା କିଛି ସମୟ ପରେ ମୋର ପ୍ରଥମ ପିଲା ଜନ୍ମ ନେଲା, ଠିକ ସେହି ବଳଦଗାଡ଼ିରେ!” ବିବାବାଇ ମନେ ପକାଇ କୁହନ୍ତି। ପରେ ତାଙ୍କୁ ପ୍ରସବ ଦ୍ୱାରରେ ସିଲେଇ କରିବାକୁ ପଡ଼ିଲା- କିନ୍ତୁ ତାଙ୍କର ମନେ ନାହିଁ ସିଲେଇ କେଉଁଠି ହୋଇଥିଲା।

'My back is broken and my rib cage is protruding. My abdomen is sunken, my stomach and back have come together...'
PHOTO • Medha Kale

ମୋର ପିଠି ଭାଙ୍ଗି ଯାଇଛି ଏବଂ ଅସ୍ଥି ପଞ୍ଜରା ବାହାରକୁ ବାହାରି ଆସିଛି। ପେଟ ମୋର ଭିତରକୁ ପଶିଯାଇଛି, ଏବଂ ମୋ ପେଟ ଓ ପିଠି ଏକ ସଙ୍ଗେ ଲାଗିଯାଇଛି…’

ବିବାବାଇଙ୍କର ମନେ ଅଛି ଯେ ତାଙ୍କର ଦ୍ୱିତୀୟ ଗର୍ଭାବସ୍ଥା ସମୟରେ ହଡ଼ଶୀ ଠାରୁ ମାତ୍ର ଦୁଇ କିମି ଦୂର ଏକ ବଡ଼ ଗ୍ରାମ କୋଲବଣର ଏକ ଘରୋଇ କ୍ଲିନିକରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ହିମୋଗ୍ଲୋବିନ କମ୍ ଏବଂ ଭ୍ରୂଣ ବିକାଶ ସ୍ୱାଭାବିକ ଠାରୁ କମ୍ ରହିଛି। ତାଙ୍କର ଏହା ମଧ୍ୟ ମନେ ଅଛି ଯେ ଗାଁର ଜଣେ ନର୍ସ ତାଙ୍କୁ ୧୨ଟି ଇଞ୍ଜେକ୍ସନ ଏବଂ ଆଇରନ ବଟିକା ଖାଇବାକୁ ଦେଇଥିଲେ। ଗର୍ଭାବସ୍ଥା ସମ୍ପୂର୍ଣ୍ଣ ହେବା ପରେ ବିବାବାଇ ଏକ ଝିଅକୁ ଜନ୍ମ ଦେଲେ। “ପିଲାଟି କେବେ ବି କାନ୍ଦୁ ନଥିଲା କିମ୍ବା କୌଣସି ଶବ୍ଦ ମଧ୍ୟ କରୁନଥିଲା”। ସେ ବିଛଣାରେ ଶୋଇ ଛାତ ଆଡ଼କୁ ଖାଲି ଚାହୁଁଥିଲା। ଖୁବଶୀଘ୍ର, ଆମେ ଜାଣି ନେଲୁ ଯେ ସେ ସ୍ୱାଭାବିକ ଭାବେ ଜନ୍ମ ନେଇନାହିଁ”, ବିବାବାଇ କୁହନ୍ତି। ସେ ଝିଅର ନାମ ସବିତା, ଯାହାଙ୍କୁ ଏବେ ୩୬ ବର୍ଷ। ପୁଣେର ସସୁନ ହସ୍ପିଟାଲରେ କୁହାଗଲା ଯେ ସେ “ମାନସିକ ରୂପେ ଅକ୍ଷମ” -ବା ଦିବ୍ୟାଙ୍ଗ ଅଟନ୍ତି। ତେବେ ସବିତା ବାହାର ଲୋକଙ୍କ ସହିତ ଖୁବ କମ୍ କଥା ହୋଇଥାନ୍ତି, କିନ୍ତୁ ଚାଷ କାମରେ ସାହାଯ୍ୟ କରିଥାନ୍ତି ଏବଂ ଘରେ ଅଧିକାଂଶ କାମ କରିଥାନ୍ତି।

ବିବାବାଇ ଆହୁରି ଦୁଇ ପିଲାଙ୍କୁ ଜନ୍ମ ଦେଲେ, ଦୁହେଁ ପୁଅ ଥିଲେ। ସବାସାନ, ତାଙ୍କର ଚତୁର୍ଥ ପିଲା ଥିଲା, ଏବଂ ଗହଣ ଖଣ୍ଡିଆ ହୋଇ ଜନ୍ମ ନେଇଥିଲା। “ମୁଁ ତା’କୁ କ୍ଷୀର ଖାଇବାକୁ ଦେଲେ, ତା’ର ନାକ ବାଟେ ବାହାରି ଆସୁଥିଲା। ଡାକ୍ତର (କୋଲଭଣର ଏକ ଘରୋଇ କ୍ଲିନିକ) ଆମକୁ ଏକ ଅସ୍ତ୍ରୋପଚାର ବିଷୟରେ କହିଲେ, ଯାହାର ଖର୍ଚ୍ଚ ପାଖାପାଖି “)୨୦,୦୦୦ ଟଙ୍କା ପଡ଼ିଥାନ୍ତା। କିନ୍ତୁ ସେ ସମୟରେ, ଏକ ଯୌଥ ପରିବାରରେ ଆମେ ରହୁଥିଲୁ। ମୋର ସ୍ୱାମୀଙ୍କ ପିତା ଏବଂ ବଡ଼ ଭାଇ (ଅସ୍ତ୍ରୋପଚାର ପ୍ରତି) ଏଥିପ୍ରତି ସେତେଟା ଧ୍ୟାନ ଦେଲେ ନାହିଁ, ଏବଂ ମୋର ପିଲା ଗୋଟିଏ ମାସ ମଧ୍ୟରେ ମୃତ୍ୟୁବରଣ କଲା”, ବିବାବାଇ ଦୁଃଖର ସହିତ କହିଥାନ୍ତି।

ତାଙ୍କର ବଡ଼ ପୁଅ ଏବେ ପରିବାରର କ୍ଷେତରେ କାମ କରୁଛି, ଏବଂ ଛୋଟ ପୁଅ, ଅର୍ଥାତ ତାଙ୍କର ତୃତୀୟ ପୁଅ, ପୁଣେରେ ଏଲିଭେଟର ଟେକ୍ନିସିଆନ ଭାବେ କାମ କରୁଛି।

ଚତୁର୍ଥ ପିଲାର ମୃତ୍ୟୁ ପରେ, ବିବାବାଇ ହଡ଼ଶୀଠାରୁ ପାଖାପାଖି ୫୦ କିମି ଦୂର ପୁଣେର ଏକ ଘରୋଇ ଡାକ୍ତରଖାନାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଇ ନେଲେ। ସେତେବେଳେ ତାଙ୍କର ବୟସ ୩୦ ବର୍ଷ ପାଖାପାଖି ଥିଲା। ତାଙ୍କର ବଡ଼ ଦେଢ଼ଶୂର ସବୁ ଖର୍ଚ୍ଚ ବହନ କଲେ, ତାଙ୍କର ଏବେବି ଏ କଥା ମନେ ଅଛି। ଅସ୍ତ୍ରୋପଚାରର କିଛି ବର୍ଷ ପରେ, ତାଙ୍କ ପେଟରେ ଲଗାତାର ଯନ୍ତ୍ରଣା ହେବାକୁ ଲାଗିଲା ଏବଂ ବାମ ପାଖ ଫୁଲିଗଲା-ତେବେ ବିବାବାଇ କୁହନ୍ତି ଯେ ଏହା କେବଳ ‘ଗ୍ୟାସ’ ଥିଲା, କିନ୍ତୁ ଡାକ୍ତରମାନେ ଏହାକୁ ହାର୍ଣ୍ଣିଆ ରୋଗ ବୋଲି କହିଲେ। ତାହା ଏତେ ଖରାପ ଅବସ୍ଥାକୁ ଚାଲିଆସିଥିଲା ଯେ ଗର୍ଭାଶୟ ଉପରେ ଚାପ ପକାଇବାକୁ ଲାଗିଥିଲା। ପୁଣେର ଏକ ଘରୋଇ ହସ୍ପିଟାଲରେ ହାର୍ଣ୍ଣିଆ ଅସ୍ତ୍ରୋପଚାର କରାଗଲା। ତାଙ୍କର ପୁତୁରା ଡାକ୍ତରଖାନାରେ ଫିସ ଦେଲେ; କେତେଟଙ୍କା ଖର୍ଚ୍ଚ ହେଲା ସେ ଜାଣନ୍ତି ନାହିଁ।

Bibabai resumed strenuous farm labour soon after a hysterectomy, with no belt to support her abdominal muscles
PHOTO • Medha Kale

ବିବାବାଇଙ୍କ ଗର୍ଭାଶୟ ଅସ୍ତ୍ରୋପଚାର କରି ବାହାର କରାଯିବା ପରେ ସେ ପୁଣିଥରେ କଷ୍ଟକର ଚାଷ କାମ ଆରମ୍ଭ କଲେ, ତାହା ପୁଣି ପେଟ ମାଂସପେଶୀକୁ ସାହାରା ଦେଉଥିବା ବେଲ୍ଟ ବିନା

ଏହାପରେ, ପାଖାପାଖି ୪୦ ବର୍ଷ ବୟସରେ ବିବାବାଇଙ୍କ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତ ପଡ଼ିବାକୁ ଲାଗିଲା। “ରକ୍ତ ଏତେ ଅଧିକ ଥିଲା ଯେ ଚାଷରେ କାମ କରିବା ସମୟରେ, ରକ୍ତ ବୁନ୍ଦା ମାଟି ଉପରେ ପଡ଼ିଯାଉଥିଲା। ମୁଁ ସେହି ମାଟିକୁ ଘୋଡ଼ାଇ ଦେଉଥିଲି”, ସେ କୁହନ୍ତି। ସମ୍ପୂର୍ଣ୍ଣ ଦୁଇ ବର୍ଷ ଧରି ଏହି କଷ୍ଟ ସହିବା ପରେ, ବିବାବାଇ ପୁଣିଥରେ କୋଲୱନର ଏକ ଘରୋଇ କ୍ଲିନିକର ଡାକ୍ତରଙ୍କୁ ଦେଖାଇବାକୁ ଗଲେ। ସେ କହିଲେ ଯେ ତାଙ୍କର ଗର୍ଭାଶୟ ଖରାପ ହୋଇଯାଇଛି, ଯାହାକୁ ବାହାର କରିବାକୁ ପଡ଼ିବ।

ସେଥିପାଇଁ, ଯେତେବେଳେ ତାଙ୍କୁ ୪୦ବର୍ଷ ହୋଇଥିଲା, ପୁଣେର ଏକ ପ୍ରସିଦ୍ଧ ଡାକ୍ତରଖାନାରେ ସର୍ଜରୀ ଜରିଆରେ ବିବାବାଇଙ୍କ ଗର୍ଭାଶୟକୁ ବାହାର କରି ଦିଆଗଲା। ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଖାନାର ଜେନେରାଲ ୱାର୍ଡରେ ବିତାଇଥିଲେ। “ଡାକ୍ତରମାନେ ସର୍ଜରୀ ପରେ (ପେଟ ମାଂସପେଶୀକୁ ସାହାରା ଦେବା ଲାଗି) ବେଲ୍ଟ ବାନ୍ଧିବା ଲାଗି କହିଥିଲେ, କିନ୍ତୁ ମୋ ପରିବାର କେବେବି ଏହାକୁ ଆଣିନଥିଲା”, ବିବାବାଇ କହିଥିଲେ; ବୋଧହୁଏ ବେଲ୍ଟ ଜରୁରି ନୁହେଁ ବୋଲି ସେମାନେ ଅନୁଭବ କରିଥିଲେ। ସେ ଠିକ ଭାବେ ଆର଼ାମ ମଧ୍ୟ କରିପାରିଲେ ନାହିଁ, ଏବଂ ଖୁବଶୀଘ୍ର ଚାଷ ଜମିରେ ପୁଣିଥରେ କାମ କରିବା ଆରମ୍ଭ କରିଦେଲେ।

ତେବେ ଏହି ସର୍ଜରୀ ପରେ ୧ରୁ ୬ ମାସ ପର୍ଯ୍ୟନ୍ତ କୌଣସି ପରିଶ୍ରମପୂର୍ଣ୍ଣ କାମ ନକରିବା ଲାଗି ପରାମର୍ଶ ଦିଆଯାଇଥାଏ, କିନ୍ତୁ କୃଷି କ୍ଷେତ୍ରର ମହିଳାମାନଙ୍କୁ “ଏତେ ଲମ୍ବା ଅବଧି ଲାଗି ବିଶ୍ରାମ କରିବାର ସୁବିଧା ମିଳିନଥାଏ।” ପୁଣି ସେମାନଙ୍କୁ ସାଧାରଣତଃ ଶୀଘ୍ର କାମକୁ ଫେରିବାକୁ ପଡ଼ିଥାଏ ବୋଲି ୨୦୦୫ରେ ଇଣ୍ଟରନ୍ୟାସନାଲ ରିସର୍ଚ୍ଚ ଜର୍ଣ୍ଣାଲ ଅଫ ସୋଶାଲ ସାଇନ୍ସେସରେ ନୀଲଙ୍ଗୀ ସରଦେଶପାଣ୍ଡେଙ୍କ ଦ୍ୱାରା ରଜୋନିବୃତ୍ତି ପୂର୍ବରୁ ଗ୍ରାମୀଣ ମହିଳାମାନଙ୍କୁ ଗର୍ଭାଶୟ ବାହାର କରାଯିବା ସଂକ୍ରାନ୍ତ ଏକ ଗବେଷଣାପତ୍ରରେ କୁହାଯାଇଛି।

ବହୁଦିନ ପରେ ବିବାବାଇଙ୍କର ଜଣେ ପୁଅ ତାଙ୍କ ପାଇଁ ଦୁଇଟି ବେଲ୍ଟ ଆଣିଥିଲା। କିନ୍ତୁ ସେ ଏବେ ତା’ର ଉପଯୋଗ କରିପାରିବେ ନାହିଁ। “ଆପଣ ଦେଖିପାରୁଥିବେ ମୋର ତଳିପେଟ ଆଉ ନାହିଁ, ଏବଂ ବେଲ୍ଟ ଫିଟ ହେଉନାହିଁ”, ସେ କୁହନ୍ତି। ଗର୍ଭାଶୟ ବାହାର କରାଯିବାର ପ୍ରାୟ ଦୁଇ ବର୍ଷ ପରେ, ପୁଣେର ଆଉ ଏକ ଘରୋଇ ଡାକ୍ତରଖାନାରେ ବିବାବାଇଙ୍କର ଆଉ ଏକ ସର୍ଜରୀ କରାଯାଇଥିଲା (ତାଙ୍କର ତାରିଖ ଓ ବର୍ଷ ମନେନାହିଁ)। ସେ କୁହନ୍ତି, "ଏଥର ଅନ୍ତନଳୀ ମଧ୍ୟ ଆଂଶିକ ବାହାର କରାଯାଇଥିଲା।" ନିଜର ନଅ ଗଜ ଶାଢ଼ୀର ଗଣ୍ଠି ଖୋଲି ସେ ମୋତେ ତାଙ୍କର ଶୁଖିଲା ପେଟ ଦେଖାଇଲେ। ମାଂସ ନଥିଲା କି ମାଂସପେଶୀ। କେବଳ ଚମଡ଼ା ସଙ୍କୁଚିତ ହୋଇଯାଇଥିଲା।

ପେଟରେ ଏହି ଅସ୍ତ୍ରୋପଚାର ବିଷୟରେ ବିବାବାଇଙ୍କର ବିଶେଷ କିଛି ମନେ ନାହିଁ। କିନ୍ତୁ ସରଦେଶପାଣ୍ଡେଙ୍କ ଗବେଷଣାପତ୍ରରେ ଦର୍ଶାଯାଇଛି ଯେ ଗର୍ଭାଶୟ ଅସ୍ତ୍ରୋପଚାର ପରେ ମୂତ୍ରାଶୟ, ଅନ୍ତଃନଳୀ ଏବଂ ମୂତ୍ରବାହିନୀରେ ଅଧିକାଂଶ ସମୟରେ ଘା’ ହୋଇଯାଇଥାଏ। ପୁଣେ ଏବଂ ସତାରା ଜିଲ୍ଲାର ଗ୍ରାମୀଣ କ୍ଷେତ୍ରରେ ରଜୋନିବୃତ୍ତି ପୂର୍ବରୁ ଗର୍ଭାଶୟ ବାହାର କରୁଥିବା ଯେଉଁ ୪୪ ଜଣ ମହିଳାଙ୍କ ସାକ୍ଷାତକାର ନିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଅପରେସନର ତୁରନ୍ତ ପରେ ପରିସ୍ରା ପୋଡ଼ିବା ଏବଂ ପେଟରେ ଗମ୍ଭୀର ଯନ୍ତ୍ରଣା ଅନୁଭବ କରିଥିଲେ। କେତେଜଣ ମହିଳା କହିଲେ ଯେ ସେମାନଙ୍କୁ ସର୍ଜରୀ ପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା, ଏବଂ ସର୍ଜରୀ ପୂର୍ବରୁ ସେମାନଙ୍କ ପେଟରେ ଯେଉଁ ଯନ୍ତ୍ରଣା ହେଉଥିଲା ତାହା କମିନଥିଲା।

Despite her health problems, Bibabai Loyare works hard at home (left) and on the farm, with her intellactually disabled daughter Savita's (right) help
PHOTO • Medha Kale
Despite her health problems, Bibabai Loyare works hard at home (left) and on the farm, with her intellactually disabled daughter Savita's (right) help
PHOTO • Medha Kale

ସ୍ୱାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ, ବିବାବାଇ ନିଜର ମାନସିକ ଭିନ୍ନକ୍ଷମ ଝିଅ ସବିତା(ଡାହାଣ)ଙ୍କ ସହାୟତାରେ ଘରେ ଏବଂ ଚାଷ ଜମିରେ କଠିନ ପରିଶ୍ରମ କରିଥାନ୍ତି।

ଏସବୁ ଯନ୍ତ୍ରଣା ସହିତ ବିବାବାଇ, ଗତ ୨-୩ ବର୍ଷ ହେବ ଅଷ୍ଟିଓପୋରୋସିସ (ହାଡ଼ ପୋଲା ହୋଇଯିବା) ଭଳି ଗମ୍ଭୀର ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ଗର୍ଭାଶୟ ବାହାର କରିବା ପରେ ମାସିକ ଋତୁସ୍ରାବ ଶୀଘ୍ର ବନ୍ଦ ହୋଇଯାଇଥାଏ, ଅଷ୍ଟିଓପୋରୋସିସ କାରଣରୁ ଅଧିକାଂଶ ସମୟରେ ହରମୋନ ଅସନ୍ତୁଳନ ଦେଖାଦେଇଥାଏ। ଏହି ସମସ୍ୟା କାରଣରୁ ବିବାବାଇଙ୍କ ପାଇଁ ଏବେ ନିଜ ପିଠି ସିଧା କରିବା ଅସମ୍ଭବ ହୋଇପଡ଼ିଛି। ତାଙ୍କର ରୋଗକୁ ‘ଅଷ୍ଟିଓପୋରୋଟିକ ସଙ୍କୋଚନ ଫ୍ରାକ୍ଚର ସହିତ ଗମ୍ଭୀର କାଇଫୋସିସ’ ବୋଲି କୁହାଯାଉଛି। ଏହାର ଚିକିତ୍ସା ଏଠାରୁ ପାଖାପାଖି ୪୫ କିମି ଦୂର, ପିମ୍ପରି-ଚିଞ୍ଚବଡ଼ ଔଦ୍ୟୋଗିକ ସହରର ଚିଖଲିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚାଲିଛି।

ସେ ମୋତେ ଏକ ପ୍ଲାଷ୍ଟିକ ଥଳି ଧରାଇ ଦେଲେ, ଯେଉଁଥିରେ ତାଙ୍କର ରିପୋର୍ଟ ଥିଲା। ଆଜୀବନ ଯନ୍ତ୍ରଣା ଓ ରୋଗ, କିନ୍ତୁ ଏହି ଫାଇଲରେ କେବଳ ତିନୋଟି କାଗଜ ଅଛି, ଗୋଟିଏ ଏକ୍ସ-ରେ ରିପୋର୍ଟ ଏବଂ ଔଷଧ ଦୋକାନରୁ ମିଳିଥିବା କିଛି ରସିଦ। ଏହାପରେ ସେ ସତର୍କତା ପୂର୍ବକ ଏକ ପ୍ଲାଷ୍ଟିକ ଡବା ଖୋଲିଥିଲେ ଏବଂ ସେଥିରେ ଥିବା କିଛି କ୍ୟାପସୁଲ ମୋତେ ଦେଖାଇଥିଲେ, ଯାହାକୁ ଖାଇଲେ ଯନ୍ତ୍ରଣା ଓ ବ୍ୟସ୍ତତାରୁ ତାଙ୍କୁ ଆରାମ ମିଳିଥାଏ। ଏଗୁଡ଼ିକ ଷ୍ଟେରୋଏଡ଼ ମୁକ୍ତ ଯନ୍ତ୍ରଣା ନିରୋଧୀ ଔଷଧ ଯାହାକୁ ସେ ଭଙ୍ଗା ହୋଇଥିବା ଚାଉଳ ଭର୍ତ୍ତି ବସ୍ତା ସଫା କରିବା ଭଳି କଠିନ କାମ ସମୟରେ ଖାଇଥାନ୍ତି।

“ଅତ୍ୟଧିକ ଶାରୀରିକ ପରିଶ୍ରମ ଏବଂ ଏ ପାର୍ବତ୍ୟାଞ୍ଚଳରେ ଦୈନିକ ଜୀବନଯାପନ ଲାଗି ସବୁଦିନିଆ ସଂଘର୍ଷ, ଏବଂ ଏଥିସହିତ କୁପୋଷଣର ଖରାପ ପ୍ରଭାବ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ”, ଡାକ୍ତର ବୈଦେହୀ ନାଗରକର କହିଥାନ୍ତି, ଯିଏକ ଗତ ୨୮ ବର୍ଷ ଧରି ହଡ଼ଶୀ ଠାରୁ ପାଖାପାଖି ୧୫ କିମି ଦୂର ପୌଡ଼ ଗ୍ରାମରେ ନିଜର କ୍ଲିନିକ ଚଳାଉଛନ୍ତି। “ଆମ ଡାକ୍ତରଖାନାକୁ ଅଧିକ ସଂଖ୍ୟାରେ ପ୍ରଜନନ ସମ୍ବନ୍ଧୀୟ ରୋଗ ଥିବା ମହିଳାମାନେ ଆସୁଥିବା ମୁଁ ଦେଖିପାରୁଛି, କିନ୍ତୁ ପୁରୁଣା ରୋଗ ଯେପରିକି ଆନିମିଆ, ଆଣ୍ଠୁଗଣ୍ଠି ରୋଗ, ଅଷ୍ଟିଓପୋରୋସିସର ଏବେ ସୁଦ୍ଧା ଚିକିତ୍ସା ହୋଇପାରୁନାହିଁ।”

“ଆହୁରି କୃଷି କାର୍ଯ୍ୟ ନିମନ୍ତେ ହାଡ଼ର ସୁସ୍ଥତା ଜରୁରି ଅଟେ, ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ଦିଆଯାଇଥାଏ, ବିଶେଷ କରି ମହିଳାଙ୍କ କ୍ଷେତ୍ରରେ”, ତାଙ୍କ ସ୍ୱାମୀ ଡାକ୍ତର ସଚିନ ନାଗରକର କୁହନ୍ତି।

The rural hospital in Paud village is 15 kilometres from Hadashi, where public health infrastructure is scarce
PHOTO • Medha Kale

ହଡ଼ଶୀ ଠାରୁ ୧୫ କିମି ଦୂରରେ ଥିବା ପୌଡ଼ ଗ୍ରାମର ଏକ ଗ୍ରାମୀଣ ଡାକ୍ତରଖାନା ଯେଉଁଠାରେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିର ଘୋର ଅଭାବ ରହିଛି।

ବିବାବାଇ ଜାଣନ୍ତି ଯେ ତାଙ୍କୁ କାହିଁକି ଏତେ କଷ୍ଟ ସହିବାକୁ ପଡ଼ିଲା : “ସେ ଦିନଗୁଡ଼ିକରେ (୨୦ ବର୍ଷ ପୂର୍ବରୁ) ସାରା ଦିନ, ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ, ଆମେ କାମ କରୁଥିଲୁ। ଖୁବ ପରିଶ୍ରମ କରିବାକୁ ପଡ଼ୁଥିଲା। (ଆମ ଘରଠାରୁ ପାଖାପାଖି ତିନି କିମି ଦୂର) ଏକ ପାହାଡ଼ ଉପରେ ଆମ ଜମିରେ ଗୋବର ପକାଇବା ଲାଗି ସାତରୁ ଆଠ ଚକ୍କର ମାରିବା, କୂଅରୁ ପାଣି ଆଣିବା ଏବଂ ରୋଷେଇ କରିବା ଲାଗି କାଠ ଏକତ୍ରିତ କରିବା…”

ଏବେ ବି, ବିବାବାଇ ଚାଷ କାମରେ ନିଜର ସବୁଠୁ ବଡ଼ ପୁଅ ଏବଂ ବୋହୂଙ୍କୁ ସହାୟତା କରିଥାନ୍ତି। କୃଷକ ପରିବାରକୁ ଆରାମ କରିବାର ସୁଯୋଗ କେବେ ମିଳିନଥାଏ”, ସେ କୁହନ୍ତି। “ପୁଣି ମହିଳାଙ୍କୁ ତ’ କେବେ ନୁହେଁ, ସେ ଗର୍ଭବତୀ କିମ୍ବା ରୋଗଗ୍ରସ୍ତ ହୋଇଥାଆନ୍ତୁ ପଛେ”।

୯୩୬ଲୋକସଂଖ୍ୟା ବିଶିଷ୍ଟ ହଡ଼ଶୀ ଗ୍ରାମରେ କୌଣସି ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧା ନାହିଁ। ନିକଟସ୍ଥ ସ୍ୱାସ୍ଥ୍ୟ ଉପ-କେନ୍ଦ୍ର କୋଲୱାନରେ ଏବଂ ନିକଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୧୪ କିଲୋମିଟର ଦୂରରେ ଥିବା କୁଲେ ଗ୍ରାମରେ ଅଛି। ବୋଧହୁଏ ଏହି କାରଣରୁ ବିବାବାଇ ଏତେ ଦଶନ୍ଧି ଧରି ଘରୋଇ ଡାକ୍ତର ଏବଂ ଘରୋଇ ଡାକ୍ତରଖାନାରୁ ସ୍ୱାସ୍ଥ୍ୟ ସେବା ପାଇଛନ୍ତି- ତେବେ କେଉଁ ଡାକ୍ତରଙ୍କୁ ଦେଖାଇବାକୁ ହେବ ଏବଂ କେଉଁ ହସ୍ପିଟାଲକୁ ଯିବାକୁ ପଡ଼ିବ, ଏହାର ନିଷ୍ପତ୍ତି ସବୁବେଳେ ତାଙ୍କର ଯୌଥ ପରିବାରର ପୁରୁଷମାନେ ଗ୍ରହଣ କରିଥାନ୍ତି।

ଗ୍ରାମୀଣ ମହାରାଷ୍ଟ୍ରରେ ଅଧିକାଂଶ ଲୋକଙ୍କ ଧାରଣାର ବ୍ୟତିକ୍ରମ ଭାବେ, ବିବାବାଇ ସବୁବେଳେ ଭଗତ (ପାରମ୍ପରିକ ବୈଦ୍ୟ)ଙ୍କ ଉପରେ ସେତେଟା ବିଶ୍ୱାସ ରହିନାହିଁ, ତେଣୁ ସେ ନିଜ ଗ୍ରାମର ଦେବଋଷି (ପାରମ୍ପରିକ ଚିକିତ୍ସକ)ଙ୍କ ନିକଟକୁ କେବଳ ଥରେ ମାତ୍ର ଯାଇଛନ୍ତି। “ସେ ମୋତେ ଏକ ବଡ଼ ଗୋଲ ପ୍ଲେଟରେ ବସାଇ ଦେଲେ ଏବଂ ମୋ ମୁଣ୍ଡ ଉପରେ ପାଣି ଢାଳିବାକୁ ଲାଗିଲେ ଯେମିତି ମୁଁ ଏକ ପିଲା ଥିଲି। ମୁଁ ଏହାକୁ ଘୃଣା କରିଥିଲି। କେବଳ ସେହି ଗୋଟିଏ ଥର ମୁଁ ଯାଇଥିଲି”, ସେ ମନେ ପକାଇ କୁହନ୍ତି। ଆଧୁନିକ ଚିକିତ୍ସା ପଦ୍ଧତିରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି, ବୋଧହୁଏ ତାଙ୍କର ସ୍ୱାମୀ ଶିକ୍ଷିତ ଓ ବିଦ୍ୟାଳୟ ଶିକ୍ଷକ ହୋଇଥିବା କାରଣରୁ ଏପରି ହୋଇଛି।

ଏବେ ଅପ୍ପାଙ୍କ ଔଷଧ ଖାଇବାର ସମୟ ହୋଇଗଲାଣି, ଏବଂ ସେ ବିବାବାଇଙ୍କୁ ଡାକୁଛନ୍ତି। ପାଖାପାଖି ୧୬ ବର୍ଷ ପୂର୍ବେ, ତାଙ୍କ ଅବସର ନେବାକୁ ଆଉ ୨ ବର୍ଷ ବାକି ଥିଲା, ଏବେ ୭୪ ବର୍ଷରେ ପହଞ୍ଚିଥିବା ଅପ୍ପାଙ୍କୁ ପକ୍ଷାଘାତ ହେଲା, ଏହି କାରଣରୁ ସେ ବିଛଣା ଧରିଲେ। ସେ କିଛି କହିପାରିଲେ ନାହିଁ, କିଛି ଖାଇପାରିଲେ ନାହିଁ କିମ୍ବା ଚଲାବୁଲା କରିପାରିଲେ ନାହିଁ। ବେଳେବେଳେ ସେ ନିଜ ବିଛଣା ସହ ଘୋଷାଡ଼ି ହୋଇ ଆସିଛି କବାଟ ପାଖରେ ପହଞ୍ଚିଯାଆନ୍ତି। ମୁଁ ଯେତେବେଳେ ତାଙ୍କ ଘରକୁ ପ୍ରଥମ ଥର ପାଇଁ ଯାଇଥିଲି, ସେ ଅସନ୍ତୁଷ୍ଟ ହୋଇଥିଲେ କାରଣ ବିବାବାଇ ମୋ ସହ କଥା ହୋଇ ତାଙ୍କୁ ଔଷଧ ଦେବାରେ ଡେରି କରିଦେଲେ।

ବିବାବାଇ ତାଙ୍କୁ ଦିନରେ ଚାରି ଥର ଖାଇବାକୁ ଦେଇଥାନ୍ତି, ଏବଂ ତାଙ୍କର ଶରୀରରେ ସୋଡ଼ିୟମ ଅଭାବକୁ ଦୂର କରିବା ଲାଗି ତାଙ୍କୁ ତାଙ୍କ ଔଷଧ ଏବଂ ଲୁଣ ପାଣି ପିଆଇଥାନ୍ତି। ଏହି କାମ ଗତ ୧୬ ବର୍ଷ ଧରି, ଠିକ ସମୟରେ ଏବଂ ଖୁବ ସ୍ନେହରେ ନିଜ ରୋଗ କଥା ଚିନ୍ତା ନକରି ସେ କରିଆସୁଛନ୍ତି। ଖୁବ କଷ୍ଟରେ ସେ ଜମିରେ ଓ ଘରେ ସେ କାମ କରିଥାନ୍ତି। ଦଶନ୍ଧି ଧରି କାମ କରିଚାଲିବା ଏବଂ ଯନ୍ତ୍ରଣା ତଥା ଅସୁସ୍ଥତା ପରେ ବି, ସେ ଯେମିତି କୁହନ୍ତି, ଚାଷୀ ପରିବାରର ମହିଳା କେବେ ଆରାମ କରିପାରିବେ ନାହିଁ।

ପ୍ରଚ୍ଛଦ ଚିତ୍ରଣ : ପ୍ରିୟଙ୍କା ବୋରାର ନୂଆ ମିଡ଼ିଆର ଜଣେ କଳାକାର ଯିଏକି ଅର୍ଥ ଓ ଅଭିବ୍ୟକ୍ତିର ନୂଆ ରୂପକୁ ଅନୁସ୍ଥାନ କରିବା ଲାଗି ଜ୍ଞାନକୌଶଳର ପ୍ରୟୋଗ କରୁଛନ୍ତି। ସେ ଶିଖି ଏବଂ ଖେଳିବା ଲାଗି ଅନୁଭୂତିକୁ ଡିଜାଇନ କରୁଛନ୍ତି, ସମ୍ବାଦମୂଳକ ମିଡିଆରେ ସମ୍ପୃକ୍ତ ରହିଥାନ୍ତି ଏବଂ ପାରମ୍ପରିକ କଲମ ଓ କାଗଜ ସହିତ ମଧ୍ୟ ସହଜ ଅନୁଭବ କରିଥାନ୍ତି।

ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ପକ୍ଷରୁ ଗ୍ରାମୀଣ ଭାରତର କିଶୋରୀ ତଥା ଯୁବା ମହିଳା ଏବଂ ରାଷ୍ଟ୍ରବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସମର୍ଥିତ ଏକ ପ୍ରୟାସର ଅଂଶବିଶେଷ ଅଟେ, ଏହା ମାଧ୍ୟମରେ ସାଧାରଣ ଜନତାଙ୍କର ସ୍ୱର ଏବଂ ସେମାନଙ୍କର ଜୀବନର ଅନୁଭୂତି ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ସମୁଦାୟର ସ୍ଥିତି ସମ୍ପର୍କରେ ଜାଣି ହେବ।

ଏହି ସ୍ତମ୍ଭ ପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି zahra@ruralindiaonline.org  କୁ ମେଲ କରନ୍ତୁ ଏବଂ ଏହାର ଏକ କପି namita@ruralindiaonline.org  କୁ ପଠାନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Medha Kale
mimedha@gmail.com

Medha Kale is based in Pune and has worked in the field of women and health. She is also a translator for PARI.

Other stories by Medha Kale